spot_img
Home Blog Page 279

ସଂଧ୍ୟା ନଇଁଲେ ଅନ୍ଧାରରେ ଡୁବୁଛି ଜୟପୁର… ବିପର୍ଯ୍ୟସ୍ତ ସହରର ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ : ଜୟପୁର ସହରରେ ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ । ପ୍ରାୟ ସମସ୍ତ ୱାର୍ଡ ଗୁଡିକରେ ପୁର୍ବରୁ ଲାଗିଥିବା ଲାଇଟ୍ ଗୁଡିକ ଖରାପ ହୋଇଗଲାଣି । ଏଥିପାଇଁ ଅନ୍ଧାରରେ ସାହି ବସ୍ତି । ଏନେଇ ଜୟପୁର ପୌରପରିଷଦରେ ଅଭିଯୋଗ କଲେ ସୁଦ୍ଧା କିଛି ସୁଫଳ ମିଳିପାରୁ ନଥିବା ଅଭିଯୋଗ ହୋଇଛି । ସେପଟେ ମରାମତି ପାଇଁ ଠିକା ସଂସ୍ଥାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ସେ ପଦକ୍ଷେପ ନେଉ ନଥିବା ସଫେଇ ଦେଇଛନ୍ତି ପୌର ଅଧିକାରୀ ।

ସଂଧ୍ୟା ହେଲେ ଅନ୍ଧାରେ ବୁଡୁଛି ଜୟପୁର । ଗଳିକନ୍ଦିରେ ଜଳୁନି ଷ୍ଟ୍ରିଟ୍ ଲାଇଟ । ବଢୁଛି ଅସମାଜିକଙ୍କ ଦୌରାତ୍ମ । ଠିକାଦାରର ମନମାନି, ବେଫିକର ପୌରପାଳିକା । ସହରର ପ୍ରାୟ ୨୮ ୱାର୍ଡରେ ଷ୍ଟ୍ରିଟ୍ ଲାଇଟ୍ ଖରାପ ହୋଇଯାଇଥିବା ଅଭିଯୋଗ ହୋଇଛି । ଯାହା ଅଞ୍ଚଳରେ ଅସାମାଜିକଙ୍କୁ ସୁହାଉଛି । ଏହାକୁ ମରାମତି କରିବା ସହ ରକ୍ଷଣାବେକ୍ଷଣ ପାଇଁ ସେଞ୍ଚୁରୀ ଏଲଇଡି ଲିମିଟେଡକୁ ଦାୟିତ୍ବ ଦିଆଯାଇଛି । ମାସିକ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସଂସ୍ଥାର ମନମାନି ଯୋଗୁଁ ଏବେ ସଂଧ୍ୟା ନଇଁଲେ ଅନ୍ଧାରରେ ବୁଡ଼ି ଯାଉଛି ପୂରା ସହର । ଅପରାଧ ବଢୁଥିବାରୁ ଏହାକୁ ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି ଲୋକେ ।

ଅଭିଯୋଗ ପରେ ଠିକା ସଂସ୍ଥାକୁ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୌରାଧ୍ୟକ୍ଷ । ତେବେ ବାରମ୍ବାର ଲିଖିତ ଚିଠି ପରେ ମଧ୍ୟ ଠିକା ସଂସ୍ଥା ପଦକ୍ଷେପ ନେଉ ନଥିବା ସେ ସଫେଇ ଦେଇଛନ୍ତି । ପୌରପାଳିକା ପକ୍ଷରୁ ବିଲ୍ ବନ୍ଦ କଲେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚାପ ପକାଯାଉଛି । ଆଗକୁ ଏ ନେଇ କାଉନସିଲ ବୈଠକରେ ଆଲୋଚନା କରି ବିଲ୍ ବନ୍ଦ କରାଯିବ ବୋଲି ସେ କହିଛନ୍ତି । ଜୟପୁର ପୌରପାଳିକାରେ ବଡ ଧରଣର ଲାଇଟ୍ ଦୁର୍ନିତି ଚାଲିଥିବାବେଳେ ଏହାର ଫଳ ଭୋଗୁଛନ୍ତି ସାଧାରଣ ଜନତା ।

ଅକ୍ଟୋବର ଆସିଲେ ଛାତିରେ ପଶେ ଛନକା : ମାଡ଼ିବସେ ବାତ୍ୟା ଭୟ

ନନ୍ଦିଘୋଷ ବ୍ୟୁରୋ : ଅକ୍ଟୋବର ଆସିଲେ ଛାତିରେ ପଶେ ଛନକା। ମାଡ଼ିବସେ ବାତ୍ୟା ଭୟ। ଜଳରୁ ସ୍ଥଳ ରଚେ ତାଣ୍ଡବ।  ଓଡିଶାକୁ ବଡ଼ ବଡ଼ ବାତ୍ୟା ଏହି ଅକ୍ଟୋବର ମାସରେ ହିଁ ଆସିଛି। ବାତ୍ୟା ଆସିଲେ ଏକମାତ୍ର ଭରସା ବାତ୍ୟା ଆଶ୍ରୟ ସ୍ଥଳୀ । ଚଳିତବର୍ଷ ଅନେକ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ କେବଳ ରଙ୍ଗ ମରାଯାଇ କାମ ସାରି ଦିଆଯାଇଛି। ବେଫିକର ପ୍ରଶାସନ। ପରିଚାଳନା ଗତ ତ୍ରୁଟି ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ।

