spot_img
Home Blog Page 1800

ବାତ୍ୟା ‘ରେମାଲ’ ନେଲା ୧୦ ଜୀବନ

ଢାକା: ବାଂଲାଦେଶ ଉପକୂଳରେ ବାତ୍ୟା ‘ରେମାଲ’ ଲ୍ୟାଣ୍ଡଫଲ କରିବା ପରେ ତାଣ୍ଡବ ରଚିଥିଲା । ଏହି ଘଟଣାରେ ଏଯାବତ୍ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି ।

ତେବେ ଘଣ୍ଟା ପ୍ରତି ୧୩୦କିମି ବେଗରେ ପବନ ସହ ପଶ୍ଚିମବଙ୍ଗ ଓ ବାଂଲା ଉପକୂଳରେ ରଚିଥିଲା ତାଣ୍ଡବ । ଘଟଣାରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି। ବାଂଲାଦେଶରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ରେମାଲ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିବା।

ଏସବୁ ମଧ୍ୟରେ ଏନଡିଆରଏଫ, ଏସଡିଆରଏଫ୍ ବାତ୍ୟା ପ୍ରଭାବିତ ଅଂଚଳରେ ପହଁଚି ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି। ବାତ୍ୟା ପ୍ରଭାବରେ ଉପୁଡି ପଡିଥିବା ବଡ଼ ବଡ଼ ଗଛ ଏବଂ ବିଜୁଳି ଖୁଣ୍ଟକୁ ଯୁଦ୍ଧକାଳୀନ ଭିତିରେ ମରାମତି କରାଯାଉଛି।  ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ବିଶେଷ ନଥିଲେ ମଧ୍ୟ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇଥିଲା।

ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ, ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ବାରାଣାସୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଆଜି ଦିଲ୍ଲୀ ବିମାନବନ୍ଦରରେ ବୋମା ଧମକ ମିଳିବା ପରେ ଅଧିକାରୀମାନେ ବିମାନ ଯାଞ୍ଚ କରିଥିଲେ।

6E2211 ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ପ୍ରାୟ ଟାରେ ଉଡ଼ାଣ ଭରିବାର ଥିଲା ଏବଂ ବିମାନର କିଛି ମିନିଟ୍ ପୂର୍ବରୁ ରନୱେରେ ଅଟକା ଯାଇଥିଲା। ବୋମାରେ ଉଡାଇଦେବାକୁ ଧମକ ପରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ବିମାନକୁ ତୁରନ୍ତ ଏକ ଆଇସୋଲେସନ ଓ୍ବେକୁ ନିଆଯାଇଛି। । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଯଦିଓ କୌଣସି ସନ୍ଦେହଜନକ ଜିନିଷ ମିଳିପାରିନାହିଁ।

ତେବେ ସମସ୍ତ ଯାତ୍ରୀଙ୍କୁ ଏମିରଜେନ୍ସି ଡୋର୍ ଦେଇ ବାହାରକୁ ବାହାର କରାଯାଇଥିଲା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। କିନ୍ତୁ ବିମାନରେ କେତେ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ । ଏୟାରଲାଇନ୍ସର ସୂଚନା ଅନୁଯାୟୀ, ବିମାନର ଯାଞ୍ଚ ଚାଲିଛି। ସମସ୍ତ ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ବିମାନକୁ ଟର୍ମିନାଲ ଅଣାଯିବ।

ଅଶ୍ଳୀଳ ଭିଡିଓ ମାମଲା; ୩୧ରେ ହାଜର ହେବେ କର୍ଣ୍ଣାଟକ ଜେଡିଏସ ଏମପି ପ୍ରଜ୍ବଳ ରେବନ୍ନା

ବହୁଚର୍ଚ୍ଚିତ ଅଶ୍ଳୀଳ ଭିଡିଓ ମାମଲା। ଆସନ୍ତା ୩୧ରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ ନିକଟରେ ହାଜର ହେବେ କର୍ଣ୍ଣାଟକ ଜେଡିଏସ ଏମପି ପ୍ରଜ୍ବଳ ରେବନ୍ନା। ଶହ ଶହ ମହିଳାଙ୍କୁ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ପ୍ରଜ୍ବଳ ଦେଶ ଛାଡ଼ି ପଳାୟନ କରିଥିଲେ। ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିବା ସତ୍ତ୍ବେ ସେ ହାଜର ହୋଇ ନଥିଲେ।

