spot_img
Home Blog Page 180

ଆଜି ଭାରତ ପାକିସ୍ତାନ ମହାମୁକାବିଲା , ମାଗଣାରେ କେମିତି ଦେଖିବେ ମ୍ୟାଚ

ନନ୍ଦିଘୋଷ ବ୍ୟୁରୋ :  ଟିମ୍ ଇଣ୍ଡିଆ ଏସିଆ କପ୍ 2୦୨୫ ଟାଇଟଲ୍ ଜିତିବା ଠାରୁ ଗୋଟିଏ ପାଦ ଦୂରରେ। ଭାରତୀୟ ଦଳ ଫାଇନାଲରେ ପାକିସ୍ତାନ ସହିତ ମୁକାବିଲା କରିବ। ବିଜୟ ଧାରା ବଜାୟୀ ରଖି, ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ଛଅଟି ମ୍ୟାଚ୍ ଜିତିଛି। ଏବେ, ସେମାନେ ଟ୍ରଫି ଉଠାଇବା ପାଇଁ ସପ୍ତମ ବିଜୟ ଉପରେ ନଜର ରଖିଛନ୍ତି। ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ବହୁତ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ଫାଇନାଲ୍ ଆଜି ଖେଳାଯିବ। ମ୍ୟାଚ୍ ରାତି ୮ଟାରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହେବ। ୪୧ ବର୍ଷ ପରେ ପ୍ରଥମ ଥର ପାଇଁ, ଉଭୟ ଦଳ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ। ସୋନି ସ୍ପୋର୍ଟସ୍ ନେଟୱାର୍କରେ ମ୍ୟାଚ ପ୍ରସାରଣ ହୋଇଥାଏ । ମ୍ୟାଚ ଦେଖିବା ପାଇଁ ହେଲେ । ସୋନି ସ୍ପୋର୍ଟସ୍‌ର ସବସ୍କ୍ରିପସନ ନେବାକୁ ପଡୁଛି । ହେଲେ ଆଜିର ମ୍ୟାଚ ଆପଣ ମାଗଣାରେ ଦେଖିପାରିବେ । ଆସନ୍ତୁ ଜାଣିବା କେମିତି ଦେଖିବେ ମାଗଣାରେ ମ୍ୟାଚ ।

ସୋନି ଲିଭ୍ ଆପ୍‌ରେ ଲାଇଭ୍ ଷ୍ଟ୍ରିମିଂ ଉପଲବ୍ଧ ହେବ। ପ୍ରଶଂସକମାନେ ଭାବୁଛନ୍ତି ଯେ ସେମାନେ ଏହି ମ୍ୟାଚ୍ ମାଗଣାରେ ଦେଖିପାରିବେ କି ନାହିଁ।  ଏହାର ଉତ୍ତର ହେଉଛି ହଁ। ଆପଣ ଏହି ମେଗା ଫାଇନାଲ୍ ଘରେ ବସି ମାଗଣାରେ ଆପଣଙ୍କ ଟେଲିଭିଜନ ସ୍କ୍ରିନ୍‌ରେ ଦେଖିପାରିବେ। ପ୍ରଶଂସକମାନେ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌କୁ ଡିଡି ସ୍ପୋର୍ଟସ୍‌ରେ ସିଧା ଦେଖିପାରିବେ, ଯାହା ଏହି ଚ୍ୟାନେଲ୍‌ରେ ମଧ୍ୟ ସିଧା ପ୍ରସାରଣ କରାଯିବ।

ଲିଗ୍ ପର୍ଯ୍ୟାୟ ଓ ସୁପର ୪ ମ୍ୟାଚ୍‌ରେ ଭାରତଠାରୁ ହାରିବା ପରେ, ପାକିସ୍ତାନ ଏବେ ଫାଇନାଲରେ ଟିମ୍ ଇଣ୍ଡିଆ ସହିତ ମୁକାବିଲା କରିବ। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନର ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଭାରତଠାରୁ ୭ ୱିକେଟ୍‌ରେ ପରାସ୍ତ ହୋଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ସେମାନେ ପ୍ରଥମେ ବୋଲିଂ କରିଥିଲେ ଏବଂ ଟିମ୍ ଇଣ୍ଡିଆ ୪୧ ରନ୍‌ରେ ମ୍ୟାଚ୍‌ ଜିତିଥିଲା।

 