ଆସୁଛି ବାତ୍ୟା ମୋନ୍ଥା। ସରକାର କହୁଛନ୍ତି ଉଦ୍ଧାରକାରୀ ଦଳଠାରୁ ସମସ୍ତେ ପ୍ରସ୍ତୁତ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। କିନ୍ତୁ ଅସ୍ତରଙ୍ଗ ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ନାହିଁ ପାଣି କିମ୍ବା କିଛି ଆନୁସଙ୍ଗିକ ବ୍ୟବସ୍ଥା। କେବଳ ରଙ୍ଗ ମାରି କାମ ସାରିଦେଇଛନ୍ତି ଏବର ବିଜେପି ସରକାର। ୧୯୯୯ ମହାବାତ୍ୟା। ୨୦୧୩ ଫାଇଲିନ । ୨୦୧୪ହୁଡହୁଡ । ୨୦୧୮ତିତଲି ଓ ୨୦୧୯  ଫନି ଭଳି ବାତ୍ୟା ଓଡ଼ିଶାକୁ ଦୋହଲାଇ ଦେଇଥିଲା । ପୂର୍ବ ସରକାର ସମୟରେ ଦୁର୍ବିପାକରେ ଜିରୋ କାଜୁଆଲଟି ଥିଲା ମହାମନ୍ତ୍ର। ସଜାଗ ଥିଲା ପ୍ରଶାସନ। ଏବେ କ୍ଷମତା ପରିବର୍ତ୍ତନ ପରେ଼ ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟ ସ୍ଥଳୀ। ରକ୍ଷଣା ବେକ୍ଷଣ ଅଭାବରୁ ପାଲଟିଛି ଭୂତକୋଠି । କେଉଁଠି ଭାଙ୍ଗିରୁଜି ଗଲାଣି ତ କେଉଁଠି ସରୀସୃପଙ୍କ ବାସସ୍ଥଳୀ ପାଲଟିଛି।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସମୁଦ୍ର ଠାରୁ ଅନତି ଦୂରରେ ଅବସ୍ଥିତ ଗାଁ ଗୁଡିକ । କୌଣସି ବିପର୍ଯ୍ୟୟ ଆସିଲେ ଏହି ଅସୁରକ୍ଷିତ ଜରାଜୀର୍ଣ୍ଣ ଆଶ୍ରୟସ୍ଥଳୀ ହିଁ ଏକମାତ୍ର ଭରସା । ମହାବାତ୍ୟା ପରେ ପୁରୀ ଜିଲ୍ଲା ଉପକୂଳବାସୀଙ୍କ ସୁରକ୍ଷା ପାଇଁ ୧୯ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିଲା । ଓସଡ଼ମା ଓ ରେଡକ୍ରସ ଦ୍ୱାରା ନିର୍ମିତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ପରିଚାଳନା ଅଭାବରୁ ଭାଙ୍ଗିରୁଜି ଗଲାଣି। । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ। ପୁଣି ଅକ୍ଟୋବର ମାସରେ ବାତ୍ୟା ଆସୁଥିବାରୁ ଏଥର ବାତ୍ୟା କେତେ କ୍ଷତି କରିବ ତାକୁ ନେଇ ଏବେଠୁ ଭୟ ଘାରିଲାଣି।

ଚଳଚଞ୍ଚଳ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ : ଅଣ୍ଡାଦେବା ପାଇଁ ବାଲିପଠାରେ ଜମିବ ଅଲିଭ ରିଡ଼ଲେଙ୍କ ଭିଡ

ନନ୍ଦିଘୋଷ ବ୍ୟୁରୋ : ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନରେ ଚଳଚଞ୍ଚଳ ଗହୀରମଥା। ଅଣ୍ଡାଦେବା ପାଇଁ ବାଲିପଠାରେ ଜମିବ ଅଲିଭ ରିଡ଼ଲେଙ୍କ ଭିଡ । ଗହୀରମଥା ବାଲୁକା ଶଯ୍ୟାରେ ସମୂହ ଅଣ୍ଡାଦାନ କରି ଫେରିଯିବେ ଅଲିଭ ରିଡ଼ଲେ । ଏହି ସମୟରେ ଗହୀରମଥା ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ ଟ୍ରଲର ଗୁଡିକ ଅବାଧରେ ଗହୀରମଥା ନିଷିଦ୍ଧାଞ୍ଚଳରେ ପ୍ରବେଶ କରନ୍ତି ।

ଚଳଚଞ୍ଚଳ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ । ଓଡ଼ିଶାର ଏକମାତ୍ର  ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା । ଯାହାକୁ ଅଣ୍ଡାଦାନର ସୁରକ୍ଷିତ ସ୍ଥାନ ମଣିଥାନ୍ତି ଅଲିଭ ରିଡଲେ । ବଂଶ ବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲ୍ ସମୁଦ୍ରର ନୀଳ ଜଳରାଶିକୁ ଅତିକ୍ରମ କରି ଆସିଥାନ୍ତି ଏମାନେ । ଏଥିପାଇଁ ନଭେମ୍ବର ୧ ରୁ ମେ ୩୧ ଯାଏଁ ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦ କିମି ଯାଏଁ କଟକଣା ଜାରି ହୋଇଥାଏ। ଯନ୍ତ୍ର ଚାଳିତ ଡଙ୍ଗା ଓ ମାଛ ମାରିବା ଉପରେ ସଂପୂର୍ଣ୍ଣ କଟକଣା  ଜାରି ହୋଇଥାଏ। କିନ୍ତୁ ନିୟମକୁ ଫୁ କରି ସୁରକ୍ଷା ବଳୟକୁ ଭେଦକରି ଗହୀରମଥା ନିଷିଦ୍ଧାଞ୍ଚଳରେ ପ୍ରବେଶ କରନ୍ତି ଶହ ଶହ ଟ୍ରଲର।  ମାଛ ମାରିବା ସହିତ ହଜାର ହଜାର କଇଁଛଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଅନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍ ।

