spot_img
Home Blog Page 2375

ସରକାରଙ୍କ ସ୍ବାସ୍ଥ୍ୟରକ୍ଷା ନୀତିକୁ NCDCର ପ୍ରଶଂସା, ଖୁବଶୀଘ୍ର ଓ୍ବାନ ହେଲଥ ଆକ୍ସନ ପ୍ଲାନ

ଭୁବନେଶ୍ବର: ଜୁ୍ନୋଟିକ ରୋଗ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ । ରାଜ୍ୟର ୭ ସେଣ୍ଟିନେଲ ସାଇଟରେ ଖୋଲିବ ଲ୍ୟାବ । କୋରାପୁଟ ମେଡିକାଲ କଲେଜ, ବାରିପଦା ମେଡିକାଲ କଲେଜ ଓ ବଲାଙ୍ଗୀର ମେଡିକାଲ କଲେଜ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିଲା ।କେନ୍ଦ୍ର ଲ୍ୟାବ ସଂଖ୍ୟା ବଢ଼ାଇକୁ କହିଥିବାରୁ ଆଉ ଚାରୋଟି ସେଣ୍ଟିନେଲ ସାଇଟ ଖୁବଶୀଘ୍ର ଚିହ୍ନଟ କରାଯିବ । ଏହି ଲ୍ୟାବରେ ଜେନମ ସିକ୍ୟୁଏନସିଂ କରାଯିବ । କୋଭିଡ ପରି ଅଜଣା ରୋଗର ଭୟ ଏଯାଏ ଯାଇନି । ପୁଣି ପଶୁରୁ ମଣିଷକୁ ବ୍ୟାପିପାରେ ରୋଗ । ଯେଉଁଥିପାଇଁ ଓ୍ବାନ ହେଲଥ କାର୍ଯ୍ୟକ୍ରମ ଜରିଆରେ ପ୍ରାକ ମୁକାବିଲା ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେପଟେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟରକ୍ଷା ରଣନୀତିକୁ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ NCDC ପ୍ରଶଂସା କରିଛି । କୋଭିଡ ଆମ ସମସ୍ତଙ୍କୁ ସତର୍କ କରାଇ ଦେଇଛି । ମହାମାରୀ ଯେ କୌଣସି ସମୟରେ ବି ଆସି ପାରେ । ସେଥିପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ । ପ୍ରାଣୀରୁ ମଣିଷକୁ ବ୍ୟାପୁଥିବା ରୋଗ ବା ଜୁ୍ନୋଟିକ, ଜଳବାୟୁ ପରିବର୍ତ୍ତନ ଏହାର କାରଣ ହୋଇପାରେ । ହେଲେ ଏହାର ନିରାକରଣ ପାଇଁ ୱାନ ହେଲଥ ରଣନୀତି ଜରୁରୀ ବୋଲି କହିଛି ଏନସିଡିସି ।

ୱାନ ହେଲଥ ରଣନୀତିରେ ପୂର୍ବରୁ ସର୍ଭେଲାନ୍ସ କରି ହେବ । ଏ ଦିଗରେ ଓଡ଼ିଶା ସରକାର ବହୁ ଭଲ ପଦକ୍ଷେପ ନେଇଛନ୍ତି । ଖୁବ ଶୀଘ୍ର ଓଡ଼ିଶା ସରାକରଙ୍କ ସହ ମିଶି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ୱାନ ହେଲଥ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଵ ବୋଲି କହିଛନ୍ତି ଏନସିଡିସି ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ସିମି ତିୱାରୀ ।

ଓଡ଼ିଶାରେ AIFF-FIFA ଟ୍ୟାଲେଣ୍ଟ ଏକାଡେମୀ, ତୃଣମୂଳ ସ୍ତରରୁ ଚୟନ ହେବେ ଖେଳାଳୀ

ଭୁବନେଶ୍ବର: ଫିଫା ବିଶ୍ବକପ କ୍ବାଲିଫାଇ ପୂର୍ବରୁ AIFF ଫିପା ଟ୍ୟାଲେଣ୍ଟ ଏକାଡେମୀ, ଓଡିଶା ଏବଂ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ମଧ୍ୟରେ mou ସ୍ବାକ୍ଷର ହୋଇଛି । ତୃଣମୂଳ ସ୍ତରରୁ ଖେଳାଳି ଚୟନ କରି ସ୍ବତନ୍ତ୍ର ଭାବେ ଏକାଡେମୀରେ ତାଲିମ ଦିଆଯିବ । ଆଜି ଏହାକୁ ଫିଫା ମୁଖ୍ୟ ଫୁଟବଲ ଡେଭେଲପମେଣ୍ଟର ଅପରେସନ ଓ୍ବିଙ୍ଗର ଏଆଇଏଫଏଫର ସଭାପତି କଲ୍ୟାଣ ଚୋବେ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡ଼ା ସଚିବ ଆର ଭିନିଲ କ୍ରୀଷ୍ଣାଙ୍କ ଉପସ୍ଥିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।

