spot_img
Home Blog Page 245

ପୋଲିସକୁ ଟେନସନ ଅଜଣା ମୃତଦେହ ; ନିଜେ କରିବ ଶବ ସତ୍କାର

ଭୁବନେଶ୍ବର : ପୁଣି ପୋଲିସକୁ ଟେନସନ ଦେଲା ଅଜଣା ମୃତଦେହ। ପରିଚୟ ଖୋଜିଖୋଜି ନାକେଦମ ଓଡିଶା ପୋଲିସ। ୪୮ ଘଣ୍ଟା ପରେ ବି ମୃତଦେହର ମିଳୁନି ପରିଚୟ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରେଳଡବା ମରାମତି କାରଖାନା ନିକଟ ଖେଳପଡ଼ିଆରୁ ମୃତଦେହ ମିଳିବା ଘଟଣାରେ ପୋଲିସ ହାତ ଖାଲି ରହିଛି। ଅଭିଯୁକ୍ତକୁ ଧରିବା ଦୂରର କଥା, ମୃତକଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ। ମୃତଦେହ ବ୍ୟବଚ୍ଛେଦ ସରିଥିଲେ ସୁଦ୍ଧା ପରିବାର ଲୋକେ ଚିହ୍ନଟ କରିନଥିବାରୁ ମୃତଦେହ ସତ୍କାର ହୋଇପାରିନାହିଁ। ଆଜି କେହି ମୃତଦେହକୁ ଚିହ୍ନଟ ନକଲେ ପୋଲିସ ସତ୍ୟନଗରରେ ନିଜେ ଶବ ସତ୍କାର କରିବ। ବିଭିନ୍ନ ଥାନାକୁ ଏ ସମ୍ପର୍କରେ ଜଣାଯାଇଛି।

କମିଶନରେଟ ଥାନା ଅଧୀନରେ ହୋଇଥିବା ମିସିଂ ରିପୋର୍ଟ ଗୁଡିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ତଥାପି ପରିଚୟ ନମିଳିଲେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବ ପୋଲିସ। ଥାନା ଓ ଛକ ବଜାର ମାନଙ୍କରେ ପୋଷ୍ଟର ମରାଯିବ। ସୂଚନା ମୁତାବକ ୭ ସେପ୍ଟେମ୍ବର ସନ୍ଧ୍ୟା ସମୟରେ ଖେଳପଡ଼ିଆ ନିକଟ ଶୌଚାଳୟ ପଛପଟେ ଏକ ମୃତଦେହ ଗଳିତ ଅବସ୍ଥାରେ ପଡିଥିବା କିଛି ପିଲା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ପୋଲିସ, ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ପହଁଚି ଛାନଭିନ ଆରମ୍ଭ କରିଥିଲେ। ମୃତଦେହରେ କ୍ଷତ ଚିହ୍ନ ଥିବା ବେଳେ ମୃତକ ଜଣଙ୍କ ଦାମୀ ଘଣ୍ଟା ଓ ବ୍ରାଣ୍ଡେଡ଼ ବେଲ୍ଟ ପିନ୍ଧିଥିବା ଜାଣିବାକୁ ପାଇଥିଲା ଟିମ।

ସଙ୍କଟରେ ଓଲି ସରକାର ! ନେପାଳରେ କାହିଁକି ବଢୁଛି ହିଂସା ?

ନନ୍ଦିଘୋଷ ବ୍ୟୁରୋ: ଜଳୁଛି ନେପାଳ । ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ନେପାଳରେ ଅରାଜକତା ଦେଖାଦେଇଛି। Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଯୁବକମାନେ ସେପ୍ଟେମ୍ବର ୮ତାରିଖରୁ Gen-Z ରେଭ୍ୟୁଲେସନ ନାମରେ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ପ୍ରତିବାଦ ଏତେ ବଢିଯାଇଛି ଯେ ପରିସ୍ଥିତି ଏବେ ଅନିୟନ୍ତ୍ରିତ ହେବାରେ ଲାଗିଛି।

ଏହି ଆନ୍ଦୋଳନ ଧୀରେ ଧୀରେ ହିଂସାତ୍ମକରେ ପରିଣତ ହେଲାଣି । ଯେଉଁଥିରେ ୨୧ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହେଇଛନ୍ତି । ପରିସ୍ଥିତି ଖରାପ ହେବା ପରେ ସରକାର ବିଳମ୍ବିତ ରାତିରେ ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ଉଠାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପ୍ରତିବାଦ ବନ୍ଦ ହୋଇନାହିଁ । ତେବେ ଆସନ୍ତୁ ଜାଣିବା ନେପାଳରେ ହିଂସା ଏବଂ ପ୍ରତିବାଦ ସହିତ ଜଡିତ ଏହି ୧୦ଟି ବଡ଼ ଅପଡେଟ୍…

ହିଂସାର ତଦନ୍ତ ପାଇଁ କରାଯିବ କମିଟି ଗଠନ

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଦର୍ଶନକାରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ କିଛି ଅସାମାଜିକ ତତ୍ତ୍ୱ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ହିଂସାତ୍ମକ କରିଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସରକାରଙ୍କ ଉଦ୍ଦେଶ୍ୟ ସୋସିଆଲ ମିଡିଆକୁ ବନ୍ଦ କରିବା ନୁହେଁ ବରଂ ନିୟମ ଅନୁଯାୟୀ ଏହାକୁ ନିୟନ୍ତ୍ରଣ କରିବା। ସେ ୧୫ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଏକ ତଦନ୍ତ କମିଟି ଗଠନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

ଗୃହମନ୍ତ୍ରୀଙ୍କ ଇସ୍ତଫା

ହିଂସାର ନୈତିକ ଦାୟିତ୍ୱ ନେଇ ଗୃହମନ୍ତ୍ରୀ ରମେଶ ଲେଖକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହି ସମୟରେ ସୂଚନା ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓଲି ଇସ୍ତଫା ଦେବେ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ସରକାର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବେ ଏବଂ ଆହତମାନଙ୍କୁ ମାଗଣାରେ ଚିକିତ୍ସା କରାଯିବ।

ସଭା, ଶୋଭାଯାତ୍ରା କିମ୍ବା ରାଲି ସମ୍ପୂର୍ଣ୍ଣ ନିଷେଧ

ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ସରକାର କାଠମାଣ୍ଡୁରେ ସେନାକୁ ମୁତୟନ କରିଥିଲେ। ସେନା ସଂସଦ ଭବନ ଏବଂ ଏହାର ଆଖପାଖ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଏହା ସହିତ କାଠମାଣ୍ଡୁ, ଲଳିତପୁର, ପୋଖରା, ବୁଟୱାଲ ଏବଂ ଇଟାହାରୀରେ କର୍ଫ୍ୟୁ ଜାରି କରାଯାଇଥିଲା। ଏହି ସମୟ ମଧ୍ୟରେ ଯେକୌଣସି ପ୍ରକାରର ସମାବେଶ, ଶୋଭାଯାତ୍ରା କିମ୍ବା ରାଲି ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା ।

ପ୍ରତିବାଦର କାରଣ କ’ଣ ?