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ  ୨୦୦୪ରେ ସୁପ୍ରିମକୋର୍ଟ ବନ ବିଭାଗ, କୋଷ୍ଟ ଗାର୍ଡ, ମେରାଇନ ପୋଲିସ ଓ ମତ୍ସ୍ୟ ବିଭାଗ ଉପରେ ସୁରକ୍ଷା ଦାୟିତ୍ବ ନ୍ୟସ୍ତ କରିଥିଲେ । ବନ ବିଭାଗକୁ ଗହୀରମଥାରେ ପାଟ୍ରୋଲିଂ ପାଇଁ ୩ଟି ହାଇ ସ୍ପିଡ ବୋଟ ଦିଆ ଯାଇଥିବା ବେଳେ ସବୁ ଅଚଳ ହୋଇ ପଡିଛି । ଏହି ସମୟରେ ଗହୀରମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ କଟକଣାକୁ ଖାତିର ନକରି ଟ୍ରଲର ପଶିଥାନ୍ତି । ଟ୍ରଲର ମାଡରେ ହଜାର ହଜାର କଇଁଛଙ୍କ ଜୀବନ ଯାଉଛି । ନଭେମ୍ବର ୧ ରୁ କଇଁଛମାନଙ୍କ ପ୍ରଜନନ ଆରମ୍ଭ ହେବାକୁ ଯାଉଥିବାବେଳେ କଇଁଛ ମାନଙ୍କୁ କିଭଳି  ସୁରକ୍ଷା ଦିଆଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

ଚାଷୀଙ୍କୁ କାଳସାଜିଲା ନିମ୍ନମାନର ଧାନ ବିହନ ; ବିହନ ପକାଇବାର ୯୦ ଦିନ ପରେ ବିଲରେ ହେଲାନାହିଁ ଧାନ

ନନ୍ଦିଘୋଷ ବ୍ୟୁରୋ : ଆଉ ଅଳ୍ପଦିନ ପରେ ହୋଇଥାନ୍ତା ଅମଳ ।  ହେଲେ ସବୁ ସାରିଦେଲା ନିମ୍ନମାନର ବିହନ। ଛଡାଇନେଲା ଚାଷୀଙ୍କ ବର୍ଷ ଯାକର ଆହାର। ଏକର ଏକର ବିଲରେ ଧାନ କେଣ୍ଡା ଫାଙ୍କା । ବିନା କୌଣସି ଜଳସେଚନ ବ୍ୟବସ୍ଥାରେ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରିଥାନ୍ତି ସ୍ଥାନୀୟ ଲୋକେ l କିନ୍ତୁ ଚଳିତବର୍ଷ ଧାନଚାଷ କରିଥିବା ଶତାଧିକ ଚାଷୀ ଏବେ ଚିନ୍ତାରେ l  ସରକାରୀ ବିହନ ନମିଳିବାରୁ ଧାର କରଜ କରି ଘରୋଇ ସଂସ୍ଥା ଠାରୁ  ବିହନ ଆଣି ବୁଣିଥିଲେ ଚାଷୀ। ୧୦ କିଲୋ ପିଛା ୮ଶହ ଟଙ୍କା ଦେଇ ଭୂଲକ୍ଷ୍ମୀ ସିଡସ କମ୍ପାନୀରୁ କଳାଚମ୍ପା ଧାନ ପାଇଁ ବିହନ ଆଣିଥିଲେ। ବିହନ ବୁଣିବାର  ୯୦ ଦିନରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଠିକରେ ହୋଇପାରିନି ଧାନ । ନିମ୍ନମାନର ବିହନ କାରଣରୁ ଅଧାରୁ ଅଧିକ କେଣ୍ଡାରେ ଧାନ ଫଳିନଥିବା ବେଳେ ଅଳ୍ପ କିଛି କେଣ୍ଡାରେ ଧାନ ହୋଇଛି l ଯାହାକୁ ନେଇ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଚାଷୀ।

ଚଳିତବର୍ଷ  ସୋସାଇଟିକୁ ଅଳ୍ପ ସରକାରୀ ବିହନ ଆସିଥିବା ବେଳେ ଅଧିକାଂଶ ଚାଷୀ ବିହନ ପାଇବାରୁ ବଞ୍ଚିତ ହୋଇଥିଲେ। ତେଣୁ ବାଧ୍ୟ ହୋଇ ବାହାରୁ ବିହନ କିଣିଥିଲେ । ସେପଟେ ୧୫୦ ଦିନ ମଧ୍ୟରେ ଅମଳ ହେବା ନେଇ କମ୍ପାନୀ ତରଫରୁ କୁହାଯାଇଥିବା ବେଳେ ବିହନ ବୁଣିବାର ୯୦ ଦିନ ବିତିଯାଇଥିଲେ ବି ଧାନ କେଣ୍ଡା ଫାଙ୍କା । ବର୍ଷସାରା ସଂଘର୍ଷ କରୁଥିବା ଚାଷୀ ଏବେ କରିବ କ’ଣ ? କିଭଳି ଶୁଝିବେ ଋଣ ? କିପରି ଚଳାଇବେ ପରିବାର ? ସେନେଇ ଚିନ୍ତାରେ ଚାଷୀ । ସରକାରୀ ସହାୟତା ନମିଳିଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ l  କେତେବେଳେ ଅଦିନିଆ ବର୍ଷା ତ କେତେବେଳେ ବନ୍ୟଜନ୍ତୁ ଉପଦ୍ରବ ଚାଷୀଙ୍କ ନିଦ ହଜାଇଥିବାବେଳେ ଏବେ ନିମ୍ନମାନର ବିହନ ଚିନ୍ତା ବଢ଼ାଇଛି । ସରକାର ଏ ଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