ବିଶେଷ କରି ରାଜ୍ୟରେ ଥିବା ଜୁନିୟର ଖେଳାଳିଙ୍କୁ AIFF FIFA ଟ୍ୟାଲେଣ୍ଟ ଏକାଡେମୀରେ କୋଚିଂ ସହ ପାଠ ପଢିବାର ସୁଯୋଗ ମଧ୍ୟ ଦିଆଯିବ । ଫିଫା ମୁଖ୍ୟଙ୍କ କହିବା ଅନୁସାରେ ଭାରତୀୟ ଖେଳାଳିଙ୍କ ପାଖରେ ଟ୍ୟାଲେଣ୍ଟ ଅଛି । ହେଲେ ସେମାନେ କେବେ ବିଶ୍ବକପ ଫୁଟବଲ ଖେଳିବେ କହିହେବନି, ମାତ୍ର ଏହି ଏକାଡେମୀ ଆଗାମୀ ତିନିବର୍ଷ ମଧ୍ୟରେ ଅନେକ ଫୁଟବଲ ଖେଳାଳିଙ୍କୁ ଭାରତୀୟ ଟିମରେ ସାମିଲ କରିବ ।

ଭାରତୀୟ ଫୁଟବଲ ସଂଘ ଭୁବନେଶ୍ବରରେ ଏକାଡେମୀ କରିବା ପାଇଁ ଆଗ୍ରହ ପ୍ରକାଶ କରିବାର ମୁଖ୍ୟ କାରଣ ଭୁବନେଶ୍ବରରେ କ୍ରୀଡା ଭିତ୍ତିଭୂମି ରହିଛି । ଏହା ଠାରୁ ଅଧିକ ସୁବିଧା ଆଉ କେଉଁ ରାଜ୍ୟରେ ନାହିଁ । ତେଣୁ ଓଡିଶା ଏଥିପାଇଁ ପ୍ରଥମ ପସନ୍ଦର ସ୍ଥାନ । ଏବେ ଫୁଟବଲକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ତିନି ତିନିଟି ଫୁଟବଲ ଅଭ୍ୟାସ ଗ୍ରାଉଣ୍ଡ କରିଛନ୍ତି । AIFF FIFA ଟ୍ୟାଲେଣ୍ଟ ଏକାଡେମୀ ଭୁବନେଶ୍ବର ସପ୍ତମ ବାଟାଲିଆନ ରହିଛି । ବର୍ତ୍ତମାନ ଏହି ଏକାଡେମୀରେ ୧୩ ବର୍ଷରୁ ଅଧିକ ୧୭ ବର୍ଷରୁ କମ ବୟସର ଖେଳାଳିଙ୍କୁ ଚୟନ କରାଯିବ।

ଆତ୍ମନିର୍ଭର ହେଉଛି ପ୍ରତିରକ୍ଷା ବିଭାଗ, ଆଣ୍ଟି ସିପ୍‌ ମିସାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ମିସାଇଲ ନିର୍ମାଣ ଓ ପରୀକ୍ଷଣ କ୍ଷେତ୍ରରେ ଆଉ ପାଦେ ଆଗକୁ ଆଗେଇଛି ଭାରତ । ଭାରତୀୟ ନୌସେନା ପକ୍ଷରୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି ଶିପ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ନୌସେନା ଓ ଡିଆରଡିଓର ମିଳିତ ସହଯୋଗରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳ ବ୍ୟବହାର କରି ଏହି ମିସାଇଲ ନିର୍ମାଣ ହୋଇଛି । 42B ହେଲିକ୍ୟାପ୍ଟରରୁ ଆଜି ଏହି ଗାଇଡେଡ ବା ଲକ୍ଷ୍ୟଭେଦୀ ମିସାଇଲକୁ ଲଞ୍ଚିଁ କରାଯାଇଥିଲା । ଏହାର ସଫଳ ପରୀକ୍ଷଣ ଦେଶର ମିସାଇଲ ନିର୍ମାଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

