spot_img
Home Blog Page 2493

ଦକ୍ଷିଣଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ କମାଲ କରିବେ ଏହି ୩ ନୂଆ ଖେଳାଳି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ ଇଣ୍ଡିଆ । ଟି-୨୦ ମ୍ୟାଚରେ ବିରାଟ ଏବଂ ରୋହିତ ଶର୍ମା ଖେଳିବେ ନାହିଁ । ଯୁବ ଖେଳାଳିଙ୍କୁ ନେଇ ଦଳ ମଇଦାନକୁ ଓହ୍ଲାଉଥିବାବେଳେ ଦଳର ବିଦେଶୀ ମାଟିରେ  ପ୍ରଦର୍ଶନ କିଭଳି ରହିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ ଦିନିକିଆରେ ତିନି ଜଣ ନୂଆ ଖେଳାଳି ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ରିଙ୍କୁ ସିଂ, ସାଇ ସୁଦର୍ଶନ ଏବଂ ରଜତ ପଟିଦାର ଦଳରେ ସ୍ଥାନ ପାଇଛନ୍ତି । ଦୀର୍ଘଦିନ ପରେ ପୁଣିଥରେ ଦଳରେ ସାମିଲ ହୋଇଛନ୍ତି ସଞ୍ଜୁ ସାମସନ। ସାଇ ସୁଦର୍ଶନ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ହୋଇଥିବାବେଳେ ଘରୋଇ ମାଟିରେ ତାଙ୍କ ଭଲ ରେକର୍ଡ ରହିଛି । ଏପରକି ବୋଲିଂ ମଧ୍ୟ କରିବାର ଦକ୍ଷତା ରହିଛି ।

ରିଙ୍କୁ ସିଂଙ୍କ କଥା ଯଦି କହିବା ତାହେଲେ ସେ ଆଇପିଏଲ ,ବଂ ଟି-୨୦ କ୍ରିକେଟରେ ଅନେକ ରେକର୍ଡ କରିଛନ୍ତି । ସୀମିତ ଓଭର ମ୍ୟାଚରେ ସେ ବଡ଼ ପାଳି ଖେଳିବା ସହ ଭଲ ଫିଲ୍ଡିଂ କରନ୍ତି । ଜଣେ ଭଲ ମ୍ୟାଚ ଫିନିସରଭାବେ ତାଙ୍କର ରେକର୍ଡ ରହିଛି । ୮ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଥିବାବେବଳେ ରିଙ୍କୁଙ୍କ ଷ୍ଟ୍ରାଇକ ରେଟ୍ ୨୦୦ ରହିଛି । ବଲକୁ ସାମନା କରିବାବେଳେ ସବୁବେଳେ ଆକ୍ରମଣାତ୍କକ ଢ଼ଙ୍ଗରେ ଖେଳିଥାନ୍ତି । ସେପଟେ ରଜତ ପଟିଦାରଙ୍କ କଥା ଯଦି କହିବା ତାହେଲେ ସେ ମଧ୍ୟ ଜଣେ ଭଲ ଖେଳାଳି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ଲିଷ୍ଟ ଏ ରେ ତାଙ୍କ ରେକର୍ଡ ଭଲ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଦଳରେ ସାମିଲ ହୋଇଥିବାବେଳେ ତାଙ୍କ ପ୍ରଦର୍ଶନ କିଭଳି ରହିବ ତାଉପରେ ରହିଛି ନଜର ।

 

