spot_img
Home Blog Page 2710

ରାଜଧାନୀରୁ ସିବିଆଇ ଅଧିକାରୀ କହି ୨ କୋଟି ଲୁଟ ମାମଲା , ଅନ୍ୟ ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରୁ ସିବିଆଇ ଅଧିକାରୀ କହି ୨ କୋଟି ଲୁଟ ମାମଲା । ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା କରୁଛି ପୋଲିସ । ୧ କୋଟି ୨ ଲକ୍ଷ ଉଦ୍ଧାର କରିବା ସହ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗତ ରବିବାର ନନ୍ଦନବିହାର ଘଟଣାର ପର୍ଦ୍ଦାଫାସ କରିଥିଲା ପୋଲିସ ।

ଅଗଷ୍ଟ ୨ ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ଘରେ ପଶିଥିଲେ ଲୁଟେରା । ମାଲିକ ନିବାରଣ ପାଣିଙ୍କୁ ସିବିଆଇ ଅଧିକାରୀ ପରିଚୟ ଦେଇ ଲୁଟିଥିଲେ । ମାଷ୍ଟରମାଇଣ୍ଡ ସାଜିଥିଲା ନିବାରଣଙ୍କ ସମ୍ପର୍କୀୟଙ୍କ ଡ୍ରାଇଭର । ତେବେ ନିବାରଣ ୨ କୋଟି ଟଙ୍କା ନଗଦ କେଉଁଠୁ ଆଣିଲେ , ଖୁବଶୀଘ୍ର ଏ ନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ । ସେପଟେ ଅଭିଯୁକ୍ତଙ୍କ ଝାରପଡା ଜେଲରେ ହେବ ଟିଆଇ ପରେଡ଼ ।

ସମୁଦ୍ର ମଧ୍ୟରେ ଶକ୍ତିଶାଳୀ ଭୂକମ୍ପ, ଥରିଲା ଇଣ୍ଡୋନେସିଆର ବାଲି ଓ ଲମ୍ବୋକ

ଜାକର୍ତ୍ତା: ସମୁଦ୍ର ଭିତରେ ଶକ୍ତିଶାଳୀ ଭୂକମ୍ପ, ଥରିଲା ଇଣ୍ଡୋନେସିଆ । ଶକ୍ତିଶାଳୀ ଭୂକମ୍ପ ସମୁଦ୍ର ଭିତରେ ହୋଇଛି ତଥାପି ସମୁଦ୍ର ପାଖାପାଖି ଅଞ୍ଚଳରେ ରହୁଥିବା ଲୋକେ ଭୟଭୀତ ହୋଇ ବିଲ୍ଡିଂରୁ ବାହାରକୁ ଚାଲି ଆସିଥିଲେ । ଇଣ୍ଡୋନେସିଆର ବାଲି ଏବଂ ଲମ୍ବୋକ୍ ଦ୍ୱୀପପୁଞ୍ଜର ଉତ୍ତରରେ ଥିବା ସମୁଦ୍ରରେ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଆଜି ଭୋର ୪ଟା ସମୟରେ ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୦ ଥିଲା।

ଭୂକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର ମାତାରାମଠାରୁ ୨୦୩ କିଲୋମିଟର ଦୂରରେ ହୋଇଥିବା ଜଣାପଡ଼ିଛି। ସମୁଦ୍ର ପତ୍ତନଠୁ ପ୍ରାୟ ୫୧୮ କିମି ଗଭୀରରେ ଭୂକମ୍ପ ହୋଇଥିବାରୁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନି। ସେହିପରି ଭୂକମ୍ପ ଯୋଗୁ ସୁନାମିର ଆଶଙ୍କା ନଥିବା ଇଣ୍ଡୋନେସିଆର ଭୂତତ୍ତ୍ୱ ବିଭାଗ ସ୍ପଷ୍ଟ କରିଛି।