ପ୍ରତିବାଦକାରୀମାନେ କହିଛନ୍ତି ଯେ ସରକାର କେବଳ ସୋସିଆଲ ମିଡିଆରେ ନୁହେଁ ବରଂ ବେକାରୀ, ଦୁର୍ନୀତି ଏବଂ ଆର୍ଥିକ ସଙ୍କଟ ଭଳି ପ୍ରସଙ୍ଗରେ ମଧ୍ୟ ବିଫଳ ହୋଇଛି। ଯୁବପିଢ଼ୀ ସୋସିଆଲ ମିଡିଆରେ “ନେପୋ କିଡ୍” ଧାରା ଆରମ୍ଭ କରିଥିଲେ ଏବଂ ରାଜନେତାଙ୍କ ପିଲାମାନେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଅଭିଯୋଗ କରିଥିଲେ ଯେତେବେଳେ ସାଧାରଣ ଲୋକ ବେକାରୀ ଏବଂ ମୁଦ୍ରାସ୍ଫୀତିରେ କଷ୍ଟ ପାଉଛନ୍ତି।

ହିଂସାକୁ ନିନ୍ଦା

ଜାତିସଂଘ ମାନବାଧିକାର ୟୁନିଟ୍ ହିଂସାତ୍ମକ ଘଟଣା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛି ଏବଂ ନିରପେକ୍ଷ ତଦନ୍ତ ଦାବି କରିଛି। ସେହି ସମୟରେ, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ହିଂସାକୁ ନିନ୍ଦା କରିଛନ୍ତି ଏବଂ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସୋସିଆଲ ମିଡିଆ କାହିଁକି ନିଷେଧ କରାଯାଇଥିଲା ?

ତିନି ଦିନ ପୂର୍ବରୁ ନେପାଳ ସରକାର ଫେସବୁକ୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍, ହ୍ୱାଟ୍ସଆପ୍, ରେଡିଟ୍ ଏବଂ ଏକ୍ସ ସମେତ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିଥିଲେ। କାରଣ ଦର୍ଶାଯାଇଥିଲା ଯେ କମ୍ପାନୀଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଜୀକରଣ କରିପାରି ନଥିଲେ। ସରକାର ଦାବି କରିଥିଲେ ଯେ ଏହି ପଦକ୍ଷେପ ସେନ୍ସରସିପ୍ ପାଇଁ ନୁହେଁ ବରଂ ନିୟମ ପାଳନ କରିବା ପାଇଁ ନିଆଯାଇଥିଲା, କିନ୍ତୁ ଯୁବପିଢ଼ି ଏହାକୁ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ବିଚାର କରି ଏହାର ଦୃଢ଼ ବିରୋଧ କରିଥିଲେ।

ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଆତ୍ମହତ୍ୟା କଲେ ସଚିନ ପାଣ୍ଡେ

ଝାରସୁଗୁଡ଼ା : ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଆତ୍ମହତ୍ୟା କଲେ ସଚିନ ପାଣ୍ଡେ । ମୃତ୍ୟୁର ୧୫ ଦିନ ପରେ ସଚିନଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓଟି ସେ ଆତ୍ମହତ୍ୟା କରିବା ଠିକ ପୂର୍ବରୁ ନିଜେ ରେକର୍ଡିଂ କରିଥିଲେ  । ଭିଡ଼ିଓରେ ଯୁବକ ଜଣକ କହୁଛନ୍ତି ଆଜି ମୁଁ ସୁଇସାଇଡ୍ କରୁଛି । ମଣ୍ଟୁ ଭାଇ କହିଦେବ ଜୟଦେବକୁ । ଖାଲି ଜୟଦେବ ପାଇଁ… ଜୟଦେବ ଆସିଲାନି ମୋ ଇଜ୍ଜତ ଗଲା  । ଆଉ ଏଠି ବାକି ସମସ୍ତେ ତ ଯାହା କରୁଛନ୍ତି ସେମାନେ ତ କରିବେନି କାମ  । ଜୟଦେବ ଆସିଲାନି ବୋଲି ମତେ ଫସାଇଛନ୍ତି  । ଜୟଦେବ ଭାଇ ଯାହା କଲ ଧନ୍ୟବାଦ  । ପଇସାଟା ଯାହାକୁ କହିଥିଲି ତାହାକୁ ଦେଇ ଦିଅ ଖାଲି ଏତିକି କହିଥିଲେ ସଚିନ  ।

ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଗୁମାଡେରା ଅଞ୍ଚଳର ଯୁବକ ସଚିନ ପାଣ୍ଡେ ଗତ ୨୫ ତାରିଖ ଆତ୍ମହତ୍ୟା ପୂର୍ବରୁ ନିଜ ମୋବାଇଲରେ ଏହି ପରି ଏକ ଭିଡ଼ିଓ ରେକର୍ଡିଂ କରିଥିଲେ  । ସଚିନ ଟେଣ୍ଟ କାର୍ଯ୍ୟ କରୁଥିବା ବେଳେ ଗଣେଶ ପୂଜାରେ ଅନେକଙ୍କ ଠାରୁ ଟେଣ୍ଟ ଲଗାଇବାକୁ ଟଙ୍କା ଗ୍ରହଣ କରିଥିଲେ  । ବ୍ରଜରାଜନଗର ଅଞ୍ଚଳରେ ଟେଣ୍ଟ ଲଗାଇବାକୁ ଥିବା ବେଳେ ଟେଣ୍ଟ ଲଗାଇବା କାର୍ଯ୍ୟ କରୁଥିବା ଯୁବକଙ୍କ ଭିତରୁ କେତେକ ଯୁବକ ଆସି ନଥିଲେ। ଫଳରେ ସେ ଟେଣ୍ଟ ଲଗାଇ ନ ପାରି ଅଡୁଆରେ ପଡ଼ିଥିଲେ  । ଏଭଳି ପରିସ୍ଥିତିରେ ଟେଣ୍ଟ କାର୍ଯ୍ୟ ସମ୍ଭାଳୁଥିବା ତାଙ୍କର କେତେକ ସହ‌ଯୋଗୀଙ୍କ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଭିଡିଓରେ ଉଲ୍ଲେଖ କରି ରେକର୍ଡିଂ କରିଥିଲେ  ।

ନେପାଳରେ ବଦଳିଯିବ କି ସରକାର ? ବାଂଲାଦେଶ ପରେ ଏବେ ନେପାଳର ପାଳି ..