ଅଷ୍ଟ୍ରେଲିଆ ମହିଳା କ୍ରିକେଟରଙ୍କୁ ଦୁର୍ବ୍ୟବହାର : କାଫେକୁ ଯାଉଥିବାବେଳେ ଅଶାଳୀନ ବ୍ୟବହାର

ନନ୍ଦିଘୋଷ ବ୍ୟୁରୋ : ଇନ୍ଦୋରରେ ଲଜ୍ଜା। ୨ ମହିଳା ଅଷ୍ଟ୍ରେଲିଆ କ୍ରିକେଟରଙ୍କୁ ଅସଦାଚରଣ କରାଯାଇଛି। କାଫେକୁ ଯିବାବେଳେ ଜଣେ ବାଇକ ଆରୋହୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସିସିଟିଭିରେ ବାଇକ ଆରୋହୀ ଚିହ୍ନଟ ହୋଇଥିବାବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶ୍ବକପ ମ୍ୟାଚ ଖେଳିବାକୁ ଇନ୍ଦୋର ଆସିଛି ଅଷ୍ଟ୍ରେଲିଆ ଟିମ ।

ଆଇସିସି ମହିଳା ବିଶ୍ବ କପ ଚାଲିଥିବା ବେଳେ ଏପରି ଏକ ଘଟଣା ଦେଶକୁ ନିନ୍ଦିତ କରିଛି । ଗତ ଗୁରୁବାର ଅଭିଯୁକ୍ତ ବାଇକ ଆରୋହୀ ଜଣକ ଦୁଇ ମହିଳା କ୍ରିକେଟ ଖେଳାଳିଙ୍କୁ ପିଛା କରିବା ସହିତ ଅଟକାଇ ଦୁର୍ବ୍ୟବହାର କରିଥିଲେ ବୋଲି ପୋଲିସ ପ୍ରାଥମିକ ସୂଚନାରେ କହିଛି । ଅଭିଯୁକ୍ତ ବାଇକ ଆରୋହୀର ଜଣକ ହେଲା ଅକିଲ ଖାନ । ସହରର ଖଜରାନା ରୋଡ ଅଞ୍ଚଳରେ ଘଟଣା ଘଟିଛି । ଦୁଇ ମହିଳା କ୍ରିକେଟର ନିଜ ହୋଟେଲରୁ ବାହାରି ଏକ କାଫେକୁ ଯାଉଥିବାବେଳେ ଅକିଲ ଏପରି ଅଶାଳୀନ ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା ।

ସୂଚନା ଅନୁଯାୟୀ, ଘଟଣାଟି ଶୁକ୍ରବାର ରାତିରେ ଘଟିଥିଲା, ଯେତେବେଳେ ଦୁଇଜଣ ଅଷ୍ଟ୍ରେଲିଆ ମହିଳା ଖେଳାଳି ହୋଟେଲ ରାଡିସନ ବ୍ଲୁରୁ ନିକଟସ୍ଥ ଏକ କାଫେକୁ ଚାଲିଯାଉଥିଲେ। ଜଣେ ଯୁବକ ସେମାନଙ୍କ ପାଖକୁ ଅସଦାଚରଣ କରିଥିଲେ।

ଅଷ୍ଟ୍ରେଲିଆ ଖେଳାଳିମାନେ ତୁରନ୍ତ ଦଳର ସୁରକ୍ଷା ଅଧିକାରୀ ଡାନି ସିମନ୍ସଙ୍କୁ ଏକ SOS ସୂଚନା ପଠାଇଥିଲେ, ଯାହା ପରେ ସୁରକ୍ଷା ଦଳ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। MIG ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଆକିଲକୁ ଗିରଫ କରିଛି। CCTV ଫୁଟେଜ ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏହି ଘଟଣା ଇନ୍ଦୋର ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି, ବିଶେଷକରି ଯେତେବେଳେ ଅନ୍ତର୍ଜାତୀୟ ଖେଳାଳିମାନେ ସହରରେ ଉପସ୍ଥିତ ଥାଆନ୍ତି। ପୋଲିସ ତଦନ୍ତକୁ ଜୋରଦାର କରିଛି ଏବଂ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି।

ଚାଷୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି ଓୟୁଏଟି : ଭୟଭୀତ ନହେବାକୁ କହିବା ସହିତ ଜାରି କରିଛି ଟୋଲଫ୍ରି ନମ୍ବର

ନନ୍ଦିଘୋଷ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ଦେଖି ଚାଷୀଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି ଓୟୁଏଟି। ଭୟଭୀତ ନ ହେବାକୁ କହିବା ସହିତ ଜାରି କରିଛି ଟୋଲଫ୍ରି ନମ୍ବର। ପରାମର୍ଶ ପାଇଁ ୧୫୫୩୩୩ କୁ ଡାଏଲ କରି ପାରିବେ ଚାଷୀ। ଓୟୁଏଟି  ପକ୍ଷରୁ କୁହାଯାଇଛି, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୫ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରକୋପ ରହିବ। ୨୬ ତାରିଖ ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇପାରେ। ଫସଲ ସୁରକ୍ଷା ପାଇଁ କେତେକ ପଦକ୍ଷେପ ନେବାକୁ ଚାଷୀଙ୍କୁ କୁହାଯାଇଛି।  … ସଅଳ ଓ ମଧ୍ଯମ କିସମ ଧାନ କେଣ୍ଡାରେ ଶତକଡ଼ା ୮୫ ଭାଗ ପାଚିଯାଇଥିଲେ ତୁରନ୍ତ କାଟିନେଇ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ । ଅମଳ ସଅଳ କିସମ ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ପଲିଥିନ୍ ଘୋଡ଼ାଇ ସୁରକ୍ଷିତ କରି ଉଚ୍ଚ ଓ ନିରାପଦ ସ୍ଥାନରେ ରଖନ୍ତୁ । ମକା ଅମଳଯୁକ୍ତ ହୋଇଥିଲେ ଥିଲେ ସେଗୁଡ଼ିକୁ ଯଥାଶୀଘ୍ର ଅମଳ କରି ଦିଅନ୍ତୁ । ପାକଳ କଳ ଅବସ୍ଥାରେ ଥିବା ଖରିଫ୍ ଚିନାବାଦାମ, ମୁଗ ଓ ବିରିକୁ ଉପାଡ଼ି ନିରାପଦ ସ୍ଥାନକୁ ନେଇ ଆସନ୍ତୁ । ଆଖୁ ଫସଲରେ ଭେଳା ବାନ୍ଧନ୍ତୁ ।

ଧାନ ଜମିରୁ ବଳକା ପାଣି ବାହାରି ଯିବା ପାଇଁ କର ନାଳୀ କରନ୍ତୁ ଓ ନାଳୀ ମୁହଁ ଖୋଲା ରଖନ୍ତୁ । ପନିପରିବା ନର୍ସରୀରୁ ଅତ୍ୟଧିକ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ । ଫୁଲକୋବି, ବନ୍ଧାକୋବି ଇତ୍ୟାଦି ତୋଳିବା ଅବସ୍ଥାରେ ଥିଲେ ତୋଳି ଦିଅନ୍ତୁ । ରବି ଫସଲରେ ବର୍ତ୍ତମାନ ବୁଣାବୁଣି କାମ ବନ୍ଦ ରଖନ୍ତୁ । ବର୍ଷା ଛାଡ଼ିଗଲା ପରେ ବୁଣାବୁଣି କାମ କରନ୍ତୁ । ବର୍ଷା ଛାଡ଼ିଗଲା ପରେ ପଡ଼ିଯାଇଥିବା ପନିପରିବା ଗଛର ମୂଳକୁ ମାଟି ଦେଇ ଠିଆ କରାଇ ଦିଅନ୍ତୁ । ସଂପୂର୍ଣ୍ଣ ଭାବେ ପନିପରିବା ଫସଲ ନଷ୍ଟ ହୋଇଯାଇଥିଲେ ଜମିରେ ପାଗ ଆସିଲା ପରେ ପୁଣି ଜମି ପ୍ରସ୍ତୁତ କରି ସଅଳ କିସମ କୋବି ଜାତୀୟ ଫସଲ ଓ ଶୀତଦିନିଆ ଅନ୍ୟାନ୍ୟ ପନିପରିବା ଫସଲ ଲଗାଇବାର ବ୍ୟବସ୍ଥା ବସ୍ଥା କରନ୍ତୁ । ଫଳ ବଗିଚାରେ ଅତ୍ୟଧିକ ପାଣି ଜମି ରହିଲେ ତାହାକୁ ନିଷ୍କାସନର ବ୍ୟବସ୍ଥା କରନ୍ତୁ । ଉପକୂଳବର୍ତ୍ତୀ ଅଂଚଳରେ କଦଳୀ ଓ ଅମୃତଭଣ୍ଡା ବଗିଚାରେ ଗଛରେ ଢିରା ଦିଅନ୍ତୁ । ଗେଣ୍ଡୁ , ଗୋଲାପ ଆଦି ଫୁଲର ମାନ ବର୍ଷା ଯୋଗୁଁ ଖରାପ ହୋଇଯିବାର ସମ୍ଭାବନା ରହିଛି । ତେଣୁ ସେଗୁଡ଼ିକୁ ତୋଳି ଦିଅନ୍ତୁ। ପାଣି ଛାଡ଼ିଗଲା ପରେ ଧାନ, ପନିପରିବା ଓ ଡାଲିଜାତୀୟ ଫସଲରେ କେତେକ ରୋଗ ପୋକ ଲାଗିବାର ସମ୍ଭାବନା ରହିଛି । ତାର ମୁକାବିଲା ପାଇଁ କେତେକ ପରାମର୍ଶ ଦିଆଯାଇଛି।

ଖରସ୍ରୋତା ନଦୀରେ ପୁଣି କୁମ୍ଭୀର ଆତଙ୍କ , ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା

ନନ୍ଦିଘୋଷ ବ୍ୟୁରୋ : ଖରସ୍ରୋତା ନଦୀରେ ପୁଣି କୁମ୍ଭୀର ଆତଙ୍କ । ଯାଜପୁର ଜିଲ୍ଲା ବିଞ୍ଝାରପୁର ସ୍ଥିତ କଲ୍ୟାଣପୁର ନିକଟ ଖରସ୍ରୋତା ନଦୀରେ ଦେଖାଯାଇଛି କୁମ୍ଭୀର । ମାତ୍ରା ପନ୍ଦର ଦିନ ତଳେ କୁମ୍ଭୀର ପାଟିରେ ଯାଇଥିଲା ଜଣେ ମହିଳାଙ୍କ ଜୀବନ । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା । ଆଜି ସକାଳୁ କଲ୍ୟାଣପୁର ଅଂଚଳର କିଛି ଲୋକ ଶନିମନ୍ଦିର ନିକଟ ଖରସ୍ରୋତ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀରଟି ତାଙ୍କ ଅତି ନିକଟରେ ଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଅଂଚଳରେ କୁମ୍ଭୀର ବାରମ୍ବାର ଦେଖା ଯାଉଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି  । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଂଚଳବାସୀ । ନଦୀକୁଳିଆ ଅଂଚଳବାସୀମାନେ ସେମାନଙ୍କ ନିତ୍ୟକାର୍ଯ୍ୟ ପାଇଁ ନଦୀ ଉପରେ ସମ୍ପୂର୍ଣ ନିର୍ଭରଶୀଳ । ଯଥାଶୀଘ୍ର ବନବିଭାଗ ପକ୍ଷରୁ କୁମ୍ଭୀରଟିକୁ ଧରିବା ପାଇଁ ଲୋକମାନେ ଦାବି କରିଛନ୍ତି ।

 

ଆପଣଙ୍କ ଚେକ୍‌ ପେମେଣ୍ଟ ବିଳମ୍ବ ହେଉଛି କି ? RBI ଆଣିଲା ନୂଆ ନିୟମ ..