ଗତ ବର୍ଷ ନଭେମ୍ବରରେ ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରାନ୍ତରେ ଭୂକମ୍ପ ସୃଷ୍ଟି ହୋଇଥିବା ବେଳେ ଏଥିରେ ୩ଶହ ଲୋକଙ୍କ ଜୀବନ ଚାଲି ଯାଇଥିଲା। ସେତେବେଳେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ଥିଲା। ଗତ ୨୦୦୫ ମସିହା ମାର୍ଚ୍ଚ ୨୮ ତାରିଖରେ ୮.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା, ଯେଉଁଥିରେ ୧୩ଶହରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଥିଲା । ତାହା ପୃଥିବୀର ସବୁଠୁ ଭୟଙ୍କର ଭୂକମ୍ପ ମଧ୍ୟରୁ ଚତୁର୍ଥ ଥିଲା।

ଉପାସରେ ଦେବ ଦେବ ମହାଦେବ, କାଲି ସନ୍ଧ୍ୟାରୁ ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ

ଭୁବନେଶ୍ୱର :  କାଲିଠୁ ଉପାସରେ ଦେବଦେବ ମହାଦେବ । କାଲି ସନ୍ଧ୍ୟାରୁ ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି । ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି । ଗତକାଲି ସୋମବାର ସନ୍ଧ୍ୟା ଧୂପ ପରଠାରୁ ନୀତି ବନ୍ଦ ରହିବା ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଉପାସରେ ଅଛନ୍ତି ।

ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବା ନେଇ ପୂଜାପଣ୍ଡା ଏବଂ ବଡ଼ୁ ନିଯୋଗ ସେବାୟତଙ୍କ ଭିତରେ ଟଣାଓଟରା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି । ସେପଟେ ବର୍ଷକୁ ଅନେକ ଥର ଏମିତି ସମସ୍ୟା ବାରମ୍ବାର ଉପୁଜୁଥିବା ବେଳେ ପ୍ରଶାସନ ନିରବ ରହି ଆସିଛି । ପ୍ରଶାସନର ଅବହେଳା ପାଇଁ ଏହି ସମସ୍ୟା ଉପୁଜୁଥିବା ଅନେକ କହିଛନ୍ତି । ୨୦୨୦ ମସିହାରୁ ଲାଗି ରହିଛି ବିବାଦ ।

୨୪ ଘଣ୍ଟାରେ ପୂରଣ ହେଲା 5Tସଚିବଙ୍କ ପ୍ରତିଶ୍ରୁତି, ଦୁଇ ଶଯ୍ୟାଶାୟୀ ରୋଗୀଙ୍କୁ ମିଳିଲା ସହାୟତା

ଗଞ୍ଜାମ : 5T ସଚିବଙ୍କୁ ସମସ୍ୟା ଜଣାଇବାର ୨୪ ଘଣ୍ଟାରେ ପୂରଣ ହେଲା ପ୍ରତିଶ୍ରୁତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଦୁଇ ଶଯ୍ୟାଶାୟୀ ରୋଗୀଙ୍କୁ ମିଳିଲା ସହାୟତା । ଆଡ଼ପଡା ପଞ୍ଚାୟତ ମୋହିଗୁଡା ଗାଁ ସୁଦର୍ଶନ ଲେଙ୍କା ଏବଂ ଦୟାନିଧିପୁର ପଞ୍ଚାୟତ ନିସ୍ତିପୁର ଗାଁର ବଳରାମ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।

ଗତ ରବିବାର 5T ସଚିବ ସାନଖେମୁଣ୍ଡି ଗସ୍ତ କରି ଜନଅଭିଯୋଗର ଶୁଣାଣି କରିଥିଲେ । ଲୋକଙ୍କଠାରୁ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଅଭିଯୋଗପତ୍ର ଗ୍ରହଣ କରିଥିଲେ । ଏହି ସମୟରେ ସୁଦର୍ଶନ ଓ ବଳରାମଙ୍କ ସମସ୍ୟାରେ ସମ୍ପର୍କରେ ଅଭିଯୋଗ ଗ୍ରହଣ କରିଥିଲେ । ଉଭୟ ଦୀର୍ଘଦିନ ଧରି ରୋଗରେ ପୀଡିତ ରହି ଶଯ୍ୟାଶାୟୀ ହୋଇଥିବାବେଳେ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।