ନନ୍ଦିଘୋଷ ବ୍ୟୁରୋ: ପୁଣି ହେଉଛି ଇତିହାସର ପୁନରାବୃତ୍ତି । ବାଂଲାଦେଶ-ଶ୍ରୀଲଙ୍କା ଆଉ ପାକିସ୍ତାନ ପରେ ଏବେ ନେପାଳର ପାଳି । ନେପାଳକୁ ଭୟ ବାଂଲାଦେଶ ବିଦ୍ରୋହ । ଯେଉଁଭଳି ଭାବରେ ନେପାଳର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଛନ୍ତି ତାହା ନେପାଳ ପାଇଁ ସତର୍କ ଘଣ୍ଟି । ନେପାଳରେ ଚାଲିଥିବା ଏହି ଆନ୍ଦୋଳନକୁ ଲୋକମାନେ ‘ଜେନ-ଜେଡ ବିପ୍ଳବ’ ବୋଲି କହୁଛନ୍ତି। କାରଣ ଏହାର ନେତୃତ୍ବ ଯୁବପିଢ଼ି ଏବଂ ଛାତ୍ରମାନେ ନେଉଛନ୍ତି। ସରକାର ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମ, ହ୍ବଟସଆପ ଏବଂ ୟୁଟ୍ୟୁବ ସମେତ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷେଧ କରିଥିଲେ। ତା’ପରେ କ୍ରୋଧିତ ଯୁବକମାନେ ଏହାକୁ ସେମାନଙ୍କର ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଆକ୍ରମଣ ବୋଲି କହି ରାସ୍ତାକୁ ଓହ୍ଲାଇଲେ। ପୋଲିସ ସହିତ ସଂଘର୍ଷ, କର୍ଫ୍ୟୁ, ପୋଡ଼ାଜଳା ଏବଂ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଏସବୁ ଦେଖି ପ୍ରଶ୍ନ ଉଠୁଛି ଯେ ନେପାଳରେ ହେବ କି ସରକାର ପରିବର୍ତ୍ତନ ?

ନେପାଳରେ ବାଂଲାଦେଶ ପରି ଜନସାଧାରଣ 5ଟି ମୁଖ୍ୟ ଦାବି ରାସ୍ତାକୁ ଓହ୍ଲାଇଛନ୍ତି । ସେମାନଙ୍କ ମତରେ ପ୍ରଧାନମନ୍ତ୍ରୀ କେପି ଓଲି ଇସ୍ତଫା ଦିଅନ୍ତୁ ଏବଂ ଶୀଘ୍ର ନିର୍ବାଚନ ହେଉ ବୋଲି ଚାହାଁନ୍ତି। ଜନ ଅସନ୍ତୋଷ ବୃଦ୍ଧି ପାଉଛି ଏବଂ ନେପାଳରେ ରାଜନୈତିକ ସଙ୍କଟ ବୃଦ୍ଧି ପାଉଛି । ସରକାରଙ୍କ ବିରୋଧରେ ପ୍ରତିବାଦ କରୁଥିବା ଲୋକମାନେ କହୁଛନ୍ତି ଯେ ଓଲି ସରକାରଙ୍କ ସମୟ ସରିଗଲାଣି। ଏବେ ଆମେ ତୁମର ନେତୃତ୍ୱ ଚାହୁଁନାହୁଁ। ଆମେ ତୁମକୁ ନିର୍ବାଚିତ କରିଥିଲୁ ତେଣୁ ତୁମେ ନେତା ହୋଇଗଲ, କିନ୍ତୁ ତୁମେ ଆମ ପିଲାମାନଙ୍କୁ ହତ୍ୟା କଲ। ଏବେ ଆମେ ସେହି କ୍ଷମତା ଫେରାଇ ନେଉଛୁ। ଆମେ ତୁମକୁ ଏବଂ ତୁମର ସରକାରକୁ ଚାହୁଁନାହୁଁ।

କ’ଣ ରହିଛି ୫ଟି ଗୁରୁତ୍ୱପୂର୍ଣ୍ଣ ଦାବି…

-ସଂସଦକୁ ଭାଙ୍ଗି ଦିଆଯିବା ଉଚିତ

-ସମସ୍ତ ସାଂସଦ ଇସ୍ତଫା ଦେବା ଉଚିତ।-

-ପ୍ରତିବାଦକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିବା ବରିଷ୍ଠ ଅଧିକାରୀମାନଙ୍କୁ ତୁରନ୍ତ ନିଲମ୍ବିତ କରାଯିବା ଉଚିତ

-ଆମ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯିବା ଉଚିତ

-ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅଧୀନରେ ଶୀଘ୍ର ନିର୍ବାଚନ ହେବା ଉଚିତ

-ଆମେ ତୁମକୁ ଆମର ଭୋଟରେ ପରାସ୍ତ କରିବୁ

ସରକାରଙ୍କ ବିରୋଧରେ ଜନସାଧାରଣଙ୍କ ଦାବିର ଏକ ପୋଷ୍ଟର ଭାଇରାଲ ହୋଇଛି। ଏଥିରେ ଲେଖାଯାଇଛି ଯେ ସଂସଦ ଜନସାଧାରଣଙ୍କ ବିଶ୍ୱାସ ହରାଇଛି, ଏହା ଆଉ ଆମର ସ୍ୱର ନୁହେଁ। ଆମେ ପ୍ରତ୍ୟେକ ଜୀବନ ପାଇଁ, ପ୍ରତ୍ୟେକ ହଜିଯାଇଥିବା ଆଶା ପାଇଁ ଆମର ସ୍ୱର ଉଠାଇବୁ। ଆମେ ଅଧିକ ଶକ୍ତିଶାଳୀ ହେବୁ। ତୁମେ ଗଣତନ୍ତ୍ରର ପ୍ରତିଶ୍ରୁତି ଦେଇଥିଲ, କିନ୍ତୁ ଦୁର୍ନୀତି ଏବଂ ଏକଛତ୍ରବାଦ ଦେଇଗଲ। ତୁମେ ପ୍ରତ୍ୟେକ ବିଦ୍ରୋହକୁ ଦମନ କରି ଚାଲିଥିଲ କିନ୍ତୁ ଏବେ ଏହି ଚକ୍ର ଶେଷ ହୋଇଯିବ। ଏଥର ଆମେ ତୁମକୁ ଆମର ଭୋଟରେ ପରାସ୍ତ କରିବୁ।

ନେପାଳର ଯୁବପିଢ଼ି ଦୁର୍ନୀତି, ବେକାରୀ ଏବଂ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଅତ୍ୟନ୍ତ କ୍ରୋଧିତ ଅଟନ୍ତି। ସୋମବାର ହଜାର ହଜାର ଯୁବକ ସୋସିଆଲ ମିଡିଆ ପ୍ରତିବନ୍ଧକ ବିରୋଧରେ ପ୍ରତିବାଦ କରିଥିଲେ। ହିଂସାତ୍ମକ ପ୍ରତିବାଦରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ସରକାର ପ୍ରତିବନ୍ଧକ ଉଠାଇ ଦେଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ କେପି ଓଲି ଇସ୍ତଫା ଦେବାକୁ ମନସ୍ଥ କରିନାହାଁନ୍ତି । ସରକାର ମଧ୍ୟ ଯୁବପିଢ଼ିଙ୍କୁ ପ୍ରତିବାଦ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି। ତଥାପି, ଯୁବକ ଏବଂ ସାଧାରଣ ନାଗରିକମାନେ ପୁଣି ଥରେ କାଠମାଣ୍ଡୁର ସଂସଦ ବାହାରେ ଏକାଠି ହେଉଛନ୍ତି। ସେମାନେ କହିଛନ୍ତି ଯେ ସେମାନେ ଆଜି ପ୍ରତିବାଦକୁ ତୀବ୍ର କରିବେ।

ଉପରାଷ୍ଟ୍ରପତି ନିର୍ବାଚନ ଭୋଟିଂ ଜାରି ; ମତଦାନ କରୁଛନ୍ତି ସାଂସଦ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଲାଗି ଚାଲିଛି ଭୋଟଦାନ। ସଂସଦ ଭବନରେ ଆରମ୍ଭ ହୋଇଥିବା ଭୋଟିଂରେ ପ୍ରଥମେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରେ ବିଭିନ୍ନ ଦଳର ସାଂସଦମାନେ ଦେଉଛନ୍ତି ଭୋଟ। ଏନଡିଏ ପ୍ରାର୍ଥୀ ସି. ପି. ରାଧାକ୍ରିଷ୍ଣନ ଓ ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ହେଉଛି ସିଧାସଳଖ ଲଢେଇ। ସପ୍ତଦଶ ଉପରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି ଦେଶବାସୀଙ୍କ ନଜର। ୧୯୮୭ ପରେ ପ୍ରଥମ ଥର ଲାଗି ଉପରାଷ୍ଟ୍ରପତି ପଦ ଲାଗି ଦ୍ବିତୀୟ ଥର ନିର୍ବାଚନ ହେଉଛି । ଏହି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଭୋଟ ଦେବେ । ରାଜ୍ୟସଭାର ମନୋନୀତ ସାଂସଦ ବି ଭୋଟ ଦେବେ । ସିକ୍ରେଟ ବାଲଟ ବ୍ୟବସ୍ଥାରେ ଏହି ଭୋଟ ହେବ ।

ସଂସଦ ଭବନର ପ୍ରଥମ ମହଲାରେ ଥିବା ଏଫ-୧୦୧, ବସୁଧାରେ ସକାଳ ୧୦ଟାରୁ ଅପରାହ୍ଣ ୫ଟା ଯାଏ ଭୋଟ ଦେବେ ସାଂସଦ । ସନ୍ଧ୍ୟା ୬ଟାରେ ହେବ ଗଣତି। ନିର୍ବାଚନ ଲାଗି ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ନିର୍ବାଚନ କମିଶନ । ସେମାନେ ହେଲେ ପଞ୍ଚାୟତିରାଜ ମନ୍ତ୍ରାଳୟର ଅତିରିକ୍ତ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ସଚିବ ଡି. ଆନନ୍ଦନ । ଏନଡିଏ ପକ୍ଷରୁ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଓ ରାମ ମୋହନ ନାଇଡୁଙ୍କୁ ପୋଲିଂ ଏଜେଣ୍ଟ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଇଣ୍ଡିମେଣ୍ଟ ପକ୍ଷରୁ ନାସିର ହୁସେନ, ମାଣିକରାମ ଟାଗୋର ଓ ଶକ୍ତିସିଂ ଗୋହିଲଙ୍କୁ ପୋଲିଂ ଏଜେଣ୍ଟ ଭାବେ ନିଯୁକ୍ତ କରାଯାଇଛି।

ଉପରାଷ୍ଟ୍ରପତି ପଦ ଲାଗି ଭୋଟ ଦେବେ ମୋଟ ୭୮୧ ସାଂସଦ। ଲୋକସଭାର ମୋଟ ଆସନ ସଂଖ୍ୟା ୫୪୩ ଓ ରାଜ୍ୟସଭାର ମୋଟ ଆସନ ସଂଖ୍ୟା ୨୪୫। ବର୍ତ୍ତମାନ ଲୋକସଭାର ସଦସ୍ୟ ସଂଖ୍ୟା ୫୪୨ ଓ ରାଜ୍ୟସଭାର ସଦସ୍ୟ ସଂଖ୍ୟା ରହିଛି ୨୩୯। ଗୋଟିଏ ଲୋକସଭା ଆସନ ଖାଲିଥିବାବେଳେ ରାଜ୍ୟସଭାର ୬ଟି ଆସନ ଖାଲି ରହିଛି। ବିଜୟ ଲାଗି ମ୍ୟାଜିକ ନମ୍ବର ହେଉଛି ୩୯୧। ଏନଡିଏର ମୋଟ ସାଂସଦ ସଂଖ୍ୟା ୪୨୫। ୱାଇଏସଆର କଂଗ୍ରେସର ୧୧ ସାଂସଦଙ୍କ ସମର୍ଥନ ଯୋଗୁ ଏନଡିଏର ମୋଟ ସାଂସଦଙ୍କ ସଂଖ୍ୟା ହୋଇଛି ୪୩୬। ଯଦି ଆପ୍ ସାଂସଦ ସ୍ବାତୀ ମାଲିୱାଲ ଏନଡିଏ ସପକ୍ଷରେ ଭୋଟ ଦିଅନ୍ତି ତେବେ ଏନଡିଏର ସଦସ୍ୟ ସଂଖ୍ୟା ହେବ ୪୩୭। ଇଣ୍ଡି ମେଣ୍ଟର ମୋଟ ସାଂସଦଙ୍କ ସଂଖ୍ୟା ହେଉଛି ୩୨୪। ରାଜନୀତି ସମୀକ୍ଷକଙ୍କ ମତରେ ବିଜୟ ବ୍ୟବଧାନ ୧୦୦ରୁ ୧୨୫ ହୋଇପାରେ। ଏହି ନିର୍ବାଚନରେ ଭାଗ ନେବେ ନାହିଁ ବିଜୁ ଜନତା ଦଳ, ଭାରତ ରାଷ୍ଟ୍ର ସମିତି ଓ ଶିରୋମଣି ଅକାଳୀ ଦଳ।

