spot_img
Home Blog Page 184

ଡିଜିଟାଲ ଯୁଗରେ ଯନ୍ତ୍ରଣା ଭୋଗୁଛନ୍ତି ଆଦିବାସୀ । ସଠିକ ସମୟରେ ପାଉନାହାନ୍ତି ଚିକିତ୍ସା ସୁବିଧା

ନନ୍ଦିଘୋଷ ବ୍ୟୁରୋ : ଯୋଗାଯୋଗ ହେବ ସୁଗମ । ସମସ୍ତ ଗାଁରେ ନିର୍ମାଣ ହେବ ପକ୍କା ରାସ୍ତା । ଏହି ନାରା ଦେଇ ସରକାର ନିଜ ଡିଣ୍ଡିମ ପିଟିବାରେ ବ୍ୟସ୍ତ । ହେଲେ ଆଜି ବି ରାୟଗଡା ଜିଲ୍ଲାର ୫୫୩ଟି ଦୁର୍ଗମ ଗାଁକୁ ପକ୍କାରାସ୍ତା ନାହିଁ । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନାହିଁ । ଫଳରେ ଜନନୀ ଯନ୍ତ୍ରଣା ବଢିବାରେ ଲାଗିଛି । ଗର୍ଭବତୀଙ୍କୁ ଖଟିଆରେ ବୁହା ହୋଇ ମେଡିକାଲ ନିଆଯାଉଛି । ହେଲେ ସବୁ ଜାଣି ଜିଲ୍ଲା ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି ।

ଡିଜିଟାଲ ଯୁଗରେ ଯନ୍ତ୍ରଣା ଭୋଗୁଛନ୍ତି ଆଦିବାସୀ । ସଠିକ ସମୟରେ ପାଉନାହାନ୍ତି ଚିକିତ୍ସା ସୁବିଧା । ବଢୁଛି ଜନନୀ ଯନ୍ତ୍ରଣା । ଅନେକ ମହିଳାଙ୍କ ଅକାରଣେ ଯାଉଛି ଜୀବନ । ରାୟଗଡା ଜିଲ୍ଲାର ଅନେକ ଦୁର୍ଗମ ଗାଁକୁ ଆଜି ପର୍ଯ୍ଯନ୍ତ ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ଦୟନୀୟ ଜୀବନ ବିତାଉଛନ୍ତି ଗ୍ରାମବାସୀ  । ଜିଲ୍ଲାର ଉପାନ୍ତ କାଶୀପୁର ବ୍ଲକ ଖମ୍ବାପଦର ଗାଁକୁ ଉଦାହରଣ ଭାବେ ନେଲେ ଆପଣ ସବୁ ବୁଝିପାରିବେ । ସରକାର ନିଜ ଡିଣ୍ଡିମ ପିଟୁଛନ୍ତି ସିନା ହେଲେ କାମ ଘର ଶୂନ । ଏ ଦୃଶ୍ୟ ଉପରେ ନଜର ପକାନ୍ତୁ । କିପରି ଖଟିଆରେ ଗର୍ଭବତୀଙ୍କୁ ବୁହା ହୋଇ ଡାକ୍ତରଖାନା ନିଆଯାଉଛି । ଖାଲି ଏହି ଗୋଟିଏ ଘଟଣା ନୁହେଁ । ଗୁଡାରୀ ବ୍ଲକରେ ଦେଖିବାକୁ ମିଳିଛି ବିକଳ ଚିତ୍ର । ନଦୀ ଉପରେ ପୋଲଟିଏ ନଥିବାରୁ ବିପଦପୂର୍ଣ୍ଣ ଭାବେ ଭରାନଦୀ ପାର ହେଉଛନ୍ତି ଗର୍ଭବତୀ । କାରଣ ଏହି ସବୁ ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ଆମ୍ବୁଲାନ୍ସ  ଯାଇ ପାରୁନାହିଁ । ଫଳରେ ଦୁର୍ଗମ ଅଞ୍ଚଳର ଆଦିବାସୀ ମହିଳା ମାନେ ସଠିକ ସମୟରେ ସ୍ବାସ୍ଥ୍ୟ ସେବା ନପାଇ ଅକାରଣରେ ମୃତ୍ୟୁବରଣ କରୁଛନ୍ତି । ଶିଶୁ ଓ ମାତୃ ମୃତ୍ୟୁହାର ବଢିଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି ।

ରାୟଗଡା ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇଛି । ହେଲେ ଜମିଜମା ସମସ୍ୟା ଓ ଅନୁଦାନ ଅଭାବ ଯୋଗୁ ଅନେକ ଦୁର୍ଗମ ଅଞ୍ଚଳରେ ପକ୍କା ରାସ୍ତାଟିଏ ନିର୍ମାଣ କରାଯାଇପାରୁନି । ମିଳିଥିବା ତଥ୍ୟ ମୁତାବକ ଜିଲ୍ଲାର ପ୍ରାୟ ୫୫୩ ଟି ଗାଁକୁ ଏଯାଏଁ ପକ୍କା ରାସ୍ତାଟିଏ ନାହିଁ । ଅନ୍ୟପଟେ ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା । ଦୁର୍ଗମ ଅଞ୍ଚଳରେ ଲାଗି ରହିଥିବା ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ କେବେ ଦୃଷ୍ଟି ଦେବ ତାହା ଦେଖିବାକୁ ବାକି ରହିଲା ।