5T ସଚିବ ଅଭିଯୋଗ ଗ୍ରହଣ କରି ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାର ୨୪ ଘଣ୍ଟା ଭିତରେ ସହାୟତା ଯୋଗାଇ ଦିଆଯାଇଛି । ସାନଖେମୁଣ୍ଡି ବିଡିଓ ଓ ତହସିଲଦାର ଉଭୟଙ୍କ ଘରେ ପହଞ୍ଚି ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇଦେଇଛନ୍ତି । ଏଥିପାଇଁ ଉଭୟ 5T ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପୁଣି ଶ୍ରୀଲଙ୍କା ସରକାରଙ୍କ ମନମାନି, ଚୀନର ରିସର୍ଚ୍ଚ ସିପ୍ ଶି-ୟାନ-୬କୁ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ :  ଭାରତର ଉଦବେଗ ସତ୍ତ୍ବେ ଚୀନର ଏକ ରିସର୍ଚ୍ଚ ସିପକୁ ମୁତୟନ ଲାଗି ଅନୁମତି ଦେଇଛନ୍ତି ଶ୍ରୀଲଙ୍କା ସରକାର । ଆସନ୍ତା ଅକ୍ଟୋବରରେ ଚୀନର ରିସର୍ଚ୍ଚ ଜାହାଜ ଶି ୟାନ ୬କୁ ମୁତୟନ ଲାଗି ଶ୍ରୀଲଙ୍କା ସରକାର ଅନୁମତି ଦେଇଥିବା ସୂଚନା ମିଳିଛି । ଏହି ଜାହାଜ ଆସନ୍ତା ଅକ୍ଟୋବରରେ କଲମ୍ବୋ ବନ୍ଦରରେ ଲାଗିବ ବୋଲି କୁହାଯାଇଛି ।

ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରାଳୟର ମିଡିଆ ନିର୍ଦ୍ଦେଶକ କର୍ଣ୍ଣେଲ ନଳିନ ହେରାଥ କହିଛନ୍ତି- ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରାଳୟ ଓ ଜାତୀୟ ଜଳ ସମ୍ପଦ ଗବେଷଣା ଓ ବିକାଶ ସଂସ୍ଥା ବି ଏନଏଆରଏର ଅନୁରୋଧ କ୍ରମେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।ଚୀନର ଏହି ଜାହାଜ ଜରିଆରେ ଏନଏଆରଏ ପକ୍ଷରୁ କେତେକ ଗବେଷଣା କରାଯିବ ବୋଲି ସୂଚନା ମିଳିଛି । ଶି ୟାନ ୬ ଏପରି ଏକ ଜାହାଜ ଯାହା ସାମୁଦ୍ରିକ ଗବେଷଣା, ସାମୁଦ୍ରିକ ପରିବେଶ ଓ ସାମୁଦ୍ରିକ ଭତତ୍ତ୍ବ ଗବେଷଣା କାର୍ଯ୍ୟରେ ନିୟୋଜିତ ରହିଛି । ଗତବର୍ଷ ବି ଭାରତର ବିରୋଧ ସତ୍ତ୍ବେ ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ମୁତୟନ ହୋଇଥିଲା ଚୀନର ଗବେଷଣାଧର୍ମୀ ଜାହାଜ ୟୁଆନ ଓ୍ବାଙ୍ଗ ୫ ।

