ଭୁବନେଶ୍ବର: ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ। ମଛଲିପଟନମ ରାଡ଼ାରରୁ ଏନେଇ ସୂଚନା ମିଳିଛି। ଆସନ୍ତା ୩ଘଣ୍ଟା ମଧ୍ୟରେ ସରିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଉଁଛି ମିଗଜୋମ୍ । ମଙ୍ଗଳବାର ସନ୍ଧ୍ୟା ଭିତରେ ଦୁର୍ବଳ ହେବ ବାତ୍ୟା । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୨୦ କିଲୋମିଟର ରହିବା ବେଳେ ପରେ ପବନର ବେଗ କମି ୫୦ରୁ ୬୦ କିଲୋମିଟର ରହିବ । ବାତ୍ୟାକୁ ନେଇ ଆନ୍ଧ୍ର ସହ ଚେନ୍ନାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଲ୍ୟାଣ୍ଡଫଲ ସମୟରେ ଦେଢ ମିଟର ଉଚ୍ଚର ଲହଡ଼ି ସୃଷ୍ଟି ହେବା ଆଶଙ୍କା ରହିଛି । ବାତ୍ୟା ମିଗଜୋମ ବାପଟଲା ଓ କ୍ରିଷ୍ଣା ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇବା ଆଂଶକା କରାଯାଉଛି । ବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶର ୮ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ତିରୁପତି, ନେଲୋର, ପ୍ରକାଶମ, ବାପଟଲା. କ୍ରିଷ୍ଣା, ୱେଷ୍ଟ ଗୋଦାବରୀ, କୋନାସିମା ଏବଂ କାକିନାଡା ଜିଲ୍ଲାରେ ସତର୍କତା ଜାରି କରାଯାଇଛି । ଉପକୂଳ ଅଂଚଳରେ ୧୪୪ ଧାରା ଲଗାଯାଇଛି । ଆନ୍ଧ୍ରପ୍ରଦେଶରେ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡି ।
ଜାଣନ୍ତୁ ମିଜୋରାମର ସର୍ବ କନିଷ୍ଠ ବିଧାୟିକାଙ୍କ ସମ୍ପର୍କରେ ଅଜଣା କଥା
ନୂଆଦିଲ୍ଲୀ: ଯେତେବେଳେ ତାଙ୍କୁ ଟିକେଟ୍ ଦିଆଯାଇଥିଲା । ସୋସିଆଲ ମିଡିଆରେ ମଜା ଉଡ଼ାଇଥିଲେ ଲୋକେ। କହିଥିଲେ ଏହା ରାଜନୀତି ମଇଦାନ, ଫ୍ୟାସନ ସୋ ନୁହେଁ । ମନୋରଞ୍ଜନ ଏବଂ ଫ୍ୟାସନ କରୁଥିବା କେହି ଜଣେ ନିର୍ବାଚନ ଲଢ଼ିବାକୁ ଆସିଛି । ସେ କେବେ ମଧ୍ୟ ଜିତି ପାରିବେ ନାହିଁ । ସୋସିଆଲ ମିଡିଆରେ ତାଙ୍କୁ ଅନେକ ଟ୍ରୋଲ ମଧ୍ୟ କଲେ । କିନ୍ତୁ ଶେଷରେ ନିର୍ବାଚନରେ ବହୁ ସଂଖ୍ୟାରେ ଜିତି ସମାଲୋଚକଙ୍କ ମୁହଁକୁ ବନ୍ଦ କରି ଦେଇଛନ୍ତି । ମିଜୋରାମର ସର୍ବକନିଷ୍ଠ ବିଧାୟିକା ବେରିଲ ବତ୍ରୋଇହସଙ୍ଗୀ । ଯିଏକି ZMP ପକ୍ଷରୁ ଲଢ଼ି ନିର୍ବାଚନ ଜିତି ବେଶ ଚର୍ଚ୍ଚାରେ ରହିଛନ୍ତି । ସୋମବାର ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ବିଜୟ ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ମନୋରଞ୍ଜନ ଦୁନିଆରୁ ଆସିଥିବା ବେରିଲଙ୍କ ରାଜନୈତିକ ଯାତ୍ରା ସମ୍ପର୍କରେ କିଛି ଅଜଣା କଥା ।
ସିଲଙ୍ଗର ହିଲ ୟୁନିଭରସିଟିରେ ସାମ୍ବାଦିକତା ସାରିବା ପରେ ରେଡିଓ ଜକିଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଆଉ ତାଙ୍କ ମିଠା ଭଏସ ଶ୍ରୋତାଙ୍କ ମନ ମୋହିଥିଲା । ଯାହାଦ୍ବାରା ସେ ଲୋକପ୍ରିୟତା ହାସଲ କରିଥିଲେ । ଏହାପରେ ରାଜନୈତିକ କ୍ୟାରିୟର କଥା ଯଦି କହିବା ତାହେଲେ ସେ ପ୍ରଥମେ ପୌର ନିର୍ବାଚନରେ ପ୍ରାର୍ଥୀ ହୋଇ ରାଜେନୖତିକ ମଇଦାନରେ ପାଦ ଥାପିଥିଲେ । ଆଉ କର୍ପୋରେଟର ହୋଇ ଜନସାଧାରଣଙ୍କ ପାଇଁ କାମ କରିଥିଲେ । କିନ୍ତୁ ଯେତେବେଳେ ସାଧାରଣ ନିର୍ବାଚନରେ ZMP ତାଙ୍କୁ ଟିକେଟ ଦେଇଥିଲା ସୋସିଆଲ ମିଡିଆରେ ତାଙ୍କୁ ବହୁ ସମାଲୋଚନା କରାଯାଇଥିଲା । ମଜା ଉଡ଼ାଇବା ସହ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟମାନ ଦେଇଥିଲେ । କିନ୍ତୁ ସେ ଏହାକୁ କର୍ଣ୍ଣପାତ ନକରି ପ୍ରଚାର କରିଥିଲେ । ଏହାସହ ନିଜର ରାଜନୈତିକ କ୍ୟାରିୟରକୁ ବେରିଲ କୁହନ୍ତି କି, ରାଜନୀତିରେ ପ୍ରବେଶ କରିବା ମୋ ପାଇଁ ସହଜ ନଥିଲା ।
ମହିଳାମାନଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦିଆଯାଉନଥିବାବେଳେ ଘରର ଚାରିକାନ୍ଥ ହିଁ ଆମ ଦୁନିଆ ବୋଲି ପିଲାଦିନରୁ ଶିଖା ଯାଇଥିଲା । କିନ୍ତୁ ଏହାକୁ ଅତିକ୍ରମ କରି ରାଜନୀତି ମଇଦାନରେ ପ୍ରବେଶ କରି ବିଧାୟିକାଭାବେ ଜିତିବାର ଯାତ୍ରା ବେଶ କଷ୍ଟସାଧ୍ୟ । ମିଜୋରାମରେ ଜିତିଥିବା ୩ଜଣ ମହିଳା ବିଧାୟିକା ମଧ୍ୟରେ ସେ ଜଣେ । ମହିଳାଙ୍କ ପାଇଁ ରାଜ୍ୟରେ ବହୁ କଡ଼ା ନୀତି ନିୟମ ସାଙ୍ଗକୁ ପ୍ରତିବନ୍ଧକ ରହୁଥିବାବେଳେ ଏହି ବିଜୟ ମହିଳାଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କହିଛନ୍ତି ବରେଲି । ଯେତେବେଳେ ସେ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଥିଲେ ସେ ଭାଙ୍ଗ ପଡ଼ିନଥିଲେ । ଦୃଢ଼ ମନୋବଳ ସହ ନିର୍ବାଚନ ଲଢ଼ି ବିଜୟ ହାସଲ କରି ବିଧାନସଭାରେ ପ୍ରବେଶ କରିଥିବାବେଳେ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।
ଆୟୁଷ ହସ୍ପିଟାଲଗୁଡ଼ିକର ହେବ ନବକଳେବର, ଖର୍ଚ୍ଚ ହେବ ୧୫୭ କୋଟି ଟଙ୍କା
ଭୁବନେଶ୍ବର: ଆୟୁଷ ହସ୍ପିଟାଲଗୁଡ଼ିକର ହେବ ନବକଳେବର। ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବ ୧୫୭ କୋଟି ଟଙ୍କା । ନୂତନ ଗୃହ ନିର୍ମାଣ ଓ ପୁରୁଣା ମରାମତି ପାଇଁ ରିପୋର୍ଟ ଦିଆସରିଛି । ଯଥାଶୀଘ୍ର କାର୍ଯ୍ୟ ସରିବ ବୋଲି ଆୟୁଷ ନିର୍ଦ୍ଦେଶାଳର ନିର୍ଦ୍ଦେଶିକ ପ୍ରେମଜିତ ନାୟକ ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର ସ୍କ୍ୱାଡ୍ ସମସ୍ତ ଆୟୁଷ ଡିସ୍ପେନ୍ସାରି ପରିଦର୍ଶନ କରି ଆୟୁଷ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବେ । ଯାହା