spot_img
Home Blog Page 258

ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି କାଲି ସରୁଛି ପ୍ରଚାର ; କେନ୍ଦ୍ରକୁ ଖଡଗେଙ୍କ ଶାଣିତ ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ : ପ୍ରଚାରରେ କମ୍ପୁଛି ବିହାର ମଇଦାନ। ଆସନ୍ତା ୬ରେ ପ୍ରଥମ ପର୍ଯ୍ୟାୟ ଭୋଟ। ଆସନ୍ତାକାଲି ସରିବ ପ୍ରଚାର। ଭୋଟରଙ୍କ ମନ ଜିଣିବା ଲାଗି ଚାଲିଛି ଟକ୍କର। ପ୍ରଚାରରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିହାରବାସୀ ମହାଗଠବନ୍ଧନକୁ ପ୍ରତ୍ୟାଖ୍ୟାନ କରି ଜଙ୍ଗଲରାଜରୁ ଦୂରେଇବା ସହ ପରିବାରରାଜରୁ ବିହାରକୁ ମୁକ୍ତ କରିବା ଲାଗି ସେ ଆହ୍ବାନ କରିଛନ୍ତି। ବିହାରକୁ ବିକାଶ ମାର୍ଗରେ ପରିଚାଳିତ କରାଯିବ ଏବଂ କେନ୍ଦ୍ର ସରକାର ସମସ୍ତ ସୁଯୋଗ ସୃଷ୍ଟି କରିବେ ବୋଲି ସେ କହିଛନ୍ତି। ତେଣେ ରାଜ୍ୟରେ ଡିଫେନ୍ସ କରିଡର, ବନ୍ୟା ଆୟୋଗ ଗଠନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ।

ତେଣେ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏନଡିଏକୁ କରିଛନ୍ତି ଶାଣିତ ସମାଲୋଚନା। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି- ବିରୋଧୀ ଦଳମାନଙ୍କୁ ଅପମାନ ଦିଆଯାଉଛି। ବିହାରରେ ଏକ ଅପମାନ ମନ୍ତ୍ରାଳୟ ପ୍ରତିଷ୍ଠା କରାଯାଉ। ବିହାରରେ ଦୁର୍ନୀତି, ଅପରାଧ ବୃଦ୍ଧି ପାଉଛି ଏବଂ ବିହାର ସରକାର ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲରେ ଚାଲୁଛି ବୋଲି କହିଛନ୍ତି ପ୍ରିୟଙ୍କା। ଏହା ସହ ବିଭିନ୍ନ ସ୍ଥାନରେ ଜେଏମଏମ ସୁପ୍ରିମୋ ହେମନ୍ତ ସୋରେନଙ୍କ ସହ ପ୍ରିୟଙ୍କା କରିଛନ୍ତି ପ୍ରଚାର। ପ୍ରଚାର ଅବସରରେ କଂଗ୍ରେସ ନେତା ତଥା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର କହିଛନ୍ତି- ଏଥର ନୀତୀଶ ସରକାରର ପତନ ଘଟିବ। ତେଜସ୍ବୀଙ୍କୁ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ କରନ୍ତୁ ବୋଲି କହିଛନ୍ତି ଶିବକୁମାର।

ସେପଟେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ସମାଲୋଚନା କରିଛନ୍ତି ଭାଇ ତେଜପ୍ରତାପ ଯାଦବ। ତେଜସ୍ବୀ ଏବେ ବି ଶିଶୁ ଅବସ୍ଥାରେ ଅଛନ୍ତି ଏବଂ ତାଙ୍କ କ୍ଷୀରଖିଆ ଦାନ୍ତ ଏଯାଏ ପଡିନି। ତାଙ୍କ ଭୁଲଗୁଡିକୁ କ୍ଷମା ଦିଆଯାଉ ବୋଲି କହିଛନ୍ତି ତେଜପ୍ରତାପ। ଯଦି ମହୁଆବାସୀ ଚାହାଁନ୍ତି ତେବେ ଏଥର ସେ ମୁଖ୍ୟମନ୍ତ୍ରୀ ହୋଇପାରିବେ ବୋଲି କହିଛନ୍ତି ତେଜପ୍ରତାପ।

