spot_img
Home Blog Page 2324

ବିଲକିସ ବାନୋଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିଥିବା ଆଇନଜୀବୀ ବୃନ୍ଦା କିଏ?

ନୂଆଦିଲ୍ଲୀ: ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଏହି ଘଟଣାରେ ସପୃକ୍ତ ଥିବା ସମସ୍ତ ୧୧ ଦୋଷୀଙ୍କୁ କ୍ଷମା କରିଥିବା ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ସମସ୍ତ ଦୋଷୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜେଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଲକିସ୍ ବାନୋ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଇଥିବା ବରିଷ୍ଠ ଓକିଲ ବୃନ୍ଦା ଗ୍ରୋଭର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି ବେଆଇନ, ଯାହାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଆରମ୍ଭରୁ ଏହି ପ୍ରସଙ୍ଗରେ ବୃନ୍ଦା ଗ୍ରୋଭର ସ୍ୱର ଉତ୍ତୋଳନ କରିଥିଲେ। ତେବେ ବୃନ୍ଦା ଗ୍ରୋଭର କିଏ? ଯିଏ ବିଲକିସଙ୍କୁ ପାଇଁ ନ୍ୟାୟ ଦେଇଛନ୍ତି । ଜାଣନ୍ତୁ ତାଙ୍କ ବିଷୟରେ ।

ବୃନ୍ଦା ଗ୍ରୋଭର ଜଣେ ମାନବାଧିକାର ଆଇନଜୀବୀ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ଲାଭ କରିଛନ୍ତି। ଏହା ବ୍ୟତୀତ ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର କରିଛନ୍ତି। ବହୁ ମାନବାଧିକାର ସମ୍ବନ୍ଧୀୟ ଆନ୍ଦୋଳନରେ ବୃନ୍ଦା ସକ୍ରିୟ ମଧ୍ୟ ଅଛନ୍ତି। ମହିଳା ଏବଂ ଶିଶୁମାନଙ୍କ ପ୍ରତି ଘରୋଇ ହିଂସା ଏବଂ ଯୌନ ହିଂସା ଇତ୍ୟାଦିରୁ ରକ୍ଷା କରିବା ପାଇଁ ପ୍ରଣୟନ ହୋଇଥିବା ଆଇନର ଚିଠା ତିଆରି କରିବାରେ ସେ ସହଯୋଗ କରିଛନ୍ତି। ଅତ୍ୟାଚାର, ସାମ୍ପ୍ରଦାୟିକ ତଥା ଟାର୍ଗେଟ ହିଂସା ବିରୋଧରେ ଆଇନ ପ୍ରଣୟନ ସପକ୍ଷରେ ସେ ଓକିଲାତି କରିଥାନ୍ତି । ଏସବୁ ପ୍ରସଙ୍ଗରେ ଆଇନ ଆଣିବାକୁ ନେଇ ସେ ମୁଖର ।

ବୃନ୍ଦା ଦେଶର ଜଣେ ବରିଷ୍ଠ ଓକିଲ ଭାବରେ ଜଣାଶୁଣା। ସେ ୧୯୮୯ ମସିହାରୁ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଅନ୍ୟାନ୍ୟ ଟ୍ରାଏଲ କୋର୍ଟରେ ଓକିଲାତି କରୁଛନ୍ତି । ସେ ଅପରାଧିକ ଆଇନ, ମହିଳାଙ୍କ ଅଧିକାର ଏବଂ ମାନବିକ ଅଧିକାର ସହ ଜଡିତ। ୨୦୧୩ରେ ଟାଇମ୍ ମାଗାଜିନ୍ ତାଙ୍କୁ ଦୁନିଆର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲା |

ବିଲକିସ୍ ବାନୋ ମାମଲାରେ ଦୋଷୀଙ୍କ ଦଣ୍ଡ କମାଇବା ପାଇଁ ଯେଉଁ ଆବେଦନ ହୋଇଥିଲା ତା ବିରୋଧରେ ସେ ଯୁକ୍ତି ଉପସ୍ଥାପନ କରିଥିଲେ । ସମସ୍ତ ୧୧ ଦୋଷୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜେଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଆଇନଜୀବୀ ବୃନ୍ଦା କହିଛନ୍ତି ଯେ,ମାମଲାର ନିରପେକ୍ଷ ବିଚାର ପାଇଁ ଗୁଜୁରାଟ ସରକାର ଏହି କେସକୁ ମହାରାଷ୍ଟ୍ରକୁ ପଠାଇଥିଲେ ଯାହା ଦ୍ବାରା ଠିକ୍ ନ୍ୟାୟ ହୋଇପାରିବ ।  କିନ୍ତୁ ଗୁଜୁରାଟ ସରକାର ବିନା କୌଣସି ଅଧିକାରରେ  ଅପରାଧୀଙ୍କୁ କ୍ଷମାଦାନ କରିଥିଲେ । ସରକାରଙ୍କ କ୍ଷମାଦାନ ନିଷ୍ପତ୍ତି ଆଇନ ବିରୁ୍ଦ୍ଧରେ ଥିଲା। ଅପରାଧୀମାନେ ପୂର୍ବରୁ ବହୁତ ଆଶ୍ୱସ୍ତି  ପାଇଛନ୍ତି ,ଏବେ ସେମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜେଲରେ ରିପୋର୍ଟ କରିବାକୁ ପଡିବ।

ବାଲି ଚୋରା ଚାଲାଣ ଉପରେ ଲାଗିବ ଅଙ୍କୁଶ,  ଖଣି ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର : ବାଲି  ଚୋରା ଚାଲାଣ ଉପରେ ଅଙ୍କୁଶ ଲଗାଇବାକୁ ଅଣ୍ଟା ଭିଡ଼ିଲା ରାଜ୍ୟ ଖଣି ବିଭାଗ। ଏଥିପାଇଁ ଓରସାକ୍‌ ଦେବ ବୈଷୟିକ ସହାୟତା। ସବୁ ଖଣିର ହେବ ଡିଜିପିଏସ୍‌ ସର୍ଭେ। ବାଲି ଚୋରା ଚାଲାଣ ଯୋଗୁଁ ବିପୁଳ ରାଜସ୍ୱ ହାନି ହେଉଛି। ଏହା ରୋକିବା ପାଇଁ  ରାଜ୍ୟ ଖଣି ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ ହେବ। ଜିଲ୍ଲା ସ୍ତରରେ ବାଲିର ଆବଶ୍ୟକତା ଓ ଉପଲବ୍ଧତା ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିବା ଦାୟିତ୍ୱ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଉପରେ ରହିବ।

ଖଣି ଅଧିକାରୀଙ୍କ ନେତୃତ୍ୱରେ ଜଳସମ୍ପଦ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବନ ବିଭାଗ, ଇସ୍ପାତ ଓ ଖଣି ବିଭାଗ, ଡିସେମ୍ବର-ଜାନୁଆରୀ ମଧ୍ୟରେ ଜିଲ୍ଲାରେ ଥିବା ବାଲି ଉତ୍ସ ଚିହ୍ନଟ କରିବେ। ପ୍ରଥମେ ୫ ହେକ୍ଟରରୁ ଅଧିକ ଅଞ୍ଚଳରେ ଥିବା ନଦୀପଠାରୁ ବାଲି ଉତ୍ତୋଳନ ପାଇଁ ଅଗ୍ରାଧିକାର ଦିଆଯିବ। ଜନବସତି ଅଞ୍ଚଳରେ ବାଲି ଗାଡ଼ିର ପ୍ରବେଶକୁ ରୋକିବା ଲାଗି ରୁଟ୍ ଏବଂ ବାଲି ପରିବହନ କ୍ଷମତା ନିର୍ଦ୍ଧାରଣ କରାଯିବ। ବାଲି ଗାଡ଼ି ପାଇଁ ବାର୍ କୋଡ୍ ଥିବା ଇ-ପାସ୍ ଜାରି କରାଯିବ। ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମୋବାଇଲ୍ ଆପ୍ ମାଧ୍ୟମରେ ପାସ୍‌ ବୈଧତା ଯାଞ୍ଚ କରିବେ। ରାଜ୍ୟରେ ବାଲି ଉଠାଣ ଉପରେ ନଜର ରଖିବା ପାଇଁ ଖଣି ନିର୍ଦ୍ଦେଶାଳୟରେ ଏକ ପ୍ରୋଜେକ୍ଟ ମନିଟରିଂ ୟୁନିଟ୍ ସ୍ଥାପନ କରାଯିବ। ପ୍ରତି ମାସରେ ଖଣି ବିଭାଗକୁ ଜିଲ୍ଲାସ୍ତରୀୟ ରିପୋର୍ଟ ପ୍ରଦାନ କରାଯିବ ବୋଲି ବିଭାଗ ମାର୍ଗଦର୍ଶିକା ଜାରି କରିଛି ।

ତାମିଲନାଡୁରେ ପୁଣି ବର୍ଷା ତାଣ୍ଡବ, ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା

ଚେନ୍ନାଇ : ତାମିଲନାଡୁରେ ପୁଣି ବର୍ଷାର ତାଣ୍ଡବ। ଲଗାଣ ବର୍ଷାରେ ବେହାଲ ତାମିଲନାଡୁ। ଗତକାଲି ଭୀଷଣ ବର୍ଷାରେ ଜଳମଗ୍ନ ହୋଇ ପଡିଛି ତାମିଲନାଡୁର ଏକାଧିକ ଜିଲ୍ଲା। ମୁଖ୍ୟତଃ ରାଜଧାନୀ ଚେନ୍ନାଇରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷାରୁ ରାସ୍ତାଘାଟ ଗହଳି ରହିବା ସାଙ୍ଗକୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ରାଜ୍ୟର ଅନେକ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । ନାଗାପାଟ୍ଟିନମ୍, କିଲଭେଲୁର ତାଲୁକ, ଭିଲୁପୁରମ ଏବଂ କୁଡାଲୋର ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଏହି ସବୁ ଅଞ୍ଚଳରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । କାଲାକୁରୁଚି, ରାନିପେଟ, ଭେଲୋର ଏବଂ ତିରୁନାମଲାଇରେ ମଧ୍ୟ ପ୍ରବଳ ଭର୍ଷା ରେକର୍ଡ ହୋଇଛି । ଆସନ୍ତା ସାତ ଦିନ ପର୍ଯ୍ୟନ୍ତ  ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି।

ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି

ଭୁବନେଶ୍ୱର : ତିନି ସ୍ବାଭାବିକ ଭାବେ ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ତିନି ପରିବାରକୁ ୨ଲକ୍ଷ ଲେଖାଏଁ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡ ପକ୍ଷରୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ୩ ମୃତ ଡ୍ରାଇଭରମାନେ ହେଲେ ନେତ୍ରାନନ୍ଦ ମହାରଣା, କୁଶ କୁମାର ସାହୁ ଓ ପଙ୍କଜ କୁମାର ପାତ୍ର। ଏମାନଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥିବାବେଳେ ସରକାରୀ ଘୋଷଣା ଅନୁଯାୟୀ ଦୁଇ ଲକ୍ଷ ଲେଖାଏଁ ଟଙ୍କାର ଚେକ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ସ୍ବାଭାବିକ ମୃତ୍ୟୁରେ ଡ୍ରାଇଭରଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବା ନେଇ ନିୟମ କରିଛନ୍ତି ରାଜ୍ୟ ସରକାର। ସେହିପରି ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଦେବାକୁ ନିୟମ ରହିଛି। ଗତ ଶନିବାର ପରିବହନ କମିଶନରଙ୍କ ସହ ଆଲୋଚନାବେଳେ ସରକାର ପକ୍ଷରୁ ଏନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ଡ୍ରାଇଭର ମହାସଂଘ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ଆନ୍ଦୋଳନ କରିବା ପରେ ସରକାର ଆଲୋଚନା କରିଥିଲେ । ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ମହାସଂଘ।

ଓଡ଼ିଶା ପରିବହନ କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର :  ଓଡ଼ିଶା ପରିବହନ କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହୃତ। ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ସଭାପତି ଜନାର୍ଦ୍ଦନ ପତି ସୂଚନା ଦେଇଛନ୍ତି।

ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାରଙ୍କ ଆଇନକୁ ବିରୋଧ କରି ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ଓଡ଼ିଶା ପରିବହନ କର୍ମଚାରୀ ସଂଘ ଡାକରା ଦେଇଥିଲା। ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଥିଲା । ଏହାପରେ ଲୋକସେବା ଭବନରେ ମୁଖ୍ୟ  ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ବର ଡିସିପି ପ୍ରତୀକ ସିଂ, ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ସଭାପତି ଜନାର୍ଦ୍ଦନ ପତି ପ୍ରମୁଖ ଉପସ୍ଥିତ ଥିଲେ ।

ଭାରତ ବିରୋଧୀ ଟିପ୍ପଣୀ ପଡ଼ିଲା ମହଙ୍ଗା, ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ

ବ୍ୟୁରୋ ରିପୋର୍ଟ : ଭାରତ ବିରୋଧୀ ଟିପ୍ପଣୀ ପଡ଼ିଲା ମହଙ୍ଗା। ମାଳଦ୍ବୀପର ୩ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ମାଳଦ୍ବୀପର ମୁଇଜୁ ସରକାର। ସୋସିଆଲ ମିଡିଆରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ ମାଳଦ୍ବୀପର ୩ ମନ୍ତ୍ରୀ ମରିୟମ ଶିଉନା, ମାଲଶା ସରିଫ ଏବଂ ମହଜୁମ ମାଜିଦ । ଭାରତ ବିରୋଧରେ ଅସଭ୍ୟ ଭାଷାର ପ୍ରୟୋଗ କରିଥିବାରୁ ରାଷ୍ଟ୍ରପତି ମୁଇଜୁଙ୍କ ସରକାର ୩ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ମାଳଦ୍ବୀପର ୩ ମନ୍ତ୍ରୀ ଦେଇଥିବା ଅସଭ୍ୟ ଟିପ୍ପଣୀ ତାଙ୍କର ବ୍ୟକ୍ତିଗତ ବୋଲି କହିଛି ମାଳଦ୍ବୀପ। ଏଭଳି ଭାଷାର ବ୍ୟବହାର ସରକାର କରିପାରିବେ ନାହିଁ।

ଭାରତ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ବୀପ ଗସ୍ତ ସମୟର ଅନୁଭବ ସୋସିଆଲ ମିଡିଆ ଏକ୍ସରେ ପ୍ରକାଶ କରିଥିଲେ। ଲାକ୍ଷାଦ୍ବୀପର ପର୍ଯ୍ୟଟନସ୍ଥଳୀର ଉଚ୍ଚ ପ୍ରଶଂସା କରିବା ସହ ସେଠାରେ ସ୍ମୋର୍କଲିଂ କରିଥିଲେ। ଏହି ପୋଷ୍ଟକୁ ନେଇ ଅନେକ ୟୁଜର୍ସ ଲକ୍ଷାଦ୍ବୀପକୁ ମାଳଦ୍ବୀପର ବିକଳ୍ପ ପର୍ଯ୍ୟଟନସ୍ଥଳୀ ଭାବେ ଦର୍ଶାଇଥିଲେ। ଏହାପରେ ମାଳଦ୍ବୀପ ସରକାରଙ୍କ ନେତାଙ୍କ ପକ୍ଷରୁ ଆପତ୍ତିଜନକ ଟିପ୍ପଣୀ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।

ମାଳଦ୍ବୀପରେ ସରକାର ଗଠନ କରିଥିବା ପ୍ରୋଗ୍ରେସିଭ ପାର୍ଟି ଅଫ୍ ମାଳଦ୍ବୀପ ପିପିଏମ୍ ନେତାମାନେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏହାପରେ ଭାରତ ପକ୍ଷରୁ ଟିପ୍ପଣୀକୁ ନେଇ କଡ଼ା ବିରୋଧ ପ୍ରକାଶ ପାଇଥିଲା। ଅନେକ ପର୍ଯ୍ୟଟକ ମାଳଦ୍ବୀପ ବୁଲି ଯିବାକୁ ଥିବା ହୋଟେଲ ଏବଂ ଫ୍ଲାଇଟ୍ ବୁକିଂ କ୍ୟାନସଲ କରିଥିଲେ। ଅନେକ ବଲିଉଡ ଅଭିନେତା ଏବଂ କ୍ରିକେଟର ଟୁଇଟ କରି ଏହି ବିବାଦୀୟ ବୟାନର ଘୋର ନିନ୍ଦା କରିଛନ୍ତି।

ଅନ୍ୟପଟେ ପ୍ରସଙ୍ଗକୁ ନେଇ ମାଲଦ୍ବୀପର ରାଷ୍ଟ୍ରଦୂତଙ୍କୁ ସମନ କରିଛି ଭାରତୀୟ ବୈଦେଶିକ ବିଭାଗ। ଭାରତରେ ଅବସ୍ଥାପିତ ମାଳଦ୍ବୀପ ରାଷ୍ଟ୍ରଦୂତ ଇବ୍ରାହିମ ସରିଫଙ୍କୁ ସମନ କରିବା ସହ  ଜବାବ ରଖିବାକୁ କହିଛି ଭାରତୀୟ ବୈଦଶିକ ବିଭାଗ।

ବକେୟା ଟଙ୍କା ମାଗିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା

ବୌଦ୍ଧ : ବୌଦ୍ଧ ଜିଲ୍ଲା ସମ୍ପଚ ଗାଁରେ ଅଭାବନୀୟ ଘଟଣା । ବକେୟା ଟଙ୍କା ମାଗିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁଇ ଭାଇ । ମୃତକ ହେଲେ ସତ୍ୟନାରାୟଣ ସ୍ବାଇଁ। ହତ୍ୟା ପରେ ଅଭିଯୁକ୍ତ ଦୁଇ ଭାଇ ନିମାଇ ଥାଟି ଓ ଦୁର୍ଯ୍ୟୋଧନ ଫେରାର ହୋଇ ଯାଇଛନ୍ତି।

ସୂଚନା ଅନୁସାରେ, ବୌଦ୍ଧ ଥାନା ସମ୍ପଚ ଗ୍ରାମର ସତ୍ୟନାରାୟଣ ଭୋଇଙ୍କ ଠାରୁ ଅଭିଯୁକ୍ତ ଦୁଇ ଭାଇ କିଛି ଟଙ୍କା ନେଇଥିଲେ। ଗତକାଲି ବିଳମ୍ବିତ ରାତିରେ ଦୁଇ ଭାଇ ମଦ୍ୟପାନ କରି ଫେରୁଥିବା ବେଳେ ସତ୍ୟନାରାୟଣ ତାଙ୍କୁ ଟଙ୍କା ମାଗିଥିଲା । ଏଥିରେ ଉତ୍ୟକ୍ତ ହୋଇ ସତ୍ୟନାରାୟଣ ଉପରେ ଆକ୍ରମଣ କରିଥିଲେ ଦୁଇଭାଇ । ଏକ ଠେଙ୍ଗାରେ ପିଟି ପିଟି ଅତି ନିର୍ମମ ଭାବେ ସତ୍ୟ ନାରାୟଣଙ୍କୁ ହତ୍ୟା କରିଥିଲେ । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

ଆସନ୍ତାକାଲି ଲୋକାର୍ପିତ ହେବ ମାଲକାନଗିରି ବିମାନ ବନ୍ଦର

ମାଲକାନଗିରି : ବିକାଶର ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି ମାଲକାନଗିରି। ଆସନ୍ତାକାଲି ଲୋକାର୍ପିତ ହେବ ମାଲକାନଗିରି ବିମାନ ବନ୍ଦର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନବନ୍ଦରରେ ଅବତରଣ କରି ଏହାର ଶୁଭାରମ୍ଭ କରିବର। ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ। ପରୀକ୍ଷା ମୂଳକ ଭାବେ ବିମାନ ବନ୍ଦରରେ ଗତକାଲି ଅବତରଣ କରିଥିଲା ଗୋଟିଏ ବିମାନ। ଟ୍ରାଏଲ ରନ ସଫଳ ହୋଇଥିବା କହିଛନ୍ତି ବିମାନର ମୁଖ୍ୟ ପାଇଲଟ୍ ଓ ଡିଜିସିଏ ଅଧିକାରୀ। ଏଠାକାର ଭିତ୍ତିଭୂମି ଓ ସୁବିଧାକୁ ସନ୍ତୋଷ ପ୍ରକାଶ କରିଛନ୍ତି ପାଇଲଟ ଟିମ। ଖୁବ ଶୀଘ୍ର ମାଲକାନଗିରିରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ କରିବ । ୧୬୦୦ ମିଟର ରନଓ୍ବେ ଥିବା ମାଲକାନଗିରି ଏୟାର ପୋର୍ଟରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରି ପାରିବ ବୋଲି ପାଇଲଟ କହିଛନ୍ତି ।

ପ୍ରାୟ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧୬୨୦ ମିଟର ରନୱେ ପ୍ରସ୍ତୁତି ହୋଇଛି । ଆବଶ୍ୟକ ସ୍ଥଳେ ଏହାକୁ ତିନି କିଲୋମିଟର ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇ ପାରିବ। ମାଲକାନଗିରି ଜିଲ୍ଲାକୁ ଆକାଶ ପଥରେ ଯୋଡ଼ିବା ଲାଗି ମୁଖ୍ୟମନ୍ତ୍ରୀ ଯେଉଁ ସପ୍ନ ଦେଖିଥିଲେ ତାହା ବାସ୍ତବ ରୂପ ନେଉଛି। ଯୁଦ୍ଧକାଳିନ ଭିତିରେ ମାଲକାନଗିରି ଏୟାରପୋର୍ଟ କାର୍ଯ୍ୟ ଜାରି ରହିଥିବା ବେଳେ, ଏହାର ତଦାରଖ କରିଛନ୍ତି ଡିଜିସିଏର ଏକ ଟିମ। ମାତ୍ର ୧୪ ମାସରେ ୫୪ କୋଟି ଟଙ୍କା ବେୟ ଅଟକଳରେ ଏହି ଏୟାର ପୋର୍ଟ ନିର୍ମାଣ ହୋଇ ପାରିଛି । ବିମାନ ବନ୍ଦରର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ କରିଛନ୍ତି । ମାଲକାନଗିରିରେ ବିମାନବନ୍ଦର ହେଉଥିବାରୁ ଉତ୍ସାହିତ ଅଛନ୍ତି ଜିଲ୍ଲବାସୀ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବିମାନରେ ମାଲକାନଗିରିରେ ଅବତରଣ କରୁଥିବାରୁ ଶେଷ ପ୍ରସ୍ତୁତି କାର୍ଯ୍ୟକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ବିଶାଳ ସିଂହ ନିଜେ ଉପସ୍ଥିତ ରହି ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଛନ୍ତି ।

ବିଲକିସ ବାନୋ ଗଣ ଦୁଷ୍କର୍ମ ମାମଲା: ଗୁଜରାଟ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ବିଲକିସ ବାନୋ ଗଣ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଦୋଷୀଙ୍କ ଦଣ୍ଡ କ୍ଷମା କରିବା ନିଷ୍ପତ୍ତିକୁ ନେଇ ଗୁଜରାଟ ସରକାରଙ୍କୁ ଝଟକା । ସରକାରଙ୍କ ନିଷ୍ପତ୍ତିକୁ ଖାରଜ କଲେ ସୁପ୍ରିମ କୋର୍ଟ। ଏଭଳି ନିଷ୍ପତ୍ତି ନେବା ଅଧିକାର ରାଜ୍ୟ ସରକାରଙ୍କର ନାହିଁ ବୋଲି କହିଛନ୍ତି ସୁପ୍ରିମ କୋର୍ଟ । ସମସ୍ତ ୧୧ ଦୋଷୀ ଜେଲ୍ ଫେରିବେ।

୨୦୦୨ ଗୁଜରାଟ ଦଙ୍ଗା ବେଳେ ଅତି ଜଘନ୍ୟ ଭାବେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ତାଙ୍କ ପୁରା ପରିବାରକୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୧ଜଣ ଦୋଷୀ ସାବ୍ୟସ୍ତ ହୋଇ ୧୪ ବର୍ଷ ଜେଲରେ ରହିବା ପରେ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିରେ ସେମାନଙ୍କୁ ମୁକ୍ତ କରାଯାଇଥିଲା । ଏହି ମାମଲା ଉପରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇ ୧୧ ଦୋଷୀଙ୍କୁ ଜେଲ୍ ଫେରିବାକୁ  ନିର୍ଦ୍ଦେଶ ଦିଆଯାଇଛି ।

ଥମୁନି ହାତୀ ଉପଦ୍ରବ, ଦଳି ମକଚି ନଷ୍ଟ କଲେ ବ୍ୟାପକ ପନିପରିବା ଫସଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନାଞ୍ଚଳରେ ମାତିଛି ହାତୀ। ସିଂଟୋଲା, ଦେଓଗାଁ, ଜୀବିକା, ତଳିତା, ନୂଆପାଲି, ବଣ୍ଡଡ଼ିହି ସମେତ ପ୍ରାୟ ୨୦ରୁ ୩୦ ଗାଁରେ ଦୁଇଟି ଦନ୍ତା ଚାରି ମାସ ହେଲାଣି ଚଳାଇଛନ୍ତି ଉତ୍ପାତ। ଗାଁରେ ଘର ଭାଙ୍ଗିବା ସହ ଧାନ ଖାଇ ଦେଉଛନ୍ତି । ଏପରିକି ଘରର ଆସବାବ ପତ୍ର ନଷ୍ଟ କରି ପନିପରିବା ନଷ୍ଟ କରୁଛନ୍ତି। ଫଳରେ ଉତ୍ତ୍ୟକ୍ତ ଲୋକେ ହାତୀକୁ ଘଉଡାଇବାକୁ ଦାବି କରିଛନ୍ତି। ବଣାଇଁ – ଜକୈକଳା ରାସ୍ତାକୁ ଅବରୋଧ କରିଛନ୍ତି ଗ୍ରାମବାସୀ। ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେଉରୁ ଅସନ୍ତୋଷ ପ୍ରକାଶ ପାଇଛି ।

ଅନ୍ୟପଟେ ଘରେ ଶୋଇଥିବା ବେଳେ ପଶିଲା କୁଳଡିଆ ହାତୀ। ଧାନ ଖାଇବା ସହ ଘର ଛପର ଭାଙ୍ଗିବା ସହିତ ବାଇକକୁ ଭାଙ୍ଗି ଦେଲେ ହାତୀପଲ। ଗ୍ରାମବାସୀଙ୍କ ସହାୟତାରେ ଜଙ୍ଗଲକୁ ଘଉଡ଼ାଇଲେ ହାତୀ । ନୀଳଗିରି ବାଉଁଶବଣିଆ ପଞ୍ଚାୟତ ହାଟସାହି ଗାଁରେ ଘଟିଛି ଏଭଳି ଘଟଣା। କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଦେବା ସହ ଅଞ୍ଚଳରେ ପାଟ୍ରୋଲିଂକୁ କଡାକଡି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।