ଏହି ପ୍ରସଙ୍ଗରେ ତାଙ୍କ ବାପା ଏଚ.ଡି. ରେବନ୍ନାଙ୍କୁ ଗିରଫ କରାଯାଇଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡା ବି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ନେଇ ବିଜେପି-ଜେଡିଏସ ମେଣ୍ଟରେ ବି ସୃଷ୍ଟି ହୋଇଥିଲା କମ୍ପନ। ଏକ ଭିଡିଓ ବାର୍ତ୍ତାରେ ପ୍ରଜ୍ବଳ କହିଛନ୍ତି ସେ ୩୧ ତାରିଖ ପୂର୍ବାହ୍ନ ୧୦ଟାରେ ଏସଆଇଟି ନିକଟରେ ହାଜର ହେବେ।

ମହିଳାଙ୍କୁ ଯୌନ ନିର୍ଯାତନା ଘଟଣା ପ୍ରଘଟ ହେବା ପରେ ସେ ଗତ ଏପ୍ରିଲ ୨୬ରେ ଦେଶଛାଡି ପଳାୟନ କରିଥିଲେ। ତେବେ ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଥିଲେ। ତାଙ୍କ ବିରୋଧରେ ଗତ ମେ ୧୮ରେ କର୍ଣ୍ଣାଟକର ଏକ ସ୍ବତନ୍ତ୍ର କୋର୍ଟ ଗିରଫ ପରୱାନା ଜାରି କରିଥିଲେ।

ଗୁଜରାଟ ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣା; ବଢୁଛି ମୃତ୍ୟୁ ସଂଖ୍ୟା

ରାଜକୋଟ: ଗୁଜରାଟ ରାଜକୋଟ ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣାରେ ବଢୁଛି ମୃତ୍ଯୁ ସଂଖ୍ଯା। ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହୁରି କିଛି ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସେପଟେ ଏହି ଘଟଣାରେ ଗୁଜରାଟ ସରକାର ୬ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ବଦଳି କରିଛନ୍ତି। ବଦଳି ହୋଇଥିବା ଅଫିସରଙ୍କ ମଧ୍ଯରେ ରହିଛନ୍ତି ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବ।

ତେବେ ମୃତକଙ୍କ ମଧ୍ଯରେ କେତେକ ଶିଶୁ ଥିବା ଜଣାପଡିଛି। ଏହି ଭୟାନକ ଘଟଣାରେ ରାଜ୍ଯ ସରକାରଙ୍କୁ ଗୁଜରାଟ ହାଇକୋର୍ଟ ଭର୍ତ୍ସନା କରିବା ପରେ ପରେ ଏହି ବଦଳି କରାଯାଇଛି। ରାଜକୋଟରେ ୨୦୨୧ରୁ ଟିଆରପି ଗେମିଂ ଜୋନ ପ୍ରତିଷ୍ଠା ହେବା ପରଠାରୁ ଦାୟିତ୍ବରେ ଥିବା ମ୍ଯୁନିସିପାଲ କମିଶନରଙ୍କୁ ଦାୟୀ ଦର୍ଶାଇଛନ୍ତି କୋର୍ଟ। ଏହା ସହ ରାଜ୍ଯ ପ୍ରଶାସନ ଉପରେ ଆଦୌ ଭରସା ନାହିଁ ବୋଲି ବର୍ଷିଛନ୍ତି ଅଦାଲତ।

ଏହି ଧରଣର ୬ଟି ଘଟଣା ଘଟିଥିବା ସତ୍ତ୍ବେ ପ୍ରଶାସନ କଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ। ଗତ ଶନିବାର ଅର୍ଥାତ ମେ ୨୫ ତାରିଖରେ ରାଜକୋଟର ନାନା-ମାଭା ଅଞ୍ଚଳରେ ଥିବା ଟିଆରପି ଗେମ ଜୋନରେ ଅଗ୍ନିକାଣ୍ଡ ଘଟିଥିଲା ଏବଂ କେତେକ ଶିଶୁ ସମେତ ୨୭ ଜଣଙ୍କ ପ୍ରାଣ ଯାଇଛି।

ଆଜିଠୁ ରାଜ୍ଯରେ ବଢିବ ଖରା, ୩୧ ଯାଏଁ ନିସ୍ତାର ନାହିଁ

ଭୁବନେଶ୍ୱର: ଆଜିଠୁ ରାଜ୍ଯରେ ବଢିବ ଖରା। ୩ ରୁ ୫  ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ୩୧ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ। ଏହାସହ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ଦିନ ତାପମାତ୍ରା ୭ ରୁ ୮ ଡିଗ୍ରୀ କମ ରହିଛି।