୩୫ବର୍ଷୀୟ ଯୁବକଙ୍କ ପେଟରୁ ବାହାରିଲା ୯ଟି ଷ୍ଟିଲ୍ ଚାମଚ, ୧୯ଟି ଟୁଥବ୍ରଶ୍ ଏବଂ ଦୁଇଟି କଲମ

ନନ୍ଦିଘୋଷ ବ୍ୟୁରୋ : ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଡାକ୍ତର ଓ ପରିବାର ସଦସ୍ୟଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ ୩୫ବର୍ଷୀୟ ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲ୍ ଚାମଚ, ଟୁଥବ୍ରଶ୍ ଏବଂ କଲମ। ସେ ଅସହ୍ୟ ପେଟ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ପରିବାର ଲୋକ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ। ହସ୍ପିଟାଲ ପହଞ୍ଚିବା ପରେ ଡାକ୍ତର ତାଙ୍କର ଅଲ୍ଟ୍ରାସାଉଣ୍ଡ କଲେ । ଏହି ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ରିପୋର୍ଟରେ ତାଙ୍କ ପେଟ ଭିତରେ ଅନେକ ପ୍ରକାରର ଜିନିଷ ଥିବାର ଜଣାପଡିଥିଲା ।

ଏହା ପରେ ଡାକ୍ତରୀ ଦଳ ତୁରନ୍ତ ଏକ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଲେ । ଏହି ଅସ୍ତ୍ରୋପଚାର ପ୍ରାୟ ପାଞ୍ଚ ଘଣ୍ଟା ଧରି ଚାଲିଥିଲା। ଏହି ଜଟିଳ ଅସ୍ତ୍ରୋପଚାର ପରେ ଡାକ୍ତରମାନେ ତାଙ୍କ ପେଟରୁ ୨୯ଟି ଷ୍ଟିଲ୍ ଚାମଚ, ୧୯ଟି ଟୁଥବ୍ରଶ୍ ଏବଂ ଦୁଇଟି କଲମ ସଫଳତାର ସହ ବାହାର କଲେ। ଉତ୍ତର ପ୍ରଦେଶର ହାପୁର ଜିଲ୍ଲାରେ ଘଟିଛି ଏହି ଘଟଣା । ଯୁବକ ଜଣକ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ  ଘରକୁ ଫେରିଛନ୍ତି ।

ଡାକ୍ତରମାନେ ରୋଗୀଙ୍କ ଆଚରଣକୁ ମାନସିକ ରୋଗ ବୋଲି କହିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ମାମଲା ଟ୍ରାଇକୋଟିଲୋମାନିଆ କିମ୍ବା ପିକା ଡିସଅର୍ଡର ସହିତ ଜଡିତ ହୋଇପାରେ, ଏହା ଏକ ଗମ୍ଭୀର ମାନସିକ ରୋଗ । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି  ଖାଦ୍ୟ ଠାରୁ ଦୂରେଇ ଅଖାଦ୍ୟ ଜିନିଷ ଖାଇଥାନ୍ତି । ଏଥିରେ ମାଟି, ଚକ୍, ବରଫ, କେଶ, ସାବୁନ, ରଙ୍ଗ, ପୋଷାକ, କାଗଜ, ପାଉଁଶ ଏବଂ ମାଟି ଭଳି ଜିନିଷ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ।

 

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଅସିମ ମୁନୀର

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଭେଟିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ଆର୍ମିଚିଫ ଫିଲଡ ମାର୍ଶାଲ ଅସିମ ମୁନୀର। ହ୍ବାଇଟହାଉସରେ ହୋଇଛି ଭେଟଘାଟ। ସରିଫ ଓ ମୁନୀରଙ୍କୁ ଗ୍ରେଡ ଲିଡର୍ସ ବୋଲି ସମ୍ବୋଧନ କରିଥିଲେ ଟ୍ରମ୍ପ। ଦକ୍ଷିଣ ଏସିଆର ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଟ୍ରମ୍ପ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି।