ରୂପାନ୍ତରିତ ହେବ ରାଜଧାନୀର ସବୁ ଶ୍ମଶାନ

ଭୁବନେଶ୍ୱର: ଭୁବନେଶ୍ୱରରେ ବଦଳିବ ଶ୍ମଶାନର ରୂପରେଖ। ରୂପାନ୍ତରିତ ହେବ ରାଜଧାନୀର ସବୁ ଶ୍ମଶାନ। ସତ୍ୟନଗର ଶ୍ମଶାନର ହେବ ନବକଳେବର। ଇଲେକ୍ଟ୍ରିକ ଚୁଲା ଉଠାଯିବା ସହ ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବଦାହ ପାଇଁ ବ୍ୟବସ୍ଥା କରିବ ବିଏମସି। ଏଥିପାଇଁ ସତ୍ୟନଗର ଶ୍ମଶାନରେ ଭିତ୍ତିସ୍ଥାପନ କରିଛନ୍ତି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ।

୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନର ପୁନରୁଦ୍ଧାର କରିବାକୁ ବିଏମସି ଯୋଜନା ରଖିଛି। ଶ୍ମଶାନକୁ ଆସୁଥିବା ଲୋକ ଯେପରି ସମସ୍ତ ସୁବିଧା ପାଇପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ଏହାସହ କବର ସ୍ଥାନର ମଧ୍ୟ ନବୀକରଣ କରାଯିବ। ଶ୍ମଶାନ ଭିତରେ ଅଧିକ ଗଛ ଲଗାଇବା, ପୋଖରୀ ଓ ସୌନ୍ଦର୍ଯ୍ୟକରଣ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି ବିଏମସି।

ବାଣପୁର ଭଗବତୀଙ୍କ ମନ୍ଦିରର ନବକଳେବର ଆରମ୍ଭ, ଶୁଭାରମ୍ଭ କଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ

ଖୋର୍ଦ୍ଧା: ବାଣପୁରର ଆରାଧ୍ୟ୍ୟ ଦେବୀ ମାଆ ଭଗବତୀଙ୍କ ମନ୍ଦିରର ନବକଳେବର କାମ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ନଡ଼ିଆ ବାଡ଼େଇ ଶୁଭାରମ୍ଭ କରିଛନ୍ତି। ତାଙ୍କ ସହ ବିଜେଡି ପର୍ଯ୍ୟବେକ୍ଷକ ସୌମ୍ୟ ଶଙ୍କର ଚକ୍ର  ଓ ବାଣପୁର ନଗରପାଳ ମିଟୁ ନାୟକ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଫାଇଭ- ଟି ଯୋଜନାରେ ଝଲସିବ ମାଆ ଭଗବତୀଙ୍କ ମନ୍ଦିର। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୩୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।  ଏହି ଅର୍ଥରେ ମାଆ ଭଗବତୀଙ୍କ ମନ୍ଦିରର ନବକଳେବର କରାଯିବ । ରାଜ୍ୟ ସରକାରଙ୍କ ଓଡ଼ିଶା ବ୍ରିଜ୍‌ ଆଣ୍ଡ କନଷ୍ଟ୍ରକ୍ସନ ବିଭାଗ ଆଜିଠାରୁ କାମ ଆରମ୍ଭ କରିଛି । ମାଆ ଭଗବତୀଙ୍କ ମନ୍ଦିରର ଗର୍ଭ ଗୃହ, ନାଟମଣ୍ଡପ, ଓ ଜଗ ମୋହନର ନବୀକରଣ କରାଯିବ ।

ସେହିପରି ପୋଳକାଶୁଣି ମନ୍ଦିର, ଜଗନ୍ନାଥ ମନ୍ଦିର, ଶ୍ରୀରାମ ମନ୍ଦିର, ବିରଜା ମନ୍ଦିର, ମାଆ ଭୈରବୀ ମନ୍ଦିର, ଦୋଳବେଦିର ଓ ସିଂହଦ୍ୱାରର ନବକଳେବର କରାଯିବ । କାମର ଶୁଭାରମ୍ଭ କରିବା ସହିତ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପରାମର୍ଶ ଦେଇଛନ୍ତି । ପୀଠର ବିକାଶ ପାଇଁ ମାଷ୍ଟରପ୍ଲାନକୁ ଗତ ମାର୍ଚ୍ଚ ୨୦ତାରିଖରେ ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପର୍ଯ୍ୟଟନ ସ୍ଥଳ ଓ ଐତିହ୍ୟ କିର୍ତ୍ତିରାଜୀର ସମନ୍ବିତ ବିକାଶ ଯୋଜନାରେ ପୀଠକୁ ସାମିଲ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା ଭଗବତୀ ପୀଠ ନବମ ଶତାବ୍ଦୀରେ ନିର୍ମିତ।

