spot_img
Home Blog Page 264

ଭୁବନେଶ୍ବରରେ ଚାଞ୍ଚଲ୍ୟ: କୁକୁର ଖାଉଛି ମଣିଷ ମାଂସ

ଭୁବନେଶ୍ବରରେ ଚାଞ୍ଚଲ୍ୟ: କୁକୁର ଖାଉଛି ମଣିଷ ମାଂସ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ କୁକୁର ଖାଉଛି ମଣିଷ ମାଂସ । ବିଲ ମଝିରେ ପଡ଼ିଥିବା ଏକ ମୃତଦେହକୁ କୁକୁର ଝୁଣି ଖାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଘଟଣା ଚନ୍ଦକା ଥାନା ଅନ୍ତର୍ଗତ ଘଙ୍ଗାପାଟଣା ପାଇକରାପୁର ଅଞ୍ଚଳରେ ଘଟିଛି । ବିଲ ମଝିରେ ଏକ ମୃତଦେହ ପଡ଼ିଥିବା ଆଜି ଦେଖିବାକୁ ମିଳିଥିଲା । ତେବେ ବିଚଳିତ କରିବା ଭଳି ଘଟଣାଟି ହେଲା କୁକୁର ଉକ୍ତ ମୃତଦେହରୁ ମାଂସ ଝୁଣି ଖାଉଥିଲା ।

ମୃତକଙ୍କ ପରିଚୟ ମିଳି ନଥିଲେ ବି ଜଣେ ପୁରୁଷ ଲୋକ ବୋଲି ଜଣାପଡ଼ିଛି । ଖବର ପାଇ ଚନ୍ଦକା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ବୟସ ୪୦ରୁ ୪୫ ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ ।

ଦିଲ୍ଲୀ ବ୍ଲାଷ୍ଟ: ମାସେ କରାଗଲା ବ୍ରେନଓ୍ବାସ, ଠିକ ସମୟରେ ଆତ୍ମଘାତି ବମର୍ ହେବାକୁ ମନା କରିଦେଲା ଜସିର ଓ୍ବାନୀ

ଦିଲ୍ଲୀ ବ୍ଲାଷ୍ଟ: ମାସେ କରାଗଲା ବ୍ରେନଓ୍ବାସ, ହେଲେ ସମୟରେ ଆତ୍ମଘାତି ବମର୍ ହେବାକୁ ମନା କରିଦେଲା ଜସିର ଓ୍ବାନୀ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବ୍ଲାଷ୍ଟକୁ ନେଇ ନୂଆ ଖୁଲାସା । ବ୍ଲାଷ୍ଟ ପାଇଁ ଥିଲେ ଦୁଇ ଜଣ ଆତ୍ମଘାତି ବମର୍ । ହେଲେ ଠିକ ସମୟରେ ଜସିର ବିଲାଲ ଓ୍ବାନି ନାମକ କାଶ୍ମୀର ଯୁବକ ଆତ୍ମଘାତି ଦଳରେ ସାମିଲ ହେବାକୁ ମନା କରି ଦେଇଥିଲା । ଆତ୍ମଘାତି ବମର ହେବା ପାପ ବୋଲି ସେ କହିଥିଲା । ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ଗିରଫ ଜସିରକୁ ପଚରାଉଚରା ବେଳେ ସେ ତଦନ୍ତକାରୀ ଟିମକୁ ଏମିତି କିଛି ସଫେଇ ଦେଇଛି । ଦିଲ୍ଲୀ ବ୍ଲାଷ୍ଟ ଓ ହ୍ବାଇଟ କଲର ଟେରର ମଡ୍ୟୁଲରେ ସାମିଲ ଥିବା ଅଭିଯୋଗରେ ଶ୍ରୀନଗର ପୋଲିସ କାଜିଗୁଣ୍ଡର ଜାସିରକୁ ଗିରଫ କରିଥିଲା । ତଦନ୍ତ ବେଳେ ଜଣାପଡ଼ିଛି, ଡମଡ୍ୟୁଲର ମାଷ୍ଟରମାଇଣ୍ଡ ଡ. ଉମର ନବୀ ଜସିରର ବ୍ରେନଓ୍ବାସ କରି ତାକୁ ଆତ୍ମଘାତି ଆକ୍ରମଣକାରୀ ହେବାକୁ ରାଜି କରାଇଥିଲା । ଫରିଦାବାଦରୁ ବିସ୍ଫୋରକ ଜବତ ମାମଲାରେ ଗିରଫ ଡକ୍ଟର କହିଥିଲେ ରାଜନୀତି ବିଜ୍ଞାନ ଛାତ୍ର ଜସିର ବିଲାଲ ଓ୍ବାନିକୁ ଉମର ଜରିଆରେ ୨୦୨୩ରୁ ଆତ୍ମଘାତି  ବିସ୍ଫୋରଣ ପାଇଁ ପ୍ରସ୍ତୁତ କରାଯାଉଥିଲା । ହେଲେ ୨୦୨୫ରେ ତାକୁ ଯେତେବେଳେ ବିସ୍ଫୋରଣ କରିବାକୁ କୁହାଯାଇଥିଲା ସେ ମନା କରିଦେବା ସହ ଇସଲାମରେ ଏହା ପାପ ବୋଲି କହିଥିଲା ।

ଆତ୍ମଘାତି ବିସ୍ଫୋରଣ ସପକ୍ଷରେ ଥିଲା ଉମର

ଆତଙ୍କବାଦୀ ଡ. ଉମରର ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ସେ ଇଂଲିସରେ କହୁଥିବା ଶୁଣିବାକୁ ମିଳୁଛି । ନିଜ ବୟାନରେ ଉମର ଆତ୍ମଘାତି ବିସ୍ଫୋରଣ ପାପ ନୁହେଁ ବୋଲି କହୁଥିବା ଶୁଣିବାକୁ ମିଳୁଛି । ଆତ୍ମଘାତି ବିସ୍ଫୋରଣକୁ ଆଜି ଯାଏଁ ଠିକରେ ବୁଝାଯାଇନାହିଁ ବୋଲି ସେ ଭିଡିଓରେ କହିଛି ।

ଜସିରକୁ ଶ୍ରୀନଗରରୁ ଫରିଦାବାଦ ଅଣାଗଲା

ରିପୋର୍ଟ ଅନୁସାରେ ୨୦୨୩ ଅକ୍ଟୋବରରେ  ଜସିର ବିଲାଲର ଏହି ଆତଙ୍କବାଦୀ ଦଳର ସଦସ୍ୟଙ୍କ ସହ କୁଲଗାମରେ ହୋଇଥିଲା । ଏହାପରେ ତାକୁ ଫରିଦାବାଦରେ ଥିବା ଅଲ ଫଲାହ ବିଶ୍ବବିଦ୍ୟାଳୟ ପାଖରେ ଏକ ଭଡ଼ା ଘରେ ରଖାଯାଇଥିଲା । ସେଠାରେ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଉମର ନବି ତାକୁ ଆତ୍ମଘାତି କରିବାକୁ ମାସାଧିକ କାଳ ଧରି ବ୍ରେନଓ୍ବାସ କରିଥିଲା ।

କାହିଁକି ଆତ୍ମଘାତି ବମର ହେଲାନି ଜସିର ?