ସେପଟେ ମେ ୩୧ ବା ଜୁନ ୧ ତାରିଖରେ କେରଳ ଛୁଇଁବ ମୌସୁମୀ ବାୟୁ। କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁଛି। କେରଳରେ ପହଞ୍ଚିବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗତବର୍ଷ ବିଳମ୍ବରେ ଆସି  ସଅଳ ଫେରିଯାଇଥିଲା ମୌସୁମୀ।  ପୂର୍ବବର୍ଷ  ଜୁନ୍ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଜୁନ ୧ ରୁ ୧୫ ଭିତରେ ଓଡିଶା ଛୁଇଁବାର ସମ୍ଭାବନା  ରହିଥାଏ । ହେଲେ ବିଳମ୍ବରେ ଅର୍ଥାତ  ୨୨ ରେ ଛୁଇଁଥିଲା।

ମାନସିକ ଭାରସାମ୍ୟ ହରାଇଛନ୍ତି ବିଜେପି ନେତା: ବିଜେଡି ମୁଖପାତ୍ର

ଭୁବନେଶ୍ୱର: ମାନସିକ ଭାରସାମ୍ୟ ହରାଇଛନ୍ତି ବିଜେପି ନେତା। ପଦମପୁର ନିର୍ବାଚନ ସମୟରେ ଅନେକ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିଲେ। ଆଉ ଏବେ ନିର୍ବାଚନ ହାରିବା ଭୟରେ ପ୍ରଳାପ କରୁଛନ୍ତି। ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ନେତାଙ୍କ ପ୍ରେସମିଟକୁ ନେଇ ବର୍ଷିଛନ୍ତି ବିଜେଡି ମୁଖପାତ୍ର ସ୍ଵୟଂପ୍ରକାଶ ମହାପାତ୍ର।

ଓଡ଼ିଶା ବିଜେପିର କିଛି ନେତା ପ୍ରତିଦିନ ଅଶାଳୀନ ଓ ଅଶୋଭନୀୟ ଆଚରଣ କରୁଛନ୍ତି। ସେ ତାଲିକାରେ ବିଜେପି ନେତା ପ୍ରଦୀପ ପୁରୋହିତ ରହିଛନ୍ତି। ପ୍ରଦୀପ ପୁରୋହିତ ଏଥର ନିର୍ବାଚନ ହାରିବାକୁ ଯାଉଥିବାବେଳେ ଓଡ଼ିଶା ବିଜେପି ମଧ୍ୟ ପରାଜୟ ଆଡ଼କୁ ଯାଉଛି। ଏହା ତାଙ୍କ ସାମ୍ବାଦିକ ସମ୍ମିଳନୀରୁ ଜଣାପଡୁଛି। ସେ ନିଜେ ଆତ୍ମ ସମୀକ୍ଷା କରିବା ଉଚିତ। ଓଡ଼ିଶା ହେଉଛି ଦେଶର ଏକ ମାତ୍ର ରାଜ୍ୟ ଯେଉଁଠି ଚାଷୀଙ୍କ ଆୟକୁ ୨ ଗୁଣା କରାଯାଇଛି। କାଳିଆ ଯୋଜନାରେ ୧୧ହଜାର ୫ଶହ କୋଟି ଟଙ୍କା ୬୪ ଲକ୍ଷ ଚାଷୀଙ୍କୁ ଦିଆଯାଇଛି। କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ନିଜସ୍ୱ ଜିଏସଟି ଛାଡ଼ କରିଛନ୍ତି ରାଜ୍ୟ ସରକାର। ହେଲେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ଲଦି ଦେଇଛନ୍ତି। ଏହାର ଜବାବ ପ୍ରଦୀପ ପୁରୋହିତ ଦେଇ ପାରିବେନି।