ମହାନଦୀ ଜଳ ବିବାଦକୁ ନେଇ ବିବାଦୀୟ ବୟାନ, ସୁପ୍ରିମକୋର୍ଟ ଯିବାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନର ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସ୍ପଷ୍ଟୀକରଣ ରଖିବାକୁ ଦାବି କରିଛି ସଂଗଠନ । ମହାନଦୀ ଜଳ ବିବାଦ କୃତ୍ରିମ ଓ ରାଜନୈତିକ ବୋଲି ଦିଆଯାଇଥିବା ମନ୍ତବ୍ୟ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଦେଇଛି ଚେତାବନୀ ।

ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ମହାନଦୀ ଜଳ ବିବାଦ କେମିତି ହେଲା କୃତ୍ରିମ ସମସ୍ୟା ବୋଲି ପ୍ରଶ୍ନ ଉଠାଇଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଜଳ ବିଶେଷଜ୍ଞ । ପୂର୍ବରୁ ଦିଲ୍ଲୀରେ ଉମା ଭାରତୀଙ୍କ  ଉପସ୍ଥିତିରେ ମହାନଦୀ ଜଳ ବିବାଦକୁ ନେଇ ବୈଠକ ହୋଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ୍ୟାମ ବନ୍ଦ ପାଇଁ ଦାବି ରଖିଥିଲେ । କିନ୍ତୁ ତତ୍କାଳୀନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏହାକୁ ବନ୍ଦ କରିବାକୁ ମନା କଲେ । ରାଇପେରିଆନ ବିଷୟ କହି ଉମା ଭାରତୀ ସେତେବେଳେ ଏଡାଇ ଗଲେ । ଏହାକୁ ନେଇ ଓଡ଼ିଶାରେ ଆନ୍ଦୋଳନ ହେଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୧୯୫୬ ଆଇନ ଅନୁଯାୟୀ ୨୦୧୮ରେ ଗଠନ ହେଲା ଟ୍ରିବ୍ୟୁନାଲ । ମାମଲା ଟ୍ରିବ୍ୟୁନାଲରେ ଚାଲିଥିବାବେଳେ କିପରି କୃତ୍ରିମ କେମିତି ହେଲା ବୋଲି ପ୍ରଶ୍ନ ହୋଇଛି ।

ରମଣ ସିଂଙ୍କ ସମୟରେ ବ୍ୟରେଜ ନିର୍ମାଣ ହୋଇଥିବାରୁ ଓଡିଶା ଦଶା ଭୋଗୁଛି । ଟ୍ରିବ୍ୟୁନାଲରେ କ୍ରିଷ୍ଣା, କାବେରୀ, ଗୋଦାବରୀ ପ୍ରସଙ୍ଗରେ ଶୁଣାଣି ଯୋଗୁଁ ସହମତିରେ ଚାଲିଛି । ଟ୍ରିବ୍ୟୁନାଲରେ ସମସ୍ୟା ସମାଧାନ ହେବନି ବୋଲି କହିବା ବଡ଼ ଭୁଲ ବୋଲି କହିଛନ୍ତି ଜଳ ବିଶେଷଜ୍ଞ । ମହାନଦୀ ବିବାଦକୁ କୃତ୍ରିମ କୁହାଯାଉଥିବାରୁ ଏହା ଛତିଶଗଡ଼କୁ କ୍ଲିନ ଚିଟ୍‌ ଦେବା ପରି ହେଉଛି ବୋଲି ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ଦାବି ଉଠିଛି ।

ମହାନଦୀ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଭାରତର ପ୍ରତ୍ୟେକ ଜଳ ବିବାଦ ସମସ୍ୟାର ସମାଧାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାଦ୍ୱାରା ଓଡ଼ିଶା ନିଜର ହକ ହରାଇବ । ଯଦି ମହାନଦୀ ପ୍ରସଙ୍ଗ କୃତ୍ରିମ ତା’ହେଲେ ମହାନଦୀ ପାଇଁ ଦୀର୍ଘ ଦିନ ଧରି ହେଉଥିବା ଲଢେଇ କୃତ୍ରିମ କି ? ଛତିଶଗଡ଼ରେ ବ୍ୟାରେଜ କ’ଣ କୃତ୍ରିମ ? ମୁଖ୍ୟମନ୍ତ୍ରୀଙ୍କ ଏ ସମ୍ପର୍କରେ ଆଲୋଚନା ବି କୃତ୍ରିମ ହୋଇଥିବ ବୋଲି ଅଭିଯୋଗ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ସରକାରକୁ ଆସିଲେ ମହାନଦୀ ସମସ୍ୟା ସମାଧାନ କରିବାକୁ କହିଥିଲା ବିଜେପି । ଯଦି ଟ୍ରିବ୍ୟୁନାଲ ଫାର୍ସ ତା’ହେଲେ ଭାରତରେ ଯେତେ ନଦୀ ଜଳ ବିବାଦର ଟ୍ରିବ୍ୟୁନାଲ ମାଧ୍ୟମରେ ଖର୍ଚ୍ଚ ହୋଇଛି ତା’ର ସମୀକ୍ଷା ଓ ତଦନ୍ତ ପାଇଁ ଦାବି କଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ତୁରନ୍ତ ଏ ସମ୍ପର୍କରେ ପଦକ୍ଷେପ ନିଆ ନଗଲେ ବ୍ୟାପକ ଆନ୍ଦୋଳନର ଚେତାବନୀ ଦିଆଯାଇଛି । ସେପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି ସରକାର ସବୁବେଳେ ଓଡ଼ିଶା ସ୍ବାର୍ଥ ପାଇଁ କାମ କରୁଛନ୍ତି ଓ ଛତିଶଗଡ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ ଦିଗରେ କାମ କରିବୁ ।