ଏହି ଭେଟଘାଟ ବେଳେ ସରିଫଙ୍କ ସହ ଉପସ୍ଥିତ ଥିଲେ ସେନାମୁଖ୍ୟ ଫିଲଡ ମାର୍ଶାଲ ଅସିମ ମୁନୀର। ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ଆଞ୍ଚଳିକ ସ୍ଥିରତା, ବିଶ୍ବ ସମସ୍ୟା ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଟ୍ରମ୍ପଙ୍କୁ ସାକ୍ଷାତ କରିବା ପୂର୍ବରୁ ୮ ଆରବ ଓ ମୁସଲିମ ରାଷ୍ଟ୍ରର ନେତାମାନଙ୍କୁ ଭେଟିଥିଲେ। ପୂର୍ବରୁ ପାକିସ୍ତାନ ଆତଙ୍କୀଙ୍କ ଭୂସ୍ବର୍ଗ ପାଲଟିଛି କହିଥିବା ଟ୍ରମ୍ପଙ୍କ ସହ ସେହି ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଗ୍ରେଟ ଲିଡର କହିବା ଚର୍ଚ୍ଚାର ବିଷୟ ହୋଇଛି। ଗତ ଜୁନରେ ଅସିମ ମୁନୀରଙ୍କୁ ୱାଶିଂଟନରେ ସ୍ବାଗତ କରିଥିଲେ ଟ୍ରମ୍ପ। ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ଟ୍ରମ୍ପଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କହିଥିବା ମୁନୀର ଦର୍ଶାଇଥିଲେ। ୨୦୧୯ ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଥର ଲାଗି ଏହି ଭେଟଘାଟ ହୋଇଛି।

ପଦାକୁ ଆସୁଛି ଦିଲ୍ଲୀ ବାବା ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀଙ୍କ ଗୁମର

ନନ୍ଦିଘୋଷ ବ୍ୟୁରୋ : ପଦାକୁ ଆସୁଛି ଦିଲ୍ଲୀ ବାବା ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀଙ୍କ ଗୁମର। ବାବା କିପରି ଛାତ୍ରୀମାନଙ୍କୁ ଫୁସୁଲାଉଥିଲେ ତାହାର ଖୁଲାସା କରିଛନ୍ତି ଶ୍ରୀ ସାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟ ରିସର୍ଚ୍ଚର ଜଣେ ପୂବତନ ଛାତ୍ରୀ। ମାଗଣା ବିଦେଶ ଯାତ୍ରା, ଆଇଫୋନ, ଆରାମଦାୟକ କାର୍ ସେବା, ଲାପଟପ ଆଦି ଛାତ୍ରୀମାନଙ୍କୁ ଯୋଗାଉଥିବା କହିଛନ୍ତି ପୂର୍ବତନ ଛାତ୍ରୀ। ତେବେ ଏହି ପ୍ରସଙ୍ଗକୁ ନେଇ ସେତେବେଳେ ଛାତ୍ରୀଙ୍କୁ ବସନ୍ତକୁଞ୍ଜସ୍ଥିତ ପ୍ରତିଷ୍ଠାନରୁ ବାହାର କରିଦିଆଯାଇଥିଲା।

ଏପରିକି ଆଡମିଶନ ସମୟରେ ଛାତ୍ରୀଙ୍କୁ ବିଭିନ୍ନ ମିଛ କୁହାଯାଉଥିଲା। ଛାତ୍ରୀମାନଙ୍କୁ ଅଧିକ ମାର୍କ ଦେବା, ବିଦେଶରେ ଇଣ୍ଟର୍ଣ୍ଣସିପ, ଭଲ ଜାଗାରେ ପ୍ଲେସମେଣ୍ଟ ଲାଗି ଲୋଭ ଦେଖାଯାଉଥିଲା। ଯେଉଁମାନେ ଏହାକୁ ଗ୍ରହଣ କରୁଥିଲେ ସେମାନେ ନାନା ସୁବିଧା ପାଉଥିଲେ। ଯେଉଁମାନେ ମନା କରୁଥିଲେ ସେମାନେ କ୍ଷତିର ଶିକାର ହେଉଥିଲେ। ବାବା ଛାତ୍ରୀମାନଙ୍କ ସହ ୱାନ-ଟୁ-ୱାନ କଥା ହେଉଥିଲେ। ଯେଉଁମାନଙ୍କୁ ଟାର୍ଗେଟ କରାଯାଉଥିଲା ସେମାନଙ୍କୁ ବାବାଙ୍କ ଅଫିସକୁ ଯିବା ଲାଗି କୁହାଯାଉଥିଲା। ବର୍ତ୍ତମାନ ପ୍ରତିଷ୍ଠାନରେ କାର୍ଯ୍ୟରତ କିଛି କର୍ମଚାରୀ ପୂର୍ବତନ ଛାତ୍ରୀ ବୋଲି ସୂଚନା ମିଳିଛି। କିଛି ଛାତ୍ରୀଙ୍କୁ ବେବି, ସୁଇଟ ଗାର୍ଲ ବୋଲି ବାବା ସମ୍ବୋଧନ କରୁଥିଲେ। ଛାତ୍ରୀମାନଙ୍କର ଓରିଜିନାଲ ଡକ୍ୟୁମେଣ୍ଟ ପ୍ରତିଷ୍ଠାନରେ ରଖାଯାଉଥିଲା। ଫଳରେ ପିଲାଙ୍କୁ ଧମକାଇବା ସହଜ ହେଉଥିଲା। ପ୍ରତିଷ୍ଠାନରେ ୧୭୦ ସିସିଟିଭି କ୍ୟାମେରା ଲାଗିଥିଲା। ସିସିଟିଭି ଉପରେ ବାବାଙ୍କ ନଜର ଥିଲା। ବାବାଙ୍କ ଏମଫିଲ୍ ଡିଗ୍ରୀ ଫେକ୍ ଥିବା ସୂଚନା ମିଳିଛି।

