ପୋଲିସର ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଜିଲ୍ଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ଜାରି ରହିଛି।ପୋଲିସର ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତଦେହ ଉଦ୍ଧାର କରିଛି ସୁରକ୍ଷାକର୍ମୀ।ଆହୁରି ଅଧିକା ମାଓବାଦୀ ମୃତ୍ୟୁ ହୋଇଥିବା ଆଶଙ୍କା କରୁଛି ପୋଲିସ।ଘଟଣାସ୍ଥଳରୁ ୨ଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ। ଏବେବି ଗୁଳିବିନିମୟ ଜାରି ରହିଛି।STF, DRG ଏବଂ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି।
ସ୍ପାଇସଜେଟରୁ ଖସିପଡିଲା ଚକ
ସ୍ପାଇସଜେଟରୁ ଖସିପଡିଲା ଚକ। ଗୁଜରାଟ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ କ୍ୟୁ ୪୦୦ ବିମାନର ଖସିପଡିଲା ଚକ। ତେବେ ବିମାନଟି ମୁମ୍ବାଇରେ ନିରାପଦର ସହ ଅବତରଣ କରିଛି। ଅବତରଣ ବେଳେ ବିମାନର କୌଣସି କ୍ଷତି ଘଟିନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ବିମାନ ଚକ ଖସିପଡିବା ସତ୍ତ୍ବେ ବିମାନଟି ଯାତ୍ରା କରିଥିଲା। ତେବେ ଏଥିରେ କୌଣସି ଅଘଟଣ ଘଟି ନଥିଲା ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ଚକା ଖସିବା ଘଟଣା ପରେ ମୁମ୍ବାଇ ବିମାନବନ୍ଦରରେ ଏମର୍ଜେନ୍ସି ଜାରି କରାଯାଇଥିଲା।
ରାଜ୍ୟରେ ଉତ୍କଟ ସାର ସମସ୍ୟା: ୧୫ରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି
ରାଜ୍ୟରେ ଉତ୍କଟ ସାର ସମସ୍ୟା । ଚାଷୀଙ୍କୁ ମିଳୁନି ସାର । କଳାବଜାରୀ ହେଉଛି । ୧୫ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି । ସମାଧାନ ନ ହେଲେ ଜିଲ୍ଲାପାଳଙ୍କ ଅଫିସ ଓ ବ୍ଲକ ଅଫିସ୍ ସାମ୍ନାରେ ବିକ୍ଷୋଭ । ସାର ସମସ୍ୟାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ସାର ପାଇଁ ସାରା ରାଜ୍ୟର ଚାଷୀ ହନ୍ତସନ୍ତ । ଆଧାରକାର୍ଡ ଧରି ପ୍ୟାକ୍ସ, ଲ୍ୟାମ୍ପସ ଆଗରେ ରାତି ଅଧରୁ ଛିଡ଼ା ହେଲେ ବି ଚାଷୀଙ୍କୁ ମିଳୁନି ସାର। ଏହାକୁ ନେଇ ବର୍ଷିଛି ବିଜେଡି। କହିଛି, ସରକାର ବୋଧହୁଏ ବଧିର ହୋଇ ଗଲେଣି । ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠନ୍ତୁ। ରାଜ୍ୟରେ ସାର ସମସ୍ୟା ନାହିଁ ବୋଲି କହିଥିଲେ ଉପ ମୁଖ୍ୟମନ୍ତ୍ରୀ । ସମବାୟ ମନ୍ତ୍ରୀ ବି ସେଇ କଥା କହୁଛନ୍ତି। ହେଲେ ସରକାରୀ ତଥ୍ୟ କହୁଛି ଭିନ୍ନ କଥା। ଗଂଜାମ ଜିଲ୍ଲାପାଳ ମାଗିଥିଲେ ୧୯ ହଜାର ୫୦୦ ମେଟ୍ରିକ ଟନ। କିନ୍ତୁ ମିଳିଛି ମାତ୍ର ୧୦ ହଜାର ଟନ। ବାକି ଜିଲ୍ଲାର ବି ସମାନ ସମସ୍ୟା। ଯେତେ ଦରକାର ସେତେ ସାର ମିଳୁନି। ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ଚିଠି ଲେଖିଥିଲେ। କଳାବଜାରୀ ରୋକି ପାରୁନାହାନ୍ତି ସରକାର। ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ନ ମିଳିଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି ବିଜେଡି। ଚାଷୀଙ୍କୁ ପ୍ରତାରଣା କରାଯାଇଥିବାରୁ ୧୫ ତାରିଖରେ ରାଜଭବନ ଆଗରେ ବିଜେଡି ଧାରଣା ଦେବ। ତା ପରେ ବି ସରକାର ନ ଚେତିଲେ ଜିଲ୍ଲାପାଳଙ୍କ ଅଫିସି ଓ ବ୍ଲକ ଅଫିସ ଆଗରେ ଧାରଣା ଦେବ ଦଳ। ।
ଚାଷୀମାନେ ବି ଅଭିଯୋଗ କରିଛନ୍ତି, ରାଜ୍ୟରେ ଦେଖାଦେଇଛି ସାରର କୃତ୍ରିମ ଅଭାବ। କଳାବଜାରୀ ହେଉଛି। ଯେଉଁ ସାରର ଦାମ ପ୍ୟାକେଟ ପିଛା ୧୬୦ରୁ୨୭୦ ଟଙ୍କା । ତାହା ବିକ୍ରି ହେଉଛି ୬୦୦ରୁ ୭୦୦ ଟଙ୍କାରେ। ୟୁରିଆ ତ ବିଲକୁଲ ମିଳୁନି। ସାରର ଅଭାବୀ ବିକ୍ରି ଓ ସାର ସଙ୍କଟ ସତ୍ତ୍ଵେ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସାର ମିଳୁନଥିବାରୁ ଧାନ ଗଛ ହଳଦିଆ ପଡ଼ିଗଲାଣି। ଏଥିପାଇଁ ଚାଷୀ ହତାଶ ହୋଇଗଲେଣି। ରାଜ୍ୟରେ ସାର ସମସ୍ୟା ଉତ୍କଟ । ହେଲେ କୃଷି ମନ୍ତ୍ରୀ କହିଛନ୍ତି ସାର ମହଜୁଦ ଅଛି । ଯଦି ମହଜୁଦ ଅଛି ତାହେଲେ କାହିଁକି ସବୁ ଜିଲ୍ଲାକୁ ଆବଶ୍ୟକ ଅନୁଯାୟୀ ସାର ଯୋଗାଣ ହେଉନି? ତାକୁ ନେଇ ଉଠିଛି ପ୍ରଶ୍ନ । ସାର ଅଭାବ ନେଇ ଖୋଦ ମୁଖ୍ୟମନ୍ତ୍ରୀ ବି ବୈଠକ ଡାକି ତାଗିଦ କଲେ । ତଥାପି ଯାଉନି ଚାଷୀଙ୍କ ଦୁଃଖ । ସାର ସଂକଟ ଦୂର ନ ହେଲେ ଆଗକୁ ତୀବ୍ର ହେବ ଆନ୍ଦୋଳନ ବୋଲି ଚେତାବନୀ ଦେଇଛି ବିଜେଡି
ସରକାରଙ୍କୁ ଅଡୁଆରେ ପକାଇଛି ପାର୍ଟ ପ୍ଲଟ କିଣାବିକା ନିୟମ
ସରକାରଙ୍କୁ ଅଡୁଆରେ ପକାଇଛି ପାର୍ଟ ପ୍ଲଟ କିଣାବିକା ନିୟମ। ଫାଇଦା ଉଠାଉଛନ୍ତି ପଞ୍ଜୀକରଣ ଅଧିକାରୀ। ଅସୁବିଧାରେ ପଡୁଛନ୍ତି ସାଧାରଣ ଲୋକେ। ଖୋର୍ଦ୍ଧା ଜିଲ୍ଲାରେ ଉତ୍କଟ ରୂପ ନେଇଛି ସମସ୍ୟା। ପଞ୍ଜୀକରଣ ଅଧିକାରୀଙ୍କ ମନମାନୀର ଗଦାଗଦା ଅଭିଯୋଗ ପରେ ମୁଣ୍ଡ ଖେଳାଇଛନ୍ତି ଇନିସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ। ଖୋର୍ଦ୍ଧା ଜିଲ୍ଲାର ସବ୍ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଅଧିକ ଦ୍ବନ୍ଦ୍ବ ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ୨୦୧୩ ମସିହାରେ ସରକାର ଇଣ୍ଡିଆନ ରେଜିଷ୍ଟ୍ରେସନ ଆକ୍ଟର ସଂଶୋଧନ କରି, ଧାରା ୨୨(କ) ଅନୁସାରେ ସବ ରେଜିଷ୍ଟ୍ରାରଙ୍କୁ ଦଲିଲ ପଞ୍ଜୀକରଣ ହେବ କି ନାହିଁ, ଏହାର ନିଷ୍ପତ୍ତି ନେବାକୁ କ୍ଷମତା ଦେଇଥିଲେ। ଯାହାର ଫାଇଦା ଉଠାଇ ସବ-ରେଜିଷ୍ଟ୍ରାରମାନେ ଅଯଥା କାରଣ ଦର୍ଶାଇ ଲୋକଙ୍କୁ ହଇରାଣ କରୁଛନ୍ତି। ଏ ବାବଦରେ ସରକାରଙ୍କୁ ବାରମ୍ବାର କହିବା ପରେ ମଧ୍ୟ କିଛି ବାଟ ଫିଟୁ ନଥିବାରୁ ଆଗକୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଓଡ଼ିଶା ବିକାଶ ଅଭିଯାନ।
ପାର୍ଟ ପ୍ଲଟ କିଣାବିକା କରିବାକୁ ଜୁନ୍ ମାସରେ ଓଡ଼ିଶା ଡେଭେଲପମେଣ୍ଟ ରୁଲ୍ସର ସଂଶୋଧନ ହୋଇଥିଲା। ଚାଷ ଜମି ପାଇଁ କୌଣସି କଟକଣା ନଥିବା ବେଳେ, ଘରବାଡ଼ି ଜମି କିଣାବିକା ପାଇଁ ଲେ-ଆଉଟ ବାଧ୍ୟତାମୂଳକ ହୋଇଥିଲା। ହେଲେ ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ୫୦୦ ବର୍ଗମିଟର ପର୍ଯ୍ୟନ୍ତ ବିନା ଲେ-ଆଉଟରେ ଜମି ବିକ୍ରି କରି ପାରିବେ ବୋଲି ଅନୁମତି ମିଳିଥିଲା। ଯାହାର ଫାଇଦା ଉଠାଉଛନ୍ତି ସବ ରେଜିଷ୍ଟ୍ରାର। ଏହି ବାହାନାରେ ଚାଷ ଜମିର ଦଲିଲ ମଧ୍ୟ କରୁନାହାନ୍ତି। ସେହିପରି ଚାଷ ଜମି ବିକ୍ରି ପରେ ଜୀବନ ଯାକ ଏହା ଘରବାଡ଼ି ହୋଇପାରିବ ନାହିଁ ବୋଲି ସରକାର ରଖିଥିବା ସର୍ତ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ରେଜିଷ୍ଟ୍ରେସନ ଆକ୍ଟ ଅନୁସାରେ ସବ ରେଜିଷ୍ଟ୍ରାରମାନେ ଦଲିଲ ପଞ୍ଜୀକରଣ କରିବାକୁ ଥିବା ବେଳେ, ତାଙ୍କ ଉପରେ ଅନ୍ୟ ବିଭାଗର ଆଇନକୁ ଲଦି ଦିଆଯାଉଛି। ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ ଆଲୋଚନା କରାଯାଉଛି। କିନ୍ତୁ ଖାଲି ପ୍ରତିଶ୍ରୁତି ମିଳୁଛି ବୋଲି ଅଭିଯୋଗ କରିଛି ଓଡ଼ିଶା ବିକାଶ ଅଭିଯାନ।
ବିଶୃଙ୍ଖଳାକୁ ବରଦାସ୍ତ କରିବନି ବିଜେଡି: ପ୍ରଫୁଲ୍ଲଙ୍କୁ ନିଲମ୍ବନ କରି ନବୀନ ଦେଲେ ବଡ ବାର୍ତ୍ତା
ବିଶୃଙ୍ଖଳାକୁ ବରଦାସ୍ତ କରିବନି ବିଜେଡି । ପ୍ରଫୁଲ୍ଲଙ୍କୁ ନିଲମ୍ବନ କରି ନବୀନ ଦେଲେ ବଡ ବାର୍ତ୍ତା । ବିଶୃଙ୍ଖଳା ବିରୋଧରେ ଶୂନ୍ୟ ସହନଶୀଳ ନୀତି । ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କ ଉପରେ ରହିଛି ଶୃଙ୍ଖଳା କମିଟିର ନଜର । ଆକ୍ସନ ମୁଡରେ ନବୀନ । ବିଜେଡି ଅନୁଶାସନ ଭାଙ୍ଗୁଥିବା ନେତାଙ୍କ ବିରୋଧରେ ଶୂନ୍ୟ ସହନଶୀଳ ନୀତି । ଦଳ ବିରୋଧୀ କାର୍ଯ୍ୟପାଇଁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବନ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି । ଦଳୀୟ ଶୃଙ୍ଖଳା ଠାରୁ ବଡ କେହି ନୁହେଁ ତାହା ପୁଣିଥରେ ପ୍ରମାଣିତ କରିଛନ୍ତି ନବୀନ। ବିଜେଡି କହିଛି, ଦଳ ବିରୋଧୀ କାର୍ଯ୍ୟପାଇଁ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି। ମନ୍ତ୍ରୀ ଥିବା ସମୟରେ ଦଳ ଓ ନେତୃତ୍ବକୁ ପ୍ରଶଂସା କରୁଥିଲେ ପ୍ରଫୁଲ୍ଲ । କିନ୍ତୁ କିଛି ଦିନ ହେବ ଦଳକୁ କ୍ଷତି ପହଞ୍ଚାଇବା ଭଳି ନିମ୍ନମାନର ଟିପ୍ପଣୀ ଦେଉଥିଲେ। କାହା ଇଙ୍ଗିତରେ ସେ ଏପରି ବୟାନବାଜି କରୁଥିଲେ ବୋଲି ପ୍ରଶ୍ନ କରି ବିଜେଡି ବର୍ଷିଛି । ପ୍ରଫୁଲ୍ଲଙ୍କ ଗତକାଲିର ବୟାନ ପରେ ବିଭିନ୍ନ ଦିଗକୁ ଦଳ ତର୍ଜମା କରି ଦଳରୁ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ବିଜେଡି କହିଛି । ଅନ୍ୟ ଯେଉଁମାନେ ଏପରି କରୁଛନ୍ତି ତାଙ୍କ ପାଇଁ ଦୃଷ୍ଟାନ୍ତ ମୂଳକପଦକ୍ଷେପ। ଅନ୍ୟମାନେ ବି ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ଶୃଙ୍ଖଳା କମିଟି ତାହା ଉପରେ ନଜର ରଖିଛି । କିଏ କଣ କରୁଛନ୍ତି, ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦଳ ଚେତାଇ ଦେଇଛି ।
ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଦଳ ଭିତରେ ରହି ଯେଉଁମାନେ କୁଚକ୍ରୀ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ ଦଳ ଉପଯୁକ୍ତ ପଦକ୍ଷେପ ନେଇଛି । ଦଳ କ୍ଷମତାରେ ଥିବା ବେଳେ ସେ ମନ୍ତ୍ରୀ ହେଉଥିଲେ । ସେତେବେଳେ ସେ ମନା କଲେନି । କହିଲେନି ଯେ ଆଉ କିଏ ମନ୍ତ୍ରୀ ହୁଅନ୍ତୁ, ମୁଁ ହେବି ନାହିଁ । ଯେତେବେଳେ କ୍ଷମତା ଥିଲା, ସେତେବେଳେ ବିଚାର ଆଦର୍ଶ ଥିଲା । ଏମାନେ ଶୀତ ଓ ବସନ୍ତ ୠତୁର ପକ୍ଷୀ ପରି କହି ପ୍ରଫୁଲ୍ଲଙ୍କୁ କଟାକ୍ଷ କରିଛନ୍ତି ପ୍ରମିଳା । କେବଳ ପ୍ରଫୁଲ୍ଲ ନୁହେଁ, ଆଉ ଯିଏ ଏଭଳି କରିବ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରମିଳା ରୋକଠୋକ କହିବା ସହିତ ଦଳ ପ୍ରଫୁଲ୍ଲଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେଇଛି ବୋଲି କହିଛନ୍ତି । ବିଜେଡିରେ ଆଉ ସୁବିଧାବାଦୀ ନେତାଙ୍କ ସ୍ଥାନ ନାହିଁ ତାହା ପ୍ରଫୁଲ୍ଲଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରି ଜଣାଇ ଦେଇଛି ଦଳ । ଯେଉଁ ନେତାମାନେ ଦଳ ବିରୋଧରେ ବୟାନବାଜି କରୁଛନ୍ତି ତାଙ୍କ ବିରୋଧରେ ପ୍ରଫୁଲ୍ଲଙ୍କ ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରୋକ୍ଷରେ ଚେତାଇ ଦେଇଛି ଦଳ । ବିଜେଡିର ବଡ ପୁଞ୍ଜି ଶୃଙ୍ଖଳା । ଏଥିରେ ବ୍ୟତିକ୍ରମ ହେବନି ବୋଲି ଦଳ ପୁଣି ସମସ୍ତଙ୍କୁ ଚେତାଇ ଦେଇଛି ।
ଆସୁଛି ଅକ୍ଟୋବର: ଓଡ଼ିଶାକୁ ଘାରିଲାଣି ବାତ୍ୟା ଭୟ
ଆସୁଛି ଅକ୍ଟୋବର। ଓଡ଼ିଶାକୁ ଘାରିଲାଣି ବାତ୍ୟା ଭୟ। ଅତୀତରେ ଅକ୍ଟୋବରରେ ଅନେକ ବାତ୍ୟା ଆସିଥିବାରୁ ଆସନ୍ତା ଅକ୍ଟୋବରକୁ ନେଇ ବି ସସପେନ୍ସ। ୧୯୯୯ ଅକ୍ଟୋବର ୨୯ରେ ସୃଷ୍ଟି ହୋଇଥିବା ମହାବାତ୍ୟାରେ ଛାରଖାର ହୋଇଯାଇଥିଲା ଓଡ଼ିଶା। ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ। ୨୦୧୩ ଅକ୍ଟୋବର ୧୨ରେ ଓଡ଼ିଶା ଛୁଇଁଥିଲା ବାତ୍ୟା ଫାଇଲିନ୍। ଦକ୍ଷିଣ ଓଡ଼ିଶାରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି । ୨୦୧୪ ଅକ୍ଟୋବର ୧୨ରେ ଆସିଥିଲା ବାତ୍ୟା ହୁଡୁହୁଡ। ଉପକୂଳ ଓଡ଼ିଶାରେ ରଚିଥିଲା ତାଣ୍ଡବ। ୨୦୧୮ ଅକ୍ଟୋବର ୧୦ରେ ଆସିଥିଲା ବାତ୍ୟା ତିତଲି। ୨୦୧୯ ଅକ୍ଟୋବର ୨୯ରେ ଆସିଥିଲା ବୁଲବୁଲ। ଘଟାଇଥିଲା ଅନେକ କ୍ଷତି। କେବଳ ଏତିକି ନୁହେଁ ୨୦୨୪ରେ ବି ଆସିଥିଲା ବାତ୍ୟା ଦାନା। ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏଁ ଜଳବାୟୁ ପ୍ରକ୍ରିୟା ଲା-ନିନାର ସକ୍ରିୟତା ରହିଛି ଯେଉଁଥି ପାଇଁ ବାତ୍ୟାକୁ ନେଇ ବଢୁଛି ଚିନ୍ତା । ନେଗେଟିଭ୍ ଆଇଓଡି ଓ ଲା-ନିନା ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ନିମନ୍ତେ ପରିବେଶକୁ ଅନୁକୂଳ କରିଥାଏ। ସାମୁଦ୍ରିକ ତାପମାତ୍ରା ୨୬.୫ ଡିଗ୍ରୀରୁ ଅଧିକ ରହିଲେ ଏହା ମଧ୍ୟ ବାତ୍ୟା ସୃଷ୍ଟି ସାଙ୍ଗକୁ ବାତ୍ୟାକୁ ଅଧିକ ଘନୀଭୂତ କରାଏ। ଚଳିତ ବର୍ଷ ଏହି ସବୁ ସ୍ଥିତି ଅନୁକୂଳ ରହୁଥିବାରୁ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଦୃଢ଼ୀଭୂତ କରିଛି। ବିଶ୍ୱ ପାଣିପାଗ ସଂସ୍ଥା ସହ ଅନେକ ପାଣିପାଗ ବିଜ୍ଞାନୀ ଭାରତର ପୂର୍ବ ଉପକୂଳ ଓ ବିଶେଷ କରି ଆନ୍ଧ୍ରରୁ ପଶ୍ଚିମବଙ୍ଗ ଅଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।
ବାତ୍ୟାଗୁଡ଼ିକ ଉଭୟ ମୌସୁମୀ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀକାଳୀନ ସମୟରେ ସୃଷ୍ଟି ହେଉଛି। ସେହିପରି ଭୀଷଣ ବାତ୍ୟା କିମ୍ୱା ଏହାଠାରୁ ଅଧିକ ଶକ୍ତିଶାଳୀ ହେଉଥିବା ବାତ୍ୟାର ସଂଖ୍ୟା ମୌସୁମୀ ପରବର୍ତ୍ତୀ ସମୟରେ ବଙ୍ଗୋପସାଗରରେ ବୃଦ୍ଧି ପାଉଛି। ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ପ୍ରାୟତଃ ବାତ୍ୟା ସଂଗଠିତ ହୋଇଥାଏ। କିନ୍ତୁ ଏବେ ଠାରୁ ଆକଳନ କରିହେବ ନାହିଁ। ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ। ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଛତିଶଗଡ଼ ଆଡ଼କୁ ୪୮ ଘଣ୍ଟା ମଧ୍ୟରେ ଗତି କରିବ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ନେଇ ସତର୍କତା ଜାରି ହୋଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ଜେଲରେ କଟିବ ହାର୍ଡକୋରଙ୍କ ଦଶହରା: ପୂଜା ଦେଖିବେନି, ପେଣ୍ଡାଲ ବୁଲିବେନି
ଜୋରଦାର ହେଲାଣି ଡ୍ରାଇଭ ଏଗେନଷ୍ଟ ଆଣ୍ଟିସୋସିଆଲ । ପୂଜା ଦେଖିବେନି, ପେଣ୍ଡାଲ ବୁଲିବେନି ଅପରାଧୀ । ଜେଲରେ କଟିବ ହାର୍ଡକୋରଙ୍କ ଦଶହରା। ମୋଷ୍ଟ ୱାଣ୍ଟେଡଙ୍କୁ ଲିଷ୍ଟ ଧରି ଖୋଜୁଛି ପୋଲିସ । ଏଥର ଦାଗୀଙ୍କ ଦଶହରା କଟିବ ଜେଲରେ । ବିଭିନ୍ନ ଥାନା ମାନଙ୍କରେ ଥିବା ୱାରେଣ୍ଟିଙ୍କୁ ଧରିବାକୁ ତିଆରି ହୋଇଛି ତାଲିକା। ରାଜ୍ୟର ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। ବିଶେଷ କରି ଜାମିନ ବିହିନ ଗିରଫ ପରୱାନା, ଫେରାର ଆସାମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ତା ସହିତ ଅସାମାଜିକଙ୍କୁ ଜିଲ୍ଲା ଓ ସହରରୁ ତଡିପାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦାଗୀ ମାନେ ସହରରେ ରହିଲେ ଲୋକଙ୍କ ପାଇଁ ବିପଦ ଥିବାରୁ ଏହି ପଦକ୍ଷେପ ନେଇଛି ଓଡିଶା ପୁଲିସ । ପର୍ବପର୍ବାଣୀକୁ ଧୁମ ଧାମରେ ପାଳନ ପାଇଁ ଆରମ୍ଭ ହୋଇଛି ଅପରେସନ୍ – ଡ୍ରାଇଭ ଏଗେନଷ୍ଟ ଆଣ୍ଟିସୋସିଆଲ।
ସେପେଟେ ଗତ ସପ୍ତାହେ ମଧ୍ୟରେ ରାଜ୍ୟରେ “ଅପରେସନ୍ ପ୍ରହାର”କୁ ଜୋର ସୋର କରାଯାଇଛି। ଗଞ୍ଜେଇ, ବ୍ରାଉନ ସୁଗାର, କଫ ସିରପ ଚୋରା ଚାଲାଣର ପର୍ଦ୍ଦାଫାଶ ହୋଇଛି। ୧୧୦ଟି ମାମଲା ରୁଜୁ କରି, ୧୫୭ ଜଣଙ୍କୁ ବାନ୍ଧିଛି ପୁଲିସ । ଗଞ୍ଜେଇ ଚୋରା ଚାଲାଣରେ ୭୨ ଟି ମାମଲାରେ ,୪,୮୦୮ କେଜି ଗଞ୍ଜେଇ ଜବତ କରି, ୯୩ ଜଣକୁ ଗିରଫ କରାଯାଇଛି। ବ୍ରାଉନ ସୁଗାର ଚୋରା ଚାଲାଣ କ୍ଷେତ୍ରରେ ୨୭ ଟି ମାମଲା ରୁଜୁ କରି, ୨୩୭୪ ଗ୍ରାମ ଜବତ ସହ ୪୫ ଜଣକୁ ଗିରଫ କରାଯାଇଛି । ୩୦୫୨ ବୋତଲ କଫ ସିରପ ଜବତ ସହ,୧୯ ଜଣ ଗିରଫ ହୋଇଛନ୍ତି । ୧୨୯ BNSS ବଳରେ ୭୦ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚୋରା ନିଶା ଦ୍ରବ୍ୟ ଚାଲାଣ ଅଭିଯୋଗରେ ୩ ଟି ଦୋକାନକୁ ସିଲ କରିଛି ପ୍ରଶାସନ ।
ନଭେମ୍ବର ୫ ତାରିଖରୁ ଆରମ୍ଭ ହେବ କଟକ ଐତିହାସିକ ବାଲିଯାତ୍ରା ୨୦୨୫
ପୁଣି ଦୁଲୁକିବ ମହାନଦୀ ପଠା । ନଭେମ୍ବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅୟୋଜିତ ହେବ କଟକ ଐତିହାସିକ ବାଲିଯାତ୍ରା ୨୦୨୫ । ଏଥର କେବଳ ତଳ ପଡିଆର ୬୦ ଏକର ଜମି ଉପରେ ଆୟୋଜିତ ହେବ ଯାତ୍ରା । କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବାଲିଯାତ୍ରାର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏଥର ଉପର ପଡିଆରେ ବାଲିଯାତ୍ରା ହେବ ନାହିଁ। ତେବେ ତଳ ପଡିଆର ପରିସର ବୃଦ୍ଧି କରାଯାଇ ବାଲିଯାତ୍ରାର ଆୟୋଜନ କରାଯିବ। ଏଥିପାଇଁ ଶୃଙ୍ଖଳିତ ଢଙ୍ଗରେ ଅନଲାଇନରେ ପ୍ଲଟ ଆବଣ୍ଟନ କରାଯିବ । ସେହିପରି ଓରମାସ ଓ ଅନ୍ୟ ସ୍ଥାନରେ ବେଆଇନ ଭାବେ ବ୍ୟବସାୟୀଙ୍କୁ ବସା ଯାଉଥିବାରୁ ତାକୁ ଜିଲ୍ଲାପାଳ ବନ୍ଦ କରିବାକୁ ଅଧିକାରଙ୍କୁ ତାଗିଦ କରିଥିଲେ । ସେହିପରି ଏଥର ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ଆଠ ଦିନ ଧରି ରଙ୍ଗାରଙ୍ଗ ମ୍ୟୁଜିକାଲ ନାଇଟ ରାତି ୧୧ ଟା ଯାଏ ଆୟୋଜିତ ହେବ। କଟକ ଇନ କଟକକୁ ସୁନ୍ଦର ଭାବେ ଗ୍ରୀନ ଜୋନ କରାଯାଇ ଶିକ୍ଷଣୀୟ ତୋରଣ ଓ କାର୍ଯ୍ୟକ୍ରମ ସେଠାରେ ଆୟୋଜିତ ହେବ । ବାଲିଯାତ୍ରାକୁ ଲୋକମାନେ ଯେପରି ସୁରୁଖୁରୁରେ ଆସିବେ ସେଥି ପାଇଁ ୫୦ଟି ଆମ ବସ ଯୋଗାଇ ଦେବାକୁ ସରକାରଙ୍କୁ କଟକ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ଅଗ୍ନୀଶମ, ପୋଲିସ, ଇଲେକ୍ଟ୍ରିକାଲ, ଜଳ ଯୋଗାଣ ବିଭାଗ ଅଧିକ ଯତ୍ନଶୀଳ ହେବେ।
ଏହି ବୈଠକରେ କଟକ ଡିସିପି ଯୋଗ ଦେଇ ପାର୍କିଂକୁ ଶୃଙ୍ଖଳିତ କରିବା ସହ ଟ୍ରାଫିକ ପରିଚାଳନାକୁ ବ୍ୟବସ୍ଥିତ କରାଯିବ ବୋଲି କହିଥିଲେ। ଭିଡ ନିୟନ୍ତ୍ରଣ ସହ ଚୋରି ଓ ଛିନତାଇ ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ସହ ସ୍ବତନ୍ତ୍ର ଟିମ ରହିବ। ସିସିଟିଭି କ୍ୟାମେରା, ୱାଚ ଟାୱାର କରି ଉପରୁ ସମସ୍ତଙ୍କ ଗତିବିଧି ଉପରେ ନଜର ରଖାଯିବ। ସେପଟେ ଉପର ପଡିଆ ହେଉଛି କଟକ ବାଲିଯାତ୍ରାର ପ୍ରତୀକ। ଏହାର ପରିଚୟ ବଞ୍ଚାଇବା ପାଇଁ ଉପର ପଡିଆରେ ଏହାର ଆୟୋଜନ ହେଲେ ଭଲ ହେବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ ।
ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ବାରମ୍ବାର ବଡ଼ ଦେଉଳ ଉପରେ ଉଡୁଛି ଡ୍ରୋନ୍
ବିପଦରେ ଶ୍ରୀମନ୍ଦିର । ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ବାରମ୍ବାର ବଡ଼ ଦେଉଳ ଉପରେ ଉଡୁଛି ଡ୍ରୋନ୍ । ଭିତରକୁ ପ୍ରବେଶ କରୁଛି ସ୍ପାଏ କ୍ୟାମେରା । ଗତ କାଲି ବିଳମ୍ବିତ ରାତି ଓ ଆଜି ସକାଳୁ ଶ୍ରୀମନ୍ଦିର ଉପରେ ଡ୍ରୋନ ଘୁରି ବୁଲୁଥିବା ନଜରକୁ ଆସିଛି । ଡ୍ରୋନ ଦ୍ୱାରା ଶ୍ରୀମନ୍ଦିରର ଚିତ୍ର ଉତ୍ତୋଳନ କିଏ କେଉଁଥି ପାଇଁ ଓ କେଉଁ ଉଦ୍ଦେଶ୍ୟରେ କରୁଛି ତାହା ଏବେ ବି ରହସ୍ୟ ଘେରରେ ରହିଛି । ଶ୍ରୀମନ୍ଦିର ଆଇନରେ ଏଭଳି ଅମାନିଆଙ୍କ ବିରୁଦ୍ଧରେ କଠୋର ଦଣ୍ଡର ଆବଶ୍ୟକତା ରହିଥିବା ଦର୍ଶାଇ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ । ସେପଟେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସରକାରୀ ସ୍ୱତ୍ରନ୍ତ୍ର ବାଟାଲିୟନ ଗଠନ କରି ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି । ତେବେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଦାୟିତ୍ୱରେ ଏବେ ବି ଜଣେ ଅବସର ପ୍ରାପ୍ତ ଅଧିକାରୀ ରହିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ନେଇ ସରକାରଙ୍କର ଏଭଳି ନୀତିକୁ ସବୁ ମହଲରେ ସମାଲୋଚନା କରାଯାଇଅଛି ।
ମନ୍ଦିର ଉପରେ ଡ୍ରୋନ ଉଡିବା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ । ଏଭଳି ଘଟଣା ଉପରେ ଆବଶ୍ୟକତା ଅନୁଯାଇ ପଦଷେପ ନିଆଯିବ ବୋଲି ପୁରୀ ଜିଲ୍ଲପାଳ ମତ ରଖିଛନ୍ତି । ସ୍ୱତ୍ରନ୍ତ୍ର ଭାବେ ଚାରିଦ୍ୱାରରେ ନିୟୋଜିତ ସୁରକ୍ଷା କର୍ମୀ ମାନଙ୍କୁ ବଡି କ୍ୟାମେରା ପ୍ରଦାନ କରାଯାଇଛି । ତେବେ ଶ୍ରୀମନ୍ଦିର ସୁରକ୍ଷାକୁ ଗୁରୁତର ସହ ନିଆଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ମତ ରଖିଛନ୍ତି ।
ପାର୍ବଣରେ ଇଲେକଟ୍ରୋନିକ୍ସ ଦୋକାନରେ ଗ୍ରାହକଙ୍କୁ ଡବଲ ଅଫର
ପାର୍ବଣରେ ଇଲେକଟ୍ରୋନିକ୍ସ ଦୋକାନରେ ଗ୍ରାହକଙ୍କୁ ଡବଲ ଅଫର। ଜିଏସଟି ପ୍ରତିଶତ ହ୍ରାସ ସାଙ୍ଗକୁ ପୂଜାରେ ମିଳିବ ଗିଫ୍ଟ । ଏବେଠାରୁ ବୁକିଂ କଲେ ବି ୧୮% ଜିଏସିଟ ହ୍ରାସରେ ମିଳିବ ସାମଗ୍ରୀ। ଟିଭି, ଏସି ଓ ଡିସ-ୱାସର୍ସ ଉପରେ ଜିଏସଟି ୨୮ ରୁ ୧୮ %କୁ ହ୍ରାସ ହେଲା ପରେ ବି ଗ୍ରାହକ ମାନେ କିଣିବା ପାଇଁ ୨୨ ତାରିଖକୁ ଅପେକ୍ଷା କରିଛନ୍ତି । କିନ୍ତୁ ତା ପୂର୍ବରୁ ରାଜ୍ ଇଲେକଟ୍ରୋନିକ୍ସ ଗ୍ରାହକ ମାନଙ୍କ ପାଇଁ ନେଇ ଆସିଛି ସ୍ବତନ୍ତ୍ର ସୁବିଧା । ୨୨ ତାରିଖ ପୂର୍ବରୁ ଏ ସବୁ ସାମଗ୍ରୀ କିଣିବେ କିମ୍ବା ବୁକିଂ କଲେ ବି ୨୮ ନୁହଁ ୧୮ ପ୍ରତିଶତ ଜିଏସଟି ଉପରେ କିଣିପାରିବେ। ଏବେ ବୁକିଂ କଲେ ଆଗକୁ ଭିଡ଼ରୁ ବର୍ତ୍ତିବେ। ଆଜି ବି କିଣିଲେ ୨୨ ତାରିଖର ଜିଏସଟି ବିଲିଂ ପାଇବେ । ପୂର୍ବରୁ ୪୩ ଇଞ୍ଚିଆରୁ ଅଧିକ ଟିଭି ଉପରେ ୨୮ ପ୍ରତିଶତ ଲାଗି ୨୬ ହଜାର ଟଙ୍କା ପଡୁଥିଲା । ଏବେ ୧୮ ପ୍ରତିଶତ ଜିଏସଟି ହ୍ରାସ ପାଇବା ପରେ ୨୩ ହଜାର ଟଙ୍କା ପଡୁଛି। ସେହିଭଳି ଏସି ୩୫ ହଜାର ପଡୁଥିବା ବେଳେ ଏବେ ୨୯ ହଜାର ୫୦୦ ପଡିବ। ସେହିଭଳି ଡିସ ୱାସର୍ସ ଗୁଡିକ ୫୪ ହଜାର ପଡୁଥିବା ବେଳେ ଏବେ ୩୯, ୬୦୦ ଟଙ୍କା ପଡିବ। ଆଗକୁ ପୂଜା ଆସୁଥିବାରୁ ରାଜ୍ ଇଲୋଟ୍ରନିକ୍ସ ପକ୍ଷରୁ ଦୁର୍ଗାପୂଜାରୁ ଦୀପାବଳୀ ପର୍ଯ୍ୟନ୍ତ ପ୍ରତ୍ୟେକ ସାମଗ୍ରୀ ଉପରେ ଗିଫ୍ଟ ଭାଉଚର ରହିବ ବୋଲି ମ୍ୟାନେଜିଙ୍ଗ ପାର୍ଟନର କହିଛନ୍ତି ।
ସେପଟେ ଏ ହେଉଛି ପାତ୍ର ଇଲେକଟ୍ରୋନିକ୍ସ । ଜିଏସଟି ଘୋଷଣା ହେବା ପରେ ବେପାର ମାନ୍ଦା ପଡିଛି। ଆସନ୍ତା ୨୨ ତାରିଖ ଠାରୁ ଇଲେକ୍ଟ୍ରି ପ୍ରଡକ୍ଟ ଉପରେ ୧୮ ପ୍ରତିଶତ ହ୍ରାସ ହେବା ନେଇ ଲୋକଙ୍କ ମନରେ ଦ୍ବନ୍ଦ ରହିଛି। ସମସ୍ତ ସାମଗ୍ରୀ ଉପରେ ନୁହେଁ ୩୨ ଇଞ୍ଚିଆରୁ ଉର୍ଦ୍ଦ ଏଲଇଡି ଟିଭି, ଏସି ଓ ଡିସ ୱାସ ଉପରେ ହିଁ ଜିଏସଟି କମିଛି। ପ୍ରତିଦନ ଗ୍ରାହକ ଆସୁଛନ୍ତି, ହେଲେ କେହି ବି ସାମଗ୍ରୀ କିଣୁନାହାନ୍ତି। ଜିଏସଟି ଘୋଷଣା ହେବା ପୂର୍ବରୁ ପ୍ରତିଦିନ ୧୦ ଲକ୍ଷ ଟଙ୍କାର କାରବାର ହେଉଥିବା ବେଳେ ଏବେ ୨ରୁ ୩ ଲକ୍ଷ ଟଙ୍କାର କାରବାର ହେଉଛି ବୋଲି ମ୍ଯାନେଜର କହିଛନ୍ତି।