ନନ୍ଦିଘୋଷ ବ୍ୟୁରୋ : ଯଦି ଆପଣ ଏବେ  ବ୍ୟାଙ୍କରେ ଏକ ଚେକ୍ ଜମା କରିଛନ୍ତି ଏବଂ ପେମେଣ୍ଟ ବିଳମ୍ବ ହେଉଛି, ତେବେ ଭୟଭୀତ ହୁଅନ୍ତୁ ନାହିଁ। ଭାରତୀୟ ଜାତୀୟ ପେମେଣ୍ଟ କର୍ପୋରେସନ ( NPCI) ସ୍ୱୀକାର କରିଛି ଯେ ନୂତନ ଚେକ୍ କ୍ଲିୟରିଂ ସିଷ୍ଟମରେ ବର୍ତ୍ତମାନ କିଛି ସମସ୍ୟା ଦେଖାଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ( RBI) ଏହି ନୂତନ ସିଷ୍ଟମକୁ ଅକ୍ଟୋବର ୪ରେ କାର୍ଯ୍ୟକାରୀ କରିଥିଲା, ଯାହାର ଲକ୍ଷ୍ୟ ଥିଲା କିଛି  ଘଣ୍ଟା ମଧ୍ୟରେ ଚେକ୍ କ୍ଲିୟର କରିବା, ଯାହା ଦ୍ୱାରା ଲୋକମାନଙ୍କୁ ଦୁଇ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । କିନ୍ତୁ ପ୍ରାରମ୍ଭିକ କିଛି ସପ୍ତାହ ମଧ୍ୟରେ, କିଛି ବ୍ୟାଙ୍କର ସିଷ୍ଟମ ନୂତନ ପ୍ରକ୍ରିୟା ସହିତ ସମ୍ପୂର୍ଣ୍ଣ ଭାବରେ ଅଭ୍ୟସ୍ତ ହୋଇନଥିବାରୁ ଅନେକ ଗ୍ରାହକ ସମସ୍ୟାର ସମ୍ମୁଖୀନ ହେବାର ଦେଖାଦେଇଛି ।

ଗୋଟଏ ଚେକ୍ କ୍ଲିୟର ହେବା ପାଇଁ ଦୁଇ ଦିନର ସମୟ ଲାଗୁଥିଲା  ଅର୍ଥାତ୍ ଶୁକ୍ରବାର ଦିନ ଜମା ହୋଇଥିବା ଚେକ୍ ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା କ୍ଲିୟର ହୋଇଯାଉଥିଲା। ତଥାପି, ନୂତନ ବ୍ୟବସ୍ଥା ଅଧୀନରେ, NPCI ଏବଂ RBI ଏହି ନିୟମରେ ପରିବର୍ତ୍ତନ କରିଛନ୍ତି, ଏହି ନିୟମ ଅନୁଯାଇ ସେହି ଦିନ କିମ୍ବା କିଛି ଘଣ୍ଟା ମଧ୍ୟରେ ଚେକ୍ କ୍ଲିୟର  ହୋଇଯିବ । ଏହାର ଅର୍ଥ ହେଉଛି ଆପଣଙ୍କୁ କୌଣସି ପେମେଣ୍ଟ କିମ୍ବା ଜମା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। ତଥାପି, ଆଗାମୀ କିଛି ଦିନ ମଧ୍ୟରେ ସିଷ୍ଟମକୁ ସ୍ଥିର ହେବାକୁ ସମୟ ଲାଗିପାରେ ।

NPCI ରିପୋର୍ଟ କରିଛି ଯେ ଅକ୍ଟୋବର ୪ ତାରିଖ ଠାରୁ, ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ୨୫.୬ ନିୟୁତ ଚେକ୍, ମୋଟ ୩୦୧,୦୦୦ କୋଟିରୁ ଅଧିକ ଚେକ କ୍ଲିୟର କରାଯାଇଛି। NPCI ଏକ ବିବୃତ୍ତିରେ କହିଛି ଯେ ନୂତନ ବ୍ୟବସ୍ଥା ଅଧିକାଂଶ ବ୍ୟାଙ୍କରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି, କିନ୍ତୁ କିଛି ସ୍ଥାନରେ ସମସ୍ୟା ରହିଛି। ଏହି କାରଣରୁ କିଛି ଗ୍ରାହକଙ୍କ ଚେକ୍ ପେମେଣ୍ଟରେ ବିଳମ୍ବ ହେଉଛି। NPCI କହିଛି ଆମେ ଏହି ପ୍ରାରମ୍ଭିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ନିରନ୍ତର କାର୍ଯ୍ୟ କରୁଛୁ। ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଚେକ୍ ସମାନ ଦିନରେ କ୍ଲିୟର ହେବା ଏବଂ ଗ୍ରାହକମାନେ ତୁରନ୍ତ ସେମାନଙ୍କର ଦେୟ ପାଇବେ ।