ଆଜି ଜାତୀୟ କ୍ରୀଡା ଦିବସ ,କ୍ରୀଡା ବିକାଶକୁ ବିଶେଷ ଗୁରୁତ୍ବ ଦେଉଛନ୍ତି ଓଡ଼ିଶା ସରକାର

ଭୁବନେଶ୍ୱର : ଆଜି ଜାତୀୟ କ୍ରୀଡା ଦିବସ । ଇତିହାସରେ ସର୍ବଶ୍ରେଷ୍ଠ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡା ଦିବସ ରୁପେ ପାଳନ କରାଯାଉଛି । ଭାରତୀୟ ତଥା ବିଶ୍ବ ହକିରେ ଧ୍ୟାନଚାନ୍ଦ ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ବ । ତାଙ୍କ ବଳିଷ୍ଠ ଖେଳ ବଳରେ ୧୯୨୮,୧୯୩୨ ଏବଂ ୧୯୩୬ ମସିହାରେ ତିନୋଟି ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲା ଭାରତୀୟ ହକି ଟିମ୍ । ଧ୍ୟା ଚାନ୍ଦ ଆହ୍ଲାବାଦରେ ୨୯ ଅଗଷ୍ଟ ୧୯୦୫ ରେ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୫୬ ମସିହା ଅଗଷ୍ଟ ୨୯ ତାରିଖରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ଏକମାତ୍ର ଖେଳାଳି ଭାବେ ତାଙ୍କ ସମ୍ମାନର୍ଥେ ସ୍ମରଣୀୟ ଡାକ ଷ୍ଟାମ୍ପ ଓ କଭର୍ ଜାରି ହୋଇଛି ।

ଓଡ଼ିଶା ସରକାର କ୍ରୀଡ଼ାକୁ ବିଶେଷଭାବେ ଗୁରୁତ୍ବ ଦେଉଛନ୍ତି । କ୍ରୀଡ଼ା ରୂପାନ୍ତରଣରେ ଓଡ଼ିଶାର ପଦକ୍ଷେପକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଏବେ ଦେଶର ସ୍ପୋର୍ଟ୍ସ ହବ୍ ପାଲଟିଛି ଓଡ଼ିଶା । ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବକପ ଆୟୋଜନ ସମସ୍ତଙ୍କର ପ୍ରଶଂସା ସାଉଁଟିଥିଲା ଓଡ଼ିଶା । ୨୦୩୩ ପର୍ଯ୍ୟନ୍ତ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିଛି ଓଡ଼ିଶା । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ରାଜ୍ୟ ପାଇଁ ଗୌରବ ଆଣିଛି । କେବଳ ହକି ନୁହେଁ, ଫୁଟବଲ, ଟେନିସ, ସନ୍ତରଣ, ଜିମ୍ନାସିୟମ୍ ପରି ଅନ୍ତରାଷ୍ଟ୍ରୀୟ ସ୍ତରର କ୍ରୀଡ଼ା ପାଇଁ ଓଡ଼ିଶା ସ୍ପୋର୍ଟ୍ସ ହବ ଭାବେ ପରିଗଣିତ ହେଉଛି ।

ଅସ୍ଥିରତା ଓ ହିଂସା ଭିତରେ ଆଜି ବସିବ ମଣିପୁର ବିଧାନସଭା ଅଧିବେଶନ

ନୂଆଦିଲ୍ଲୀ :  ଅସ୍ଥିରତା ଓ ହିଂସା ଭିତରେ ଆଜି ବସିବ ମଣିପୁର ବିଧାନସଭା ଅଧିବେଶନ । ସେପଟେ ଅଧିବେଶନକୁ ବିରୋଧ କରିଛି ଆଦିବାସୀ ଏକତା କମିଟି ଓ ସ୍ବଦେଶୀ ଆଦିବାସୀ ନେତା ଫୋରମ ବା ଆଇଟିଏଲଏଫ । ଦୁଇ ସଂଗଠନ ପକ୍ଷରୁ କୁହାଯାଇଛି ଏହି ଅଧିବେଶନରେ କୁକି ଓ ଜୋ ସମ୍ପ୍ରଦାୟର ବିଧାୟକ ଯୋଗଦେବା ଲାଗି ପରିସ୍ଥିତି ଅନୁକୂଳ ହୋଇନାହିଁ ।