ଏହାର ରୂପାନ୍ତରଣ ପାଇଁ 5T ଉପକ୍ରମରେ ମାଷ୍ଟରପ୍ଲାନ ଅନୁସାରେ ସିଂହଦ୍ବାରଠୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆର ବିକାଶ ସହ ସହ ମନ୍ଦିରର ବିକାଶ ପାଇଁ ସ୍ବତନ୍ତ୍ର ଫୋକସ କରାଯାଇଛି। ଏହାଛଡ଼ା ବହୁମୁଖୀ ହଲ, ରାସ୍ତା ଓ ନଦୀଘାଟ ଆଦିର ବିକାଶ କରାଯିବ। ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପାଦନ ପାଇଁ ଟାର୍ଗେଟ୍ ରଖାଯାଇଛି। ପୂର୍ବରୁ ଫାଇଭ୍-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ପୀଠକୁ ଗସ୍ତକରି ମନ୍ଦିରର ବିକାଶ ପାଇଁ ସେବାୟତ, ସ୍ଥାନୀୟ ଲୋକ ଓ ପ୍ରଶାସନ ସହିତ ଆଲୋଚନା କରିଥିଲେ।

ପାରାଦୀପ ବନ୍ଦରରୁ ଜବତ ହେଲା ୨ଶହ କୋଟି ଟଙ୍କାର କୋକେନ

ପାରାଦୀପ: ପାରାଦୀପ ବନ୍ଦରରୁ ଜବତ ହେଲା ୨ଶହ କୋଟି ଟଙ୍କାର କୋକେନ। ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଛି କଷ୍ଟମସ ବିଭାଗ। ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଏହି ଜାହାଜ ଡେନମାର୍କ ଯାଇଥାନ୍ତା।

ତେବେ ଷ୍ଟିଲ ପ୍ଲେଟ ଲୋଡ଼ କରୁଥିବା ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମସ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣା ପଡ଼ିଥିଲା । ପ୍ରଥମେ ୮ଟି ପ୍ୟାକେଟ ମିଳିଥିବା ବେଳେ ପରେ ୧୪ଟି ପ୍ୟାକେଟ ପାଇଥିଲେ ଯାଞ୍ଚ କରୁଥିବା ଅଧିକାରୀ । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଛି। ଜାହାଜକୁ ଜବତ କରି ତଦନ୍ତ କରୁଛନ୍ତି ବିଭିନ୍ନ ଯାଞ୍ଚ ଏଜେନ୍ସି ।

ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଜାହାଜରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଓ କୁଆାଡ଼େ ଯାଇଥାନ୍ତା ତାକୁ ନେଇ ଖୋଳତାଡ଼ କରାଯାଉଛି। ଓଡ଼ିଶାରୁ ଏତେ ଟଙ୍କାର କୋକେନ ଜବତ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି।

