spot_img
Home Blog Page 1998

ନିର୍ବାଚନ ପ୍ରକ୍ରିୟାରେ ଗଣମାଧ୍ଯମର ସ୍ବାଧୀନତାକୁ କ୍ଷୁଣ୍ଣ କରାଯାଉଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଋଷ ରାଷ୍ଟ୍ରପତି ନିର୍ବାଚନର ଦ୍ବିତୀୟ ଦିନ । ତେବେ ରାଜନୈତିକ ବ୍ଯବସ୍ଥାକୁ କରାୟତ୍ତ କରିବା ସହ ଆଉ ୬ ବର୍ଷ ଲାଗି କ୍ଷମତା ହାସଲ କରିବା ଲାଗି ଏହା ଏକ ନାମମାତ୍ର ପ୍ରକ୍ରିୟା ବୋଲି କୁହାଯାଉଛି । ନିର୍ବାଚନ ପ୍ରକ୍ରିୟାରେ ଗଣମାଧ୍ଯମର ସ୍ବାଧୀନତାକୁ କ୍ଷୁଣ୍ଣ କରାଯାଇଥିବା ଅଭିଯୋଗ କରାଯାଇଛି । ୟୁକ୍ରେନ ସହ ଯୁଦ୍ଧ ତୃତୀୟ ବର୍ଷରେ ପଦାର୍ପଣ କରିଥିବାବେଳେ ଋଷର ଛୋଟବଡ ବିଜୟକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବେଶ୍ ଆଶାବାଦୀ ଅଛନ୍ତି । ୧୧ଟି ଟାଇମ ଜୋନରେ ଋଷର ଅବସ୍ଥିତି କାରଣରୁ ଏହି ନିର୍ବାଚନ ତିନି ଦିନ ଧରି ଚାଲିବ । କ୍ରିମିଆ ଓ ମାରିୟୁପୋଲରେ ବି ଭୋଟଦାନ ଚାଲିଥିବା ସୂଚନା ମିଳିଛି ।  ୟୁକ୍ରେନର ଯେଉଁ ଯେଉଁ ଅଞ୍ଚଳ ଋଷ କବଜାରେ ରହିଛି ସେଠାରେ ବି ଏହି ନିର୍ବାଚନ ହେଉଛି । ୭୧ବର୍ଷ ବୟସ୍କ ପୁଟିନ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ ରହିଛି । ପୁଟିନଙ୍କ ଅଧିକାଂଶ ସମାଲୋଚକ ଓ ବିରୋଧୀ ଜେଲରେ ଅଛନ୍ତି କିମ୍ବା ନିର୍ବାସନରେ ଅଛନ୍ତି । ତାଙ୍କର ସବୁଠାରୁ ବଡ ବିରୋଧୀ କୁହାଯାଉଥିବା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ଗତ ଫେବୃଆରୀରେ ହୋଇଛି ।

ସେପଟେ ଋଷର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ବେଳେ ବିଭିନ୍ନ ସୀମା ଅଞ୍ଚଳରେ ବୋମାମାଡ କରିଛି ୟୁକ୍ରେନ । କେରଳରେ ବି ବାସ କରୁଥିବା ଋଷ ନାଗରିକ ନିଜ ମତ ସାବ୍ୟସ୍ତ କରିଥିବା ସୂଚନା ମିଳିଛି । ଋଷ ଓ ଋଷ ଅଧିକୃତ ଅଞ୍ଚଳରେ ୧୧୨ ଦଶମିକ ୩ ନିୟୁତ ଭୋଟ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଗତ ୨୦୧୨ରୁ ବର୍ତ୍ତମାନ ଯାଏ ରାଷ୍ଟ୍ରପତି ଅଛନ୍ତି ପୁଟିନ। ନିର୍ବାଚନରେ କମ୍ଯୁନିଷ୍ଟ ପାର୍ଟିର ନିକୋଲାଇ କାରିତୋନୋଭ, ଲିବରାଲ ଡେମୋକ୍ରାଟିକ ପାର୍ଟି ଅଫ ଋଷିଆର ଲିଓନିଦ ସ୍ଲଟସ୍କି, ନ୍ଯୁ ପିପୁଲ ପଲିଟିକାଲ ପାର୍ଟିର ଭ୍ଲାଦିସ୍ଲାଭ ଦାଭାନକୋଭ।

ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କେଜ୍ରିଓ୍ବାଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାଖଲ ହୋଇଥିବା ସାନି ଅଭିଯୋଗ କ୍ରମେ କୋର୍ଟରେ ସେ ହେବେ ହାଜର । ଅତିରିକ୍ତ ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦିବ୍ଯା ମାଲହୋତ୍ରାଙ୍କ ନିର୍ଦ୍ଦେଶ କ୍ରମେ ସେ କୋର୍ଟରେ ହାଜର ହେବେ । ଦିଲ୍ଲୀ ମଦନୀତି ମାମଲାରେ ବାରମ୍ବାର ସମନ ସତ୍ତ୍ବେ ଇଡିରେ ହାଜର ହେଉନଥିବା କାରଣକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏସଂକ୍ରାନ୍ତରେ ଗତ ଫେବୃଆରୀ 3 ତାରିଖରେ କୋର୍ଟ ନିକଟରେ ଅଭିଯୋଗ ଦାୟର କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ଦର୍ଶାଇଛି- ମଦନୀତି ମାମଲାରେ ଜଣେ ସାକ୍ଷୀ କିମ୍ବା ଜଣେ ଅଭିଯୁକ୍ତ ଅଛନ୍ତି କି ନାହିଁ ସେ ସମ୍ପର୍କରେ ଜାଣିବାର ଆଇନଗତ ଅଧିକାର କେଜ୍ରିଓ୍ବାଲଙ୍କ ନିକଟରେ ନାହିଁ । ସେ ଇଚ୍ଛାକୃତ ଓ ଉଦ୍ଦେଶ୍ୟମୂଳକ ଭାବେ ସମନଗୁଡିକୁ ଅବମାନନା କରିଚାଲିଛନ୍ତି ଯାହାକି ଆଇପିସିର ଧାରା 174ର ଉଲ୍ଲଂଘନ ବୋଲି ଇଡି ଦର୍ଶାଇଛି ।

ଇଡିର ପ୍ରଥମ ଅଭିଯୋଗ କ୍ରମେ କୋର୍ଟରେ ସଶରୀରେ ହାଜର ହେବା ଲାଗି ଗତ ଫେବୃଆରୀ 7ରେ କେଜ୍ରିଓ୍ବାଲଙ୍କୁ ନୋଟିସ ଦେଇଥିଲେ କୋର୍ଟ । ଇଡିରେ ହାଜର ହେବା ଆଇନଗତ ଭାବେ ବାଧ୍ଯତାମୂଳକ ବୋଲି କୋର୍ଟ କହିଥିଲେ । ଗତବର୍ଷ ନଭେମ୍ବର 2ରୁ କେଜ୍ରିଓ୍ବାଲଙ୍କ ବିରୋଧରେ ବହୁଥର ସମନ ଜାରି ହୋଇଥିଲେ ବି ଇଡିରେ ହାଜର ହୋଇନାହାନ୍ତି କେଜ୍ରିଓ୍ବାଲ । ପୂର୍ବରୁ ଦିଲ୍ଲୀ ମଦନୀତି ମାମଲାରେ ଗିରଫ ହୋଇସାରିଛନ୍ତି ମନୀଷ ସିସୋଦିଆ ଓ ସଞ୍ଜୟ ସିଂ ।

ଆଜି ବସିବ ରାଜ୍ଯ କ୍ଯାବିନେଟ୍ ବୈଠକ

ଭୁବନେଶ୍ୱର : ଆଜି ବସିବ ରାଜ୍ଯ କ୍ଯାବିନେଟ୍ ବୈଠକ । ଲୋକସେବା ଭବନରେ ଦିନ ୧୧ଟାରେ ବୈଠକ ବସିବ । ବୈଠକରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ଯକ୍ଷତାରେ କରିବେ । ଏଥିରେ ବିଭିନ୍ନ ବିଭାଗର ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିପାରେ । ସାଧାରଣ ପ୍ରଶାସନ, ଜଳସଂପଦ, ରାଜସ୍ବ ଆଦି ବିଭାଗର ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା ରହିଛି । ଆgକୁ ନିର୍ବାଚନ ଅାସୁଥିବାରୁ ଅନେକ ଗୁଡ଼ିଏ ବିଭାଗର ପ୍ରସ୍ତାବ ଉପରେ ମୋହର ମାରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ବାଜିବ ବିଗୁଲ

ଭୁବନେଶ୍ୱର : ସପ୍ତଦଶ ବିଧାନସଭା ନିର୍ବାଚନ ଲାଗି ଆଜି ବାଜିବ ବିଗୁଲ। ୨୧ଟି ଲୋକସଭା ସହ ୧୪୭ ବିଧାନସଭାରେ ଭୋଟ୍ ଲାଗି ଘୋଷଣା ହେବ ତାରିଖ। ଗତ ୨୦୧୯ରେ ଚାରି ପର୍ଯ୍ୟାୟ ଅର୍ଥାତ ୧୧ ଏପ୍ରିଲରେ ୪ଟି, ୧୮ ଏପ୍ରିଲରେ ୫ଟି, ୨୩ ଏପ୍ରିଲରେ ୬ଟି ଓ ୨୯ ଏପ୍ରିଲରେ ୬ଟି ଲୋକସଭା ଆସନରେ ହୋଇଥିଲା ଭୋଟ। ସେହିପରି ୧୧ ଏପ୍ରିଲରେ ୨୮, ୧୮ ଏପ୍ରିଲରେ ୩୫, ୨୩ ଏପ୍ରିଲରେ ୪୨ ଓ ୨୯ ଏପ୍ରିଲରେ ୪୧ଟି ବିଧାନସଭା ଆସନ ଲାଗି ହୋଇଥିଲା ଭୋଟ। ଓଡ଼ିଶାରେ ୩ କୋଟି ୩୨ ଲକ୍ଷ ଭୋଟର ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧କୋଟି ୬୮ ଲକ୍ଷ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୪ ଲକ୍ଷ। ରାଜ୍ୟରେ ୩ ହଜାର ୩୮୦ ତୃତୀୟ ଲିଙ୍ଗୀ, ୬ ଲକ୍ଷ ୮୦ ହଜାର ବରିଷ୍ଠ ନାଗରିକ ଥିବାବେଳେ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ୯ହଜାର ୬୦। ୧୮ରୁ ୧୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ଯା ୭ଲକ୍ଷ ୫୦ ହଜାର ଥିବାବେଳେ ୧୮ରୁ ୧୯ ବର୍ଷ ଭୋଟରଙ୍କ ମଧ୍ଯରେ ମହିଳାଙ୍କ ସଂଖ୍ଯା ୩ ଲକ୍ଷ ୪୦ ହଜାର। ୪ ଲକ୍ଷ ୭୦ ହଜାର ଯୁବକ ପ୍ରଥମ ଥର ପାଇଁ ମତଦାନ କରିବେ।

ରାଜ୍ଯରେ ବୁଥ ସଂଖ୍ୟା ୩୭ ହଜାର ୮୦୯ ରହିବ। ୨୨ହଜାର ୬୮୫ ବୁଥରେ ୱେବକାଷ୍ଟିଂ କରାଯିବ। ୩୦୦ ବୁଥକୁ ପରିଚାଳନା କରିବେ ଭିନ୍ନକ୍ଷମ। ସେହିପରି ୭୦୦ ବୁଥକୁ ପରିଚାଳନା କରିବେ ଯୁବକ। ଆଦର୍ଶ ବୁଥ ସଂଖ୍ୟା ରହିବ ୭୦୦। ରାଜ୍ୟର ସବୁଠୁ ଦୁର୍ଗମ ଅଞ୍ଚଳରେ ବି ବୁଥ ପ୍ରତିଷ୍ଠା କରାଯିବ। ରାଜ୍ଯରେ ବର୍ତ୍ତମାନ ସୁଦ୍ଧା ୧୬ଥର ବିଧାନସଭା ନିର୍ବାଚନ ହୋଇଛି। ୧୯୫୧-୫୨, ୧୯୫୭, ୧୯୬୧, ୧୯୬୭, ୧୯୭୧, ୧୯୭୪, ୧୯୭୭, ୧୯୮୦, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ଶେଷଥର ଲାଗି ୨୦୧୯ରେ ହୋଇଥିଲା ବିଧାନସଭା ନିର୍ବାଚନ।

ଘୋଷଣା ହେବ ଲୋକସଭା ଓ ୪ ରାଜ୍ଯର ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ : ଆଜି ବାଜିବ ନିର୍ବାଚନ ବିଗୁଲ। ଅଷ୍ଟାଦଶ ଲୋକସଭା ଓ ୪ ରାଜ୍ଯର ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେବ ତାରିଖ। ୭ କିମ୍ବା ୮ ପର୍ଯ୍ୟାୟରେ ନିର୍ବାଚନ କରିବାକୁ ଘୋଷଣା କରିପାରନ୍ତି ଇସିଆଇ। ୫୪୩ ଲୋକସଭା ଆସନ ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭାର ମୋଟ ୪୧୪ ଆସନ ଲାଗି ଘୋଷଣା ହେବ ତାରିଖ। ନିର୍ବାଚନ ତାରିଖ ଘୋଷଣା କରିବେ ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର, ଦୁଇ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ। ଏହା ସହ ଦେଶରେ ଲାଗୁହେବ ନିର୍ବାଚନ ଆଚରଣ ବିଧି। ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଦାଖଲ, ପ୍ରାର୍ଥୀପତ୍ର ପ୍ରତ୍ଯାହାର ଠାରୁ ଆରମ୍ଭ କରି ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ସହ ବିଭିନ୍ନ କଟକଣା ମଧ୍ଯ ଲଗାଇବେ ନିର୍ବାଚନ କମିଶନ। ୨୦୧୯ରେ ୭ ପର୍ଯ୍ୟାୟରେ ଅର୍ଥାତ ୧୧, ୧୮, ୨୩, ୨୯ ଏପ୍ରିଲ ଏବଂ ୬, ୧୨ ଓ ୧୯ ମେରେ ହୋଇଥିଲା ନିର୍ବାଚନ।

୨୦୧୯ ମାର୍ଚ୍ଚ ୧୦ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବାବେଳେ ୨୩ମେରେ ଘୋଷିତ ହୋଇଥିଲା ଫଳାଫଳ। ଆନ୍ଧ୍ରପ୍ରଦେଶର ୨୫, ଅରୁଣାଚଳ ପ୍ରଦେଶର ୨, ଆସାମର ୧୪, ବିହାରର ୪୦, ଛତିଶଗଡ଼ର ୧୧, ଗୋଆର ୨, ଗୁଜରାଟର ୨୬ ଲୋକସଭା ନିର୍ବାଚନ ଲାଗି ଘୋଷଣା ହେବ ତାରିଖ। ସେହିପରି ହରିଆଣାର ୧୦, ହିମାଚଳ ପ୍ରଦେଶର ୪, ଝାଡ଼ଖଣ୍ଡର ୧୪, କର୍ଣ୍ଣାଟକର-୨୮, କେରଳର ୨୦, ମଧ୍ଯପ୍ରଦେଶର ୨୯, ମହାରାଷ୍ଟ୍ରର ୪୮, ମଣିପୁରର ୨, ମେଘାଳୟର ୨, ଓଡ଼ିଶାର ୨୧, ପଞ୍ଜାବର ୧୩, ରାଜସ୍ଥାନର ୨୫, ତାମିଲନାଡୁର ୩୯, ତେଲଙ୍ଗାନାର ୧୭, ତ୍ରିପୁରାର ୨, ଉତ୍ତରପ୍ରଦେଶର ୮୦, ଉତ୍ତରାଖଣ୍ଡର ୫, ପଶ୍ଚିମବଙ୍ଗର ୪୨, ଦିଲ୍ଲୀର ୭ ଲୋକସଭା ଆସନରେ ହେବ ଭୋଟ ।

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ପୂର୍ବତନ ରାଜ୍ଯସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ବାସ୍ଥ୍ଯବସ୍ଥା ଭଲ ରହିଛି  । ସମ୍ବଲପୁରରୁ ଏୟାରଲିଫ୍ଟ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛି । 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଡାକ୍ତରଖାନା ଯାଇଁ ପ୍ରସନ୍ନଙ୍କୁ ଭେଟି ସ୍ବାସ୍ଥ୍ଯବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଉତ୍ତମ ଚିକିତ୍ସା ଯୋଗାଇ ଦେବା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଡାକ୍ତରଖାନାରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ସସ୍ମିତ ପାତ୍ର, ବିଧାୟକ ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ପୂର୍ବତନ ସାଂସଦ ଏନ ଭାସ୍କର ରାଓ, ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ପ୍ରମୁଖ ପ୍ରସନ୍ନଙ୍କୁ ଭେଟିଛନ୍ତି । ପ୍ରସନ୍ନ ଏବେ ଭଲ ଥିବା ସହ କଥା ହେଉଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରରୁ ବରଗଡ଼ ଫେରୁଥିଲେ ପ୍ରସନ୍ନ ।  ରାତି ପ୍ରାୟ ସାଢେ ୧୨ଟାରେ ରେଢାଖୋଲ ବେଲଡିହି ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସାମ୍ନାପଟୁ ଆସୁଥିବା ଏକ ଗ୍ଯାସ ଟ୍ଯାଙ୍କର ପ୍ରସନ୍ନଙ୍କ ଇନୋଭା କାରକୁ ଧକ୍କା ଦେଇଥିଲା । ଡ୍ରାଇଭରଙ୍କ କହିବା ଅନୁସାରେ ଟ୍ଯାଙ୍କରର ସ୍ପିଡ୍ ପ୍ରାୟ ଘଣ୍ଟାପ୍ରତି ୭୦ କିଲୋମିଟର ରହିଥିଲା । ଟ୍ଯାଙ୍କରଟି ହେଡ୍ ଲାଇଟ ପକାଇଆସୁଥିଲା । ପ୍ରସନ୍ନଙ୍କ କାର ଡ୍ରାଇଭର ଡିପର ଲାଇଟ୍ ପାଇଁ ଇଣ୍ଡିକେସନ ଦେଇଥିଲେ ମଧ୍ଯ ଟ୍ଯାଙ୍କର ଡ୍ରାଇଭର ଡିପର ଲାଇଟ ପକାଇନଥିଲେ ।  ରାସ୍ତାଟି ଅଣଓସାରିଆ ହୋଇଥିବାରୁ କାରକୁ ସାଇଡ କରିପାରିନଥିଲେ ଡ୍ରାଇଭର । ଫଳରେ ସାମ୍ନାପଟୁ ଟ୍ଯାଙ୍କରଟି କାରକୁ ଧକ୍କା ଦେଇଥିଲେ । ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲାଯେ ପ୍ରସନ୍ନଙ୍କ କାରର ସମ୍ମୁଖଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଫଳରେ ପ୍ରସନ୍ନ ଆଚାର୍ଯ୍ୟ, ତାଙ୍କ ପିଏସଓ ଓ ଡ୍ରାଇଭର ଆହତ ହୋଇଥିଲେ । ପ୍ରସନ୍ନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଢାଖୋଲ ଓ ପରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ଯବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ଏୟାରଲିଫ୍ଟ କରାଯାଇଛି । ପିଏସଓ ଓ ଡ୍ରାଇଭରଙ୍କ ଅବସ୍ଥା ସ୍ଥିର ରହିଛି ।

ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରାର୍ଥିନୀ ଇରାନୀ ରାୟ

ନୟାଗଡ଼ ବିଜେପିକୁ ବଡ଼ ଝଟକା । ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରାର୍ଥିନୀ ଇରାନୀ ରାୟ । ଦଳର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଦଳର ରାଜ୍ଯ ସଭାପତି ମନମୋହନ ସାମଲଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଇରାନୀଙ୍କ ସହ ତାଙ୍କ ସ୍ବାମୀ ତଥା ବିଜେପି ନେତା ଲାଲାମନୋଜ ରାୟ ମଧ୍ଯ ବିଜେପିରୁ ଇସ୍ତଫା ଦେଇଛନ୍ତି । ଇରାନୀଙ୍କ ଅଭିଯୋଗ ଅନୁସାରେ ଗତ ୮ରୁ ୯ମାସ ଧରି ତାଙ୍କୁ ଦଳରେ ଅଣଦେଖା କରାଯାଉଥିଲା । ତାଙ୍କ ସ୍ବାମୀ ଲାଲାମନୋଜ ରାୟଙ୍କୁ ମଧ୍ଯ ଦଳୀୟ ନେତୃତ୍ବ ଅଣଦେଖା କରିବା ସହ ବିନା ଆଲୋଚନା ଜିଲ୍ଲା ବିଜେପି ସଭାପତି ପଦରୁ ହଟାଇଦେଇଥିଲେ । ଇରାନୀ ୨୦୧୯ ମସିହାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଲଢେଇ କରିଥିଲେ ।

ବିଆରଏସ ନେତ୍ରୀ କେ. କବିତାଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ହାଇଦ୍ରାବାଦ: ଦିଲ୍ଲୀ ମଦନୀତି ମାମଲା। ବିଆରଏସ ନେତ୍ରୀ କେ. କବିତାଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି କବିତାଙ୍କ ହାଇଦ୍ରାବାଦ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ୍ କରାଯାଇଥିଲା। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେସିଆରଙ୍କ ଝିଅ କବିତାଙ୍କୁ ଇଡିରେ ହାଜର ହେବାପାଇଁ ନୋଟିସ ହୋଇଥିଲା। ପୂର୍ବରୁ ଏହି ମାମଲାରେ ତାଙ୍କୁ ପଚରାଉଚରା କରାଯାଇଥିଲା। ଚଳିତ ବର୍ଷ ୨ଥର ସମନ ହୋଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ବାରମ୍ବାର ସମନ ସତ୍ତ୍ବେ ହାଜର ହୋଇନଥିବାରୁ ଆଜି ତାଙ୍କ ଘରେ ରେଡ୍ ମାରିଥିଲା ଇଡି । ତେବେ ଦୀର୍ଘ ସମୟ ଧରି ଜେରା ପରେ କବିତାଙ୍କୁ ଗିରଫ କରିଛି ଇଡି। ଗିରଫ ପରେ ତାଙ୍କୁ ଦିଲ୍ଲୀ ଅଣାଯାଉଛି। ଗିରଫକୁ ପ୍ରତିବାଦ କରି କବିତାଙ୍କ ଘର ଆଗରେ ବିଆରଏସ କର୍ମୀଙ୍କ ବିକ୍ଷୋଭ।   ଦିଲ୍ଲୀ ମଦନୀତି ମାମଲାରେ ସାଉଥ ଗ୍ରୁପରେ କବିତାଙ୍କ ମୁଖ୍ୟଭୂମିକା ଥିବା ଇଡି ଆରୋପ କରିଛି । ଅନ୍ୟମାନଙ୍କ ମଧ୍ୟରେ ହାଇଦ୍ରାବାଦର ବିଜିନେସମ୍ୟାନ ଶରଥ ରେଡ୍ଡୀ, ଓ୍ବାଇଏସଆର କଂଗ୍ରେସ ସାଂସଦ ଏମ. ଶ୍ରୀନିବାସୁଲୁ ରେଡ୍ଡୀ ଓ ତାଙ୍କ ପୁଅ ରାଘବ ଏମ ରେଡ୍ଡୀ ସାମିଲ ଥିବା ଇଡି କହିଛି।

ବିନା ପରୀକ୍ଷାରେ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଇଲେକ୍ଟ୍ରିସିଆନ୍ ଓ ଓ୍ବାୟାରମ୍ୟାନ ଲାଇସେନ୍ସ

ଭୁବନେଶ୍ବର: ନିଯୁକ୍ତି ସୃଷ୍ଟିରେ ରେକର୍ଡ କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଗୋଟିଏ ଲେଖାଏଁ ବିଭାଗ ନିଯୁକ୍ତିର ଅପାର ସୁଯୋଗ ଆଣିଛନ୍ତି । ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ଇଲେକ୍ଟ୍ରିସିଆନ୍ ଏବଂ ଓୟାରମ୍ୟାନ୍ ନିଯୁକ୍ତି ପାଇଁ ଲାଇସେନ୍ସ ପ୍ରଦାନ କରୁଛି ଶକ୍ତି ବିଭାଗ । ଯେଉଁମାନେ ଆଇଟିଆଇ ପାସ୍ କରିନାହାନ୍ତି ସେମାନେ ଅନଲାଇନ୍ ଯୋଗେ ଆବେଦନ କରିପାରିବେ । ଆବେଦନ କରିବାର ଓ୍ବେବ୍ସାଇଟ୍ ହେଉଛି edistrict.odisha.gov.in. । ଆବେଦନ ପରେ ଇଲେକ୍ଟ୍ରିକାଲ୍ସ୍ ଲାଇସେନ୍ସିଂ ବୋର୍ଡ ଅଫ୍ ଓଡ଼ିଶା ପରୀକ୍ଷା କରି ଲାଇସେନ୍ସ ପ୍ରଦାନ କରିବେ । ଏହି ବ୍ୟବସ୍ଥାରେ ବର୍ଷକୁ ୧୫ରୁ ୨୦ ହଜାର ଲାଇସେନ୍ସ୍ ପ୍ରଦାନ କରୁଛି ଶକ୍ତି ବିଭାଗ ।

ବିଦ୍ୟୁତ ରକ୍ଷଣାବେକ୍ଷଣ କାମ ଅତ୍ଯନ୍ତ ବିପଦପୂର୍ଣ୍ଣ । ଲାଇସେନ୍ସ୍ ନଥାଇ ଦୁର୍ଘଟଣାର ଶିକାର ହେଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ପରିବାରକୁ କୌଣସି ପ୍ରକାର କ୍ଷତିପୂରଣ ପ୍ରଦାନ କରାଯାଏନି । ଯେଉଁଥିପାଇଁ ଓଡ଼ିଶା ବିଦ୍ୟୁତ ସଂସ୍କାର ଆଇନ୍ ୨୦୦୩ ଅନୁଯାୟୀ ଲାଇସେନ୍ସ୍ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଓଡ଼ିଶା ସରକାର ନିଯୁକ୍ତି ପ୍ରଦାନ କରିବାରେ ଦେଶରେ ଅଗ୍ରଣୀ ରାଜ୍ୟ । ପ୍ରଶିକ୍ଷିତ ଓ ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ଲାଇସେନ୍ସ୍ ପ୍ରଦାନ କରାଯିବାରୁ ସରକାରୀ ଓ ଘରୋଇ କମ୍ପାନୀରେ ବ୍ୟାପକ ନିଯୁକ୍ତି ମିଳିପାରୁଛି ।

ବିଦ୍ୟୁତ ସେବା ପାଇଁ ଗୁଣାତ୍ମକ କର୍ମଚାରୀ ଚୟନ ଏକ ବଡ଼ ଚାଲେଞ୍ଜ । ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଏହି ଚାଲେଞ୍ଜକୁ ମୁକାବିଲା କରିବାରେ ନୂଆ ଉଦାହରଣ ସୃଷ୍ଟି କରିପାରିଛି ।

 

ନବୀନ ନିବାସରେ ଜନସାଧାରଣଙ୍କ ସହ ତୃଣମୂଳସ୍ତରର ନିର୍ବାଚିତ ଜନପ୍ରତିନିଧିଙ୍କ ଭିଡ଼, ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଜଣାଉଛନ୍ତି ଧନ୍ୟବାଦ

ଭୁବନେଶ୍ବର: ସମ୍ବଲପୁର ରେଙ୍ଗାଲି ଓ ବାମଣ୍ଡା, ଖୋର୍ଦ୍ଧାର ବୋଲଗଡ଼ ପରି ୧୩ ଜିଲ୍ଲାର ୨୨ଟି  ନୂଆ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମହାନଗର ନିଗମ, ମ୍ୟୁନିସିପାଲିଟି, ବିଜ୍ଞାପିତ  ଅଂଚଳ ପରିଷଦ ମେୟର, ଡ଼େପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲଙ୍କ ଭତ୍ତା ଓ ପାରିତୋଷିତ ବୃଦ୍ଧି କରାଯାଇଛି । ଆଉ ଏସବୁ ପାଇଁ ବିଭିନ୍ନ ଜିଲ୍ଲାର ଜନସାଧାରଣଙ୍କ ସହ ତୃଣମୂଳସ୍ତରର ନିର୍ବାଚିତ ଜନପ୍ରତିନିଧିଙ୍କ ଭିଡ଼ ଲାଗିଛି ନବୀନ ନିବାସରେ । ଶହ ଶହ ସଂଖ୍ୟାରେ ଅଞ୍ଚଳବାସୀ ପ୍ରତିଦିନ ନବୀନ ନିବାସ ଆସୁଛନ୍ତି । ସମସ୍ତଙ୍କ ମୁହଁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଶଂସା । ହାତରେ ବ୍ୟାନର ଓ ପୋଷ୍ଟର ଧରି ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ଦେଇ ନବୀନ ନିବାସକୁ ଆସୁଛନ୍ତି । ଜନସଂଖ୍ୟା ଓ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ଏନଏସି ଓ ମ୍ୟୁନିସିପାଲଟି ଘୋଷଣା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ସର୍ବନିମ୍ନ ମଜୁରୀ ବୃଦ୍ଧି ପରେ ବିଭିନ୍ନ ଶ୍ରମିକ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅନ୍ୟପଟେ ତୃଣମୂଳସ୍ତରରେ ଜନପ୍ରତିନିଧିମାନଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ନବୀନ ନିବାସ ଆଗରେ । ରାଜ୍ୟ ସରକାର କରୁଥିବା ବିଭିନ୍ନ ଲୋକାଭିମୁଖି ଯୋଜନାକୁ ଗ୍ରାଉଣ୍ଡରେ ଶତ ପ୍ରତିଶତ ସଫଳ କରୁଥିବା ଜନପ୍ରତିନିଧିମାନଙ୍କ ଭତ୍ତା ଓ ପାରିତୋଷିତ ବୃଦ୍ଧି ହୋଇଥିବାରୁ ସଭିଏଁ ଖୁସି ପ୍ରକାଶ କରିଛନ୍ତି । ମେୟର , କର୍ପୋରେଟର, ଡ଼େପୁଟି ମେୟର, ଓ ଜିଲ୍ଲା ପରିଷଦର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଭେଟି  ଧନ୍ୟବାଦ ଦେଇଛନ୍ତି  ।

ଗତ ଦୁଇ ଦଶନ୍ଧିରେ ଓଡ଼ିଶା ଦେଖିଛି ବ୍ୟାପକ ରୂପାନ୍ତରଣ । ନବୀନଙ୍କ ଦୃଢ ନେତୃତ୍ବ ଯୋଗୁଁ ଏସବୁ ସମ୍ଭବ ହୋଇପାରିଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ଶୁଭେଚ୍ଛା  ଓ ଧନ୍ୟବାଦ ପାଇଁ ପ୍ରତିଦିନ ନବୀନ ନିବାସ ଆଗରେ ଭିଡ଼ ଲାଗୁଛି । ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକାଶ କାର୍ଯ୍ୟକ୍ରମ ଜାରି ରଖିଥିବାରୁ, ସମସ୍ତଙ୍କ ହୃଦୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି ।