spot_img
Home Blog Page 1942

ବିଜେପିକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଆହ୍ବାନ ଦେଲେ ପାଣ୍ଡିଆନ

ହିନ୍ଦୋଳ: ବିଜେପି ଗତ ୧୦ ବର୍ଷ ହେଲା କେନ୍ଦ୍ରରେ ସରକାରରେ ଅଛି । କିନ୍ତୁ ଓଡିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁନି । ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମକକ୍ଷ ଚେହେରା ନାହାଁନ୍ତି । ଯେଉଁଥିପାଇଁ ଦଳ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିପାରୁନାହିଁ । ଆଜି ହିନ୍ଦୋଳରେ ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅବସରରେ ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବିଜେପିକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଆହ୍ବାନ ଦେଇଛନ୍ତି ।

ସେ ବିଜେପିକୁ ଆକ୍ଷେପ କରି କହିଛନ୍ତି ଯେ, ଆଜି ବିଜେପିର ବରିଷ୍ଠ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଶୁଣିବାକୁ ମିଳୁଥିଲା ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବ । ଜଣେ ମହିଳାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବରିଷ୍ଠ ନେତାଙ୍କ ମଧ୍ୟରେ ସହମତି ହୋଇପାରିଲାନି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିନ୍ଦୋଳରୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି ଓ ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି । ଓଡିଶାବାସୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।

ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ କରିବାକୁ ଉଦ୍ୟମ ହୋଇଥିଲା । ଏଥିପାଇଁ ବିଜେପୁରବାସୀ ବିଜେପିକୁ ୪୦ ହଜାର ଭୋଟ ବ୍ୟବଧାନରେ ହରାଇଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସରୁ ଫେରିବା ସମୟରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରରୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରାଯାଇଥିଲା । ଯାହାର ଫଳସ୍ବରୂପ ବିଜେପି ୩୦ରୁ ୩୦ ଜିଲ୍ଲା ଜିଲ୍ଲାଷଦରେ ହାରିଥିଲା । ପ୍ରଧାନମନ୍ତ୍ରୀ ସୋଲାର ଏନର୍ଜିରେ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ ଏଥିପାଇଁ ଲୋକଙ୍କୁ ୫୦ ହଜାର ଖର୍ଚ୍ଚ କରି ସୋଲାର ପ୍ୟାନେଲ ଲଗାଇବାକୁ ପଡିବ । ମାଗଣା ବିଜୁଳି ନାଁରେ ଲୋକଙ୍କୁ ବିଜେପି ଭୁଆଁ ବୁଲାଉଛି ବୋଲି ସେ କହିଛନ୍ତି । ନବୀନ ପଟ୍ଟନାୟକ କିନ୍ତୁ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । ଜୁନ ୯ ତାରିଖରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏ ସମ୍ପର୍କିତ ଫାଇଲକୁ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିବେ ।

ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଭେଳିକି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିଲାନି ଓଡ଼ିଶା ବିଜେପି । ଏନେଇ ବିଜେପିକୁ କଟାକ୍ଷ କରି ସାସଂଦ ସସ୍ମିତ ପାତ୍ର ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଆଜି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ନେଇ ଶୁଣିଥିଲୁ । ହେଲେ ବିଜେପିରେ ଆଶାୟୀଙ୍କ ମଧ୍ୟରେ କଳି ଯୋଗୁଁ ନାଁ ଘୋଷଣା ହୋଇପାରିଲାନି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଓଡ଼ିଶା ବିଜେପି ୪ଖଣ୍ଡ ହୋଇଯିବ ।