ଏବେ ପେମେଣ୍ଟରେ ଆଉ ଅଧିକ ବିଳମ୍ବ ହେବ ନାହିଁ

NPCI ଗ୍ରାହକମାନଙ୍କୁ କ୍ଷମା ମାଗି କହିଛି , ” ପ୍ରାରମ୍ଭିକ ଦିନଗୁଡ଼ିକରେ କିଛି ଚେକ୍ କ୍ଲିୟର କରିବାରେ ବିଳମ୍ବ ପାଇଁ ଆମେ ଦୁଃଖିତ। ଏହା ପୁନରାବୃତ୍ତି ନହେବା ପାଇଁ ଆମେ କାମ କରୁଛୁ। ଯେଉଁ ଚେକ୍ ଗୁଡିକ ଠିକ ଥିବ ସେହି ଚେକ୍‌କୁ ତୁରନ୍ତ ଗ୍ରାହକଙ୍କ ଆକାଉଣ୍ଟରେ କ୍ରେଡିଟ୍ କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।”

ନିରନ୍ତର ଚେକ୍ କ୍ଲିୟରିଂ ସିଷ୍ଟମ୍ କ’ଣ?

RBI ର ନୂତନ ବ୍ୟବସ୍ଥା ଅନୁଯାୟୀ, ଚେକ୍ କ୍ଲିୟରିଂ ଆଉ ବ୍ୟାଚ୍ ସିଷ୍ଟମରେ ନୁହେଁ, ବରଂ ଏକ ନିରନ୍ତର ପ୍ରକ୍ରିୟାକରଣ ସିଷ୍ଟମରେ ହେବ। ପୂର୍ବରୁ ବ୍ୟାଙ୍କଗୁଡ଼ିକ ସକାଳେ କିମ୍ବା ସନ୍ଧ୍ୟା ବ୍ୟାଚ୍‌ରେ ଚେକ୍ ପ୍ରକ୍ରିୟାକରଣ କରୁଥିଲେ, ଯାହା ଫଳରେ ପେମେଣ୍ଟରେ ବିଳମ୍ବ ହେଉଥିଲା। ଏବେ, ଏହି ପ୍ରକ୍ରିୟା ଦିନସାରା ଜାରି ରହିଛି, ଯାହା ଦ୍ୱାରା ଗ୍ରାହକମାନେ କିଛି ଘଣ୍ଟା ମଧ୍ୟରେ କ୍ଲିୟରାନ୍ସ ପାଇପାରିବେ।

କେଉଁ ଗ୍ରାହକମାନେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି?

NPCI ଅନୁଯାୟୀ , ଯେଉଁ ବ୍ୟାଙ୍କଗୁଡ଼ିକର IT ଭିତ୍ତିଭୂମି କିମ୍ବା କୋର୍ ବ୍ୟାଙ୍କିଂ ସିଷ୍ଟମ୍ ସମ୍ପୂର୍ଣ୍ଣ ଭାବରେ ଅପଗ୍ରେଡ୍ ହୋଇନାହିଁ, ସେମାନେ ଡାଟା ବୈଧତାରେ ସାମାନ୍ୟ ବିଳମ୍ବର ସମ୍ମୁଖୀନ ହୋଇପାରନ୍ତି। ଏପରି ଗ୍ରାହକମାନେ ପେମେଣ୍ଟରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। NPCI ଏବଂ RBI ଉଭୟ ବ୍ୟାଙ୍କଗୁଡ଼ିକୁ ସିଷ୍ଟମକୁ ସ୍ଥିର କରିବା ଏବଂ ଗ୍ରାହକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି।

NPCI କ’ଣ ଏବଂ ଏହାର ଭୂମିକା କ’ଣ?

NPCI, ଭାରତୀୟ ଜାତୀୟ ପେମେଣ୍ଟ ନିଗମ, ଭାରତରେ ଖୁଚୁରା ପେମେଣ୍ଟ ଏବଂ ସମାଧାନ ପ୍ରଣାଳୀ ପରିଚାଳନା ପାଇଁ ଏକ ପ୍ରାଥମିକ ସଂଗଠନ । ଏହା RBI ଏବଂ ଭାରତୀୟ ବ୍ୟାଙ୍କ ସଂଘ ( IBA) ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହା UPI, RuPay, FASTag , NEFT, ଏବଂ IMPS ଭଳି ପେମେଣ୍ଟ ପ୍ରଣାଳୀ ମଧ୍ୟ ପରିଚାଳନା କରେ । RBI ବର୍ତ୍ତମାନ ଏହାକୁ ନୂତନ ଚେକ୍ କ୍ଲିୟରିଂ ଫ୍ରେମୱାର୍କର ତଦାରଖ କରିବାର ଦାୟିତ୍ୱ ଦେଇଛି ।

 

 

