spot_img
Home Blog Page 282

ପରଲୋକରେ ଆଡଭର୍ଟାଇଜିଂ ଲିଜେଣ୍ଡ ପୀୟୂଷ ପାଣ୍ଡେ

ନନ୍ଦିଘୋଷ ବ୍ୟୁରୋ : ଆଉନାହାନ୍ତି ଆଡଭର୍ଟାଇଜିଂ ଲିଜେଣ୍ଡ ପୀୟୂଷ ପାଣ୍ଡେ। ଫେଭିକଲ ଓ ଭୋଡାଫୋନ ଲାଗି ବିଜ୍ଞାପନ ସକାଶେ ଖ୍ୟାତି ଅର୍ଜନ କରିଥିବା ପୀୟୂଷ ୭୦ ବର୍ଷରେ ଇହଲୀଳା ସମ୍ବରଣ କରିଛନ୍ତି। ଅନେକ ଲୋକପ୍ରିୟ ବିଜ୍ଞାପନ ପ୍ରସାରଣ କରି ସେ କିମ୍ବଦନ୍ତୀ ସାଜିଥିଲେ। ତାଙ୍କ ମୃତ୍ୟୁରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଶୋକବ୍ୟକ୍ତ କରିଛନ୍ତି। କାଡବରୀ ଲାଗି କୁଛ ଖାସ ହୈ ସ୍ଲୋଗାନଠାରୁ ଆରମ୍ଭ କରି ଏସିଆନ ପେଣ୍ଟସର ହର ଖୁସି ମେ ରଙ୍ଗ ଲାୟେ ସମେତ ଭୋଡାଫୋନର ବିଜ୍ଞାପନ ଲାଗି ସେ ଖ୍ଯାତି ଅର୍ଜନ କରିଥିଲେ। ଏପରିକି ୨୦୧୪ରେ ଅବ କି ବାର୍ ମୋଦି ସରକାର ସ୍ଲୋଗାନ ସୃଷ୍ଟି କରି ସେ ସାରା ରାଜନୀତି ଜଗତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ୧୯୫୫ରେ ଜନ୍ମିତ ପୀୟୂଷ ନିଜ ପ୍ରତିଭା ଲାଗି ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ ହୋଇଥିଲେ। ଅମିତାଭ ବଚ୍ଚନଙ୍କ ସହ ପୋଲିଓ ବିଜ୍ଞାପନ, ଫେଭିକଲ ବସ୍ ଫେଭିକଲ ଫିସ୍ ଫେଭିକଲ ସୋଫା, ଫେଭିକଲ କ୍ବିକ, ପଣ୍ଡସ୍, ଚଲ ମେରି ଲୁନା, ବେଲ୍ ବଜାଓ, କ୍ୟାନସର ରୋଗୀ ସଂଘ ଲାଗି ଧୂମପାନ ନିରୋଧୀ ଅଭିଯାନରେ ନିଜର ପାରଦର୍ଶିତା ପ୍ରତିପାଦନ କରିଥିଲେ ପୀୟୂଷ।

ମହଙ୍ଗା ପଡିଲା କଙ୍ଗାରୁ କୋର୍ଟ, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଆନନ୍ଦପୁର : ମହଙ୍ଗାପଡିଲା କଙ୍ଗାରୁ କୋର୍ଟ । ଭିଡିଓ ଭାଇରାଲ ପରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଧାନ କାଟି ଫେରୁଥିବା ବେଳେ ପାଣି ପିଇବା ପାଇଁ ଜଣେ ମହିଳାଙ୍କ ନିକଟକୁ ଯାଇଥିଲେ । ଏହି ସମୟରେ ଗାଁର କିଛି ଯୁବକ ସେମାନଙ୍କ ମଧ୍ୟରେ ଖରାପ ସମ୍ପର୍କ ଥିବା କହି କବାଟ ବନ୍ଦ କରିଦେଇଥିଲେ । ପରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କୁ ଜଣାଇବା ସହ ଉଭୟଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ଲଙ୍କା ଗୁଣ୍ଡ ଏବଂ ପାଣି ଢ଼ାଳି ବାଡ଼େଇ ଥିଲେ । ପରେ ଉଭୟଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇ ଥିବା ନେଇ ଅଭିଯୋଗ ହୋଇଛି। ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ଭିଡିଓ ଭାଇରାଲ ହେଉଛି। ଏନେଇ ଆନନ୍ଦପୁର ଥାନାରେ ସମ୍ପୃକ୍ତ ମହିଳା ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସେହି ଗ୍ରାମର ୨ ଜଣ ମହିଳା ଏବଂ ୨ ଜଣ ପୁରୁଷଙ୍କୁ ଗିରଫ କରିଛି ।