୨୦୨୫ରେ ଜସିର ପଛକୁ ହଟିଯିବା ପରେ ଯୋଜନା ଫେଲ୍ ହୋଇଯାଇଥିଲା । ଆତ୍ମଘାତି ବିସ୍ଫୋରକ ନହେବାକୁ ନେଇ ଜସିର ଦୁଇଟି କାରଣ ବତାଇଥିଲା । ପ୍ରଥମଟି ହେଲା, ତା’ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା । ଆଉ ଦ୍ବିତୀୟରେ ତା’ର ବିଶ୍ବାସ ଥିଲା ଇସଲାମରେ ଆତ୍ମହତ୍ୟା ବର୍ଜିତ ଅଟେ । ମିଳିଥିବା ସୂଚନା ଅନୁସାରେ, ଆରମ୍ଭରୁ ମଡ୍ୟୁଲର ଅନ୍ୟ ସଦସ୍ୟ ଜସିରକୁ ଗ୍ରାଉଣ୍ଡ ଓ୍ବାର୍କର ଭାବେ କାମ କରାଇବାକୁ ଚାହୁଁଥିଲେ । ହେଲେ ଉମର ତାକୁ ଆତ୍ମଘାତି ବମର ବନାଇବା ଉପରେ ଜୋର ଦେଇଥିଲେ । କୁହାଯାଉଛି, ଜସିର ମନା କରିବା ପରେ ଉମର ନିଜେ ଆତ୍ମଘାତି ବମର ବନିଯିବା ସହ ବିସ୍ଫୋରକ ଲଦା କାରକୁ ନେଇ ନଭେମ୍ବର ୧୦ ତାରିଖରେ ଲାଲକିଲ୍ଲା ପାଖରେ ବ୍ଲାଷ୍ଟ କରାଇଥିଲା । ଆତଙ୍କବାଦୀ ଡ. ଅଦିଲ ରାଥର ଓ ଡ. ମୁଜଫର ଗନଇ ଗିରଫ ହେବା ପରେ ଜସିରର ସୂଚନା ମିଳିଥିଲା । ଜସିରକୁ ପଚରାଉଚରାରୁ ଜମ୍ମୁ ଓ କାଶ୍ମୀର ପୋଲିସ ଜୈଶ ଏ ମହମ୍ମଦ ସହ ଜଡିତ ପୂରା ଅନ୍ତଃରାଜ୍ୟ ଆତଙ୍କବାଦୀ ନେଟଓ୍ବର୍କର ପର୍ଦ୍ଦାଫାସ ହୋଇ ପାରିଥିଲା ।

ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିଦେଲେ ଜସିରର ବାପା

ଜମ୍ମୁ ଓ କାଶ୍ମୀର ପୋଲିସ ଜସିରର ବାପା ବିଲାଲ ଓ୍ବାନିକୁ ପଚରାଉଚରା ପାଇଁ ଡକାଇଥିଲା । ଏହି ସମୟରେ ବିଲାଲ ନିଜ ଦେହରେ ନିଆଁ ଲଗାଇ ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗିରଫ ଜସିର ଓ ତା’ ଦାଦାକୁ ଭେଟିବାକୁ ବାରମ୍ବାର ଦାବି କରି ବିଫଳ ହେବା ପରେ ବିଲାଲ ଏମିତି ପଦକ୍ଷେପ ନେଇଥିବା କୁହାଯାଉଛି । ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫିତ ଘଟଣାକୁ ନେଇ ପୋଲିସ ଅଧିକାରୀଙ୍କୁ ନିନ୍ଦା କରିଛନ୍ତି ।

ଫାଶୀ ଦଣ୍ଡାଦେଶ ବିରୋଧରେ ଅନ୍ତରାଷ୍ଟ୍ରିୟ ନ୍ୟାୟାଳୟ ଯିବେ କି ଶେଖ ହସିନା, ଭାରତ କରିବ କ’ଣ ?

ଫାଶୀ ଦଣ୍ଡାଦେଶ ବିରୋଧରେ ଅନ୍ତରାଷ୍ଟ୍ରିୟ ନ୍ୟାୟାଳୟ ଯିବେ କି ଶେଖ ହସିନା, ଭାରତ କରିବ କ’ଣ ?

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ଅନ୍ତରାଷ୍ଟ୍ରିୟ ଅପରାଧ ନ୍ୟାୟାଧିକରଣ (ଆଇସିଟି) ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୨୦୨୪ ଛାତ୍ର ଆନ୍ଦୋଳନ ଓ ଏହା ସହ ଜଡିତ ଦମନ କାର୍ଯ୍ୟ ପାଇଁ ଦୋଷ ଘୋଷଣା କରିବା ସହ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ହେଲେ ଶେଖ ହସିନା ବର୍ତ୍ତମାନ ଭାରତରେ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଏହି ରାୟ ପ୍ରକାଶ ପାଇଛି । ଏବେ ପ୍ରଶ୍ନ ଉଠୁଛି, ବାଂଲାଦେଶ ସୁପ୍ରିମକୋର୍ଟ ଆଇସିଟିଙ୍କ ନିଷ୍ପତ୍ତିକୁ ଗ୍ରହଣ କରିନେଲେ ଶେଖ ହସିନା କ’ଣ କରିବେ ? କ’ଣ ସେ ଅନ୍ତରାଷ୍ଟ୍ରିୟ ସ୍ତରରେ ଏହି ରାୟକୁ ଚ୍ୟାଲେଞ୍ଜ କରିବେ ? ଭାରତରରେ ଶରଣ ନେଇଥିବାରୁ ତାଙ୍କୁ ନେଇ କୁଟନୈତିକ ସ୍ତରରେ କ’ଣ ସ୍ଥିତି ସୃଷ୍ଟି ହେଉଛି ?

ବାଂଲାଦେଶରେ ଆଇନଗତ ପ୍ରକ୍ରିୟା କେମିତି ?

ଶେଖ ହସିନା ଅନ୍ତରାଷ୍ଟ୍ରିୟ କୋର୍ଟକୁ ଯିବେ କି ନାହିଁ ଜାଣିବା ପୂର୍ବରୁ ପ୍ରଥମେ ଆସନ୍ତୁ ଜାଣିବା ବାଂଲାଦେଶରେ କ’ଣ ରହିଛି ଆଇନଗତ ପ୍ରକ୍ରିୟା । ବାଂଲାଦେଶ ଆଇନ ଅନୁସାରେ ହସିନା ଫାଶୀ ଦଣ୍ଡାଦେଶରୁ ବର୍ତ୍ତିବା ପାଇଁ କ’ଣ କ’ଣ ଦିଗ ରହିଛି ତାହା ଜାଣିବା ନିହାତି ଆବଶ୍ୟକ । ବାଂଲାଦେଶର ଅନ୍ତରାଷ୍ଟ୍ରିୟ ଅପରାଧ ଟ୍ରିବ୍ୟୁନାଲ ଆକ୍ଟ, ୧୯୭୩ ଧାରା ୨୧ ଅନୁସାରେ, ଆଇସିଟି ଦ୍ବାରା ଦୋଷୀ ସାବ୍ୟସ୍ତ ବ୍ୟକ୍ତି ସିଧାସଳଖ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ । ସାଧାରଣତଃ ଲହି ଆବେଦନର ସମୟ ସୀମା ୩୦ରୁ ୬୦ ଦିନ ରହିଥାଏ । ଆଇନ ବିଶେଷଜ୍ଞଙ୍କ ମତରେ ଅନୁପସ୍ଥିତ ଅବସ୍ଥାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ବି ଓକିଲଙ୍କ ମାଧ୍ୟମରେ ଆବେଦନ କରିପାରିବେ । ସେହିପରି ବାଂଲାଦେଶର ରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ଦଣ୍ଡ କମାଇବା କି ବଦଳାଇବାର କ୍ଷମତା ରହିଛି । ଏଥିପାଇଁ ଆଇସିଟି ନିଷ୍ପତ୍ତି ପରେ ପ୍ରଥମ ଓ ସିଧା ରାସ୍ତା ବାଂଲାଦେଶରେ ନିଜ ନ୍ୟାୟିକ ଓ ସମ୍ବିଧାନିକ ପ୍ରକ୍ରିୟା ଭିତରେ ରହିଛି । ଅନ୍ତରାଷ୍ଟ୍ରିୟ ମଞ୍ଚର ସେତେବେଳେ ଆବଶ୍ୟକତା ପଡ଼ିବ ଯେତେବେଳେ ଘରୋଇ ନ୍ୟାୟିକ ବ୍ୟବସ୍ଥାରେ ନ୍ୟାୟ ନମିଳିବ ।

ଏବେ ଆସନ୍ତୁ ଜାଣିବା ବାଂଲାଦେଶର ନିଷ୍ପତ୍ତିକୁ ବିଶ୍ବସ୍ତରରେ ଚ୍ୟାଲେଞ୍ଜ କରି ହେବ କି ନାହିଁ ?