୮ଟି ସନ୍ତାନର ମାଆ ହେବା ଲାଗି ମହିଳାଙ୍କୁ ଆହ୍ବାନ, ଋଷ ରାଷ୍ଟ୍ରପତିଙ୍କ ଅଜବ ନିୟମ

ମସ୍କୋ: ଋଷ-ୟୁକ୍ରେନ ଯୁଦ୍ଧ ପରେ କମିଲେଣି କି ଋଷ ଜନସଂଖ୍ୟା? ସାରା ବିଶ୍ବରେ ଜନସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ହୋଇଥିବାବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଇଛନ୍ତି ବିଚିତ୍ର ଆହ୍ବାନ। ଏପରିକି ୮ଟି ସନ୍ତାନର ମାଆ ହେବା ଲାଗି ମହିଳାମାନଙ୍କୁ ଆହ୍ବାନ ଦେଇଛନ୍ତି ପୁଟିନ। ବଡ ପରିବାର ସୃଷ୍ଟି ଲକ୍ଷ୍ୟରେ ଏହି ଆହ୍ବାନ ଦିଆଯାଇଛି। ବିଶ୍ବ ଋଷୀୟ ଜନଗଣ ପରିଷଦ ବୈଠକରେ ଯୋଗଦେଇ ପୁଟିନ ଏହା କହିଛନ୍ତି ।

୧୯୯୦ ପରଠାରୁ କ୍ରମାଗତ ଭାବେ ଋଷର ଜନସଂଖ୍ୟା ହ୍ରାସ ପାଉଥିବାବେଳେ ଗତବର୍ଷ ଫେବ୍ରୁଆରୀରେ ଋଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶର ପ୍ରାୟ ୩ ଲକ୍ଷ ଲୋକ ମୃତାହତ ହୋଇଛନ୍ତି । ଜନସଂଖ୍ୟା ବୃଦ୍ଧି ହେଲେ ଦେଶରେ ସ୍ବାଭାବିକ ସ୍ଥିତି ଫେରିପାରିବ ବୋଲି କହିଛନ୍ତି ପୁଟିନ। ସେ କହିଛନ୍ତି ଦେଶର ବହୁଭାଷାଭାଷୀ ପରିବାରରେ ୪, ୫ କିମ୍ବା ଅଧିକ ସନ୍ତାନ ଥିବା ଦେଖାଯାଏ। ଅତୀତରେ ପରିବାରରେ ୭, ୮ କିମ୍ବା ଅଧିକ ସନ୍ତାନ ରହୁଥିଲେ। ମାତ୍ର ବର୍ତ୍ତମାନ ସେହି ସଂଖ୍ୟା ହ୍ରାସ ପାଉଥିବାରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଉଛି। ରାଷ୍ଟ୍ର ଓ ସମାଜର ଭିତ୍ତି ସୃଦୃଢ଼ କରିବା ଲାଗି ଏହା ଜରୁରୀ ବୋଲି ସେ କହିଛନ୍ତି।

ଯଦିଓ ଯୁଦ୍ଧ ପ୍ରସଙ୍ଗରେ ପୁଟିନ ପ୍ରତ୍ୟକ୍ଷ ଭାବେ ଉଲ୍ଲେଖ କରିନାହାନ୍ତି ତଥାପି ଯୁଦ୍ଧ ଲାଗି ଦେଶର ଜନସଂଖ୍ୟା ପ୍ରଭାବିତ ହୋଇଥିବା କୁହାଯାଇଛି । ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ତଥ୍ୟ ଅନୁସାରେ ୟୁକ୍ରେନରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ପାର୍ ହୋଇଛି । ଗତ ଜାନୁଆରୀ ୧ ତାରିଖରେ ଋଷର ଜନସଂଖ୍ୟା ୧୪ କୋଟି ୬୪ ଲକ୍ଷ ଥିବାବେଳେ ଏହି ସଂଖ୍ୟା ୧୯୯୯ ତୁଳନାରେ କମ୍ ଥିବା ସୂଚନା ମିଳିଛି ।