ହୀରାକୁଦରେ ବାର୍ଷିକ ୧୨.୨୮ ମିଲିୟନ ଏକର ଫୁଟ ପାଣି ଆବଶ୍ୟକ। ପୂର୍ବରୁ ଅକ୍ଟୋବରରୁ ଜୁନ ପର୍ଯ୍ୟନ୍ତ ୨ ମିଲିୟନ ଏକର ଫୁଟରୁ ଅଧିକ ପାଣି ପୂର୍ବରୁ ଆସୁଥିଲା । ଜଳସେଚନ, ବିଦ୍ୟୁତ ଉତ୍ପାଦନ ଓ ନଦୀର ପ୍ରବାହ ପାଇଁ ଜଳ ଆବଶ୍ୟକ । କିନ୍ତୁ ୨୦୧୬ରୁ ୨ ମିଲିୟନ ଏକର ଫୁଟ ବଦଳରେ ମାତ୍ର ଦଶମିକ ୪, ଦଶମିକ ୭ ସମେତ ୮ ମିଲିୟନ ଏକର ଫୁଟ ପାଣି ଆସୁଛି । ଛତିଶଗଡ଼ ପମ୍ପ ଲଗାଇ ପାୱାର ଇଣ୍ଡଷ୍ଟ୍ରି ଜଳ ନେଉଥିବା ଅଭିଯୋଗ ହେଉଥିଲା । ଯାହାକି କୋଭିଡ ସମୟରେ ସତ ବୋଲି ପ୍ରମାଣିତ ହୋଇଥିଲା । ତେଣୁ ଛତିଶଗଡ଼ର ମନମାନି ବିରୋଧରେ ଦୃଢ଼ ପଦକ୍ଷେପ ପାଇଁ ଦାବି ରଖିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।

ଭୁବନେଶ୍ବର ବିମାନ ବନ୍ଦରକୁ ପକ୍ଷୀ ଭୟ; ସର୍ଭେ କରିବାକୁ ପରିବେଶବିତଙ୍କୁ ନେଇ ଟିମ୍ ଗଠନ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ବିମାନବନ୍ଦରରୁ ଟଳୁନି ପକ୍ଷୀ ମାଡ଼ ବିପଦ । କେବଳ ବିମାନବନ୍ଦର ପାଖରେ ଥିବା ଆମିଷ ଦୋକାନ ନା ଅନ୍ୟ କାରଣ ରହିଛି । ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ । ଏଥିପାଇଁ ପରିବେଶବିତଙ୍କୁ ନେଇ ଏକ ଟିମ ଗଠନ କରାଯିବ । ଏହି ଟିମ୍ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ମିଶି ପକ୍ଷୀ ଆସିବାର କାରଣ ଖୋଜିବେ ।

ବାରମ୍ବାର ବିମାନ ଉଡ଼ାକୁ ବାଧା ଦେଉଛି ପକ୍ଷୀ ମାଡ଼ । ଭୁବନେଶ୍ବର ବିମାନ ବନ୍ଦରକୁ ଏହି ବିପଦ ସବୁ ସମୟରେ ଲାଗି ରହୁଛି । ଯେଉଁଥିପାଇଁ ବିମାନ ବନ୍ଦର ପାଖରେ ଥିବା ଆମିଷ ଦୋକାନଗୁଡ଼ିକୁ ପ୍ରଶାସନ ଉଚ୍ଛେଦ କରିଥିଲା । ହେଲେ ଏବେ ବି ମାଳମାଳ ପକ୍ଷୀ ବିମାନ ବନ୍ଦର ଆଡ଼କୁ ମାଡ଼ି ଆସୁଛନ୍ତି । ଯାହା ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାର ଏବେ କାରଣ ଖୋଜିବେ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ । ଏଥିପାଇଁ ଗଠନ ହେବ ଏକ୍ସପର୍ଟ ଟିମ୍ । ଏହି ଟିମରେ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧିକାରୀମାନଙ୍କ ସହ ପରିବେଶବିତଙ୍କୁ ସ୍ଥାନ ମିଳିବ । ବିମାନ ବନ୍ଦର ସେଫଟି କମିଟି ମନିଟରିଂ କରି ଆମିଷ ଦୋକାନ ବନ୍ଦ କରିଥିଲେ । ଆମିଷ ଦୋକାନ ନଥାଇ ବି କେଉଁଠୁ ଆସୁଛନ୍ତି ପକ୍ଷୀ ? ସିଟି ଭିତରେ ବିମାନ ବନ୍ଦର ଥିବାରୁ ପକ୍ଷୀ ଆସିବା ସ୍ବାଭାବିକ । ହେଲେ ଏତେ ମାତ୍ରାରେ କାହିଁକି ଆସୁଛନ୍ତି । ଏହାର ସର୍ଭେ କରି ପ୍ରତିକାର ବ୍ୟବସ୍ଥା କରାଯିବ ।

ଆମିଷ ଦୋକାନ ସହ ଅନ୍ୟ କାରଣକୁ ପକ୍ଷୀ ଆଗମନ ପାଇଁ ଦାୟୀ କରିଛନ୍ତି ପରିବେଶବିତ । ରନ-ୱେ ପାଖରେ ଘାସ ଥିବାରୁ ଏଥିରେ କୀଟ ରହିଥାନ୍ତି । କୀଟ ଖାଇବାକୁ ପକ୍ଷୀ ରନ-ଓ୍ବେକୁ ଆସିବାରୁ ବିମାନ ସହ ମାଡ଼ ହୁଅନ୍ତି । ରନ-ଓ୍ବେ ପାଖରେ ଅଳିଆ ଓ ପାଣି ଉତ୍ସ ବି ପକ୍ଷୀକୁ ଆକର୍ଷିତ କରେ । ବେଳେବେଳେ ବିଦେଶୀ ପକ୍ଷୀ ଚିଲିକାକୁ ଯିବା ପାଇଁ ଭୁବନେଶ୍ବର ଆକାଶକୁ ବାଟ ଭାବେ ବାଛିଥାନ୍ତି । ରନ-ଓ୍ବେ ପାଖରେ ବଡ଼ ଗଛ ଥିଲେ, ସେଥିରେ ପକ୍ଷୀ ବସା କରନ୍ତି । ତେବେ ରନ-ଓ୍ବେ କଡ଼ରେ ରହିଛି ଓୟୁଏଟି । ସେଠାରେ ଗବେଷଣା ପାଇଁ ଚାଷ କରାଯାଇଥାଏ । ଏହାକୁ ଖାଇବା ପାଇଁ ବି ପକ୍ଷୀ ମାଡ଼ି ଆସନ୍ତି ।

ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ଓୟୁଏଟି ଭିତରେ ବିବାଦ ଲାଗି ରହିଛି । ସୁରକ୍ଷିତ ରନ-ଓ୍ବେ ପାଇଁ ଓୟୁଏଟି ଫାର୍ମ ସ୍ଥାନାନ୍ତର କରିବାକୁ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ବାରମ୍ବାର ଦାବି କରିଛନ୍ତି । ହେଲେ ଏହି ବିବାଦ ଉପରୁ ଅବସାନ ଘଟୁନି ।

ଜିଲ୍ଲା ସଙ୍ଗଠନର ନବକଳେବର କଲା କଂଗ୍ରେସ, ଯୁବ ଓ ମହିଳାଙ୍କୁ ପ୍ରାଧାନ୍ୟ

ନନ୍ଦିଘୋଷ ବ୍ୟୁରୋ: ଜିଲ୍ଲା କଂଗ୍ରେସ ସଙ୍ଗଠନରେ ହୋଇଛି ନବକଳେବର । ସଙ୍ଗଠନ ସୃଜନ ଅଭିଯାନ ଜରିଆରେ ନୂଆ ଜିଲ୍ଲା ମୁଖିଆ ଘୋଷଣା କରିଛି ଦଳ । ଟିମରେ ଯୁବ ଓ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ତୃଣମୂଳ ସଙ୍ଗଠନକୁ ମଜବୁତ କରିବା ପାଇଁ କଂଗ୍ରେସ ୩୫ଟି ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କୁ ଗୁରୁଦାୟିତ୍ବ ଦେଇଛି । କ୍ଷମତାକୁ ଫେରିବା ପାଇଁ କଂଗ୍ରେସର ନୂଆ ଫର୍ମୁଲାକୁ ନେଇ ଜୋସରେ ରହିଛି ଦଳ ।