ଯେତେବେଳେ କୌଣସି ମାମଲାକୁ ବିଶ୍ବ ସ୍ତରରେ ଚ୍ୟାଲେଞ୍ଜ କରାଯାଏ ତାହା ତିନୋଟି ମଞ୍ଚରେ ବିଚାର ହୋଇଥାଏ । ପ୍ରଥମ ଅନ୍ତରାଷ୍ଟ୍ରିୟ ଅପରାଧିକ ନ୍ୟାୟାଳୟ (ଆଇସିସି), ଅନ୍ତରାଷ୍ଟ୍ରିୟ ନ୍ୟାୟାଳୟ (ଆଇସିଜେ) ଏବଂ ୟୁଏନ ଓ ହ୍ୟୁମାନ ରାଇଟ୍ସ କୋର୍ଟ ।

ଅନ୍ତରାଷ୍ଟ୍ରିୟ ଅପରାଧିକ ନ୍ୟାୟାଳୟ (ଆଇସିସି)

ନିଜ ବୟାନରେ ଶେଖ ହସିନା କହିଛନ୍ତି, ଯଦି ଅନ୍ତରିମ ସରକାରଙ୍କୁ ସତରେ ନ୍ୟାୟିକ ଚିନ୍ତା ଅଛି ତେବେ ସେ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ହେଗ ସ୍ଥିତ ଆଇସିସିକୁ ନେଇ କି ଯାଉ । ହେଲେ ବାସ୍ତବିକ ସ୍ଥିତି ହେଲା, ରାଷ୍ଟ୍ରୀୟ କୋର୍ଟଙ୍କ ନିଷ୍ବତ୍ତିକୁ ନେଇ ହୋଇଥିବା ଆବେଦନ ଶୁଣିବା ଆଇସିସିର କାମ ନୁହେଁ । ଏଠାରେ ନୂଆ ଅପରାଧିକ ମାମଲାରର ଯାଞ୍ଚ ଓ ତର୍ଜମା କରିଥାଏ । ଯଦି ଉକ୍ତ ରାଷ୍ଟ୍ର ନିଜେ ଆବେଦନ କରିଥିବ କିମ୍ବା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଏହାକୁ ରେଫର କରିଥିବା କି ନିଜେ ଆଇସିସି ଗୁରୁତ୍ବ ଦେଇ ଏହାର ତଦନ୍ତ ଆରମ୍ଭ କରିବାକୁ ଚାହୁଁଥିବ ସେତେବେଳେ ଯାଇ ଏଥିରେ ହସ୍ତକ୍ଷେପ କରିଥାଏ । ଏମିତି ସ୍ଥିତିରେ ଶେଖ ହସିନାଙ୍କ ବିରୋଧରେ ହୋଇଥିବା ନିଷ୍ପତ୍ତି ଆଇସିସି ଅଧିକାର ବାହାରେ । ତେଣୁ ଆଇସିସି ମାଦ୍ୟମରେ ସିଧା ସିଧା ବାଂଲାଦେଶ କୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରିବା କିମ୍ବା ଓଭରରୁଲ କରିବା ଆଇନଗତ ସ୍ତରରେ ସମ୍ଭବ ନୁହେଁ ।

ଅନ୍ତରାଷ୍ଟ୍ରିୟ ନ୍ୟାୟାଳୟ (ଆଇସିଜେ)

ଆଇସିଜେ ଦେଶ, ଦେଶ ମଧ୍ୟରେ ଥିବା ବିବାଦର ବିଚାର କରିଥାଏ, ବ୍ୟକ୍ତିଗତ ନୁହେଁ । ଯଦି କୌଣସି ଦେଶ ଏ ଅଭିଯୋଗ କରିବ, ବାଂଲାଦେଶ ଅନ୍ତରାଷ୍ଟ୍ରିୟ ସର୍ତ୍ତର ଉଲ୍ଲଂଘନ କରିଛି, ତେବେ ସେ ଆଇସିଜେ ଯାଇପାରିବ । ହେଲେ ଆଇସିଜେ ସାଧାରଣତଃ ବ୍ୟକ୍ତିଗତ ଅପରାଧିକ ନିଷ୍ପତ୍ତିକୁ ସୁଧାସଳଖ ନାକଚ କରି ନଥାଏ । ଏମିତି ସ୍ଥିତିରେ କୌଣସି ତୃତୀୟ ଦେଶ କେବଳ ଶେଖ ହସିନାଙ୍କ ପାଇଁ ଆଇସିଜେ ଯିବା ସମ୍ଭବ ଲାଗୁନାହିଁ । କାରଣ ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ କରିପାରେ ଓ ଏହା ଆଇନଗତ ରୂପରେ ଏହା ଏକ ଜଟିଳ ପ୍ରକ୍ରିୟା ।

ସଂଯୁକ୍ତ ରାଷ୍ଟ ଓ ମାନବାଧିକାର ବ୍ୟବସ୍ଥା

ଏଠାରେ ଯଥାର୍ଥରେ ଶେଖ ହସିନାଙ୍କ ବିରୋଧରେ ହୋଇଥିବା ଦଣ୍ଡାଦେଶକୁ ନିଇ କିଛି କରି ହେବା ଭଳି ଲାଗୁଛି । ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପୂର୍ବରୁ ଘୋଷଣା କରିଛି, ଅପରାଧ ପାଇଁ ଦଣ୍ଡ ଜରୁରୀ ହେଲେ ମୃତ୍ୟୁଦଣ୍ଡ ଉପରେ ଆପତ୍ତି ରହିଛି ଓ କୌଣସି ବି ପରିସ୍ଥିତିରେ ଏହାକୁ ବିରୋଧ କରାଯାଉଛି । ୟୁଏନ ସ୍ବତନ୍ତ୍ର ରିପୋର୍ଟରେ ଯଥା ନ୍ୟାୟିକ ସ୍ବତନ୍ତ୍ରତା, ମାନବାଧିକାର ଓ ଆତଙ୍କବାଦ ଆଦି ମାମଲାରେ ନିଜ ରିପୋର୍ଟ ଦେଇପାରିବେ ଓ ବାଂଲାଦେଶ ସରକାରଙ୍କୁ ଏଥିପାଇଁ ଜବାବ ବି ମାଗି ପାରିବେ । ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦରେ ସଦସ୍ୟ ଦେଶ ଏହି ମାମଲାକୁ ଉଠାଇ ସ୍ବତନ୍ତ୍ର ଅଧିବେଶନ କିମ୍ବା ରିଜୋଲ୍ୟୁସନ ଦାବି କରିପାରିବେ । ଅନ୍ତରାଷ୍ଟ୍ରିୟ ମାନବାଧିକାର ସଙ୍ଗଠନ ପୂର୍ବରୁ ହିଁ ଆଇସିଟିର ନିରପେକ୍ଷତା ଓ ମୃତ୍ୟୁଦଣ୍ଡକୁ ନେଇ ପ୍ରଶ୍ନ ଉଠାଇ ଆସିଛି । ଏହାଦ୍ବାରା ବାଂଲାଦେଶ ଉପରେ ବୈଶ୍ବିକ ସ୍ଥରରେ କୂଟନୈତିକ ଚାପ ବଢ଼ିପାରେ । ଏହା କେବଳ ରାଜନୈତିକ ଓ ନୈତିକ ଚାପ ହୋଇପାରେ, ହେଲେ ବାଂଲାଦେଶ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇବାର କ୍ଷମତା ନାହିଁ ।

