ବାରିପଦା: ମୟୂରଭଞ୍ଜ ଜିଲ୍ଲା କେଶଡିହା ଗାଁର ଭଗନାସାହିରେ ଅଭାବନୀୟ ଘଟଣା । ପାଣିରେ ପୁଡି ଦୁଇ ଶିଶୁଙ୍କ ମୃତ୍ୟୁ । ୨ ଶିଶୁ ପୋଖରୀରେ ଗାଧଉଥିବାବେଳେ ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି । ମୃତ ଦୁଇ ଶିଶୁ ହେଲେ ଚାମାରା ହନହାଗାଙ୍କ ପୁଅ ସମ୍ବିତ ହନହାଗା ଓ ରାଉତ ମହାକୁଡ଼ଙ୍କ ପୁଅ ରାଜେଶ ମହାକୁଡ଼ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭତ୍ତି କରିଥିଲେ । ହେଲେ ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।
ରାଜ୍ୟ କଂଗ୍ରେସରେ ଟିକେଟ ଟେନସନ, ପ୍ରଗମନ ଆପ ଆବେଦନ ଚୟନରେ କେଁ
ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପୁଣି ଟିକେଟ୍ ଟେନସନ । ପ୍ରଗମନ ଆପରେ ଆବେଦନରୁ ଚୟନ ପ୍ରକ୍ରିୟାରେ କେଁ । ବହୁ ହେଭିଓ୍ବେଟ୍ ନେତା ପ୍ରଗମନ ଆପରେ ଟିକେଟ ଆବେଦନ କରି ନଥିବାରୁ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ବଙ୍କ ଚିନ୍ତା ବଢ଼ିଛି । ବରିଷ୍ଠ ନେତାଙ୍କ ମତ, ବିଜୟ ସମ୍ଭାବନା ଦେଖି ପ୍ରାର୍ଥୀ ଚୟନ ହେବ, ପ୍ରଗମନ ଆପ୍ କେବଳ ଏକ ପ୍ରୟାସ । ଅନ୍ୟପଟେ ସୁର ଓ ପ୍ରସାଦଙ୍କ ଭଳି ବହୁ ବରିଷ୍ଠ ନେତା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଟିକେଟ ବଣ୍ଟନ ପୂର୍ବରୁ ଘୋଷଣା କରିଛନ୍ତି । ଯାହା ହାତ ଶିବିରକୁ ଉଷ୍ମ କରିଛି ।
ସୁର ଦୋହରାଇଲେ ଲଢ଼ିବେନି । ବିଧାନସଭା ନିର୍ବାଚନ ଲଢ଼ିବାକୁ ଶରତ ରାଉତ ନାରାଜ । ବଦଳିବ କି କଂଗ୍ରେସର ଟିକେଟ ଚୟନ ପ୍ରକ୍ରିୟା ? ସମୟ ସରିଗଲା; କିନ୍ତୁ ଟିକେଟ୍ ଆବେଦନ କରିନାହାନ୍ତି କଂଗ୍ରେସର ହେଭିଓ୍ବେଟ୍ ନେତା । ଓଡ଼ିଶାରେ ଆଗୁଆ ଟିକେଟ ବଣ୍ଟନ ପାଇଁ କଂଗ୍ରେସ ହାଇକମାଣ୍ଡ ପ୍ରଗମନ ଆପ୍ ଜରିଆରେ ପ୍ରାର୍ଥୀ ଚୟନ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ, ଦଳର ଆଗଧାଡ଼ିର ନେତାମାନେ ପ୍ରଗମନ ଆପରେ ଟିକେଟ ଆବେଦନ କରିନାହାନ୍ତି । ଯାହାକୁ ନେଇ ହାତ ଶିବିରରେ ଟେନସନ ବଢ଼ିଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଯୁକ୍ତି ହେଉଛି, ପ୍ରଗମନ ଆପ୍ ଟିକେଟ ଚୟନର ଏକମାତ୍ର ମାପଦଣ୍ଡ ନୁହେଁ । ଏଆଇସିସି ସମ୍ପାଦକ ଶରତ ରାଉତ ବି ସମାନ ଯୁକ୍ତି ବାଢ଼ିଛନ୍ତି । ଏହାସହ ୨୦୨୪ ନିର୍ବାଚନରେ ସେ ବିଧାନସଭା ନୁହେଁ, ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ବୋଲି ଶରତ କହିଛନ୍ତି ।
ପ୍ରଗମନ ଆପରେ ବିଧାୟକ ପାଇଁ ୩ ହଜାର ଓ ସାଂସଦ ପଦ ପାଇଁ ୭୦୦ ଆଶାୟୀ ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରିବା ପାଇଁ ରାଜ୍ୟ କଂଗ୍ରେସ ମଙ୍ଗୁଆଳ ଓଡ଼ିଶାରୁ ଦିଲ୍ଲୀ ଯାଏଁ କସରତ ଜାରି ରଖିଛନ୍ତି । ହେଲେ ହେଭିଓ୍ବେଟ ନେତାମାନେ ଟିକେଟ ଆବେଦନ କରି ନଥିବାରୁ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବଦଳାଇବା ଆରମ୍ଭ କରିଥିବା ନେତା କହୁଛନ୍ତି । ଅନ୍ୟପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦୋହରାଇଛନ୍ତି । ତାଙ୍କ ପୁଅକୁ ଦଳୀୟ ଟିକେଟ ନମିଳିଲେ, ପୁଅକୁ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଛାଡ଼଼ିବେ ବୋଲି କହିଛନ୍ତି । ଅନ୍ୟପଟେ ବହୁଦିନ ପରେ କଂଗ୍ରେସକୁ ଫେରିଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କେଉଁଠୁ ନିର୍ବାଚନ ଲଢ଼ିବେ, ତାହା ଜାଣି ନଥିବା କହିଛନ୍ତି ।
୨୦୨୪ରେ ୯ରୁ ୯୦ ମିଶନର ନାରା ଦେଇଥିବା କଂଗ୍ରେସ ପାଇଁ ଦିନକୁ ଦିନ ଟିକେଟ ଅଡୁଆ ବଢୁଛି । ତେଣୁ ପ୍ରଗମନ ନୁହେଁ, ପାରମ୍ପରିକ ଢାଞ୍ଚାରେ ଯେ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଆପଣାଇବ, ତାହା ଜଳଜଳ ଦିଶିଲାଣି ।
ନିର୍ବାଚନୀ ବଣ୍ଡ ପ୍ରସଙ୍ଗ: ନିର୍ବାଚନ କମିଶନଙ୍କ ପାଖରେ ତଥ୍ୟ ଦାଖଲା କଲା SBI
ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡିକୁ ଅର୍ଥ ପ୍ରଦାନ ମାମଲା । ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟ ଦାଖଲ କଲା ଏସବିଆଇ । ଗତକାଲି ସୁପ୍ରିମକୋର୍ଟଙ୍କ ଦାଗିଦ ପରେ ଆଜି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ତଥ୍ୟ ଦାଖଲ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ନିର୍ବାଚନ କମିଶନଙ୍କ ନିକଟରେ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ପ୍ରଦାନ କରିଛନ୍ତି ଏସବିଆଇ ଅଧ୍ୟକ୍ଷ ।
ତଥ୍ୟ ପ୍ରଦାନ କରିବା ସହ ଏ ପ୍ରସଙ୍ଗ ନେଇ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି । ଏହାସହ ଆସନ୍ତା ଶୁକ୍ରବାର ଅପରାହ୍ନ ୫ଟା ସୁଦ୍ଧା ଏହି ତଥ୍ୟ ଅଫିସିଆଲ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ପୂର୍ବରୁ ସୁପ୍ରିମକୋର୍ଟ ଷ୍ଟେଟ ବ୍ଯାଙ୍କକୁ ଚଳିତ ମାର୍ଚ୍ଚ ୬ ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ କରିବାକୁ କହିଥିଲେ ମଧ୍ୟ ଷ୍ଟେଟ୍ ବ୍ୟାଙ୍କ ଏହା କରି ନଥିଲା । ଏହାପରେ ଆଜି ସୁଦ୍ଧା ଏହି ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଯଦି ଏହି ନିର୍ଦ୍ଦେଶକୁ ନେଇ ଷ୍ଟେଟ ବ୍ଯାଙ୍କ ତଥ୍ୟ ଦାଖଲ ନକରେ, ଜାଣିଶୁଣି ଏହି ତଥ୍ୟ ପ୍ରଦାନ କରାଯାଉ ନଥିବା ଧରାୟିବ । ଏଥିଲାଗି ଷ୍ଟେଟ ବ୍ଯାଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ ବୋଲି ଦାଗିଦ କରିଥିଲେ ସୁପ୍ରିମକୋର୍ଟ ।
ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୈନୀ
ଚଣ୍ଡିଗଡ଼: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ନାୟବ ସିଂ ସୈନୀ । ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ । ଚଣ୍ଡିଗଡ଼ରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ । ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀଙ୍କୁ ଶପଥ ପାଠ କରାଇଥିଲେ ।
ନାୟବଙ୍କ ସହ ଅନ୍ୟ ୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୫୪ ବର୍ଷୀୟ ନାୟବ ସିଂ ସୈନୀ ନାରାୟଣଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମିର୍ଜାପୁର ବାସିନ୍ଦା । ସୈନୀ ଚାଷୀ ପରିବାରରୁ ଆସିଛନ୍ତି । ୨୦୧୪ରେ ପ୍ରଥମ ଥର ଲାଗି ଅମ୍ବାଲାର ନାରାୟଣଗଡ଼ ବିଧାନସଭାରୁ ବିଧାୟକ ହୋଇଥିଲେ । ୨୦୧୯ରେ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରତିନ୍ଦ୍ଵନ୍ଦ୍ଵୀକୁ ୩ ଲକ୍ଷ ୮୪ ହଜାରରୁ ଅଧିକ ଭୋଟରେ ହରାଇଥିଲେ ସୈନୀ । ୨୦୨୩ ଅକ୍ଟୋବରରେ ସୈନୀ ହରିୟାଣାର ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଥିଲେ । କୁରୁକ୍ଷେତ୍ର ଆସନରୁ ଲୋକସଭାକୁ ସେ ନିର୍ବାଚିତ ହୋଇଥିଲେ । ୯୦ ଆସନ ବିଶିଷ୍ଠ ହରିୟାଣା ବିଧାନସଭାରେ ବିଜେପିର ୪୧ ବିଧାୟକ ଅଛନ୍ତି । ସରକାରରେ ସଂଖ୍ୟା ଗରିଷ୍ଠତା ଲାଗି ବିଜେପିକୁ ୪୬ ବିଧାୟକଙ୍କ ସମର୍ଥନ ବଜାୟ ରଖିବାକୁ ପଡିବ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପଛୁଆ ବର୍ଗର ଭୋଟରଙ୍କୁ ନିଜ ପକ୍ଷରେ କରିବାକୁ ବିଜେପି ଏହି ରଣନୀତି କରିଥିବା ଚର୍ଚ୍ଚା ହେଉଛି । ଜାଟ ଭୋଟରଙ୍କୁ ନିଜ ସପକ୍ଷରେ କରିବାକୁ ବିଜେପିର ଏ ଯୋଜନା । ଆଜି ସକାଳେ ମନୋହରଲାଲ ଖଟ୍ଟରଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାୟବ ସିଂ ସୈନୀ ।
କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଲାଗି କଂଗ୍ରେସର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଏଥିରେ ୪ ରାଜ୍ୟର ୪୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ମିଳିଛି ଲୋକସଭା ନିର୍ବାଚନ ଲାଗି କଂଗ୍ରେସ ଟିକେଟ ।
ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କ ପୁଅ ନକୁଳ ନାଥଙ୍କୁ ଟିକେଟ ମିଳିଛି । ସେ ମଧ୍ୟପ୍ରଦେଶ ଛିନ୍ଦୱାଡା ଆସନରୁ ନିର୍ବାଚନ ଲଢିବେ । ସେହିପରି ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଜାଲୌର ଆସନରୁ କଂଗ୍ରେସ ଟିକେଟ ଦେଇଛି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କୁ ପୁଅ ଗୌରବ ଗୋଗଇଙ୍କୁ ଜୋରହାଟ ଆସନରୁ ଟିକେଟ ମିଳିଛି । ଏହାସହ ନିକଟରେ ବିଜେପିରୁ ଆସି କଂଗ୍ରେସରେ ସାମିଲ ହୋଇଥିବା ରାହୁଲ କାସୱାଁଙ୍କୁ ଚୁରୁ ଆସନରୁ ଟିକେଟ ମିଳିଛି । ରାହୁଲ କାସୱାଁ ବିଜେପିରୁ ସାଂସଦ ଥିଲେ ।
କଂଗ୍ରେସ ମହାସଚିବ କେସି ବେଣୁଗୋପାଳ କଂଗ୍ରେସର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଆଜି ଘୋଷଣା ହୋଇଥିବା ୪୩ ପ୍ରାର୍ଥୀ ତାଲିକା ମଧ୍ୟରୁ ୧୦ ସାଧାରଣ ପ୍ରାର୍ଥୀ ଥିବାବେଳେ ୧୩ ଓବିସି, ୧୦ ଅନୁସୂଚିତ ଜାତି ଓ ୯ ଜଣ ଅନୁସୂଚିତ ଜନଜାତି ବର୍ଗର ଅଛନ୍ତି । କଂଗ୍ରେସର ଆଜିର ପ୍ରାର୍ଥୀ ତାଲିକା ମଧ୍ୟରେ ଜଣେ ମୁସଲିମ ପ୍ରାର୍ଥୀ ଅଛନ୍ତି ।ଏହା ପୂର୍ବରୁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି ଏଆଇସିସି । ତେବେ ପ୍ରଥମ କିମ୍ବା ଦ୍ଵିତୀୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କେହି ଜଣଙ୍କର ବି ନାଁ ଘୋଷଣା ହୋଇନାହିଁ । ପ୍ରଥମ ତାଲିକାରେ ୩୯ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଥିଲା ଦଳ ।
ରାଜ୍ୟ ବିଜେପି ପାର୍ଟି ଅଫିସ ଆଗରେ ମହିଳା କର୍ମୀଙ୍କୁ ମାଡ଼
ଭୁବନେଶ୍ବର: ପଦାରେ ପଡ଼ିଲା ରାଜ୍ୟ ବିଜେପିର ମହିଳାଙ୍କୁ ସମ୍ମାନ । ଉଜ୍ଜ୍ବଳାକୁ ନେଇ ରାଜ୍ୟ ବିଜେପି ଅଫିସରେ ତୁମୁଳ କାଣ୍ଡ । ରାଜ୍ୟ ବିଜେପି ପାର୍ଟି ଅଫିସ ସମ୍ମୁଖରେ ଦଳୀୟ ମହିଳା କର୍ମୀଙ୍କୁ ମାଡ଼ । ଗେଟ ସମ୍ମୁଖରେ ଶତାଧିକ ମହିଳାଙ୍କ ହୋହଲ୍ଲା । ଉଜ୍ଜଳା ଯୋଜନାରେ ନାର୍ଯ୍ୟ ଦାବି ନେଇ ଉଜ୍ଜଳା ଦିଦି ରାଜ୍ୟ ପାର୍ଟି ଅଫିସରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦେଖା କରିବା ପାଇଁ ଆସିଥିଲେ । ହେଲେ ଆଲୋଚନା ବଦଳରେ ପୁରୁଷ କର୍ମୀମାନେ ବିଜେପି ମହିଳାଙ୍କ ତଣ୍ଟି ଧରି ଧକା ମାରି ମୋବାଇଲ୍ ଛଡାଇ ନେଇଥିବା ଅଭିଯୋଗ ହୋଇଛି । କିଛି ମହିଳା ମେଡ଼ିକାଲକୁ ଯାଇଥିବା ଅଭିଯୋଗ କରିଛନ୍ତି ଉଜ୍ଜ୍ବଳା ଦିଦି ।
ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ସଶକ୍ତ କରିବାକୁ ଯୋଜନା ପରେ ଯୋଜନ କରୁଛନ୍ତି । ମିଶନଶକ୍ତି ମାଧ୍ୟମରେ ରାଜ୍ୟର ମହିଳାମାନେ ଆଜି ନିଜ ଗୋଡ଼ରେ ଛିଡା ହୋଇ ନିଜେ ରୋଜଗାର କରିବା ସହ ଅନ୍ୟଙ୍କୁ ରୋଜଗାର ଦେଉଛନ୍ତି । ସବୁ ବର୍ଗର ମହିଳାଙ୍କ ପାଇଁ ନବୀନ ସରକାର କିଛି ନା କିଛି ଯୋଜନା କରି ସେମାନଙ୍କ ଆର୍ଥିକ ସ୍ଥରରେ ସଶକ୍ତ କରୁଛନ୍ତି । ହେଲେ ଅନ୍ୟପଟେ ମହିଳାଙ୍କୁ ସମ୍ମାନ ଦେବାକୁ ନେଇ କହି ବୁଲୁଥିବା ବିଜେପିର ଅସଲ ଚେହେରା ସାରା ଓଡ଼ିଶା ରାଜ୍ୟ ବିଜେପି ପାର୍ଟି ଅଫିସ ଆଗରେ ଦେଖିଛି । ଏଠାରେ ଯେମିତି ରାଜ୍ୟ ବିଜେପିର ମହିଳା କର୍ମୀଙ୍କୁ ପୁରୁଷ କର୍ମୀମାନେ ମାଡ ମାରିଛନ୍ତି ତାହା ବିଜେପିର ମହିଳାଙ୍କୁ ସମ୍ମାନ ଦେବା ଛଳନାକୁ ପଦାରେ ପକାଦେଇଛି
ରାଜ୍ୟସ୍ତରୀୟ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା: ୮ ସ୍ଥାନରେ ୪୫ ବିଷୟକୁ ନେଇ ଦକ୍ଷତା ପ୍ରଦର୍ଶନ
ଭୁବନେଶ୍ବର: ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ରହିଛି ଅନନ୍ୟ ଦକ୍ଷତା । ଏହାକୁ ପ୍ରଦର୍ଶନ କରିବା ସହ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ସୁଯୋଗ ଦେବା ପାଇଁ ପ୍ରତିବର୍ଷ କରାଯାଉଛି ‘ଓଡ଼ିଶା ସ୍କିଲ୍ସ’ କାର୍ଯ୍ୟକ୍ରମ । ମଙ୍ଗଳବାରଠାରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସମେତ ୮ଟି ସ୍ଥାନରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏଥିରେ ୪୫ଟି ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଛି । ଯେଉଁଥିରେ ୭ ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆସନ୍ତା ୧୪ ତାରିଖରେ ହେବ ଚୂଡନ୍ତା ପର୍ଯ୍ୟାୟ ପ୍ରତିଯୋଗିତା ।
ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା କରାଯାଉଛି । ଏଥିରେ ୬ଟି ପ୍ରମୁଖ କ୍ଷେତ୍ରରେ ମୋଟ ୪୫ଟି ସ୍କିଲକୁ ନେଇ ଚଳିତବର୍ଷ ରାଜ୍ୟସ୍ତରୀୟ ପ୍ରତିଯୋଗିତା ହେଉଛି । ମଙ୍ଗଳବାର ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇ, ପଲିଟେକ୍ନିକ ତଥା ବିଭିନ୍ନ ଦକ୍ଷତା ବିକାଶ ତାଲିମ ଅନୁଷ୍ଠାନରୁ ଆସିଥିବା ୭୦୦ରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ପାରଦର୍ଶିତା ଦେଖାଇଥିଲେ ।

ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ୧୬ଟି ସ୍କିଲକୁ ନେଇ ପ୍ରତିଯୋଗିତା କରାଯାଉଛି । ସେହିପରି ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିରେ ୫ଟି, ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ୫ଟି, ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟରେ ୨ଟି, ସିଟିଟିସିରେ ୬ଟି ଓ ଏନଆଇଏଫଟିରେ ୨ଟି ବିଷୟରେ ପ୍ରତିଯୋଗିତା କରାଯାଉଛି । କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇରେ ୫ଟି ଓ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ୨ଟି ବିଷୟରେ ମଧ୍ୟ ଏହି ପ୍ରତିଯୋଗିତା କରାଯାଉଛି ।

ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ଆଜି ଆସିଛି ବ୍ୟାପକ ପରିବର୍ତ୍ତନ । ଆଧୁନିକ ଓ ବ୍ୟବହାରିକ ବିଷୟ ସହ ଅତ୍ୟାଧୁନିକ କମ୍ପ୍ୟୁଟର ଓ ମୋବାଇଲ ଟେକ୍ନୋଲୋଜି ଆଦିର ପ୍ରୟୋଗକୁ ନେଇ ଯୁବପିଢ଼ିଙ୍କ ଲାଗି ରାଜ୍ୟରେ ନୂଆ ଢାଞ୍ଚାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । କନଷ୍ଟ୍ରକ୍ସନ ଆଣ୍ଡ ବିଲ୍ଡିଂ ଟେକ୍ନୋଲୋଜି, କ୍ରିଏଟିଭ୍ ଆର୍ଟ୍ସ ଆଣ୍ଡ ଫ୍ୟାସନ, ଇନଫରମେସନ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି, ମାନୁଫାକ୍ଚରିଂ ଆଣ୍ଡ ଇଞ୍ଜିନିୟରିଂ ଟେକ୍ନୋଲୋଜି, ସୋସିଆଲ ଆଣ୍ଡ ପର୍ସନାଲ ସର୍ଭିସେସ୍ ଓ ଟ୍ରାନ୍ସପୋଟ୍ରେସନ ଆଣ୍ଡ ଲଜିଷ୍ଟିକ୍ସ ଆଦି ୬ଟି କ୍ଷେତ୍ରରେ ୪୫ଟି ଦକ୍ଷତା ବିକାଶ ବିଷୟକୁ ନେଇ ‘ଓଡ଼ିଶା ସ୍କିଲ୍ସ’ ପରିକଳ୍ପନା କରାଯାଇଛି ।

‘ଓଡ଼ିଶା ସ୍କିଲ୍ସ’ରେ ଭାଗ ନେଇଥିବା ଯୁବ ପ୍ରତିଯୋଗୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ଯୁବପିଢ଼ି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

୧୪ ତାରିଖ ଦିନ ଓଡ଼ିଶା ସ୍କିଲ୍ସର ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ହେବାକୁ ଯାଉଛି । ଏହା କଟକ ଓ ଭୁବନେଶ୍ୱରର ସେହି ୮ଟି କେନ୍ଦ୍ରରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ବିଷୟରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ୧୫ ତାରିଖରେ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ବିବେଚିତ ପ୍ରାର୍ଥୀମାନେ ପରବର୍ତ୍ତୀ ସମୟରେ ଜାତୀୟ ସ୍ତରରେ ‘ଇଣ୍ଡିଆ ସ୍କିଲ୍ସ’ରେ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ। ସେହିପରି ଅନ୍ତର୍ଜାତୀୟ ସ୍ତରରେ ‘ୱାର୍ଲ୍ଡ ସ୍କିଲ୍ସ’ ପ୍ରତିଯୋଗିତାରେ ଭାଗନେଇ ଓଡ଼ିଶାର ପିଲାମାନେ କିପରି ମେଡାଲ ଜିତିପାରିବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଦକ୍ଷତା ବିକାଶ ତାଲିମ ଅନୁଷ୍ଠାନ ସ୍ତରରୁ ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି।

