ନୀଳଗିରି : ସୁନା ବିସ୍କୁଟ ଦେବା କହି ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୬ ଜଣକୁ ବାନ୍ଧିଛି ନୀଳଗିରି ପୋଲିସ । ସୁନା ବିସ୍କୁଟ ଦଲାଲଙ୍କ ନିକଟରୁ ୬ ଗୋଟି ମୋବାଇଲ ଫୋନ, ଦୁଇଟି ବାଇକ, ୩ଲକ୍ଷ ୨୯ ହଜାର ଟଙ୍କା ଜବତ କରିଛି ପୋଲିସ । ପୁରୀ ବ୍ରହ୍ମପୁର ଅଞ୍ଚଳରୁ ସଂଗ୍ରାମ କେଶରି ବେହେରା ନାମକ ଜଣେ ସରକାରୀ ଶିକ୍ଷକ ସ୍ୱଳ୍ପ ଟଙ୍କା ମୂଲ୍ୟରେ ସୁନା ନେବା ପାଇଁ ତାଙ୍କର ଜଣେ ସହଯୋଗୀ ବାପି ମଲ୍ଲିକଙ୍କୁ ୩ ମାସ ତଳେ ଯୋଗାଯୋଗ କରିଥିଲେ । ୭ ତାରିଖ ସୁନା ନେବା ପାଇଁ ନୀଳଗିରି ଅଞ୍ଚଳକୁ ଆସିଥିଲେ । ଟଙ୍କା ଦେଇ ସୁନା ନେବା ସମୟରେ ପୂର୍ବ ଯୋଜନା ମୁତାବକ ୩ଜଣ ଯୁବକ ପୋଲିସ ଡ୍ରେସ ପିନ୍ଧି ଶିକ୍ଷକଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଓ ଏକ ସୁନା ଚେନ ଲୁଟି ନେଇ ଗାଏବ ହୋଇ ଯାଇଥିଲେ । ପରେ ଶିକ୍ଷକ ଜଣକ ନୀଳଗିରି ଥାନାରେ ଅଭିଯୋଗ ପରେ ନୀଳଗିରି ପୋଲିସ ୬ ଜଣ ଦଲାଲଙ୍କୁ ବାନ୍ଧି ଅଧିକ ତଦନ୍ତ ଚଳାଇଛି । ଏନେଇ ଆଜି ନୀଳଗିରି ଥାନାରେ ଏକ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ।
ଆମରଣ ଅନଶନରେ ବସିଛନ୍ତି ନିଖିଳ ଓଡିଶା ଆୟୁଷ ଛାତ୍ର ସଂଗଠନ
ପୁରୀ : ୮ ଦଫା ଦାବି ପୂରଣ ନେଇ ଗତକାଲି ଠାରୁ ରାଜ୍ୟ ବ୍ୟାପୀ ଆମରଣ ଅନଶନରେ ବସିଛନ୍ତି ନିଖିଳ ଓଡିଶା ଆୟୁଷ ଛାତ୍ର ସଂଗଠନ । ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ଠାରେ ମଧ୍ୟ ଅନଶନ ଜାରି ରହିଛି । ଆଜି ଜଣେ ଛାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଛି । ଛାତ୍ର ଜଣକଙ୍କ ନାମ ନିଗମ ପ୍ରସାଦ ନନ୍ଦ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛାତ୍ରଙ୍କ ଅବସ୍ଥା ଅସୁସ୍ଥ ହୋଇ ଯାଇଥିବାରୁ କଲେଜ ଅଧ୍ୟକ୍ଷ ଓ ପୁରୀ ଉପ ଜିଲ୍ଲାପାଳ ଖବର ପାଇ ଧାରଣାସ୍ଥଳରେ ପହଂଚିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଅସୁସ୍ଥ ଛାତ୍ରଙ୍କୁ ମେଡିକାଲକୁ ପଠାଯାଇଥିଲା।
ଜୁଆଆଡ୍ଡାରେ ଚଢ଼ାଉ, ୧୨ଜଣ ଯୁଆଡ଼ି ଗିରଫ
ଜଳେଶ୍ୱର : ବାଲେଶ୍ୱର ଜଳେଶ୍ୱର ଥାନା ଅଂଚଳରେ ଜୁଆଆଡ୍ଡାରେ ଚଢ଼ାଉ। ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚକୁ ନେଇ ଜୁଆଖେଳ ପାଇଁ ଚାଲିଥିଲା ପ୍ରସ୍ତୁତି। ଖବର ପାଇ ଆଡ୍ଡା ଉପରେ ମାଡ଼ି ବସିଲା ଜଳେଶ୍ଵର ପୋଲିସ । ୧୨ଜଣ ଯୁଆଡ଼ିଙ୍କୁ ଗିରଫ ସହ ୯ ବାଇକ, ନଗଦ ଟଙ୍କା ଓ ୯ଟି ମୋବାଇଲ ଜବତ କରିଛି ପୋଲିସ । ବିଳମ୍ବିତ ରାତିରେ ଝାଡ଼େଶ୍ୱରପୁର ବସ୍ତିରେ ଚଢ଼ାଉ କରିଥିଲା ପୋଲିସ । ଆଇଆଇସି, ତହସିଲଦାର, ଏସଆଇ ଓ ପୋଲିସର ଗୋଟିଏ ଟିମ ଚଢ଼ାଉରେ ସାମିଲ ଥିଲେ। ମମତାଜ ଖାଁଙ୍କ ଘର ଛାତ ଉପରେ ଜୁଆ ଖେଳ ଚାଲିଥିବା ବେଳେ ଧରିଲା ପୋଲିସ। । ମମତାଜ ଖାଁଙ୍କୁ ମାଷ୍ଟର ମାଇଣ୍ଡ କୁହାଯାଉଥିବା ବେଳେ ସେକ ଇର୍ସାଦ ମହମ୍ମଦ ସମେତ ୧୨ ଜୁଆଡିଙ୍କ ନାମରେ ଆଗରୁ ଜାତୀୟ ସ୍ତର ଆଇପିଏଲ ଖେଳରେ ଟଙ୍କା ଲଗାଉଥିବା ଅଭିଯୋଗ ରହିଛି ।
ସରିଲା ବିଧାନସଭାର ଶୀତ ଅଧିବେଶନ, ୧୮ ଦିନ ଆଗରୁ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ
ଭୁବନେଶ୍ବର : ସରିଲା ବିଧାନସଭାର ଶୀତ ଅଧିବେଶନ। ୧୮ ଦିନ ଆଗରୁ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ ଘୋଷଣା କରାଯାଇଛି। ନଭେମ୍ବର ୨୭ରୁ ଆରମ୍ଭ ହୋଇଥିଲା ଶୀତ ଅଧିବେଶନ। ମାତ୍ର ୧୧ ଦିନ ଚାଲିଲା ଚଳିତ ଶୀତ ଅଧିବେଶନ। ଏଥର ୨୯ ଦିନ ଲାଗି ବିଧାନସଭା ଅଧିବେଶନ ବସିବା ଲାଗି ହୋଇଥିଲା ନିର୍ଦ୍ଧାରଣ। ଏହି ଅଧିବେଶନରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହେବା ସହ ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି ସଂକ୍ରାନ୍ତ ବିଲ୍ ପାରିତ ହୋଇଥିଲା।
ବାଲି ଚୋରାଚାଲାଣ ବେଳେ ପୋଲିସକୁ ଆକ୍ରମଣ
ଛେଣ୍ଡିପଦା : ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଚଢ଼ାଉ ବେଳେ ଆକ୍ରମଣ କଲେ ବାଲି ମାଫିଆ ।ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥିଲା । ଖବର ପାଇ ପୋଲିସ ଓ ଲଘୁ ଖଣିଜ ବିଭାଗର କର୍ମଚାରୀ ମାନେ ଚଢ଼ାଉ କରିଥିଲେ l ଗୋଟିଏ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଥିବା ବେଳେ ଅନ୍ୟ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଅନ୍ଧାରିକଟା ନିକଟରୁ ଜବତ କରିଥିଲେ l ବେଆଇନ ବାଲି ବୋଝଇ ଟ୍ରାକ୍ଟରକୁ ଥାନାକୁ ଆଣୁଥିବା ବେଳେ ପୁରୁଣାପାଣି ନିକଟରେ ବାଲି ମାଫିଆମାନେ ଅଟକାଇ ପୋଲିସକୁ ମାଡ଼ ମାରି ଜବତ ଟ୍ରାକ୍ଟରକୁ ନେଇ ଫେରାର ହୋଇ ଯାଇଥିଲେ l ଖଣି ବିଭାଗ ପକ୍ଷରୁ ଘଟଣା ସମ୍ପର୍କରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି lଏନେଇ ଛେଣ୍ଡିପଦା ପୋଲିସ ପକ୍ଷରୁ ଚଢ଼ାଉ କରି ଜଣଙ୍କୁ ଅଟକ ରଖି ଘଟଣାର ଛାନବିନ ଚଳାଇଛି l