କେନ୍ଦ୍ରାପଡାରେ ଦେବସ୍ମିତା ଶର୍ମା, ନବରଙ୍ଗପୁରରେ ଲିପିକା ମାଝୀ, କେନ୍ଦୁଝରରେ ମନୋଜ ଜେନା, ଖୋର୍ଦ୍ଧାରେ ରାଜୀବ ପଟ୍ଟନାୟକ, କୋରାପୁଟରେ ରୂପକ ତୁରୁକ ଓ ଭଦ୍ରକରେ ନଳିନୀକାନ୍ତ ମହାନ୍ତି । ଉପକୂଳରୁ ଦକ୍ଷିଣ ଯାଏଁ ସବୁଠି ଯୁବ ଚେହେରାଙ୍କୁ ଭରସା କରିଛି ଏଆଇସିସି । ସଙ୍ଗଠନ ସୃଜନ ଅଭିଯାନ ଜରିଆରେ ୩୫ଟି ସାଙ୍ଗଠନିକ ଜିଲ୍ଲାରେ ନିଯୁକ୍ତ ହୋଇଥିବା ଜିଲ୍ଲା ସଭାପତି ତାଲିକାରେ ଯୁବ ଓ ମହିଳାଙ୍କୁ ଅଗ୍ରାଧିକାର ଦେଇଛି ଦଳ । ଯୁବ ନେତୃତ୍ବଙ୍କ ହାତରେ ଗୁରୁଦାୟିତ୍ବ ଦେଇ ଏଆଇସିସି ଦୁର୍ବଳ ସଙ୍ଗଠନକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ।

ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହେଉ ହେଉ ବିଜେପି ସରକାରକୁ ଗାଦିଚ୍ୟୁତ କରିବାକୁ ଆହ୍ବାନ ଦେଇଛନ୍ତି ଯୁବ ସଭାପତି । ଗାଁ ଗାଁରେ ଦଳକୁ କିପରି ମଜବୁତ କରାଯିବ, ତା’ ଉପରେ ଜିଲ୍ଲା ସଭାପତିମାନେ କାମ କରିବେ ବୋଲି କହିଛନ୍ତି ।

କେବଳ ଯୁବ ଓ ମହିଳା ନୁହନ୍ତି । ବହୁ ଜିଲ୍ଲାରେ ବିଧାୟକଙ୍କୁ ମଧ୍ୟ ଜିଲ୍ଲା ସଙ୍ଗଠନର ଗୁରୁ ଦାୟିତ୍ବ ଦେଇଛି କଂଗ୍ରେସ । ଗଞ୍ଜାମରେ ରମେଶ ଜେନା, ରାୟଗଡାରେ ଆପଲ୍ଲା ସ୍ବାମୀ କାଡ୍ରାକା, ଗଜପତିରେ ଦାଶରଥୀ ଗମାଙ୍ଗଙ୍କୁ ଭରସା କରିଛି ଦଳ । ସେହିପରି ଆଉ କିଛି ଜିଲ୍ଲାରେ ବରିଷ୍ଠ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କ ପୁଅ, ଝିଅ ଓ ଘନିଷ୍ଠ ସହଯୋଗୀଙ୍କୁ ମଙ୍ଗ ସମ୍ଭାଳିବାକୁ ଦାୟିତ୍ବ ଦେଇଛି ଏଆଇସିସି । ୩୫ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନିଯୁକ୍ତି ଦଳରେ ଅନ୍ତଃକନ୍ଦଳକୁ ଦୂର କରିବ ବୋଲି ଆଶା ରଖିଛନ୍ତି ନେତା । ଖୁବଶୀଘ୍ର ବ୍ଲକ ଓ ନଗର ସଭାପତି ଚୟନ କରାଯିବ ବୋଲି କହିଛି ଦଳ ।

