ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କଟାକ୍ଷ। ଚକ୍ଷୁ ଅପରେସନ ପରେ ବୈଜୟନ୍ତଙ୍କ ବୁଦ୍ଧି ଭ୍ରମ ହୋଇଛି ବୋଲି ସନ୍ଦେହ ବ୍ଯକ୍ତ କରିଛନ୍ତି ସସ୍ମିତ। ତାଙ୍କ ବୌଦ୍ଧିକତାରେ କିଛି ଗଡ଼ବଡ଼ ଘଟିଛି ବୋଲି ସସ୍ମିତ କହିଛନ୍ତି। ସେ କହିଛନ୍ତି- ବୈଜୟନ୍ତ ଏବେ ହସ୍ପିଟାଲରୁ ବାହାରିଛନ୍ତି। ତାଙ୍କର କୃତ୍ରିମ କିମ୍ବା ବାସ୍ତବ ବୌଦ୍ଧିକତାରେ କିଛି ଗଡ଼ବଡ ହୋଇଛି ବୋଲି ସେ ଅନୁଭବ କରୁଛନ୍ତି। ଏହା ଛଡ଼ା ବୈଜୟନ୍ତଙ୍କ ଆରୋଗ୍ଯ କାମନା କରିଛନ୍ତି ସସ୍ମିତ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଏକ ଅଶାଳୀନ ମନ୍ତବ୍ଯ ଦେଇଥିଲେ ବୈଜୟନ୍ତ। ଏହାକୁ ବିଭିନ୍ମ ମହଲରୁ କରାଯାଇଥିଲା ସମାଲୋଚନା।
ଟିଟିଲାଗଡ଼ ସହରରେ ଟୁକୁନି ସାହୁଙ୍କ ପ୍ରଚାର
ଟିଟିଲାଗଡ଼: ନିର୍ବାଚନ ତାରିଖ ଯେତେ ପାଖଉଛି, ପ୍ରଚାର ସେତେ ସରଗରମ ହେଉଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଟୁକୁନି ସାହୁ ସହରର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପ୍ରଚାର ଚଲାଇଛନ୍ତି । ସମର୍ଥକ ମାନେ ଏକ ବାଇକ ରାଲିରେ ଟୁକୁନିଙ୍କୁ ପାଛୋଟି ନେଇଥିଲେ ।
ଏହାପରେ ୧ ନମ୍ବର ୱାର୍ଡରୁ ପ୍ରଚାର ଆରମ୍ଭ କରିଛନ୍ତି ଟୁକୁନି ସାହୁ । ଗତକାଲି ମ୍ୟୁନିସିପାଲଟିର ୧, ୨ ଓ ୩ ନମ୍ବର ୱାର୍ଡରେ ଘରକୁ ଘର ଓ ଛକ ଛକରେ ବୁଲି ଲୋକଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ବିଜେଡିକୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ଟୁକୁନି ।
ସେ କହିଛନ୍ତି, ‘ଲୋକଙ୍କ ପାଇଁ ବିଜେଡି ସବୁ ବେଳେ ଅଛି ଓ ରହିବ। ଟିଟିଲାଗଡ ସହର ଓ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାମ କରାଯାଉଛି । ସରକାରଙ୍କ ତରଫରୁ ଲୋକଙ୍କ ସହାୟତା ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରାଯାଇଛି । BSKY କାର୍ଡ ଲୋକଙ୍କ ପାଇଁ ବରଦାନ ସାଜିଛି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ହେଉଥିବା ବିକାଶ କାର୍ଯ୍ୟ କହୁଛି ଲୋକେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରରେ ଭୋଟ ଦେଇ ଜୟଯୁକ୍ତ କରାଇବେ ।’
ସମ୍ବଲପୁରରେ ପ୍ରଣବଙ୍କ ଜୋରଦାର ପ୍ରଚାର
ସମ୍ବଲପୁର: ସକାଳୁ ସକାଳୁ ପ୍ରଚାରକୁ ଜୋରଦାର କରିଛନ୍ତି ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ପ୍ରଥମେ ସିଭିଲ ସୋସାଇଟିର ସଦସ୍ୟଙ୍କୁ ଭେଟି ଆଲୋଚନା କରିବା ସହ ବିଜେଡି ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥିଲେ । ସଦସ୍ୟମାନେ ପ୍ରଣବଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସମର୍ଥନ ଘୋଷଣା କରିଛନ୍ତି ।
ପରେ ବ୍ରହ୍ମକୁମାରୀ ଭଉଣୀମାନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ପ୍ରଣବ । ପ୍ରଣବ ପହଞ୍ଚିବା ପରେ ବ୍ରହ୍ମକୁମାରୀମାନେ ତାଙ୍କୁ ସ୍ବାଗତ କରି ପ୍ରାର୍ଥନା ଗୃହକୁ ନେଇଥିଲେ । ସେଠାରେ ପ୍ରାର୍ଥନା ପରେ ସମସ୍ତ ଭଉଣୀ ଏବଂ ଭାଇମାନେ ପ୍ରଣବଙ୍କୁ ଆଶୀର୍ବାଦ ଦେଇଥିଲେ । ଏହାସହ ସମ୍ବଲପୁରର ସାମଗ୍ରିକ ବିକାଶ ପାଇଁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା ।
ପରେ ରାଧେ ଗୋବିନ୍ଦ ଧାମରେ ପହଞ୍ଚିଥିଲେ ବିଜେଡି ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ରାଧେଗୋବିନ୍ଦ ଧାମର ସଦସ୍ୟମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ପ୍ରଣବ । ଏହି ଅବସରରେ ପ୍ରଣବ କହିଥିଲେ, ‘ସମ୍ବଲପୁରବାସୀଙ୍କ ଅକୁଣ୍ଠ ସମର୍ଥନ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଧର୍ମ ଓ ସବୁବର୍ଗର ଲୋକଙ୍କୁ ଭଲପାଆନ୍ତି । ତେଣୁ ସମ୍ବଲପୁରରେ ବିଜେଡି ସାଂସଦ ଆସନ ସହିତ ସମସ୍ତ ବିଧାନସଭା ଆସନରେ ବିଜୟୀ ହେବ ।’