ଫସଲ ବୀମା ଅର୍ଥ ଦେବାରେ ପାତରଅନ୍ତର କେନ୍ଦ୍ର କରୁଛନ୍ତି। ରାଜ୍ୟରେ ଚାଷୀଙ୍କୁ ଠିକ୍ ସମୟରେ ସାର ମିଳୁ ନାହିଁ। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ କହିଥିଲେ। କୁଆଡେ ଗଲା ସେ ପ୍ରତିଶ୍ରୁତି। ବିଜେପିର ଅନେକ ନେତା ପର୍ଯ୍ୟଟକ ଭାବେ ରାଜ୍ୟକୁ ଆସୁଛନ୍ତି। ସେମାନେ ଏ ବାବଦରେ ଉତ୍ତର ରଖିବା ଉଚିତ। ନିର୍ବାଚନ ଆସିଲେ ଓଡ଼ିଶା ବିଜେପି କୁମ୍ଭୀର କାନ୍ଦଣା କରୁଛନ୍ତି। ଓଡ଼ିଶା ଚାଷୀକୂଳ ବିଜେପିର ନେତାମାନଙ୍କ ଆଚରଣ ଓ ଉଚ୍ଚାରଣ ଜାଣିଗଲେଣି। ଆସନ୍ତା ଜୁନ୪ ତାରିଖରେ ଏହାର ଜବାବ ମିଳିଯିବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ଵୟଂପ୍ରକାଶ ମହାପାତ୍ର।

ଓଡ଼ିଶାକୁ ଆସି ବିତ୍ତୀୟ ବ୍ୟବସ୍ଥା ବାବଦରେ ଟିଉସନ ନିଅନ୍ତୁ ଆସାମ ମୁଖ୍ୟମନ୍ତ୍ରୀ: ସସ୍ମିତ ପାତ୍ର

ଭୁବନେଶ୍ୱର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଉପରେ ବର୍ଷିଲେ ବିଜେଡ଼ି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ରାଜନୀତିରେ ଜଣେ ଜୋକର ଭାବରେ ସୁପରିଚିତ। ଯେତେବେଳେ ସେ ମୁହଁ ଖୋଲନ୍ତି ନାନା ଅଯୌକ୍ତିକ କଥା କହିଥାନ୍ତି। ତାଙ୍କ ରାଜ୍ୟରେ ମଧ୍ୟ ତାଙ୍କ କଥାକୁ କେହି ଗୁରୁତ୍ୱର ସହ ନିଅନ୍ତି ନାହିଁ। ତାଙ୍କ ନାଁ ଚିଟଫଣ୍ଡ କେଶରେ ଅଛି। ତାଙ୍କ ରାଜ୍ୟର ଋଣ ଭାର ମଧ୍ୟ ଢେର ଅଧିକା।

ସେ ନିଜ ରାଜ୍ୟକୁ ଦେବାଳିଆ କରି ସାରିଲେଣି। ସାରା ଦେଶରେ ଓଡ଼ିଶାର ବିତ୍ତୀୟ ବ୍ୟବସ୍ଥା ଭଲ। ତେଣୁ ସେ ଓଡ଼ିଶାକୁ ଆସି ବିତ୍ତୀୟ ବ୍ୟବସ୍ଥା ବାବଦରେ ଟିଉସନ ନିଅନ୍ତୁ। ତାଙ୍କ ରାଜ୍ୟରେ ଉଚିତ କାଯ୍ୟକରି ପାରିବେ। ଆସାମରେ ଚାକିରି ପାଇଁ ଯୁବକ ରାଜରାସ୍ତାରେ ଗୁହାରି କରୁଥିବା ବେଳେ ତାଙ୍କ ରାଜ୍ୟରେ ବେକାରୀ ସଂଖ୍ୟା ଓ ଦରଦାମ ଅଧିକ। ସ୍ୱାସ୍ଥ୍ୟ ସେବା ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ସେ ସମସ୍ତଙ୍କ ସାମ୍ନାରେ ନିଜର ଆବର୍ଜନାପୂର୍ଣ୍ଣ ମନ୍ତବ୍ୟ ଦେଇ ନିଜକୁ ହାସ୍ୟାସ୍ପଦ କରି ସାରିଛନ୍ତି। ଓଡ଼ିଶାର ବିଜେପି ତାଙ୍କୁ ପ୍ରଚାର ପାଇଁ ଆହୁରି ଆଣନ୍ତୁ। ସେ ଓଡ଼ିଶା ଆସିବା ଦ୍ୱାରା ବିଜେପିର ପ୍ରାର୍ଥୀ ମାନଙ୍କ ପରାଜୟ ଯଥେଷ୍ଟ ସୁନିଶ୍ଚିତ ହେଉଛି।

ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୧୨୮୫ଙ୍କ ମଧ୍ୟରୁ ୩୪୮ ଜଣଙ୍କ ନାଁରେ ଅପରାଧିକ ମାମଲା

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନରେ ଠିଆ ହୋଇଥିବା ୧୨୮୫ ପ୍ରାର୍ଥୀଙ୍କ ମଧ୍ଯରୁ ୩୪୮ ଜଣଙ୍କ ନାଁରେ ରହିଛି ଅପରାଧ ମାମଲା। ୨୩ ପ୍ରତିଶତ ଅର୍ଥାତ ୨୯୨ ଜଣଙ୍କ ନାଁରେ ରହିଛି ଗୁରୁତର ଅପରାଧ ମାମଲା। ପ୍ରାର୍ଥୀଙ୍କ ସତ୍ଯପାଠର ତର୍ଜମା କରି ଏହି ରିପୋର୍ଟ ଦେଇଛି ଇଲେକସନ ୱାଚ । ଏହି ରିପୋର୍ଟ ଅନୁସାରେ ୬୬ ଜଣଙ୍କ ବିରୋଧରେ ମହିଳା ବିରୋଧୀ ହିଂସାର କେସ୍ ଥିବା ବେଳେ ୪ ଜଣ ଦୁଷ୍କର୍ମର ଅଭିଯୁକ୍ତ। ୧୦ ଜଣଙ୍କ ନାମରେ ହତ୍ୟା ମାମଲା ଅଛି। ୭୦ ଜଣଙ୍କ ନାଁରେ ହତ୍ଯା ଉଦ୍ଯମ ମାମଲା ଅଛି।

ରାଉରକେଲାର ବିଜେପି ପ୍ରାର୍ଥୀ ଦିଲୀପ ରାୟ ହେଉଛନ୍ତି ସବୁଠୁ ଧନୀ। ତାଙ୍କର ସଂପତ୍ତି ହେଲା ୩୧୩ କୋଟି ୫୩ ଲକ୍ଷ ଟଙ୍କା। ଦ୍ଵିତୀୟରେ ଅଛନ୍ତି, କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ । ତାଙ୍କ ସମ୍ପତ୍ତି ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ ଟଙ୍କା । ୧୩୫ କୋଟି ୧୭ ଲକ୍ଷ ଟଙ୍କାର ସମ୍ପତ୍ତି ସହିତ ବସ୍ତା ବିଧାୟକ ପ୍ରାର୍ଥୀ ସୁବାସିନୀ ଜେନା ତୃତୀୟ ଧନୀ ପ୍ରାର୍ଥୀ । ସତ୍ଯପାଠ ଅନୁସାରେ ୫ ବିଧାୟକ ପ୍ରାର୍ଥୀଙ୍କ କିଛି ସଂପତ୍ତି ନାହିଁ । ୩୨% ଅର୍ଥାତ ୪୧୨ ଜଣ ପ୍ରାର୍ଥୀ କୋଟିପତି ଅଟନ୍ତି। ଏଥର ନିର୍ବାଚନ ଦୌଡ଼ରେ ଅଛନ୍ତି ୧୭୮ ମହିଳା ପ୍ରାର୍ଥୀ। ମୋଟ ପ୍ରାର୍ଥୀଙ୍କ ମାତ୍ର ୧୪ ପ୍ରତିଶତ ହେଉଛନ୍ତି ମହିଳା। ଶିକ୍ଷାଗତ ଯୋଗ୍ଯତାକୁ ଦେଖିଲେ ୨୧୧ ଜଣ ଦଶମ ପାସ କରିଛନ୍ତି । ୨୦୩ ଜଣ ଦ୍ଵାଦଶ ପାସ କରିଥିବା ବେଳେ ୨୭୨ ଜଣ ଗ୍ରାଜୁଏଟ ଓ ୧୮ ଜଣ ଡକ୍ଟରେଟ୍ ପାଇଛନ୍ତି ।
୧୦୪ ଜଣ ଅଷ୍ଟମ ପାସ କରିଥିବା ବେଳେ ୪୮ ଜଣ ପଞ୍ଚମ ପାସ କରିଛନ୍ତି।

୫ ବର୍ଷରେ ଚୌଦ୍ଵାର- କଟକ BJD ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ଵାଳଙ୍କ ସମ୍ପତ୍ତି ପରିମାଣ ସର୍ବାଧିକ ୨୩.୩୮ ଗୁଣା ବଢ଼ିଛି। ୨୦୧୯ରେ ତାଙ୍କର ସମ୍ପତ୍ତି ଥିଲା ୨୦ ଲକ୍ଷ ଟଙ୍କା, ଏବେ ୪ କୋଟି ୮୩ ଲକ୍ଷ। ଏହା ପଛକୁ ସାରଦା ନାୟକଙ୍କ ସମ୍ପତ୍ତି ପରିମାଣ ୮ ଗୁଣା ବଢ଼ିଛି। ୨୦୧୯ରେ ତାଙ୍କର ୧୩ ଲକ୍ଷ ୩୦ ହଜାର ଟଙ୍କା ଥିଲା ବେଳେ ଏବେ ୧ କୋଟି ୭ ଲକ୍ଷ ଟଙ୍କାରେ ପହଞ୍ଚିଛି।

ଚଳିତ ନିର୍ବାଚନରେ ୪ ଜଣ ବିଧାୟକ ପ୍ରାର୍ଥୀଙ୍କ ବୟସ ୮୦ ବର୍ଷରୁ ଅଧିକ। କେନ୍ଦୁଝର ପାଟଣା କଂଗ୍ରେସ ପ୍ରାର୍ଥୀ ହୃଷିକେଶ ନାୟକ ସବୁଠୁ ବୟସ୍କ ପ୍ରାର୍ଥୀ, ତାଙ୍କ ବୟସ ୮୩ ବର୍ଷ । ନିରଞ୍ଜନ ପଟ୍ଟନାୟକ ୮୧, ରମେଶ ଚନ୍ଦ୍ର ଚାଉପଟ୍ଟନାୟକ ଓ ବଦ୍ରି ନାରାୟଣ ପାତ୍ରଙ୍କ ବୟସ ୮୦ ବର୍ଷ । ଅପରପକ୍ଷେ ୭ ଜଣ ପ୍ରାର୍ଥୀ ଙ୍କ ବୟସ ୨୫ ବର୍ଷ, ଅର୍ଥାତ୍ ଯୋଗ୍ୟତା ହାସଲ ମାତ୍ରେ ପ୍ରାର୍ଥୀ ହୋଇଛନ୍ତି ।

ସରକାର ଗଠନର ମ୍ଯାଜିକ୍ ନମ୍ବର ହାସଲ କରିସାରିଲାଣି ବିଜୁ ଜନତା ଦଳ: କାର୍ତ୍ତିକ ପାଣ୍ଡିଆନ

ବାସୁଦେବପୁର: ଓଡ଼ିଶାରେ ସରକାର ଗଠନ କରିବ ବିଜେଡି। ବର୍ତ୍ତମାନ ସୁଦ୍ଧା ସରିଥିବା ନିର୍ବାଚନରେ ରାଜ୍ଯରେ ସରକାର ଗଠନର ମ୍ଯାଜିକ୍ ନମ୍ବର ହାସଲ କରିସାରିଲାଣି ବିଜୁ ଜନତା ଦଳ। ଭଦ୍ରକ ବାସୁଦେବପୁରରେ ଜନସାଧାରଣଙ୍କୁ ସମ୍ବୋଧନ କରି ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ରର ଡବଲ ଇଂଜିନ ସରକାରକୁ ନେଇ ନବୀନ ଇଂଜିନ ସରକାରର ଦେଖାଇଛନ୍ତି ତୁଳନାତ୍ମକ ଚିତ୍ର। ରାଜ୍ୟରେ ପ୍ରାୟ ୯୮ ପ୍ରତିଶତ ପିଲା ଛାତ୍ରବୃତ୍ତି ପାଇବେ। ଡବଲ ଇଂଜିନ ସରକାରରେ ମାତ୍ର ୫ ପ୍ରତିଶତ ପିଲା ଛାତ୍ରବୃତ୍ତି ପାଉଛନ୍ତି।