ଦୁଇ ସଂଗଠନ ପକ୍ଷରୁ କୁହାଯାଇଛି,ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡିପଡିଛି । ସାଧାରଣ ଜନତାଙ୍କ ଜୀବନର ସୁରକ୍ଷା ଦିଗରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଗତ ମେ ମାସଠାରୁ ଜାରି ହିଂସାରେ ରାଜ୍ୟରେ ଶତାଧିକ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ୨ ହଜାରରୁ ଅଧିକ ଘରକୁ ପୋଡିଦିଆଯାଇଛି । ଏପରିକି ମନ୍ତ୍ରୀ ଓ ବିଧାୟକଙ୍କ ସମ୍ପତ୍ତି ବି ସୁରକ୍ଷିତ ରହିପାରିନାହିଁ । ଏହି ହିଂସା ଲାଗି ରାଜ୍ୟ ସରକାର ଦାୟୀ ଏବଂ ନୈତିକତା ଦୃଷ୍ଟିରୁ ସରକାର ଇସ୍ତଫା ଦିଅନ୍ତୁ । ରାଜ୍ୟ କ୍ୟାବିନେଟର ସୁପାରିସ ଅନୁସାରେ ଅଗଷ୍ଟ ୨୯ରେ ବିଧାନସଭା ବସିବା ଲାଗି ରାଜ୍ୟପାଳ ଅନସୂୟା ଉକେ ସମନ ଜାରି କରିଥିଲେ ।

ଗଣେଶ ପୂଜାରେ ଜିଓ ଏୟାରଫାଇବରର ଶୁଭାରମ୍ଭ କରିବ ରିଲାଏନ୍ସ ଜିଓ

ଭୁବନେଶ୍ୱର: ଜିଓ ଏୟାରଫାଇବର୍ ପାଇଁ ପ୍ରତୀକ୍ଷାର ଅନ୍ତ ଘଟିଛି । ସେପ୍ଟମ୍ବର ୧୯ ଗଣେଶ ପୂଜାରେ ଏହାର ଶୁଭାରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି । କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ସେ ଏହି ଘୋଷଣା କରିଛନ୍ତି । ୫ଜି ନେଟ୍‌ୱର୍କ ଓ ଉନ୍ନତ ଓୟାରଲେସ୍ ପ୍ରଯୁକ୍ତିକୁ ବ୍ୟବହାର କରି ଜିଓ ଏୟାର ଫାଇବର୍ ଘରେ ଓ କାର୍ଯ୍ୟାଳୟରେ ଓୟାରଲେସ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରିବ । ଜିଓ ଏୟାର ଫାଇବର ଶୁଭାରମ୍ଭ ପରେ ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଶା କରାଯାଉଛି ।

ଏହି ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ, “ଏକ କୋଟିରୁ ଅଧିକ ପରିସର ଆମ ଅପ୍ଟିକାଲ୍ ଫାଇବର ସେବା ଜିଓଫାଇବର ସହ ଯୋଡ଼ିହୋଇଛନ୍ତି । ଏବେବି ଏଭଳି ଏକ ଲକ୍ଷ ପରିସର ରହଛି ଯେଉଁଠାରେ ଓୟାର ଲାଇନ ସଂଯୋଗ ପ୍ରଦାନ କରିବା କଷ୍ଟକର ବ୍ୟାପାର ହୋଇରହିଛି । ଜିଓ ଏୟାର ଫାଇବର ସେହି କଷ୍ଟକୁ ସହଜ କରିବ । ଏହା ଜରିଆରେ ଆମେ ୨୦ କୋଟି ଘର ଓ ପରିସରରେ ପହଂଚିବା ଲାଗି ଆଶା କରୁଛୁ । ଜିଓ ଏୟାର ଫାଇବର ଆସିବା ପରେ ପ୍ରତିଦିନ ଜିଓ ୧.୫ ଲକ୍ଷ ନୂଆ ଗ୍ରାହକ ଯୋଡ଼ିପାରିବ ।’’