ଭାରତୀୟ ନୌସେନା ଦ୍ବାରା କରାଯାଇଥିବା ଏହି ପରୀକ୍ଷଣରେ ମିସାଇଲର ଶିକର୍‌ ଓ ଗାଇଡାନ୍ସ ଟେକନିକ୍‌ର ବି ପରୀକ୍ଷଣ କରାଯାଇଛି  । ଗାଇଡାନ୍ସ ଟେକନିକ୍‌ ଦ୍ବାରା ହିଁ କୌଣସି ମିସାଇଲ ତାର ଲକ୍ଷ୍ୟ ଭେଦ କରିଥାଏ  । ମିସାଇଲର ପ୍ରଭାବ ଏହାର ଗାଇଡାନ୍ସ ଟେକନିକ୍‌ ଉପରେ ନିର୍ଭର କରେ  । ନୌସେନା ଯେଉଁ ଭିଡିଓ ଜାରି କରିଛି ସେଥିରେ ଦେଖାଯାଉଛି ଯେ ମହାସାଗର ଉପରେ ଉଡୁଥିବା ଭାରତୀୟ ନୌସେନାର ହେଲିକପ୍ଟର ଆଣ୍ଟି ମିସାଇଲର ଉତକ୍ଷେପଣ କରିଛି ଯାହାକି ସଫଳତାପୂର୍ବକ ଲକ୍ଷ୍ୟଭେଦ କରିଛି  ।ଏହାପୂର୍ବରୁ ଗତବର୍ଷ ବି ନୌସେନା DRDO ସହ ମିଳିତ ସହଭାଗିତାରେ ଆଣ୍ଟି ସିପ୍‌ ମିସାଇଲର ସଫଳ ପରୀକ୍ଷଣ କରିଥିଲା  ।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଯଥାସମ୍ଭବ ପ୍ରୟାସ ଚଳାଇଛନ୍ତି ଭାରତ ସରକାର  । ଏବେ ଭାରତରେ ଇଣ୍ଟିଗ୍ରେଟେଡ ଗାଇଡେଡ ମିସାଇଲ ଡେଭଲପମେଣ୍ଟ ପ୍ରୋଗ୍ରାମ ଜରିଆରେ ଚାକୋଟି ମିସାଇଲ ଦେଶରେ ବିକଶିତ କରାଯାଉଛି  । ଏଥିରେ ପୃଥିବୀ, ଆକାଶ, ତ୍ରିଶୂଳ ଓ ନାଗ ମିସାଇଲ ସିଷ୍ଟମ ସାମିଲ ଅଛି  ।

ଟଳିଗଲା ବଡ଼ ବିପଦ, ଗୋଟିଏ ଟ୍ରାକରେ ଥିଲା ତିନି ଟ୍ରେନ୍

ରାଉରକେଲା: ରାଉରକେଲା ପାନପୋଷ ଷ୍ଟେସନ ମଧ୍ୟରେ ଗୋଟିଏ ଟ୍ରାକରେ ତିନୋଟି ଟ୍ରେନ । ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହୋଇଥିବା ଜଣାପଡିଛି । କୈଣସି ଦୁର୍ଘଟଣାର ଆଶଙ୍କା ନାହିଁ, କିମ୍ଵା କୌଣସି ଭୟଭୀତ ହେବାର ନାହିଁ । ଝାରସୁଗୁଡ଼ା ହାଟିଆ ମେମୁ, ଝାରସୁଗୁଡ଼ା ରାଉରକେଲା ମେମୁ ଓ ବନ୍ଦେ ଭାରତ ଟ୍ରେନ ଗୋଟିଏ ଟ୍ରାକରେ ରହିଥିଲା । ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହେଉଥିବା ରାଉରକେଲା ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି ।