ଆୟୁଷ୍ମାନ ଭାରତରେ ୫୦ ପ୍ରତିଶତ ସାମିଲ ହେବେ କିନ୍ତୁ ବିଏସକେୱାଇରେ ପ୍ରାୟ ୧୦୦ ପ୍ରତିଶତ ସାମିଲ ହେବେ। ବିଏସକେୱାଇରେ ୧୦ ଲକ୍ଷ ଯାଏ ଚିକିତ୍ସା ସହାୟତା ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ସେମାନେ ଦେବେ ୫ ଲକ୍ଷ। ରାଜ୍ୟ ମମତା ଯୋଜନାରେ ୧୦ ହଜାର ଦେଉଥିବାବେଳେ ଡବଲ ଇଂଜିନରେ ୫ ହଜାର ଟଙ୍କା ଦେଉଛି କେନ୍ଦ୍ର। କେନ୍ଦ୍ର ୩ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେଉଥିବାବେଳେ ନବୀନ ୧ ହଜାର ଟଙ୍କା ଭତ୍ତା ଦେଉଛନ୍ତି । ଏଇଟା ହେଉଛି ଡବଲ ଇଂଜିନ ଓ ନବୀନ ଇଂଜିନ ଭିତରେ ଫରକ। ସେମାନେ ଯାହା କହୁଛନ୍ତି ମିଛ କଥା କହୁଛନ୍ତି। ମା’ ମାନେ ୫୦ ହଜାର ଟଙ୍କା ପାଇବେ ବୋଲି କହୁଛନ୍ତି, ୧୫ ଲକ୍ଷ ଦେବେ ବୋଲି କହିଥଲେ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ଆପଣଙ୍କ ଆଶୀର୍ବାଦ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଆସନ୍ତା ୯ ତାରିଖରେ ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୁଖ୍ୟମନ୍ତ୍ରୀ ନବୀନ। ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଜୁଲାଇରୁ ଆସିବନି ବିଜୁଳି ବିଲ୍। ପ୍ରାୟ ସମସ୍ତ ଓଡ଼ିଶାବାସୀଙ୍କୁ ବିଏସକେୱାଇ ଯୋଜନାରେ ସାମିଲ ହେବ ଦ୍ଵିତୀୟ ଦସ୍ତଖତ। ମିଶନଶକ୍ତି ମା’ ମାନଙ୍କୁ ୬୦ ବର୍ଷ ପରେ ମିଳିବ ପେନସନ ଏବଂ ନୂଆ-ଓ ଯୋଜନାରେ ଛାତ୍ରଙ୍କୁ ୧୨ ହଜାର ଏବଂ ଛାତ୍ରୀଙ୍କୁ ୧୪ ହଜାର ଟଙ୍କା ଛାତ୍ରବୃତ୍ତି ମିଳିବ। ଏହା ହେବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ତୃତୀୟ ଓ ଚତୁର୍ଥ ଦସ୍ତଖତ। ଆପଣଙ୍କ ସହଯୋଗରେ ନୂଆ ଓଡ଼ିଶା ଗଠନ କରିବେ। ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ବିରୋଧୀଙ୍କୁ ଅସ୍ମିତାର ପାଠ ପଢ଼ାଇଲା ବିଜେଡି

ଭୁବନେଶ୍ୱର: କିଛିଦିନ ହେଲା ବିରୋଧୀ ଓଡ଼ିଆ ଅସ୍ମିତା କଥା କହି ଚାଲିଛନ୍ତି। ହେଲେ ସେମାନେ ବୁଝି ନାହାନ୍ତି ଯେ ଅସ୍ମିତା କ’ଣ? ଅସ୍ମିତା ମାନେ ରାଜ୍ୟ ଓ ଦେଶ ଉପରେ ମୁଁ ଗର୍ବିତ ନା ନୁହେଁ? ରାଜ୍ୟର ପ୍ରଦର୍ଶନ ଭଲ ନା ନୁହେଁ। ବିରୋଧୀଙ୍କୁ ବିଜେଡି ଏଭଳି ଅସ୍ମିତାର ପାଠ ପଢ଼ାଇଛି।

ଗତ ୨୪ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁ ଦେଶରେ ଓଡ଼ିଶାର ନାଁ ଆଗକୁ ଯାଇଛି। ନବୀନ ପଟ୍ଟନାୟକ ମୁଖ୍ଯମନ୍ତ୍ରୀ ହେବା ପୂର୍ବରୁ ଓଡ଼ିଶାକୁ ଗରିବ ରାଜ୍ୟ କୁହାଯାଉଥିଲା। ଐତିହ୍ଯ ଓ ସଂସ୍କୃତି ଗୌରବମୟ ଥିଲେ ମଧ୍ୟ ଆର୍ଥିକ ଏବଂ ଅନ୍ଯ କ୍ଷେତ୍ରରେ ରାଜ୍ଯର ସ୍ଥିତି ଭଲ ନଥିଲା। ରାଜ୍ଯରେ ବାତ୍ୟା ପରିଚାଳନା ହେଉ ନଥିଲା। ଭୋକର ଭୂଗୋଳ ଥିଲା ଓଡ଼ିଶା।  ସରକାରୀ କର୍ମଚାରୀ ଦରମା ପାଉ ନଥିଲେ। ପୁଞ୍ଜି ନିବେଶ ନଥିଲା। ଖାଦ୍ୟ ଆସୁଥିଲା ବାହାରୁ । ମୁଣ୍ଡପିଛା ଋଣ ଅଧିକ ଥିଲା। ଦୁର୍ନୀତି ଥିଲା। ବାହାର ରାଜ୍ୟକୁ ଚାକିରି ପାଇଁ ଲୋକ ଯାଉଥିଲେ।