ଭାରତରେ ଶରଣ, ପ୍ରତ୍ୟାର୍ପଣକୁ ନେଇ ପ୍ରଶ୍ନ

ଶେଖ ହସିନାଙ୍କୁ ନେଇ ଆଇସିଟି ରାୟ ଆସିବା ପରେ ପୂରା ବିଶ୍ବର ନଜର ଏବେ ଭାରତ ଉପରେ ରହିଛି । କାରଣ ଶେଖ ହସିନା ବେଲେ ଭାରତରେ ଅଛନ୍ତି । ଏବେ ହସିନାଙ୍କୁ ବାଂଲାଦେଶକୁ ପ୍ରତ୍ୟାର୍ପଣ କରିବାକୁ ଚାପ ବଢ଼ିବାରେ ଲାଗିଛି । ଭାରତ ଓ ବାଂଲାଦେଶ ମଧ୍ୟରେ ୨୯୧୩ରୁ ପ୍ରତ୍ୟାର୍ପଣ ଚୁକ୍ତି ହୋଇଛି । ହେଲେ ଏହି ସନ୍ଧି ଭାରତକୁ ସବୁ କ୍ଷେତ୍ରରେ ମାନିବାକୁ ବାଧ୍ୟ କରିପାରିବ ନାହିଁ କି ଅଭିଯୁକ୍ତକୁ ପଠାଇ ଦିଆଯିବ । ଏଥିରେ ଥିବା ଧାରା ୬ ଅନୁଯାୟୀ, ଯଦି ଅପରାଧ ରାଜନୈତିକ ହୋଇଥିବ ତେବେ ପ୍ରତ୍ୟାର୍ପଣ ପାଇଁ ମନା ବି କରାଯାଇ ପାରିବ । ସେହିପରି ଧାରା ୮ ଅନୁଯାୟୀ, ଯଦି ପ୍ରତ୍ୟରର୍ପଣ ନ୍ୟାୟିକ କିମ୍ବା ଦମନକାରୀ ପ୍ରକୃତିର ହୋଇଥିବ ତେବେ ଅନୁରେଧକୁ ଅସ୍ବିକାର କରାଯାଇପାରିବ । ଏମିତି ସ୍ଥିତିରେ ଭାରତ ଏହି ଦୁଇ ଧାରାକୁ ଆଧାର କରି ଯୁକ୍ତି ବଢ଼ିପାରିବ । ଅନ୍ୟପକ୍ଷେ ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡାଦେଶ ହୋଇଛି । ହେଲେ ଭାରତରେ ନୀତିଗତ ଭାବେ ମୃତ୍ୟୁଦଣ୍ଡ ବହୁତ ସୀମିତ ମାମଲାରେ ଲାଗୁ ହୋଇଥାଏ । ଯଦି ଭାରତ ହସିନାଙ୍କୁ ପ୍ରତ୍ୟାର୍ପଣ କରିବାକୁ ମନା କରିବ ତେବେ ବିଶ୍ବ ସ୍ତରରେ ଏହା ବାଂଲାଦେଶ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ହେବ । କାରଣ, ବିଶ୍ବ ସ୍ତରରେ ଏହା ବିଚାର କରାଯିବ କି ବାଂଲାଦେଶରେ ହସିନାଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତିର ନିରପେକ୍ଷତା ଓ ନ୍ୟାୟକ ମାପଦଣ୍ଡ ଉପରେ ଭାରତ ବିଶ୍ବାସ କରୁନାହିଁ ।

ଟିଟିଲାଗଡ଼ରେ ପହଞ୍ଚିଲା ହ୍ୟୁମାନ ସାଗରଙ୍କ ପାର୍ଥିବ ଶରୀର

ଟିଟିଲାଗଡ଼ରେ ପହଞ୍ଚିଲା ହ୍ୟୁମାନ ସାଗରଙ୍କ ପାର୍ଥିବ ଶରୀର

ନନ୍ଦିଘୋଷ ବ୍ୟୁରୋ: ଆରପାରିରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ହୋଇଥିଲା ପରଲୋକ । ଆଜି ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିକୁ ନିଆଯାଇଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ହ୍ୟୁମାନଙ୍କ ମରଶରୀର ପହଞ୍ଚିଛି । ତାଙ୍କୁ ହରାଇ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପୈତୃକ ଗାଁ ଡେଙ୍ଗରେ ଶ୍ରଦ୍ଧାଞ୍ଜଳି

ହ୍ୟୁମାନଙ୍କ ପାର୍ଥିବ ଶରୀର ଭୁବନେଶ୍ବରରୁ ଜନ୍ମମାଟି ତଥା ନିଜ ପୈତୃକ ଗାଁ ଡେଙ୍ଗ ନିଆଯାଇଥିଲା । ଭୁବନେଶ୍ବରରୁ ଟିଟିଲାଗଡ଼ ଯିବା ବାଟରେ ବିଭିନ୍ନ ସ୍ଥାନରେ ଲୋକେ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାରି ଭିତରେ ଡେଙ୍ଗ ଗାଁରେ ହ୍ୟୁମାନଙ୍କ ମରଶରୀର ପହଞ୍ଚିବା ବେଳେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଆତ୍ମୀୟ, ପରିଜନଙ୍କ ଆଖିରୁ ଲୁହ ଝରି ଆସିଥିଲା । ସେଠାରେ ଶେଷ ଦର୍ଶନ ପରେ ଟିଟିଲାଗଡ଼ ଅଭିମୁଖେ ବାହାରିଥିଲା ହ୍ୟୁମାନଙ୍କ ମରଶରୀରକୁ ନେଉଥିବା ଗାଡି । ଛକ ଛକରେ ଲୋକେ ଛିଡ଼ା ହୋଇ ନିଜ ପ୍ରିୟ କଣ୍ଠଶିଳ୍ପୀଙ୍କୁ ଶେଷ ବିଦାୟ ଦେଉଥିବା ଦେଖିବାକୁ ମିଳିଥିଲା । ଟିଟିଲାଗଡ଼ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ସୂଚନାଯୋଗ୍ୟ, ଏକାଧିକ ରୋଗରେ ପୀଡ଼ିତ ହୋଇ ହ୍ୟୁମାନ ସାଗର ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିଲେ । ସେଠାରେ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଥିଲା । ଏହି ଖବର ଜଣାପଡିବା ପରେ ଏମ୍ସ ପରିସରରେ ସିନେ ଜଗତର ବହୁ କଳାକାଳ, ସଙ୍ଗୀତ ଜଗତର ବ୍ୟକ୍ତି ବିଶେଷ ଓ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ସମସ୍ତେ ନିଜ ନିଜ ସ୍ତରରେ ତାଙ୍କ ସହ ବିତାଇଥିବା ସମୟକୁ ମନେ ପକାଇଥିଲେ ।

ହ୍ୟୁମାନଙ୍କ ପରଲୋକକୁ ନେଇ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।

ନକ୍ସଲ ବିରୋଧୀ ଅପରେସନରେ ବଡ଼ ସଫଳତା, ଦୁର୍ଦ୍ଦାନ୍ତ ମାଓବାଦୀ ହିଡ଼ମା ନିହତ

ନକ୍ସଲ ବିରୋଧୀ ଅପରେସନରେ ବଡ଼ ସଫଳତା, ଦୁର୍ଦ୍ଦାନ୍ତ ମାଓବାଦୀ ହିଡ଼ମା ନିହତ

ନନ୍ଦିଘୋଷ ବ୍ୟୁରୋ: ନକ୍ସଲ ବିରୋଧୀ ଅପରେସନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ଧରଣର ସଫଳତା । ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ନକ୍ସଲ ହିଡ଼ମା ନିହତ ହୋଇଥିବା ସୂଚନା ମିଳିଛି ।  ଆନ୍ଧ୍ର ପ୍ରଦେଶରେ ହୋଇଥିବା ବଡ଼ ଧରଣର ନକ୍ସଲ ବିରୋଧୀ ଅପରେସନରେ ହିଡ଼ମାର ମୃତ୍ୟୁ ଘଟିଛି ।

ଆଜି ସକାଳେ ସୀତାରାମା ରାଜୁ ଜିଲ୍ଲାର ମାରେଡୁମିଲିରେ ହୋଇଥିଲା ବଡ଼ ଧରଣର ଏନକାଉଣ୍ଟର । ଏଥିରେ ୬ ନକ୍ସଲ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ହିଡମା ଥିବା ସୂଚନା ମିଳିଛି । ହିଡ଼ମାର ପତ୍ନୀ ରାଜେ ମଧ୍ୟ ଏହି ଏନକାଉଣ୍ଟରରେ ନିହତ ହୋଇଛି । ଆନ୍ଧ୍ର, ଛତିଶଗଡ଼ ଓ ତେଲେଙ୍ଗାନା ସୀମାନ୍ତ ଜଙ୍ଗରରେ ଏହି ଏନକାଉଣ୍ଟର ହୋଇଥିଲା । ଏବେ ବି ଏନକାଉଣ୍ଟର ଜାରି ରହିଛି ।