ସୁଡ଼ଙ୍ଗରେ ଫଶିଛନ୍ତି ଜଣେ ଭାଇ, ବାହାରେ ଦୁର୍ଘଟଣା ନେଲା ଅନ୍ୟ ଦୁଇ ଭାଇଙ୍କ ଜୀବନ

ରାଞ୍ଚି: ପୁଣି ଆସିଲା ଦୁଃଖଦ ଖବର । ସୁଡ଼ଙ୍ଗରେ ଜଣେ ଭାଇ ଫସି ରହିଥିବାବେଳେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଅନ୍ୟପଟେ ଦୁର୍ଘଟଣାରେ ଆଉ ଦୁଇ ଭାଇଙ୍କ ଜୀବନ ଯାଇଛି । ଯେ କେହି ବି ଏକଥା ଶୁଣୁଛି ଦୁଃଖରେ ଆହା ପଦେ କହୁଛି । ଜଣେ ଭାଇ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲରେ ୧୦ଦିନ ହେବ ଫସି ରହିଥିବାବେଳେ ଆଉ ଦୁଇ ଭାଇଙ୍କ ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ତୁଡ୍ଡୁପାଲ୍ଲୁ ଘାଟିରେ ଦୁର୍ଘଟଣା ଘଟିଛି । ଟ୍ରେଲର କାର ଏବଂ ଟ୍ରାକ୍ଟରକୁ ମାଡ଼ କରିଥିବାବେଳେ ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଡ୍ରାଇଭରଙ୍କ ସମେତ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଉତ୍ତରାଖଣ୍ଡ ଟନେଲରେ ଫସିଥିବା ଶ୍ରମିକ ରାଜେନ୍ଦ୍ର ବେଦିଆଙ୍କ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି ।

ରାଜେନ୍ଦ୍ରଙ୍କ ଭାଇ ଦିନେଶ ଏବଂ ସମ୍ପର୍କୀୟ ଭାଇ ସୁକୁମାରଙ୍କ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ଶୋକର ଛାୟା ଖେଳି ଯାଇଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ସକାଳୁ ଏକ ଦୃତଗାମୀ ଟ୍ରେଲର ମାଡ଼ି ଆସିଥିଲା । ତିନୋଟି ଯାନକୁ ଧକ୍କା ଦେବା ପରେ ଘାଟିରେ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏନଏଚ ୩୩ ଜାମ ରହିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ରହିଛି । ଯାତାୟତରେ ବହୁ ଅସୁବିଧା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ସ୍ଥାନୀୟ ଲୋକ ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପିସିଆର ଭ୍ୟାନ୍ ଘାଟିରେ ରହି ଆସୁଥିବା ଗାଡ଼ି ମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ । ପ୍ରତିଦିନ ଏଭଳି କରୁଥିବାବେଳେ ଆଜି ମଧ୍ୟ ଟଙ୍କା ଆଦାୟ କରୁଥିବାବେଳେ ଟ୍ରାକ୍ଟରଟି ସେଠାରେ ଛିଡ଼ା ହୋଇଥିଲା । ଦୃତଗତିରେ ଆସୁଥିବା ଟ୍ରେଲରଟି ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଏହାପରେ ବାକି ସମସ୍ତ ଗାଡ଼ି ଆସି ପଛରୁ ପିଟିଥିଲା ।

 

ବିଜେପି କାର୍ଯ୍ୟକ୍ରମକୁ ଯିବାବେଳେ ଅଘଟଣ, ଟ୍ରାକ୍ଟର ଓଲଟି ୨ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର; ବିଜେପି କାର୍ଯ୍ୟକ୍ରମକୁ ଆସିବା ବେଳେ ଓଲଟିଲା ଟ୍ରାକ୍ଟର। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତାଳଗୁରାନ୍ଥି ନିକଟରେ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଡେରା ଶବର ଓ ଜଗନ୍ନାଥ ଶବର। ଉଭୟ ଗୁଡ଼ିପଦର ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ କାଞ୍ଚିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ବିଜେପିର ଚିକିଟି ବ୍ଲକ ଘେରାଉ କାର୍ଯ୍ୟକ୍ରମ ପାଇଁ ଟ୍ରାକ୍ଟରରେ ଅସୁରକ୍ଷିତ ଅବସ୍ଥାରେ ବୁହା ହୋଇ ଆସୁଥିଲେ ଲୋକ। ତେବେ ଟ୍ରାକ୍ଟର ଭାରସାମ୍ୟ ହରାଇ ପାହାଡ ତଳକୁ ଖସି ପଡିଥିଲା। ପ୍ରଶ୍ନ ଉଠୁଛି, ଆନ୍ଦୋଳନ ନାଁରେ ଅସୁରକ୍ଷିତ ଭାବେ ଲୋକଙ୍କୁ ବୋହି ଆଣିବା କେତେଦୂର ଯୁକ୍ତିଯୁକ୍ତ? ଟ୍ରାକ୍ଟରରେ ଲୋକଙ୍କୁ କାହିଁକି ଅଣା ଯାଉଥିଲା? ଦୁଇ ଜୀବନ ପାଇଁ କିଏ ଉତ୍ତରଦାୟୀ? ଏଭଳି ଅନେକ ପ୍ରଶ୍ନ ଏବେ ଉଠାଇଛନ୍ତି ବୁଦ୍ଧିଜୀବୀ ।