ଅଭାବ ରହିଛି, ତାହା ପୂରଣ କରାଯିବ । ଡାକ୍ତର, ସହାୟକ ଓ ଅନ୍ୟ କର୍ମଚାରୀ ନିୟମିତ ଆସୁଛନ୍ତି ନା ନାହିଁ, ତାହା ଅନୁଧ୍ୟାନ କରିବାକୁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ ହୋଇଛି । ଓଡ଼ିଶା ପବ୍ଲିକ୍ ସର୍ଭିସ କମଶନ କମିଶନ ଜରିଆରେ ୨୨୧ ଆୟୁଷ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଆୟୁଷ ନିର୍ଦ୍ଦେଶାଳର ନିର୍ଦ୍ଦେଶିକ ପ୍ରେମଜିତ ନାୟକ ସୂଚନା ଦେଇଛନ୍ତି ।
ହତ୍ୟା ନାଁ ଆତ୍ମହତ୍ୟା? ପ୍ରେମିକା ଘରୁ ଉଦ୍ଧାର ହେଲା ପ୍ରେମିକର ମୃତଦେହ
ଭୁବନେଶ୍ବର: ପୁଣି ରାଜଧାନୀରେ ଚାଞ୍ଚଲ୍ୟ । ପ୍ରେମିକା ଘରୁ ଉଦ୍ଧାର ହେଲା ପ୍ରେମିକଙ୍କ ମୃତଦେହ। ରାଜଧାନୀ ଭୁବନେଶ୍ବର ଧଉଳି ଥାନା ଶିଶୁପାଳଗଡ଼ରୁ ଆସିଛି ଏଭଳି ଖବର। ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ଯୁବକ ଜଣକ ହେଲେ ପପୁନି ସ୍ବାଇଁ । ତାଙ୍କ ଘର ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର । ସେ ରଙ୍ଗ ମିସ୍ତ୍ରୀଭାବେ କାମ କରୁଥିବାବେଳେ ଶିଶୁପାଳଗଡ଼ରେ ରହୁଥିଲେ । ଦୀର୍ଘଦିନ ହେବ ପ୍ରେମ କରୁଥିବାବେଳେ ସେ ପ୍ରେମିକାଙ୍କ ଘରକୁ ଯାଉଥିଲେ । ସୋମବାର ବିଳମ୍ବିତ ରାତିରେ ତାଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥା ମୃତଦେହ ଉଦ୍ଧାର ମୃତଦେହ ଉଦ୍ଧାର ହୋଇଛି । ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଧଉଳି ଥାନା ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
କୁଆଡେ ଗଲେ ଶ୍ରମିକ? ବାହାନଗା ଷ୍ଟେସନକୁ ବଗି କାଟିବାକୁ ଆସିଥିବା ଶ୍ରମିକ ନିଖୋଜ
ସୋର: ବାହାନଗା ଷ୍ଟେସନରେ ଅଘଟଣ। ଟ୍ରେନ ଦୁର୍ଘଟଣା ପରେ ବଗି ଗୁଡିକ କାଟିବା ପାଇଁ ଆସିଥିବା ଜଣେ ଶ୍ରମିକ ଘଟଣା ସ୍ଥଳରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ଆସିଛି। ଗତ ଅକ୍ଟୋବର ୨୮ତାରିଖରେ ରେଳଡ଼ବା କାଟିବା ପାଇଁ ବିହାର ମୁଙ୍ଗେର ଜିଲ୍ଲା ରତନପୁର ଗାଁର ସଦନନ୍ଦ ଗୁପ୍ତାଙ୍କ ବଡ଼ ପୁଅ ଅଜୟ ଗୁପ୍ତା,ସାନପୁଅ ବିଟୋ ଗୁପ୍ତା ଉଭୟ ବାହାନଗା ଆସିଥିଲେ। ଦୁଇ ଭାଇ କାମ କରୁଥିବା ଵେଳେ ହଠାତ ଗତ ୮ ତାରିଖରୁ ସାନ ଭାଇ ବିଟୋକୁ ପାଉନାହାନ୍ତି । ସେ କେଉଁଆଡ଼େ ଚାଲିଗଲେ ସେ ତାଙ୍କୁ ପାଉନଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅଜୟ ।
