spot_img
Home Blog Page 218

ଗୃହରେ ବିରୋଧୀ ବିଜେଡିର ହଟ୍ଟଗୋଳ ; ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ନନ୍ଦିଘୋଷ ବ୍ୟୁରୋ : ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳରୁ ଚାଲିପାରିଲାନି ଗୃହ। ହୋହଲ୍ଲା ଓ ହଙ୍ଗାମାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କଲେ ବାଚସ୍ପତି। ଆଜି ଗୃହ ଆରମ୍ଭରୁ ବିରୋଧୀ ବିଜେଡି ସଦସ୍ୟ ହୋହଲ୍ଲା କରିଥିଲେ। ଗୃହରେ ଉଠିଥିଲା ଚାଷୀଙ୍କୁ ସାର ସଂକଟ ପ୍ରସଙ୍ଗ। ସାରର କଳାବଜାରୀ ଜୋରଦାର ହଙ୍ଗାମା କରିଥିଲେ ବିରୋଧୀ। ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଦେଖାଇ ନାରାବାଜି କରିଥିଲେ। ଆଇନଶୃଙ୍ଖଳା ପ୍ରସଙ୍ଗ ନେଇ ମଧ୍ୟ ତାତିଥିଲେ ବିରୋଧୀ। ହାତରେ ପ୍ଲାକାର୍ଡ ଧରି ବିରୋଧୀ ନାରାବାଜି କରିଥିଲେ। ପ୍ରଶ୍ନୋତ୍ତରକାଳ ଆରମ୍ଭରୁ ବିଜେଡି ପ୍ରତିବାଦ କରିଥିଲେ।

ଚାଷୀଙ୍କ ସାର ଦୁର୍ନୀତି ଅଭିଯୋଗରେ ପ୍ରଶ୍ନୋତ୍ତରକାଳ ବାତିଲ କରି ଆଲୋଚନା ପାଇଁ ଦାବି କରିଥିଲେ। ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ। ରାଜ୍ୟରେ ସାର ସମସ୍ୟା ଉତ୍କଟ ହୋଇଛି ବୋଲି ଅଭିଯୋଗ କରିଛି ଦଳ। ଏହାକୁ ନେଇ ରାଜାରାସ୍ତାରେ ଚାଷୀ। ରାଜ୍ୟରେ 60% ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିଜେଡି ଦାବି କରିଥିଲା। ଚାଷୀ କଥା ଆଲୋଚନା ନ କରି ଅନ୍ୟ କଥା ଆଲୋଚନାର ଲାଭ କଣ ବୋଲି କହିଥିଲା ଦଳ।

ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ

ନନ୍ଦିଘୋଷ ବ୍ୟୁରୋ : ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା କନଷ୍ଟେବଳ ମର୍ଡର କେସ। ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ମର୍ଡର କେସ। ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ । ପ୍ରଥମ ସ୍ତ୍ରୀର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ। କମିଶନରେଟ ପୋଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ। କ୍ୟାପିଟାଲ ଥାନା ପୋଲିସ, ଖୁଣ୍ଟୁଣି ଥାନା ପୋଲିସ ଠାରୁ ମିଳିଥିବା ତଥ୍ୟ ପ୍ରମାଣର ହେବ ଖୋଳତାଡ଼। କ୍ରାଇମବ୍ରାଞ୍ଚ ସୂତ୍ରରୁ ନନ୍ଦିଘୋଷ ଟିଭିକୁ ଏହି ସୂଚନା ମିଳିଛି। ୬ ତାରିଖରେ କନଷ୍ଟେବଳ ଶୁଭମିତ୍ରାଙ୍କ ମିସିଂ, ୧୭ ତାରିଖରେ କେନ୍ଦୁଝରରେ ଗଳିତ ମୃତଦେହ ମିଳିବା ଘଟଣା ଓ ଦୀପକଙ୍କ ପ୍ରଥମ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହେବ ଉଚ୍ଚସ୍ତରୀୟ ତଦନ୍ତ। CAW ଆଣ୍ଡ CW କେସକୁ ମନିଟର କରିବ।