ପ୍ରକାଶ ପାଇଲା ଆଇସିଏମଆର ଗବେଷଣା ରିପୋର୍ଟ, ହ୍ରାସ ପାଇଛି ଯୁବବର୍ଗଙ୍କ ହଠାତ ମୃତ୍ୟୁ

ଭୁବନେଶ୍ବର: କୋଭିଡ୍ ଟିକାରୁ ଯୁବବର୍ଗଙ୍କ ମଧ୍ୟରେ କମିଛି ସଡନ୍ ଡେଥ୍ ବିପଦ। ଆଇସିଏମଆର ଗବେଷଣାରୁ ଏହି ତଥ୍ୟ ପ୍ରକାଶ ପାଇଛି । ୧୮ ବର୍ଷରୁ ୪୫ ବର୍ଷ ଯୁବବର୍ଗଙ୍କ ମଧ୍ୟରେ ହଠାତ ମୃତ୍ୟୁ ବିପଦ ହ୍ରାସ ପାଇଥିବା ରିପୋର୍ଟରୁ ଜଣାପଡିଛି। ୧୮ରୁ ୪୫ ବର୍ଷ ମଧ୍ୟରେ କୋଭିଡରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ନେଇ ହୋଇଥିଲା ସର୍ଭେ । ମୋଟ ୭୨୯ ଜଣଙ୍କର ମୃତ୍ୟୁକୁ ନେଇ ତନାଘନା କରାଯାଇଥିଲା । ଏଥିରୁ ଜଣାପଡିଥିଲା କି ୪୦ରୁ ୪୫ ବର୍ଷ ବର୍ଗଙ୍କ ମଧ୍ୟରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ହାର ଅଧିକ ରହିଛି । କିନ୍ତୁ ୧୮ରୁ ୪୦ ବର୍ଷ ମଧ୍ୟରେ ଯୁବଗୋଷ୍ଠୀଙ୍କ ମୃତ୍ୟୁହାର କମ ରହିଛି । ଚଳିତ ବର୍ଷ ଲଗାତର ଯୁବବର୍ଗଙ୍କ ମଧ୍ୟରେ ହୃଦଘାତରୁ ମୃତ୍ୟୁ ଭଳି ଅନେକ ଘଟଣା ସାମନାକୁ ଆସିଥିଲା ।

ଯୁବବର୍ଗଙ୍କ ମଧ୍ୟରେ ହଠାତ ହେଉଥିବା ମୃତ୍ୟୁ କୋଭିଡ ଟୀକା କାରଣରୁ ହେଉଛି କି ବୋଲି ଆଶଂକା କରାଯାଇଥିଲା । ଏହାକୁ ନେଇ ୨୦୨୧ ଅକ୍ଟୋବର ପହିଲାରୁ ୩୧ ମାର୍ଚ୍ଚ ୨୦୨୩ ମଧ୍ୟରେ ହଠାତ ମୃତ୍ୟୁ ହୋଇଥିବା ଯୁବବର୍ଗଙ୍କ ରିପୋର୍ଟ ଛାନବିନ କରାଯାଇଥିଲା। ଯୁବବର୍ଗ ଯେଉଁମାନେ କୋଭିଡ୍ ଟୀକା ନେଇ ଭଲହେବା ପରେ ହସ୍ପିଟାଲରୁ ଘରକୁ ଫେରିଥିଲେ। ଏବଂ ଭଲ ହେବାର ବର୍ଷକ ମଧ୍ୟରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏଭଳି ମାମଲାକୁ ନେଇ କରାଯାଇଥିଲା ସର୍ଭେ । ଗବେଷଣାରୁ ଜଣାପଡିଥିଲା କି ଯେଉଁମା୍ନେ ୪୦ ବର୍ଷରୁ ଅଧିକ ଥିଲେ ଏବଂ ବିଭିନ୍ନ ଦୂରାରୋଗରେ ପୀଡ଼ିତ ଥିଲେ ସେମାନଙ୍କ ମଧ୍ୟରେ ମୃତ୍ୟୁର ବିପଦ ହାର ଅଧିକ। ଯେଉଁମାନେ ୪୦ ବର୍ଷରୁ କମ ଏବଂ ସଂକ୍ରମଣ ପୂର୍ବରୁ କୋଭିଡର କମରେ ଗୋଟିଏ ଟୀକା ନେଇଥିଲେ । ସେମାନଙ୍କ ଠାରେ ହସ୍ପିଟାଲରୁ ଭଲ ହୋଇ ଫେରିବା ପରେ ମୃତ୍ୟୁର ହାର କମ ଥିଲା ।