ଜୟପୁରରେ ବୋମା ବିସ୍ଫୋରଣରେ ସ୍କୁଲ ଉଡାଇବାକୁ ଆସିଲା ଧମକ

ଜୟପୁର: ରାଜସ୍ଥାନର ଜୟପୁରର ବିମାନବନ୍ଦର ପରେ ୬ ରୁ ଅଧିକ ସ୍କୁଲକୁ ବୋମା ଆକ୍ରମଣ ଧମକ ମିଳିଛି । ଇ-ମେଲ ମାଧ୍ୟମରେ ଏହି ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ ମେଲଗୁଡିକ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କ ଇ-ମେଲ୍ ଆଇଡିକୁ ପଠାଯାଇଛି  । ମେଲ୍‌ରେ ଲେଖାଯାଇଛି ଯେ ସ୍କୁଲ ପରସରରେ ବିସ୍ଫୋରଣ ହେବାକୁ ଯାଉଛି। ମେଲ୍ ପାଇବା ମାତ୍ରେ ସ୍କୁଲରେ ଆତଙ୍କ ଖେଳିଯାଇଛି। ମେଲ୍‌ ଆସିବା ପରେ ସଙ୍ଗେ ସଙ୍ଗେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀରୁ ବାହାର କରି ଦିଆଯାଇଛି। ତା’ପରେ ପୋଲିସକୁ ଏ ସମ୍ପର୍କରେ ଖବର ଦିଆଯାଇଛି ।

 

ଧମକପୂର୍ଣ୍ଣ ଇ-ମେଲ୍ ମୋତି ଡୁଙ୍ଗରିରେ ଅବସ୍ଥିତ ଏମପିଏସ୍ ସ୍କୁଲ୍କୁ ପ୍ରଥମେ ଏହି ଧମକ ମିଳିଥିଲା   । ଖବର ପାଇ ବୋମା ନିଷ୍କ୍ରିୟକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ମେଲ ପଠାଇଥିବା ବ୍ୟକ୍ତିଙ୍କ ଇମେଲ ଆଇଡି ବିଷୟରେ ପୋଲିସ ଖୋଳତାଡ କରୁଛି। ପୋଲିସ କହିଛି ଯେ ପ୍ରାୟ ୬ରୁ ଅଧିକ ସ୍କୁଲକୁ ଏଭଳି ଧମକ ମିଳିଛି। ସମସ୍ତ ସ୍କୁଲରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

 

ମୋତି ଡୁଙ୍ଗ୍ରିରେ ଥିବା ଏମପିଏସ୍ ସ୍କୁଲ ସମେତ ମାନକ ଚୌକ୍, ବିଦ୍ୟାଧର ନଗର, ବୈଶାଲୀ ନଗର, ନିୱାରୁ ରୋଡରେ ଥିବା ବିଦ୍ୟାଳୟଗୁଡ଼ିକୁ ବିସ୍ଫୋରଣ କରିବାର ଧମକ ଦିଆଯାଇଥିଲା। ମାଲପୁରଗେଟ୍ ବାମ୍ବାଲା ପୁଲିଆରେ ଅବସ୍ଥିତ ବିଦ୍ୟାଳୟକୁ ମଧ୍ୟ ବୋମାରେ ଉଡାଇଦେବା ପାଇଁ ଧମକ ମିଳିଛି ।

 

କିଛି ଦିନ ପୂର୍ବରୁ ଜୟପୁର ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇ ଦେବା ପାଇଁ ଧମକ ମିଳିଥିଲା। ରବିବାର ମଧ୍ୟ ସମାନ ମେଲ୍‌ ଆସିଥିଲା।ଏହି ଧମକ ପରେ ବିମାନବନ୍ଦରରେ ସୁରକ୍ଷା କର୍ମୀ, ପୋଲିସ ଏବଂ ବୋମା ନିଷ୍କାସନକାରୀ ଦଳ ନିୟୋଜିତ ହୋଇଥିଲେ। ଜୟପୁର ବିମାନବନ୍ଦରକୁ ଷଷ୍ଠ ଥର ପାଇଁ ବୋମା ଧମକ ମିଳିଛି।

ସେୟାର ବଜାର କ୍ରାସ୍‌, ଅଧଘଣ୍ଟାରେ ନିବେଶକ ହରାଇଲେ ୪.୩୬ ଲକ୍ଷ କୋଟି

ମୁମ୍ବାଇ: ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ଅସ୍ଥିରତା ଏବଂ ମୁଦ୍ରାସ୍ଫୀତି ତଥ୍ୟ ଆସିବା ପୂର୍ବରୁ ସୋମବାର ସକାଳେ ଷ୍ଟକ୍ ମାର୍କେଟ ଅଧ ଘଣ୍ଟା ମଧ୍ୟରେ କ୍ରାସ୍‌ ହୋଇଛି। BSE ତଥ୍ୟ ଅନୁଯାୟୀ, ସେନ୍‌ସେକ୍ସ ୭୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିବାବେଳେ ନିଫ୍ଟି ମଧ୍ୟ ୨୨ ହଜାର ପଏଣ୍ଟରୁ ଖସି ଆସିଛି। ଟାଟା ମୋଟର୍ସ ବ୍ୟତୀତ ଟାଟା ଷ୍ଟିଲ, ମାରୁତି, ଏନଟିପିସି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାରରେ ଏକ ବଡ଼ ହ୍ରାସ ଘଟିଛି।