ବର୍ତ୍ତମାନ ସବୁ କ୍ଷେତ୍ରରେ ଅନେକ ଉନ୍ନତି ହୋଇଛି। ୨ ହଜାର ମସିହାରେ ୨ ହଜାର କୋଟି ଟଙ୍କା ଋଣ ଥିଲା। ୨୦୨୩ରେ ୪୩ ହଜାର ୭୩୦ କୋଟି ରାଜସ୍ୱ ବଳକା ଅଛି। ଦୁର୍ନୀତି ନିବାରଣକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଖାଦ୍ୟ ବଳକା ରାଜ୍ୟ ଭାବେ ଓଡ଼ିଶା ଦ୍ଵିତୀୟ। ଶକ୍ତି ବଳକା ରାଜ୍ୟ ଓଡ଼ିଶା। କ୍ରୀଡାରେ ଆଗୁଆ ରାଜ୍ୟ। ଓଡ଼ିଶା  ଆଡଭାନସଡ ସ୍ପୋର୍ଟ୍ସ ସେଣ୍ଟର। ଭୁବନେଶ୍ୱର ଏବେ ଦ୍ଵିତୀୟ ଆଇଟି କ୍ୟାପିଟାଲ। କୋଭିଡ ସମୟରେ ୧୭ ରାଜ୍ୟକୁ ମାଗଣା ଆକ୍ସିଜେନ ଦେଇଛି ଓଡ଼ିଶା। BSKY, ଡ୍ରିଙ୍କ ଫ୍ରମ ଟ୍ୟାପ, ଜାଗା ମିଶନ, ଫାଇଭ-ଟି ରୂପାନ୍ତର ସ୍କୁଲ, ଦକ୍ଷତା ବିକାଶ, ସ୍କିଲ୍ଡ ଇନ ଓଡ଼ିଶା, ଏସବୁକୁ ନେଇ ଓଡ଼ିଶା ଏବେ ଗୋଟିଏ ବ୍ରାଣ୍ଡ। ଅଧିକ ନିଯୁକ୍ତି, ଆଦିବାସୀ ସଂସ୍କୃତିର ସଂରକ୍ଷଣ, ମିଶନ ଶକ୍ତିରେ ୭୦ ଲକ୍ଷରୁ ଅଧିକ ମହିଳା ଏସଏମଇ ହେବେ। ବିଶ୍ୱ ଓଡ଼ିଆ ସମ୍ମିଳନୀ, ଐତିହ୍ୟ ସଂରକ୍ଷଣରେ ମନ୍ଦିରର ବିକାଶ ହୋଇଛି।

୨୦୨୧-୨୨ରେ ଭାରତର ଅଭିବୃଦ୍ଧି ୮ ଦଶମିକ ୭ ପ୍ରତିଶତ ଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ୧୧ ଦଶମିକ ୫ ଥିଲା।  ମହାରାଷ୍ଟ୍ର ପରେ ନିବେଶରେ ଓଡ଼ିଶାର ସ୍ଥାନ ଦ୍ଵିତୀୟ । ମାର୍କେଟ ଋଣ ହୋଇନି।  ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଋଣ ଭାର କମିଛି। ଗରିବୀ କମିଛି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡ଼ିଆ ଲୋକ ଗର୍ବ କରୁଛନ୍ତି। ଓଡ଼ିଶାର ଅସ୍ମିତା ଦୁର୍ବଳ ନୁହେଁ ଯେ ହାତ ଲଗାଇ ଦେଲେ ମଉଳି ଯିବ। ବିରୋଧୀ ନିର୍ବାଚନ ପାଇଁ ଏଣୁତେଣୁ  କୁହନ୍ତୁ ନାହିଁ। ପ୍ରଶଂସନୀୟ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ଅସ୍ମିତା ଖରାପ ହେବନି। ଏହା ଦୃଢ଼ ଓ ଚିରସ୍ଥାୟୀ  ବୋଲି ବିଜେଡି କହିଛି।