୨୬୨ ସହକାରୀ ପ୍ରଧ୍ୟାପକ ଓ ୮୮ ସହାୟକ କନିଷ୍ଠ କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୁଣାତ୍ମକ ଉଚ୍ଚ ଶିକ୍ଷା ପାଇଁ ଓଡ଼ିଶା ସାଜିବ ରୋଲ ମଡେଲେ । ରାଜ୍ୟରେ ନିଯୁକ୍ତି ପାଇଲେ ୨୬୨ ସହକାରୀ ପ୍ରଫେସର, ୮୮ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ । ଲୋକସେବା ଭବନର କନବେନସନ ହଲରେ ଅନୁଷ୍ଠିତ ନିଯୁକ୍ତ ପର୍ବରେ ସାମିଲ ହୋଇ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିଯୁକ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉଚ୍ଚ ଶିକ୍ଷା ପାଇଁ ବଡ ଚ୍ୟାଲେଞ୍ଚ ପାଲଟିଛି ଚାକିରି କିମ୍ବା ଆତ୍ମନିର୍ଭରଶୀଳ କରିବା । ଏଥିରେ ଶିକ୍ଷକ ଓ ପ୍ରାଧ୍ୟପକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ।

ଗୁଣାତ୍ମକ ଶିକ୍ଷାଦାନ ବ୍ୟତୀତ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରିବା, ସକାରାତ୍ମକତା ସହିତ ପ୍ରେରଣା ଦେବା ଏବଂ ସେମାନଙ୍କ ଜୀବନରେ ଏକ ଉଦ୍ଦେଶ୍ୟର ଭାବନା ସୃଷ୍ଟି କରିବା ସମସ୍ତ ଶିକ୍ଷକ ଓ ପ୍ରାଧ୍ୟପକଙ୍କ ଦାୟିତ୍ବ । ଏହି ଦାୟିତ୍ବ ସମସ୍ତେ ଲିଭାଇବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ନୀତି ଆପଣାଇ ରାଜ୍ୟ ପରିବର୍ତ୍ତନରେ ସହଯୋଗ କରିବାକୁ ଅପିଲ କରିଛନ୍ତି । ସେ ଆଗକୁ କହିଛନ୍ତି, ବର୍ତ୍ତମାନ ସମୟରେ ପ୍ରମୁଖ ଆହ୍ୱାନ ହେଉଛି ପିଲାମାନଙ୍କୁ ଚାକିରି ଦେବା । ଆତ୍ମବିଶ୍ୱାସ ସହ ନିଜ ଅନୁଷ୍ଠାନରୁ ବାହାରକୁ ଆସନ୍ତୁ ଛାତ୍ରଛାତ୍ରୀ ।

ଆତ୍ମବିଶ୍ୱୀସୀ ହୋଇ ନିଜର ତଥା ସମାଜ ପାଇଁ କିଛି କରିବାକୁ ଅପିଲ । ପିଲାଙ୍କୁ ଆତ୍ମବିଶ୍ୱାସୀ କରାଇବାରେ ଶିକ୍ଷକଙ୍କ ଭୂମିକା ରହିଛି । ଛାତ୍ରଛାତ୍ରୀଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି ଶିକ୍ଷକଙ୍କ ଦାୟିତ୍ୱ । ଗୁଣାତ୍ମକ ଶିକ୍ଷାଦାନ ବ୍ୟତୀତ ସକରାତ୍ମକ ପ୍ରେରଣା ଦେବା ଜରୁରୀ । ସମସ୍ତ ଶିକ୍ଷକ, ପ୍ରଫେସରଙ୍କ ଉପରେ ଏ ବିଶ୍ୱାସ ରହିଛି । ବୃତ୍ତିଗତ ଜୀବନରେ ପ୍ରବେଶ ପାଇଁ ଉଚ୍ଚଶିକ୍ଷା ଏକ ପ୍ରମୁଖ ପ୍ଲାଟଫର୍ମ । ଉଚ୍ଚଶିକ୍ଷା କ୍ଷେତ୍ରକୁ ସରକାର ଅଧିକରୁ ଅଧିକ ଧ୍ୟାନ ଦେଉଛନ୍ତି ।