 

ଏହି ପତନ ହେତୁ ଷ୍ଟକ୍ ମାର୍କେଟରେ ୧୭ କୋଟିରୁ ଅଧିକ ନିବେଶକ ଅଧ ଘଣ୍ଟା ମଧ୍ୟରେ ୪.୩୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ସୋମବାର ସେୟାର ମାର୍କେଟରେ ଏକ ବଡ ହ୍ରାସ ଦେଖିବାକୁ ମିଳିଛି  । ମାତ୍ର ଅଧ ଘଣ୍ଟା ମଧ୍ୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ମୁଖ୍ୟ ସୂଚକାଙ୍କ ସେନ୍ସେକ୍ସ ୭୧୩.୭୮ ପଏଣ୍ଟ ହ୍ରାସ ପାଇ ୭୧,୯୫୦.୬୯ ପଏଣ୍ଟରେ ପହଞ୍ଚିଛି  ।

 

ତଥାପି, ସକାଳ ୧୦ ଟାରେ ସେନସେକ୍ସ ୬୯୦ ପଏଣ୍ଟ ହ୍ରାସ ସହିତ ୭୨  ହଜାର ପଏଣ୍ଟ ସ୍ତରରେ କାରବାର କରୁଛି  । ଅନ୍ୟପକ୍ଷରେ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ମୁଖ୍ୟ ସୂଚକାଙ୍କ ୧୮୨.୨୦ ପଏଣ୍ଟ ହ୍ରାସ ସହିତ ୨୧,୮୭୩ ପଏଣ୍ଟରେ କାରବାର କରୁଛି  ।

 

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ଟାଟା ମୋଟର୍ସ ସେୟାରରେ ଏକ ବଡ଼ ହ୍ରାସ ଘଟିଛି  । ଟାଟା ମୋଟର୍ସ ସେୟାରଗୁଡିକ ୮.୪୩ ପ୍ରତିଶତ ହ୍ରାସ ସହିତ କାରବାର କରୁଛି  । ଅନ୍ୟପକ୍ଷରେ, ବିପିସିଏଲର ସେୟାରରେ ୨.୮୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳୁଛି। ONGC ସେୟାରଗୁଡିକ ୨.୧୮ ପ୍ରତିଶତ ହ୍ରାସ ସହିତ କାରବାର କରୁଛି  । ହିରୋ ମୋଟର୍ସ ଏବଂ କୋଇଲା ଇଣ୍ଡିଆର ସେୟାର ୨ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଦେଶର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ସେୟାରଗୁଡିକ ୧.୩୦ ପ୍ରତିଶତ ହ୍ରାସ ସହିତ କାରବାର କରୁଛି  । ଏସବିଆଇ ସେୟାରରେ ଦେଢ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।

 

ସେୟାର ବଜାରରେ ହ୍ରାସ ହେତୁ ନିବେଶକମାନେ ମାତ୍ର ଅଧ ଘଣ୍ଟା ମଧ୍ୟରେ ବହୁତ କ୍ଷତି ସହିଛନ୍ତି। ତଥ୍ୟ ଅନୁଯାୟୀ, ସକାଳ ୯ଟା ୪୫ ସୁଦ୍ଧା ବିଏସଇର ବଜାର କ୍ୟାପ୍ ୩,୯୨,୧୯,୭୭୪.୨୯ ଲକ୍ଷ କୋଟିରେ ପହଞ୍ଚିଛି। ଶୁକ୍ରବାର ଦିନ ବଜାର ବନ୍ଦ ହେବା ପରେ ବିଏସଇର ବଜାର କ୍ୟାପ୍ ୩,୯୬,୫୬,୪୪୦.୮୩ ଲକ୍ଷ କୋଟି ଥିଲା। ଏହାର ଅର୍ଥ ହେଉଛି ନିବେଶକମାନେ ୪.୩୬ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି।

 

ଲୋକସଭା ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଅଭିନେତା ଅଭିନେତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଚଳିତ ଲୋକସଭା ନିର୍ବାଚନରେ ଷ୍ଟାର ୱାର। ବିଭିନ୍ନ ଦଳ ଭରସା କରିଛନ୍ତି ଚଳଚ୍ଚିତ୍ର ଓ କ୍ରିକେଟ ତାରକାଙ୍କ ଉପରେ। ଉତ୍ତରପ୍ରଦେଶ ମଥୁରାରୁ ବିଜେପି ପକ୍ଷରୁ ପ୍ରାର୍ଥୀ ଅଛନ୍ତି ଅଭିନେତ୍ରୀ ହେମାମାଳିନୀ। ଉତ୍ତରପ୍ରଦେଶ ମିରଟରୁ ବିଜେପିରୁ ପ୍ରାର୍ଥୀ ଅଛନ୍ତି ରାମାୟଣର ରାମ ଅଭିନେତା ଅରୁଣ ଗୋଭିଲ।

ସେହିପରି ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶ ମଣ୍ଡିରୁ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ଯ ସିଂଙ୍କ ବିରୋଧରେ ଲଢୁଛନ୍ତି। ବିଜେପି ଟିକେଟରୁ ନର୍ଥ ଇଷ୍ଟ ଦିଲ୍ଲୀରୁ ଲଢୁଛନ୍ତି ଭୋଜପୁରୀ ଅଭିନେତା ମନୋଜ ତିୱାରୀ। ତାଙ୍କ ବିରୋଧରେ ଲଢୁଛନ୍ତି କଂଗ୍ରେସର କହ୍ନେୟା କୁମାର। ଉତ୍ତ

ରପ୍ରଦେଶ ଗୋରଖପୁରରୁ ବିଜେପିରୁ ଲଢୁଛନ୍ତି ଅଭିନେତା ରବି କିଷନ। ଥ୍ରୀଶୂର କେରଳରୁ ବିଜେପି ପକ୍ଷରୁ ଲଢୁଛନ୍ତି ସୁପରଷ୍ଟାର ସୁରଶ ଗୋପୀ। ଅଭିନେତା କ୍ରିଷ୍ଣକୁମାର ଲଢୁଛନ୍ତି କେରଳ କୋଲମରୁ। ଅଭିନେତା ରାଜ ବବର ଗୁରୁଗାଓଁ ହରିଆଣାରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ସୁପରଷ୍ଟାର ଶତୃଘ୍ନ ସିହ୍ନା ପଶ୍ଚିମବଙ୍ଗ ଆସନସୋଲରୁ ଟିଏମସି ଟିକେଟରୁ ଲଢୁଛନ୍ତି।

ହୁଗଲି ପଶ୍ଚିମବଙ୍ଗରୁ ଟିଏମସି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ। ପଶ୍ଚିମବଙ୍ଗ ବୀରଭୂମରୁ ଲଢୁଛନ୍ତି ଅଭିନେତ୍ରୀ ଶତାବ୍ଦୀ ରୟ। ସେ ଟିଏମସି ପ୍ରାର୍ଥୀ ଅଛନ୍ତି। ସେହିପରି କ୍ରିକେଟ ତାରକା ୟୁସୁଫ ପଠାନ ପଶ୍ଚିମବଙ୍ଗ ବରହମପୁରରୁ ଟିଏମସି ପ୍ରାର୍ଥୀ ଅଛନ୍ତି। କ୍ରିକେଟ ତାରକା କୀର୍ତ୍ତି ଆଜାଦ ହୋଇଛନ୍ତି ପଶ୍ଚିମବଙ୍ଗ ବର୍ଦ୍ଧମାନରୁ ଟିଏମସି ପ୍ରାର୍ଥୀ।

ଭୋଟିଂରେ ତ୍ରୁଟି ଥିଲେ ବ୍ୟସ୍ତ ନ ହେବାକୁ ଭୋଟରଙ୍କୁ ପରାମର୍ଶ ଦେଲେ CEO

ଭୁବନେଶ୍ବର: ଆଜିର ଭୋଟିଂ ଥିମ ହେଉଛି ଭୋଟ ଦେଉଛି ଓଡିଶା । ୭୩୦୩ ବୁଥରେ ଭୋଟ ଦେଉଛନ୍ତି ମତଦାତା । ଭୋର ସାଢେ ୫ଟାରୁ ମକ୍‌ ପୋଲ୍‌ ହୋଇଛି । ମକ୍‌ ପୋଲ ସମୟରେ କିଛି ବୁଥରେ ଇଭିଏମ ଖରାପ ହୋଇଛି । ଏହାକୁ ରିପ୍ଲେସ କରାଯାଇଛି । ୭୩୦୩ ବୁଥରୁ ବାଲଟ ୟୁନିଟ ୫୨ ରିପ୍ଲେସ ହୋଇଛି । କଣ୍ଟ୍ରୋଲ ୟୁନିଟ ୫୮ ପରିବର୍ତ୍ତନ ହୋଇଛି । ଭିଭିପାଟ ୪୩ ପରିବର୍ତ୍ତନ ହୋଇଛି । ଏହା ମୋଟ ବୁଥର ୧ ପ୍ରତିଶତରୁ କମ ।

କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଅଧିକ ପରିବର୍ତ୍ତନ ହୋଇଛି । ଯେଉଁଠି ୧୦ ଟି ବାଲଟ ୟୁନିଟ, ୪୧ ଟି କଣ୍ଟ୍ରୋଲ ୟୁନିଟ ଓ ୧୯ଟି ଭିଭିପାଟ ପରିବର୍ତ୍ତନ ହୋଇଛି । ଇଭିଏମ କମିଶନ ବେଳେ ଏଠାରେ ସମସ୍ୟା ରହିବ ବୋଲି ସୂଚନା ରହିଥିଲା । ସେଥିପାଇଁ ୫୦ ପ୍ରତିଶତ ଅଧିକ ଇଭିଏମ କମିଶନ ହୋଇଛି ।

ମକ ପୋଲ ସମୟରେ ଏହି ତ୍ରୁଟି ଜଣାପଡିଯାଏ । ସେଥିପାଇଁ ଭୋଟରଙ୍କୁ ବ୍ୟସ୍ତ ହେବାର ନାହିଁ । ୨୫ ପ୍ରତିଶତ ବାଲଟ ୟୁନିଟ ଓ କଣ୍ଟ୍ରୋଲ ୟୁନିଟ କମିଶନ ହୋଇଥାଏ । ୩୫ ପ୍ରତିଶତ ଭିଭିପାଟ ଥାଏ ବୋଲି ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

୪ ଲୋକସଭା କ୍ଷେତ୍ରର ସମସ୍ତ ଭୋଟରଙ୍କୁ  ଆଶ୍ୱସ୍ତ କରୁଛି । ଯେଉଁଠାରେ ଇଭିଏମ ତ୍ରୁଟି ହେବ ୩୦ ମିନିଟ ଭିତରେ ଆମେ ସମାଧାନ କରିଦେବୁ । ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ପାଗ ଅନୁକୂଳ ଥିବାରୁ ବହୁ ଲୋକ ବୁଥ ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି । ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟରେ ସବୁବେଳେ ଭଲ ଭୋଟିଂ ହୋଇଥାଏ ।

ସ୍ୱାଭିମାନ ଅଞ୍ଚଳ ମାଲକାନଗିରିରେ 2019 ନିର୍ବାଚନରେ ୨୩ ବୁଥର ଜନସାଧାରଣ ବିଏସଏଫ କ୍ୟାମ୍ପ ଜନତା ପାଇରେ ଭୋଟ ଦେଇଥିଲେ । କିନ୍ତୁ ଏଥର ସେମାନେ ନିଜ ଗାଁ ରେ ଭୋଟ ଦେଉଛନ୍ତି । ଏହା ସବୁଠାରୁ ଅଧିକ ଖୁସିର କଥା । ୧୦ ଟି ବୁଥରେ ଭୋଟିଂ ଶୁନ୍ୟ ଥିଲା । ଏଥର ଲୋକ ବୁଥକୁ ଆସି ଭୋଟ ଦେବାକୁ ଛିଡ଼ା ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁଦୃଢ଼ ହୋଇଥିବାରୁ ଏହା ସମ୍ଭବ ହୋଇଛି ବୋଲି CEO କହିଛନ୍ତି।

କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ନେଇ ଅଭିଯୋଗ ଆସିନାହିଁ । ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ମୋବାଇଲ ପେଟ୍ରୋଲିଂ ଚାଲିଛି । ୫ ସ୍ତରୀୟ  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ଆଇନ ଶୃଙ୍ଖଳା ଏଡିଜି କହିଛନ୍ତି ।

ଗୋଟିଏ ପର୍ଯ୍ୟାୟରେ ୧୭୫ ଆସନ ପାଇଁ ଭୋଟ ଦେଉଛି ଆନ୍ଧ୍ର ପ୍ରଦେଶ

ଅମରାବତୀ: ଭୋଟ ଦେଉଛି ଆନ୍ଧ୍ର ପ୍ରଦେଶ  । ଗୋଟିଏ ପର୍ଯ୍ୟାୟରେ ୧୭୫ଟି ବିଧାନସଭା ଆସନ ଓ ୨୫ ଲୋକସଭା ଆସନ ପାଇଁ ଚାଲିଛି ମତଦାନ  । ମୁଖ୍ୟମନ୍ତ୍ରୀ ତଥା YSRCP ଅଧ୍ୟକ୍ଷ ଜଗନ ମୋହନ ରେଡ୍ଡୀ ଓ ମେଣ୍ଟ ମଧ୍ୟରେ ଚାଲିଛି ଜୋରଦାର ଫାଇଟ୍‌  । ପୁଲିଭେନ୍ଦୁଲା ନିର୍ବାଚନମଣ୍ଡଳୀରୁ ଜଗନ ଲଢୁଥିବା ବେଳେ ଟିଡିପି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ କୁପ୍ପମ ଓ ଜନସେନା ମୁଖ୍ୟ ତଥା ଅଭିନେତା ପବନ କଲ୍ୟାଣ ପିଠାପୁରମରୁ ନିର୍ବାଚନ ଲଢୁଛନ୍ତି  ।

ଜଗନଙ୍କ ୱାଇଏସଆରସିପି ୧୭୫ ବିଧାନସଭା ଓ ୨୫ ଲୋକସଭା ଆସନରୁ ଏକାକୀ ପ୍ରତିଦ୍ବନ୍ଦିତା କରୁଛିୟ, ସେପଟେ ଏନଡିଏ ମେଣ୍ଟରେ ଟିଡିପି ୧୪୪ ବିଧାନସଭା ଓ ୧୭ ଲୋକସଭା ଆସନରୁ ନିର୍ବାଚନ ଲଢୁଛି  । ବିଜେପି ୬ ଲୋକସଭା ଆସନ ଓ ୧୦ ବିଧାନସଭା ଆସନରୁ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛି  । ସେହିପରି ଜନସେନା ୨ଟି ଲୋକସଭା ଓ ୨୧ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଛି  ।

ଆନ୍ଧ୍ର ପ୍ରଦେଶ କଂଗ୍ରେସ ସଭାପତି ତଥା ଜଗନଙ୍କ ଭଉଣୀ ୱାଇ ଏସ ଶର୍ମିଲା କଡପାରୁ ଲୋକସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି  । ଗତ ୨୦୧୯ରେ ୱାଇଏସଆରସିପି ୧୫୧ଟି ସିଟ ହାତେଇଥିବା ବେଳେ ଟିଡିପି ୨୩ ଓ ଜନସେନା ଗୋଟିଏ ଆସନରେ ବିଜୟ ଲାଭ କରିଥିଲା  ।

 

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଓଡିଶା ବିଜେପି, କଟାକ୍ଷ କଲେ ପ୍ରଣବ ସସ୍ମିତ

ଭୁବନେଶ୍ବର: ଓଡ଼ିଶା ବିଜେପିକୁ କଟାକ୍ଷ କଲେ ବିଜେଡି ସାଂଗଠନିକ ସଂପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନେଇ ବିଜୁ ଜନତା ଦଳର ଦାବି ଓଡ଼ିଶା ବିଜେପି ମାନିନେଇଥିବା କହି କଟାକ୍ଷ କରିଛନ୍ତି ପ୍ରଣବ । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ କହିଛନ୍ତି, ଆଜି ସକାଳ ୯ଟା ବେଳେ ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ୨୦୨୪ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି ।

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ସମାନ କଥା କହି ବିଜେପିକୁ କଟାକ୍ଷ କରିଛନ୍ତି । ପୂର୍ବରୁ ବିଜେପିର ମୁଖ୍ଯମନ୍ତ୍ରୀ ଚେହେରା କିଏ ବୋଲି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଶ୍ନ କରିଥିଲେ । ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ଯମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିଲେ ମଧ୍ଯ ତାଙ୍କ ଦଳ ତାଙ୍କ ନାଁ ବି ଘୋଷଣା କରୁନି ବୋଲି କହି କଟାକ୍ଷ କରିଥିଲେ ।

ଯଦି ବିଜେପି ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ତେବେ ରାଜ୍ଯରେ ୧୦ ପ୍ରତିଶତ ଆସନ ବି ଜିତିପାରିବନି ବୋଲି କହି ଟାର୍ଗେଟ କରିଥିଲେ ପାଣ୍ଡିଆନ । କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ପ୍ରଚାରରେ ଆସି ବିଜେପି ଜଣେ ଓଡ଼଼ିଆ ପୁଅ କିମ୍ବା ଝିଅଙ୍କୁ ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲେ । ବିଜେପି ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ କିଏ କହିପାରୁନଥିବାବେଳେ ପ୍ରଣବ ଆଜି ପୁଣି ବିଜେପି ନେତାଙ୍କୁ କଟାକ୍ଷ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ଟି ଲୋକସଭା ଆସନରେ ଚାଲିଛି ମତଦାନ

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରହିଛି କି ଆପଣଙ୍କ ଅଞ୍ଚଳ । ଆସନ୍ତୁ ବିସ୍ତୃତ ଭାବେ ଏବେ ନଜର ପକାଇବା କେଉଁ ଲୋକସଭା କ୍ଷେତ୍ରର କେଉଁ ବିଧାନସଭା ଆସନରେ ଭୋଟ ହେଉଛି ।

ପ୍ରଥମେ ବ୍ରହ୍ମପୁରକୁ ନଜର ପକାଇଲେ ଏହି ଲୋକସଭା କ୍ଷେତ୍ର ଅଧିନସ୍ଥ ୭ଟି ବିଧାନସଭା ଆସନରେ ବି ଭୋଟ ହେଉଛି । ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଓ ପାରଳାଖେମୁଣ୍ଡି ଭୋଟ ଦେଉଛି ।

ସେହିପରି କଳାହାଣ୍ଡି ଲୋକସଭା କ୍ଷେତ୍ରର ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲାରେ ବି ନେତା ବାଛୁଛନ୍ତି ଜନତା ।

କୋରାପୁଟ ଲୋକସଭା କ୍ଷେତ୍ରର ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟ୍ଟାଙ୍ଗୀରେ ନିର୍ବାଚନ ହେଉଛି ।

ସେହିପରି ନବରଙ୍ଗପୁରର ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ଭୋଟ ହେଉଛି ।

୯୬ ଲୋକସଭା ଆସନରେ ମତଦାନ ଆରମ୍ଭ, ମଇଦାନରେ ଅଖିଳେଶ ଯାଦବ ଗିରିରାଜ ସିଂ

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୧୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଚତୁର୍ଥ ପର୍ଯ୍ୟାୟରେ ୮.୩୭ କୋଟି ମହିଳାଙ୍କ ସମେତ ୧୭.୭୦ କୋଟିରୁ ଅଧିକ ଭୋଟର ଭୋଟ୍ ଦେବେ। ୧.୯୨ ଲକ୍ଷ ମତଦାନ କେନ୍ଦ୍ରରେ ୧୯ ଲକ୍ଷରୁ ଅଧିକ ମତଦାନ ଅଧିକାରୀ ନିୟୋଜିତ ହୋଇଛନ୍ତି।

 

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ଭାଗ୍ୟ ପରୀକ୍ଷା କରୁଛନ୍ତି ଅଧିକାଂଶ ହେଭିୱେଟ  । ଏଥିମଧ୍ୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ୟୁପିର କନ୍ନୌଜରୁ, ତେଲେଙ୍ଗାନାର ହାଇଦ୍ରାବାଦର ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ୱବେସି, ପଶ୍ଚିମବଙ୍ଗର କୃଷ୍ଣନଗରରୁ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ମହୁଆ ମୈତ୍ର, ବିହାରର ବେଗୁସରାଇରୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏବଂ ମୁଙ୍ଗେରରୁ ରାଜୀବ ରଞ୍ଜନ ସିଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

 

ଆଜି ତେଲେଙ୍ଗାନାର ସମସ୍ତ ୧୭ ଟି ଲୋକସଭା ଆସନ, ଆନ୍ଧ୍ରପ୍ରଦେଶର ୨୫ ଟି ସିଟ୍, ଉତ୍ତରପ୍ରଦେଶର ୧୩ ଟି ସିଟ୍, ବିହାରର ପାଞ୍ଚଟି, ଝାଡଖଣ୍ଡର ଚାରିଟି, ମଧ୍ୟପ୍ରଦେଶର ଆଠଟି, ମହାରାଷ୍ଟ୍ରର ୧୧ ଟି, ଓଡିଶାର ଚାରିଟି, ପଶ୍ଚିମବଙ୍ଗର ଆଠଟି, ଜାମ୍ମୁ ଏବଂ କାଶ୍ମୀରରେ ଗୋଟିଏ ଆସନ ପାଇଁ ମତଦାନ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନ ଏବଂ ଓଡିଶାର ୨୮ ଟି ବିଧାନସଭା ଆସନରେ ମଧ୍ୟ ଭୋଟ୍ ଗ୍ରହଣ ଚାଲିଛି।

 

ଆନ୍ଧ୍ରପ୍ରଦେଶର ବିଜୟୱାଡା, ଗାନ୍ଧୀ ନାଗର ୨୧୮, ୨୧୯ ଏବଂ ୨୨୦ ରେ ମତଦାନ ବୁଥ ସଂଖ୍ୟାରେ ମକ୍ ମତଦାନ ଚାଲିଛି। ଏହି ଆସନରେ କଂଗ୍ରେସର ଭାର୍ଗବ ବଲ୍ଲୁରୁ ଟିଡିପିର କେସିନେନି ଶିବନାଥଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜୟୱାଡା ନିର୍ବାଚନମଣ୍ଡଳୀରୁ ଟିଡିପିର କେସିନେନି ଶିବନାଥ ବର୍ତ୍ତମାନର ସାଂସଦ ଅଛନ୍ତି।

 

 

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ, ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨୮୦ ପ୍ରାର୍ଥୀ

ଭୁବନେଶ୍ବର: ଓଡ଼ିଶାରେ ଗଣତନ୍ତ୍ରର ମହାନ ପର୍ବ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ଭୋଟ୍ ଗ୍ରହଣ ଆରମ୍ଭ । ଦେଶର ଚତୁର୍ଥ ତଥା ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ଆଜି ଭୋଟ ଦେବା ଆରମ୍ଭ କଲା ଓଡ଼ିଶା । ସକାଳ ୭ଟାରୁ ରାଜ୍ଯର ୪ ଲୋକସଭା ଓ ୨୮ ବିଧାନସଭା ନିର୍ବାଚନମଣ୍ଡଳିରେ ମତଦାନ ଆରମ୍ଭ ହୋଇଛି ।

ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ର ପାଇଁ ୨୮୦ ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଦ୍ଧାରଣ କରୁଛନ୍ତି ୬୨ ଲକ୍ଷ ୮୭ ହଜାରରୁ ଅଧିକ ଭୋଟର । ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ, ବିଧାନସଭା ପାଇଁ ମଇଦାନରେ ଅଛନ୍ତି ୨୪୩ ଜଣ ପ୍ରାର୍ଥୀ ।

ଆଜି ୬୨ ଲକ୍ଷ ୮୭ ହଜାରରୁ ଅଧିକ ଭୋଟର ମତଦାନ କରୁଛନ୍ତି । ଏମାନଙ୍କ ମଧ୍ଯରେ ୩୦ ଲକ୍ଷ ୯୭ ହଜାର ପୁରୁଷ ଓ ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ରହିଛନ୍ତି । ତାଲିକାରେ ଅଛନ୍ତି ୧ ଲକ୍ଷ ୭୫ ହଜାର ଯୁବ ଭୋଟର । ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ମଧ୍ଯରେ ଭୋଟର ଅଛନ୍ତି । ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରାଯାଉଛି | ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ହୋଇଛି ।

କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ଓ କଳାହାଣ୍ଡିରେ ସର୍ବାଧିକ ଭୋଟର ଥିବାବେଳେ ଲକ୍ଷ୍ମୀପୁର ବିଧାନସଭାରେ ସର୍ବନିମ୍ନ ଓ ଧର୍ମଗଡ଼ ବିଧାନସଭାରେ ସର୍ବାଧିକ ଭୋଟର ଅଛନ୍ତି । ଭୋଟ ପୂର୍ବରୁ ଘରେ ଭୋଟ ଦେଇଛନ୍ତି ୩୬୩୬ ଭୋଟର ।