ରାଉରକେଲା : ଅବ୍ଯବସ୍ଥା ଘେରରେ ରାଉରକେଲା ସରକାରୀ ଡାକ୍ତରଖାନା । ହସ୍ପିଟାଲରେ ଆବଶ୍ୟକ ଡାକ୍ତର, ନର୍ସ ଓ କର୍ମଚାରୀ ନଥିବାରୁ ଦୈନିକ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ରାଉରକେଲା ସରକାରୀ ଡାକ୍ତରଖାନାରେ ୬୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ଉନ୍ନତି କରଣ କାର୍ଯ୍ୟ କରିବା ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ ସୁଦ୍ଧା ଏହା ଏପର୍ଯ୍ଯନ୍ତ କାର୍ଯ୍ଯକାରୀ ହୋଇନାହିଁ । ଡାକ୍ତରଖାନାର ବେଡ ସଂଖ୍ୟା ବୃଦ୍ଧି କରିବା ସହ ଉନ୍ନତି କରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଦାବି ହେଉଛି । ୧୩୮ ଟି ଡାକ୍ତରୀ ପଦଵୀ ଆବଶ୍ୟକ ରହିଥିବା ବେଳେ ରହିଛନ୍ତି ୭୯ ଜଣ ଡାକ୍ତର । ସେହିପରି ୧୫୮ ଜଣ ନର୍ସ ପଦ ଖାଲି ରହିଛି । ଅନ୍ୟପକ୍ଷରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୁରଣ କରାଯିବା ସହ ଉନ୍ନତି କରଣ କାର୍ଯ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ ଅବସରରେ ସୂଚନା ଦେଇଛନ୍ତି ।
ବିହାରର ପରବର୍ତ୍ତୀ ସିଏମ କିଏ ?
ନନ୍ଦିଘୋଷ ବ୍ୟୁରୋ : କିଏ ହେବ ବିହାର ମୁଖ୍ୟମନ୍ତ୍ରୀ ? ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ଏନଡିଏ ଚିତ୍ର । ଗତ ଥର ଅପେକ୍ଷା ଦୁଇ ଗୁଣା ସିଟ୍ ପାଇଥିଲେ ବି ନୀତୀଶ କୁମାର ହାତରୁ ଖସିଯିବନି ତ ମୁଖ୍ୟମନ୍ତ୍ରୀ ପଦବୀ ? ଏପରି ପ୍ରଶ୍ନ ଉଠିବାର କାରଣ ହେଲା ଆସନ୍ତା ୨୦ ତାରିଖ ଗୁରୁବାର ନୂଆ ସରକାର ଗଠନ ହେବାକୁ ଯାଉଥିବା କୁହାଯାଉଛି। କିନ୍ତୁ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ଏନଡିଏ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନି। ବିଜେପି ପକ୍ଷରୁ ଖୋଲାଖୋଲି ଭାବେ ନୀତୀଶ କୁମାରଙ୍କୁ କୌଣସି ବରିଷ୍ଠ ନେତା ଅଭିନନ୍ଦନ ଜଣାଇ ନାହାନ୍ତି। ସାମ୍ଵିଧାନିକ ନିୟମରର ଆଳ ଦେଖାଇ ବିଜେପି କହୁଛି, ଏନଡିଏର ନବ ନିର୍ବାଚିତ ବିଧାୟକଙ୍କ ବୈଠକରେ ବିଧାୟକ ଦଳର ନେତା ନିର୍ବାଚିତ କରାଯିବ। ଯାହାକୁ ନିର୍ବାଚିତ କରାଯିବ, ସିଏ ହେବ ମୁଖ୍ୟମନ୍ତ୍ରୀ। ବିଜେପି ବିଜେପି ଓ ଜେଡିୟୁ ଏଥର ୧୦୧ ଲେଖାଏଁ ସିଟରେ ଲଢ଼ିଥିଲେ ମଧ୍ୟ ବିଜେପି ୮୯ଟି ଆସନରେ ଜିତିଛି। ଜେଡିୟୁ ଜିତିଛି ୮୫ ଆସନରେ। ଅର୍ଥାତ ବିଜେପି ଅଧିକ ଆସନ ପାଇଛି। ଚର୍ଚ୍ଚା ହେଉଛି, ଅଧିକ ସିଟ୍ ଜିତିଥିବାରୁ ବିଜେପି ନିଜର ମୁଖ୍ୟମନ୍ତ୍ରୀ କରିବନି ତ ବିହାରରେ। ଏପର୍ଯ୍ୟନ୍ତ ଜୁନିଅର ପାର୍ଟନର ହୋଇ ରହୁଥିଲା ବିଜେପି। କିନ୍ତୁ ସମାନ ସମାନ ଆସନରେ ଲଢ଼ି ବିଜେପି ପ୍ରଥମେ ଜେଡିୟୁର ବଡ଼ ଭାଇ ପାହ୍ୟାକୁ ଧ୍ଵଂସ କରିଥିଲା। ପୁଣି ଅଧିକ ସିଟ୍ ଜିତିଛି। ତେଣୁ ଚର୍ଚ୍ଚା ହେଉଛି ନୀତିଶ କୁମାରଙ୍କ ବଦଳରେ ବିଜେପି ବିହାରରେ ନିଜର ମୁଖ୍ୟମନ୍ତ୍ରୀ କରିପାରେ।
ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଶିଶୁପୁତ୍ରଙ୍କ ଜୀବନ
ଭଦ୍ରକ : ପୋଖରୀରେ ବୁଡ଼ି ଚାଲିଗଲା ଗୋଟିଏ ପରିବାରର ଦୁଇ ଶିଶୁପୁତ୍ରଙ୍କ ଜୀବନ । ଦୁଇ ବର୍ଷର ପିଉସୀ ପୁଅ ଓ ୪ ବର୍ଷର ମାମୁ ପୁଅ ସାଙ୍ଗ ହୋଇ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ପୋଖରୀରେ ବୁଡି ଯାଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନା ସାହାପୁର ପଂଚାୟତର ସିନିପୁର ଗ୍ରାମରେ । ଗ୍ରାମରେ ଲକ୍ଷ୍ମୀ ପୂଜା ପାଇଁ ବନ୍ଧୁବାନ୍ଧବଙ୍କ ସହ ସମସ୍ତେ ବ୍ୟସ୍ତ ଥିଲେ । ବୁଲୁ ବାରିକଙ୍କ ଦୁଇ ବର୍ଷର ପୁଅ ଅନନ୍ତଦେବ ଏବଂ କହ୍ନେଇ ବିନ୍ଧା ନିବାସୀ ବୁଲୁଙ୍କ ଭଉଣୀ ଜୟନ୍ତ ସାହୁଙ୍କ ୪ ବର୍ଷର ପୁଅ ହିମାଂଶୁ ସାହୁ ଖେଳୁ ଖେଳୁ ପୋଖରୀ ପାଖକୁ ପଳାଇଥିଲେ । ପୋଖରୀରେ ଭାସୁଥିବା ଦେଖିବାକୁ ପରିବାର ଲୋକଙ୍କ ଖବର ଦେଇଥିଲେ ଲୋକେ । ପ୍ରଥମେ ତିହିଡି ମେଡିକାଲ ପରେ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲେ ସୁଦ୍ଧା ଉଭୟଙ୍କ ମୃତ୍ୟୁ ହୋଇଛି ।
ଆନ୍ଧ୍ରପ୍ରଦେଶ ସୀମାନ୍ତ ହେଉକି ଛତିଶଗଡ଼ର ସୀମା, ସବୁଠି ଓଡିଶା ଉପରେ ଚାଲିଛି ଜୁଲମ
ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ବାରମ୍ବାର କୋଟିଆ ଅଂଚଳରେ ଅନୁପ୍ରବେଶ କରି ସେଠାକାର ଲୋକଙ୍କୁ ନିଜ ପକ୍ଷକୁ ନେବାକୁ ଉଦ୍ୟମ କରୁଛି। ପୂର୍ବରୁ ଅନେକ ଥର କୋଟିଆରେ ଆଧିପତ୍ୟ ବିସ୍ତାର ପାଇଁ ଆନ୍ଧ୍ର ବିଭିନ୍ନ କାର୍ଯ୍ୟ କରିଥିବାବେଳେ କିଛିଦିନ ତଳେ କୋଟିଆରେ ଆଦିବାସୀ ମେଳା ଓ ସ୍ୱାସ୍ଥ୍ୟ ଶିବିର କରିଛି।ପୂର୍ବ ସରକାର ସମୟରେ ଉଚ୍ଚସ୍ତରୀୟ କମିଟି ଗଠନ ସହ ମୁଖ୍ୟସଚିବ ସ୍ତରରେ ଏହାର ଶାନ୍ତିପୂର୍ଣ ସମାଧାନ ପାଇଁ ଉଦ୍ୟମ ହୋଇଥିଲା।କିନ୍ତୁ ବର୍ତ୍ତମାନ ସରକାର କୋଟିଆରେ ସ୍ୱାଧୀନତା ଦିବସ ପାଳନ କରିବା ସହ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଛନ୍ତି। କିନ୍ତୁ ଏ ସବୁ ସତ୍ତ୍ୱେ ମଧ୍ୟ ଆନ୍ଧ୍ର ନିଜ ଇଚ୍ଛାରେ କାମ ଜାରି ରଖିଛି। ତେଣୁ ଏହା ଉପରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହେବା ସହ କେନ୍ଦ୍ର ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ଆନ୍ଧ୍ର ଓଡିଶା ସୀମା ବିବାଦ ଉପରେ ହସ୍ତକ୍ଷେପ କରିବା ପାଇଁ ଦାବି କରିଛି ଓଡ଼ିଆ ଅସ୍ମିତା ପରିଷଦ। ରାଜ୍ୟର ଅନେକ ସୀମାନ୍ତ ଅଂଚଳ ଭାଷା ସଂକଟରେ ଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ରାଜ୍ୟର ସ୍ୱାର୍ଥକୁ ବଳି ଦେଇ କେବଳ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଶାସକ ଦଳ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି।
ସେପଟେ ରାଜ୍ୟରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ନେଇ ବାମପନ୍ଥୀ ଦଳ ନୂଆପଡା ଉପନିର୍ବାଚନ କଥା ଉଠାଇଛି। ନୂଆପଡାରେ ଶାସକ ଦଳ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଓ ନେତାଙ୍କୁ ନେଇ ପ୍ରଚାର କଲା। କିନ୍ତୁ ଛତିଶଗଡ଼ ଯେଭଳି ଓଡିଶା ପ୍ରତି ଅନ୍ୟାୟ କରୁଛି ସେ କଥା ପ୍ରଭାବୀ ଢଙ୍ଗରେ ଏ ଯାଏ ଉପସ୍ଥାପିତ ହେଲା ନାହିଁ। ଏପରିକି ନୂଆପଡାର ବିଭିନ୍ନ ଅଞ୍ଚଳରେ ଓଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା ନ ମିଳିବା ଓ ଓଡ଼ିଆ ଭାଷା ଅବହେଳିତ ହେଉଥିବା ଅଭିଯୋଗ ହୋଇଛି।ସେପଟେ ଶାସକ ଦଳର କହିବା କଥା ଲୋକଙ୍କ ଆଗ୍ରହ ଅନୁସାରେ ସେମାନେ ଭାଷା ବ୍ୟବହାର କରିବେ ଓ ଚଳଣି ଆପଣାଇବେ। ତେଣୁ ଏସବୁକୁ ପ୍ରସଙ୍ଗ କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଶାସକ ଦଳ ବିଧାୟକ । ଆନ୍ଧ୍ର, ଛତିଶଗଡ଼ ହେଉ କିମ୍ବା ପଶ୍ଚିମବଙ୍ଗ ସବୁବେଳେ ଓଡ଼ିଶାର ଜମି, ଜଳ ଓ ଜଙ୍ଗଲ ଉପରେ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି। କିନ୍ତୁ ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ସରକାର ମାଟିର ସୁରକ୍ଷା ପାଇଁ ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି।
ଯୌନ ନିର୍ଯାତନା ରୋକିବାକୁ ଆଇନ ଅଛି, ଉଚ୍ଚଶିକ୍ଷାନୁଷ୍ଠାନରେ ହେଉନି କଡ଼ାକଡ଼ି
ଭୁବନେଶ୍ବର : କେଉଁଠି ଅଧ୍ୟାପକ ଫେଭର ମାଗିବାରୁ ଛାତ୍ରୀ ଆତ୍ମାହୁତି ଦେଲଣି ତ କେଉଁଠି କଲେଜରେ ସହପାଠୀର ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ରଶି ଲଗାଇ ଝୁଲି ପଡ଼ୁଛି ଛାତ୍ରୀ । ଏପରି ସମ୍ବେଦନଶୀଳ ଘଟଣା ବଢୁଥିବାରୁ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । କଲେଜରେ ଇଣ୍ଟରନାଲ କମ୍ପଲେଣ୍ଟ କମିଟି ତ ଅଛି । ହେଲେ ଏହା ଠିକ୍ ଭାବେ କାର୍ଯ୍ୟକାରୀ ନ ହେଉଥିବାରୁ ଯୌନ ନିର୍ଯାତନା ଅଭିଯୋଗ ବଢୁଥିବା ନେଇ ଚର୍ଚ୍ଚା ହେଲାଣି । ଏନେଇ ଏବେଠୁ ଆରମ୍ଭ ହେବ କ୍ୟାମ୍ପସ କଲିଂ। ଉଚ୍ଚଶିକ୍ଷାନୁଷ୍ଠାନରେ ମହିଳାଙ୍କ ପ୍ରତି ବଢ଼ୁଥିବା ଯୌନ ନିର୍ଯାତନା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଚିନ୍ତାପ୍ରକଟ କରିଛନ୍ତି । ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩(ପୋସ୍ ଆଇନ) ର ପ୍ରଭାବଶାଳୀ କାର୍ଯ୍ୟକାରିତା କରିବାକୁ ୟୁଜିସି ନିର୍ଦ୍ଦେଶ ଦେଇଛି। ଏଥିସହ ଜାତୀୟ ମହିଳା ଆୟୋଗ ଓ ଯୁବମନ୍ଥନ ସହାୟତାରେ କ୍ୟାମ୍ପସ କଲିଂ ଅଭିଯାନ କରିବାକୁ ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାନୁଷ୍ଠାନରେ ମହିଳା ସଶକ୍ତିକରଣ, ଲିଙ୍ଗଗତ ସଚେତନତା ଓ ପୋସ୍ ୨୦୧୩ ସମ୍ପର୍କରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ତାଲିମ ତଥା ସଚେତନ କରାଯିବା ପ୍ରତି ଉଚ୍ଚଶିକ୍ଷାନୁଷ୍ଠାନରେ ୪ ଜଣ କ୍ୟାମ୍ପସ ଦୂତ ବି ମନୋନୀତ ହେବେ । ଏହାକୁ ପାଳନ କରିବାକୁ ୟୁଜିସି ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକୁ ଚିଠି କରିଛି । ହେଲେ ଆଇନ ଥିବା ସତ୍ତ୍ବେ ଯୌନ ନିର୍ଯାତନା ରୋକିବାକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଥିବାରୁ ପ୍ରଶାସନିକ ଅପାରଗତାକୁ ଶିକ୍ଷାବିତ ଟାର୍ଗେଟ କରିଛନ୍ତି ।
ସେପଟେ ମହିଳା କଲେଜରେ ଛାତ୍ରୀ ନିଜକୁ ଅଧିକ ସୁରକ୍ଷିତ ମନୁଛନ୍ତି । ହେଲେ କ୍ୟାମ୍ପସ ବାହାରେ ସେମାନେ ଅଶ୍ଳୀଳ ଇଙ୍ଗିତର ଶୀକାର ହେଉଥିବା ଅଭିଯୋଗ ହୋଇଛି । ତେବେ କୋ-ଏଡ୍ କଲେଜ ଗୁଡ଼ିକରେ ନିୟମ କଡ଼ାକଡ଼ି ପାଳନ କରିବାର ଆବଶ୍ୟକତା ରହିଛି । କିଛି ମାସ ତଳେ ବିଜୁ ଜନତା ଦଳ ପକ୍ଷରୁ ଛାତ୍ରୀ ସୁରକ୍ଷା ପାଇଁ ଏସପି ଓ ଡିଜିପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଇସିସି ଗଠନ ବାଧ୍ୟତାମୂଳକ । ଆଇସିସି ସଦସ୍ୟଙ୍କ ଫୋନ୍ ନମ୍ବର ଆଦି ତଥ୍ୟ ଶିକ୍ଷାନୁଷ୍ଠାନ ଓ୍ବେବସାଇଟରେ ରହିବ | ଏସବୁ କ୍ୟାମ୍ପସର ପ୍ରମୁଖ ସ୍ଥାନରେ ଲଗାଯିବ । କୋଠା ନିକଟରେ ଅଭିଯୋଗ ବାକ୍ସ ରହିବ । ଏତେ ସବୁ ନିୟମ ସତ୍ତ୍ବେ, ଅନେକ ଉଚ୍ଚଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ପ୍ରମୁଖ ମୁଦ୍ଦା ପାଲଟିଥିବାରୁ, ଚିନ୍ତା ବଢିବାରେ ଲାଗୁଛି ।

