ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ ହଟଚମଟ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଦ୍ଧରମୈୟା । ଏନେଇ ଆଜି ୧୧ଟାରେ ରାଜ୍ୟପାଳ ଥୱରଚାନ୍ଦ ଗେହଲଟଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି ସିଦ୍ଧରମୈୟା। ଏହି ସାକ୍ଷାତକାର ବେଳେ ସେ ନିଜ ଇସ୍ତଫାପତ୍ର ଦେଇପାରନ୍ତି । କଂଗ୍ରେସ ହାଇକମାଣ୍ଡର ନିର୍ଦ୍ଦେଶ ପରେ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସିଦ୍ଧରମୈୟା । କଂଗ୍ରେସର ସର୍ତ ଅନୁଯାଇ ଏବେ ଉପମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ଡିକେ ଶିବ କୁମାର ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । କାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ଏହି ସମୟରେ ଡିକେ ଶିବ କୁମାର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବେ। ଅନ୍ୟପକ୍ଷରେ ଇସ୍ତଫା ଦେବା ପୂର୍ବରୁ ଆଜି ସକାଳେ କର୍ଣ୍ଣାଟକା କ୍ୟାବିନେଟ ସଦସ୍ୟଙ୍କ ସହ ସିଦ୍ଦରମୈୟା ନିଜ ବେଙ୍ଗାଳୁରୁ ବାସଭବନରେ ବ୍ରେକ ଫାଷ୍ଟ ବୈଠକ କରିବେ । ଏହାପରେ ସେ ବୈଠକରୁ ସିଧା ରାଜଭବନକୁ ଯାଇ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେବେ ବୋଲି ସୂଚନା ରହିଛି । କଂଗ୍ରେସର ସାଧାରଣ ସମ୍ପାଦକ ତଥା କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୂର୍ଯ୍ୟେୱାଲା ମଧ୍ୟ ଗୁରୁବାର ବେଙ୍ଗାଳୁରୁରେ ପହଞ୍ଚିବେ।
ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର
ଭୁବନେଶ୍ବର : ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର । ଗଞ୍ଜାମ ଜଗନ୍ନାଥ ପ୍ରସାଦର ପପୁନ ମାଝୀକୁ ଏନକାଉଣ୍ଟର। ହାର୍ଡକୋର ନିଶା ମାଫିଆକୁ ଏନକାଉଣ୍ଟର କରି ଘାଇଲା କଲା ସ୍ପେଶାଲ କ୍ରାଇମ ୟୁନିଟ। ଇନ୍ଫୋଭ୍ୟାଲି ଥାନା ଅରିସଲ ନିକଟରେ ପପୁନ ଏକ ନିଶା ସାମଗ୍ରୀ ବିକ୍ରି ନେଇ ଖବର ପାଇବା ପରେ ଚଢ଼ାଉ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ। ପୋଲିସ ଉପରକୁ ଗୁଳିମାଡ଼ କରିଥିଲା। ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚାଳନା ବେଳେ ଆହତ ହୋଇଛି ପପୁନ । ତାକୁ ପ୍ରାଥମିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ପୁପୁନର ଘର ଗଞ୍ଜାମ ଜଗନ୍ନାଥ ପ୍ରସାଦ। ସେ ଭୁବନେଶ୍ୱର ଡୁମୁଡୁମାରେ ରୁହେ। ୧୭ ବର୍ଷ ହେଲା ସେ ଅପରାଧ ଜଗତ ସହିତ ଜଡ଼ିତ। ଚୋରିଠୁ ଆରମ୍ଭ କରି ବୋମାମାଡ ଓ ହତ୍ୟା ଯାଏ, ଅନେକ ଅଭିଯୋଗ ଅଛି ତା ନାଁରେ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି।
SIR ପ୍ରସଙ୍ଗରେ ; ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ନନ୍ଦିଘୋଷ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଭୋଟର ତାଲିକାରେ ନାଁ ନ ଥିବା ଅର୍ଥ ନୁହେଁ ନାଗରିକତା କଟିଯିବ। ଭୋଟର ତାଲିକାରେ ଜଣକର ନାଁ ରହିବ କି ନାହିଁ କେବଳ ସେହି କ୍ଷମତା ନିର୍ବାଚନ କମିଶନରଙ୍କର ଅଛି। ନିର୍ବାଚନ କମିଶନ କାହାରି ନାଗରିକତା ସ୍ଥିର କରିପାରିବେ ନାହିଁ। ଆଇନ ଅନୁସାରେ ଏହା ସ୍ଥିର ହେବ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଏହି ସହିତ ସୁପ୍ରିମକୋର୍ଟ କହିଛନ୍ତି, ଯଦି ଭୁଲରେ କାହାର ନାଁ ଏସଆଇଆର୍ ଜରିଆରେ ଭୋଟର ତାଲିକାରୁ କଟି ଯାଇଛି, ତାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାଇବ। ଏସଆଇଆର୍ ପ୍ରସଙ୍ଗରେ ଆଜି ରାୟ ଦେଇ ଏହି ସବୁ କଥା କହିଛନ୍ତି ସୁପ୍ରିମକୋର୍ଟ। ଆଜିର ରାୟରେ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଆଇନ ଅନୁସାରେ ଏସଆଇଆର୍ ହେଉଛି ସଂପୂର୍ଣ୍ଣ ଠିକ୍। ଏହା ସହିତ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଏସଆଇଆର୍ କରାଇବା ପାଇଁ ନିର୍ବାଚନ କମିଶନଙ୍କ କ୍ଷମତା ଅଛି। ସମ୍ବିଧାନର ଗୋଟିଏ ଲକ୍ଷ୍ୟ ହେଉଛି ମୁକ୍ତ ଓ ଅବାଧ ନିର୍ବାଚନ । ଏଥିପାଇଁ ଯେଉଁ ନିର୍ଭୁଲ ଭୋଟର ତାଲିକା ଦରକାର, ସେଥିପାଇଁ ଏସଆଇଆର୍ ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏସଆଇଆର୍ କରାଇ ନିର୍ବାଚନ କମିଶନ କୌଣସି ଆଇନ ଉଲ୍ଲଂଘନ କରି ନାହାନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବରଂ ଏହା ସମ୍ବିଧାନର ଲାଇଫ ଲାଇନ। ସୁପ୍ରିମକୋର୍ଟରେ SIR ବିରୋଧରେ ଯେଉଁ ଆବେଦନ ହୋଇଥିଲା, ତାକୁ ନେଇ ୪ଟି ପ୍ରଶ୍ନ ଉଠିଥିଲା। ପ୍ରଥମତଃ, SIR କମିଶନଙ୍କ ସାମ୍ବିଧାନିକ ଏବଂ ବୈଧାନିକ ନିର୍ଦ୍ଦେଶ ସହିତ ସୁସଙ୍ଗତ ଥିଲା କି? ଦ୍ୱିତୀୟତଃ, କମିଶନ ଦ୍ୱାରା ଗ୍ରହଣ କରାଯାଇଥିବା ଉପାୟରେ ଲକ୍ଷ୍ୟ ପୂରଣ ହେଉଛି କି। ତୃତୀୟତଃ, ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଆବଶ୍ୟକ ଥିଲା କି ଏବଂ ଅନ୍ୟ କୌଣସି ବିକଳ୍ପ ନଥିଲା କି? ଚତୁର୍ଥରେ ଉଦ୍ଦେଶ୍ୟ ହାସଲର ଗୁରୁତ୍ୱ ଏବଂ ସାମ୍ବିଧାନିକ ଅଧିକାର ଉପରେ ଲାଗୁ ହୋଇଥିବା ସୀମା ମଧ୍ୟରେ ଏକ ଉଚିତ୍ ସନ୍ତୁଳନ ବଜାୟ ରଖାଯାଇଛି କି? କୋର୍ଟ କହିଛନ୍ତି, ନିର୍ବାଚନୀ ଅଖଣ୍ଡତାର ଆବଶ୍ୟକତା ଏବଂ ସାମ୍ବିଧାନିକ ଅଧିକାରର ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରାଯାଇଛି ଏସଆଇଆରରେ। …