ପୁଣି ଆମ ବସ୍ ଦୁର୍ଘଟଣା ; ୧୫ରୁ ଊର୍ଦ୍ଧ୍ଵ ଆହତ ମେଡିକାଲରେ ଭର୍ତ୍ତି

କଟକ: ଚୌଦ୍ଵାର ଟାଙ୍ଗୀ ଛକରେ ତୈଳ ଟ୍ୟାଙ୍କରକୁ ଧକ୍କା ଦେଲା ଆମବସ୍। ଦୁର୍ଘଟଣାରେ ଡ୍ରାଇଭର ସହ ୧୫ରୁ ଊର୍ଦ୍ଧ୍ଵ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଧକ୍କାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବସଟି କଟକରୁ ଟାଙ୍ଗୀ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାରେ ଡ୍ରାଇଭର ସହ ୧୫ରୁ ଊର୍ଦ୍ଧ୍ଵ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଧକ୍କାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବସଟି କଟକରୁ ଟାଙ୍ଗୀ ଅଭିମୁଖେ ଯାଉଥିବା ବେଳେ ହଠାତ୍ ଚଟିଲୋ ଗଡା ନିକଟରେ ରାସ୍ତାରେ ଖରାପ ହୋଇ ଛିଡା ହୋଇଥିବା ଏକ ଟ୍ୟାଙ୍କର ପଛରେ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଆମ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିଲେ । ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ, ଚୌଦ୍ବାର ଫାଇଆର ଟିମ୍ ଓ ଏନ.ଏଚ.ଆଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯିବା ସହ ହସ୍ପିଟାଲରେ ଚିକିତ୍ସା ଜାରି ରଖିଛି ।

ଅକ୍ଷୟ-ଟ୍ୱିଙ୍କଲ୍ ବିବାହ କରିବା ପୂର୍ବରୁ ଶାଶୂ ଡିମ୍ପଲ ରଖିଥିଲେ ଏମିତି ସର୍ତ୍ତ !

ନନ୍ଦିଘୋଷ ବ୍ୟୁରୋ: ସେପ୍ଟେମ୍ବର ୯ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର। କୌଣସି ଗଡ୍‌ଫାଦର ନଥାଇ ଅକ୍ଷୟ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଛନ୍ତି । ଆଜି ତାଙ୍କର ପ୍ରାୟ ପ୍ରତ୍ୟେକ ଫିଲ୍ମ କୋଟି କୋଟି ଟଙ୍କା ଆୟ କରୁଛି। ତେବେ ସେ ତାଙ୍କର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଏପରିକି ତାଙ୍କ ନାମ ଅନେକ ବରିଷ୍ଠ ଅଭିନେତ୍ରୀଙ୍କ ସହ ମଧ୍ୟ ଯୋଡ଼ା ଯାଇଛି। ବର୍ତ୍ତମାନ ଅକ୍ଷୟ ଏବଂ ତାଙ୍କ ପତ୍ନୀ ଟ୍ୱିଙ୍କଲ୍ ଦୁଇଟି ସନ୍ତାନଙ୍କ ପିତାମାତା। ଅକ୍ଷୟ ଏବଂ ଟ୍ୱିଙ୍କଲ୍ ୨୪ବର୍ଷ ପୂର୍ବେ ବିବାହ କରିଥିଲେ ତେବେ ନିକଟରେ ତାଙ୍କର ଏକ ବ୍ୟକ୍ତିଗତ କାହାଣୀ ବିଷୟରେ ଚର୍ଚ୍ଚା ଜୋର ଧରିଛି ।

ଅକ୍ଷୟ କୁମାର ୯ ସେପ୍ଟେମ୍ବର ୧୯୬୭ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସୌଗନ୍ଧ’ ଦ୍ବାରା ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ସେ ତାଙ୍କ କ୍ୟାରିଅର ଆରମ୍ଭ କରିବାର ୧୦ ବର୍ଷ ପରେ ଟ୍ୱିଙ୍କଲ୍ ଖାନ୍ନାଙ୍କୁ ବିବାହ କରିଥିଲେ। ତେବେ ଅକ୍ଷୟ ଏବଂ ଟ୍ୱିଙ୍କଲ୍ ବିବାହ କରିବା ପୂର୍ବରୁ ଅକ୍ଷୟଙ୍କ ଶାଶୁ ଡିମ୍ପଲ୍ କପାଡିଆ ଏକ ସର୍ତ୍ତ ରଖିଥିଲେ ଯାହା ପରେ ବିବାହ ହୋଇଥିଲା।

କିଛିଦିନ ପୂର୍ବେ ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନା କରଣ ଜୋହରଙ୍କ ଶୋ’ କଫି ୱିଥ୍ କରଣରେ ଅତିଥି ଭାବରେ ଆସିଥିଲେ। ସେହି ସମୟରେ ଟ୍ୱିଙ୍କଲ କହିଥିଲେ ଯେ ଯେତେବେଳେ ସେ ତାଙ୍କ ପିତା ରାଜେଶ ଖାନ୍ନାଙ୍କୁ କହିଥିଲେ ଯେ ସେ ଅକ୍ଷୟଙ୍କୁ ବିବାହ କରିବାକୁ ଚାହାଁନ୍ତି ଏହା ଉପରେ ବହୁତ ତଦନ୍ତ କରାଯାଇଥିଲା। ଅକ୍ଷୟ ଏପରିକି କହିଥିଲେ ଯେ ତାଙ୍କ ଶାଶୁ ତାଙ୍କୁ ‘ଗେ’ ବୋଲି ମାନୁଥିଲେ ଏବଂ ଏଥିପାଇଁ ସେ ଅକ୍ଷୟ-ଟ୍ୱିଙ୍କଲଙ୍କୁ ଲିଭ୍-ଇନ୍ ରିଲେସନସିପରେ ରହିବାକୁ କହିଥିଲେ।

ରାଜେଶ ଖାନ୍ନା ମଧ୍ୟ ଏଥିରେ ରାଜି ହୋଇଥିଲେ। ଡିମ୍ପଲ କପାଡିଆଙ୍କ ସର୍ତ୍ତ ଥିଲା ଯେ ଉଭୟ ଲିଭ୍-ଇନ୍ ରିଲେସନସିପରେ ରହିବେ। ଦୁଇ ବର୍ଷ ଏକାଠି ରହିବା ପରେ ମଧ୍ୟ ଯଦି ଉଭୟଙ୍କୁ ଲାଗୁଛି ଯେ ସେମାନଙ୍କୁ ବିବାହ କରିବା ଉଚିତ ତେବେ ସେମାନେ ବିବାହ କରିବେ। ଏହା ପରେ, ଅକ୍ଷୟ ଏବଂ ଟ୍ୱିଙ୍କଲ୍ ବିବାହ ପୂର୍ବରୁ ପ୍ରାୟ ୨ବର୍ଷ ପର୍ଯ୍ୟନ୍ତ ମୁମ୍ବାଇର ଏକ ଫ୍ଲାଟରେ ଏକାଠି ରହିଥିଲେ। ଏହା ପରେ ଟ୍ୱିଙ୍କଲ୍ ବିବାହ ପାଇଁ ହଁ କହିଥିଲେ ଏବଂ ଅକ୍ଷୟ ଏବଂ ଟ୍ୱିଙ୍କଲ୍ ୧୭ ଜାନୁଆରୀ ୨୦୦୧ ରେ ବିବାହ କରିଥିଲେ।

ଅସୁସ୍ଥ ଅଛନ୍ତି କି ହିଟମ୍ୟାନ ? ହସ୍ପିଟାଲର ଏହି ଭିଡ଼ିଓ ପାଇଁ ଚିନ୍ତାରେ ଫ୍ୟାନ୍ସ !

ନନ୍ଦିଘୋଷ ବ୍ୟୁରୋ: ରୋହିତ ଶର୍ମାଙ୍କୁ କ’ଣ ହୋଇଛି ? କାହିଁକି ରାତିଅଧରେ ମେଡ଼ିକାଲ ଗଲେ ରୋହିତ ? ସମସ୍ତେ ଏହି ପ୍ରଶ୍ନର ଉତ୍ତର ଅପେକ୍ଷାରେ। ନିକଟରେ ରୋହିତ ଶର୍ମାଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ପ୍ରଶ୍ନ ହେଉଛି ଭାରତୀୟ କ୍ରିକେଟର ହିଟମ୍ୟାନଙ୍କୁ ବିଳମ୍ବିତ ରାତିରେ ହସ୍ପିଟାଲ ଯିବାର ଆବଶ୍ୟକତା କାହିଁକି ପଡିଲା ? ଏହା ପଛରେ ସତ୍ୟତା କ’ଣ ?

ମୁମ୍ବାଇର ବିଳମ୍ବିତ ରାତିରେ ରୋହିତ ଶର୍ମା କୋକିଲା ବେନ୍ ହସ୍ପିଟାଲରେ ପହଞ୍ଚିଥିଲେ। ରୋହିତ ଶର୍ମାଙ୍କୁ ସେହି ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ରୋହିତ ତାଙ୍କ ଗାଡ଼ିରୁ ଓହ୍ଲାଇ ହସ୍ପିଟାଲ ଭିତରକୁ ଯାଉଛନ୍ତି। କିନ୍ତୁ ଫୁଟେଜରେ ଏହା ବ୍ୟତୀତ ଆଉ କିଛି ନାହିଁ। ରୋହିତ କାହିଁକି ହସ୍ପିଟାଲ ଯାଇଥିଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ତାଙ୍କୁ ହସ୍ପିଟାଲ ଯିବାର ଦେଖି ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି ।

ରୋହିତ ଶର୍ମା ନିକଟରେ ବାଙ୍ଗାଲୋରରେ ଥିଲେ ଯେଉଁଠାରେ ସେ ସେଣ୍ଟର ଅଫ୍ ଏକ୍ସଲେନ୍ସ ଅର୍ଥାତ୍ NCA ରେ ତାଙ୍କର ଫିଟନେସ୍ ପରୀକ୍ଷା ପାସ୍ କରିଥିଲେ। ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ପୁନରାଗମନ ପାଇଁ ଏହି ଫିଟନେସ୍ ପରୀକ୍ଷା ଦେଇଥିଲେ। ଖବର ଅଛି ଯେ ସେ ଏବଂ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରେ ଟିମ୍ ଇଣ୍ଡିଆର ଅଂଶ ହୋଇପାରନ୍ତି।

ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫି ଜିତିବା ପରଠାରୁ ରୋହିତ ଏବଂ ବିରାଟ ଉଭୟ ଟିମ୍ ଇଣ୍ଡିଆରୁ ଦୂରରେ ଅଛନ୍ତି। ଏହି ଉଭୟ ଖେଳାଳି ଟି-୨୦ ଏବଂ ଟେଷ୍ଟରୁ ଅବସର ନେଇସାରିଛନ୍ତି। କିନ୍ତୁ ସେମାନେ ଏବେ ବି ଦିନିକିଆ କ୍ରିକେଟର ଅଂଶ ହେଇ ରହିଛନ୍ତି ।

ଘରେ ଦେଖୁଛନ୍ତି ଯଦି ଏହି ସଙ୍କେତ; ପିତୃପୁରୁଷ ଅଛନ୍ତି ଅସନ୍ତୁଷ୍ଟ ..

ନନ୍ଦିଘୋଷ ବ୍ୟୁରୋ; ଚଳିତ ବର୍ଷ ପିତୃପକ୍ଷ ସେପ୍ଟେମ୍ବର ୮ରୁ ଆରମ୍ଭ ହେଇଯାଇଛି। ହିନ୍ଦୁ ଧର୍ମରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ଅବଧି ମଧ୍ୟରେ ଅନେକ ସଙ୍କେତ ଅଛି ଯାହା ସୂଚାଇଥାଏ ଯେ ଆପଣଙ୍କର ପୂର୍ବପୁରୁଷମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି ନା ଅସନ୍ତୁଷ୍ଟ । ଧାର୍ମିକ ବିଶ୍ୱାସ ଅନୁଯାୟୀ ପିତୃପକ୍ଷ ସମୟରେ ପିତୃପୁରୁଷମାନେ ପୁଣି ଥରେ ନିଜ ବଂଶଧରଙ୍କୁ ଦେଖିବା ପାଇଁ ପୃଥିବୀକୁ ଆସନ୍ତି ତେଣୁ ସେମାନଙ୍କ ଶାନ୍ତି ଏବଂ ପରିତ୍ରାଣ ପାଇଁ ନୈବେଦ୍ୟ ଅର୍ପଣ କରାଯାଏ। ଧର୍ମଶାସ୍ତ୍ର ଏବଂ ଗରୁଡ଼ ପୁରାଣ ଅନୁସାରେ ଯଦି ଘରେ କିଛି ଘଟଣା ବାରମ୍ବାର ଘଟୁଛି ତେବେ ବୁଝିବା ଉଚିତ ଯେ ପୂର୍ବପୁରୁଷମାନେ କ୍ରୋଧିତ ଏବଂ ସେମାନଙ୍କ ଶ୍ରାଦ୍ଧ କିମ୍ବା ତର୍ପଣ ଆବଶ୍ୟକ। ଆସନ୍ତୁ ଜାଣିବା ପିତୃଲୋକ ସହିତ ଜଡିତ ସେହି ୭ଟି ସଙ୍କେତ ଯାହାକୁ ଅଣଦେଖା କରିବା ଉଚିତ୍ ନୁହେଁ।