ମହାରାଷ୍ଟ୍ର ଡାକ୍ତର ଆତ୍ମହତ୍ୟା ବିବାଦ ; ମୃତ ମହିଳା ଡାକ୍ତରଙ୍କ ୪ପୃଷ୍ଠାର ସୁଇସାଇଡ ନୋଟ ଜବତ

ମହାରାଷ୍ଟ୍ର: ତେଜିବାରେ ଲାଗିଛି ମହାରାଷ୍ଟ୍ର ଡାକ୍ତର ଆତ୍ମହତ୍ୟା ବିବାଦ । ମହାରାଷ୍ଟ୍ର ସତାରାରେ ଆତ୍ମହତ୍ୟା କରିଥିବା ଡାକ୍ତର ଜଣେ ପୋଲିସ ଅଧିକାରୀଙ୍କୁ ଦୋଷ ଦେଇଛନ୍ତି  । ପୋଲିସ ଅଫିସରଜଣଙ୍କ ତାଙ୍କୁ ଚାରି ଥର ଦୁଷ୍କର୍ମ କରିଥିଲେ ବୋଲି ନିଜର ଚାରି ପୃଷ୍ଠା ସମ୍ବଳିତ ସୁଇସାଇଡ ନୋଟରେ ଦର୍ଶାଇଛନ୍ତି ଡାକ୍ତର । କେବଳ ଏତିକି ନୁହେଁ, ପୋଲିସ ମାମଲା ଥିବା ଅଭିଯୁକ୍ତଙ୍କ ଲାଗି ଫେକ୍ ଫିଟନେସ ସାର୍ଟିଫିକେଟ ଦେବା ଲାଗି ତାଙ୍କୁ ବାଧ୍ୟ କରୁଥିଲେ ସବଇନ୍ସପେକ୍ଟର ଗୋପାଳ ବଦନେ  । ଏହା ନକରିବାକୁ ତାଙ୍କୁ ନିର୍ଯାତନା ଦିଆଯାଇଥିଲା ବୋଲି ସେ ଦର୍ଶାଇଛନ୍ତି  । କେବଳ ପୋଲିସ ନୁହଁନ୍ତି ଏଥିଲାଗି ଜଣେ ସାଂସଦ ଓ ତାଙ୍କର ଦୁଇ ସହଯୋଗୀ ବି ଚାପ ସୃଷ୍ଟି କରୁଥିଲେ ବୋଲି ସେ ଦର୍ଶାଇଛନ୍ତି  ।

ସତାରାର ଫଲଟାନ ଉପଜିଲ୍ଲା ହସ୍ପିଟାଲରେ ଡାକ୍ତର ଥିବା ୨୬ ବର୍ଷ ବୟସ୍କା ମେଡିକାଲ ଅଫିସରଙ୍କୁ ନେଇ ମହାରାଷ୍ଟ୍ରରେ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି  । ପ୍ରାୟ ପାଞ୍ଚ ମାସ ଧରି ପୋଲିସ ବାବୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ ବୋଲି ସେ ଅଭିଯୋଗ କରିଥିଲେ  । ମହିଳା ଡାକ୍ତରଙ୍କୁ ବାରମ୍ବାର ଚାପ ଯୋଗୁ ସେ ଏସପି ଓ ଡିଏସପିଙ୍କ ନିକଟକୁ ପତ୍ର ଲେଖିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା ବୋଲି କହିଛନ୍ତି ଡାକ୍ତରଙ୍କ ସମ୍ପର୍କୀୟ ଭଉଣୀ  । ଅନ୍ୟଜଣେ ଅଧିକାରୀ ପ୍ରଶାନ୍ତ ବାଙ୍କର ବି ତାଙ୍କୁ ହଇରାଣ କରୁଥିଲେ ବୋଲି ସେ ଅଭିଯୋଗ କରିଥିଲେ  । ଏହି ଘଟଣାରେ ଗୋପାଳ ଓ ବାଙ୍କରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି  । ଘଟଣାର ତଦନ୍ତ କରୁଛନ୍ତି କୋହ୍ଲାପୁର ଡିଭିଜନ ଆଇଜିପି ସୁନୀଲ ଫୁଲାରି  ।

ଏହି ସ୍ପର୍ଶକାତର ଘଟଣାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ  । ଗତ ୨୧ ତାରିଖ ମଙ୍ଗଳବାର ରାତିରେ ଡାକ୍ତରଙ୍କ ମରଶରୀର ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା  । ନିଜର ପାପୁଲିରେ ବି ଅଭିଯୁକ୍ତ ଡାକ୍ତରଙ୍କ ନାମ ଲେଖିବା ସହ ଆତ୍ମହତ୍ୟା ଲାଗି ସେ ଦାୟୀ ବୋଲି ଡାକ୍ତର ଲେଖିଥିଲେ  । ଡାକ୍ତରଙ୍କ ଘର ବିଡ୍ ଜିଲ୍ଲାରେ  । ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମହିଳା କମିଶନ ଅଧ୍ୟକ୍ଷା ରୂପାଲି ଚକନକାର  ।

ମାଡ଼ିଆସୁଛି ବାତ୍ୟା ’ମୋନ୍ଥା’ ; ଧୀରେ ଧୀରେ ହେଉଛି ଶକ୍ତିଶାଳୀ

ଭୁବନେଶ୍ବର : ବଙ୍ଗୋପସାଗରର ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି । ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ଏହା ଆଣ୍ଡାମାନ ନିକୋବରରୁ ୪୨୦ କିଲୋମିଟର, ବିଶାଖାପାଟଣାରୁ ୯୯୦ କିଲୋମିଟର ଓ ଚେନ୍ନାଇରୁ ୯୯୦ କିଲୋମିଟର ଓ ଗୋପାଳପୁରରୁ ୧୦୪୦ କିଲୋମିଟର ଦୂରରେ ରହିଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ୨୭ ତାରିଖ ସକାଳ ସୁଦ୍ଧା ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି। ଏହା ପରବର୍ତ୍ତୀ 48 ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗକୁ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରିବ ବୋଲି କୁହାଯାଇଛି । ଏହି ସମ୍ଭାବ୍ୟ ବାତ୍ୟା ପାଇଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ । ପ୍ରବଳ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି । ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ଏଥିପାଇଁ ବିଭିନ୍ନ ଜିଲାକୁ ଆଲର୍ଟ କରାଯାଇଛି ।

ଆଜିଠୁ ପାଗ ବଦଳୁ ଥିବା ବେଳେ ୨୭ରୁ ୨୯ ତାରିଖ, ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ । ୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ବି ଦିଆ ଯାଇଛି ସମାନ ଚେତାବନୀ ।
ସେହିପରି ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ବି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତର ଚେତାବନୀ ଦିଆଯାଇଛି। ଝଡ଼ତୋଫୋନ ସହ ଏହି ସମୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ । ୩୦ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ । ସେପଟେ କାଲିଠୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।