spot_img
Home Blog Page 2124

ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ହତ୍ଯା କଲା ସ୍ୱାମୀ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ଯ। ସ୍ତ୍ରୀକୁ ମାରି ଶବ ସହ ତିନି ଦିନ ବିତାଇଥିଲା ସ୍ବାମୀ। ମୈତ୍ରୀବିହାର ଥାନା ତାରିଣୀନଗର ଅଞ୍ଚଳରେ ଘଟିଛି ଏଭଳି ନିର୍ମମ ହତ୍ଯାକାଣ୍ଡ। ସ୍ତ୍ରୀକୁ ପିଟିପିଟି ହତ୍ଯା କରିବା ପରେ ମୃତଦେହକୁ ଘରେ ବନ୍ଦ କରି ରଖିଥିଲା ସ୍ବାମୀ। ଘରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ହତ୍ଯାକାଣ୍ଡର ପର୍ଦ୍ଦାଫାସ ହୋଇଛି। ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି ପୋଲିସ। ଅଭିଯୁକ୍ତ ହେଉଛି ଗଞ୍ଜାମ ଅଞ୍ଚଳର ଗୌରବ ଜେନା ।

ସୂଚନା ଅନୁଯାୟୀ, ନିଶାଦ୍ରବ୍ୟ ଖାଇ ରାତିରେ ଘରକୁ ଫେରିଥିଲେ ସ୍ୱାମୀ ଗୌରବ ଜେନା। ସ୍ତ୍ରୀ ବାରଣ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ କୁ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ପିଟିପିଟି ହତ୍ୟା କରିଥିଲା ଗୌରବ। ସ୍ତ୍ରୀକୁ  ହତ୍ୟା କରିବା ପରେ ଶବ ଏବଂ ତାଙ୍କର ୩ଟି ଛୁଆଙ୍କୁ ଘର ଭିତରେ ବନ୍ଦ କରି ରଖିଥିଲା ଅଭିଯୁକ୍ତ । ନିଜେ ମଧ୍ୟ ବାହାରକୁ ବାହାରି ନଥିଲା । ଘରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ।ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ ।

ବଢିଲା ସର୍ବନିମ୍ନ ମଜୁରୀ, ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବଢିଲା ସର୍ବନିମ୍ନ ମଜୁରୀ। ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର। ମଜୁରୀ ବଢିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ନିଷ୍ପତ୍ତି ଦ୍ବାରା ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଉପକୃତ ହେବେ।

ଅଣକୁଶଳୀ ଶ୍ରମିକମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କାକୁ, କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କାକୁ ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକ ମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଉପକାର ପାଇବେ।

ନିଜ ଦେଶକୁ ଫେରିଯିବେ ଲୁଟର ଶିକାର ହୋଇଥିବା ନେଦରଲ୍ୟାଣ୍ଡ ପର୍ଯ୍ୟଟକ

ଭୁବନେଶ୍ୱର : ପୁରୀରୁ ଲୁଟର ଶିକାର ହୋଇଥିବା ନେଦରଲ୍ୟାଣ୍ଡ ପର୍ଯ୍ୟଟକ ଆନ୍ଥୋନୀ ଭ୍ୟାନ୍ ଆର୍କେଲ୍‌ଙ୍କୁ ନିଜ ଦେଶକୁ ପଠାଇବାକୁ ବ୍ୟବସ୍ଥା ହୋଇଛି। ଗତ କିଛି ଦିନ ତଳେ ପୁରୀରେ ଲୁଟ୍‌ର ଶିକାର ହୋଇଥିଲେ ଆନ୍ଥୋନୀ। ତାଙ୍କ ଠାରୁ ଲୁଟି ନେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଧରିବା ପରେ ଆଜି ଅଭିଯୁକ୍ତ ସାଗର ମଲ୍ଲିକଙ୍କୁ ଚିହ୍ନଟ ପ୍ରକିୟା କରାଯାଇଛି।

ପୁରୀ ଜିଲ୍ଲା ପ୍ରଶାସନ ଦାୟିତ୍ଵରେ ଆଶ୍ରୟ ନେଇଥିବା ଆନ୍ଥୋନୀ ଆଜି ନାଗପୁର ଯାଉଛନ୍ତି। ଆସନ୍ତାକାଲି ନାଗପୁରରୁ ଫ୍ଲାଇଟ୍ ଯୋଗେ ନେଦରଲ୍ୟାଣ୍ଡ ବାହାରିବେ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଛି ପୁରୀ ଜିଲ୍ଲା ପ୍ରଶାସନ। ତାଙ୍କଠାରୁ ଲୁଟ୍ ହୋଇଥିବା ଜିନିଷ ଜବତ କରିବା ପରେ ତାଙ୍କ ନିକଟକୁ ପଠାଯିବ। ଜିଲ୍ଲା ପ୍ରଶାସନର ଦୁଇ ଜଣିଆ ଟିମ ସହାୟତାରେ ଆଜି ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଛଡ଼ାଯାଇଛି। ଏଥିପାଇଁ ଆନ୍ଥୋନୀ ପ୍ରଶାସନକୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି।

ମହିଳା ଶକ୍ତି ସ୍ବରୂପା, ରାଜ୍ଯର ୭୦ ଲକ୍ଷ ମାଆଙ୍କୁ ଏକ୍ କରିଛି ମିଶନ ଶକ୍ତି : ବିଜେଡି

ଭୁବନେଶ୍ୱର: ମହିଳାଙ୍କ ଗୁରୁତ୍ୱ ସମସ୍ତଙ୍କ ଜୀବନ ସହ ଜଡିତ। ସେମାନେ ଶକ୍ତି ସ୍ୱରୂପା। ଏହି ଶକ୍ତି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛି। କାରଣ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମହିଳା ସଶକ୍ତୀକରଣ ଏକ ସ୍ଲୋଗାନ ନୁହେଁ, ଏହା ଏକ ଐତିହାସିକ ସତ୍ଯରେ ପରିଣତ ହୋଇଛି। ପ୍ରେସମିଟ କରି ମିଶନ ଶକ୍ତିର ସଫଳତାର ବିବରଣୀ ଦେଇଛି ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଏହାକୁ କାମରେ ପରିଣତ କରାଯାଇଛି । ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ଏହାର ପ୍ରତୀକ। ରାଜ୍ୟର ୫୦ ପ୍ରତିଶତ ମହିଳା। ତେଣୁ ଏହି ୫୦ ପ୍ରତିଶତ ଆଗକୁ ଗଲେ ହିଁ ରାଜ୍ୟ ଆଗେଇବ। ମାଆମାନଙ୍କୁ ଧନ୍ୟବାଦ ଯେ ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳା ୬ ଲକ୍ଷ SHG ଗୋଷ୍ଠୀ ମାଧ୍ଯମରେ ଏକାଠି ହୋଇଛନ୍ତି । ଏ ସମସ୍ତ ମହିଳା ଗୋଟେ ପ୍ଲାଟଫର୍ମକୁ ଆସିଛନ୍ତି। ମିଶନ ଶକ୍ତି ଗୋଟେ ବିଭାଗ ହୋଇଥିବାରୁ ବଜେଟ ବି ହେଉଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, ମହିଳାଙ୍କ ପରିଚୟର ରୂପାନ୍ତରୀକରଣ । ବିଚାରଧାରା, ନେତା ବା ଉଦ୍ୟୋଗୀ ଭାବେ ମିଶନ ଶକ୍ତି ସେମାନଙ୍କୁ ପରିଚୟ ଦେଇଛି। ମିଶନ ଶକ୍ତି କର୍ମୀଙ୍କୁ ୟୁନିଫର୍ମ ଓ ବ୍ଲେଜର ଦିଆଯାଇଛି। ୪୦ ହଜାର SHG ମହିଳାଙ୍କୁ ସ୍କୁଟର ଦିଆଯାଇଛି। ବିଦେଶ ଯାତ୍ରା ବି କରି ବ୍ଯବସାୟ କରୁଛନ୍ତି। ଏହା ସମ୍ଭବ ହୋଇଛି କେବଳ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପାଇଁ। ମିଶନ ଶକ୍ତିର ଭବିଷ୍ୟତ ହେଉଛି ଯେ, ମହିଳାଙ୍କୁ ଉଦ୍ୟୋଗୀ କରିବା ସହ ଉତ୍ପାଦିତ ସାମଗ୍ରୀକୁ ଗ୍ଲୋବାଲ ପ୍ଲାଟଫର୍ମ ଦିଆଯିବ। ସେମାନେ ଆଗକୁ ଯାଇ ପରିଚୟ ପାଇବେ। ନାରୀମାନଙ୍କ ସ୍ବପ୍ନ ଓ ଆର୍ଥିକ ନିର୍ଭରତା ସାକାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସମସ୍ତେ ମନେ ରଖିବେ ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର।

ସେହପରି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କୁହନ୍ତି, ଯେଉଁ ରାଜ୍ୟ ମହିଳାଙ୍କ ବିକାଶ ପାଇଁ କାମ କରେ, ସେହି ରାଜ୍ୟର ବିକାଶ ହୁଏ। ଏହି ଉଦେଶ୍ୟରେ ୨୦୦୨ ମସିହାରେ ସେ ମିଶନ ଶକ୍ତି ଆରମ୍ଭ କରିଥିଲେ। ଏହା ତାଙ୍କ ବ୍ରେନ ଚାଇଲ୍ଡ। ଯାହା ଏବେ ମହାଦ୍ରୁମରେ ପରିଣତ ହୋଇଛି। ମିଶନ ଶକ୍ତି ବିଭାଗ କିପରି ଆଗେଇବ ଓ ମହିଳା ସଶକ୍ତୀକରଣ ହେବ, ସେ ଦିଗରେ କାମ ଚାଲିଛି । ୪୦ ହଜାର କୋଟି ବ୍ୟାଙ୍କ ଲିଂକେଜ କରାଯାଇଛି। ଆଗକୁ ୭୫ ହଜାର କୋଟି ଟଙ୍କାର ସହାୟତା ଦିଆଯାଇ ମାଆମାନଙ୍କୁ ଉଦ୍ୟୋଗୀ କରାଯିବ। ବର୍ତ୍ତମାନ ୧୦ ଲକ୍ଷ ଟଙ୍କା ଯାଏଁ ବିନା ସୁଧ ଋଣ ନେଇ ପାରିବେ । ଗୋଟିଏ ମହିଳା ପରିଚୟ ସହ ପୁଞ୍ଜି ଚାହେଁ । ତେଣୁ ତାକୁ ଜୀବିକା ଦେବାକୁ ସବୁ ପ୍ରୟାସ ହୋଇଛି । ଆଜି ବଡ଼ି ଆଚାରରେ ସେମାନେ ସୀମିତ ନୁହନ୍ତି । ପୁରୁଷଙ୍କ ସମାନ କାମ କରୁଛନ୍ତି । ଯେପରି ଲକ୍ଷ୍ମୀ ବସ ଚଳାଇବା, ମିଶନ ଶକ୍ତି କାଫେ, ଗାଁ ପୋଖରୀରେ ଚାଷ ସେମାନଙ୍କୁ ଜୀବୀକା ଦେଇଛି । ସେମାନଙ୍କୁ ସ୍ଥାୟୀ ବଜାର ଦେବାକୁ ବ୍ୟବସ୍ଥା ହେଉଛି । ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ହୋଇଛି । ବ୍ଲକରେ ମଧ୍ୟ କରିବାକୁ ଚେଷ୍ଟା ଚାଲିଛି ବୋଲି କହିଥିଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କ ବିକ୍ଷୋଭ। ନାଗରିକତା ସଂଶୋଧନ ଆଇନକୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନ ଆଗରେ ପ୍ରତିବାଦ କରିଛନ୍ତି ଶତାଧିକ ସଂଖ୍ଯାରେ ହିନ୍ଦୁ ଶରଣାର୍ଥୀ। ବିରୋଧ ପ୍ରଦର୍ଶନରେ ମହିଳା ଓ ଶିଶୁ ସାମିଲ ହୋଇଛନ୍ତି। ପୋଲିସ ବ୍ଯାରିକେଡ ସାମ୍ମାନାରେ ଏକାଠି ହୋଇ ଶରଣାର୍ଥୀ ଆନ୍ଦୋଳନ କରିଥିଲେ। ସିଏଏକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଏହାକୁ ନେଇ ତେଜିଛି ବିରୋଧ।

ସୂଚନା ଅନୁଯାୟୀ, ସିଏଏ ଲାଗୁ ହେଲେ ପଡୋଶୀ ଦେଶରୁ ଭାରତକୁ ଅନୁପ୍ରବେଶ ବଢିଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେଥିଲାଗି ସିଏଏ ବିପଦପୂର୍ଣ୍ଣ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଏହି ଆଇନ ଲାଗୁ ହେଲେ ସାରା ଦେଶରେ ପଡୋଶୀ ଦେଶରୁ ଅନୁପ୍ରବେଶକାରୀ ପଳାଇ ଆସିବେ। ଏହି ବୟାନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ସାମ୍ମାନାରେ ତୀବ୍ର ବିରୋଧ ଦେଖିବାକୁ ମିଳିଛି।

ଦୟା ନଦୀରୁ ଉଦ୍ଧାର ହେଲା ନର କଙ୍କାଳ

ଭୁବନେଶ୍ବର: ଦୟା ନଦୀରୁ ଉଦ୍ଧାର ହେଲା ନର କଙ୍କାଳ। ଭୁବନେଶ୍ବର ଧଉଳି ଥାନା ଖଟୁଆପଡା ନିକଟ ଦୟା ନଦୀରୁ କଙ୍କାଳଟି ଉଦ୍ଧାର ହୋଇଛି। ନଦୀରେ କଙ୍କାଳଟି ଭାସି ଆସି କୂଳରେ ଲାଗିଥିଲା।

ସ୍ଥାନୀୟ ଲୋକଙ୍କଠୁ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳଟିକୁ ଉଦ୍ଧାର କରି ତଦନ୍ତ କରୁଛି। କାହାକୁ ହତ୍ଯା ପରେ କେହି କଙ୍କାଳଟିକୁ ନଦୀରେ ପକାଇଦେଇଥିବା ସନ୍ଦେହ କରାଯାଉଛି। ତେବେ କଙ୍କାଳଟି କାହାର ଓ କେଉଁଠୁ ଆସିଲା ଏବଂ କିଏ ଏହାକୁ ନଦୀରେ ପକାଇଲା ସେନେଇ ତଦନ୍ତ କରୁଛି ପୋଲିସ।

ରାଜ୍ଯ ସରକାରୀ କର୍ମଚାରୀଙ୍କର ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ରାଜ୍ଯ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି । ୪ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ଯ ସରକାର। ଫଳରେ ଡିଏ ୪୬ ରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି।

ଜାନୁଆରୀ ପହିଲାରୁ ପିଛିଲା ଭାବେ ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବ। ଏହାଦ୍ବାରା ସାଢେ ୪ ଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଡିଏ ବୃଦ୍ଧି ପରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସରକାରୀ କର୍ମଚାରୀ ଓ ପେନସନଭୋଗୀ କୃତଜ୍ଞତା ଜଣାଇଛନ୍ତି।

ଅନୁପ୍ରବେଶକାରୀ ଓ ଶରଣାର୍ଥୀଙ୍କ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି ନାହିଁ: ମମତାଙ୍କୁ ଏମିତି ଜବାବ ଦେଲେ ଅମିତ ଶାହା

ନୂଆଦିଲ୍ଲୀ:  ନାଗରିକତା ସଂଶୋଧନ ଆଇନ୍ (ସିଏଏ) ସାରା ଦେଶରେ ଲାଗୁ ହୋଇସାରିଛି । ଏହାକୁ ନେଇ ବିରୋଧୀ ବିବାଦ କରୁଥିବା ଦେଖିବାକୁ ମିଳିଛି। ଆଉ ଏହାରି ଭିତରେ ସିଏଏକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବୟାନର କଡା ଜବାବ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି, କୌଣସି ବି ପରିସ୍ଥିତିରେ ସିଏଏକୁ ପ୍ରତ୍ୟାହାର କରାଯିବ ନାହିଁ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ସାକ୍ଷାତକାରରେ ସିଏଏ ବିଜ୍ଞପ୍ତି ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତୃଣମୂଳ କଂଗ୍ରେସ ପ୍ରମୁଖ ଅନୁପ୍ରବେଶକାରୀ ଓ ଶରଣାର୍ଥୀଙ୍କ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି ନାହିଁ । ସେ କହିଛନ୍ତି, ‘ମମତା ବାନାର୍ଜୀଙ୍କୁ ଆବେଦନ କରିବାକୁ ଚାହୁଁଛି କି ସେ ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ। ରାଜନୀତି ପାଇଁ ଅନେକ ମଞ୍ଚ ପଡିଛି। ଦୟାକରି ବାଂଲାଦେଶରୁ ଆସିଥିବା ବଙ୍ଗୀୟ ହିନ୍ଦୁମାନଙ୍କୁ ବିରୋଧ କରନ୍ତୁ ନାହିଁ।  ଶରଣାର୍ଥୀଙ୍କୁ ନାଗରିକତା ଦେବାକୁ ବିରୋଧ କରୁଥିବା ଲୋକଙ୍କୁ ଦେଶବାସୀ ସାଥ୍ ଦେବେନି ବୋଲି ଶାହା କହିଛନ୍ତି ।

ଶାହା ଆହୁରି ମଧ୍ୟ କହିଛନ୍ତି ଯେ ଯଦି ମମତା ଏହି ପ୍ରସଙ୍ଗରେ ରାଜନୀତି କରନ୍ତି ଏବଂ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସୁରକ୍ଷା ପ୍ରସଙ୍ଗ ବିରୋଧରେ ଠିଆ ହୁଅନ୍ତି, ତେବେ ଏହା ଅତ୍ୟନ୍ତ ଭୁଲ। ସେ କହିଛନ୍ତି ଯେ, ମମତା ତୁଷ୍ଟୀକରଣ ରାଜନୀତି କରି ଅନୁପ୍ରବେଶକୁ ଅନୁମତି ଦିଅନ୍ତି ଏବଂ ସିଏଏକୁ ବିରୋଧ କରନ୍ତି । ଯଦି ଶରଣାର୍ଥୀଙ୍କୁ ନାଗରିକତା ନ ମିଳେ ତେବେ ସେମାନେ ସେମାନଙ୍କ ସହ ରହିବେ ନାହିଁ ବୋଲି ଶାହା କହିଛନ୍ତି। ମମତା ବାନାର୍ଜୀ ଅନୁପ୍ରବେଶକାରୀ ଓ ଶରଣାର୍ଥୀଙ୍କ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି ନାହିଁ।

ଅମିତ ଶାହା ଆହୁରି କହିଛନ୍ତି ଯେ ସିଏଏକୁ ପ୍ରତ୍ୟାହାର କରିବା ଅସମ୍ଭବ। ବିରୋଧୀ ଦଳ ନେତାମାନେ ତୁଷ୍ଟୀକରଣ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ମନା କରିବାର ଅଧିକାର ସେମାନଙ୍କର ଅଛି କି ବୋଲି ଶାହା ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି। ସେମାନେ ମଧ୍ୟ ବୁଝନ୍ତି ଯେ ସେମାନଙ୍କର ଅଧିକାର ନାହିଁ। ଆମ ସମ୍ବିଧାନରେ ନାଗରିକତା ସଂକ୍ରାନ୍ତ ଆଇନ ପ୍ରଣୟନ କରିବାର କ୍ଷମତା କେବଳ ସଂସଦକୁ ଦିଆଯାଇଛି। ଏହା ଏକ କେନ୍ଦ୍ରୀୟ ବିଷୟ, ରାଜ୍ୟ ବିଷୟ ନୁହେଁ।

ଜେଲ ଗଲେ କୋଟିପତି ପୂର୍ବତନ ବ୍ଲକ ଅଧକ୍ଷ

କଳାହାଣ୍ଡି: ଜେଲ ଗଲେ କୋଟିପତି ପୂର୍ବତନ ବ୍ଲକ ଅଧକ୍ଷ । ଆୟ ବହିର୍ଭୂତ ସମ୍ମତ୍ତି ଠୁଳ ଅଭିଯୋଗରେ ଜେଲ୍ ଗଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ। ଦୁଇଦିନ ତଳେ ତାଙ୍କୁ ଭୁବନେଶ୍ବରରୁ ଗିରଫ କରିଥିଲା ଭିଜିଲାନ୍ସ। ଆଜି ତାଙ୍କୁ ଜେଲ ପଠାଯାଇଛି। ଚଢଉ ବେଳେ ଭିଜିଲାନ୍ସ ଆୟବର୍ହିଭୂତ ସମ୍ପତ୍ତି ରୂପେ ୬୫ ଲକ୍ଷ ୭୪ ହଜାର ୪୬୮ ଟଙ୍କା ପାଇଛି। ଯାହାକି ସରକାରୀ ହିସାବ ଅନୁସାରେ ଆୟଠାରୁ ୧୬ଶହ ପ୍ରତିଶତ ଅଧିକ। ଏହା ବ୍ୟତୀତ ଗୋଲାମୁଣ୍ଡା ଷ୍ଟେଟ ବ୍ୟାଙ୍କରେ ୭୨ ହଜାର ଟଙ୍କା ଥିବା ବେଳେ ୫୨ ଲକ୍ଷ ର ୩ଟି ବାଇକ୍, ଏକ ଅଟ୍ଟାଳିକା ଏବଂ  ସୁନା ଗହଣା, ଜମି ଇତ୍ୟାଦିର କାଗଜ ଭିଜିଲାନ୍ସ  ଜବତ କରିଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ପୂର୍ବରୁ ବ୍ଲକ ଅଧ୍ୟକ୍ଷ ତାଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ସରକାରୀ ଯୋଜନାକୁ ଜାଲିଆତି କରିଥିଲେ। ଗତ ୨୦୨୩ ମସିହା ସେପ୍ଟେମ୍ବର ୨୨ତାରିଖରେ ଜାଲିଆତି କରିଥିବା ଅଭିଯୋଗରେ ଗୋଲାମୁଣ୍ଡା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ ଗୋଲାମୁଣ୍ଡ ବ୍ଲକରେ ନୂତନ ବ୍ଲକ ଅଧକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ଗତ ଗୋଟିଏ ମାସ ତଳେ ବିନ୍ଦୁ ମହାନନ୍ଦ ଜେଲରୁ ବେଲ ଯୋଗେ ବାହାରିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ୫ ସ୍ଥାନରେ ଚଢାଉ କରିଥିଲା।

 ଆଜି ଅପରାହ୍ନରେ ବସିବ ବିଜେଡିର ଗୁରୁତ୍ଵପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ନରେ ବସିବ ବିଜେଡିର ଗୁରୁତ୍ଵପୂର୍ଣ୍ଣ ବୈଠକ। ଅପରାହ୍ନ ୪ଟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ଦଳର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଓ କୋର କମିଟି ସଦସ୍ଯ ଯୋଗଦେବେ।

ବୈଠକରେ ଆଗାମୀ ନିର୍ବାଚନ ପରିଚାଳନା ନେଇ ଆଲୋଚନା କରାଯିବ। ବିଭିନ୍ନ ଆସନ ସହ ସମ୍ଭାବ୍ଯ ପ୍ରାର୍ଥୀ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇପାରେ। ସେହିପରି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ ରୋଡମ୍ଯାପ ମଧ୍ଯ ପ୍ରସ୍ତୁତ କରିପାରେ। ସପ୍ତାହେ ତଳେ ନବୀନ ନିବାସରେ ପ୍ରଥମ ବୈଠକ ବସିଥିଲା।