ଅଭିଯୋଗ ପରେ ବିଟୋକୁ ପାଇବା ପାଇଁ ଵିଭିନ୍ନ ସ୍ଥାନ ଖୋଜାଖୋଜି କରୁଛି ପୋଲିସ । କିନ୍ତୁ ଏଯାବତ ବିଟୋଙ୍କ ପତ୍ତା ମିଳୁନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ନିଖୋଜ ବିଟୋକୁ ନପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ଵଡ଼ଭାଇ । ଭଙ୍ଗାରୁଜା ରେଳଵଗି କାଟିବାକୁ ଆସି ଶ୍ରମିକ ନିଖୋଜ ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖ ଆଣି ଦେଇଛି। ଏହି ବଡ଼ ଟ୍ରେନ ଦୁର୍ଘଟଣାର ଦୁଃଖ ଆଜି ମଧ୍ୟ ଲୋକଙ୍କ ମନରୁ ଲିଭିନଥିବାବେଳେ ପୁଣି ଜଣେ ଶ୍ରମିକ ନିଖୋଜ ଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସେ କେଉଁଆଡ଼େ ଯାଇଛନ୍ତି କିମ୍ବା କିଛି ଅଘଟଣ ଘଟିଛି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।
କିଏ ଏବଂ କାହିଁକି ଦେଲା ବାତ୍ୟା ’ମିଗଜୋମ’ ନାମ? ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ
ଭୁବନେଶ୍ବର: ଭୟଙ୍କର ରୂପରେ ମାଡ଼ି ଆସୁଛି ବାତ୍ୟା ମିଗଜୋମ୍। ପ୍ରବଳ ବର୍ଷା ଏବଂ ପବନ ଆରମ୍ଭ ହୋଇଥିବାବେଳେ ତାମିଲନାଡ଼ୁରେ ସ୍ଥିତି ବେହାଲ ହେଲାଣି । ଚେନ୍ନାଇରେ ପ୍ରବଳ ବର୍ଷା ପାଇଁ ପାଣି ପାଣି ପୁରା ସହର । ତେବେ ଏହି ବାତ୍ୟାର ନାମ ମିଗଜୋମ୍ କିଏ ଦେଇଛି । ଏଭଳି ନାମ କାହିଁକି ଦିଆଗଲା । ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି। ମିଗଜୋମ ନାମ ମିଆଁମାର ଦେଇଛି । ଏହା ହେଉଛି ଏକ ମିଆଁମାର ଶବ୍ଦ। ମିଗଜୋମର ଅର୍ଥ ହେଉଛି ନମନୀୟତା ଏବଂ ଶକ୍ତି। ତିନି ରାଜ୍ୟରେ ଏହାର ପ୍ରଭାବ ପଡ଼ିବାକୁ ଥିବାବେଳେ ଏଭଳି ନାମ କରଣ କରାଯାଇଥିବା କୁହାଯାଉଛି । ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ । ଓଡ଼ିଶାରେ କେବଳ ବର୍ଷା ହେବାବେଳେ ବଡ଼ ପ୍ରଭାବ ନାହିଁ ।
ସୂଚନା ଥାଉକି, ବାତ୍ୟା ମଙ୍ଗଳବାର ଉତ୍ତର ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ନେଲୋର ଓ ମଚ୍ଛଲିପଟ୍ଟନମ୍ ମଧ୍ୟରେ ବାପାଟଲା ନିକଟରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାକୁ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଝଟକା ପବନର ବେଗ ୧୧୦ କିଲୋମିଟର ଛୁଇଁପାରେ । ଏଥିପାଇଁ ଆନ୍ଧ୍ର ସମେତ ଚେନ୍ନାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଲ୍ୟାଣ୍ଡଫଲ ସମୟରେ ଦେଢ ମିଟର ଉଚ୍ଚର ଲହଡ଼ି ସୃଷ୍ଟି ହେବା ସମ୍ଭାବନା ରିହଛି । ବାତ୍ୟା ମିଗଜୋମ ବାପତାଲା ଓ କ୍ରିଷ୍ଣା ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇବା ଆଂଶକା କରାଯାଉଛି । ବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶର ୮ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ତିରୁପତି, ନେଲୋର, ପ୍ରକାଶମ, ବାପତାଲା. କ୍ରିଷ୍ଣା, ୱେଷ୍ଟ ଗୋଦାବରୀ, କୋନାସିମା ଏବଂ କାକିନାଡା ଜିଲ୍ଲାରେ ସତର୍କତା ଜାରି କରାଯାଇଛି । ଉପକୂଳ ଅଂଚଳରେ ୧୪୪ ଧାରା ଲଗାଯାଇଛି । ଆନ୍ଧ୍ରପ୍ରଦେଶରେ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡି ।
