spot_img
Home Blog Page 1839

ସତ୍ୟବାଦୀରେ କିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲାରେ ସତ୍ୟବାଦୀ ରାଜ୍ଯର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ । ଏଠାରେ ଭୋଟର ବେସ ସଚେତନ । ଆଗାମୀ ମେ ୨୫ ତାରିଖରେ ଭୋଟିଂ ହେବାକୁ ଥିବାବେଳେ ଅଞ୍ଚଳରେ ଜୋର ଧରିଛି ପ୍ରଚାର। ସତ୍ୟବାଦୀର ବିକାଶ ଓ ଉନ୍ନତି ଏଠାର ମୁଖ୍ଯ ମୁଦ୍ଦା ଥିବାବେଳେ ବିକାଶ ସପକ୍ଷରେ ମତ ଦେଇଛନ୍ତି ଭୋଟର।

ଦୁଲୁକୁଛି ସତ୍ଯବାଦୀ । ପ୍ରଚାର ପାଇଁ ସରଗରମ ମାହୋଲ । ୨୫ରେ ନେତା ନିର୍ବାଚନ କରିବେ ଜନତା । ବିକାଶ ଓ ଉନ୍ନତି ସାଜିଛି ମୁଖ୍ଯ ମୁଦ୍ଦା । ନିର୍ବାଚନ ଆସିଲେ ପୁରୀ ଜିଲ୍ଲାର ସତ୍ଯବାଦୀ ଥାଏ ଚର୍ଚ୍ଚାରେ । ଏଠାକାର ଜନସାଧାରଣ ବିଶେଷ କରି ଚାଷ ଉପରେ ନିର୍ଭର କରନ୍ତି । ଚାଷ ଏଠାରେ ପ୍ରମୁଖ ପ୍ରସଙ୍ଗ ଥିବାବେଳେ ଚାଷୀଙ୍କୁ ସୁବିଧା ଯୋଗାଇ ଦେବାସହ ଅନେକ ବିକାଶ କାର୍ଯ୍ୟ କରିଛି ବିଜେଡି । ଓଡ଼ିଆ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ଗୋପବନ୍ଧୁଙ୍କ ସଠିଘର, ଆଦର୍ଶ ବିଦ୍ୟାଳୟ ସ୍ଥାପନ ବିଜେଡିର ଅବଦାନ । ୨୦୧୯ରେ ଏଠାରୁ ବିଜେଡିର ଉମା ସାମନ୍ତରାୟ ବିଧାୟକ ଥିଲେ । ଚଳିତ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଏଠାରୁ ମୈଦାନରେ । ତେଣୁ ବିକାଶ ସପକ୍ଷରେ ମତ ଦେଇଛନ୍ତି ଏଠାକାର ସଚେତନ ଜନତା ।

ସତ୍ୟବାଦୀ ଓ କଣାସ ବ୍ଲକକୁ ନେଇ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ । ଚଳିତମାସ ୨୫ ତାରିଖରେ ଏଠାରେ ମତଦାନ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ ଭୋଟରଙ୍କୁ ମନାଇବାକୁ ଲାଗି ପଡ଼ିଛନ୍ତି ପ୍ରାର୍ଥୀ । ସଭାସମିତି, ରୋଡଶୋ, ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ତେବେ ୩ ପ୍ରମୁଖ ଦଳ ସହ ସ୍ବାଧୀନ ପ୍ରାର୍ଥୀ ମଧ୍ଯ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚଳାଇଛନ୍ତି ଉଦ୍ଯମ । ତେବେ ବିକାଶ ହିଁ ଏଥର ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ । ହାତରେ ଆଉ କମ ଦିନ ଥିବାରୁ ଜୋର ଧରିଛି ପ୍ରଚାର । ତେବେ ସଚେତନ ଜନତା କାହା ସପକ୍ଷରେ ନିଜର ମତ ରଖିବେ ତାହା ନିର୍ବାଚନ ପରେ ହିଁ ସ୍ପଷ୍ଟ ହେବ ।

ନିର୍ବାଚନକୁ ଶାନ୍ତି, ଅବାଧ ଓ ସ୍ଵଚ୍ଚ କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ନନ୍ଦିଘୋଷ ବ୍ୟୁରୋ: ରାତି ପାହିଲେ ନିର୍ବାଚନ । କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହେବ ଭୋଟିଂ । ସୋମବାର ସକାଳ ୭ ଟାରୁ ନେତା ବାଛିବେ ଭୋଟର । ନିର୍ବାଚନକୁ ଶାନ୍ତି ଅବାଧ ଓ ସ୍ଵଚ୍ଚ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋରାପୁଟ ଜିଲ୍ଲାର ୫ ଟି ବିଧାନସଭା ଆସନ ଓ ଲୋକସଭା ଆସନ ପାଇଁ ନିର୍ବାଚନ ହେବ । ଜିଲ୍ଲାର ଲକ୍ଷ୍ମୀପୁର ଓ ପଟାଙ୍ଗୀ ବିଧାନସଭା ଆସନ ପାଇଁ ସକାଳ ୭ ରୁ ୪ ଯାଏଁ , କୋରାପୁଟ ଓ କୋଟପାଡ଼ ବିଧାନସଭା ଆସନ ପାଇଁ ସକାଳ ୭ ରୁ ୫ ଟା, ଜୟପୁର ବିଧାନସଭାରେ ସକାଳ ୭ ଟା ରୁ ସଂଧ୍ୟା ୬ ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଜିଲ୍ଲାରେ ୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ କୋରାପୁଟବାସୀ । ଜିଲ୍ଲାର ୪ ଟି ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ପୋଲିଂ କର୍ମଚାରୀ ପହଞ୍ଚି ସାରିଛନ୍ତି । ଜିଲ୍ଲାରେ ୧୧୭ ଟି ସଖି ବୁଥ ହୋଇଥିବା ବେଳେ ଏଠାରେ ମହିଳା ଅଧିକାରୀମାନେ ବୁଥ ପରିଚାଳନା କରିବେ । ଏଥିରେ ନିୟୋଜିତ ମହିଳା କର୍ମଚାରୀମାନଙ୍କ ମଧ୍ଯରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।

ବିଜେପି ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବାରେ ବିଜେପି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଜେଡି ଏଭଳି ଅଭିଯୋଗ କରିଛି । କେତେବେଳେ କୋମଳମତି ଶିଶୁଙ୍କୁ ବିଜେପି ନିର୍ବାଚନରେ ବ୍ୟବହାର କରୁଛି।  ସରକାରୀ ଅଧିକାରୀଙ୍କୁ ବିଜେପି ନେତା ଧମକ ଦେଉଛନ୍ତି। ଏସବୁ ସମ୍ପର୍କରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅବଗତ କରିଛି। ଗତକାଲି ବିଜେପିର ଆସିକା ବିଧାୟକ ପ୍ରାର୍ଥୀ ସରୋଜ ପାଢ଼ୀ ଫ୍ଲାଇଂ ସ୍କ୍ବାଡକୁ ନୂଆପାଲି ଛକରେ ଚେକିଂ କରିବାରେ ବାଧା ଦେବା ସହ ନିଜ କ୍ଷମତାର ଅପବ୍ୟବହାର କରିଥିଲେ। ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଜେପି ନେତାଙ୍କୁ ଏପରି କାମରୁ ନିବୃତ୍ତ ରଖିବାରୁ ପଦକ୍ଷେପ ନେବା ପାଇଁ ବିଜେଡି ଦାବି କରିଛି।

ସାନଖେମୁଣ୍ଡିରେ କାହାକୁ ବାଛିବେ ଭୋଟର?

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର। ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ। ଆସନ୍ତା ୨୦ ତାରିଖରେ ଏଠାରେ ମତଦାନ କରାଯିବ । ଏଠାକାର ଭୋଟର ବିକାଶକୁ ଫୋକସ କରିଛନ୍ତି । ଚଳିତ ନିର୍ବାଚନରେ ଭୋଟର କାହା ମୁଣ୍ଡରେ ସୁନା କଳସ ଢାଳିବେ, ସେନେଇ ଚାଲିଛି ଜୋରଦାର କଳ୍ପନାଜଳ୍ପନା।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ୨୬ ପଞ୍ଚାୟତ ଓ ଧରାକୋଟ ବ୍ଲକର ୧୮ଟି ପଞ୍ଚାୟତ, ମୋଟ ୪୪ଟି ପଞ୍ଚାୟତକୁ ନେଇ ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳି ଗଠିତ । ସାନଖେମୁଣ୍ଡି ନିର୍ବାଚନମଣ୍ଡଳିରେ ସମୁଦାୟ  ୨ ଲକ୍ଷ ୨୭ ହଜାର ୮୬୫ ଜଣ ଭୋଟର ଅଛନ୍ତି। ପୁରୁଷ ଭୋଟର ୧ ଲକ୍ଷ ୧୮ ହଜାର ୬୪୧,  ମହିଳା ଭୋଟର ୧ ଲକ୍ଷ ୯ ହଜାର ୨୦୧  ଏବଂ  ୨୩ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ଚଳିତ ନିର୍ବାଚନରେ ବିଜେଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବିଜେପିରୁ ଉତ୍ତମ କୁମାର ପାଣିଗ୍ରାହୀ ଓ କଂଗ୍ରେସରୁ ରମେଶ ଚନ୍ଦ୍ର ଜେନାଙ୍କୁ ଟିକେଟ୍ ମିଳିଛି। ତିନି ପ୍ରାର୍ଥୀ ଜୋରଦାର ପ୍ରଚାର କରି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି।

୨୦୧୯ ନିର୍ବାଚନରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳିରେ ଭୋଟିଂ ହାର ୬୮.୩୫% ଥିଲା। ୧ ଲକ୍ଷ ୪୭ ହଜାର ୮୪୫ ଜଣ ଭୋଟ ଦେଇଥିଲେ । କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା ୫୦.୭୫% ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀଙ୍କୁ  ୩୪. ୬୯% ହାରରେ  ୫୧ ହଜାର ୨୯୪ ଭୋଟ ଓ ବିଜେପିର ବିଜୟ କୁମାର ସ୍ଵାଇଁଙ୍କୁ  ୧୦.୩୭% ହାରରେ  ୧୫ ହଜାର ୩୩୫ ଭୋଟ ମିଳିଥିଲା। ୨୩ ହଜାର ୭୨୭ ଭୋଟ ବ୍ୟବଧାନରେ କଂଗ୍ରେସରୁ ରମେଶ ଜେନା ବିଜୟୀ ହେଇଥିଲେ। ଗତ ନିର୍ବାଚନଠାରୁ ଚଳିତ ନିର୍ବାଚନରେ ଭୋଟର ସଂଖ୍ୟା ବୃଦ୍ଧି ପାଇଥିବାରୁ ଭୋଟ ହାର ମଧ୍ୟ ବୃଦ୍ଧି ପାଇବ ବୋଲି  ଅନୁମାନ କରାଯାଉଛି । ତେବେ ଲୋକମାନେ ଅଞ୍ଚଳର ବିକାଶ ପାଇଁ ଯୋଗ୍ଯ ପ୍ରାର୍ଥୀଙ୍କୁ ଭୋଟ ଦେବେ ମତ ରଖିଛନ୍ତି l

 

ଭାଇରାଲ ହେବାରେ ଲାଗିଛି ରୋହିତ ଶର୍ମାଙ୍କ ଏହି ଫଟୋ, ଫ୍ୟାନ୍ସ କହିଲେ..

ନନ୍ଦିଘୋଷ ବ୍ୟୁରୋ: ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ କୋଲକାତା ଜିତିବା ସହ ଚଳିତ ବର୍ଷର ପ୍ରଥମ ଦଳଭାବେ ପ୍ଲେଅଫରେ ନିଜର ସ୍ଥାନ ପକ୍କା କରିଛି । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫରୁ ବାହାର ହୋଇଥିବାବେଳେ ରୋହିତ ଶର୍ମାଙ୍କୁ ନେଇ ଏକ ଚର୍ଚ୍ଚା ଏବେ ଦେଖିବାକୁ ମିଳୁଛି । ମୁମ୍ବାଇ ଇଣ୍ଡିଆନ୍ସକୁ ୫ଥର ଚାମ୍ପିୟନ କରିଥିବା ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲା ଦଳ । ତେବେ ପ୍ରଥମରୁ ଉଭୟଙ୍କ ମଧ୍ୟରେ ଭଲ ପଡ଼ୁ ନଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ରୋହିତ ଉମ୍ବାଇ ଇଣ୍ଡିଆନ୍ସ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରୋହିତ ଟିମ ମ୍ୟାନେଜମେଣ୍ଟ ସହ ଏସମ୍ପର୍କରେ କଥା ହୋଇଥିବା ମଧ୍ୟ କୁହାଯାଉଛି । ତେବେ ଶନିବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ତେବେ ଯେତେବେଳେ ବର୍ଷା ହୋଇଥିଲା ସେତେବେଳେ ରୋହିତ କୋଲକାତା ନାଇଟ୍ ରାଇଡର୍ସର ଡ୍ରେସିଂ ରୁମରେ ନଜର ଆସିଥିଲେ । ଟିମ ସଦସ୍ୟ ସହ ମ୍ୟାନେଜ ମେଣ୍ଟ ମଧ୍ୟ ସେ ଆଲୋଚନ କରିଥିବା ଦେଖିବାକୁ ମିଳିଥିଲା । ଡ୍ରେସିଂ ରୁମରେ ଥିବା ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ କେକେଆର ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଯାହାକୁ ନେଇ ଫ୍ୟାନ୍ସମାନେ ସେୟାର କରିବା ସହ ବହୁ ମଜାଳିଆ ମଜାଳିଆ କମେଣ୍ଟମାନେ ଦେଇଥିବା ଦେଖିବାକୁ ମିଳିଥିଲା । ଏପରିକି କୋଲକାତା ସାଇଟରେ ଅପଲୋଡ ହୋଇଥିବା ଭିଡିଓକୁ ଡିଲେଟ କରାଯାଇଛି ।

ଟିଟିଲାଗଡ଼ ସହରରେ ଟୁକୁନି ସାହୁଙ୍କ ପ୍ରଚାର

ଟିଟିଲାଗଡ଼: ନିର୍ବାଚନ ତାରିଖ ଯେତେ ପାଖଉଛି, ପ୍ରଚାର ସେତେ ସରଗରମ ହେଉଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଟୁକୁନି ସାହୁ ସହରର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପ୍ରଚାର ଚଲାଇଛନ୍ତି । ସମର୍ଥକ ମାନେ ଏକ ବାଇକ ରାଲିରେ ଟୁକୁନିଙ୍କୁ ପାଛୋଟି ନେଇଥିଲେ ।

ଏହାପରେ ୧ ନମ୍ବର ୱାର୍ଡରୁ ପ୍ରଚାର ଆରମ୍ଭ କରିଛନ୍ତି ଟୁକୁନି ସାହୁ । ଗତକାଲି ମ୍ୟୁନିସିପାଲଟିର ୧, ୨ ଓ ୩ ନମ୍ବର ୱାର୍ଡରେ ଘରକୁ ଘର ଓ ଛକ ଛକରେ ବୁଲି ଲୋକଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ବିଜେଡିକୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ଟୁକୁନି ।

ସେ କହିଛନ୍ତି, ‘ଲୋକଙ୍କ ପାଇଁ ବିଜେଡି ସବୁ ବେଳେ ଅଛି ଓ ରହିବ। ଟିଟିଲାଗଡ ସହର ଓ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାମ କରାଯାଉଛି । ସରକାରଙ୍କ ତରଫରୁ ଲୋକଙ୍କ ସହାୟତା ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରାଯାଇଛି । BSKY କାର୍ଡ ଲୋକଙ୍କ ପାଇଁ ବରଦାନ ସାଜିଛି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ହେଉଥିବା ବିକାଶ କାର୍ଯ୍ୟ କହୁଛି ଲୋକେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରରେ ଭୋଟ ଦେଇ ଜୟଯୁକ୍ତ କରାଇବେ ।’

ସମ୍ବଲପୁରରେ ପ୍ରଣବଙ୍କ ଜୋରଦାର ପ୍ରଚାର

ସମ୍ବଲପୁର: ସକାଳୁ ସକାଳୁ ପ୍ରଚାରକୁ ଜୋରଦାର କରିଛନ୍ତି ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ପ୍ରଥମେ ସିଭିଲ ସୋସାଇଟିର ସଦସ୍ୟଙ୍କୁ ଭେଟି ଆଲୋଚନା କରିବା ସହ ବିଜେଡି ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥିଲେ । ସଦସ୍ୟମାନେ ପ୍ରଣବଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସମର୍ଥନ ଘୋଷଣା କରିଛନ୍ତି ।

ପରେ ବ୍ରହ୍ମକୁମାରୀ ଭଉଣୀମାନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ପ୍ରଣବ । ପ୍ରଣବ ପହଞ୍ଚିବା ପରେ ବ୍ରହ୍ମକୁମାରୀମାନେ ତାଙ୍କୁ ସ୍ବାଗତ କରି ପ୍ରାର୍ଥନା ଗୃହକୁ ନେଇଥିଲେ । ସେଠାରେ ପ୍ରାର୍ଥନା ପରେ ସମସ୍ତ ଭଉଣୀ ଏବଂ ଭାଇମାନେ ପ୍ରଣବଙ୍କୁ ଆଶୀର୍ବାଦ ଦେଇଥିଲେ । ଏହାସହ ସମ୍ବଲପୁରର ସାମଗ୍ରିକ ବିକାଶ ପାଇଁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା ।

ପରେ ରାଧେ ଗୋବିନ୍ଦ ଧାମରେ ପହଞ୍ଚିଥିଲେ ବିଜେଡି ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ରାଧେଗୋବିନ୍ଦ ଧାମର ସଦସ୍ୟମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ପ୍ରଣବ । ଏହି ଅବସରରେ ପ୍ରଣବ କହିଥିଲେ, ‘ସମ୍ବଲପୁରବାସୀଙ୍କ ଅକୁଣ୍ଠ ସମର୍ଥନ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଧର୍ମ ଓ ସବୁବର୍ଗର ଲୋକଙ୍କୁ ଭଲପାଆନ୍ତି । ତେଣୁ ସମ୍ବଲପୁରରେ ବିଜେଡି ସାଂସଦ ଆସନ ସହିତ ସମସ୍ତ ବିଧାନସଭା ଆସନରେ ବିଜୟୀ ହେବ ।’

ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ: ଡିଜିପି ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ବର: ଓଡ଼ିଶାରେ ନିର୍ବାଚନ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।

ସେ କହିଛନ୍ତି, ‘ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଭୋଟ ଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ଭୋଟ ହେବ । ୯ ଜିଲ୍ଲାରେ ଥିବା ୭ ହଜାର ୨୯୮ ପୋଲିଂ ବୁଥରେ ମତଦାନ ହେବ । ୫୩୭ ମାଓବାଦୀ ଅଧ୍ୟୁଷିତ ଇଲାକା ଭିତରେ ସମ୍ବେଦନଶୀଳ ବୁଥ ରହିଛି । ୧୭ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହୋଇଛନ୍ତି । ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି । ୯ ଜିଲ୍ଲାରେ ୬ ଶହ ମୋବାଇଲ ପାଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମକୁ ମନିଟର କରିବ ପାଟ୍ରୋଲିଂ ପାର୍ଟି ।’

ଆଗକୁ ସେ କହିଛନ୍ତି, ‘ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୯ ଜିଲ୍ଲାରେ ୫୧ ଚେକପୋଷ୍ଟରେ ଯାଞ୍ଚ କଡାକଡି ଚାଲିଛି । ସୀମାବର୍ତ୍ତି ଚେକ ପୋଷ୍ଟରେ ସମସ୍ତ ଯାନବାହନକୁ ଯାଞ୍ଚ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୧୦ଟି ଫ୍ଲାଇଁ ସ୍କ୍ୱାଡ୍ ମୁତୟନ ହୋଇଛନ୍ତି । ଏହାବାଦ ୧୫୫ ଷ୍ଟାଟିକ ସର୍ଭେଲାନ୍ସ ଟିମ ରହିଛନ୍ତି । ଏହି ୯ ଜିଲ୍ଲାରେ ୧୫ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସ୍ଵତନ୍ତ୍ର ଅଭିଯାନ ଚଳାଯାଉଛି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପୋଲିସ ସହ ଓଡିଶା ପୋଲିସ ଆଲୋଚନା କରିଛି । ଅତିରିକ୍ତ ଡିଜି-ଅପରେଶନ ଦେବଦତ୍ତ ସିଂ ଏ ସବୁକୁ ମନିଟର କରୁଛନ୍ତି । ଏକ ଏୟାର ଆମ୍ବୁଲାନ୍ସ ଓ ହେଲିକ୍ୟାପ୍ଟର ପ୍ରସ୍ତୁତ ରହିଛି । ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୩୩ ହଜାର ଗିରଫ ପରୱାନା ଜାରି କରାକରାଯାଇଛି ।

ମୁରିବାହାଲରୁ ବିଜେଡି ସାଂସଦ ପ୍ରାର୍ଥୀ ଓ ନିଜ ପାଇଁ ଭୋଟ ମାଗିଲେ ନବୀନ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର । ପଚାରିଲେ- ମୁଁ ଆପଣଙ୍କ ବିଧାୟକ ପ୍ରାର୍ଥୀ ହୋଇଛି ଆପଣମାନେ ଖୁସି ତ ।

ଜନତାଙ୍କୁ ସମ୍ବୋଧିତ କରି ବିଜେଡି ସରକାର ଲାଗୁ କରିଥିବା ବିଭିନ୍ନ ଯୋଜନା, ଯେପରି କି ବିଏସକେୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ, 5T ସ୍କୁଲ, ପିଲାଙ୍କ ସ୍କଲାରସିପ ଭଳି ଅନେକ ଯୋଜନା ଭଲ କି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ । ନିଜ ପାଇଁ ଓ ଲୋକସଭା ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ମଞ୍ଚରୁ ଆହ୍ଵାନ କରିଥିଲେ ନବୀନ ।

ଏହି ଅବସରରେ ମୁରିବାହାଲ ଜନତାଙ୍କୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କଣ୍ଟାବାଞ୍ଜିର ଉନ୍ନତି, ବିକାଶ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏଠାରୁ ଛିଡା ହୋଇଛନ୍ତି । ଅଞ୍ଚଳର ରୂପାନ୍ତରଣ,  ପିଲାମାନଙ୍କ ଭବିଷ୍ୟତ ଉଜ୍ଜଳ କରିବାକୁ  ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଆଶୀର୍ବାଦ କରନ୍ତୁ । ଏତେ ଖରାରେ ଆସିଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ରେକର୍ଡ ମାର୍ଜିନରେ ଜିତାଇବାକୁ ଅପିଲ୍ କରିଛନ୍ତି । ନବୀନ ବାବୁ ରେକର୍ଡ ମାର୍ଜିନରେ ଜିତି ଇତିହାସ ରଚିବେ। ଏଥିଲାଗି ସମସ୍ତେ ସହଯୋଗ କରିବାକୁ ନିବେଦନ କରିଥିଲେ କାର୍ତ୍ତିକ ।

ସେ ଆଗକୁ କହିଥିଲେ, ‘ମୁଖ୍ୟମନ୍ତ୍ରୀ କଥା କମ, କାମରେ ବିଶ୍ଵାସ କରନ୍ତି । ବିରୋଧୀ କଥା କହି କାମ ବିଲକୁଲ କରନ୍ତି ନାହିଁ । ୫ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଆସିଥିଲେ, ଗତକାଲି ବଲାଙ୍ଗୀର ଆସିଥିଲେ । ଧାନର ଏମଏସପି, ପେଟ୍ରୋଲ ଓ ଡିଜେଲ ଦର କମାଇବା ସହ ରୋଜଗାର ସୃଷ୍ଟି କରିବୁ କହିଥିଲେ । କୁଆଡ଼େ ଗଲା ସବୁ ପ୍ରତିଶ୍ରୁତି । ମୁଖ୍ୟମନ୍ତ୍ରୀ ଦିନରାତି ଆପଣଙ୍କ ପାଇଁ ଖଟୁଛନ୍ତି । ଜୁଲାଇ ମାସରୁ ବିଜୁଳି ବିଲ ଆସିବ ନାହିଁ । ଚାଷୀଙ୍କ ଜଳସେଚନ ବିଲ୍ ମଧ୍ୟ ଆସିବ ନାହିଁ । ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିପୁଳ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାନ୍ତୁ ।’

ହାରିବା ଭୟରେ ଢେଙ୍କାନାଳ ଛାଡ଼ି ସମ୍ବଲପୁର ଆସିଛନ୍ତି ଧର୍ମେନ୍ଦ୍ର: କାର୍ତ୍ତିକ ପାଣ୍ଡିଆନ

କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ନିର୍ବାଚନୀ ସଭାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କଡା ଭାଷାରେ ସମାଲୋଚନା । କହିଲେ ହାରିବା ଭୟରେ ଢେଙ୍କାନାଳ ଛାଡି ସମ୍ବଲପୁର ଚାଲି ଆସିଛନ୍ତି ।

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ‘କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳରେ ୧୦ ବର୍ଷ କାଟିଲେ । ହେଲେ ହାରିଯିବା ଭୟରେ ଏବେ ସମ୍ବଲପୁର ପଳାଇଛନ୍ତି । ସେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଭାଷା ବ୍ୟବହାର କରୁଛନ୍ତି । ଆପଣ ସରପଞ୍ଚ, ଜିଲ୍ଲା ପରିଷଦରେ ବି ଜିତି ପାରିବେ ନାହିଁ । ଜନ୍ମମାଟିକୁ ଛାଡି ସମ୍ବଲପୁରକୁ ଆସିଛ । ଆପଣଙ୍କର ଔକାତ କ’ଣ ଅଛି, ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେବାକୁ । ଏମିତି ଅପମାନିତ କରିବାକୁ ଆପଣଙ୍କୁ କିଏ ସାହସ ଦେଇଛି ।’

ଆଗକୁ ସେ କହିଛନ୍ତି, ‘ଆପଣ ପ୍ରଧାନମନ୍ତ୍ରୀଙ୍କ କାନ୍ଧ ଉପରେ ବସି ନିର୍ବାଚନ ଲଢୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାନ୍ଧରୁ ଓହ୍ଲାଇ ପଡିଲେ, ଓଡ଼ିଶାବାସୀ ଆପଣଙ୍କୁ ଉଚିତ ପାଠ ପଢ଼ାଇବେ । ଓଡ଼ିଶାବାସୀ ଆପଣଙ୍କୁ ଶିଖାଇବେ ନବୀନ ବାବୁ କିଏ ଓ ଆପଣଙ୍କ ସ୍ଥାନ କେଉଁଠି । ଦମ ଅଛି ତ କୁହନ୍ତୁ ଆସନ୍ତାକାଲି ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜେପି ୯୦ ପ୍ରତିଶତ ଆସନରେ ଜିତିବ ।’