ନୂଆ ନେତାଙ୍କୁ ଜିଲ୍ଲା ସଙ୍ଗଠନ ମଙ୍ଗୁଆଳ କରି ଦଳ ଦେଇଛି ବଡ଼ ବାର୍ତ୍ତା । ଦୁର୍ବଳ କଂଗ୍ରେସ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଯେଉଁମାନେ ନିଷ୍ଠାର ସହ କାମ କରିବେ, ସେମାନଙ୍କୁ ଦିଆଯିବ ଗୁରୁତ୍ବ ।

୬୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପୂଜା ଭେଟି ଦେଲେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ା ଅମଲିପାଲିରେ ଆୟୋଜିତ ସେବା ପର୍ବରେ ଯୋଗ ଦେଇ ୬୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ପୂଜା ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ ପ୍ରଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ୧ ଲକ୍ଷ ଟେଲିକମ ଟାୱାର ନିର୍ମାଣ, ଭୁବନେଶ୍ୱରରେ ୨ ସେମି କଣ୍ଡକ୍ଟର ଇଏସଡିଏମ ପାର୍କର ଶିଳାନ୍ୟାସ କରିଛନ୍ତି ମୋଦି ।

୮ଟି ଆଇଆଇଟିର କ୍ଷମତା ବୃଦ୍ଧି ସହ ସମ୍ବଲପୁର ସିଟି ଫ୍ଲାଇ ଓଭର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବ୍ରହ୍ମପୁରରୁ ଗୁଜରାଟ ଉଦନାକୁ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ମଧ୍ୟ କରିଛନ୍ତି ମୋଦି ।

ଝାରସୁଗୁଡ଼ାରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଓଡି଼ଆରେ ଭାଷଣ ଆରମ୍ଭ କରି ରାଜ୍ୟବାସୀଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଥିଲେ ମୋଦି । ଓଡ଼ିଶାର କଳା ଓ ସଂସ୍କୃତିର ଅନେକ ପ୍ରଶଂସା କରିଥିଲେ । ଓଡ଼ିଶାର କଳା ବିଶ୍ଵ ପ୍ରସିଦ୍ଧ ବୋଲି କହିଥିଲେ ମୋଦି । ଗରିବ, ଦଳିତଙ୍କୁ ସଶକ୍ତ କରିବା ସହ ମୌଳିକ ସୁବିଧା ଉପଲବ୍ଧ କରାଇବା ମୂଳ ଲକ୍ଷ୍ୟ । ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରଙ୍କୁ ସ୍ଵୀକୃତି ପତ୍ର ବଣ୍ଟନ କରିଥିଲେ ମୋଦି ।

ଚିପ୍ ଠାରୁ ଆରମ୍ଭ କରି ସିପ୍ ପର୍ଯ୍ୟନ୍ତ ଭାରତ ଆତ୍ମନିର୍ଭର ହେବ । ପାରାଦୀପରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଶିଳ୍ପକ୍ଷେତ୍ର ନିର୍ମାଣ ହେବ । ଓଡ଼ିଶାର ଯୁବକଙ୍କୁ ରୋଜଗାର ସୁଯୋଗ ମିଳିବ । ଜନତାଙ୍କୁ ସମ୍ବୋଧିତ କରି ଝାରସୁଗୁଡ଼ା ବିମାନ ବନ୍ଦର ସାରା ଦେଶର ଲୋକଙ୍କୁ ଯୋଡି ପାରିଛି ଓ ଆଜିର ସମାବେଶ ଯୁବକଙ୍କ ପାଇଁ ବେଶ୍ ଉପାଦେୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ । ଝାରସୁଗୁଡାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି ବେଶ୍ ଉତ୍ସାହିତ ଥିଲେ ରାଜ୍ୟବାସୀ । ବିମାନବନ୍ଦରରୁ ଅମଲିପାଲି ପର୍ଯ୍ୟନ୍ତ ଏକ ବିରାଟ ରୋଡ ଶୋ’ର ଆୟୋଜନ କରାଯାଇଥିଲା ।

ଅଭିନେତା ତଥା ଟିଭିକେ ପାର୍ଟି ମୁଖ୍ୟ ବିଜୟଙ୍କ ରାଲିରେ ଦଳାଚକଟା, ୧୦ ମୃତ

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁରେ ବଡ଼ ଅଘଟଣ । ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ । ଅଭିନେତା ତଥା ଟିଭିକେ ପାର୍ଟିର ମୁଖ୍ୟ ବିଜୟ ରାଲିରେ ଘଟିଛି ଏହି ଅଘଟଣ ।

କରୁର୍ ସହରରେ ଏହି ଦୁର୍ଘଟଣା ଘଟିଛି । ବିଜୟଙ୍କର ଏକ ସମାବେଶ ହେବାର ଥିଲା । ଏଥିପାଇଁ ଲକ୍ଷାଧିକ ସମର୍ଥକ ତାଙ୍କୁ ଅପେକ୍ଷା କରିଥିଲେ । ହେଲେ ସେ ବହୁତ ଡେରିରେ ପହଞ୍ଚିଲେ । ଏଥିପାଇଁ ସମର୍ଥକଙ୍କ ଧୈର୍ଯ୍ୟ ଭାଙ୍ଗିଥିଲା । ସେ ୬ ଘଣ୍ଟା ଡେରିରେ ଆସିବାରୁ ଦଳାଚକଟା ହୋଇଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର କାମ ଜାରି ରହିଛି ।

ସେପଟେ ଘଟଣାର  ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବରିଷ୍ଠ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି ।

କପିଲ ଶର୍ମାଙ୍କୁକଲି କରି ଏକ କୋଟି ଟଙ୍କା ଦାଦାବଟି ମାଗିଥିବା ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ନନ୍ଦିଘୋଷ ବ୍ୟୁରୋ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଧମକ ଦେଇ ଦାଦାବଟି ମାଗିଥିବା ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ପଞ୍ଝାରେ । ଅଭିଯୁକ୍ତ ଜଣଙ୍କ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । କପିଲ ଶର୍ମାଙ୍କୁ ୭ ଥର କଲ୍ କରି ଏକ କୋଟି ଟଙ୍କା ଦାଦାବଟି ଦେବାକୁ ଦାବି କରିଥିଲା ଅଭିଯୁକ୍ତ । ଏହାସହ ଡରାଇବାକୁ କପିଲଙ୍କ ପାଖକୁ ପଠାଇଥିଲା ଭିଡିଓ । ଏନେଇ କପିଲ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ଅଭିଯୁକକୁ ଗିରଫ କରିଛି ।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଏକାଧିକ ଥର କପିଲଙ୍କୁ କଲ୍ କରି ଟଙ୍କା ମାଗିବା ସହ ଭିଡିଓ ପଠାଇଥିଲା । ଗତ ୨୨ ଓ ୨୩ ତାରିଖରେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତ ଜଣକ କୁଖ୍ୟତ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଏବଂ ଗୋଲ୍ଡି ବରାଡର ନାଁ ନେଇ ଧମକ ଦେଉଥିଲା । ତେବେ ଗିରଫ ଅଭିଯୁକ୍ତର ଏହି ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପର୍କ ଅଛି କି ନାହିଁ ତାହାର ଯାଞ୍ଚ ଆରମ୍ଭ କରିଦେଇଛି କ୍ରାଇମବ୍ରାଞ୍ଚ ।