ସ୍ଥଳଭାଗ ଛୁଇଁବା ଆଗରୁ ତାମିଲନାଡୁରେ ତାଣ୍ଡବ ରଚୁଛି ମିଗଜୋମ୍ । ତାମିଲନାଡୁ ନିକଟରେ ସମାନ୍ତରାଳ ଭାବେ ଉତ୍ତରମୁହାଁ ହୋଇ ଏହା ଆନ୍ଧ୍ରରେ ସ୍ଥଳଭାଗ ଅତିକ୍ରମ କରିବ । ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଓ ପବନରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ଚେନ୍ନାଇରେ ବିଭିନ୍ନ ସ୍ଥାନରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଚେନ୍ନାଇ ଏୟାରପୋର୍ଟରେ ପାଣି କମିବା ପରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି । ପୁଣିଥରେ ବିମାନ ଉଡ଼ାଣ ଆରମ୍ଭ କରିଛି। ଆଜି ମଧ୍ୟ ତାମିଲନାଡୁ ସରକାର ଅନେକ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା କରିଥିବା ବେଳେ ସାର୍ବଜନିକ ସ୍ଥାନ ବନ୍ଦ କରାଯାଇଛି । ତଳିଆ ଅଞ୍ଚଳରେ ପାଣି ଜମିଥିବାରୁ ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଛି । ଉପକୂଳ ଅଞ୍ଚଳରେ ୫ ହଜାରରୁ ଅଧିକ ରିଲିଫ୍ କେନ୍ଦ୍ର ଖୋଲାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ ଓ ଏସଡିଆରଏଫ ଯବାନ ମୁତୟନ ହୋଇଛନ୍ତି ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏମିତି କହିଲେ ଅଜୟ ଜାଡେଜା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦକ୍ଷ ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା । ଟିମ ଇଣ୍ଡିଆକୁ ବହୁ ମ୍ୟାଚ ବିଜୟୀ କରିଥିବା ପାଣ୍ଡ୍ୟା ଆହତ କାରଣରୁ ବିଶ୍ବକପ ଅଧାରୁ ଟିମରୁ ବାଦ ପଡ଼ିଥିଲେ । ତେବେ ଏହି ଭେଟେରାନ ଅଲରାଉଣ୍ଡରଙ୍କୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା ନିଜର ପ୍ରତିକ୍ରିୟା ରଖିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି । ପାଣ୍ଡ୍ୟା ହେଉଛନ୍ତି ଜଣେ ଦକ୍ଷ ଅଲରାଉଣ୍ଡର । ଟିମକୁ ବିଜୟ କରିବାରେ ତାଙ୍କୁ ବହୁ ଅଭିଜ୍ଞତା ରହିଛି । କିନ୍ତୁ ସବୁବେଳେ ଆଇସିସିର ବଡ଼ ଇଭେଣ୍ଟରେ ଆହତ ତାଙ୍କ ପାଇଁ କାରଣ ସାହୁଛି । ୨୦୨୪ ଟି-୨୦ ବିଶ୍ବକପରେ ପ୍ରଂଶସକମାନେ କିଛି ବଡ଼ ଆଶା ରଖିଥିବାବେଳେ ସେ ଦଳକୁ ଫେରି କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି ।