ଜଳବାୟୁଜନିତ ବିପର୍ଯ୍ୟୟ ମୁକାବିଲା; ଗରିବ ରାଷ୍ଟ୍ରଙ୍କୁ ସହାୟତା କରିବା ଲାଗି ହେବ ପାଣ୍ଠି

ନୂଆଦିଲ୍ଲୀ: ଜଳବାୟୁଜନିତ ବିପର୍ଯ୍ୟୟର ମୁକାବିଲା ଲାଗି ଗରିବ ରାଷ୍ଟ୍ରଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଗଠନ ହେବ ପାଣ୍ଠି। ଜାତିସଂଘ ଜଳବାୟୁ ସମ୍ମିଳନୀରେ ଏନେଇ ହୋଇଛି ସହମତି। ଦୁବାଇରେ ଅନୁଷ୍ଠିତ ସିଓପି୨୮ ସମ୍ମିଳନୀରେ ପ୍ରାୟ ୨୦୦ ଦେଶର ପ୍ରତିନିଧି ଯୋଗଦେଇଥିବାବେଳେ ଗରିବ ରାଷ୍ଟ୍ରଙ୍କ ପ୍ରତି ସମ୍ମିଳନୀରେ ପୋଷଣ କରାଯାଇଛି ଅନୁକମ୍ପା ।

ଦୁବାଇ ଘୋଷଣାନାମା ଅନୁସାରେ କାର୍ଯ୍ୟ ଚାଲିବ ବୋଲି କହିଛନ୍ତି ସିଓପି୨୮ ସଭାପତି ସୁଲତାନ ଅହମ୍ମଦ ଅଲ ଜାବର। ଏହା ସହ ଜଳବାୟୁ ମୁକାବିଲା ଲାଗି ପାଣ୍ଠି ଗଠନ ସକାଶେ ବିଭିନ୍ନ ରାଷ୍ଟ୍ର ସହଯୋଗର ହାତ ବଢାଇଛନ୍ତି । ପାଣ୍ଠି ବାବଦରେ ସିଓପି ୨୮ର ଆୟୋଜକ ୟୁଏଇ ୧୦୦ ନିୟୁତ ଡଲାର ଦେବ । ସେହିପରି ବ୍ରିଟେନ ୫୧ ନିୟୁତ ଡଲାର, ଆମେରିକା ୧୭.୫ ନିୟୁତ ଡଲାର ଓ ଜାପାନ ୧୦ ନିୟୁତ ଡଲାର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି।

ଏହା ସହ ୟୁରୋପୀୟ ୟୁନିଅନ ୨୪୫ ଦଶମିକ ୩୯ ନିୟୁତ ଡଲାର, ଜର୍ମାନୀ ୧୦୦ ନିୟୁତ ଡଲାର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି । ଜଳବାୟୁଜନିତ ସମସ୍ୟାର ମୁକାବିଲା କରିବାରେ ଗରିବ ରାଷ୍ଟ୍ର ସର୍ବଦା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସହାୟତା ଲାଗି ଅଧିକାଂଶ ରାଷ୍ଟ୍ର ବିଭିନ୍ନ ଦେଶ ନିକଟରେ ହାତ ପତାଇବା ଦେଖାଯାଉଛି । ସିଓପି୨୮ ହେଉଛି ଜାତିସଂଘ ଜଳବାୟୁ ସମ୍ମିଳନୀର ୨୮ତମ ବୈଠକ। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦୁବାଇରେ ଅନୁଷ୍ଠିତ ଏହି ସମ୍ମିଳନୀ ୩୦ ନଭେମ୍ବରରୁ ଡିସେମ୍ବର ୧୨ ଯାଏ ଚାଲିବ।

ଓଡ଼ିଶା ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ। ଗତକାଲି ସମସ୍ତ ୫ ଓଡ଼ିଆ ଶ୍ରମିକ ଋଷିକେଶ ଏମ୍ସରୁ ଡିସଚାର୍ଜ ହେବା ପରେ ଦିଲ୍ଲୀ ଆସି ଓଡ଼ିଶା ଭବନରେ ରହିଥିଲେ। ଆଜି ୪ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆଣି ଭୁବନେଶ୍ବରରେ ପହଞ୍ଚିଛନ୍ତି ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ। ସେପଟେ ଅନ୍ୟଜଣେ ଓଡ଼ିଆ ଶ୍ରମିକ ପରେ ଆସିବା ନେଇ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ସହ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ରହି ଶ୍ରମିକଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ।  ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେବା ପରେ ଚିକିତ୍ସାଧୀନ ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗତକାଲି ହସ୍ପିଟାଲରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଶ୍ରମିକଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ । ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପଚାରି ବୁଝିଥିଲେ।

ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଜଣାଇଛନ୍ତି ଶ୍ରମିକ ଓ ସେମାନଙ୍କ ପରିବାର।

ଘନୀଭୂତ ହେଉଛି ଓ୍ବେଲମାର୍କ ଲୋ ପ୍ରେସର; ୩ ସୁଦ୍ଧା ବାତ୍ୟାରେ ପରିଣତ ହେବ

ଭୁବନେଶ୍ୱର: ଅବପାତର ରୂପ ନେଲା ଓ୍ବେଲମାର୍କ ଲୋ ପ୍ରେସର। ଏବେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ତୀବ୍ର ଅବପାତ ଏବଂ ପରେ ବାତ୍ୟାର ରୂପ ନେବ। ୩ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ମୁହାଁ ହେବ। ୪ ଡିସେମ୍ବର ଭୋର୍ ସମୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଆନ୍ଧ୍ର-ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ମିଞ୍ଚାଉଙ୍ଗ୍।

ବାତ୍ୟା ପ୍ରଭାବରେ ଆସନ୍ତା ୩ ତାରିଖରୁ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ। ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ସମେତ ଉପକୂଳର ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ଆକଳନ କରାଯାଇଛି।

ଆସନ୍ତା ୬ ତାରିଖରେ ବାତ୍ୟାର ସର୍ବାଧିକ ପ୍ରଭାବ ଓଡ଼ିଶା ଉପରେ ପଡିବ । ଦକ୍ଷିଣ ଉପକୂଳ ଓଡ଼ିଶାର ୧୭ଟି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ଆକଳନ କରାଯାଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଆଉଏକ ଲଘୁଚାପ ସୃଷ୍ଟି ସମ୍ଭାବନା ଥିବାରୁ ଶୀତ ଫେରିବା ଆଶା କମ୍ ରହିଛି ।

ଚନ୍ଦକାରେ ମହିଳାଙ୍କୁ ହତ୍ୟା ମାମଲା : ୨୩ ଦିନ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଖୋର୍ଦ୍ଧା : ଭୁବନେଶ୍ବର ଚନ୍ଦକା ଥାନା ଗୋଠପାଟଣାରେ ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ମାମଲା। ୨୩ ଦିନ ପରେ ହତ୍ୟାକାରୀ ମିଥୁନ ଜେନାକୁ ଗିରଫ କଲା ପୋଲିସ। ଘୁଘୁନି ଖାଇବାକୁ ଦେବାରୁ ପାଟିତୁଣ୍ଡରୁ ଗତ ମାସ ୬ ତାରିଖ ମଧ୍ୟରାତ୍ରୀରେ ହୋଇଥିଲା ହତ୍ୟାକାଣ୍ଡ ।

ସ୍ବାମୀଙ୍କ ଉପସ୍ଥିତିରେ ସସ୍ମିତାଙ୍କୁ ଛୁରି ଭୁସି ହତ୍ୟା କରିଥିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଗଙ୍ଗାପାଟଣା ଅଞ୍ଚଳରୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ହତ୍ୟା ମାମଲାରେ ପୋଲିସ ୩୦ରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ମୃତ ମହିଳାଙ୍କ ସ୍ବାମୀ ବିଶ୍ବନାଥଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଥିଲା ପୋଲିସ।