ଛାତ୍ରବୃତ୍ତି, ଲାପଟପ, ଲାଇବ୍ରେରୀ ସୁବିଧା ଯୋଗାଇ ଦିଆଯାଉଛି । ୨୦୧୬-୧୭ ପରଠୁ ୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ହେଲେଣି । ଉଚ୍ଚଶିକ୍ଷାରେ ପରିବର୍ତ୍ତନ ପାଇଁ ମୋ କଲେଜ ଅଭିଯାନ ଆରମ୍ଭ ହୋଇଥିଲା । ରାଜ୍ୟ ସରକାର ଗବେଷଣା ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି । ଆସନ୍ତା ୫ ବର୍ଷରେ ସରକାର ୨୧୬ କୋଟିରୁ ଅଧିକ ଖର୍ଚ୍ଚ କରିବେ । ମୁଖ୍ୟମନ୍ତ୍ରୀ ସ୍କଲାରସିପ୍ ସ୍କିମରେ ଖର୍ଚ୍ଚ ହେବ ଏହି ଅର୍ଥ । ନବନିଯୁକ୍ତ ନିଷ୍ଠାର ସହ ନିଜ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସ୍ବାର୍ଥ ପାଇଁ ସୌମ୍ୟ ସାଜିଛନ୍ତି ମିଛର ସୌଦାଗର, ବିନା ଆଧାରରେ ଆଲେଖ୍ୟ

ଭୁବନେଶ୍ୱର: ସ୍ବାର୍ଥ ପାଇଁ ସୌମ୍ୟ ସାଜିଛନ୍ତି ମିଛର ସୌଦାଗର ! ବିନା ଆଧାରରେ ଆଲେଖ୍ୟ । ପୂରିଲା କଣ୍ଟ, ପ୍ରମାଣ ଦେଇ ପାରିଲେନି ସୌମ୍ୟ। ମିଛ ଧରାପଡିଲା ପରେ ମୌନବ୍ରତ ।… ଆଲେଖ୍ୟରେ ମିଛ ଲେଖିଥିଲେ ସୌମ୍ୟ ? ହଟଚମଟ ପାଇଁ ନେଇଥିଲେ କି ମିଛର ସାହାରା ? ସୌମ୍ୟଙ୍କ ଆଲେଖ୍ୟ ପରେ ଅନୁଭବ ପଟ୍ଟନାୟକ କରିଥିଲେ ଖୋଲା ଚ୍ୟାଲେଞ୍ଜ୍। ୨୪ଘଣ୍ଟା ପରେ ବି ପ୍ରମାଣ ଦେଇ ପାରିଲେନି ସୌମ୍ୟ। ଏହାକୁ ନେଇ ସୌମ୍ୟକୁ ଘେରିଛନ୍ତି ସବୁଦଳର ରାଜନେତା। ସମ୍ପାଦକୀୟକୁ ଢାଲ କରି ଓଡିଶାବାସୀଙ୍କୁ କରୁଛନ୍ତି ଭ୍ରମିତ।

ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ କେଉଁଠି କହିଥିଲେ, ତା’ର ପ୍ରମାଣ ଦେବାକୁ ଗତକାଲି ଅନୁଭବ ସୌମ୍ୟଙ୍କୁ ଆହ୍ୱାନ ଦେଇଥିଲେ। ଫାଇଭ୍-ଟି ସଚିବଙ୍କ ଗସ୍ତରେ ୩ଶହ କୋଟି ଖର୍ଚ୍ଚ ହୋଇଥିବା ମଧ୍ୟ ପୂର୍ବ ଆଲେଖ୍ୟରେ ଲେଖିଥିଲେ ସୌମ୍ୟ। ଏହାକୁ ମଧ୍ୟ ପ୍ରମାଣ କରିବା ପାଇଁ ଆହ୍ବାନ ଦେଇଥିଲେ ଅନୁଭବ। ହେଲେ ସୌମ୍ୟଙ୍କ ମୁହଁରେ ଏବେ ତାଲା। ଆଲେଖ୍ୟକୁ ନେଇ ଚ୍ୟାଲେଞ୍ଜ ପରେ ଆଜି ପୁଣି ସୌମ୍ୟଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ।

ନିଜ ଲେଖାର ପ୍ରମାଣ ୨୪ଘଣ୍ଟା ପରେ ବି ସୌମ୍ୟ ଦେଇପାରିନଥିବାରୁ ସେ ମିଛୁଆ ବୋଲି ପ୍ରମାଣିତ ହୋଇଥିବା କହିଛନ୍ତି ଅନୁଭବ। ଫାଇଭ-ଟି ସଚିବ ନିଜ ପରିବାରକୁ ଭେଟିବା ପାଇଁ ଓଡ଼ିଶା ବୁଲୁନାହାନ୍ତି। ସେ ଲୋକଙ୍କୁ ଭେଟୁଛନ୍ତି ଓ ଆପତ୍ତି ଅଭିଯୋଗ ଗ୍ରହଣ କରୁଛନ୍ତି । ଖଣ୍ଡପଡ଼ାରୁ ଫାଇଭ-ଟି ସଚିବ ସର୍ବାଧିକ ଅଭିଯୋଗପତ୍ର ପାଇଛନ୍ତି। ଏଥିରୁ ସୌମ୍ୟଙ୍କ ଉପରୁ ଖଣ୍ଡପଡ଼ାବାସୀ ବିଶ୍ବାସ ହରାଇ ସାରିଥିବା ସ୍ପଷ୍ଟ ହୋଇଛି। ଏହା ବାଧୁଥିବାରୁ ସୌମ୍ୟ ନିଜ ଖବରକାଗଜ ମାଧ୍ୟମରେ ରାଗ ଶୁଝାଇବାକୁ ଉଦ୍ୟମ କରୁଥିବା ଅନୁଭବକ କହିଛନ୍ତି।

ସୌମ୍ୟ ପ୍ରମାଣ ଦେଇପାରିଲେନି। ସତସାହସ ଥିଲେ ବିଧାୟକ ପଦରୁ ଇସ୍ତଫା ଦେବାକୁ ଆହ୍ବାନ ଦେଇଛନ୍ତି ଅନୁଭବ।  ସେପଟେ ସୌମ୍ୟ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ଦଳମତ ନିର୍ବିଶେଷରେ ସବୁ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏପରି ମଛ ଅଭିଯୋଗ କରିବା ଉଚିତ ନୁହେଁ ବୋଲି କହିଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି ଆଉ ପଦେ ଆଗେଇ କାପୁରୁଷମାନେ ଏପରି ମିଛ ଅଭିଯୋଗ ଆଣନ୍ତି ବୋଲି କହିଛନ୍ତି। ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ସୌମ୍ୟଙ୍କ ମିଛ ଲେଖାକୁ କଟାକ୍ଷ କରିଛନ୍ତି ।

ଅନ୍ୟପଟେ ବରିଷ୍ଠ ରାଜନେତା ଦାମୋଦର ରାଉତ ସୌମ୍ୟଙ୍କ ଲେଖାକୁ ନେଇ ବିଜେପି ଉତ୍ସାହିତ ହେବା କଥାକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସୌମ୍ୟଙ୍କ ଆଲେଖ୍ୟ ସାଜିଲାଣି ମିଛୁଆ ରାଧୁଆ ଗପ। ରାଜନୈତିକ ସ୍ବାର୍ଥ ପାଇଁ ଆଲେଖ୍ୟ ଲେଖି ପୁଣିଥରେ ନିଜ ଜାଲରେ ନିଜେ ଫସିଯାଇଛନ୍ତି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ବାରମ୍ବାର ଆଲେଖ୍ୟ ମାଧ୍ୟମରେ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବା ସୌମ୍ୟଙ୍କୁ ଚାରୁଆଡୁ ସମାଲୋଚନାର ଶୀକାର ହେବାକୁ ପଡ଼ିଛି ।