କହି ରଖୁଛୁ କି, ଚଳିତ ବିଶ୍ବକପରେ ଆହତ ହୋଇଥିଲେ ପାଣ୍ଡ୍ୟା । ଟୁର୍ଣ୍ଣାମେଣ୍ଟ ଅଧାରୁ ଆହତ କାରଣରୁ ବାଦ ପଡ଼ିଥିଲେ । ଏଣୁ ପରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ଖେଳିନାହାନ୍ତି । ଏପରିକି ଦକ୍ଷିଣ ଆଫ୍ରିକା ଗସ୍ତରେ ମଧ୍ୟ ଠିକ ହୋଇନଥିବାରୁ ସମ୍ପୂର୍ଣ୍ଣ ସିରିଜରେ ନାହାନ୍ତି । ୨୦୨୩ରେ ଭାରତ ପାଇଁ ଟି-୨୦ରେ ଅଧିନାୟକ ଭାର ସମ୍ଭାଳିଥିବାବେଳେ ୨୦୨୪ ଟି-୨୦ ବିଶ୍ବକପରେ ସେ ଅଧିନାୟକଭାବେ ଦଳର ଭାର ସମ୍ଭାଳିଥାନ୍ତେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଆହତ ଜନିତ ସମସ୍ୟା ତାଙ୍କ ପିଛା ଛାଡୁନାହିଁ । ୨୦୨୩ ଆଇପିଏଲ ସମୟରେ ମଧ୍ୟ ଆହତ କାରଣରୁ ବୋଲିଂ କରିନଥିଲେ ।
ଯଦି ରେବନ୍ତ ରେଡ୍ଡି ନୁହେଁ, ତାହେଲେ କିଏ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ?
ହାଇଦ୍ରବାଦ: ତେଲେଙ୍ଗାନାରେ ବିଆରଏସକୁ ଗାଦିଚ୍ୟୁତ କରି ସଂଖ୍ୟା ଗରିଷ୍ଠତା ହାସଲ କରିଛି କଂଗ୍ରେସ । ରେବନ୍ତ ରେଡ୍ଡିଙ୍କ ନେତୃତ୍ବରେ ଦଳ ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି । ଏବେ ଚର୍ଚ୍ଚାର ବିଷୟ ପାଲଟିଛି କି, କିଏ ମୁଖ୍ୟମନ୍ତ୍ରୀ ହେବେ । ରେବନ୍ତ ରେଡ୍ଡିଙ୍କ ନାମ ଆଗରେ ରହିଥିବାବେଳେ କିଛି ବିଧାୟକ ତାଙ୍କୁ ଚାହୁଁନଥିବା କୁହାଯାଉଛି । କେ.ଚନ୍ଦ୍ରଶେଖରଙ୍କ ପାଇଁ କିଛି ବିଧାୟକ ଲବି କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।
ସୋମବାର ଘୋଷଣା ହେବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନାଁ । ଦିଲ୍ଲୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ତେଲଙ୍ଗାନା ପ୍ରସଙ୍ଗ ନେଇ ବୈଠକ ଡାକିଛନ୍ତି । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, ତେଲଙ୍ଗନାର ଦୁଇ କଂଗ୍ରେସ ନେତା ଉତ୍ତମ କୁମାର ରେଡୀ ଓ ମାଲ୍ଲୁ ଭଟ୍ଟି ବିକ୍ରମାର୍କାଙ୍କୁ ଏଆଇସିସି ଡାକିଛି ଦିଲ୍ଲୀ । ଦଳର ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ଘୋଷଣା କରିବେ ଖଡଗେ । ସେପଟେ ଆଜି ରାଜସ୍ଥାନ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ପିସିସି ସଭାପତି ଗୋବିନ୍ଦ ସିଂ ଦୋତସାରା । ତେଣେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଲାଗି ବି ଖୋଜାଚାଲିଛି ମୁଖ୍ୟମନ୍ତ୍ରୀ ।
କୌଣସି ମୁହୂର୍ତ୍ତରେ ଦିଲ୍ଲୀ ହାଇକମାଣ୍ଡ ଘୋଷଣା କରିପାରନ୍ତି ନାଁ । ଛତିଶଗ଼ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ରାଜ୍ୟ ବିଜେପି ସଭାପତ ଅରୁଣ ସାଓ, ପୂର୍ବତନ ପ୍ରଶାସକ ଓପି ଚୌଧୁରୀ ଓ କେନ୍ଦ୍ରମନ୍ତ୍ରୀ ରେଣୁକା ସିଂ ଆଶାୟୀ ଅଛନ୍ତି । ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ବାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ, ସାଂସଦ କୈଳାସ ବିଜୟଭର୍ଗିୟଙ୍କ ନାଁ ଚର୍ଚ୍ଚାରେ ରହିଛି । ରାଜସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ, ଦିୟା କୁମାରୀ, ବାବା ବାଲକନାଥ, କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ପ୍ରମୁଖ ଦାବିଦାର ଅଛନ୍ତି।
ଆଜି ସରିବ ବାଲିଯାତ୍ରା, ଲାଗିବ ପ୍ରବଳ ଭିଡ଼
କଟକ: ମଙ୍ଗଳବାର ସରିଯିବ କଟକର ଐତିହାସିକ ବାଲିଯାତ୍ରା । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ୯ ଦିନିଆ ମହାମେଳାର ଆଜି ଶେଷଦିନ । ଆଜି ଶେଷଦିନରେ ବାଲିଯାତ୍ରାରେ ଅସମ୍ଭବ ଭିଡ଼ ହେବାର ଆଶଙ୍କା ରହିଛି । ବାଲିଯାତ୍ରାରେ ଏବେ ଜନସମୁଦ୍ର ପରିସ୍ଥିତି ସୃଷ୍ଟି ହେଉଛି । ଉପର ଓ ତଳ ବାଲିଯାତ୍ରା ପଡିଆରେ ଲୋକଙ୍କର ଖଚାଖଚ ଭିଡ଼ ଲାଗୁଛି । ଚଟାପଟ ଖାଇବା ସାଙ୍ଗକୁ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ଲୋକ ଭିଡ଼ ଜମାଉଛନ୍ତି । ଏହାଛଡ଼ା ଦୋଳି ଓ ଅନ୍ୟ ରୋମାଞ୍ଚକର ଅନୁଭୂତି ମଧ୍ୟ ନେଉଛନ୍ତି ଜନସାଧାରଣ । ସୋମବାର ବାଲିଯାତ୍ରା ଅବଧି ସରୁଥିବାବେଳେ ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଗୋଟିଏ ଦିନ ପାଇଁ ବଢ଼ାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ଶେଷଦିନ ଥିବାରୁ ବାଲିଯାତ୍ରାରେ ପ୍ରବଳ ଲୋକଙ୍କ ଭିଡ଼ ହେବା ସମ୍ଭାବନା ରହିଛି ।
ଆଜି ପ୍ରଥମାଷ୍ଟମୀ, ପୋଢ଼ୁଆଁ ହେବେ ମହାପ୍ରଭୁ
ଭୁବନେଶ୍ବର: ମଙ୍ଗଳବାର ପ୍ରଥମାଷ୍ଟମୀ । ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘାୟୁ କାମନା କରି ଷଷ୍ଠୀ ଦେବୀଙ୍କର ପୂଜା କରାଯିବ । ଘରେ ଘରେ ଏଣ୍ଡୁରି ପିଠା ଓ ଆରିସା ପିଠା କରି ଷଷ୍ଠୀ ଦେବୀଙ୍କ ନିକଟରେ ସମର୍ପଣ କରି ପୋଢୁଆଁଙ୍କର ଶୁଭ ମନାସାଯିବ । ସେପେଟ ଶ୍ରୀମନ୍ଦିରରେ ବି ପୋଢୁଆଁ ହେବେ ମହାପ୍ରଭୁ । ଏଥିପାଇଁ ଗତକାଲି ମହାପ୍ରଭୁଙ୍କ ମାମୁଁଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ଭାରରେ ରହିଛି ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଇତ୍ୟାଦି । ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି । ପାଳିଆ ପୁଷ୍ପାଳକଙ୍କ ଦ୍ବାରା ଶ୍ରୀବିଗ୍ରହମାନଙ୍କୁ ନୂଆବସ୍ତ୍ର ଲାଗି କରାଯିବାର ପରମ୍ପରା ରହିଛି ।