ହମାସ-ଇସ୍ରାଏଲ ମଧ୍ୟରେ ୭ ଦିନର ଯୁଦ୍ଧ ବିରତି

ଗାଜା: ହମାସ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ଜାରି ରଖିବାକୁ ହମାସ ସଂଗଠନର ଆଗ୍ରହ ପ୍ରକାଶ। ପଣବନ୍ଦୀଙ୍କୁ ହସ୍ତାନ୍ତର କରି ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଜାରି ରଖିବାକୁ ପ୍ରସ୍ତାବ ଦେଇଛି ହମାସ। ଗାଜା-ଇସ୍ରାଏଲ ଯୁଦ୍ଧରେ ବର୍ତ୍ତମାନ ଯାଏ ଗତକାଲି ପର୍ଯ୍ଯନ୍ତ ୭ ଦିନ ଯୁଦ୍ଧ ବନ୍ଦ ରହିଥିଲା। ପ୍ରଥମେ ୪ ଦିନ ଏହାପରେ ଆଉ ଦୁଇ ଦିନ ଏବଂ ଏବେ ଗୋଟିଏ ଦିନ ପାଇଁ ଯୁଦ୍ଧ ବିରତି କରାଯାଇଥିଲା। ଆଜି ପୁଣି ହମାସ ଉପରେ କିଛି ସ୍ଥାନରେ ଇସ୍ରାଏଲ ବୋମାମାଡ଼ କରିଥିବା ସୂଚନା ମିଳିଛି।

ଗୁରୁବାର ଦିନ ମୋଟ ୮ ଜଣଙ୍କୁ ମୁକ୍ତ କରିଛନ୍ତି ହମାସ ଆତଙ୍କୀ । ପ୍ରତି ବଦଳରେ ଇସ୍ରାଏଲ ୩୦ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିଛି। ସେମାନଙ୍କ ମଧ୍ୟରେ ୨୩ ନାବାଳକ ଏବଂ ୭ ଜଣ ମହିଳା ଅଛନ୍ତି। ଯୁଦ୍ଧ ବିରତି ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ହମାସ ୮୦ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ । ସେମାନଙ୍କ ମଧ୍ୟରେ ୨୦ରୁ ଅଧିକ ବିଦେଶୀ ନାଗରିକ ଅଛନ୍ତି । ପ୍ରତିବଦଳରେ ଇସ୍ରାଏଲ ୨୪୦ ପାଲେଷ୍ଟିନୀୟ ବନ୍ଦୀଙ୍କୁ ଛାଡିଛି। ଗାଜାର ସାଧାରଣ ଜନତାଙ୍କ ସୁରକ୍ଷା ଲାଗି ଆକ୍ରମଣ ନକରିବାକୁ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଆହ୍ବାନ କରିଛନ୍ତି ।

ଇସ୍ରାଏଲର ୱେଷ୍ଟବ୍ୟାଙ୍କ ଅଂଚଳରେ ଇସ୍ରାଏଲ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍। ସେପଟେ ଗାଜାରେ ମାନବୀୟ ସହାୟତା ଜାରି ରଖିବାକୁ ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ଯୁଦ୍ଧ ବିରତି ଜାରି ରଖିବାକୁ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ଦାବି କରିଛନ୍ତି। ଗାଜା-ଇସ୍ରାଏଲ ଯୁଦ୍ଧ ବନ୍ଦ କରିବାକୁ ବିଶ୍ବର ବିଭିନ୍ନ ଦେଶରୁ ଚାପ ପଡୁଛି। ସେପଟେ ବ୍ଲିଙ୍କେନଙ୍କ ସହ ଆଲୋଚନା ପରେ ଯୁଦ୍ଧ ବିରତି ଅବଧି ଶେଷ ହେବା ପରେ ଇସ୍ରାଏଲ ପୁଣିଥରେ ଆରମ୍ଭ କରିଛି ଯୁଦ୍ଧ। ହମାସକୁ ଗାଜାରୁ ମୂଳପୋଛ ନକରିବା ଯାଏ ଏହି ଯୁଦ୍ଧ ଚାଲିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ।