spot_img
Home Blog Page 205

ମହିଳାଙ୍କ ସୁରକ୍ଷା ଦାବି କରି ରାଜ୍ୟର ସବୁ ଏସପିଙ୍କୁ ଦାବିପତ୍ର ଦେବ ବିଜେଡି

ମହିଳାଙ୍କୁ ସୁରକ୍ଷା ଦାବି କରି ଆଜି ରାଜ୍ୟର ସବୁ ଏସପିଙ୍କୁ ଦାବିପତ୍ର ଦେବ ବିଜେଡି। ତଥାପି ଯଦି ନ ଚେତିବେ ରାଜ୍ୟ ସରକାର, ତେବେ ଗାଁରେ ଗାଁରେ ଜୋରଦାର ଆନ୍ଦୋଳନ କରାଯିବ। ବିଜେଡି ଅଭିଯୋଗ କରିଛି, ରାଜ୍ୟରେ ମହିଳାଙ୍କ ବିରୋଧରେ ପ୍ରତିଦିନ ବଢ଼ିଚାଲିଛି ନିର୍ଯାତନା। ଅସୁରକ୍ଷିତ ମଣିଲେଣି ମହିଳା। ସୁରକ୍ଷା ପ୍ରଦାନ ପାଇଁ ବାରମ୍ବାର ଅନୁରୋଧ କରାଗଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ପୋଲିସ ପ୍ରତି ଅପରାଧୀଙ୍କ ଭୟ ନାହିଁ। ଓଡ଼ିଶାର ଗର୍ବ ଓ ଗୌରବକୁ ମାଟିରେ ମିଶାଇ ଦେଲାଣି ବିଜେପି ସରକାର। ମହିଳାଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ଆଜି ସବୁ ଜିଲ୍ଲାର ଏସପି ଅଫିସରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯିବ। ଯଦି ସରକାର ନ ଚେତିବେ, ତେବେ ଆନ୍ଦୋଳନକୁ ଗାଁ ଗାଁରେ ଜୋରଦାର କରିବାକୁ ଚେତାବନୀ ଦେଇଛି ବିଜେଡି। ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ସୁରକ୍ଷିତ ନୁହନ୍ତି, ସବୁ ଥାନାରେ ନାହିଁ ମହିଳା ଓ ଶିଶୁ ଡେସ୍କ। ଯେଉଁଠି ଅଛି ସେଠାରେ ପୁରୁଷ କର୍ମଚାରୀ ବସୁଛନ୍ତି। ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଠାରୁ ଆରମ୍ଭ କରି ପୁରୀ ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାରେ ଅପରାଧୀଙ୍କ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ସରକାର। ବାଲେଶ୍ବର ଓ ବଳଙ୍ଗା ପୀଡିତାଙ୍କ ଦେହାନ୍ତ ପରେ ବି ଚେତିଲାନି ବିଜେପି ସରକାର। ଏପରି ସ୍ଥଳେ ପୋଲିସ ଡିଜି କହୁଛନ୍ତି ମହିଳାଙ୍କୁ ସୁରକ୍ଷା ଦେବାକୁ ପୋଲିସ ଫୋର୍ସ କମ୍ ଅଛନ୍ତି। ତେଣୁ ମହିଳାଙ୍କ ସୁରକ୍ଷା ପାଇଁ ବିଜୁ ଜନତା ଦଳ ରାଜରାସ୍ତାରେ ଲଢ଼େଇ କରିବ ବୋଲି ଚେତାବନୀ ଦେଇଛି।

ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀ ସେବା ଦିବସ ପାଳିତ

ଆଜି ସାରା ଦେଶର ବିମାନ ବନ୍ଦରରେ ଯାତ୍ରୀ ସେବା ଦିବସ ପାଳିତ ହୋଇଛି । ଏହି ଅବସରରେ ଭୁବନେଶ୍ୱର ବିମାନ ବନ୍ଦରରେ ଉପ ମୁଖ୍ୟମନ୍ତ୍ରୀ କେ.ଭି.ସିଂହ ଦେଓ ବୃକ୍ଷ ରୋପଣ କରିଥିଲେ । ପରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆଗମନ କରିଥିବା ଯାତ୍ରୀ ମାନକୁ ଫୁଲ ଚନ୍ଦନ ଲଗାଇ ସ୍ୱାଗତ କରାଯାଇଥିଲା । ଦେଶ ତଥା ବିଦେଶରୁ ଆସିଥିବା ଯାତ୍ରୀ ମାନେ ଏଭଳି ସ୍ୱାଗତକୁ ନେଇ ଖୁସି ବ୍ୟକ୍ତ କରିଥିଲେ। ଏହା ସହ ଯାତ୍ରୀ ମାନଙ୍କ ଫିଡ଼ବ୍ୟାକ ନିଆଯାଇଥିଲା । ଓଡ଼ିଶା ଓ ସମ୍ବଲପୁରୀ ନୃତ୍ୟ ଅନୁଷ୍ଠିତ ହୋଇଥିଲା । ବିମାନ ବନ୍ଦର ଭିତରେ ସେଲ୍ଫି ପଏଣ୍ଟରେ ଲୋକମାନେ ଫଟୋ ଉଠାଇଥିଲେ । ଏହାସହ ସ୍ୱାସ୍ଥ୍ୟ ଶିବିର ଓ ଡ୍ରାଇଭରମାନଙ୍କ ପାଇଁ ମାଗଣା ଚକ୍ଷୁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଚୋରି କରୁଥିବା ବେଳେ ଚୋରଙ୍କୁ ଧରିଲେ ଗ୍ରାମବାସୀ

ଚୋରି କରୁଥିବା ବେଳେ ଚୋରଙ୍କୁ ଧରିଲେ ଗ୍ରାମବାସୀ । କାମାକ୍ଷାନଗର ଥାନା ଓରିଙ୍ଗା ବାଲିସାହି ଗ୍ରାମରେ ଚୋରି କରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାହେଲେ ତିନି ଚୋର  । ଧରା ପଡିବା ପରେ ଚୋରମାନଙ୍କୁ ପୋଲିସର ଜିମା ଦେଲେ ଗ୍ରାମବାସୀ  । ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଚୋର ଓରିଙ୍ଗା ବାଲିସାହି ଗାଁ ଭିତରେ ଓ ଆଖପାଖରେ ଥିବା ବିଦ୍ୟୁତ ତାର ଗୁଡିକ ଚୋରି କରୁଥିଲେ । ଚୋରି କରୁଥିବା ବେଳେ କିଛି ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ  । ପରେ ପୋଲିସକୁ ଖବର ଦେଇଥିଲେ  । ତିନି ଜଣ ଚୋର ପଣ୍ଡୁଆ ଅଞ୍ଚଳର ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ସେମାନେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ତାର ଚୋରି କରୁଥିବା ନେଇ ଗ୍ରାମବାସୀଙ୍କୁ କହିଛନ୍ତି  । ଚୋର ମାନଙ୍କ ନିକଟରୁ ଗ୍ରାମବାସୀ ମାନେ ବହୁସଂଖ୍ୟକ ଚୋରା ବିଦ୍ୟୁତ ତାର ଜବତ କରିଛନ୍ତି । କାମାକ୍ଷାନଗର ପୋଲିସ ଚୋର ମାନଙ୍କୁ ଗିରଫ କରିବା ସହ ଚୋରା ବିଦ୍ୟୁତ ତାରକୁ ଜବତ କରିଛି  ।

ଆଜି ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା: ଏଥିପାଇଁ ଉତ୍ସବ ମୁଖର ରାଜ୍ୟର ସମସ୍ତ ଶିଳ୍ପନଗରୀ

ଆଜି ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା। ଏଥିପାଇଁ ଉତ୍ସବ ମୁଖର ରାଜ୍ୟର ସମସ୍ତ ଶିଳ୍ପନଗରୀ। ପାରାଦୀପ, ଅନୁଗୁଳ ଓ ରାଉରକେଲାରେ ବେଶ ଧୂମଧାମର ସହ ହେଉଛି ବିଶ୍ଵକର୍ମା ପୂଜା। ବିଭିନ୍ନ ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ପ୍ରସ୍ତୁତ ହୋଇଛି।ପାରାଦୀପର ବିଶ୍ଵକର୍ମା ପୂଜାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପାରାଦୀପରେ ଦର୍ଶକଙ୍କ ସୂରକ୍ଷା ପାଇଁ ୪୦ ଟି ସିସିଟିଭି କ୍ୟାମେରା, ନେହେରୁବଙ୍ଗଳା ଓ ବାଲିଯାତ୍ରା ପଡ଼ିଆ ସମୁଦ୍ର ନିକଟରେ ବ୍ୟାପକ ପୋଲିସ ବ୍ୟବସ୍ଥା, ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ସହିତ ପାଖାପାଖି ୨୦ ରୁ ଉର୍ଦ୍ଧ୍ୱ ମେଢ଼ ବା ତୋରଣ ନିକଟରେ ସୁରକ୍ଷାକୁ କଡାକଡି କରିବାକୁ ପ୍ରଶାସନକୁ କୁହାଯାଇଥିଲା। ଅନୁଗୁଳ ନାଲକୋ ନଗର ବିଶ୍ୱକର୍ମା ପୂଜାରେ ମଧ୍ୟ ବେଶ ଧୂମଧାନରେ ଆୟୋଜନ ହେଉଛି। ଏଠାରେ ପୂଜା ଦେଖିବାକୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥାଏ।

ସାର ପାଇଁ ରାତି ଅନିଦ୍ରା: ଲମ୍ବା ଲାଇନରେ ବ୍ୟାଗ, ପଲିଥିନ, ଅଖା, ଚପଲ ରଖି ଜଗି ରହିଛନ୍ତି ଚାଷୀ

ସାର ପାଇଁ ରାସ୍ତାରେ ଶୋଇଲେ ଚାଷୀ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ସେବା ସମବାୟ ସମିତି ସାମ୍ନାରେ ରାତି ତମାମ ଶୋଇଲେ ଚାଷୀ । ଲମ୍ବା ଲାଇନରେ ବ୍ୟାଗ, ପଲିଥିନ, ଅଖା, ଚପଲ ଭଳି ଅନେକ ସାମଗ୍ରୀ ରଖି ରାତି ଅନିଦ୍ରା ହୋଇ ଜଗି ରହିଛନ୍ତି ଚାଷୀ ।

ରାଜ୍ୟ ସରକାରଙ୍କ ବଡ଼ ଝଟକା: ଅନ୍ଧକାରରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ଭାଗ୍ୟ

ନନ୍ଦିଘୋଷ ବ୍ୟୂରୋ: ରାଜ୍ୟର ଆଦିବାସୀ, ଅନୁସୂଚିତ ଜାତି ଓ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ବଡ଼ ଝଟକା । ଅନ୍ୱେଷା ପରେ ଏବେ ଛାତ୍ରବୃତ୍ତି ବନ୍ଦ କରିବାରୁ ଲକ୍ଷାଧିକ ଅନୁସୂଜିତ ଜାତି, ଜନଜାତି ଓ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଏହାକୁ ନେଇ ବିଧାନସଭା ହୁଲସ୍ତୁଲ କରିବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ । ସେପଟେ ବିଜେଡି ବି ଛାତ୍ରଛାତ୍ରୀଙ୍କ ପ୍ରତି ସରକାରଙ୍କ ଅନ୍ୟାୟକୁ ସମାଲୋଚନା କରିଛି । ସିଟିଜେନ୍ସ ଫୋରମ ମଧ୍ୟ ସରକାରକୁ ଦେଇଛି ଚରମ ଚେତାବନୀ ।

ଅନ୍ୱେଷା ପରେ ଏବେ ଛାତ୍ର ବୃତ୍ତି ବନ୍ଦ ନେଇ ବିରୋଧ । ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ ଅଭିଯୋଗ କରିଛି କଂଗ୍ରେସ । SC/ST ଓ OBC ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସରକାର ଅନ୍ଧକାରକୁ ଠେଲି ଦେଇଛନ୍ତି । ୫ ମାସ ହେଲା ସରକାର ପ୍ରାକ ମାଟ୍ରିକ ଛାତ୍ରବୃତ୍ତି ଦେଉନାହାନ୍ତି । ସାଢେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢାରୁ ବଂଚିତ । ଏହି ପିଲାମାନେ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି । ଛାତ୍ରବୃତ୍ତି ମିଳୁ ନଥିବାରୁ ହଷ୍ଟେଲରେ ନାନା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ବିରୋଧୀ ବୋଲି କହିଛି କଂଗ୍ରେସ । ପୂର୍ବ ସରକାର ଛାତ୍ରଙ୍କୁ ୧,୦୫୦ ଟଙ୍କା ଓ ଛାତ୍ରୀଙ୍କୁ ୧୧୦୦ ଟଙ୍କା ଦେଉଥିଲା । ହେଲେ ଏବେ ବ୍ୟବସ୍ଥା ବେହାଲ । ପ୍ରସଙ୍ଗ ନେଇ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ହେବ ବୋଲି ଚେତାଇଛି ଦଳ । ଅନ୍ୟପଟେ ବିଜେଡି କହିଛି ସରକାର ଆଦିବାସୀଙ୍କୁ ଗୁରୁତ୍ଵ ଦେଉନାହାନ୍ତି । କେବଳ ଖାଲି ସମୀକ୍ଷା ବୈଠକରେ କାମ ସରୁଛି ।

ସେପଟେ ସିଟିଜେନସ ଫୋରମର କହିବା କଥା ସମସ୍ତ ବର୍ଗର ଲୋକେ ଏବେ ଅବହେଳିତ ଓ ଅସୁରକ୍ଷିତ । ସରକାର ସମସ୍ତଙ୍କୁ ଧୋକା ଦେଇଛନ୍ତି । ସରକାର ବିରୋଧରେ ବ୍ୟାପକ ଆନ୍ଦୋଳନ ଆବଶ୍ୟକ । ଜବାବରେ ଶାସକ ଦଳର କହିବା କଥା ଗତ ୧୫ ମାସ ଧରି ଚାଲିଥିବା ବିଜେପି ସରକାରରେ ସବୁ କ୍ଷେତ୍ରରେ ସବୁ ବର୍ଗ ପାଇଁ ଯୋଜନା ହୋଇଛି । ବିରୋଧୀଙ୍କ କାମ ବିରୋଧ କରିବା । ସବୁ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛି ଶାସକ ଦଳ ।

ରାଜ୍ୟରେ ୧୦ରୁ ଅଧିକ ଆଦିବାସୀ ଜିଲ୍ଲାରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ବୃତ୍ତି ପାଇ ପାଠ ପଢୁଛନ୍ତି । କେବଳ ସୁନ୍ଦରଗଡ଼ରେ ୨୮୭ ଛାତ୍ରାବାସରେ ପିଲା ପଢୁଛନ୍ତି । ପିଲାଙ୍କୁ ହଷ୍ଟେଲରେ ସୁବିଧା ନମିଳିଲେ ଡ୍ରପ ଆଉଟ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି ।

ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ବାଚସ୍ପତି ଉଭୟ ବିରୋଧୀ ଓ ଶାସକ ଦଳର ସହଯୋଗ ଲୋଡିଛନ୍ତି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଶାସକ ଓ ବିରୋଧୀ ସହଯୋଗ କରିବେ ବୋଲି କହିଛନ୍ତି । ଏଥର ସ୍ବଳ୍ପ ଅଧିବେଶନରେ ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ଥିବାରୁ ଶାସକ ଦଳକୁ ଗୃହରେ ଘେରିବାକୁ ବିରୋଧୀ ପ୍ରସ୍ତୁତ । ତେବେ ବିରୋଧୀ ଯେଉଁ ପ୍ରସଙ୍ଗ ଆଣିବେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ବୋଲି କହିଛି ଶାସକ ଦଳ ।

୧୮ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ୭ଟି କାର୍ଯ୍ୟ ଦିବସ ସହ ୨୫ ତାରିଖ ଯାଏଁ ଚାଲିବ ଅଧିବେଶନ । ସ୍ବଳ୍ପକାଳୀନ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଉଭୟ ବିରୋଧୀ ଓ ଶାସକ ଗୃହରେ ସହଯୋଗ କରିବେ ବୋଲି ବାଚସ୍ପତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ଗୃହର ସମୟ ନିର୍ଦ୍ଧାରଣ କରାଯିବା ସହ ପ୍ରଥମ ଦିନରେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆସିବ ।

ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ରହିଛି । ଚାଷୀ ଓ ସାର ସମସ୍ୟା ସହ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ, ମହିଳା ବିରୋଧୀ ହିଂସା ବୃଦ୍ଧି ପ୍ରସଙ୍ଗକୁ ଗୃହରେ ଉଠାଇ ଜବାବ ମାଗିବ ବିଜେଡି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଅନେକ ପ୍ରସଙ୍ଗ ଥିବାରୁ ଆସନ୍ତାକାଲି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ । ଅନ୍ୟପଟେ ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିବ ବୋଲି ଆଶା ବାଢ଼ିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।

ଦେଢ ବର୍ଷର ରାଜ୍ୟ ସରକାରଙ୍କ ବିଫଳତାକୁ ମୌସୁମୀ ଅଧିବେଶନରେ ମୁଖ୍ୟ ପ୍ରସଙ୍ଗ କରିବେ ବିରୋଧୀ । ଧାନ ନଉଠିବା ଠାରୁ ଆରମ୍ଭ କରି ସାର କଳାବଜାରୀ, ନାରୀ ନିର୍ଯାତନା, ରାଜ୍ୟ ସ୍ବାର୍ଥକୁ ଅଣଦେଖା ପରି ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରିବେ ବିରୋଧୀ । ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ରଣହୁଙ୍କାର ଦେଇଛି କଂଗ୍ରେସ । ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କହିବା କଥା, ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବାକୁ ଚାହୁଁଛନ୍ତି, ତାହାକୁ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ ।

ମୌସୁମୀ ଅଧିବେଶନ ପାଇଁ ଆସନ୍ତାକାଲି ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ଏଥର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ବେଶ ଉଷ୍ମ ହେବାର ସମ୍ଭାବନା ରହିଛି ।

ମହିଳାଙ୍କ ସୁରକ୍ଷା ଦାବିରେ ଆସନ୍ତାକାଲି ଏସପି ଅଫିରେ ଦାବିପତ୍ର ପ୍ରଦାନ କରିବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ମହିଳାଙ୍କ ବିରୋଧରେ ପ୍ରତିଦିନ ବଢ଼ିଚାଲିଛି ନିର୍ଯାତନା । ଓଡ଼ିଶାରେ ନିଜକୁ ଅସୁରକ୍ଷିତ ମଣିଲେଣି ମହିଳା । ମହିଳାଙ୍କ ସୁରକ୍ଷା ନେଇ ବାରମ୍ବାର ଅନୁରୋଧ କରାଗଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ଅଭିଯୋଗ କରିଛି ବିଜେଡି । ପୋଲିସ ଏବେ ଗୁଣ୍ଡା ସାଜିଛି । ପୋଲିସ ପ୍ରତି ଅପରାଧୀଙ୍କ ଭୟ ନାହିଁ। ଓଡ଼ିଶାର ଗର୍ବ ଓ ଗୌରବକୁ ମାଟିରେ ମିଶାଇ ଦେଲାଣି ବିଜେପି ସରକାର । ତେଣୁ ମହିଳାଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ଆସନ୍ତାକାଲି ସବୁ ଏସପି ଅଫିସରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯିବ । ଯଦି ସରକାର ନ ଚେତିବେ, ତେବେ ଆନ୍ଦୋଳନକୁ ଗାଁ ଗାଁରେ ଜୋରଦାର କରିବାକୁ ଚେତାବନୀ ଦେଇଛି ବିଜେଡି ।

ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀରୁ ସୁରକ୍ଷିତ ନାହାନ୍ତି ପର୍ଯ୍ୟଟକ । ସବୁ ଥାନାରେ ନାହିଁ ମହିଳା ଓ ଶିଶୁ ଡେସ୍କ । ଯେଉଁଠି ଅଛି, ସେଠାରେ ପୁରୁଷ ପୋଲିସ ବସୁଛନ୍ତି । ଗୋପାଳପୁର ବେଳାଭୂମି ଦୁଷ୍କର୍ମଠାରୁ ଆରମ୍ଭ କରି ପୁରୀ ବାଲିହରଚଣ୍ଡୀ ଦୁଷ୍କର୍ମ ଘଟଣାରେ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ସରକାର । ବାଲେଶ୍ବର ଓ ବଳଙ୍ଗା ପୀଡିତାଙ୍କ ଦେହାନ୍ତ ପରେ ବି ଚେତିଲାନି ବିଜେପି ସରକାର । ଏପରି ସ୍ଥଳେ ପୋଲିସ ଡିଜି କହୁଛନ୍ତି ମହିଳାଙ୍କୁ ସୁରକ୍ଷା ଦେବାକୁ ପୋଲିସ ଫୋର୍ସ କମ୍ ଅଛନ୍ତି । ତେଣୁ ମହିଳାଙ୍କ ସୁରକ୍ଷା ପାଇଁ ବିଜୁ ଜନତା ଦଳ ରାଜରାସ୍ତାରେ ଲଢ଼େଇ କରିବ ବୋଲି ଚେତାବନୀ ଦେଇଛି ।

ସେହିପରି ମହିଳା ସୁରକ୍ଷା ପ୍ରସଙ୍ଗ ନେଇ ରାଜ୍ୟ ସରକାର ଉପରେ ବର୍ଷିଲା କଂଗ୍ରେସ । ପ୍ରେସମିଟ କରି ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ । କହିଛନ୍ତି, ଓଡ଼ିଶାରେ ମହିଳା ଅସୁରକ୍ଷିତ । ବିହାର, ଉତ୍ତରପ୍ରଦେଶ ଭଳି ହୋଇଗଲାଣି ଓଡ଼ିଶା । ସରକାର ମହିଳାଙ୍କ ସୁରକ୍ଷା ନେଇ ସମ୍ବେଦନଶୀଳ ନୁହନ୍ତି । ବ୍ରହ୍ମଗିରି ବାଲିହରଚଣ୍ଡୀ ପର୍ଯ୍ୟଟନସ୍ଥଳୀରେ ଜଣେ ଛାତ୍ରୀଙ୍କୁ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣବଳାତ୍କାର କରାଗଲା । ପର୍ଯଟନସ୍ଥଳୀରେ ଗଣ ବଳାତ୍କାର ଘଟଣା ସଭିଙ୍କୁ ଚକିତ କରିଛି । ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ଦେବାକୁ କହିଥିଲେ ମଧ୍ୟ ସରକାର କାହିକିଁ ସୁରକ୍ଷା ଯୋଗାଇ ପାରୁନାହାନ୍ତି । ଓଡ଼ିଶାରେ ପର୍ଯଟନସ୍ଥଳୀ ଦୁଷ୍କର୍ମକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏହାର ଜବାବ ରଖନ୍ତୁ ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସୁରକ୍ଷା କଥା କୁଆଡେ ଗଲା ? ଠେଙ୍ଗା ବାହିନୀ କୁଆଡେ ଗଲେ ? ବାଲିହରଚଣ୍ଡୀ ଘଟଣାରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି ପାରିଲା ହେଲେ ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ପୋଲିସ ହାତ ଖାଲି । କେବଳ ସେତିକି ନୁହେଁ ଭୁବନେଶ୍ୱରର ଜଣେ ମହିଳା ଟ୍ରାଫିକ ପୋଲିସ ୧୧ ଦିନ ହେଲାଣି ନିଖୋଜ ହୋଇଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିପାରିନି ପୋଲିସ । ଭଦ୍ରକ, ବ୍ରହ୍ମପୁର, ଚାନ୍ଦବାଲି, କୁଚିଣ୍ଡା ଘଟଣାରେ ବିଜେପିର ସମ୍ପୃକ୍ତି ରହିଛି । ସରକାର ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ଆଣିଛି ମହିଳା କଂଗ୍ରେସ ।

ବାଲିହରଚଣ୍ଡିରେ ଯୁବତୀଙ୍କୁ ଗଣଦୁଷ୍କର୍ମକୁ କଡ଼ା ଭାଷାରେ ନବୀନଙ୍କ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବିଜେପି ସରକାର ଝିଅଙ୍କୁ ସୁରକ୍ଷା ଦେବାରେ ବିଫଳ । ପୁରୀ ଜିଲ୍ଲା ବ୍ରହ୍ମଗିରି ବାଲିହରଚଣ୍ଡୀରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ସରକାର ଓ ପୋଲିସ ପ୍ରଶାସନର ସ୍ଥାଣୁତା ନେଇ ବର୍ଷିଛନ୍ତି ନବୀନ ।

ନବୀନ କହିଛନ୍ତି, ରାଜ୍ୟରେ ଝିଅ, ବୋହୁ ଓ ମହିଳା ଯେପରି ଭାବେ ଦୁଷ୍କର୍ମର ଶିକାର ହେଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ରାଜଧାନୀରୁ ମାତ୍ର ୫୦ କିଲୋମିଟର ଦୂରରେ ଜଣେ ଝିଅକୁ ଯେଭଳି ଭାବରେ ଗଣଦୁଷ୍କର୍ମ କରାଯାଇଛି, ତାହା ହୃଦୟ ବିଦାରକ । ରାଜ୍ୟରେ ମହିଳାଙ୍କ ଉପରେ ଏଭଳି ଜଘନ୍ୟ କାଣ୍ଡ ଘଟୁଥିବା ବେଳେ ବିଜେପି ନେତାମାନେ ଉଦବେଗ ନାଁରେ କେବଳ ଡ୍ରାମାବାଜି କରି ଚାଲିଛନ୍ତି । ଗୋପାଳପୁର, ବାଲେଶ୍ବର, ବଳଙ୍ଗା ପୀଡ଼ିତା ଏବେ ବି ନ୍ୟାୟ ଅପେକ୍ଷାରେ । ରାଜ୍ୟ ସରକାର ବାରମ୍ବାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଥିବା ଓ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଉଥିବା ଦାବି କରୁଛନ୍ତି । କିନ୍ତୁ ବାସ୍ତବରେ ତାହା ପ୍ରତିଫଳିତ ହେଉନାହିଁ । ପର୍ଯ୍ୟଟନ ସ୍ଥଳୀରେ ଯଦି ପର୍ଯ୍ୟଟକମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି, ତେବେ ବିଶ୍ବ ଦରବାରରେ ଏହା ଓଡ଼ିଶାର ପ୍ରତିଛବିକୁ ମଳିନ କରୁଛି ବୋଲି ନବୀନ କହିଛନ୍ତି ।

ସେପଟେ ଗଣଦୁଷ୍କର୍ମ ମାମଲାରେ ମୋଟ ୪ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଆଜି ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଗିରଫ କରିଛି ବ୍ରହ୍ମଗିରି ପୋଲିସ । ସମସ୍ତ ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି । ପୁରୀ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ପୀଡିତାଙ୍କୁ ଘଟଣା ସ୍ଥଳକୁ ନେଇ ସମସ୍ତ ଦିଗକୁ ନେଇ ତଦନ୍ତ କରିଛି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍। ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି ପୁରୀ ପୋଲିସ । ଗତକାଲି ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଥିଲା ।

ସାର ସଂକଟରେ ଘାଣ୍ଟି ହେଉଛି ଚାଷୀ, ଜୋରଦାର ଲଢେଇ ଆହ୍ବାନ ଦେଲେ ବିଜେଡି ସୁପ୍ରିମୋ

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରଖିବ ବିଜେଡି । ରାଜ୍ୟରେ ସାର ସଙ୍କଟ ଲାଗି ରହିଥିବା ବେଳେ ଚାଷୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଚାଷୀଙ୍କ ହକ ପାଇଁ ବିଜେଡିର ସ୍ୱର ଆହୁରି ଶାଣିତ ହେବ ବୋଲି ବିରୋଧୀ ନେତା ନବୀନ ପଟ୍ଟନାୟକ ଚେତାଇ ଦେଇଛନ୍ତି । ରାଜଭବନ ଆଗରେ ବିଜେଡି ଆନ୍ଦୋଳନ କରିବା ପରେ ଏ ପ୍ରସଙ୍ଗରେ ବିଧାନସଭାରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ।

ଚୁପ ବସିବନି ବିଜେଡି । ଚାଷୀ ସମସ୍ୟାର ସମାଧାନ ନହେବା ଯାଏଁ ଜାରି ରହିବ ପ୍ରତିବାଦ । ସାର ପାଇଁ ଏବେ ରାଜ୍ୟର ଚାଷୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । କେଉଁଠି ଘଣ୍ଟା ଘଣ୍ଟା ଲମ୍ବା ଧାଡ଼ି ତ କେଉଁଠି ସାରା ରାତି ଅନିଦ୍ରା ପରେ ବି ସାର ମିଳୁନାହିଁ । ଚାଷ ସମୟରେ ସାର ନପାଇ ଚାଷୀମାନେ ହତାଶ ହୋଇ ପଡ଼ିଛନ୍ତି । ସବୁ ଜାଣି ବି ସରକାର ନିରବ ରହିବା ସବୁଠୁ କ୍ଷୋଭର ବିଷୟ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି । ଚାଷୀଙ୍କ ସମସ୍ୟା ରାଜ୍ୟ ସରକାର ସମାଧାନ କରୁ ନଥିବାରୁ ନବୀନ ଉଦବେଗ ପ୍ରକାଶ କରିବା ସହ ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି । ଯଥାଶୀଘ୍ର ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଚାଷୀଙ୍କ ହକ୍ ପାଇଁ ବିଜୁ ଜନତା ଦଳର ସ୍ୱର ଆହୁରି ଶାଣିତ ହେବ ବୋଲି ନବୀନ କହିଛନ୍ତି । ସାର ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦଳ ଗଣଧାରଣା ଦେବା ସହ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନବୀନ କହିଛନ୍ତି । ବିଜେଡି କହିଛି ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ଆଗକୁ ଚାଷୀ ସମସ୍ୟା ନେଇ ଦଳ ଜୋରଦାର ଲଢେଇ କରିବ ।

ସାର ସଙ୍କଟ ନେଇ ସାରା ରାଜ୍ୟରେ ହାହାକାର ପଡ଼ିଥିବା ବେଳେ ଶାସକ ଦଳର କିନ୍ତୁ ନିଘା ନାହିଁ । ସରକାର ବାରମ୍ବାର କହୁଛନ୍ତି ରାଜ୍ୟରେ ସାରର ଅଭାବ ନାହିଁ । ହେଲେ ରାଜ୍ୟ ସାରା ସାର ନପାଇ ଚାଷୀ ରାଜରାସ୍ତାରେ ପ୍ରତିବାଦ କରୁଛି । ବିଜେପି ବିଧାୟକ ବାବୁ ସିଂ ବି ସମାନ ଯୁକ୍ତି ବାଢିଛନ୍ତି । ଚାଷୀଙ୍କ ସମସ୍ୟା ପ୍ରତି ସରକାର ସଚେତନ ଥିବା ସେ କହିଛନ୍ତି ।

ସାର ସଙ୍କଟ ନେଇ ରାଜଭବନ ଆଗରେ ବିଜେଡି ଗର୍ଜନ କରିବା ପରେ ବି ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନକରିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା । ଚାଷୀଙ୍କୁ ସାର ନମିଳିବା ଯାଏଁ ବିଜେଡି ଆନ୍ଦୋଳନ ଜାରୀ ରଖିବ ବୋଲି ଚେତାବନୀ ଦେଇଛି ।