ଆସନ୍ତା ୬ରେ ହେବ ଭୋଟ  । ପ୍ରଥମ ପର୍ଯ୍ୟାୟରେ ୨୪୩ ଆସନରୁ ୧୮ ଜିଲ୍ଲାର ୧୨୧ ଆସନରେ ହେବ ଭୋଟ  । ମଇଦାନରେ ଅଛନ୍ତି ୧ ହଜାର ୩୧୪ ପ୍ରାର୍ଥୀ  । ସେମାନଙ୍କ ମଧ୍ୟରେ ୧୩୩ ଜଣ ହେଉଛନ୍ତି ମହିଳା  । ପ୍ରଥମ ପର୍ଯ୍ୟାୟରେ ଦୁଇ ଉପମୁଖ୍ଯମନ୍ତ୍ରୀ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀ, ଆରଜେଡି ନେତା ତେଜସ୍ବୀ ଯାଦବ, ଭାଇ ତେଜପ୍ରତାପ ଯାଦବଙ୍କ ସମେତ ବହୁ ହେଭିୱେଟଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।

ରାଜଧାନୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ରାଜଧାନୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ । ଚନ୍ଦକା ଥାନା ଅଞ୍ଚଳରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପରିବାର ଲୋକେ ଆଣିଲେ ଗର୍ଭପାତ ଓ ବଧୂହତ୍ୟା ଅଭିଯୋଗ । ବିବାହର ୬ ମାସ ନପୁରୁଣୁ ଘରୁ ବାହାରିଲା ମୃତଦେହ । ମୃତ ମହିଳା ହେଲେ ଝରଣା ବେହେରା । ଗତ ମେ ମାସରେ ଚନ୍ଦକା ଅଞ୍ଚଳର ମାନସ ବେହେରାଙ୍କୁ ବିବାହ କରିଥିଲେ । ଝିଅ ଗର୍ଭବତୀ ଥିବାରୁ ଗର୍ଭପାତ କରିବାକୁ ବାଧ୍ୟ କରୁଥିଲେ ଶାଶୂଘର ଲୋକେ । ଝିଅ ମନା କରିବାରୁ ମିଛ କହି ଗର୍ଭ ନିରୋଧକ ମେଡିସିନି ଦେଇଥିଲେ । ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ବିଭିନ୍ନ କାରଣରୁ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ବାପା । ଗତକାଲି ରାତିରେ ଝିଅ ମୃତ୍ୟୁ ହୋଇଥିବା ନେଇ ଫୋନ ପାଇଥିଲେ । ଘଟଣା ପରଠୁ ଝରଣାଙ୍କ ସ୍ୱାମୀ ଫେରାର ଅଛନ୍ତି । ସ୍ୱାମୀଙ୍କ ପରକିୟା ପ୍ରୀତି ଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୃତ ଝରଣାଙ୍କ ବାପା । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ତଦନ୍ତ କରୁଛି ଚନ୍ଦକା ପୋଲିସ ।

ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଓଡ଼ିଆ ଯୁବକ ଅପହୃତ

ନନ୍ଦିଘୋଷ ବ୍ୟୁରୋ : ସୁଦାନରେ ଓଡ଼ିଆ ଅପହୃତ। ଜଗତସିଂହପୁରର ଆଦର୍ଶ ବେହେରା ନାମକ ଜଣେ ଯୁବକଙ୍କୁ ଅପହରଣ କରିଛନ୍ତି ରାପିଡ ସପୋର୍ଟ ଫୋର୍ସ ବା ଆରଏସଏଫ। ଜାରି ହୋଇଥିବା ଫଟୋରେ ଦୁଇ ଆରଏସଏଫ ଯବାନଙ୍କ ମଝିରେ ବସିଛନ୍ତି ଆଦର୍ଶ। ସେମାନଙ୍କ ଭିତରୁ ଜଣେ ଯବାନ ଆଦର୍ଶଙ୍କୁ ଶାହାରୁଖ ଖାଁକୁ ଜାଣିଛନ୍ତି କି ବୋଲି ପ୍ରଶ୍ନ କରିଥୂବା ସୂଚନା ମିଳିଛି। ଅନ୍ୟ ଜଣେ ଯବାନ ଆରଏସଏଫ ନେତା ମହମ୍ମଦ ହାମଦାନ ଦାଗାଲୋଙ୍କ ନାଁରେ ଜୟଧ୍ବନି କରିବାକୁ କହିଥିବା ଜଣାଯାଇଛି।

ଖାରତୋମରୁ ୧୦୦୦ କିଲୋମିଟର ଦୂର ଅଲ ଫାସିର ସହରରୁ ୩୬ ବର୍ଷ ବୟସ୍କ ଆଦର୍ଶଙ୍କୁ ଅପହରଣ କରିନିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଆରଏସଏଫର ଦୁର୍ଗ କୁହାଯାଉଥିବା ନ୍ୟାଲା ସିଟିକୁ ନିଆଯାଇଥିବା କୁହାଯାଉଛି। ଗତ ୨୦୨୨ରୁ ସୁଦାନରେ ଆଦର୍ଶ ସୁକରାତି ପ୍ଲାଷ୍ଟିକ କାରଖାନାରେ ଚାକିରି କରୁଥିବା କହିଛନ୍ତି ପତ୍ନୀ ସୁସ୍ମିତା। ତାଙ୍କର ୨ଟି ସନ୍ତାନ ରହିଛନ୍ତି। ତାଙ୍କୁ ଉଦ୍ଧାର କରିବା ଲାଗି ଓଡ଼ିଶା ସରକାରଙ୍କ ନିକଟରେ ଆଦର୍ଶ ଅନୁରୋଧ କରିଥିବା ଜଣାଯାଇଛି। ଗତ ମାର୍ଚ୍ଚ ୨୨ରେ ଏସଏଏଫ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇଥିଲା। ୨୦୨୩ରୁ ବର୍ତ୍ତମାନ ସୁଦ୍ଧା ସୁଦାନରେ ସୁଦାନିଜ ଆର୍ମଡ ଫୋର୍ସେସ ବା ଏସଏଏଫ ଓ ଆରଏସଏଫ ମଧ୍ୟରେ ସଂଘର୍ଷ ଜାରି ରହିଛି। ସଂଘର୍ଷକୁ ନେଇ ସୁଦାନ ରାଜଧାନୀ ଖାର୍ତୋମ ହେଲାଣି ଧ୍ବସ୍ତବିଧ୍ବସ୍ତ। ସଂଘର୍ଷ ଯୋଗୁ ବିସ୍ଥାପିତ ହେଲେ ୧୩ ନିୟୁତରୁ ଅଧିକ ଲୋକ।

ତେଲଙ୍ଗାନାରେ ମର୍ମନ୍ତୁଦ ବସ ଦୁର୍ଘଟଣା : ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ତେଲଙ୍ଗାନାରେ ମର୍ମନ୍ତୁଦ ବସ ଦୁର୍ଘଟଣା। ରଂଗାରେଡ୍ଡି ଜିଲ୍ଲା ଚେଭଲା ନିକଟରେ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ବସରେ ଥିଲେ ପ୍ରାୟ ୭୦ ଜଣ ଯାତ୍ରୀ। ଭୟଙ୍କର ସଡ଼କ ଦୁର୍ଘଟଣାରେ ଟିପ୍ପର ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଚେଭେଲା ମଣ୍ଡଳର ମିର୍ଜାଗୁଡ଼ା ନିକଟରେ ହାଇଦ୍ରାବାଦ-ବିଜାପୁର ରାଜପଥରେ ଏହି ଦୁଃଖଦ ଘଟଣା ଘଟିଛି।

ତନ୍ଦୁର ଡିପୋରୁ ସରକାରୀ ବସ୍ ବାହାରି ଯାଉଥିବାବେଳେ ପଥର ବୋଝେଇ ଟିପ୍ପର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର ଥିଲା ଯେ ଟିପ୍ପର ଟ୍ରକରେ ବୋଝେଇ ପଥର ବସ୍ ଭିତରେ ଆସି ପଡ଼ିଥିଲା। ଫଳରେ ଅନେକ ଯାତ୍ରୀ ଚାପି ହୋଇଯାଇଥିଲେ। ଟିପ୍ପର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ୭୦ରୁ ଅଧିକ ଯାତ୍ରୀ ଥିଲେ। ଧକ୍କା ଯୋଗୁଁ ବସ୍ ଭିତରେ କାନ୍ଦବୋବାଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଏବଂ ପୋଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଚେଭେଲାର ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତୁରନ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।.

ଉତ୍ତେଜନା ଭିତରେ ଜାରି ହେଲା ଗ୍ରେଟର ଆଫଗାନିସ୍ତାନର ମାନଚିତ୍ର , ଆହୁରି ବଢିପାରେ ବିବାଦ !

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ, ଆଫଗାନିସ୍ତାନ ଉପ-ସ୍ୱରାଷ୍ଟ୍ର ମନ୍ତ୍ରୀ ମହମ୍ମଦ ନବି ଓମାରି ଏକ ସରକାରୀ କାର୍ଯ୍ୟକ୍ରମରେ ଗ୍ରେଟର ଆଫଗାନିସ୍ତାନର ମାନଚିତ୍ର ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୮ ତାରିଖରେ ପାକିସ୍ତାନ ସୀମା ନିକଟରେ ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ହୋଇଥିଲା।

ଭିଡିଓରେ ସାମରିକ ପୋଷାକ ପିନ୍ଧିଥିବା ଦୁଇଜଣ ପିଲା ମନ୍ତ୍ରୀଙ୍କୁ ଏକ ଢାଲ ପ୍ରଦାନ କରୁଥିବାର ଦେଖାଯାଉଛି। ଏହି ଢାଲରେ ଆଫଗାନିସ୍ତାନର ଏକ ମାନଚିତ୍ର ଦର୍ଶାଯାଇଛି, ଯେଉଁଥିରେ ପାକିସ୍ତାନର ଖାଇବର ପଖତୁନଖ୍ୱା, ବେଲୁଚିସ୍ତାନ ଏବଂ ଗିଲଗିଟ-ବାଲ୍ଟିସ୍ତାନର ଅଞ୍ଚଳ ଅନ୍ତର୍ଭୁକ୍ତ। ହେଲେ ଏହି ଗ୍ରେଟର ଆଫଗାନିସ୍ତାନ ମାନଚିତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଆହୁରି ବଢିପାରେ ବିବାଦ !

ଏହି ଭିଡିଓ ଭାଇରାଲ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ତଥାପି, ପାକିସ୍ତାନ ଏବଂ ଆଫଗାନିସ୍ତାନ ବର୍ତ୍ତମାନ ଯୁଦ୍ଧବିରତି ପାଳନ କରୁଛନ୍ତି। କିଛି ସପ୍ତାହ ପୂର୍ବେ ଦୋହା ଆଲୋଚନା ପରେ ମଧ୍ୟ, ତାଲିବାନ ସ୍ପଷ୍ଟ ଭାବରେ କହିଥିଲା ​​ଯେ ଡୁରାଣ୍ଡ ରେଖାକୁ ଏକ ଅନ୍ତର୍ଜାତୀୟ ସୀମା ଭାବରେ ସ୍ୱୀକାର କରେ ନାହିଁ। ଅନ୍ୟପଟେ ଆଫଗାନିସ୍ତାନ କହିଛି ଯେ, ଏହା ଦୁଇ ଦେଶ ମଧ୍ୟରେ ସୀମା ବିବାଦ ରହିଛି, କିନ୍ତୁ ପାକିସ୍ତାନ ଦାବି କରୁଛି ଯେ ଏହି ସମସ୍ୟାର ସମାଧାନ ବହୁ ପୂର୍ବରୁ ହୋଇସାରିଛି ଏବଂ ଡୁରାଣ୍ଡ ରେଖା ହେଉଛି ପ୍ରକୃତ ସୀମା।

ଡୁରାଣ୍ଡ ରେଖା କ’ଣ?

୧୮୯୩ ମସିହାରେ ବ୍ରିଟିଶ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଡୁରାଣ୍ଡ ରେଖା ସୃଷ୍ଟି ହୋଇଥିଲା। ଏହାକୁ ବ୍ରିଟିଶ ଅଧିକାରୀ ସାର୍ ହେନେରୀ ମୋର୍ଟିମର ଡୁରାଣ୍ଡଙ୍କ ନାମରେ ନାମିତ କରାଯାଇଥିଲା। ସେତେବେଳେ ଆଫଗାନିସ୍ତାନର ଅମୀର ଅବଦୁଲ ରହମାନ ଖାନ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ ଯାହା ବ୍ରିଟିଶ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ସ୍ଥାପନ କରିଥିଲା।

ଆଫଗାନିସ୍ତାନ ଏବେ ବି କହୁଛି ଯେ ଏହି ସୀମା ବ୍ରିଟିଶମାନେ ବଳପୂର୍ବକ ଟାଣିଥିଲେ। ଏହି ରେଖା ପଶ୍ଚିମରେ ଇରାନରୁ ପୂର୍ବରେ ଚୀନ ସୀମା ପର୍ଯ୍ୟନ୍ତ ଲମ୍ବିଛି। ଗୋଟିଏ ପାର୍ଶ୍ୱରେ ୧୨ଟି ଆଫଗାନ ପ୍ରଦେଶ ଅଛି, ଏବଂ ଅନ୍ୟ ପାର୍ଶ୍ୱରେ ପାକିସ୍ତାନର ଖାଇବର ପଖତୁନଖ୍ୱା, ବେଲୁଚିସ୍ତାନ ଏବଂ ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳ ଅଛି।

ଆଫଗାନିସ୍ତାନ କାହିଁକି ଡୁରାଣ୍ଡ ରେଖାକୁ ଗ୍ରହଣ କରୁନାହିଁ?

ଏକ ବୃହତ୍ ଆଫଗାନିସ୍ତାନର ଧାରଣା ବହୁତ ପୁରୁଣା। ଯେତେବେଳେ 1947 ମସିହାରେ ପାକିସ୍ତାନ ସୃଷ୍ଟି ହୋଇଥିଲା, ଆଫଗାନିସ୍ତାନ ଏହାକୁ ତୁରନ୍ତ ସ୍ୱୀକୃତି ଦେଇନଥିଲା କାରଣ ଡୁରାଣ୍ଡ ରେଖା ପାସ୍ତୁନ ଜନଜାତିଙ୍କୁ ଦୁଇଟି ଭାଗରେ ବିଭକ୍ତ କରିଥିଲା, ଅଧା ପାକିସ୍ତାନରେ ଏବଂ ଅଧା ଆଫଗାନିସ୍ତାନରେ। ଆଫଗାନ ଲୋକମାନେ ଏହି ବିଭାଜନକୁ କେବେ ଗ୍ରହଣ କରିନଥିଲେ।

ଆଫଗାନିସ୍ତାନର ଶେଷ ରାଜା ମହମ୍ମଦ ଜାହିର ଶାହଙ୍କ ଶାସନ କାଳରେ ମଧ୍ୟ ସଂସଦ ଏହି ସୀମାକୁ ବିରୋଧ କରିଥିଲା। ଦୁଇ ଦେଶ ମଧ୍ୟରେ ସାମ୍ପ୍ରତିକ ବିବାଦ ପରଠାରୁ, ପାକିସ୍ତାନ ୧୦ ଲକ୍ଷରୁ ଅଧିକ ଆଫଗାନ ଶରଣାର୍ଥୀଙ୍କୁ ବାହାର କରିଦେଇଛି।

୧୩ ଜୀବନ ନେଲା ମଦ୍ୟପ ଡ୍ରାଇଭର , ଯମ ପରି ଆସିଲା ଦଳି ଦେଇଗଲା

ନନ୍ଦିଘୋଷ ବ୍ୟୁରୋ : ଜୟପୁରରେ ମଦ୍ୟପ ଡ୍ରାଇଭରର କାରନାମା । ୫ କିମି ଯାଏଁ ୧୩ ଜଣଙ୍କୁ ଦଳି ଦେଲା ଡ୍ରମ୍ପର ଡ୍ରାଇଭର । ସୋମବାର ଦିନ ରାଜସ୍ଥାନର ଜୟପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣ ପ୍ରାଣ ହରାଇଛନ୍ତି। ପ୍ରାୟ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସମସ୍ତେ ଜୟପୁରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣାର ଏକ ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ଦ୍ରୁତଗାମୀ ଡମ୍ପର ମୃତ୍ୟୁ ପରି ରାସ୍ତାରେ ମାଡ଼ି ଯାଉଥିବାର ଦେଖାଯାଉଛି। ରିପୋର୍ଟ ଅନୁଯାୟୀ ଡମ୍ପରଟି ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଏହି ବେଗରେ ଚାଲିଥିଲା ​​ଏବଂ ୫୦ ଜଣଙ୍କୁ ଧକ୍କା ଦେଇଥିଲା। କେତେକଙ୍କୁ ସାମାନ୍ୟ ଆଘାତ ଲାଗିଥିଲା, ଯେତେବେଳେ ୩୫ ଜଣ ଗୁରୁତର ଆହତ ହୋଇଥିଲେ, ଯେଉଁଥିରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମିଳୁନି ନ୍ୟାୟ ; ପୀଡିତାଙ୍କୁ ଜୀବନରୁ ମାରିଦେବାକୁ ଧମକ