ପୁଣି ସାର ସଙ୍କଟ : ସାର ପାଇଁ ରାତି ଅଧରୁ ଲମ୍ବା ଲାଇନ

ନନ୍ଦିଘୋଷ ବ୍ୟୁରୋ : ଥମିବାର ନା ନେଉନି ସାର ସଙ୍କଟ। ସାର ବସ୍ତାଏ ପାଇଁ ରାତି ଆଧାରୁ ଚାଷୀ ଲମ୍ବା ଲାଇନ। ଚପଲ, ଅଖା ଜରି ପାଲ ଓ ଆଧାର କାର୍ଡ ରଖି ଲମ୍ବା ଲାଇନ କରୁଥିବା ଦେଖିବାକୁ ମିଳିଛି। ଅନେକ ସମୟରେ ସାର ନ ମିଳିବାରୁ ରାଜ ରାସ୍ତାକୁ ଓଲାଉଛନ୍ତି ଚାଷୀ। ଆଜି ମଧ୍ୟ ଦେଖା ଦେଇଛି ସମାନ ସ୍ଥିତି। ସାନଖେମୁଣ୍ଡି ବ୍ଲକ ସାହାସପୁର ସେବା ସମବାୟ ଆଗରେ ଶତାଧିକ ଚାଷୀ ଙ୍କ ଭିଡ।ସାର ପାଇଁ ସାହାସପୁର ସେବା ସମବାୟ ଆଗରେ ହାତାହାତୀ ପରିସ୍ଥିତି। ଖବର ପାଇ ପାଟପୁର ପୋଲିସ ପହଞ୍ଚି ବୁଝା ସୁଝା ପରେ ସାର ବଣ୍ଟନ ଆରମ୍ଭ ହୋଇଛି। ଡହ ଡ଼ହ ଖରା ତ କେତେବେଳେ ଝିପଝିପ ବର୍ଷା ହେଲେବି ତଥାପି ଲମ୍ବା ଲାଇନରେ ଅଛନ୍ତି ଶତାଧିକ ପୁରୁଷ ମହିଳା ଚାଷୀ ।

ମା‘ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ମହାନଦୀର ଚତୁର୍ଥ ବନ୍ୟାଜଳ

ନନ୍ଦିଘୋଷ ବ୍ୟୁରୋ : କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ମହାନଦୀର ଚତୁର୍ଥ ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍ ଖୋଲାଥିବାରୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି। ଗତକାଲି ଠାରୁ ବନ୍ୟାଜଳ ବଢିବାରେ ଲାଗିଛି। ବନ୍ୟାଜଳ ମାଙ୍କୁ ଜଳାସାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମାଙ୍କୁ ସ୍ଥାନାନ୍ତର କରାଯିବ।ସେଥିପାଇଁ ମାଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି।ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ବିହାର ନିର୍ବାଚନ ପୂର୍ବରୁ ୩୦ଟି ନିୟମରେ ପରିବର୍ତ୍ତନ ଆଣିଲେ ନିର୍ବାଚନ କମିଶନ

ନନ୍ଦିଘୋଷ ବ୍ୟୁରୋ : କିଛି ସମୟ ଧରି ଦେଶର ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଆସୁଛନ୍ତି। ଭୋଟ ଚୋରି ଠାରୁ ଆରମ୍ଭ କରି ଜୋରଜବରଦସ୍ତ ଭୋଟ କାଟିବା ପର୍ଯ୍ୟନ୍ତ, ଏହି ଅଭିଯୋଗଗୁଡ଼ିକ ନିର୍ବାଚନ କମିଶନଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛି। ଏହି କାରଣରୁ କମିଶନ ଭୋଟଦାନ ଏବଂ ଗଣନା ପ୍ରକ୍ରିୟାରେ ଅନେକ ପରିବର୍ତ୍ତନ କରୁଛନ୍ତି। ଗତ ଛଅ ମାସରେ, ନିର୍ବାଚନ କମିଶନ ୩୦ଟି ପରିବର୍ତ୍ତନ କରିଛନ୍ତି।

ଗୁରୁବାର ଦିନ, ନିର୍ବାଚନ କମିଶନ ଭୋଟ ଗଣନା ନିୟମରେ ପୁଣି ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ପରେ, ପୋଷ୍ଟାଲ୍ ବାଲଟ୍ ସମାପ୍ତ ହେବା ପରେ ହିଁ ଇଭିଏମ୍ ଗଣନା ଆରମ୍ଭ ହେବ। ଏହା ବ୍ୟତୀତ, ଯଦି ଅଧିକ ବାଲଟ୍ ଥାଏ, ତେବେ ଗଣନା ଟେବୁଲ ସଂଖ୍ୟା ବୃଦ୍ଧି କରାଯିବ। ଏହି ପରିବର୍ତ୍ତନ ପୂର୍ବରୁ ସକାଳ ୮ଟାରେ ଭୋଟ ଗଣନା ଆରମ୍ଭ ହେଉଥିଲା, ଅନ୍ୟପଟେ EVM ଗଣନା ସକାଳ ୮ଟା ୩୦ରେ ଆରମ୍ଭ ହେଉଥିଲା। କିନ୍ତୁ, ଏହା ଆଉ ହେବ ନାହିଁ। କମିଶନ ସ୍ପଷ୍ଟ କରିଛନ୍ତି ଯେ ଭୋଟ ଗଣନା ସମାପ୍ତ ନହେବା ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ EVM ଖୋଲାଯିବ ନାହିଁ ।

୬ ମାସରେ ୩୦ଟି ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ

୧. ଭୋଟରମାନେ ଏବେ ମତଦାନ କେନ୍ଦ୍ରରେ ସେମାନଙ୍କର ମୋବାଇଲ୍ ଫୋନ୍ ଜମା କରିପାରିବେ। କମିଶନ ମୋବାଇଲ୍ ଫୋନ୍ ଜମା କରିବା ପାଇଁ ଏକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି।

୨. ନୂତନ ପରିବର୍ତ୍ତନ ଅନୁଯାୟୀ, ଏକ ମତଦାନ କେନ୍ଦ୍ରରେ ସର୍ବାଧିକ ୧୨୦୦ ଭୋଟରଙ୍କୁ ଅନୁମତି ଦିଆଯିବ। ଏହା ମତଦାନ କେନ୍ଦ୍ରରେ ଭିଡ଼ ହ୍ରାସ କରିବ ଏବଂ ଲୋକଙ୍କ ଭୋଟ ଦେବା ପାଇଁ ଦୀର୍ଘ ସମୟ ଅପେକ୍ଷାକୁ ରୋକିବ।

୩. ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଏବେ ମତଦାନ କେନ୍ଦ୍ରଠାରୁ ୧୦୦ ମିଟର ଦୂରରେ ସେମାନଙ୍କର ଟେବୁଲ ରଖିପାରିବେ।

୪. ଇଭିଏମ୍‌ରେ ପ୍ରାର୍ଥୀଙ୍କ ଫଟୋ ଏବେ ରଙ୍ଗୀନ ହେବ। ପ୍ରାର୍ଥୀ ଏବଂ ତାଙ୍କ ଦଳର ନାମ ସହଜରେ ପଢ଼ିବା ପାଇଁ ବୋଲ୍ଡ ଅକ୍ଷରରେ ଲେଖାଯିବ। ପୂର୍ବରୁ ଫଟୋଗୁଡ଼ିକ କଳା ଏବଂ ଧଳା ଥିଲା।

୫. କମିଶନ ଭୋଟର ସୂଚନା ସ୍ଲିପ୍ (VIS) ର ଡିଜାଇନ୍ ପରିବର୍ତ୍ତନ କରିଛନ୍ତି। ଏହା ଏବେ ଭୋଟର ନମ୍ବର ଏବଂ ଅଂଶ ନମ୍ବରକୁ ପ୍ରମୁଖ ଭାବରେ ପ୍ରଦର୍ଶିତ କରୁଛି।

୬. ନିର୍ବାଚନ କମିଶନ ଗତ ୬ ମାସ ମଧ୍ୟରେ ୪ଟି ରାଜ୍ୟରେ ଭୋଟର ତାଲିକାକୁ ଅପଡେଟ୍ କରିଛନ୍ତି।

୭. BLOଙ୍କୁ ଏକ ପରିଚୟପତ୍ର ପ୍ରଦାନ କରାଯିବ, ଯେଉଁଥିରେ ତାଙ୍କର ଫଟୋ, ନାମ ଏବଂ ଅନ୍ୟାନ୍ୟ ସୂଚନା ରହିବ।

୮. ନିର୍ବାଚନ କମିଶନ ଏପର୍ଯ୍ୟନ୍ତ ୮୦୮ଟି ପଞ୍ଜିକୃତ ରାଜନୈତିକ ଦଳକୁ RUPP ତାଲିକାରୁ ବାଦ୍ ଦେଇଛନ୍ତି, ଯଦିଓ ଏହି ଦଳଗୁଡ଼ିକର ରାଜନୈତିକ ଦଳ ଭାବରେ ସ୍ୱୀକୃତି ନଥିଲା।

୯. ବୈଷୟିକ ଏବଂ ପ୍ରଶାସନିକ SOP ଅନୁଯାୟୀ, ଫଳାଫଳ ଘୋଷଣା ପରେ EVMର ମେମୋରୀ ଚିପ୍ ଏବଂ ମାଇକ୍ରୋକଣ୍ଟ୍ରୋଲରର ଯାଞ୍ଚ ଏବଂ ଯାଞ୍ଚ ପ୍ରକ୍ରିୟାକୁ ପରିବର୍ତ୍ତନ କରାଯାଇଛି।

୧୦. ଯଦି ନିର୍ବାଚନ ଫଳାଫଳ ଫର୍ମ ୧୭ସି ଏବଂ ଇଭିଏମରେ ଥିବା ତଥ୍ୟ ସହିତ ମେଳ ଖାଏ ନାହିଁ, ତେବେ VVPAT ଗଣନା କରାଯିବ।

୧୧. ନିର୍ବାଚନ କମିଶନ SIR ମାଧ୍ୟମରେ ବିହାରରେ ଅବୈଧ ନାମଗୁଡ଼ିକୁ ହଟାଇ ଦେଇଛନ୍ତି। ନୂତନ ନାମ ମଧ୍ୟ ଯୋଡାଯାଇଛି।

୧୨. ନିର୍ବାଚନ ଆଇନ ଅନୁଯାୟୀ, କମିଶନ ୨୮ ଜଣ ଅଂଶୀଦାରଙ୍କ ଭୂମିକାକୁ ପରିଭାଷିତ କରିଛନ୍ତି।

୧୪. କମିଶନ ନିର୍ବାଚନରେ ​​ସାମିଲ ଥିବା BLO, ପର୍ଯ୍ୟବେକ୍ଷକ ଏବଂ ପୋଲିଂ କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି।

୧୫. ଭୋଟରଙ୍କ ଚିନ୍ତାକୁ ଦୂର କରିବା ପାଇଁ, ନିର୍ବାଚନ କମିଶନ ECINET ପୋର୍ଟାଲ୍ ଆରମ୍ଭ କରିଛନ୍ତି, ଯାହା ୪୦ ରୁ ଅଧିକ ଆପ୍ ଏବଂ ୱେବସାଇଟ୍‌କୁ ଗୋଟିଏ ପ୍ଲାଟଫର୍ମରେ ସଂଯୁକ୍ତ କରିଥାଏ। ଏହା ଭୋଟରମାନଙ୍କୁ ସୂଚନା ପାଇବା ସହଜ କରିବ।

୧୬. ନିର୍ବାଚନ ଫଳାଫଳ ଦିନ, ପ୍ରତି ୨ ଘଣ୍ଟାରେ ECINET ପୋର୍ଟାଲରେ ପ୍ରକୃତ ଭୋଟରଙ୍କ ମତଦାନ ଏବେ ପ୍ରକାଶିତ ହେବ।

୧୭. ମତଦାନ କେନ୍ଦ୍ରଗୁଡ଼ିକ ଏବେ ସିଧା ପ୍ରସାରଣ କରାଯିବ, ଯେଉଁଥିରେ ସମସ୍ତ ଭୋଟ ସମ୍ପର୍କିତ ସୂଚନା ଦେଖାଯିବ।

୧୯. ସାଧାରଣ ଲୋକଙ୍କ ପାଇଁ ନିର୍ବାଚନ ତଥ୍ୟ ସହଜରେ ପହଞ୍ଚିବା ପାଇଁ ଡିଜିଟାଲ୍ ଇଣ୍ଡେକ୍ସ କାର୍ଡ ଏବଂ ରିପୋର୍ଟଗୁଡ଼ିକୁ ଉନ୍ନତ କରାଯାଇଛି।

20. ବର୍ତ୍ତମାନ ଦୁଇଥର ଉପସ୍ଥିତ ସଂଖ୍ୟାଗୁଡ଼ିକୁ Unique EPIC ମାଧ୍ୟମରେ ଅପସାରିତ କରାଯାଇଛି।

୨୧. ନିର୍ବାଚନ ସମୟରେ ମୃତ୍ୟୁବରଣ କରିଥିବା ଭୋଟରଙ୍କ ବିବରଣୀ BLO ଏବଂ ERO ପାଖରେ ଉପଲବ୍ଧ ହେବ।

୨୨. ପୂର୍ବ ଅପେକ୍ଷା କମ୍ ସମୟ ମଧ୍ୟରେ EPICs ଜାରି କରାଯିବ। ୧୫ ଦିନ ମଧ୍ୟରେ ଭୋଟରମାନଙ୍କୁ ମେସେଜ୍ ମାଧ୍ୟମରେ ସୂଚିତ କରାଯିବ।

୨୩. ନିର୍ବାଚନ କମିଶନ ସାରା ଦେଶରେ ୨୮,୦୦୦ ଦଳୀୟ ନେତାଙ୍କ ସହିତ ପ୍ରାୟ ୫,୦୦୦ ସର୍ବଦଳୀୟ ବୈଠକ କରିଛନ୍ତି। ଏଥିରେ ଜାତୀୟ ଏବଂ ରାଜ୍ୟସ୍ତରୀୟ ନେତାଙ୍କ ୨୦ଟି ବୈଠକ ଅନ୍ତର୍ଭୁକ୍ତ।

୨୪. ଜାତୀୟ ସ୍ତରରେ ଆଇନଗତ ପରାମର୍ଶଦାତା ଏବଂ ସିଇଓମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

୨୫. ଆଗାମୀ ନିର୍ବାଚନ ପାଇଁ ସାରା ଦେଶରେ ବିଭିନ୍ନ ତାଲିମ ଅଧିବେଶନରେ ୭,୦୦୦ ରୁ ଅଧିକ BLO ଏବଂ ପର୍ଯ୍ୟବେକ୍ଷକଙ୍କୁ ତାଲିମ ଦିଆଯାଇଥିଲା।

୨୬. କମିଶନ ଗଣମାଧ୍ୟମ ସଂଯୋଜକଙ୍କ ପାଇଁ ଏକ ସ୍ୱତନ୍ତ୍ର ତାଲିମ ଅଧିବେଶନ ଆୟୋଜନ କରିଥିଲେ, ଯେଉଁଥିରେ ସେମାନଙ୍କୁ ଛୋଟ କିମ୍ବା ବଡ଼ ପ୍ରତ୍ୟେକ ବିବରଣୀ ବିଷୟରେ ସୂଚନା ଦିଆଯାଇଥିଲା।

୨୭. ନିର୍ବାଚନ ସମୟରେ ଉପୁଜିପାରୁଥିବା ଯେକୌଣସି ସମସ୍ୟାର ମୁକାବିଲା କରିବା ପାଇଁ ବିହାରର ପୋଲିସ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା।

୨୮. କମିଶନ ବାୟୋମେଟ୍ରିକ୍ସ ଏବଂ ଇ-ଅଫିସ୍ ଭଳି ଏହାର ସିଷ୍ଟମଗୁଡ଼ିକୁ ଉନ୍ନତ କରିଛି ଏବଂ ସେଗୁଡ଼ିକୁ ପୂର୍ବ ଅପେକ୍ଷା ସରଳ କରିଛି।

୨୯. ଦେଶର ତିନୋଟି ରାଜ୍ୟ – ବିହାର, ତାମିଲନାଡୁ ଏବଂ ପୁଡୁଚେରୀରେ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ବିଏଲଏମାନଙ୍କୁ ଶିକ୍ଷା ଦିଆଯାଇଛି।

୩୦. ଭୋଟ ପେପର ଗଣନା ପରେ ହିଁ ଇଭିଏମ୍ ଖୋଲାଯିବ। ଭୋଟ ଗଣନା ନହେବା ପର୍ଯ୍ୟନ୍ତ ଇଭିଏମ୍ ଖୋଲାଯିବ ନାହିଁ।

ଭୋଟରଙ୍କ ସୁବିଧା ବୃଦ୍ଧି କରିବା ଏବଂ ପ୍ରଶ୍ନ ସଂଖ୍ୟା ହ୍ରାସ କରିବା ଲକ୍ଷ୍ୟରେ ନିର୍ବାଚନ କମିଶନ ଗତ ଛଅ ମାସ ମଧ୍ୟରେ ଏହି ୩୦ଟି ପରିବର୍ତ୍ତନ କରିଛନ୍ତି।

ସାରା ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ; ଏଥର ଭିଜିବ ଦଶହରା

ନନ୍ଦିଘୋଷ ବ୍ୟୁରୋ : ବର୍ଷାରେ ଭିଜିବ ଦଶହରା। ଲଘୁଚାପ ପ୍ରଭାବରେ ସାରା ରାଜ୍ଯରେ ଲାଗି ରହିଛି ବର୍ଷା  । ଯାହା ଫଳରେ ଫିକା ପଡ଼ିପାରେ ପାର୍ବଣର ପରିବେଶ। ତଥାପି ଜଗତଜନନୀଙ୍କୁ ସ୍ଵାଗତ କରିବା ପାଇଁ ଜୋରସୋରରେ ଚାଲିଛି ମଣ୍ଡପ ଓ ତୋରଣ କାମ। ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଭୁବନେଶ୍ଵର ରସୁଲଗଡ଼ ପୂଜା କମିଟିର ତୋରଣ କାର୍ଯ୍ୟ ସରିଥିବା ବେଳେ ମାଆଙ୍କ ମୂର୍ତ୍ତି କାର୍ଯ୍ୟ ଅଳ୍ପ ବାକି ରହିଛି। ରବିବାର ସନ୍ଧ୍ୟାରେ ବେଳବରଣୀ ମୁହୂର୍ତ୍ତ ଥିବାରୁ ଜୋରସୋରରେ ଲାଗିଛନ୍ତି କାରିଗର।

ଆଜି ଭାରତ-ଶ୍ରୀଲଙ୍କା ଟକ୍କର; ଦୁବାଇରେ ରାତି ୮ଟାରେ ମ୍ୟାଚ

ନନ୍ଦିଘୋଷ ବ୍ୟୁରୋ : ଏସିଆ କପରେ ଆଜି ଭାରତ ଶ୍ରୀଲଙ୍କା ମୁକାବିଲା ରହିଛି। ସଂଧ୍ୟା ୮ଟାରେ ଦୁବାଇରେ ଏହି ମ୍ଯାଚ ଖେଳାଯିବ। ଟୁର୍ଣ୍ଣାମେଣ୍ଟ କିମ୍ଵା ଫାଇନାଲରେ ଏହି ମ୍ଯାଚର କୌଣସି ପ୍ରଭାବ ପଡ଼ିବ ନାହିଁ। କେବଳ ଔପଚାରିକ ଭାବେ ଏହି ମ୍ୟାଚ ଖେଳାଯିବ । କାରଣ ଭାରତ -ପାକିସ୍ତାନ ଫାଇନାଲ ହେବ ବୋଲି ନିର୍ଦ୍ଧାରିତ ହୋଇ ଯାଇଛି। ସୁପର ଫୋରରେ ପାକିସ୍ତାନକୁ ପରାସ୍ତ କରି ଆଗରୁ ଭାରତ ଫାଇନାଲକୁ ଯାଇଥିବା ବେଳେ ଗତକାଲି ବାଂଲାଦେଶକୁ ୧୧ ରନରେ ହରାଇ ପାକିସ୍ତାନ ଫାଇନାଲକୁ ଯାଇଛି। ଆଜିର ମ୍ୟାଚରୁ ଭାରତ ଫାଇନାଲ ପ୍ରାକ୍ଟିସ ବୋଲି କୁହାଯାଇପାରେ। ଆଜି ହୁଏତ କିଛି ପରୀକ୍ଷା ନିରୀକ୍ଷା କରାଯାଇପାରେ।

ଫାଇନାଲ ପୂର୍ବରୁ ଦଳକୁ ପୁରା ଫିଟ୍ କରି, ସବୁ ଦୋଷ ତ୍ରୁଟି ସଜାଡ଼ିବାକୁ ଭାରତ ଚେଷ୍ଟା କରିବ। ବିଶେଷ କରି ଫିଲଡିଂ ତ୍ରୁଟି ସଂଶୋଧନ କରାଯିବ। କାରଣ ପୁରା ଟୁର୍ଣ୍ଣାମେଣ୍ଟରେ ଭାରତର ଫିଲଡିଂ ଭଲ ହୋଇନାହିଁ। ଅନେକ କ୍ୟାଚ ଛାଡ଼ିଛନ୍ତି ସେମାନେ। ବ୍ୟାଟିଂ ଆଉ ବୋଲିଂକୁ ମଧ୍ୟ ଆହୁରି ଶାଣିତ କରାଯିବ।

ଗାଜାରେ ଶାନ୍ତି ପ୍ରତିଷ୍ଠା ଲାଗି ଆମେରିକା ଟ୍ରମ୍ପ ପ୍ରଶାସନର ୨୧ ସୂତ୍ରୀ ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ : ଗାଜାରେ ଶାନ୍ତି ପ୍ରତିଷ୍ଠା ଲାଗି ଆମେରିକା ଟ୍ରମ୍ପ ପ୍ରଶାସନର ୨୧ ସୂତ୍ରୀ ପ୍ରସ୍ତାବ  । ଇସ୍ରାଏଲ ଓ ଗାଜା ମଧ୍ୟରେ ଚାଲିଥିବା ଲଢ଼େଇର ଅନ୍ତ ଘଟାଇବା ଲାଗି ଟ୍ରମ୍ପ ପ୍ରଶାସନ ବିଶେଷ ଉଦ୍ୟମ କରିଛି  । ଆରବ ରାଷ୍ଟ୍ର ସମୂହର ନେତାମାନଙ୍କୁ ଟ୍ରମ୍ପ ପ୍ରଶାସନ ଏହି ପ୍ରସ୍ତାବ ଦେଇଛି  । ସେପଟେ ପାଲେଷ୍ଟାଇନକୁ କିଛି ପାଶ୍ଚାତ୍ୟ ରାଷ୍ଟ୍ର ଯେଉଁ ସ୍ବୀକୃତି ପ୍ରଦାନ କରିଛନ୍ତି ତାହାକୁ ବିରୋଧ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ  । ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ପାଲେଷ୍ଟାଇନକୁ ବ୍ରିଟେନ, ଫ୍ରାନ୍ସ, କାନାଡା, ଅଷ୍ଟ୍ରେଲିଆ ସ୍ବୀକୃତି ଦେଇଥିବାରୁ ତାହାକୁ ବିରୋଧ କରିଛି ଇସ୍ରାଏଲ  । ତେବେ ଏହି ସବୁ ରାଷ୍ଟ୍ରର ପଦକ୍ଷେପକୁ ବିରୋଧ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ  । ଏହି ସ୍ବୀକୃତି ପ୍ରଦାନର ଅର୍ଥ ହମାସ ଆତଙ୍କୀ ସଂଗଠନକୁ ସମର୍ଥନ ଦେବା ବୋଲି କହିଛନ୍ତି ଟ୍ରମ୍ପ  । ସେପଟେ ଗାଜାର ବିଭିନ୍ନ ସ୍ଥାନରେ ସହାୟତା ଦେବା ଲାଗି ଇଟାଲୀ ନୌଜାହାଜକୁ ପଠାଇଥିବା ସୂଚନା ମିଳିଛି  । ଇସ୍ରାଏଲ ହମଲାରେ ନଷ୍ଟ ହୋଇଥିବା ଅଞ୍ଚଳରେ ଏହି ସହାୟତା ବଣ୍ଟନ କରାଯିବ  ।