କାଉମାନଙ୍କର ନିରନ୍ତର ରଡ଼ି

ହିନ୍ଦୁ ପରମ୍ପରାରେ କାଉକୁ ପୂର୍ବପୁରୁଷଙ୍କ ପ୍ରତିନିଧି ବୋଲି ବିବେଚନା କରାଯାଏ। ଯଦି ପିତୃପକ୍ଷ ସମୟରେ କାଉ ଘରର ଛାତ କିମ୍ବା ଅଗଣାରେ ବାରମ୍ବାର ଆସି କାଉଁ କାଉଁ ହେଉଛନ୍ତି, ତେବେ ଏହା ଏକ ସଙ୍କେତ ଯେ ପୂର୍ବପୁରୁଷମାନେ ଖାଦ୍ୟ ଏବଂ ନୈବେଦ୍ୟ ପାଇଁ ଅପେକ୍ଷା କରିଛନ୍ତି।

ସ୍ୱପ୍ନରେ ପୂର୍ବପୁରୁଷଙ୍କୁ ଦେଖିବା

ଗରୁଡ଼ ପୁରାଣ କହେ ଯେ ଯଦି ପୂର୍ବପୁରୁଷମାନେ ସ୍ୱପ୍ନରେ ବାରମ୍ବାର ଦେଖାଯାଆନ୍ତି ଏବଂ ଖାଦ୍ୟ କିମ୍ବା ପାଣି ମାଗନ୍ତି, ତେବେ ଏହା ଏକ ସଙ୍କେତ ଯେ ସେମାନେ ସନ୍ତୁଷ୍ଟ ନୁହଁନ୍ତି। ଏହା ଏକ ସ୍ପଷ୍ଟ ବାର୍ତ୍ତା ଯେ ସେମାନଙ୍କୁ ତର୍ପଣ ଆବଶ୍ୟକ।

ହଠାତ୍ ଆର୍ଥିକ ସଙ୍କଟ

ଯଦି ପରିବାର ବିନା କୌଣସି କାରଣରେ ଟଙ୍କା ହରାଇବାକୁ ଲାଗେ କିମ୍ବା ହଠାତ୍ ଆର୍ଥିକ ସଙ୍କଟ ବୃଦ୍ଧି ପାଏ ତେବେ ଏହା ପୂର୍ବପୁରୁଷଙ୍କ ଅସନ୍ତୋଷ ସହିତ ମଧ୍ୟ ଜଡିତ। ବିଶ୍ୱାସ କରାଯାଏ ଯେ ଅସନ୍ତୁଷ୍ଟ ପୂର୍ବପୁରୁଷମାନେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦରେ ବାଧା ସୃଷ୍ଟି କରନ୍ତି।

ରୋଗରେ ନିରନ୍ତର ବୃଦ୍ଧି

ଯଦି ପରିବାରର ସଦସ୍ୟମାନେ ବାରମ୍ବାର ଅସୁସ୍ଥ ହେବାକୁ ଆରମ୍ଭ କରନ୍ତି ଏବଂ ଚିକିତ୍ସା ପରେ ମଧ୍ୟ ଆରାମ ପାଆନ୍ତି ନାହିଁ, ତେବେ ଏହାକୁ ମଧ୍ୟ ଏକ ସଙ୍କେତ ଭାବରେ ବିବେଚନା କରାଯାଏ। ଶାସ୍ତ୍ର କହେ ଯେ ଦୁଃଖୀ ପୂର୍ବପୁରୁଷମାନେ ରୋଗ କିମ୍ବା ଦୁଃଖ ମାଧ୍ୟମରେ ସେମାନଙ୍କ ବଂଶଧରଙ୍କୁ ସଙ୍କେତ ଦିଅନ୍ତି।

ଦୀପ ଆପେ ଆପେ ଲିଭିଯାଉଛି

ଯଦି ଘରର ମନ୍ଦିରରେ କିମ୍ବା ଶ୍ରାଦ୍ଧ ଉତ୍ସବ ସମୟରେ ଜଳୁଥିବା ଦୀପ କୌଣସି କାରଣ ବିନା ଲିଭିଯାଏ ତେବେ ଏହାକୁ ପୂର୍ବପୁରୁଷଙ୍କ ଅସନ୍ତୋଷର ଏକ ସଙ୍କେତ ମଧ୍ୟ ବିବେଚନା କରାଯାଏ। ଦୀପ ଲିଭିଯିବା ଶକ୍ତି ପ୍ରବାହ ବନ୍ଦ ହେବାର ପ୍ରତୀକ।

ପୂଜାରେ ବାଧା

ଶାସ୍ତ୍ର ଅନୁସାରେ, ପୂଜା ସମୟରେ ବାରମ୍ବାର ବାଧା ସୃଷ୍ଟି ହେବା କିମ୍ବା ସାମଗ୍ରୀର ଅନ୍ତର୍ଧାନ ପୂର୍ବପୁରୁଷଙ୍କ ଲକ୍ଷଣ। ସେମାନେ ସେମାନଙ୍କର ବଂଶଧରମାନଙ୍କୁ ମନେ ପକାଇ ଦିଅନ୍ତି ଯେ ସେମାନଙ୍କର ଶ୍ରାଦ୍ଧ ସମାପ୍ତ ହୋଇନାହିଁ।

ତୁଳସୀ ଗଛ ଶୁଖିଯିବା

ଯଦି ଘର ଅଗଣାରେ ଥିବା ତୁଳସୀ ଗଛ ହଠାତ୍ ଶୁଖିବାକୁ ଲାଗେ କିମ୍ବା ମନ୍ଦିରରେ ରଖାଯାଇଥିବା ଫୁଲଗୁଡ଼ିକ ଶୀଘ୍ର ଶୁଖିଯାଏ ତେବେ ଏହା ପୂର୍ବପୁରୁଷଙ୍କ କ୍ରୋଧର ଏକ ସଙ୍କେତ। ଏହାକୁ ବହୁତ ଗମ୍ଭୀରତାର ସହିତ ନେବା ଉଚିତ।

କ’ଣ ରହିଛି ପ୍ରତିକାର ?