ନନ୍ଦିଘୋଷ ବ୍ୟୁରୋ : ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମିଳୁନି ନ୍ୟାୟ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଆସି ନ୍ୟାୟ ଭିକ୍ଷା କଲେ ଯୁବତୀ । ଗତ ସେପ୍ଟେମ୍ବର ୨ ତାରିଖରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ପଞ୍ଚାୟତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା । ପୀଡିତା ଛେଳି ଚରାଇବାକୁ ଯାଇଥିବା ବେଳେ ଗାଁର ଜଣେ ଯୁବକ ଅକ୍ଷୟ ନାୟକ ଜୋରଜବରଦସ୍ତ ଏକ କୁଡିଆ ଘରକୁ ନେଇ ପୀଡିତାକୁ ଦୁର୍ଷ୍କମ କରିଥିଲେ । ଏନେଇ ପୀଡିତା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ସଂପୃକ୍ତ ଯୁବକ ପୀଡିତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପୀଡିତା ୩ତାରିଖ ଦିନ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୁର୍ଷ୍କମ ଘଟଣାକୁ ୨ମାସ ବିତିଯାଇଥିଲେ ସୁଦ୍ଧା ଚାନ୍ଦିଲି ପୁଲିସ ଦୁର୍ଷ୍କମକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ତେବେ ପୀଡିତାକୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ପରିବାର ଲୋକ ଦାବି କରିଛନ୍ତି ।

ପାଇଖାନା ଟାଙ୍କିରେ ପଡି ୩ ଶିଶୁଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : କଟକ ଜିଲ୍ଲା ବଡମ୍ବା ବ୍ଲକ ରଗଡିପଡା ଗାଁରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କିରେ ପଡି ୩ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ନାବାଳକ ଥିବା ବେଳେ ଜଣେ ନାବାଳିକା ରହିଛନ୍ତି । ମୃତକ ତିନି ଜଣ ହେଲେ ବଡମ୍ବା ଥାନା ବଡ଼ବାରେଣା ଓ ଇଛାପୁର ଗାଁର ଶୁଭମ ନାୟକ , ଶିବାନୀ ନାୟକ ଓ ଅଙ୍କିତ ନାୟକ । ସମସ୍ତଙ୍କୁ ବଡମ୍ବା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ ସହ ପୃଥକ ପୃଥକ ଅପମୃତ ମାମଲା ରୁଜୁ କରିଛି । ଏନେଇ ଆଠଗଡ଼ ଏସଡିପିଓ ବିଶ୍ୱଜିତ ମହାନ୍ତି ସୂଚନା ଦେଇଛନ୍ତି ।

ଆମାଜନ କର୍ମଚାରୀଙ୍କ ଲାଗି ବ୍ଲାକ ମଣ୍ଡେ ; ୧୪ ହଜାର କର୍ମଚାରୀ ବିଦା

ନନ୍ଦିଘୋଷ ବ୍ୟୁରୋ : ଆମାଜନ କର୍ମଚାରୀଙ୍କ ଲାଗି ବ୍ଲାକ ମଣ୍ଡେ। କେଇ କ୍ଷଣ ଭିତରେ ଛଟେଇ ହୋଇଗଲେ ୧୪ ହଜାର କର୍ମଚାରୀ। ସାରା ବିଶ୍ବରେ ଏହି ବଡ଼ ଧରଣର ଛଟେଇ ହୋଇଛି। ସକାଳୁ ସକାଳୁ ଏହି ମେସେଜ ପାଇ ଛାନିଆ ହୋଇଯାଇଥିଲେ ବିଶ୍ବର ଅନ୍ୟତମ ସର୍ବବୃହତ କମ୍ପାନୀର କର୍ମଚାରୀ। ସକାଳୁ ଆସିଥିବା ଦୁଇଟି ଟେକ୍ସଟ ମେସେଜରେ ଏହି ଛଟେଇ ହୋଇଛି। ପ୍ରଥମେ କର୍ମଚାରୀଙ୍କ ନିକଟକୁ ଆସିଥିଲା ଏକ ମେସେଜ। ସେଥିରେ ଲେଖାଥିଲା ଅଫିସ ଯିବା ପୂର୍ବରୁ ନିଜର ବ୍ୟକ୍ତିଗତ ବା ଅଫିସ ମେଲ ଚେକ କରନ୍ତୁ। ଏହାର କିଛି ମିନଟ ପରେ ଆସିଥିଲା ଆଉ ଏକ ମେସେଜ। ସେଥିରେ ଲେଖାଥିଲା- ଯଦି ଇ-ମେଲ ମେସେଜ ପାଇନାହାନ୍ତି ତେବେ ହେଲ୍ପଡେସ୍କ ନମ୍ବରକୁ ଫୋନ କରନ୍ତୁ। ଏହା ସହ ସେମାନଙ୍କର ବ୍ଯାଜଗୁଡ଼ିକୁ ବି ଡିଆକ୍ଟିଭେଟ କରିଦିଆଯାଇଥିଲା। କମ୍ପାନୀର ଏହି ଧରଣର ଛଟେଇ ପ୍ରକ୍ରିୟାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ଏହି ଧରଣର ମନୋବୃତ୍ତି ଗୁଗୁଲ ଓ ଟେସଲାରେ ବି ଦେଖିବାକୁ ମିଳୁଛି। ଗତବର୍ଷଠାରୁ ଆମାଜନର ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା

ବାଘ ଛାଲ ଡିଲ ବେଳେ ମାଡିବସିଲା ସ୍ପେଶାଲ କ୍ରାଇମ ୟୁନିଟ୍

ନନ୍ଦିଘୋଷ ବ୍ୟୁରୋ : ତାରକା ହୋଟେଲରେ ଖାଉଥିଲେ, ରାଜଧାନୀରେ ଡିଲ କରୁଥିଲେ । ବାଘ ଛାଲ ଡିଲ ବେଳେ ମାଡିବସିଲା ସ୍ପେଶାଲ କ୍ରାଇମ ୟୁନିଟ । ମୁଖ୍ୟ ଅଭିଯୁକ୍ତ ରୋହିତ ମହାପାତ୍ର, ମଞ୍ଜିତ ସାବତ ଓ ଶମ୍ଭୁ ବିଶୋଇଙ୍କୁ ଗିରଫ କରାଯାଇଛି । ଜବତ ବାଘ ଛାଲର ଦାମ ହେଉଛି ୩୦ ଲକ୍ଷ ଟଙ୍କା । କାରବାର କରିଥିଲେ ଦଲାଲଙ୍କୁ ମିଳିଥାନ୍ତା ୫ ଲକ୍ଷ ଟଙ୍କା। ତାରକା ହୋଟେଲରୁ ବାହାରି ସାଲିଆ ସହି ବସ୍ତି ଭିତରେ କାରବାର ବେଳେ ୩ ଅଭିଯୁକ୍ତଙ୍କୁ କାବୁ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଡିସିପି ଅନୁପ କାନୁନଗୋଙ୍କ ନେତୃତ୍ୱରେ ହୋଇଥିଲା ଚଢ଼ାଉ । ତେବେ ବାଘଟିକୁ ବାହାର ରାଜ୍ୟରେ ମାରି ଏଠାକୁ ଅଣାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର । ଏ ନେଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣିବା ପରେ ବାଘ ମୃତ୍ୟୁ ସହ ଶରୀରର ଅନ୍ୟ ଅଂଶ କୁ କେଉଁଠାରେ ଓ କେତେ ଟଙ୍କାର ବିକ୍ରି କରାଯିବ, ସେ ନେଇ ଅଧିକ ସୂଚନା ମିଳିପାରିବ ବୋଲି କହିଛନ୍ତି ପୋଲିସ କମିଶନର ।