ରୁଷରେ ବଡ଼ ଧରଣର ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତୀବ୍ରତା ୭.୮

ନନ୍ଦିଘୋଷ ବ୍ୟୁରୋ : ରୁଷରେ ଭୂକମ୍ପର ଝଟକା।୭.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ଜଣପଡିଛି।ରୁଷର କାମଚାଟସ୍କି ସହରରୁ ୧୨୮ କିଲୋମିଟର ପୂର୍ବ ଏବଂ ୧୦ କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ତୀବ୍ର ଭୂକମ୍ପ ଝଟକା ଅନୁଭୂତ ହୋଇଥିବାରୁ ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ କେନ୍ଦ୍ର ପକ୍ଷରୁ ଉପକୂଳରେ ସତର୍କ ସୂଚନା ଜାରି କରାଯାଇଛି।ଆଜି ସକାଳୁ ରୁଷିଆର ପୂର୍ବ କାମଚାଟକା ଉପଦ୍ୱୀପର ଉପକୂଳରେ ଏକ ଶକ୍ତିଶାଳୀ 7.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ କୋଠାଗୁଡ଼ିକ ଦୋହଲି ଯାଇଥିଲା ଏବଂ କର୍ତ୍ତୃପକ୍ଷ ସୁନାମି ସତର୍କତା ଜାରି କରିଥିଲେ। ଭୂକମ୍ପ ଅନୁଭୂତ ପରେ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ।

ଘରଗୁଡ଼ିକରେ ଥିବା ଆସବାବପତ୍ର ଏବଂ ଲାଇଟ୍ ଦୋହଲୁଥିବା ଦେଖିବାକୁ ମିଳିଥିଲା। ରାସ୍ତାରେ ପାର୍କିଂ ହୋଇଥିବା କାର ମଧ୍ୟ ଥରି ଉଠିଥିଲା। ଅତି କମରେ ପାଞ୍ଚଟି ଭୂକମ୍ପ ପରବର୍ତ୍ତୀ ଝଟକା ଅନୁଭୂତ ହୋଇଥିବା ରିପୋର୍ଟରୁ ଜଣାପଡିଛି। ତେବେ ବର୍ତ୍ତମାନ କୌଣସି କ୍ଷୟକ୍ଷତିର ରିପୋର୍ଟ ନାହିଁ। ଉପଦ୍ୱୀପର ପୂର୍ବ ଉପକୂଳ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି। ଜନସାଧାରଣଙ୍କୁ ସତର୍କ କରାଯାଉଛି।

କାମଚାଟକା ଉପଦ୍ୱୀପ ଏକ ଟେକ୍ଟୋନିକ୍ ବେଲ୍ଟରେ ଅବସ୍ଥିତ। ଯାହାକୁ ରିଙ୍ଗ ଅଫ୍ ଫାୟାର କୁହାଯାଏ। ପ୍ରଶାନ୍ତ ମହାସାଗରର ଅଧିକାଂଶ ଅଂଶକୁ ଘେରି ରହିଛି ଏବଂ ଭୂକମ୍ପୀୟ କାର୍ଯ୍ୟକଳାପ ପାଇଁ ଏକ ଆକର୍ଷଣୀୟ ସ୍ଥାନ।ଗତ ଜୁଲାଇ ମାସରେ ୮.୮ ତୀବ୍ରତାର ଭୂମିକମ୍ପ ଯୋଗୁଁ ସୁନାମି ଆସିଥିଲା। ଯାହା ଏକ ଉପକୂଳବର୍ତ୍ତୀ ଗାଁର ଏକ ଅଂଶକୁ ସମୁଦ୍ରରେ ଭସାଇ ନେଇଥିଲା।

ଭିଜିଲାନ୍ସ ଜାଲରେ ରାୟଗଡ଼ା କାଶୀପୁର ରେଂଜର , ୯ଟି ସ୍ଥାନରେ ଏକକାଳୀନ ଚଢାଉ

ନନ୍ଦିଘୋଷ ବ୍ୟୁରୋ :  ଭିଜିଲାନ୍ସ ଜାଲରେ ରେଂଜର। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା କାଶୀପୁର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ରେଡ୍ ହୋଇଛି। ୪ ଜିଲ୍ଲାର ୯ ସ୍ଥାନରେ ଏକକାଳୀନ ରେଡ କରୁଛି ଭିଜିଲାନ୍ସ। କାଶୀପୁର ସ୍ଥିତ ସରକାରୀ ବାସଭବନ ଓ ଅଫିସ ସମେତ ବିିଭିନ୍ନ ସ୍ଥାନରେ ରେଡ ଚାଲିଛି। ଭିଜିଲାନ୍ସ ଟିମ୍ କାଶୀପୁର, ବ୍ରହ୍ମପୁର, ବାଲିଗୁଡା, ଭଜଂନଗର, ନୟାଗଡ ସମେତ ରାଜ୍ୟର ୯ଟି ସ୍ଥାନରେ ଥିବା ଅନ୍ତର୍ଯ୍ୟାମୀ ସାହୁଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଛି।ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଏସପିଙ୍କ ତତ୍ବାବଧାନରେ ରେଡ୍ ଚାଲିଛି। ଅତିରିକ୍ତ ଏସପି ଅନନ୍ତ ମଲ୍ଲିକଙ୍କ ନେତୃତ୍ଵରେ ୭ ଜଣ ଡିଏସପି, ୭ ଜଣ ଇନିସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି। କନ୍ଧମାଳ ବାଲିଗୁଡାରେ ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀଙ୍କ ନାଁରେ ରହିଛି କୋଠାଘର, ବାଲିଗୁଡ଼ାରେ ଆଉ ଏକ କୋଠା ଘର, ନୟାଗଡ଼ରେ ଥିବା ସମ୍ପର୍କୀୟଙ୍କ ଘର, ଦାରିଙ୍ଗବାଡ଼ି ସରନିକେତରେ କୋଠା, ଦାରିଙ୍ଗବାଡ଼ିରେ ଆଉ ଏକ କୋଠା, ଗଂଜାମ କୁକୁଡାଖଣ୍ଡିରେ କୋଠା, ଭଂଜନଗର ଦୋମୁହାଣୀରେ ଥିବା କୋଠାରେ ରେଡ କରୁଛି ଭିଜିଲାନ୍ସ।

ଆମେରିକା ପୋଲିସ ଗୁଳିରେ ଭାରତୀୟ ଆଇଟି କର୍ମଚାରୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଭାରତୀୟଙ୍କୁ ଗୁଳି ମାଡ଼ । ଆମେରିକାର କାଲିଫର୍ଣ୍ଣିଆରେ ୩୦ ବର୍ଷୀୟ ଭାରତୀୟ ଟେକି ମହମ୍ମଦ ନିଜାମୁଦ୍ଦିନଙ୍କୁ ପୋଲିସ ଗୁଳିକରି ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି। ତେଲେଙ୍ଗାନାର ମହବୁବନଗରର ନିଜାମୁଦ୍ଦିନ ନିଜ ରୁମମେଟଙ୍କୁ ଚାକୁରେ ଆକ୍ରମଣ କରିଥିବା ଅଭିଯୋଗ ପରେ ପୋଲିସ ତାଙ୍କୁ ଗୁଳି କରିଥିଲା। ତେବେ ତାଙ୍କ ପରିବାର ଜାତିଗତ ହିଂସା ଓ ବୈଷମ୍ୟର ଅଭିଯୋଗ ଆଣି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଦାବି କରିଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ସାନ୍ତା କ୍ଲାରାରେ ନିଜାମୁଦ୍ଦିନଙ୍କ ଘରେ ଚାକୁ ଧରି ରୁମମେଟଙ୍କୁ ଆହତ କରୁଥିବା ଅବସ୍ଥାରେ ତାଙ୍କୁ ଦେଖାଯାଇଥିଲା। ୯୧୧ କଲ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଜାମୁଦ୍ଦିନଙ୍କୁ ଆଦେଶ ମାନିବାକୁ କହିଥିଲା, କିନ୍ତୁ ସେ ନମାନିବାରୁ ଗୁଳି ଚଳାଇଥିଲେ। ଗୁଳିବିଦ୍ଧ ନିଜାମୁଦ୍ଦିନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ନିଜାମୁଦ୍ଦିନଙ୍କ ପରିବାର ଦାବି କରିଛନ୍ତି ଯେ ସେ ନିଜେ ସାହାଯ୍ୟ ପାଇଁ ପୋଲିସକୁ ଡାକିଥିଲେ। ଫ୍ଲୋରିଡାରୁ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିବା ନିଜାମୁଦ୍ଦିନ ସାନ୍ତା କ୍ଲାରାରେ ଏକ ଟେକ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ। ତାଙ୍କ ପରିବାର କହିଛି, ସେ ଶାନ୍ତ ଓ ଧାର୍ମିକ ବ୍ୟକ୍ତି ଥିଲେ ଏବଂ ଜାତିଗତ ହିଂସା, ମଜୁରି ଠକେଇ ଓ ଅନୁଚିତ ବରଖାସ୍ତର ଅଭିଯୋଗ ସାର୍ବଜନୀନ ଭାବେ ଉଠାଇଥିଲେ।

ନିଜାମୁଦ୍ଦିନଙ୍କ ଏକ ଲିଙ୍କଡଇନ ପୋଷ୍ଟରେ ସେ ଲେଖିଥିଲେ, “ମୁଁ ଜାତିଗତ ଘୃଣା, ବୈଷମ୍ୟ, ହିଂସା, ମଜୁରି ଠକେଇ, ଅନୁଚିତ ବରଖାସ୍ତ ଓ ନ୍ୟାୟରେ ବାଧାର ଶିକାର ହୋଇଛି।” ସେ ଆହୁରି ଜାତିଗତ ବୈଷମ୍ୟ, ଖାଦ୍ୟରେ ବିଷ ମିଶାଇବା, ଉଚ୍ଛେଦ ଓ ଜଣେ ଡିଟେକ୍ଟିଭଙ୍କ ଦ୍ୱାରା ନିରନ୍ତର ନିରୀକ୍ଷଣ ଓ ଭୟଭୀତ କରାଯିବାର ଅଭିଯୋଗ କରିଥିଲେ।

ଭେଣ୍ଟିଲେଟରରୁ ଆଇସିୟୁକୁ ସ୍ଥାନାନ୍ତର ହେଲେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ଵର ଏମସ ହସ୍ପିଟାଲର ଭେଣ୍ଟିଲେଟରରୁ ଆଇସିୟୁକୁ ସ୍ଥାନାନ୍ତର ହେଲେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଅଭିଜିତଙ୍କ ଫୁସଫୁସ୍ ସଂକ୍ରମଣରେ ସୁଧାର ଆସିଛି। ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗର ଟେଷ୍ଟ ରିପୋର୍ଟ ସ୍ଵାଭାବିକ ଥିଲେ ବି ମସ୍ତିଷ୍କ ଓ ସ୍ନାୟବିକ ସ୍ଥିତି କିନ୍ତୁ ଅପରିବର୍ତ୍ତିତ ରହିଛି ବୋଲି ଏମସ ପକ୍ଷରୁ କୁହାଯାଇଛି। ଏମସରେ ସଂଗୀତକାର ଅଭିଜିତ ମଜୁମଦାରଙ୍କ ଚିକିତ୍ସା ଜାରି ରହିଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ପ୍ରଥମେ ତାଙ୍କୁ କଟକରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମସକୁ ସ୍ଥାନାନ୍ତର କରାଯାଇଥିଲା। ଓଡ଼ିଆ ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଅଭିଜିତ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ। ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ ଓ ଓଡ଼ିଆ ଧାରାବାହିକ ନିର୍ମାଣ କରିଛନ୍ତି ଅଭିଜିତ ମଜୁମଦାର।

ଆଜିଠାରୁ ଉଷ୍ମ ହେବ ବିଧାନସଭା, ଚାଷୀ ପ୍ରସଙ୍ଗରେ ହୁଲସ୍ତୁଲ ହୋଇପାରେ ଗୃହ

ନନ୍ଦିଘୋଷ ବ୍ୟୁରୋ : ଆଜି ବି ବିଧାନସଭା ବେଶ ଉଷ୍ମ ହେବ । ଚାଷୀ ପ୍ରସଂଗରେ ଗୃହ ହୁଲସ୍ତୁଲ ହୋଇପାରେ। ରାଜ୍ୟରେ ଘୋର ସାର ସଂକଟ ଲାଗି ରହିଥିବା ବେଳେ ସରକାର ଏହା ଉପରେ ଗୁରୁତ୍ଵ ନଦେବା ନେଇ ବିଜେଡି ପ୍ରତିବାଦର ସ୍ୱର ଜୋରଦାର କରିବ। ଯୋଗାଣ ମନ୍ତ୍ରୀ ସାର କଳାବଜାରୀ ହେଉଥିବା କଥା ମାନିବା ପରେ ରାଜ୍ୟ ସରକାରଂକ ଚାଷୀ ପ୍ରତି କେତେ ଆନ୍ତରିକତା ରହିଛି ତାହା ପଦାକୁ ଆସିଛି। ଚାଷ ସମୟରେ ସାର ନପାଇ ରାଜରାସ୍ତାରେ ହନ୍ତସନ୍ତ ହେଉଥିବା ବେଳେ ସାର ରାଜ୍ୟରେ ସାର ଆବଶ୍ୟକ ଅନୁସାରେ ମହଜୁତ୍ ଅଛି ବୋଲି ବାହାସ୍ପୋଟ ମାରୁଛନ୍ତି। ଯାହାକୁ ନେଇ ବିଜେଡି ସରକାରଙ୍କୁ ଘେରିଛି। ତୁରନ୍ତ ଚାଷୀମାନେ କିପରି ସାର ପାଇବେ ସେ ଦାବିକୁ ବିଧାନସଭାରେ ଜୋରଦାର କରିବ ବିଜେଡି। ଚାଷୀ ପ୍ରସଙ୍ଗରେ ମୁଖ୍ୟ ବିରୋଧୀ ବିଜେଡି ଗୃହରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି  । ଯାହାକୁ ନେ଼ଇ ଗୃହ ବେଶ ସରଗରମ ହେବାର ସମ୍ଭାବନା ରହିଛି ।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ, କ୍ରୀଡା ଓ ଯୁବ କଲ୍ୟାଣ, ଦକ୍ଷତା ବିକାଶ-ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟର ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ରହିଛି ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଆଇନଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ପରି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିପାରେ। ବିଜେଡି ପକ୍ଷରୁ ମୂଲତବୀ ପ୍ରସ୍ତାବ ଦିଆଯିବ। କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୋଧରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବକୁ ଗୃହରେ ଆଲୋଚନା କରିବାକୁ ଦାବି ଜୋର ହେବ।ଶାସକ ଦଳ ମଧ୍ୟ ଦୁଇ ବିରୋଧୀ ଙ୍କୁ ଜବାବ ଦେବାକୁ ପାଲଟା ରଣନୀତି ପ୍ରସ୍ତୁତି କରାଯାଇଛି  ।

ପ୍ରକୃତିର ତାଣ୍ଡବରେ ଛାରଖାର ଉତ୍ତରାଖଣ୍ଡର ଚାମୋଲି

ନନ୍ଦିଘୋଷ ବ୍ୟୁରୋ : ବାଦଲଫଟା ବର୍ଷାରେ ଛାରଖାର ହୋଇଯାଇଛି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା। ଏବେ ବି ମୁଷଳଧାରାରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୩୬ ରେ ପହଞ୍ଚିଛି। ଚାମୋଲି ଜିଲ୍ଲାର ନନ୍ଦନଗର ବ୍ଲକରେ ଘଟିଛି ଏହି ଭୂସ୍ଖଳନ। ୧୪ ଜଣ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ଏବେ ଗୋଟିଏ ମୃତଦେହ ଉଦ୍ଧାର କରିଛନ୍ତି। ବୁଧବାର ଦିନ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନନ୍ଦକାନି ଏବଂ ଚୁଫଲାଗଡ଼ ନଦୀ କୂଳରେ ଅବସ୍ଥିତ ନନ୍ଦନଗର ଅଧିକ କ୍ଷୟକ୍ଷତି ହୋଇଛି। ବଞ୍ଜାରବାଗଡ, ମୋକ୍ଷ ଧୂର୍ମା ଏବଂ ଆଖପାଖ ଅଞ୍ଚଳର ବାସିନ୍ଦାମାନେ ଏକ ଧ୍ୱଂସାବଶେଷର ଦୃଶ୍ୟ ବର୍ଣ୍ଣନା କରିଛନ୍ତି। ହତାଶ ଗ୍ରାମବାସୀମାନେ, ଜିଲ୍ଲା ମାଜିଷ୍ଟ୍ରେଟ୍ ସନ୍ଦୀପ ତିୱାରୀଙ୍କ ସହ ଯୋଗାଯୋଗ କରି ତୁରନ୍ତ ସହାୟତା ପାଇଁ ନିବେଦନ କରିଛନ୍ତି ।

ପ୍ରାୟ ୨ଶହ ଲୋକଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ମେଡିକାଲ ଟିମ ଓ ଉଦ୍ଧାରକାରୀ ଟିମ ପହଞ୍ଚି ସହାୟତା କରୁଛନ୍ତି। ଘଟଣାସ୍ଥଳରେ ମୁତୟନ ହୋଇଛି ଆମ୍ବୁଲାନ୍ସ। ବର୍ତ୍ତମାନ ରେସ୍କ୍ୟୁ ଅପରେସନ ଜାରି ରହିଛି। ଡେରାଡୁନ ଚମ୍ପାବତ ଓ ଉଦ୍ଧମସିଂ ନଗରରେ ରେଡ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୦ ଯାଏ ସ୍ଥାନୀୟ ଅଞ୍ଚଳରେ ବିପତ୍ତି ଲାଗି ସତର୍କତା ଜାରି କରାଯାଇଛି।ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରିସ୍ଥିତି ସମୀକ୍ଷା କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଚାରିଟି ଗାଁରେ ଅଧିକ କ୍ଷତି ଘଟିଛି। କୁନ୍ତାରି ଲଗାଫାଲି, କୁନ୍ତାରି ଲଗାସରପାଣି, ସେରା ଏବଂ ଧୂର୍ମାରେ ୩୩ ଘର ଅନେକ ଦୋକାନ ଏବଂ ଗୋଶାଳା ଭାଙ୍ଗି ଯାଇଛି। NDRF ଓ SDRF ଦଳ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସନ୍ଧାନ ଏବଂ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଆହତଙ୍କୁ ଋଷିକେଶର ଏମ୍ସକୁ ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଥିଲା।

ଭୁବନେଶ୍ୱର ପିଏମଜିରେ ବେସରକାରୀ ଅଧ୍ୟାପକ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ସରକାରଙ୍କ ପ୍ରତିଶୃତି ପାଣିର ଗାର । ସ୍ବପ୍ନ ଦେଖାଇ ଶାସନକୁ ଆସିଲେ । ଗାଦିରେ ବସିବା ପରେ ସବୁ ଭୁଲିଗଲେ । ଏଭଳି ପ୍ରତାରଣାକୁ ନେଇ ଜୋରଦାର ପ୍ରତିବାଦ କରିଛନ୍ତି ବେସରକାରୀ ଅଧ୍ୟାପକ କର୍ମଚାରୀ । ଗୋଟିଏ ହାତରେ ମହାତ୍ମା ଗାନ୍ଧୀ, ସୁଭାଷ ବୋଷ ଓ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର। ଅନ୍ୟ ହାତରେ ଜାତୀୟ ପତାକା। ପ୍ରବଳ ଖରାରେ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ଶିକ୍ଷକ । ଭୁବନେଶ୍ୱର ପିଏମଜି ଠାରେ ରାଜ୍ୟର ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀଙ୍କ ଏଭଳି ରୂପ ଦେଖିବାକୁ ମିଳିଛି । ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ କଲେଜରେ ନିଯୁକ୍ତ ଅଧ୍ୟାପକ କର୍ମଚାରୀ ମାନେ ଅନୁଦାନ ଦାବିରେ ପିଏମଜି ଠାରେ କର ବା ମର ସମାବେଶ କରିଛନ୍ତି । ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ବିକ୍ଷୋଭ ସମାବେଶରେ ରାଜ୍ୟ ସରକାରଙ୍କ ବାରମ୍ବାର ପ୍ରତିଶ୍ରୁତି ଓ ପ୍ରତାରଣାକୁ ଜୋରଦାର ବିରୋଧ କରାଯାଇଛି । ଶତାଧିକ ଅଧ୍ୟାପକ କର୍ମଚାରୀ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ଆସିବା ସହ ଧାରଣାରେ ବସିଛନ୍ତି । ତୁରନ୍ତ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଲୋଚନା କରିବାକୁ ଅଡ଼ି ବସିଛନ୍ତି ଆନ୍ଦୋଳନରତ ଅଧ୍ୟାପକ କର୍ମଚାରୀ।

ରାଜ୍ୟରେ ପାଠ ପଢା ଓ କଲେଜର ଅନ୍ୟାନ୍ୟ ଗୁରୁ ଦାୟିତ୍ୱର ସିଂହ ଭାଗ ସମ୍ଭାଳୁଛନ୍ତି ଏହି ଅଧ୍ୟାପକ ଅଧ୍ୟାପିକା । ଏପରିକି ବହୁ ବିଷୟର ବିଭାଗୀୟ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏ ସମ୍ପର୍କରେ ଏବର ସରକାର ପୂର୍ବରୁ ଅବଗତ ଥିବାବେଳେ ସେମାନଙ୍କ ଦାବିକୁ ଯଥାର୍ଥ ବୋଲି ମଧ୍ୟ କହିଥିଲେ । କିନ୍ତୁ ଦାବି ପୂରଣ କରିବା ବଦଳରେ ସମୟ ଗଡାଇ ଚାଲିଛନ୍ତି । ଯାହାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି ଆନ୍ଦୋଳନରତ ଅଧ୍ୟାପକ କର୍ମଚାରୀ । ଏଥର ଦାବି ପୂରଣ ନ ହୁଏ ତାହେଲେ ଆସନ୍ତାକାଲି ଠାରୁ ଆମରଣ ଅନଶନରେ ବସିବାକୁ ସଂଘ ନିଷ୍ପତ୍ତି ନେଇଛି। ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ସହ ଗୁଣାତ୍ମକ ପାଠ ପଢ଼ାର କଥା କୁହାଯାଉଛି । କିନ୍ତୁ ଯେଉଁମାନେ ଏହାକୁ ସଫଳ କରାଇବେ ସେମାନେ ରାଜରାସ୍ତାକୁ ଓହ୍ଲାଇଲେ ଏହାର ପ୍ରକୃତ ରୂପାୟନ କିଭଳି ସମ୍ଭବ ବୋଲି ପ୍ରଶ୍ନ ଉଠିଛି ।

ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ନେଇ ଚିନ୍ତାରେ ଶିକ୍ଷକ

ଭୁବନେଶ୍ବର : କେତେବେଳେ ପ୍ରଶ୍ନପତ୍ର ଲିକ୍ ତ ପୁଣି କେବେ ବୋର୍ଡରେ ଅଧିକାରୀ ଅଭାବ । ଏପରି କାରଣ ଯୋଗୁଁ ବାରମ୍ବାର ସ୍ଥଗିତ ରହିବା ସହ ପରିବର୍ତ୍ତନ ହୋଇ ଚାଲିଛି ଓଟିଇଟି । ଶେଷରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପାଇଁ ସେପ୍ଟେମ୍ବର ୨୭ ତାରିଖ ଧାର୍ଯ୍ୟ ହୋଇଛି। ଯାହାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି। କାରଣ ସେପ୍ଟେମ୍ବର ୨୭ ହେଉଛି କାର୍ଯ୍ୟ ଦିବସ । ସ୍କୁଲ ଛାଡ଼ି ପରୀକ୍ଷା ଦେବାକୁ କେମିତି ଯିବେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଶିକ୍ଷକ। ହେଲେ ଆଜି ସରକାର ଶୁଣାଇଛନ୍ତି ଚରମବାଣୀ। ସିଧାସିଧା କହିଛନ୍ତି, ସେପ୍ଟେମ୍ବର ୨୭ ତାରିଖରେ ହିଁ ହେବ ଓଟିଇଟି। ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ ନକରିବାକୁ ସ୍ପଷ୍ଟ କରିଚନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ପରେ ଶିକ୍ଷକଙ୍କ ଦ୍ବନ୍ଦ୍ବ ବଢ଼ିବା ସହ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିଛି। କାରଣ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଅର୍ଦ୍ଧ ବାର୍ଷିକ ପରୀକ୍ଷା ସେପ୍ଟେମ୍ବର ୨୨ରେ ଆରମ୍ଭ ହୋଇ ସେପ୍ଟେମ୍ବର ୨୭ ଯାଏଁ ଚାଲିବ। ଯଦି ଶିକ୍ଷକମାନେ ୨୭ ତାରିଖରେ ପରୀକ୍ଷା ଦେବାକୁ ଯିବେ, ତେବେ କିଏ କରିବ ସ୍କୁଲ ପିଲାଙ୍କ ପରୀକ୍ଷା ପରିଚାଳନା ? ସେପଟେ କିଛି ଦିନ ତଳେ ସୁପ୍ରିମକୋର୍ଟ ବି ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି । ଯେଉଁମାନେ ଶିକ୍ଷକ ହେବା ପାଇଁ ଆଶାୟୀ, ସେମାନେ ଟିଇଟି ଯୋଗ୍ୟତା ହାସଲ କରିବା ଅନିବାର୍ଯ୍ୟ। ଏଥିସହ ଯେଉଁମାନେ ଶିକ୍ଷକତା କରୁଛନ୍ତି, ସେମାନେ ମଧ୍ୟ ପଦୋନ୍ନତି ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ। ଯଦି ଏହି ଶିକ୍ଷକମାନେ ୨ ବର୍ଷ ମଧ୍ୟରେ ଟିଇଟିରେ ଉତ୍ତୀର୍ଣ୍ଣ ହେବେ ନାହିଁ, ସେମାନେ ବାଧ୍ୟତାମୂଳକ ଅବସର ନେବେ। ଗୋଟିଏ ପଟେ ସର୍ବୋଚ୍ଚ ଅଦାଲତଙ୍କ ଛାଟ, ଅନ୍ୟପଟେ କାର୍ଯ୍ୟ ଦିବସରେ ପରୀକ୍ଷା ଯୋଗୁଁ ୭୫ ହଜାର ଶିକ୍ଷକ ଚିନ୍ତାରେ ଦିନ ଗଣୁଛନ୍ତି । ନିଜେ ପରୀକ୍ଷା ଦେବେ ନା ସ୍କୁଲରେ ପିଲାଙ୍କ ପରୀକ୍ଷା ପରିଚାଳନା କରିବେ। ଯାହାର ଉତ୍ତର ପାଇପାରୁନାହାନ୍ତି ଶିକ୍ଷକ। ଓଲଟି ଗଣଶିକ୍ଷା ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ଶିକ୍ଷକଙ୍କୁ ଅଧିକ ଚାପଗ୍ରସ୍ତ କରୁଛି।