ଶାସ୍ତ୍ରରେ କୁହାଯାଇଛି ଯେ ଯଦି ଏହି ସଙ୍କେତଗୁଡ଼ିକ ବାରମ୍ବାର ଦେଖାଯାଏ, ତେବେ ପୂର୍ବପୁରୁଷଙ୍କ ପାଇଁ ତର୍ପଣ କରିବା ଉଚିତ। ବ୍ରାହ୍ମଣ ଭୋଜ, ଗାଈ ଦାନ ଏବଂ ଜଳ ତର୍ପଣ ପୂର୍ବପୁରୁଷଙ୍କୁ ପ୍ରସନ୍ନ କରେ ଏବଂ ଘରକୁ ସୁଖ ଏବଂ ସମୃଦ୍ଧି ଫେରି ଆସେ।

ଓଡ଼ିଶା ସୂଚନା କମିଶନଙ୍କ ଐତିହାସିକ ନିର୍ଦ୍ଦେଶ ; ଓଡ଼ିଶା ଲୋକସେବା ଆୟୋଗକୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଓଡ଼ିଶା ସୂଚନା କମିଶନଙ୍କ ଐତିହାସିକ ନିର୍ଦ୍ଦେଶ। ଓଡ଼ିଶା ଲୋକସେବା ଆୟୋଗକୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୂଚନା କମିଶନ। ସୂଚନା କମିଶନଙ୍କ ନିୟମ ଅନୁଯାୟୀ ଅଟକା ଯାଇପାରିବ ନାହିଁ ସାକ୍ଷାତକାର ଫଳାଫଳ। ୨୦୨୨ ମସିହାରେ ସହକାରୀ ଶିକ୍ଷକ ପଦବୀ ପାଇଁ ମନୋନୀତ ହୋଇ ନଥିବା ଜଣେ ପ୍ରାର୍ଥୀଙ୍କୁ, ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ମିନତୀ ରାଣୀ ମହାପାତ୍ର ଇତିହାସ ବିଷୟ ପାଇଁ ସହକାରୀ ଶିକ୍ଷକ ପଦବୀ ନିମନ୍ତେ ଆବେଦନ କରିଥିଲେ । ବିଜ୍ଞାପନ ଅନୁଯାୟୀ କ୍ୟାରିୟର ମାର୍କ ଏବଂ ସାକ୍ଷାତକାର ମାର୍କ ଉପରେ ଆଧାରିତ ଥିଲା । ଜୁନ୍‌ ୨୦୨୨ ମସିହାରେ ଓଡ଼ିଶା ଲୋକସେବା କମିଶନ ଦ୍ୱାରା ପ୍ରକାଶିତ ମନୋନୀତ ପ୍ରାର୍ଥୀଙ୍କ ତାଲିକାରେ ସେ ତାଙ୍କ ନାମ ପାଇ ନଥିଲେ । ଫଳାଫଳରେ ଅସନ୍ତୁଷ୍ଟ ହୋଇ ସେ ଡିସେମ୍ବର ୨୦୨୨ ମସିହାରେ ଆର୍‌ଟିଆଇରେ ଆବେଦନ ପୂର୍ବକ ଲୋକସେବା କମିଶନଙ୍କ ନିକଟରେ କ୍ୟାରିଅର ମୂଲ୍ୟାୟନ ଏବଂ ସାକ୍ଷାତକାରରେ ତାଙ୍କୁ ମିଳିଥିବା ମାର୍କର ବିବରଣୀ ମାଗିଥିଲେ । ଓଡିଶା ଲୋକସେବା ଆୟୋଗ ତାଙ୍କୁ କ୍ୟାରିଅରର ମାର୍କ ପ୍ରଦାନ କରିଥିଲେ । କିନ୍ତୁ ଡିସେମ୍ବର ୨୦୨୨ରେ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଆଧାରରେ ତାଙ୍କର ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ମନାକରି ଦେଇଥିଲେ ।

ସୂଚନା କମିଶନଙ୍କ ସମ୍ମୁଖରେ ଶୁଣାଣି ସମୟରେ ଓଡ଼ିଶା ଲୋକସେବା ଆୟୋଗର ପ୍ରତିନିଧି ଯୁକ୍ତି ବାଢ଼ିଥିଲେ ଯେ, ଏହି ପଦବୀରେ ପ୍ରାର୍ଥୀଙ୍କ ଚୟନ ପାଇଁ କୌଣସି ସାକ୍ଷାତକାର ମାର୍କ ରେକର୍ଡ କରାଯାଏ ନାହିଁ କିମ୍ବା କୌଣସି ସର୍ବନିମ୍ନ ମାର୍କ ସ୍ଥିର କରାଯାଏ ନାହିଁ । ପ୍ରାର୍ଥୀଙ୍କୁ କେବଳ ସେମାନେ ଉପଯୁକ୍ତ କି ଅନୁପଯୁକ୍ତ ବୋଲି ସୂଚନା ଦିଆଯାଏ । ପ୍ରାର୍ଥୀମାନଙ୍କୁ ନିର୍ଦ୍ଦିଷ୍ଟ ମାର୍କ ଦିଆଯାଏ ନାହିଁ କିମ୍ବା କୌଣସି ଯୋଗ୍ୟ ତାଲିକା ପ୍ରକାଶ କରାଯାଏ ନାହିଁ । କିନ୍ତୁ ସୂଚନା କମିଶନର ମନୋଜ ପରିଡା ତାଙ୍କ ଐତିହାସିକ ରାୟରେ କହିଛନ୍ତି ଯେ, ଓଡ଼ିଶା ଲୋକସେବା ଆୟୋଗର ଏପରି ନିଷ୍ପତ୍ତି ସୂଚନା ଅଧିକାର ଆଇନର ବ୍ୟବସ୍ଥା ବିରୁଦ୍ଧ । ପ୍ରାର୍ଥୀଙ୍କର ସାକ୍ଷାତକାରରେ ପାଇଥିବା ମାର୍କ ଜାଣିବାର ପୂର୍ଣ୍ଣ ଅଧିକାର ରହିଛି । ଏହା ଦ୍ୱାରା ସେ ପରବର୍ତ୍ତୀ ପ୍ରୟାସରେ ତାଙ୍କର ପ୍ରଦର୍ଶନକୁ ଉନ୍ନତ କରି ପାରିବେ । ଓଡ଼ିଶା ଲୋକସେବା ଆୟୋଗକୁ ଏହାର ପ୍ରକ୍ରିୟା ପରିବର୍ତ୍ତନ କରିବାକୁ ଏବଂ ପ୍ରାର୍ଥୀଙ୍କୁ ମିଳିଥିବା ମାର୍କ ସମ୍ପର୍କରେ ବିବରଣୀ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି ।