ଭୁବନେଶ୍ୱର : ଖଲ୍ଲିକୋଟ ହିଂସା ଘଟଣାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, ଏଭଳି ଘଟଣା ପାଇଁ ସେ ମର୍ମାହତ ଓ ଦୁଃଖିତ । ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର ନୁହେଁ । ମୃତ ବ୍ଯକ୍ତିଙ୍କ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ଯ କାମନା କରିଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳିରେ ଗତକାଲିଠାରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । କୃଷ୍ଣଶରଣପୁରଠାରେ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ଏବଂ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । ଏଥିରେ ବିଜେଡିର ୮ ଜଣ କର୍ମୀ ଗୁରୁତର ହୋଇଥିବାବେଳେ ବିଜେପିର ଜଣେ କର୍ମୀଙ୍କର ମୃତ୍ଯୁ ହୋଇଛି । ମୃତକ ହେଲେ ଦିଲ୍ଲୀପ ପାହାନ । ବିଜେଡିର ୮ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଗତକାଲି ମଧ୍ଯରାତ୍ରିରେ ଖଲ୍ଲିକୋଟ ବିଜେଡି ବିଧାୟକ ତଥା ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ଯଙ୍କ ଭାସଭବନ ସାମ୍ନାରେ ବିଜେପି କର୍ମୀମାନେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ଘର ସାମ୍ନାରେ ଥିବା ଗାଡ଼ିଗୁଡ଼ିକୁ ଠେଙ୍ଗା ଓ ଲୁହା ରଡରେ ବାଡ଼େଇ ଚୂରମାର କରିଛନ୍ତି । ଆଜି ସକାଳୁ କିଛି ବିଜେପି କର୍ମୀ ଖଲ୍ଲିକୋଟ ଥାନା ଆଗରେ ରୁଣ୍ଡ ହୋଇଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ ବଢ଼ାଯାଇଛି ।
ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କ ଉପରେ କିଏ ଓ କେମିତି କଲା ଆକ୍ରମଣ ?
ନନ୍ଦଘୋଷ ବ୍ୟୁରୋ : ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଏକାଧିକ ଗୁଳି ଚଳାଇବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଛାତି ଏବଂ ପେଟରେ ଏକାଧିକ ଗୁଳି ବାଜିବା ଯୋଗୁଁ ସେ ସାଂଘାତିକ ଆଘାତ ପାଇଥିଲେ। ସେତେବେଳେ ପିଏମ ଫିକୋ ଏକ ସରକାରୀ ବୈଠକରେ ଅଧ୍ୟକ୍ଷତା କରିବା ପାଇଁ ହ୍ୟାଣ୍ଡଲୋଭା ସହରରେ ପହଞ୍ଚିଥିଲେ। ବୈଠକ ଶେଷ ହେବା ପରେ ଗୁଳି ଚାଳନା କରାଯାଇଥିଲା। ଫେକୋର ଅଫିସିଆଲ୍ ଫେସବୁକ୍ ପେଜ୍ ରେ ଏହି ସୂଚନା ମିଳିଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।” ଏହି ଘଟଣା ଘଟିବାବେଳେ ଡେନିକ୍ ଏନ ସାମ୍ବାଦିକ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ସେ କହିଛନ୍ତି ଯେ ଚାରୋଟି ଗୁଳିର ଶବ୍ଦ ଶୁଣାଯିବା ପରେ ଫିକୋ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ଏହି ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି । କେବଳ ସେତିକି ନୁହେଁ ସୁରକ୍ଷା କର୍ମୀ ଜିନ୍ସ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ଧରିଥିଲେ । ଯିଏ ଫିକୋଙ୍କୁ ଗୁଳିକରିଥିବା ସନ୍ଦହ କରାଯାଉଛୀ । ପରବର୍ତ୍ତି ସମୟରେ ଫିକୋଙ୍କୁ ହେଲିକପ୍ଟର ଯୋଗେ ବାନସ୍କାର ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସ୍ଲୋଭାକିଆର ରାଷ୍ଟ୍ରପତି ଜୁଜାନା ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଉପରେ ହୋଇଥିବା ଆକ୍ରମଣକୁ ନେଇ ଦୁଃଖପ୍ରକାଶ କରି ଏହାକୁ ନିନ୍ଦାକରିବା ସହ କାପୁରୁଷର ଆକ୍ରମଣ ବୋଲି କହିଥିଲେ।
ୟୁରୋପୀୟ ୟୁନିଅନର ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେଏନ୍ କହିଛନ୍ତି, “ଏଭଳି ହିଂସା କାର୍ଯ୍ୟ ଆମ ସମାଜରେ ସ୍ଥାନ ନାହିଁ। ଏହା ଗଣତନ୍ତ୍ରକୁ ଦୁର୍ବଳ କରେ | ପିଏମ ଫିକୋ ଏବଂ ତାଙ୍କ ପରିବାର ସହ ମୋର ସମବେଦନା ରହିଛି। ” ଏଥିସହ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ କୌଣସି ଦେଶ, ଧର୍ମ କିମ୍ବା ଅଞ୍ଚଳରେ ହିଂସା ଆଦର୍ଶରେ ପରିଣତ ନହେବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବା ଉଚିତ। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଗୁଳିକୁ ଏକ ଘୃଣ୍ୟ ଅପରାଧ ବୋଲି କହିଛନ୍ତି।
ସୁରକ୍ଷା କର୍ମୀଙ୍କ ଆଖିକୁ ଲଙ୍କା ଗୁଣ୍ଡ ଫୋପାଡି ଫେରାର ହେଲେ ୪ ବାଳ ଅପରାଧୀ
ରାଜସ୍ଥାନ: ରାଜସ୍ଥାନ ହନୁମାନଗଡ଼ରେ ଥିବା ବାଲ ସ୍ୱଧାର ଗୃହରୁ ୪ ବାଳ ଅପରାଧୀ ଫେରାର । ସୁରକ୍ଷାକର୍ମୀଙ୍କ ଆଖିକୁ ଲଙ୍କା ଗୁଣ୍ଡା ଫୋପାଡି ଫେରାର ହୋଇଛନ୍ତି ୪ ବାଳ ଅପରାଧୀ। ପୋଲିସ ଏହି ଘଟଣାର ଛାନଭିନ୍ ଆରମ୍ଭ କରିଛି ।
ହନୁମାନଗଡ଼ ବାଳ ସ୍ୱଧାର ଗୃହର ନିରୀକ୍ଷକ ମନୋଜ କୁମାରଙ୍କ କହିବାନୁଯାୟୀ, ବାଳ ଅପରାଧୀମାନେ ସୁରକ୍ଷା କର୍ମୀଙ୍କୁ ପାଣି ପିଇବାକୁ ମାଗିଥିଲେ। ଏହାପରେ ସୁରକ୍ଷା କର୍ମୀଜଣକ ଗେଟ୍ ଖୋଲି ତାଙ୍କୁ ପାଣି ଦେଇଥିଲେ । ଏହାର ସୁଯୋଗ ନେଇ ବାଳ ଅପରାଧୀମାନେ ତାଙ୍କ ଆଖିକୁ ଲଙ୍କା ଗୁଣ୍ଡ ଫୋପାଡ଼ି ଫେରାର ହୋଇ ଯାଇଥିଲେ। ଏହି ଘଟଣାରେ ସୁରକ୍ଷାକର୍ମୀଙ୍କ ଅବହେଳା ରହିଥିବା ମଧ୍ୟ କୁହାଯାଉଛି ।
ବାଳ ଅପରାଧୀଙ୍କ ପଳାୟନ ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜରେ ଏହା ଦେଖିବାକୁ ମିଳିଛି ଯେ, କିପରି ଭାବେ ବାଳ ଅପରାଧୀମାନେ ସୁରକ୍ଷାକର୍ମୀଙ୍କ ଆଖିକୁ ଲଙ୍କାଗୁଣ୍ଡା ଫୋପାଡି ସେଠାରୁ ଦୌଡି ପଳାଇଯାଇଥିଲେ । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସେକ୍ସ ରାକେଟ୍ ମାମଲାରେ ୮ ଅଧିକାରୀ ଓ ପୋଲିସ ସମେତ ୨୧ ଗିରଫ
ଇଟ୍ଟାନଗର: ଅରୁଣାଚଳ ପ୍ରଦେଶ ପୋଲିସକୁ ବଡ ସଫଳତା । ନାବାଳିକାଙ୍କୁ ନେଇ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ। ଇଟ୍ଟାନଗରରେ ଏକ ଆନ୍ତଃରାଜ୍ୟ ସେକ୍ସ ମାମଲାର ପର୍ଦ୍ଦାଫାସ କରିଛି ଅରୁଣାଚଳ ପ୍ରଦେଶ ପୋଲିସ । ସେକ୍ସ ରାକେଟରେ ଫସିରହିଥିବା ୧୦ରୁ ୧୫ ବର୍ଷ ବୟସର ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଦଲାଲ, ଗ୍ରାହକ, ପୋଲିସ ଅଧିକାରୀଙ୍କ ସମେତ ୨୧ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଗ୍ରାହକଙ୍କ ମଧ୍ୟରେ ୮ ଜଣ ସରକାରୀ କର୍ମଚାରୀ ମଧ୍ୟ ଅଛନ୍ତି।
ପୋଲିସ ଅଧିକ ସୂଚନା ଦେଇ କହିଛି ଯେ, ଉଦ୍ଧାର ନାବାଳିକା ସମସ୍ତ ଆସାମ ଓ ଉଦଲଗୁରିର । ସେମାନଙ୍କୁ ପ୍ରଲୋଭନ ଦେଖାଇ ୨୦୨୦ ରୁ ୨୦୨୩ ମଧ୍ୟରେ ଇଟ୍ଟାନଗରକୁ ଅଣାଯାଇଥିଲା । ଏବଂ ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଉଦ୍ଧାର ହୋଇଥିବା ଝିଅଙ୍କ ମଧ୍ୟରୁ ଜଣେ ଆଠ ବର୍ଷର ଝିଅ ଥିବା ବେଳେ ୨୦୨୦ରେ ତାଙ୍କୁ ଇଟ୍ଟାନଗରକୁ ଅଣାଯାଇଥିଲା। ଏହାପରେ ସେ ଦଲାଲଙ୍କ ହାତରୁ ଖସିବାରେ ସଫଳ ହୋଇଥିଲେ । ପରେ ୨୦୨୨ରେ ଝିଅଟି ପୁଣି ଦଲାଲଙ୍କ ହାତରେ ଧରା ପଡିଯାଇଥିଲେ ।
ଉଦ୍ଧାର ହୋଇଥିବା ନାବାଳିକାଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି । ସେମାନେ ଏଚ.ଆଇ.ଭି ଏଡସ୍ ଭଳି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ପୋଲିସ ଆହୁରୀ ମଧ୍ୟ କହିଛି ଯେ, ଶିଶୁ ଚାଲଣ ଏବଂ ସେକ୍ସ ରାକେର୍ଟରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