ମାଲକାନଗିରି ସୀମାରେ ମାଓବାଦୀଙ୍କୁ ଏନକାଉଣ୍ଟର

ସେହିପରି ମାଲକାନଗିରି ସୀମାରେ ସୁରକ୍ଷାକର୍ମୀଙ୍କ ଗୁଳିଲେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସୁକୁମା ଜିଲ୍ଲା ଏରାବୋର ଜଙ୍ଗଲରେ ଗୁଳି ବିନିମୟ ଚାଲିଛି । ମାଲକାନଗିରି ଜିଲ୍ଲା ପଡିଆ ଥାନା ଆର ପଟେ ରହିଛି ଏରାବୋର ଜଙ୍ଗଲ । ଗତକାଲି ମଧ୍ୟ ଛତିଶଗଡ଼ ଜଗଦଲପୁରରେ ହୋଇଥିବା ଏନକାଉଣ୍ଟରରେ ୩ ନକ୍ସଲ ନିହତ ହୋଇଥିବା ବେଳେ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ କୁମାର ମେହେର

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ କୁମାର ମେହେର

ନନ୍ଦିଘୋଷ ବ୍ୟୁରୋ: ଡିସେମ୍ବର ୨୪ ତାରିଖରୁ ଦୁଲୁକିବ ବରଗଡ଼ । ଲାଗିବ ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ଦରବାର । ପୁଣି ଥରେ ହେବ ଧନୁଯାତ୍ରା । ମୁକ୍ତାକାଶରେ ଅଭିନୟର ଯାଦୁ ଦେଖାଇବେ କଳାକାର । ଏଥିପାଇଁ କଳାକାର ଚୟନ ଶେଷ ହୋଇଛି । ଚଳିତବର୍ଷ କଂସ ଭୂମିକାରେ ଅଭିନୟ କରିବା ପାଇଁ ସୁଶୀଲ କୁମାର ମେହେର ଚୟନ ହୋଇଛନ୍ତି । ବରଗଡ଼ ଏଡିଏମ ବିଧିବଦ୍ଧ ଭାବେ ସୁଶୀଲଙ୍କ ନାଁ ଘୋଷଣା କରିଛନ୍ତି । ୩୬ ଜଣ କଳାକାରଙ୍କୁ ପଛରେ ପକାଇ ସୁଶୀଲ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବାକୁ ମନୋନିତ ହୋଇଛନ୍ତି ।

ସୂଚନାଯୋଗ୍ୟ, କଂସ ଭୂମିକାରେ ଅଭିନୟ କରିବା ପାଇଁ ୪୪ ଜଣ କଳାକାର ଆବେଦନ କରିଥିଲେ । ତେବେ ଚୟନ ପ୍ରକ୍ରିୟାରେ ୩୬ ଜଣ କଳାକାର ଅଂଶଗ୍ରହଣ କରିଥିଲେ । ୫ ଜଣ ବିଚାରପତିଙ୍କ ସମ୍ମୁଖରେ କଳାକାରମାନେ ନିଜ ଅଭିନୟର ଯାହୁ ଦେଖାଇ ଥିଲେ । ଶେଷରେ ସୁଶୀଲଙ୍କୁ ବିଚାରକ ମଣ୍ଡଳୀ କଂସ ଚରିତ୍ର ପାଇଁ ମନୋନିତ କରିଛନ୍ତି ।

ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ତିନିଦିନ ଧରି ଧନୁଯାତ୍ରା ପାଇଁ କଳାକାର ଚୟନ କରାଯାଇଥିଲା । ଏଥିପାଇଁ ୨୯୧ ଜଣ ଆବେଦନ କରିଥିଲେ । ନଭେମ୍ବର ୧୫ ତାରିଖରେ ଦେବକୀ, ନାରଦ, ଚାଣୁର, ମୁଷ୍ଟିକ, ସାର୍ତ୍ତକୀ, ବସୁଦେବ, ଅକ୍ରୁର ଏବଂ ଉଗ୍ରସେନ ଭୂମିକା ପାଇଁ କଳାକାର ଚୟନ ହୋଇଥିଲା । ୧୬ ତାରିଖରେ ମହାମନ୍ତ୍ରୀ ଓ ସେନାପତି ପାଇଁ କଳାକାର ଚୟନ କରାଯାଇଥିଲା । ୧୭ ତାରିଖରେ କଂସ ଭୂମିକା ପାଇଁ କଳାକାର ଚୟନ କରାଯାଇଛି । ସୂଚନାଯୋଗ୍ୟ, ଚଳିତବର୍ଷ ଚୟନ ହୋଇଥିବା କଳାକାରମାନେ ଆଗାମୀ ତିନିବର୍ଷ ପର୍ଯ୍ୟନ୍ତ ଅଭିନୟ କରିବେ । ଏହାପରେ ପୁଣି ଥରେ କଳାକାର ଚୟନ କରାଯିବ ।

ଅଲ୍ ଫଲାହ ବିଶ୍ବବିଦ୍ୟାଳୟରେ ଇଡି ରେଡ୍, ତଥ୍ୟ ଦେଖି ଉଡ଼ିଲା ସମସ୍ତଙ୍କ ହୋସ୍

ଅଲ୍ ଫଲାହ ବିଶ୍ବବିଦ୍ୟାଳୟରେ ଇଡି ରେଡ୍, ତଥ୍ୟ ଦେଖି ଉଡ଼ିଲା ସମସ୍ତଙ୍କ ହୋସ୍

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବ୍ଲାଷ୍ଟ ପରେ ବଢ଼ିବାରେ ଲାଗିଛି ଅଲ୍ ଫଲାହ ବିଶ୍ବବିଦ୍ୟାଳୟର ସମସ୍ୟା । ଏଠାରେ କାର୍ଯ୍ୟରତ ଡକ୍ଟର ଆତଙ୍କବାଦୀ କାର୍ଯ୍ୟପଳାପରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହେବା ପରେ ସୁରକ୍ଷା ଏଜେନ୍ସି ବିଶ୍ବବିଦ୍ୟାଳୟ ଉପରେ କଡ଼ା ନଜର ରଖିଛନ୍ତି । ଆଜି ସକାଳୁ ସକାଳୁ ବିଶ୍ବବିଦ୍ୟରଳୟର ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି । ଦିଲ୍ଲୀର ଓଖଲା ଜାମିଆ ନଗର ସମେତ ୨୫ଟି ସ୍ଥାନରେ ଚଢାଉ ଜାରି ରହିଛି । ସକାଳ ୫ଟାରୁ ଅଲ ଫଲାହ ବିଶ୍ବବିଦ୍ୟାଳୟ, ଏହାର ଟ୍ରେଜେରୀ ଓ ଏହା ସହ ଜଡିତ ବ୍ୟକ୍ତି ଏବଂ ସଂସ୍ଥାରେ ଚାଲିଛି ସର୍ଚ୍ଚ ଅପରେସନ ।

ଅଲ ଫଲାହ ଗ୍ରୁପ ସହ ଜଡିତ ଆର୍ଥିକ ଅନିୟମିତତା, ସେଲ କମ୍ପାନୀର ବ୍ୟବହାର, ନକଲି ଦେଣନେଣ ଓ ମନି ଲଣ୍ଡରିଂ ଅଭିଯୋଗକୁ ଆଧାର କରି ଚଢ଼ାଉ ଜାରି ରହିଛି । ଚଢାଉ ସମୟରେ ଯାଞ୍ଚକାରୀ ଟିମ୍ ଗ୍ରୁପ ସହ ଜଡ଼ିତ ୯ଟି ସନ୍ଦିଗ୍ଧ ସେଲ କମ୍ପାନୀଙ୍କ ଗତିବିଧିକୁ ତର୍ଜମା କରାଯାଉଛି । ଏସବୁ କମ୍ପାନୀ ଗୋଟିଏ ଠିକଣାରେ ରେଜିଷ୍ଟ୍ରି ହୋଇଥିବା ଜଣାପଡ଼ିଛି । ପ୍ରାରମ୍ଭିକ ଯାଞ୍ଚରୁ ଏମିତି ଏକାଧିକ ତଥ୍ୟ ମିଳିଛି, ଯାହା ସେଲ କମ୍ପାନୀ ଚଲାଯିବାକୁ ଇଙ୍ଗିତ କରୁଛି ।

ଯାଞ୍ଚରୁ କ’ଣ ଜଣାପଡ଼ିଛି ?

୧. ଘୋଷିତ କମ୍ପାନୀରେ କର୍ମଚାରୀ ନାହାନ୍ତି କି ପାଣି, ବିଦ୍ୟୁତ ବ୍ୟବହାର ହୋଇଛି ।

୨. ଅଲଗା ଅଲଗା କମ୍ପାନୀ ପାଇଁ ଗୋଟିଏ ମୋବାଇଲ ନମ୍ବର ଓ ଗୋଟିଏ ଇ-ମେଲ୍ ବ୍ୟବହାର ହୋଇଛି ।

୩. ଇପିଏଫଓ/ଇଏସଆଇସିର କୌଣସି ରେକର୍ଡ ନାହିଁ । କାଗଜରେ ବଡ଼ କାରବାର ଦେଖାଯାଇଛି ।

୪. ଏକାଧିକ କମ୍ପାନୀରେ ସମାନ ଡାଇରେକ୍ଟର, ସାଇନେଟାରୀ, କେଓ୍ବାଇସି ରେକର୍ଡ ବି ବହୁତ ଦୁର୍ବଳ ଥିବା ତଥ୍ୟ ମିଳିଛି ।

୫. ବ୍ୟାଙ୍କ ଖାତାରେ ନାମକୁ ମାତ୍ର ଟ୍ରାଞ୍ଜାକ୍ସନ ହୋଇଛି ।

୬. ଏଚଆର ରେର୍କଡ ନଥିବା ସହିତ ସମାନ ।

୭. କମ୍ପାନୀ ଗଠନରେ ଗୋଟିଏ ପ୍ରକାର ଟାଇମଲାଇନ୍ ଓ କମନ କଣ୍ଟାକ୍ଟ ଡିଟେଲ୍ସ ରହିଛି ।

ସୂଚନାଯୋଗ୍ୟ, ସନ୍ଦିଗ୍ଧ ଦେଣନେଣକୁ ଲୁଚାଇବାକୁ ଏସବୁ କମ୍ପାନୀ ଗଠନ କରାଯାଇଥିବା ଯାଞ୍ଚ ଟିମ୍ ସନ୍ଦେହ କରୁଛନ୍ତି ।

UGC ଓ NAAC ମାନ୍ୟତାକୁ ନେଇ ପ୍ରଶ୍ନ

କେବଳ ସେତିକି ନୁହେଁ ତଦନ୍ତକାରୀ ଟିମଙ୍କୁ ପ୍ରାଥମିକ ଯାଞ୍ଚରୁ UGC ଓ NAAC ମାନ୍ୟତାକୁ ନେଇ ଗ୍ରୁପ୍ ଦ୍ବାରା କରାଯାଇଥିବା ଦାବିରେ ବି ଘୋଟାଲା ଥିବା ତଥ୍ୟ ମିଳିଛି । ଏହାକୁ ନେଇ ସମ୍ପୃକ୍ତ ଅଧିକାରୀଙ୍କୁ ଅଲଗା ପଚରାଉଚରା କରାଯାଇଛି । ଯାଞ୍ଚ ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ କ’ଣ ନିଆଯିବ ତାହା ସ୍ଥିର ହେବ ବୋଲି ତଦନ୍ତକାରୀ ଟଇମ୍ କହିଛନ୍ତି ।

ସୂଚନାଯୋଗ୍ୟ, ହ୍ବାଇଟ ଟେରର ମଡ୍ୟୁଲକୁ ନେଇ ଅଲ୍ ଫଲାହ ବିଶ୍ବବିଦ୍ୟାଳୟ ତଦନ୍ତର କେନ୍ଦ୍ରରେ ରହିଛି । ଏହା ପୂର୍ବରୁ ଚଞ୍ଚକତା, ଠକେଇକୁ ନେଇ ଦିଲ୍ଲୀ ପୋଲିସ ବିଶ୍ବବିଦ୍ୟାଳୟ ବିରୋଧରେ ଦୁଇଟି ମାମଲା ରୁଜୁ କରି କୁଳପତିଙ୍କ ଦୁଇ ଥର ସମନ କରିସାରିଛି । ଦିଲ୍ଲୀ ବ୍ଲାଷ୍ଟ ସହ ଜଡିତ ବ୍ୟକ୍ତି ବିଶ୍ବବିଦ୍ୟାଳ ସହ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଯାହାକୁ ନେଇ ତଦନ୍ତକାରୀ ଟିମ୍ ବିଶ୍ବବିଦ୍ୟାଳୟର କୁଣ୍ଡଳୀ ବାହାର କରୁଛି ।

ଜବରଦଖଲ ଉପରେ ଶୀଘ୍ର ବୁଲିବ ବୁଲଡୋଜର

ଦିଲ୍ଲୀ ବ୍ଲାଷ୍ଟ ତଦନ୍ତ ଯେମିତି ଆଗକୁ ବଢୁଛି ଆଲ ଫଲାହ ବିଶ୍ବବିଦ୍ୟାଳୟକୁ ନେଇ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି । ବିଶ୍ବବିଦ୍ୟାଳୟରେ ବଡ଼ ଧରଣର ନିୟମ ଉଲ୍ଲଂଘନ କରାଯାଇଥିବା ତଦନ୍ତକାରୀ ଟିମ୍ ସନ୍ଦେହ କରୁଛନ୍ତି । ଏହି କାରଣରୁ ପ୍ରଶାସନ ବିଶ୍ବବିଦ୍ୟାଳୟ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂରା ପ୍ରସ୍ତୁତି ଆରମ୍ଭ କରି ଦେଇଛି । ତଦନ୍ତ ବେଳେ ବିଶ୍ବବିଦ୍ୟାଳୟରେ ଏକାଧିକ ନିର୍ମାଣ ବିନା ଅନୁମୋଦନରେ କରାଯାଇଥିବା ଜଣାପଡ଼ିଛି । ଯାହା ଉପରେ ଶୀଘ୍ର ବୁଲଡୋଜର ବୁଲିବା ନେଇ ମଧ୍ୟ ଅନୁମାନ କରାଯାଉଛି ।

ଘର ଉପରେ ଚଢୁଛି ବୁଲଡୋଜର, ବସ୍ତି ବାସିନ୍ଦା ଆଖିରୁ ଝରୁଛି ଲୁହ

ଘର ଉପରେ ଚଢୁଛି ବୁଲଡୋଜର, ବସ୍ତି ବାସିନ୍ଦା ଆଖିରୁ ଝରୁଛି ଲୁହ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ସାଲିଆସାହିରେ ଚାଲିଛି ଉଚ୍ଛେଦ । କଡ଼ା ସୁରକ୍ଷା ଭିତରେ ଚାଲିଛି ଜବରଦଖଲ ଉଚ୍ଛେଦ । ବୁଲଡୋଜର ଚଢାଇ ଭଙ୍ଗା ଯାଉଛି ବସ୍ତି ବାସିନ୍ଦାଙ୍କ ଘର । ତେବେ ଶୀତ ଦିନେ ବିନା ଥଇଥାନରେ ଏପରି ଉଚ୍ଛେଦକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଆଜି ଭୋରୁ ସାଲିଆସାହିରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ । ସାମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ନିଆଯାଇଛି କଡା ସୁରକ୍ଷା ବ୍ୟବସ୍ଥା । ଘଟଣା ସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଘର ଭାଙ୍ଗି ଚାଲିଛି ବୁଲଡୋଜର । ଆଖି ଆଗରେ ମାଟିରେ ମିଶୁଛି ସେଠାରେ ରହୁଥିବା ଲୋକଙ୍କ ଘର ।

ତେବେ ଶୀତଦିନେ ଏପରି ଉଚ୍ଛେଦକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଲୋକଙ୍କୁ ଥଇଥାନ କରା ନଯାଇ ଏପରି ଉଚ୍ଛେଦକୁ ନାପସନ୍ଦ କରିଛନ୍ତି ଲୋକେ । ବର୍ତ୍ତମାନ ସାରା ରାଜ୍ୟ ଜାଡ଼ରେ ଥରୁଥିବା ବେଳେ ଏବେ ପିଲା, ଛୁଆ ନେଇ କୁଆଡ଼େ ଯିବେ, କେଉଁଠି ରହିବେ ସେହି ଚିନ୍ତା ଲୋକଙ୍କୁ ଘାରିଛି । ଏପରିକି କିଛି ଲୋକ ଘର ଭାଙ୍ଗା ଦେଖି ଭୋ ଭୋ ହୋଇ କାନ୍ଦୁଥିବା ବି ନଜରକୁ ଆସିଛି ।

ଭାରତୀୟଙ୍କୁ ଝଟକା ଦେଲା ଇରାନ, ବନ୍ଦ କରିଦେଲା କିଛି ଗୁରୁତ୍ୱପୂର୍ଣ୍ଣ ସୁବିଧା…

ନନ୍ଦିଘୋଷ ବ୍ୟୁରୋ ; ମୁସଲିମ ଦେଶ ଇରାନ ଭାରତୀୟଙ୍କୁ ଝଟକା ଦେଇଛି ।  ଭିସାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଇରାନ ସାଧାରଣ ଭାରତୀୟ ପାସପୋର୍ଟ ଧାରକଙ୍କ ପାଇଁ ଭିସା-ମୁକ୍ତ ସୁବିଧାକୁ ସ୍ଥଗିତ ରଖିଛି। ଭାରତୀୟ ନାଗରିକମାନଙ୍କୁ ଚାକିରି କିମ୍ବା ଅନ୍ୟ ଦେଶକୁ ଯାତ୍ରା କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଇରାନକୁ ଚାଲାଣ କରାଯାଉଥିବା ରିପୋର୍ଟ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।

ସୋମବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଇରାନର ଏହି ପଦକ୍ଷେପ ଘୋଷଣା କରିଛି। ଏକ ବିବୃତ୍ତିରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ସରକାର ଏପରି ଅନେକ ମାମଲା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି ଯେଉଁଥିରେ ଭାରତୀୟ ନାଗରିକମାନଙ୍କୁ ନିଯୁକ୍ତି କିମ୍ବା ତୃତୀୟ ଦେଶକୁ ସ୍ଥାନାନ୍ତରର ମିଥ୍ୟା ପ୍ରଲୋଭନରେ ଇରାନକୁ ପଠାଯାଇଛି। କିପରି ଅନେକ ଭାରତୀୟଙ୍କୁ ଇରାନରେ ପହଞ୍ଚିବା ପାଇଁ ଭିସା ଛାଡ଼ ବ୍ୟବହାର କରି ପ୍ରତାରିତ କରାଯାଇଥିଲା ଏବଂ ପହଞ୍ଚିବା ପରେ, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମୁକ୍ତକୃପା ପାଇଁ ଅପହରଣ କରାଯାଇଥିଲା ଏହି ସମ୍ପର୍କରେ ମନ୍ତ୍ରଣାଳୟ ବର୍ଣ୍ଣନା କରିଛି ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇରାନ ସରକାର ସାଧାରଣ ଭାରତୀୟ ପାସପୋର୍ଟ ଧାରକଙ୍କ ପାଇଁ ଭିସା ଛାଡ ସୁବିଧାକୁ ସ୍ଥଗିତ କରିଛି, ଯାହା ୨୨ ନଭେମ୍ବର ୨୦୨୫ରୁ ଲାଗୁ ହେବ। ମନ୍ତ୍ରଣାଳୟ କହିଛି ଯେ ଅପରାଧୀ ଗୋଷ୍ଠୀମାନଙ୍କ ଦ୍ୱାରା ଭିସା ଛାଡ ସୁବିଧାର ଅପବ୍ୟବହାର ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଏମଇଏ ଆହୁରି କହିଛି, ଏହି ତାରିଖଠାରୁ, ସାଧାରଣ ପାସପୋର୍ଟଧାରୀ ଭାରତୀୟ ନାଗରିକମାନଙ୍କୁ ଇରାନ ଦେଇ ପ୍ରବେଶ କିମ୍ବା ପରିବହନ ପାଇଁ ଭିସା ପାଇବାକୁ ପଡିବ। ମନ୍ତ୍ରଣାଳୟ ଇରାନ ଯାତ୍ରା କରିବାକୁ ଚାହୁଁଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଏକ ପରାମର୍ଶ ମଧ୍ୟ ଜାରି କରିଛି, ଯେଉଁଥିରେ ସେମାନଙ୍କୁ ସତର୍କ ରହିବାକୁ ଏବଂ ଭିସା-ମୁକ୍ତ ଯାତ୍ରାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରୁଥିବା ଏଜେଣ୍ଟମାନଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ଇରାନରେ ଠକେଇପୂର୍ଣ୍ଣ ଚାକିରି ପ୍ରସ୍ତାବ ବିଷୟରେ ଭାରତ ସରକାର ଏହାର ନାଗରିକମାନଙ୍କୁ ସତର୍କ କରାଇବା ଏହା ପ୍ରଥମ ଥର ନୁହେଁ। ଠକେଇପୂର୍ଣ୍ଣ ଚାକିରି ପ୍ରସ୍ତାବ ବାହାନାରେ ଇରାନରେ ଅନେକ ଭାରତୀୟଙ୍କୁ ଅପହରଣ କରାଯାଇଥିବା ରିପୋର୍ଟ ପରେ ବୈଦେଶିକ ମନ୍ତ୍ରଣାଳୟ ସେପ୍ଟେମ୍ବରରେ ଏକ ପରାମର୍ଶ ଜାରି କରିଥିଲା। ଏମଇଏ ଭାରତୀୟ ନାଗରିକମାନଙ୍କୁ “ଅତ୍ୟନ୍ତ ସତର୍କତା” ଅବଲମ୍ବନ କରିବାକୁ ଏବଂ ଏପରି ଫାଶରେ ପଡ଼ିବାରୁ ରକ୍ଷା ପାଇବାକୁ ପରାମର୍ଶ ଦେଇଥିଲା।

ଏମଇଏ ବିବୃତ୍ତିରେ କୁହାଯାଇଛି, ଏପରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ତୃତୀୟ ଦେଶରେ ଚାକିରି କିମ୍ବା ନିଯୁକ୍ତିର ମିଥ୍ୟା ପ୍ରତିଶ୍ରୁତି ଦେଇ ଭାରତୀୟ ନାଗରିକମାନଙ୍କୁ ଇରାନକୁ ଚାଲାଣ କରାଯାଇଛି।

ବିବୃତ୍ତିରେ ଆହୁରି କୁହାଯାଇଛି ଯେ ରିପୋର୍ଟ ଅନୁଯାୟୀ, ଭାରତୀୟ ନାଗରିକମାନଙ୍କୁ ଇରାନରେ ପହଞ୍ଚିବା ପରେ ଅପରାଧୀ ଗୋଷ୍ଠୀମାନେ ଅପହରଣ କରିଥିଲେ ଏବଂ ସେମାନଙ୍କ ପରିବାରଠାରୁ ମୁକ୍ତ ଟଙ୍କା ଦାବି କରାଯାଇଥିଲା। ସରକାର ଏହାର ନାଗରିକମାନଙ୍କୁ ଏକ କଠୋର ଚେତାବନୀ ଜାରି କରି ସ୍ପଷ୍ଟ କରିଛନ୍ତି ଯେ ଇରାନ କେବଳ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଭାରତୀୟମାନଙ୍କୁ ଭିସା-ମୁକ୍ତ ପ୍ରବେଶ ଅନୁମତି ଦିଏ। ସରକାର କହିଛନ୍ତି ଯେ ଭିସା-ମୁକ୍ତ ପ୍ରବେଶ ନାମରେ ଚାକିରି କିମ୍ବା ଅନ୍ୟାନ୍ୟ ପ୍ରଲୋଭନ ଦେଉଥିବା ଯେକୌଣସି ଏଜେଣ୍ଟ ଅପରାଧୀ ଗୋଷ୍ଠୀ ସହିତ ସମ୍ପୃକ୍ତ ହେବାର ସମ୍ଭାବନା ରହିଛି।

ଏମଇଏ କହିଛି, ତେଣୁ ଭାରତୀୟ ନାଗରିକମାନେ ଏପରି ପ୍ରସ୍ତାବର ଶିକାର ହେବା ଉଚିତ୍ ନୁହେଁ। ଗତ ମାସରେ, ଚାରି ଜଣ ଗୁଜରାଟ ବାସିନ୍ଦା ତେହେରାନରେ ବନ୍ଧକ ରହିବା ପରେ ଘରକୁ ଫେରି ଆସିଥିଲେ। ଏହି ଚାରି ଜଣ ବ୍ୟକ୍ତି – ଅଜୟକୁମାର ଚୌଧୁରୀ (୩୧), ପ୍ରିୟବେନ ଚୌଧୁରୀ (୨୫), ଅନିଲକୁମାର ଚୌଧୁରୀ (୩୫), ଏବଂ ନିଖିଲକୁମାର ଚୌଧୁରୀ (୨୮) – ଜଣେ ତୃତୀୟ-ପକ୍ଷ ଏଜେଣ୍ଟଙ୍କ ମାଧ୍ୟମରେ ଏମିରେଟ୍ସ ଏୟାରଲାଇନ୍ସରେ ବ୍ୟାଙ୍କକ ଏବଂ ଦୁବାଇ ଦେଇ ତେହେରାନ ଯାତ୍ରା କରିଥିଲେ। ତେହେରାନର ଇମାମ ଖୋମେନି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ଚାରି ଜଣଙ୍କୁ ଅପହରଣ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି।

ଅପହରଣକାରୀମାନେ ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମାଡ଼ ମାରିବା ସହିତ ପ୍ରାୟ ୨ କୋଟି ଟଙ୍କା ମୁକ୍ତକ ଦାବି କରିବା ସହିତ ଆକ୍ରମଣର ଏକ ଭିଡିଓ ସେମାନଙ୍କ ପରିବାରକୁ ପଠାଇଥିବା ଅଭିଯୋଗ ହୋଇଛି।

ଏହି ପ୍ରସଙ୍ଗଟି ଗ୍ରାମ ମୁଖିଆ ଉଠାଇଥିଲେ, ଯିଏ ମାନସାର ବିଧାୟକ ଜୟନ୍ତୀଭାଇ ସୋମନଭାଇ ପଟେଲଙ୍କୁ ଜଣାଇଥିଲେ, ଯେଉଁଠାରେ ଚାରିଜଣ ବାସିନ୍ଦା ଥିଲେ। ତା’ପରେ ପଟେଲ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ତାଙ୍କ ଉପ-ହର୍ଷ ସାଂଘଭି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଯୋଗାଯୋଗ କରିଥିଲେ। ଭାରତ ଏବଂ ଇରାନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ଯୋଗୁଁ ଚାରିଜଣଙ୍କୁ ମୁକ୍ତ କରାଯାଇଥିଲା।

ସାଉଦି ବସ୍ ଦୁର୍ଘଟଣାରୁ ବଞ୍ଚିଯାଇଥିଲେ ଜଣେ ବ୍ୟକ୍ତି, କିପରି ଘଟଣା ଏହି ଚମତ୍କାର ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରୋ ; ସାଉଦିରେ ଏକ ବଡ ଦୁର୍ଘଯଣା ଫଳରେ ୪୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିନ୍ତୁ ୨୪ ବର୍ଷୀୟ ମହମ୍ମଦ ଅବଦୁଲ ସୋଏବ ମକ୍କାରୁ ମଦିନା ଯାଉଥିବା ବସ୍‌ରେ ଶୋଇପାରିନଥିଲେ  । ସମସ୍ତେ କିନ୍ତୁ ଶୋଇପଡିଥିଲେ । ତେଣୁ, ସେ ଡ୍ରାଇଭରଙ୍କ ପାଖରେ ଥିବା ସିଟ୍‌କୁ ଯାଇଥିଲେ ।  ତାଙ୍କର ଅନିଦ୍ରା ରହିବା ହୁଏତ ତାଙ୍କ ଜୀବନ ବଞ୍ଚାଇ ଦେଇଥାଇପାରେ। ଦୁର୍ଘଟଣା ଘଟିବା ସମୟରେ ସୋଏବ ଓ ବସ୍ ଡ୍ରାଇଭର ବସରୁ ଡେଇଁ ପଡ଼ିଥିଲେ।

ନାମପାଲିର ହଜ୍ ହାଉସରେ ସୂଚନା ପାଇଁ ଅପେକ୍ଷା କରିଥିବା ସୋଏବଙ୍କ ନିକଟ ସମ୍ପର୍କୀୟ ମହମ୍ମଦ ତହସୀନ କହିଛନ୍ତି, “ଆମେ ସକାଳ ପ୍ରାୟ ୫.୩୦ ସମୟରେ ସୋଏବଙ୍କଠାରୁ ଏକ ଫୋନ୍ ପାଇଲୁ, ଯେଉଁଥିରେ ସେ କହିଥିଲେ ଯେ ସେ କୌଣସି ପ୍ରକାରେ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି  । ଯେତେବେଳେ ଅନ୍ୟ ସମସ୍ତେ ନିଆଁରେ ଫସି ରହିଛନ୍ତି। ପରେ, ଆମକୁ ସୂଚନା ଦିଆଯାଇଥିଲା ଯେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ତେଣୁ ଆମେ ତାଙ୍କ ସହିତ ଯୋଗାଯୋଗ କରିପାରିଲୁ ନାହିଁ।”

ତାଙ୍କ ସମ୍ପର୍କୀୟ ତହସୀନ କହିଛନ୍ତି, ସୋଏବ ବସ୍ ରୁ ଡେଇଁ ପଡ଼ି ଆହତ ହୋଇଥିଲେ ଏବଂ ବର୍ତ୍ତମାନ ମଦିନାର ଏକ ଜର୍ମାନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।

ହାଇଦ୍ରାବାଦର ଝିରାର ନଟରାଜନଗର କଲୋନିର ବାସିନ୍ଦା ସୋଏବ ତାଙ୍କ ପିତାମାତା ଅବଦୁଲ କାଦିର (୫୬) ଏବଂ ଗୌସିଆ ବେଗମ (୪୬), ତାଙ୍କ ଜେଜେବାପା ମହମ୍ମଦ ମୌଲାନା ଏବଂ ତାଙ୍କ କାକାଙ୍କ ପରିବାରର ଅନ୍ୟ ଚାରି ସଦସ୍ୟଙ୍କ ସହିତ ଉମରା ପାଇଁ ସାଉଦି ଆରବ ଯାଇଥିଲେ।

ତୀର୍ଥଯାତ୍ରୀମାନେ ମକ୍କାରେ ସେମାନଙ୍କର ଉମରାହ ରୀତି ସମାପ୍ତ କରିଥିଲେ ଏବଂ ଦୁର୍ଘଟଣା ଘଟିବା ସମୟରେ ବସ୍ ଯୋଗେ ମଦିନା ଯାତ୍ରା କରୁଥିଲେ। ସମସ୍ତ ମୃତକ ହାଇଦ୍ରାବାଦର ଥିଲେ। ତୀର୍ଥଯାତ୍ରୀଙ୍କ ସମ୍ପର୍କୀୟମାନେ ବସ୍‌ରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ମଙ୍ଗଳ କାମନା କରିବା ପାଇଁ ହଜ୍ ହାଉସ୍ ନିକଟକୁ ଧାଇଁ ଆସିଥିଲେ। କିଛି ଲୋକ ଆଶା ନେଇ ଟ୍ରାଭେଲ୍ ଅପରେଟର ଏବଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଧାଇଁ ଯାଇଥିଲେ। ତଥାପି, ସୋଏବଙ୍କୁ ଛାଡ଼ି ଦେଲେ, କୌଣସି ଭାରତୀୟ ଯାତ୍ରୀ ବଞ୍ଚି ପାରି ନଥିଲେ।