ସାମି ଖେଳୁଥିଲେ ଫାଇନାଲ, ମେଡିକାଲରେ ଚିକିତ୍ସିତ ହେଉଥିଲେ ମା’

ନୂଆଦିଲ୍ଲୀ: ବିଶ୍ବକପ ଫାଇନାଲ ମ୍ୟାଚ ଖେଳୁଥିଲେ ମହମ୍ମଦ ସାମି । ସେପଟେ ମେଡିକାଲରେ ଚିକତ୍ସିତ ହେଉଥିଲେ ସାମିଙ୍କ ମାଆ ଅମନ ଆରା । ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିବା ସାମି ଫାଇନାଲରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତଙ୍କର ଆଶା ରହିଥିଲା । ଯାହାକି ପ୍ରଥମରୁ ମଧ୍ୟ ଓ୍ବିକେଟ ନେଇ ପ୍ରତିଫଳିତ କରିଥିଲେ । ଫାଇନାଲ ମ୍ୟାଚ ଦେଖିବାକୁ ପାଇଁ ସାମିଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ହଠାତ ତାଙ୍କ ମାଙ୍କ ଦେହ ଖରାପ ହୋଇଯାଇଥିଲା । ପରିବାର ଲୋକ ତାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ । ଆଉ ଚିକିତ୍ସିତ ହୋଇଥିଲେ । ଅତ୍ୟଧିକ ଜ୍ଜର ହେବାରୁ ତାଙ୍କ ଦେହ ଖରାପ ହୋଇଥିବା ସୂଚନା ମିଳିଥିଲା ।

ସାମିଙ୍କୁ ଏହି ଖବର ପରବର୍ତ୍ତୀ ସମୟରେ ଦିଆଯାଇଥିଲା । ଘରଠାରୁ ୧୧ଶହ କିଲୋମିଟର ଦୂରରେ ଦେଶ ପାଇଁ ଖେଳୁଥିଲେ ସାମି । ଅନେକ ବିଶ୍ବସ ଏବଂ ଭରସା ରହିଥିଲା ତାଙ୍କ ଉପରେ । ମାତ୍ର ଫାଇନାଲରେ ସେମିତି ଭଲ ପ୍ରଦର୍ଶନ କରିପାରିନଥିଲେ ସାମି । ମାତ୍ର ଯଦି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଦେଖିବା ତାହେଲେ ସେ ଭଲ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଚାରୋଟି ମ୍ୟାଚରେ ଖେଳିବାର ସୁଯୋଗ ପାଇନଥିଲେ ମାତ୍ର ପରେ ପାଣ୍ଡ୍ୟାଙ୍କ ଆହତ ପରେ ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇଥିଲେ । ଆଉ ନିଜର ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ସାମିଙ୍କ ଘାତକ ବୋଲିଂ ସୁବଦିନ ପାଇଁ ମନେ ରହିବ ନିଶ୍ଚୟ । ୭ ଓ୍ବିକେଟ ନେଇଥିବାବେଳେ ଏକ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ଯାହାକି ସାରା ବିଶ୍ବରେ ପ୍ରଂଶସା କରାଯାଇଛି ।

ବରମୁଣ୍ଡା ବିଲ୍ଡର ଅଫିସରେ ସ୍ତ୍ରୀକୁ ଛୁରାମାଡ଼ ଘଟଣା, ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୋଲିସ

ଭୁବନେଶ୍ବର: ବରମୁଣ୍ଡା ବିଲ୍ଡର ଅଫିସରେ ସ୍ତ୍ରୀ ଉପରେ ସ୍ବାମୀର ଛୁରା ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ ସ୍ବାମୀ ସପନ କୁମାର । ସୋମବାର ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରି ଲହୁଲୁହାଣ କରିଥିଲା ଅଭିଯୁକ୍ତ । ସାର୍ଟ ଭିତରେ ଲୁଚାଇ ଧାରୁଆ ଛୁରୀ ଆଣିଥିଲା ଅଭିଯୁକ୍ତ । ସିସିଟିଭିରେ କଏଦ ହୋଇଥିଲା ଘଟଣା ବେଳର ଚିତ୍ର । ସେପଟେ ପଚରା ଉଚରା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭରତପୁର ପୋଲିସ ହାତରେ ଲାଗିଛି । ସପନର ଘର ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ୫ ବର୍ଷ ତଳେ ସେ ମଧୁସ୍ମିତା ଦାସଙ୍କୁ ବିବାହ କରିଥିଲେ । ବିବାହ ପରେ ତୃତୀୟ ପୁରୁଷ ବା ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ମଧୁସ୍ମିତାଙ୍କୁ ସନ୍ଦେହ କରୁଥିଲେ ସପନ । ଯାହାକୁ ନେଇ ପରିବାର ଭିତରେ ବାଦ ବିବାଦ ଲାଗି ରହିଥିଲା । ଦୁହିଁଙ୍କର ୨ ବର୍ଷର ଶିଶୁଟିଏ ରହିଛି । କିନ୍ତୁ ପାରିବାରିକ କନ୍ଦଳକୁ କେନ୍ଦ୍ର କରି ସ୍ତ୍ରୀ ମଧୁସ୍ମିତା, ସପନଙ୍କ ବିରୋଧରେ ସୋର ଥାନାରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଯେଉଁ ମାମଲା ବର୍ତ୍ତମାନ ସୁଧା ତଦନ୍ତ ପରିସରଭୁକ୍ତ ହୋଇ ରହିଛି । ଦୁହେଁ ଭୁବନେଶ୍ବରରେ ଅଲଗା ଅଲଗା ରହୁଥିଲେ । ଗତକାଲି ମଧୁସ୍ମିତା କାମ କରୁଥିବା ବିଲ୍ଡର ଅଫିସରେ ପହଞ୍ଚି ଛୁରାମାଡ଼ କରିଥିଲେ ସ୍ବାମୀ ସପନ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ।

ନେତାଜୀଙ୍କୁ କଲେଜ ଛାତ୍ରଙ୍କ ଅସମ୍ମାନ, ଭାଇରାଲ ହେଉଛି ଭିଡିଓ

ଅନୁଗୁଳ: ସୁବାଷ ବୋଷଙ୍କୁ ଅସମ୍ମାନ  କଲେ କଲେଜ ଛାତ୍ର । ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ଉପରେ କାନ୍ଧ ପକେଇ , ତାଙ୍କ ଚଷମା ଟାଣି ଇଂଷ୍ଟାଗ୍ରାମରେ ରିଲ କଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଆଉ ଏହି ଘଟଣା ଟି ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବୋଲି ଜଣା ପଡିଥିବା ବେଳେ ଛାତ୍ର ଜଣଙ୍କ ଯୁକ୍ତ 2 ର ଛାତ୍ର । ସୂଚନା ଅନୁସାରେ ଦିଲ କା ରାଜା ସନ୍ଦୀପ ନାମକ ଏକ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସମ୍ପୃକ୍ତ ଯୁବକ ଜଣଙ୍କ ଏକ ରିଲ କରି ଛାଡିଥିଲେ । ଅନୁଗୁଳ କଲେଜ ପରିସରରେ ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଥିବା ବେଳେ ଯୁବକ ଜଣଙ୍କ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିକୁ ଧରି ତାଙ୍କ ଚଷମା ଟାଣି ଟାଣି ନାଚିଥିଲେ । କିଛି ସମୟ ପରେ ପ୍ରତିମୂର୍ତ୍ତିରେ ଲାଗିଥିବା ଚାଷମାକୁ ବଳ ପୂର୍ବକ ଟାଣି ଭାଙ୍ଗିଦେବା ସହ ସେହି ଚଷମାକୁ ପିନ୍ଧି ମଇନା ମୋର ମଇନା ଗୀତରେ ନାଚି ନାଚି ରିଲ କରିଥିଲେ। ତେବେ ଜଣେ କଲେଜ ପଢୁଆ ଛାତ୍ରଙ୍କ ଏଭଳି କାରନାମା ଦେଖି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।