spot_img
Home Blog Page 1874

ଓଡ଼ିଶାକୁ ଧୀରେ ଧୀରେ ଆସୁଛି ମୌସୁମୀ

ଭୁବନେଶ୍ୱର : ଓଡ଼ିଶାକୁ ଧୀରେ ଧୀରେ ଆସୁଛି ମୌସୁମୀ । ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଥମେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲିଠାରୁ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେଉଛି । ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଏବଂ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହୁଛି । ଏଭଳି ବର୍ଷା ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏହି କାଳବୈଶାଖୀ ବର୍ଷା ବା ପ୍ରାକ୍ ମୌସୁମୀ ବର୍ଷା ଓଡ଼ିଶାକୁ ମୌସୁମୀ ବାୟୁ ଆଣିବାରେ ସହାୟକ ହେବ। ଏପଟେ ଆଜିଠୁ ଜଳିବ ପଶ୍ଚିମ ଓଡ଼ିଶା। ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ବରଗଡ, ବଲାଙ୍ଗିର ଏବଂ ନୂଆପଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଏହି ଜିଲ୍ଲାରେ ତାପମାତ୍ରା ୪୦ ରୁ ୪୩ ଡିଗ୍ରୀ ରହିବ । ସମ୍ବଲପୁର, ସୋନପୁର, ବୌଦ୍ଧ, ଝାରସୁଗୁଡା, କଳାହାଣ୍ଡି ଜିଲ୍ଲାରେ ବି ତାତି ଲାଗି ରହିବ । ସେହିଭଳି ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ଏଭଳି ପାଗ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରାଯାଇଛି ।

ଆଜି ବସିବ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ

ନନ୍ଦିଘୋଷ ବ୍ୟୁରୋ : ଲୋକସଭା ନିର୍ବାଚନ ପୋଷ୍ଟମର୍ଟମ। ଆଜି ବସିବ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ। ଲୋକସଭା ନିର୍ବାଚନରେ ସଫଳତା, ବିଫଳତା ସମେତ ଅନ୍ଯାନ୍ଯ ପ୍ରସଙ୍ଗରେ ହେବ ଆଲୋଚନା। ଏହି ବୈଠକରେ ଅଧ୍ଯକ୍ଷତା କରିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସ ମୁଖ୍ଯାଳୟରେ ହେବାକୁ ଥିବା ବୈଠକରେ କଂଗ୍ରେସର ବହୁ କର୍ମକର୍ତ୍ତା ଯୋଗଦେବେ। ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ୯୯ଟି ଆସନ ଲାଭ କରିଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ହାସଲ କରିଥିଲା ୫୨ ଆସନ। ଏହି ଆଶାତୀତ ସଫଳତା ପରେ ଉତ୍ସାହିତ କଂଗ୍ରେସ ଶିବିର। ଏହି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସାମିଲ ହେବେ। ଗତ ୫ ତାରିଖରେ ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା ଏବଂ ଦେଶରେ ତାନାଶାହୀ ବିରୋଧରେ ଲଢେଇ ଲାଗି ନିଷ୍ପତ୍ତି ନିଆଯାଇଥିଲା।

ଯାଜପୁର ବଡ଼ଚଣା କଡ଼େଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୨ମୃତ, ୧୩ ଗୁରୁତର

ଯାଜପୁର : ବସ ଟ୍ରକ ଦୁର୍ଘଟଣାରେ ଦୁଇ ଜଣକ ର ମୃତ୍ୟୁ ହୋଇଥିବା ବେଳେ 30 ରୁ ଉର୍ଦ୍ଧ ଯାତ୍ରୀ  ଆହତ। NH 16 ଯାଜପୁର ବଡ଼ଚଣା ଥାନା ଅଧୀନ କଡେଇ ଛକ ନିକଟରେ ଘଟିଛି ଦୁର୍ଘଟଣା. କଲିକତାରୁ ଏକ ବସ  ପୁରୀ ଅଭିମୁଖେ ଆସୁଥିବା ବେଳେ କଡେଇ ଛକ ନିକଟରେ ବସ ସହ ଟ୍ରକ ଧକା ଦେଇଥିଲା. ଯାହା ଫଳରେ ବସ ରେ ଥିବା 50 ରୁ ଉର୍ଦ୍ଧ ଯାତ୍ରୀ ଙ୍କ ମଧ୍ୟରୁ ଘଟଣା ସ୍ଥଳରେ 2 ଜଣକ ର ମୃତ୍ୟୁ ହୋଇଥିବା ବେଳେ 30 ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି. ସମସ୍ତ ଗୁରୁତର ଆହତଙ୍କୁ ବଡ଼ଚଣା ମେଡିକାଲ ରେ ଭର୍ତି କରାଯାଇଛି.କିଛି ଗୁରୁତର ଯାତ୍ରୀଙ୍କୁ ମଧ୍ୟ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି.ଦେବେ ଦୁର୍ଘଟଣା ର କାରଣ ଜଣା ପଡି ନଥିବା ବେଳେ ବଡ଼ଚଣା ପୋଲିସ ଘଟଣା ର ତଦନ୍ତ ଚଳାଇଛି ।