ଡୁଙ୍ଗୁରିପାଲି-ସୋନପୁର ମୁଖ୍ୟ ରାସ୍ତା ନଙ୍ଗଳକଟା ଠାରେ ରାସ୍ତାରୋକ

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ନଙ୍ଗଳକଟା ଗ୍ରାମବାସୀ ନବନିର୍ମାଣ ରାଇସମିଲ ବନ୍ଦ ଦାବିରେ ଆନ୍ଦୋଳନ କରିଛନ୍ତି । ଆଜି ସକାଳ ୬ ଟାରୁ ଡୁଙ୍ଗୁରିପାଲି-ସୋନପୁର ମୁଖ୍ୟ ରାସ୍ତା ନଙ୍ଗଳକଟା ଠାରେ ରାସ୍ତାରୋକ ଓ ଧାରଣା ଦେଇଛନ୍ତି l ଉକ୍ତ ଗ୍ରାମର ରାସ୍ତା ପାର୍ଶ୍ବରେ ସରସ୍ଵତୀ ରାଇସମିଲ ନିର୍ମାଣ ହୋଇଛି ଏବଂ ଏହି ମିଲକୁ କାର୍ଯ୍ୟକାରୀ କରିବାକୁ ପ୍ରଚେଷ୍ଟା ଚାଲିଛି l ଏହି ମିଲ ଚାଲୁ ହେଲେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନାନା ଅସୁବିଧା ଉପୁଜିବ । ପାଖରେ ଏକ ଡ଼ାକ୍ତରଖାନା ରହିଛି ଏବଂ ଏହା ଜନଗହଳି ପୂର୍ଣ୍ଣ ରାସ୍ତା ଥିବା ଯୋଗୁ ଜନ ସାଧାରଣ ବିଶେଷ ଅସୁବିଧା ଭୋଗିବେ । ତେଣୁ ଏହି ରାଇସମିଲକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଦାବି କରି ପ୍ରତିବାଦ ଓ ଧାରଣା ଦେଇଛନ୍ତି ଲୋକେ l ଯାହା ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ି ଗୁଡିକ ଅଟକି ରହିଛି ଏବଂ ସମ୍ପୂର୍ଣ୍ଣ ଭାବେ ରାସ୍ତା ବନ୍ଦ ହୋଇଛି l

କୁର୍ନୁଲ ଚିନ୍ନାଟେକୁରୁ ନିକଟରେ ବଡ଼ ଦୁର୍ଘଟଣା ; ଜଳିଗଲା ଚଳନ୍ତା ବସ, ୧୫ ଜୀବନ୍ତ ଦଗ୍ଧ

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରର କୁର୍ନୁଲ ଜିଲ୍ଲା ଚିନ୍ନାଟେକୁରୁ ନିକଟରେ ବଡ଼ ଦୁର୍ଘଟଣା। ଜଳିଗଲା ଚଳନ୍ତା ବସ୍। ଏଥିରେ ୧୫ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଆହୁରି ଅନେକ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ହାଇଦ୍ରାବାଦରୁ ବସଟି ବେଙ୍ଗାଲୁରୁ ଯାଉଥିଲା। ଏକ ବାଇକକୁ ଧକ୍କା ଦେବା ପରେ ବସରେ ନିଆଁ ଲାଗି ଯାଇଥିଲା। ବସ୍ ଝରକା ଭାଙ୍ଗି ୧୨ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।

ବସରେ ଥିଲେ ୪୦ ଜଣ ଯାତ୍ରୀ ଓ ଦୁଇ ଜଣ ଡ୍ରାଇଭର। ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଆନ୍ଧ୍ର ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀମାନେ ବି ଶୋକ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏକ ହେଲପ ଲାଇନ ନମ୍ଵର ବି ଜାରି କରାଯାଇଛି।

ଆସୁଛି ଆଉ ଏକ ଲଘୁଚାପ ; ଆସନ୍ତା ୨୭ରୁ ୩୦ ଛେଚିବ ବର୍ଷା

ଭୁବନେଶ୍ବର : ଆଜି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣବଳୟ ସକ୍ରିୟ ରହିଥିବାରୁ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି। ଏହି ଲଘୁଚାପ ଅଧିକ ଘନୀଭୂତ ହେଲେ ଅଧିକ ବର୍ଷା ହୋଇପାରେ। ତେବେ ବର୍ତ୍ତମାନ ପୂର୍ବ ଦିଗରୁ ରାଜ୍ୟକୁ ପବନ ଆସୁଥିବାରୁ ବଙ୍ଗୋପସାଗରର ଜଳୀୟବାଷ୍ପ ଆସୁଛି। ଏହାର ପ୍ରଭାବରେ ରାଜ୍ୟରେ ୭ ଦିନ ଧରି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ତାମିଲନାଡୁ ଉପକୂଳରେ ଏବେ ୱେଲ୍ ମାର୍କଡ ଲୋ ପ୍ରେସର ସକ୍ରିୟ ଅଛି । ତାହା ଅବପାତରେ ପରିଣତ ହୋଇ ତାମିଲନାଡୁ ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ ।

ଆସନ୍ତାକାଲି ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ । ୨୫ ଓ ୨୬ ତାରିଖରେ ବି ବର୍ଷା ହେବ। ୨୮ ତାରିଖ ଯାଏ ରାଜ୍ୟରେ ଏପରି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ୨୪ରେ ଥିବା ଲଘୁଚାପ ପ୍ରଭାବ ଅଧିକ ରହିବ ବୋଲି ଆକଳନ କରିଛନ୍ତି ପାଣପାଗ ବିଶେଷଜ୍ଞ । ବଙ୍ଗୋପସାଗରରେ ଏହି ସପ୍ତାହରେ ସମୁଦ୍ର ଓ ଉପରିସ୍ଥ ବାୟୁମଣ୍ଡଳର ପ୍ରତିକୂଳ ସ୍ଥିତି, ବର୍ତ୍ତମାନ ରହିଥିବା ଲଘୁଚାପ ୨୩-୨୪ ତାରିଖ ସୁଦ୍ଧା ଘନୀଭୂତ ନ ହୋଇ ୨୪-୨୫ ତାରିଖ ମଧ୍ୟରେ ସମ୍ଭାବ୍ୟ ଦ୍ବିତୀୟ ଲଘୁଚାପ ସହ ମିଶି ଗୋଟିଏ ସିଷ୍ଟମରେ ପରିଣତ ହେବ । ତେବେ ଏହା କେବେ ଓ କେତେ ଘନୀଭୂତ ହେବ ଏବଂ ଗତିପଥ କ’ଣ ରହିବ, ତାହା ବର୍ତ୍ତମାନ ଅନିଶ୍ଚିତତାରେ ରହିଛି ।

ଆଜି ମାଓବାଦୀଙ୍କ ଭାରତ ବନ୍ଦ ; ସରକାରଙ୍କ ଦମନଲୀଳାକୁ ମାଓ ସଂଗଠନର ବିରୋଧ

ନନ୍ଦିଘୋଷ ବ୍ୟୁରୋ: ଆଜି ସିପିଆଇ(ମାଓବାଦୀ) ପକ୍ଷରୁ ପାଳନ ହେବ ଭାରତ ବନ୍ଦ  । ମାଓବାଦୀ ସଂଗଠନ ବିରୋଧରେ ଦେଶରେ ଚାଲିଥିବା ସରକାରଙ୍କ ଦମନଲୀଳାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି  । କର୍ପୋରେଟ ସ୍ବାର୍ଥକୁ ଦୃଷ୍ଟିରେ ରଖି ମାଓବାଦୀ କର୍ମୀଙ୍କ ଉପରେ ଚାଲିଥିବା ଦମନଲୀଳାକୁ ବିରୋଧ କରି ସାରା ଦେଶରେ ଏହି ବନ୍ଦ ପାଳନ କରାଯିବ ବୋଲି କହିଛି ନିଷିଦ୍ଧ ଘୋଷିତ ସଂଗଠନ  । ସିପିଆଇ(ମାଓବାଦୀ) କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟ କହିଛନ୍ତି- ନାରାୟଣପୁର, ବିଜାପୁର, କାଙ୍କର, ସୁକମା, ପଶ୍ଚିମ ସିଂହଭୂମ ଏବଂ ଓଡ଼ିଶାର କିଛି ଅଞ୍ଚଳରେ ମାଓବାଦୀ କର୍ମୀମାନଙ୍କ ଉପରେ ନିରାପତ୍ତା ବାହିନୀ ପକ୍ଷରୁ ନିର୍ଯାତନା, ଦମନଲୀଳା ଆଦି ଚାଲିଛି  ।

ଫେକ୍ ଏନକାଉଣ୍ଟର ଜରିଆରେ କମ୍ରେଡ ମନୋଜ ଓରଫ ମୋଡେମ ଲକ୍ଷ୍ମୀ କ୍ରିଷ୍ଣା, କମ୍ରେଡ ବିଜୟ ଓରଫ ଚିନ୍ନା ହାସ୍ ଓ ଅନ୍ୟ ବହୁ ମାଓବାଦୀ ନେତା ପ୍ରାଣ ହରାଇଲେଣି  । ବିନା ଆଇନଗତ ପ୍ରକ୍ରିୟାରେ କର୍ମୀମାନଙ୍କୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଉଛି  । ଅଭୟ କହିଛନ୍ତି- କେନ୍ଦ୍ର ସରକାର ଭାରତକୁ ଏକ କର୍ପୋରେଟ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ସହ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡିକୁ ଧ୍ବଂସ କରୁଛନ୍ତି  । ଏହି ବନ୍ଦରେ ସାମିଲ ହେବା ଲାଗି ସମସ୍ତ ପ୍ରଗତିଶୀଳ, ଗଣତାନ୍ତ୍ରିକ ଓ ବାମଦଳକୁ ଆହ୍ବାନ କରିଛନ୍ତି ଅଭୟ  ।

ବିହାର ମହାଗଠବନ୍ଧନରେ ତେଜସ୍ବୀଙ୍କୁ ସିଏମ ଚେହେରା ଘୋଷଣା ; ଅଡୁଆରେ ଏନଡିଏ

ବିହାର : ମହାଗଠବନ୍ଧନରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ନାଁ ଘୋଷଣା ପରେ ଅଡୁଆରେ ଏନଡିଏ। ଏହାକୁ ନେଇ ଆରମ୍ଭ ହୋଇଛି କଥା କଟାକଟି। ତେଣେ ସିଏମ ଚେହେରା ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନୀରବ ରହିବା ମହାଗଠବନ୍ଧନ ଲାଗି ଅଧିକ ଖୋରାକ ଯୋଗାଇଛି। ବିହାରର ୬ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶଙ୍କ ସରକାରଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି ଏନଡିଏ ସହଯୋଗୀ ଲୋକଜନଶକ୍ତି ପାର୍ଟି (ରାମବିଳାସ) ନେତା ଚିରାଗ ପାଶୱାନ। ଚିରାଗଙ୍କ ମନ୍ତବ୍ୟକୁ ବି ବିରୋଧ କରୁନି ବିଜେପି। ତେଣେ ଗତ ୨୦୨୦ ନିର୍ବାଚନରେ ବିଜେପି ୧୧୦ ଆସନ ଲଢି ବିଜୟୀ ହୋଇଥିଲା ୮୦ ଆସନରେ ।

ବିଗ୍ ବ୍ରଦର ସାଜି ଜେଡିୟୁ ଲଢିଥିଲା ୧୧୫ ଆସନରେ। ମାତ୍ର ଜିତିଥିଲା ମାତ୍ର ୪୫ ଆସନ। ଏହା ସତ୍ତ୍ବେ ନୀତୀଶ ହୋଇଥିଲେ ସିଏମ। ବର୍ତ୍ତମାନ ବଦଳିଛି ସ୍ଥିତି। ଦୁଇ ଦଳ ଏଥର ୧୦୧ ଲେଖାଏ ଆସନରେ ଲଢୁଛନ୍ତି । ଯଦି ନୀତୀଶ ଗତ ଥର ଅପେକ୍ଷା କମ୍ ଆସନ ପାଆନ୍ତି ତେବେ ଏଥର ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ନପାରେ ବୋଲି ବିଜେପି ମହଲ ଚିନ୍ତା କରୁଛନ୍ତି । ତେଣେ ଏନଡିଏର ଯଦି ସାହସ ଅଛି ତେବେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କର ବୋଲି କହିଛନ୍ତି ତେଜସ୍ବୀ । ଏପରିକି ଏନଡିଏର କୌଣସି ଆଜେଣ୍ଡା ବା ଭିଜନ ନାହିଁ ବୋଲି ସେ କହିଛନ୍ତି । ଏପରିକି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ନ କରିବା ଲାଗି ବିଜେପି ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି ବୋଲି ଦମରେ କହିଛନ୍ତି ତେଜସ୍ବୀ। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଗଠବନ୍ଧନକୁ ଠକବନ୍ଧନ କହିବା ସହ ଲାଲୁ ଯାଦବଙ୍କୁ କଟାକ୍ଷ କରିଛନ୍ତି। ବିହାରକୁ ଜଙ୍ଗଲରାଜ୍ ଆଡକୁ ନେବାକୁ ମହାଗଠବନ୍ଧନ ଯୋଜନା କରୁଛି ବୋଲି କହିଛନ୍ତି ବିଜେପି ନେତା କେଶବ ପ୍ରସାଦ ମୌର୍ଯ୍ୟ।