ପରଲୋକରେ ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓ

ନନ୍ଦିଘୋଷ ବ୍ୟୁରୋ : ରାମୋଜୀ ରାଓଙ୍କ ପରଲୋକ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ହୋଇଛି ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ  ୮୭ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ହେଉଥିଲେ ଚିକିତ୍ସିତ । ରାମୋଜୀ ଫିଲ୍ମ ସିଟି ଓ ଇଟିଭି ନେଟୱାର୍କର ପ୍ରତିଷ୍ଠାତା ଥିଲେ ରାମୋଜୀ ରାଓ । ଫିଲ୍ମ ସିଟିର ବାଦଶାହା କୁହାଯାଉଥିବା ତଥା ଦେଶର ସବୁଠୁ ବଡ ଫିଲ୍ମ ସିଟିର ମାଲିକ ହେଉଛନ୍ତି ରାମୋଜୀ ରାଓ । ରାମୋଜି ଗ୍ରୁପ୍ ଅଫ୍ କମ୍ପାନି ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରାମୋଜୀ ରାଓଙ୍କର ଶନିବାର ଭୋର ସମୟରେ ଦେହାନ୍ତ ହୋଇଛି। ତେଲୁଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦୀର୍ଘ ଦିନ ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ରାମୋଜି ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରିଆସୁଥିବା ରାଓ ଙ୍କ ଅନ୍ତିମ ସଂସ୍କାର ରବିବାର ପୂର୍ବାହ୍ନ ୧୦ଟାରେ ଜୁବିଲି ହିଲ୍ସସ୍ଥିତ ମହାପ୍ରସ୍ଥାନମ୍ ଠାରେ ସମ୍ପନ୍ନ ହେବାର ସୂଚନା ରହିଛି ।

ନେତା ନିର୍ବାଚନ ଲାଗି ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ସରକାର ଗଠନ ଲାଗି ପ୍ରସ୍ତୁତି। ନେତା ନିର୍ବାଚନ ଲାଗି ଆଜି ବସିବ ବିଧାୟକ ଦଳ ବୈଠକ। ଜୁନ ୧୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ଲାଗି ସଜେଇ ହେଲାଣି ଜନତା ମଇଦାନ । ଉପସ୍ଥିତ ରହିବେ ପ୍ରାୟ ୩୦ ହଜାର ଲୋକ। ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ହେଲେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ? କାହା ମୁଣ୍ଡରେ ବିଜେପି ଢାଳିବ ସୁନା କଳସ? କେଉଁ ଆଧାରରେ ହେବ ମୁଖ୍ୟମନ୍ତ୍ରୀ ଚୟନ? ଏସବୁ ପ୍ରଶ୍ନର ଉତ୍ତର ଓଡ଼ିଶାରେ ନୁହଁ ଦିଲ୍ଲୀରେ ସଂସଦୀୟ ବୋର୍ଡ଼ ବୈଠକରେ ସ୍ଥିର ହେବ। ରାଜ୍ଯରେ କିଏ ମୁଖ୍ଯମନ୍ତ୍ରୀ ହେବେ ସେହି ନିଷ୍ପତ୍ତି ନେବେ କେନ୍ଦ୍ରୀୟ ହାଇକମାଣ୍ତ। ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ହେଉ କି ତଦନ୍ତ କମିଶନ ରିପୋର୍ଟ ପ୍ରକାଶ। ଚିଟଫଣ୍ଡ ଅର୍ଥ ଫେରସ୍ତ ହେଉ କି ସାମ୍ବାଦିକଙ୍କୁ ସଚିବାଳୟ ପ୍ରବେଶ କଟକଣା ହଟିବା ପ୍ରସଙ୍ଗ। ଏଭଳି ଅନେକ ପ୍ରତିଶୃତି ଦେଇଛି ବିଜେପି। ଏହା ସହ ଚାଷୀ, ଯୁବ, ମହିଳା, ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁ ପ୍ରତିଶୃତି ବିଜେପି ଦେଇଥିଲା, ତାହା କେବେ ପୂରଣ ହେବ, ତା ଉପରେ ରହିଛି ରାଜ୍ୟବାସୀଙ୍କ ନଜର।

ଆସିଲା ଭବିଷ୍ଯବାଣୀ, ୬ ମାସରୁ ୧ ବର୍ଷ ମଧ୍ଯରେ ଦେଶରେ ସାଧାରଣ ନିର୍ବାଚନ ହେବା ଆଶଙ୍କା !

ନନ୍ଦିଘୋଷ ବ୍ୟୁରୋ : ଏନଡିଏ ସରକାର ଗଠନ ନହେଉଣୁ ଆସିଲା ଭବିଷ୍ଯବାଣୀ। ୬ ମାସରୁ ଏକ ବର୍ଷ ମଧ୍ଯରେ ଦେଶରେ ସାଧାରଣ ନିର୍ବାଚନ ହେବ ବୋଲି ଆଶଙ୍କା ବ୍ଯକ୍ତ କରିଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପେଶ ବଘେଲ। ଏନଡିଏ ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ନେତା ନିର୍ବାଚିତ କରାଯିବା ପରେ ପରେ ଏହି ଭବିଷ୍ଯବାଣୀ ଦେଇଛନ୍ତି ବଘେଲ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ମଧ୍ଯବର୍ତ୍ତୀକାଳୀନ ନିର୍ବାଚନ ଲାଗି ଦଳୀୟ କର୍ମୀ ପ୍ରସ୍ତୁତ ଅଛନ୍ତି।  ଏହା ସହ ସେ ଉତ୍ତରପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ, ରାଜସ୍ଥାନ ସିଏମ ଭଜନଲାଲ ଶର୍ମା, ମହାରାଷ୍ଟ୍ର ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କ ନାଁ ନେଇ ସେ କହିଥିଲେ- ସେମାନଙ୍କ ମଧ୍ଯରୁ କାହାର ଗାଦି ଟଳମଳ ତ କିଏ ଇସ୍ତଫା ଦେବାକୁ ପ୍ରସ୍ତୁତ।

ଆସନ୍ତାକାଲି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲି ଦେଶ ଦେଖିବ ନୂଆ ସରକାର। କେନ୍ଦ୍ରରେ ଆରମ୍ଭ ହେବ ମୋଦି 3.0। ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ। ସନ୍ଧ୍ଯା ୭ଟା ୧୫ରେ ହେବ ଶପଥ ଗ୍ରହଣ ଉତ୍ସବ। ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଗେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ, ଭୁଟାନ ପିଏମ ସାରେଙ୍ଗ ତୋବଗୟ, ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନଥ ପ୍ରମୁଖ। ଗତକାଲି  ରାଷ୍ଟ୍ରପତିଙ୍କୁ  ଭେଟି ସରକାର ଗଠନ ଲାଗି ବିଧିବଦ୍ଧ ଦାବି କରିଥିଲେ ନବ ନିର୍ବାଚିତ ଏନଡିଏ ନେତା ନରେନ୍ଦ୍ର ମୋଦୀ। ଗତକାଲି ମୋଦୀ ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ। ସମ୍ବିଧାନ ସଦନ ସେଣ୍ଟ୍ରାଲ ହଲରେ ହୋଇଥିବା ଏନଡିଏର ବୈଠକରେ ମୋଦିଙ୍କ ନାଁ ପ୍ରସ୍ତାବ ଦେଇଥିଲେ ରାଜନାଥ ସିଂହ। ଏହାକୁ ଅମିତ ଶାହା ଓ ନୀତିନ ଗଡ଼କରି ସମର୍ଥନ କରିଥିଲେ। ପରେ ପରେ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ନେତା ନୀତିଶ କୁମାର ମଧ୍ଯ ଏହାକୁ ସମର୍ଥନ କରିଥିଲେ । ସେହିପରି ଶିବସେନାର ଏକନାଥ ସିନ୍ଦେ ଓ ଜେଡିଏସ୍ ନେତା କୁମାରସ୍ଵାମୀ ମଧ୍ଯ ଏହି ପ୍ରସ୍ତାବକୁ କରିଥିଲେ ସମର୍ଥନ।

ସରକାର ଗଠନ ପାଇଁ ଏନଡିଏକୁ ମହାମହିମ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: 2୦୨୪ ସାଧାରଣ ନିର୍ବାଚନ ସରିବା ସହ କେନ୍ଦ୍ରରେ କିଏ ସରକାର ଗଢ଼ିବ ସ୍ପଷ୍ଟ ହୋଇଯାଇଛି । ବିଜେପି ନେତୃତ୍ବାଧୀନ ଏନଡିଏ ସ୍ପଷ୍ଟ ବହୁମତ ହାସଲ କରିଛି । ଅର୍ଥାତ ଏହା ସ୍ପଷ୍ଟ ଯେ, ଦେଶବାସୀ ପୁଣି ଏନଡିଏ ସରକାର ଦେଖିବାକୁ ଯାଉଛନ୍ତି । ଏହି କ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏନଡିଏକୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି । ଏନଡିଏ ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ଯାଇ ନିମନ୍ତ୍ରଣପତ୍ର ଗ୍ରହଣ କରିଛନ୍ତି ।

ନିମନ୍ତ୍ରଣପତ୍ର ଗ୍ରହଣ କରିବା ସହ ଆସନ୍ତା ୯ ତାରିଖରେ ଶପଥ ଗ୍ରହଣ କରାଯିବା ନେଇ ମୋଦି ମହାମହିମଙ୍କୁ ସୂଚନା ଦେଇଛନ୍ତି । ଏଥିପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏସସିବିରେ ଡାକ୍ତର ପଦବୀ ପୂରଣ ପାଇଁ ଆରମ୍ଭ ହେଲା ନିଯୁକ୍ତି ପ୍ରକ୍ରିୟା

କଟକ: ଏସସିବିରେ ପୂରଣ ହେବ ଖାଲି ପଡ଼ିଥିବା ଡାକ୍ତର ପଦବୀ । ଏଥିପାଇଁ ଏସସିବି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ଡାକ୍ତରଙ୍କ ସମେତ କୁଶଳୀ ଓ ଅଣ କୁଶଳୀଙ୍କୁ ମିଶାଇ ମୋଟ ୧୬୫ କର୍ମଚାରୀ ନିଯୁକ୍ତି ପାଇଁ ଜାରି ହେଲା ବିଜ୍ଞପ୍ତି । ଏହା ଜରୁରୀ ଥିଲା, ସରକାର ସରକାରୀ ଡାକ୍ତରଙ୍କ ଦରମା ବୃଦ୍ଧି କରିବା ସହିତ ସବୁ ସ୍ଥାନରେ ଡାକ୍ତର ପଦବୀ ପୂରଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ଡାକ୍ତର ଓ ସମ୍ପର୍କୀୟ ।

ଏସସିବିରେ ଡାକ୍ତର ସହ କର୍ମଚାରୀ ନିଯୁକ୍ତି ପାଇଁ ବିଜ୍ଞପ୍ତି । ନିଯୁକ୍ତି ପାଇବେ ୧୬୫ ଟେକ୍ନିକାଲ, ନନ ଟେକ୍ନିକାଲ ଷ୍ଟାଫ୍ । ପୂର୍ବ ଭାରତର ରେଫେରାଲ ହସ୍ପିଟାଲ ଭାବରେ ଦଶନ୍ଧି ଦଶନ୍ଧି ଧରି ରୋଗୀ ଓ ସମ୍ପର୍କୀୟଙ୍କ ବିଶ୍ୱାସ ଜିତି ଆସିଛି କଟକ ଏସସିବି ମେଡିକାଲ । ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ରରେ ଆହୁରି ସଶକ୍ତ ହେବ ମେଡିକାଲ । ଏସସିବିର ବିଭିନ୍ନ ବିଭାଗରେ ଆବଶ୍ୟକ ସଂଖ୍ୟକ ଡାକ୍ତରଙ୍କ ସମେତ ୧୬୫ ପଦବୀ ପୂରଣ ପାଇଁ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି । ପ୍ରତି ମାସ ୧୨ ତାରିଖରେ ଏନେଇ ସ୍ପଷ୍ଟ ସିଲେକ୍ସନ ଓ ନିଯୁକ୍ତି ହେବ । ଏହାଦ୍ଵାରା ବିଭିନ୍ନ ବିଭାଗର ଆବଶ୍ୟକତା ପୂରଣ ହେବା ସହିତ ଚିକତ୍ସା ସେବା ତ୍ୱରାନ୍ୱିତ ହେବ ବୋଲି ଏସସିବି ଅଧିକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ।

ଏସସିବି ବଡ ମେଡିକାଲର କାଜୁଏଲଟି ଓପିଡିକୁ ପ୍ରତିଦିନ ୭ରୁ ୮ ହଜାର ରୋଗୀ ଓ ସମ୍ପର୍କୀୟ ଚିକିତ୍ସା ପାଇଁ ଆସୁଛନ୍ତି । ଉତ୍ତମ ଚିକିତ୍ସା ମିଳୁଥିଲେ ସୁଦ୍ଧା ଅନେକ ସମୟରେ ଡାକ୍ତର ଅଭାବ ଯୋଗୁଁ ଅସୁବିଧା ହେଉଛି । କର୍ମଚାରୀ କମ ଥିବାରୁ ରୋଗୀଙ୍କୁ ନେବା ଆଣିବରେ ମଧ୍ୟ ସମସ୍ୟା ହେଉଛି । ତେଣୁ କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟ ।

ସରକାରୀ ଖର୍ଚ୍ଚରେ ପଢି ଡାକ୍ତର ହେଉଥିବା ବ୍ୟକ୍ତି ଅଧିକ ଟଙ୍କା ପାଇଁ ବାହାରକୁ ଚାଲି ଯାଉଛନ୍ତି । ତେଣୁ ସେମାନଙ୍କୁ ଅଧିକ ପରିଶ୍ରମିକ ଦେବା ସହିତ ସବୁ ସ୍ଥାନରେ ଡାକ୍ତର ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ।

ଶୃଙ୍ଖଳା କମିଟି ଅଧ୍ଯକ୍ଷଙ୍କ ବିନା ଅନୁମତିରେ ମୋତେ ଦଳରୁ ବାହାର କରାଯାଇପାରିବ ନାହିଁ: ମାନସ

ଭୁବନେଶ୍ବର: କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ବରିଷ୍ଠ ନେତା ତଥା କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ବହିଷ୍କୃତ ହେବା ପରେ କଂଗ୍ରେସ ଭବନରେ ପ୍ରେସମିଟ କରି ପିସିସି ସଭାପତି ଓ ପ୍ରଭାରୀଙ୍କ ଉପରେ ବର୍ଷିଛନ୍ତି ମାନସ ।

ମାନସ କହିଛନ୍ତି, ଏଆଇସିସି ଶୃଙ୍ଖଳା କମିଟି ଅଧ୍ଯକ୍ଷଙ୍କ ବିନା ଅନୁମତିରେ ମୋତେ ଦଳରୁ ବାହାର କରାଯାଇପାରିବ ନାହିଁ । କଂଗ୍ରେସ ଚଳିତ ନିର୍ବାଚନରେ ୪୦ ବିଧାନସଭା ଆସନ ଜିତିବା କଥା । ହେଲେ ମାତ୍ର ୧୪ ଆସନରେ ଜିତିଲା । ଏହି ବିପର୍ଯ୍ୟୟ ପାଇଁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଓ ପିସିସି ସଭାପତି ଦାୟୀ ।

ଆଗକୁ ସେ କହିଛନ୍ତି, ‘୧୪୭ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ପାଇଁ ଟଙ୍କା ଆସିଥିଲା । କିନ୍ତୁ ଜାଲ ଦସ୍ତଖତ କରି ସବୁ ଟଙ୍କା ଓଡ଼ିଶା ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ଖାଇଛନ୍ତି । ଏନେଇ ଗତ ଏକ ତାରିଖରେ ରାହୁଲ ଗାନ୍ଧୀ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ଯକ୍ଷ ଏବଂ କେ.ସି. ବେଣୁଗୋପାଲଙ୍କୁ ମେଲ୍ କରିଥିଲି ।’

ଶୃଙ୍ଖଳା କମିଟିର ବିନା କାରଣ ଦର୍ଶାଅ ନୋଟିସରେ କେମିତି ବହିଷ୍କାର କରାଗଲା ବୋଲି ମାନସ ପ୍ରଶ୍ନ କରିଛନ୍ତି । ଯଦି ଦଳ ବିରୋଧୀ କାମ କରିଥିବାର ପ୍ରମାଣ ଦେଇପାରିବେ ତେବେ ମୁଁ ରାଜନୀତି ଛାଡ଼ିଦେବା ବୋଲି ଚ୍ଯାଲେଞ୍ଜ କରିଛନ୍ତି ମାନସ ।

ସେପଟେ ମାନସଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଶରତ କହିଛନ୍ତି, ମାନସଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଓଡ଼ିଶାରେ କଂଗ୍ରେସର ନିର୍ବାଚନ ପରିଚାଳନାରେ କୌଣସି ଅନିୟମିତତା ହୋଇନାହିଁ । ପ୍ରାର୍ଥୀଙ୍କୁ ଦଳୀୟ ପାଣ୍ଠି ପ୍ରଦାନରେ ଅନିୟମିତତା ଥିଲେ ପ୍ରମାଣ ଦେବାକୁ ସେ ଚ୍ଯାଲେଞ୍ଜ ଦେଇଛନ୍ତି ।