ନୂଆପଡା ଲଢେଇରେ କାହାର ହେବ ବାଜି; ଗାଁ ଗାଁରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତାର ଝଲକ

ନୂଆପଡ଼ା : ନୂଆପଡା ଲଢେଇରେ କାହାର ହେବ ବାଜି। ଗାଁ ଗାଁରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତାର ଝଲକ। ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରୁ କାହାର ହେବ ବିଜୟ ତାହାକୁ ନେଇ ଜାରି ରହିଛି ସସପେନ୍ସ। ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଦିବାସୀ ସମାଜ ସମର୍ଥନ ଘୋଷଣା କରିବା ପରେ ବିଜୟର ଆଶା ଉଜ୍ବଳ ହୋଇଛି। ଗୋଣ୍ଡ ସମାଜ, ଶବର ସମାଜ, ଭୁଞ୍ଜିଆ ସମାଜ, ବରିହା ସମାଜ ପକ୍ଷରୁ ସ୍ନେହାଙ୍ଗିନୀଙ୍କୁ ଆଶୀର୍ବାଦ କରିବା ସହ ବିଜେଡିକୁ ସାମର୍ଥନ ଦେବା ପାଇଁ ନିଷ୍ପତ୍ତି ନେବା ପରେ ବିରୋଧୀ ଶିବିର ଛାନିଆ ହୋଇଛନ୍ତି । ନୂଆପଡାରେ ତିନି ଦଳର କ୍ୟାମ୍ପେନରେ ନିର୍ବାଚନମଣ୍ଡଳି ଦୁଲୁକୁଥିବା ବେଳେ କଂଗ୍ରେସ ଆଣିଛି ବଡ ଅଭିଯୋଗ । ଉପନିର୍ବାଚନ ପାଇଁ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ୫୦୦୦ ହଜାର ଭୋଟର ଅଧିକ ବଢ଼େଇ ଦିଆଯାଇଥିବା ଅଭିଯୋଗ କରିଛି କଂଗ୍ରେସ ।

ସେପଟେ ମହିଳା, ଚାଷୀ ଆଦି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରୁଛି ବିଜେଡି। ଉପନିର୍ବାଚନରେ ଜନତା ଦୃଢ଼ ଜବାବ ଦେବେ ବୋଲି କହିଛି ଦଳ। ୩୦୦ ୟୁନିଟ ମାଗଣା ବିଜୁଳି, ୩ ହଜାର ଟଙ୍କା ଭତ୍ତା, ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା କୁଆଡେ ଗଲା ବୋଲି ପ୍ରଶ୍ନ କଲେଣି ନୂଆପଡାବାସୀ। ବିଜେପି ଶାସନରେ ଥାଇ ମଧ୍ୟ ପ୍ରାର୍ଥୀ ପାଇଲେନି। ଓଲଟି ବିଜେଡି ପ୍ରାର୍ଥୀଙ୍କୁ ଚୋରି କରି ପ୍ରାର୍ଥୀ କଲେ। ଯାହାକୁ ନେଇ ନିଜ ଦଳରେ ଦେଖାଦେଲାଣି ଅସନ୍ତୋଷ। ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ। ୧୪ ତାରିଖ ଗଣତିରେ ସବୁ କିଛି ହେବ ସ୍ପଷ୍ଟ।

ପଞ୍ଚମ ଓ ଅଷ୍ଟମରେ ପାସ୍, ଫେଲ ବ୍ୟବସ୍ଥା ଲାଗୁ; ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ତରରେ ଦୃର୍ବଳ କରିବା ଆଶଙ୍କା ପ୍ରକାଶ କଲେ ଶିକ୍ଷକ

ନନ୍ଦିଘୋଷ ବ୍ୟୁରୋ: ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ ହୋଇଛି । ନୂତନ ଶିକ୍ଷା ନୀତି-୨୦୨୦ ଆଧାରରେ ଏହି ନୂଆ ନିୟମ ପ୍ରଣୟନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରିବା ସହ ତ୍ରୀସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ହେଲେ ଫେଲ୍ ବ୍ୟବସ୍ଥାକୁ ନେଇ ଶିକ୍ଷକ ମହଲରେ କେଁ ଦେଖାଦେଲାଣି । ଏତେ ଦିନରୁ ଫେଲ୍ ବ୍ୟବସ୍ଥା ନଥିବାରୁ ହଠାତ ଫେଲ ଲାଗୁ ହେଲେ ମାନସିକ ସ୍ତରରେ ଛାତ୍ର ଦୁର୍ବଳ ହେବା ନେଇ କିଛି ଶିକ୍ଷକ ଆଶଂକା ପ୍ରକାଶ କରିଛନ୍ତି । ସେପଟେ ଶିକ୍ଷାରେ ସଂସ୍କାର ପାଇଁ ଏହା କରାଯାଉଥିବା ଷ୍ଟିୟରିଂ କମିଟି ପକ୍ଷରୁ କୁହାଯାଇଛି ।

ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ । ଫେଲ ହେଲେ ସପ୍ଲିମେଣ୍ଟାରୀ ଦେବାକୁ ପଡ଼ିବ । ଫେଲ ହେଲେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ପାରିବେ ନାହିଁ ଛାତ୍ରଛାତ୍ରୀ । ଏହି ଗାଇଡଲାଇନ ଅନୁସାରେ, ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ ୫୦ ମାର୍କରୁ ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା ରହିବ । ୮ମ ଶ୍ରେଣୀ ପାଇଁ କେବଳ ୫୦ ମାର୍କର ଲିଖିତ ପରୀକ୍ଷା କରାଯିବ । ପ୍ରଶ୍ନପତ୍ରରେ ସମିଟିଭ୍ ଆସେସମେଣ୍ଟ – ୧ ପୂର୍ବରୁ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୩୦ ପ୍ରତିଶତ ପ୍ରଶ୍ନ ଓ ପରେ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୭୦ ପ୍ରତିଶତ ପ୍ରଶ୍ନ ରହିବ । ୩୦ ପ୍ରତିଶତ ସହଜ, ୪୦ ପ୍ରତିଶତ ହାରାହାରି ଓ ୩୦ ପ୍ରତିଶତ କଷ୍ଟକର ପ୍ରଶ୍ନ ରହିବ । ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ୬୦ ପ୍ରତିଶତ ଅର୍ଥାତ୍ ୩୦ ମାର୍କ ଓ ଦୀର୍ଘ ଉତ୍ତରମୂଳକ ୪୦ ପ୍ରତିଶତ ଅର୍ଥାତ୍ ୨୦ ମାର୍କର ରହିବ । ସ୍କୁଲ ସ୍ତରରେ ବିଷୟ ଭିତ୍ତିକ ଶିକ୍ଷକଙ୍କ ଦ୍ବାରା ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରୋଗ୍ରେସ୍ ରିପୋର୍ଟ ଦିଆଯିବ । ଫେବ୍ରୁଆରୀରେ ପରୀକ୍ଷା କରାଯିବା ସହ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବା ଦିଗରେ ପଦକ୍ଷେପ ନେବେ । ୩୦ ପ୍ରତିଶତ ମାର୍କ ରଖିଲେ ପିଲା ପାସ୍ କରିବେ । ଯେଉଁମାନେ କୃତକାର୍ଯ୍ୟ ହେବେ ନାହିଁ, ସେମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ । ତା’ପୂର୍ବରୁ ଅକୃତକାର୍ଯ୍ୟ ହୋଇଥିବା ପିଲାଙ୍କ ପାଇଁ ବିଦ୍ୟାଳୟ ପକ୍ଷରୁ ରେମେଡିଆଲ୍ ଟିଚିଂ ବ୍ୟବସ୍ଥା ହେବ ।

ସେପଟେ ଫେଲ ବ୍ୟବସ୍ଥାକୁ ନେଇ ଅନେକ ଶିକ୍ଷକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏତେ ବର୍ଷରୁ ଫେଲ ବ୍ୟବସ୍ଥା ବନ୍ଦ ଥିଲା । ଯଦି ସପ୍ଲିମେଣ୍ଟାରୀ ପରୀକ୍ଷାରେ ବି ଫେଲ ହେବେ ଛାତ୍ରଛାତ୍ରୀ, ସେମାନେ ମାନସିକ ଚାପରେ ରହିବେ । ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ନ ହେବାରୁ ଡ୍ରପଆଉଟ ବି ବଢିବ ।

ପରୀକ୍ଷା ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ସହ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ସ୍ତରୀୟ ଷ୍ଟିୟରିଂ କମିଟିରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ, ପ୍ରାଥମିକ, ଏସସି, ଏସଟି ଉନ୍ନୟନ ବିଭାଗ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି, ଟେକ୍ସଟ୍ବୁକ୍ ପ୍ରଡକ୍ସନ୍ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ, ଆରଆଇଇ ଭୁବନେଶ୍ଵରର ଅଧ୍ୟକ୍ଷ ଏହି କମିଟିର ସଦସ୍ୟ ରହିଛନ୍ତି । ଟିଇ ଆଣ୍ଡ୍ ଏସସିଇଆରଟି ନିର୍ଦ୍ଦେଶକ ସଦସ୍ୟ ଆବାହକ ଭାବେ ସ୍ଥାନ ପାଇଛନ୍ତି । ସେହିପରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ଏବଂ ବ୍ଲକସ୍ତରରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଫେଲ୍ ବ୍ୟବସ୍ଥାକୁ ନେଇ ଶିକ୍ଷକମାନଙ୍କ ଆବେଗକୁ ଦୃଷ୍ଟିରେ ରଖି ଷ୍ଟିୟରିଂ କମିଟି ସଫେଇ ଦେଇଛି ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଶିକ୍ଷାରେ ସଂସ୍କାର ପାଇଁ ପରୀକ୍ଷା ବ୍ୟବସ୍ଥାରେ ସଂଶୋଧନ କରୁଛି ।

କେବଳ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ହିଁ ଫେଲ୍ ବ୍ୟବସ୍ଥା କାହିଁକି ଲାଗୁ କରାଗଲା ? ଏ ପ୍ରଶ୍ନ ଏଥିପାଇଁ ସନ୍ଦେହ ଟାଣୁଛି । କାରଣ ଉତ୍ତୀର୍ଣ୍ଣ ନ ହୋଇ ପାରୁଥିବା ଛାତ୍ରଛାତ୍ରୀଙ୍କ ବୟସ ନିୟମ ଜାତୀୟ ଶିକ୍ଷା ନୀତିକୁ ପ୍ରଭାବିତ କରିପାରେ ।

ଓଡ଼ିଶାରେ ଆକ୍ରୋଶ ରାଜନୀତି ଆରମ୍ଭ: ବିକ୍ରମ ପଣ୍ଡାଙ୍କ ଗିରଫଦାରୀକୁ ବଡ଼ ଷଡଯନ୍ତ୍ର କହି ବିଜେପିକୁ ବିଜେଡିର ଟାର୍ଗେଟ, କଂଗ୍ରେସର ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ନେତାଙ୍କୁ ଗିରଫ କରାଯାଇଛି । ହତ୍ୟାକାଣ୍ଡ ପଛରେ ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ନେଇ କୌଣସି ଠୋସ ପ୍ରମାଣ ନାହିଁ । ତେଣୁ ଆକ୍ରୋଶମୂଳକ ରାଜନୀତି ପାଇଁ ତାଙ୍କୁ ଗରିଫ କରାଯାଇଛି । ବିରୋଧୀଙ୍କୁ ନିନ୍ଦିତ କରିବାକୁ ଶାସକ ଦଳର ଏକ ପ୍ରକାର ଗରିଫ ଷଡଯନ୍ତ୍ର ବିରୋଧରେ ବର୍ଷିଛନ୍ତି ବିଜେଡି ବିଧାୟକ ଓ ସାଂସଦ । କଂଗ୍ରେସ କହିଛି, ବିଜେପି ଥାନାକୁ ଦଳୀୟ କାର୍ଯ୍ୟାଳୟରେ ପରିଣତ କରିଛି ।

ଓଡିଶାରେ ବିଜେପି ଆରମ୍ଭ କରିଛି ଆକ୍ରୋଶମୂଳକ ରାଜନୀତି । ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀଙ୍କୁ ନିନ୍ଦିତ କରୁଛି ଶାସକ ଦଳ । ଅପରାଧୀକୁ ନଧରି ସରକାର ବିରୋଧୀ ନେତାଙ୍କୁ ଗିରଫ କରୁଛନ୍ତି । ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ପଛରେ ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ନେଇ କୌଣସି ଠୋସ ପ୍ରମାଣ ନାହିଁ । ହେଲେ ତାଙ୍କୁ ଗିରଫ କରାଯାଇଛି । ସରକାରଙ୍କ ଏପରି ଆଭିମୁଖ୍ୟକୁ ନେଇ ବର୍ଷିଛି ବିଜେଡି । ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ଶବ ଉପରେ କିଏ ରାଜନୀତି କରୁଛି ଲୋକେ ବିଚାର କରିବେ । ବିଜେଡି ଶସ୍ତା ରାଜନୀତି କରେ ନାହିଁ । ରାଜନୀତି ପାଇଁ ବିଜେଡି ନେତାଙ୍କୁ ବିଜେପି ସରକାର ଗିରଫ କରିଥିବାରୁ ଏହାର ପ୍ରତିବାଦ କରୁଛି ବିଜେଡି । ସାଂସଦ ସୁଲତା ଦେଓ କହିଛନ୍ତି, ନୂଆପଡା ଉପନିର୍ବାଚନରେ ବିଜେଡିର ଶୋଭାଯାତ୍ରା ଦେଖି ଛାନିଆ ହୋଇଯାଇଛି ବିଜେପି । ନିର୍ବାଚନ ଦାୟିତ୍ବରେ ବିକ୍ରମ ପଣ୍ଡା ଥିଲେ । ବିଜେପି ଭୟଭୀତ ହୋଇ ବିକ୍ରମଙ୍କୁ ଷଡଯନ୍ତ୍ର କରି ଗିରଫ କରିଛି । ବିଜେଡିକୁ ବଦନାମ କରିବାକୁ ଏପରି ଗିରଫଦାରୀ କରାଯାଇଛି । ଲୋକେ ବିଜେପିର ଏ ଚରିତ୍ରକୁ ଭାରତ ବର୍ଷରେ ଦେଖି ସାରିଛନ୍ତି । ବିନା କାରଣରେ ଦିଲ୍ଲୀର ଜଣେ ମନ୍ତ୍ରୀଙ୍କୁ ଗିରଫ କରିଥିଲେ । ୨ବର୍ଷ ଜେଲରେ ରହିବା ପରେ ସେ ବାହାରିଥିଲେ । ବିଜେପିର ଚିତ୍ର ଓ ଚରିତ୍ରକୁ ଦେଶବାସୀ ଜାଣିଛନ୍ତି । ଆକ୍ରୋଶ ମୂଳକ ରାଜନୀତିକୁ ବିଜେଡି ବିରୋଧ କରିବ ।

କେବଳ ବିଜେଡି ନେତା ନୁହନ୍ତି । କଂଗ୍ରେସ ମଧ୍ୟ ବିଜେପିର ଆକ୍ରୋଶ ରାଜନୀତିକୁ କଡା ସମାଲୋଚନା କରିଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଶୁଡି ପଡ଼ିଛି । ବିଜେପି ଶାସନକୁ ଆସିବା ପରେ ସବୁ ଥାନାକୁ ନିଜର ଦଳୀୟ କାର୍ଯ୍ୟଳୟରେ ପରିଣତ କରିଛି । ଥାନା ଅଧିକାରୀମାନେ ପୋଲିସର ବରିଷ୍ଠ ଅଧିକାରୀଙ୍କ କଥା ନୁହେଁ, ବିଜେପି ନେତାଙ୍କ କଥାରେ ଚାଲିଛନ୍ତି । ପୂର୍ବରୁ ଓଡ଼ିଶାରେ ଏମିତି କେବେ ଦେଖିବାକୁ ମିଳି ନଥିଲା । ଯାହା ବିଜେପି ଶାସନରେ ଘଟୁଛି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ଓଡ଼ିଶାରେ ବିଜେପି ଶାସନକୁ ଆସିଲା ପରେ ଆକ୍ରୋଶ ରାଜନୀତି ଆରମ୍ଭ କରିଛି । ଆକ୍ରୋଶ ରାଜନୀତିରେ ପୋଲିସ ଏକ ପକ୍ଷ ହୋଇଯାଇଛି । ପୋଲିସ ସରକାରୀ ଦଳର କଥାରେ ସତ୍ୟକୁ ଲୁଚାଉଛି । ଯାହାର ଜବାବରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ବିଜେପି ଆକ୍ରୋଶ ରାଜନୀତି କରୁନାହିଁ ।

ରାଜନୈତିକ ଷଡଯନ୍ତ୍ର ପାଇଁ ବିକ୍ରମ ପଣ୍ଡାଙ୍କୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରି ବିଜେପି ସରକାର ବିରୋଧରେ ଗଂଜାମରୁ ରାଜଧାନୀ ଯାଏଁ ଗର୍ଜନ କରିଛି ମୁଖ୍ୟ ବିରୋଧୀ ଦଳ ବିଜେଡି । ତେବେ କିଏ ସତ କହୁଛି ଆଉ କିଏ ମିଛ କହୁଛି ତାହା ଉପରେ ରହିଛି ନଜର ।