ମିଳିଥିବା ତଥ୍ୟ ଅନୁସାରେ, ଗିରଫ ଅଭିଯୁକ୍ତର ନାଁ ଦିଲୀପ ଚୌଧୁରୀ । ୨୨ ଓ ୨୩ ସେପ୍ଟେମ୍ବରକୁ ୭ ଥର କଲ କରି ଧମକ ଦେବା ସହ ୧ କୋଟି ଟଙ୍କା ମାଗିଥିଲା । ଦୁଇଟି ନମ୍ବରରୁ ଅଭିଯୁକ୍ତ କପିଲ ଶର୍ମାଙ୍କୁ ଏସବୁ କଲ କରିଥିଲା । ପଶ୍ଚିମବଙ୍ଗରୁ ଅଭିଯୁକ୍ତକୁ ଗିରଫ କରାଯିବା ପରେ ପଚରାଉଚରା ପାଇଁ ମୁମ୍ବାଇ ନିଆଯାଇଛି । ଅଭିଯୁକ୍ତକୁ ଏକ୍ସପ୍ଲାନେଣ୍ଟ କୋର୍ଟରେ ହାଜର କରିବା ପରେ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଜାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଏସିଆ କପ୍: ପାକିସ୍ତାନକୁ ୧.୩୦ କୋଟି ଟଙ୍କା କ୍ଷତି କରାଇବା ଯୋଜନାରେ ଭାରତ, ଅଭିଶେକ ଶର୍ମାଙ୍କୁ ମିଳିପାରେ ୭୫ ଲକ୍ଷ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପ୍ ୨୦୨୫ର ଫାଇନାଲିଷ୍ଟ ସ୍ପଷ୍ଟ ହୋଇ ସାରିଛି । ରବିବାର ହେବାକୁ ଥିବା ଏହି ମେଗା ଇଭେଣ୍ଟର ଫାଇନାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ଭାରତ ଓ ପାକିସ୍ତାନ । ଦୀର୍ଘ ୪୧ ବର୍ଷ ପରେ ଏସିଆ କପରେ ଭାରତ-ପାକିସ୍ତାନ ଫାଇନାଲରେ ଭେଟାଭେଟି ହେବାକୁ ଯାଉଛନ୍ତି । ଏହି ମୈଦାନେ ଜଙ୍ଗ ପୂର୍ବରୁ ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦୁଇ ଥର ଭାରତ ପାଖରୁ ପରାଜିତ ହୋଇ ସାରିଛି । ଲିଗ ଓ ସୁପର ଫୋର ମ୍ୟାଚରେ ଭାରତ ହାତରୁ ପାକିସ୍ତାନ ଶୋଚନୀୟ ପରାଜୟ ବରଣ କରିଛି । ଆଉ ପୁଣି ଥରେ ପାକିସ୍ତାନକୁ ତା’ର ଔକାତ ଦେଖାଇବାକୁ ଟିମ୍ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଦୁବାଇରେ ରବିବାରକୁ ଖେଳା ଯିବାକୁ ଥିବା ଏହି ହାଇ-ଭୋଲଟେଜ୍ ମ୍ୟାଚରେ ପାକିସ୍ତାନକୁ ହରାଇ ହାଟ୍ରିକ ବିଜୟ ସହ ଟ୍ରଫି ଉଠାଇବାକୁ ଭାରତୀୟ ଖେଳାଳି ପ୍ରସ୍ତୁତ ହୋଇ ରହିଛନ୍ତି । ହେଲେ ଜାଣିଛନ୍ତି କି ପାକିସ୍ତାନ ଫାଇନାଲରେ ହାରିଲେ ୧.୩୦ କୋଟି ଟଙ୍କାର କ୍ଷତି ସହିବ । ଆଉ ଟିମ୍ ଇଣ୍ଡିଆର ଓପ୍ନର ବ୍ୟାଟର ଅଭିଶେକ ଶର୍ମାଙ୍କ ପାଖରେ ୭୫ ଲକ୍ଷ ଟଙ୍କା ଜିତିବାର ସୁଯୋଗ ବି ରହିଛି ।

ପ୍ରାଇଜ ମନି କେତେ ମିଳିବ ?

ଚଳିତ ଏସିଆ କପ୍ ଜିତିବା ଟିମ୍ ମୋଟା ଅଙ୍କର ପୁରସ୍କାର ପାଇବାକୁ ଯାଉଛି । ରିପୋର୍ଟ ଅନୁସାରେ, ୨୦୨୩ ଏସିଆ କପ୍ ପ୍ରାଇଜ୍ ମନି ତୁଳନାରେ ଚଳିତ ଟୁର୍ଣ୍ଣାମେଣ୍ଟରେ ଏହାକୁ ଦୁଇଗୁଣା ହୋଇଛି । ରିପୋର୍ଟ ଅନୁସାରେ, ବିଜୟୀ ଟିମକୁ ୨.୩୦ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ । ଆଉ ରନର୍ସ ଅପ୍ ଟିମକୁ ୧.୩୦ କୋଟି ଟଙ୍କା ମିଳିବ ।

ଏହାସହ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଖେଳାଳିଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ବାବଦକୁ ମିଳିବ । ଏହାବାଦ ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି । ବେଷ୍ଟ ବୋଲର ଓ ବେଷ୍ଟ ବ୍ୟାଟର ପାଇଁ ୨୫ ଲକ୍ଷ ଲେଖାଏଁ ପୁରସ୍କାର ରହିଛି । ତେବେ ଏସିଆନ କ୍ରିକେଟ କାଉନସିଲ ଏହି ପୁରସ୍କାର ରାଶି ନେଇ ସ୍ପଷ୍ଟ କରିନି ।

ଅଭିଶେକଙ୍କୁ ମିଳିବ କେତେ ?

୨୦୨୫ ଏସିଆ କପରେ ସର୍ବାଧିକ ରନ୍ କରିଥିବା ତାଲିକାର ଟପରେ ରହିଛନ୍ତି ଟିମ୍ ଇଣ୍ଡିଆର ଓପ୍ନର ଅଭିଶେକ ଶର୍ମା । ଆଉ ସେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରବଳ ଦାବିଦାର ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଅଭିଶେଷ ୬ଟି ମ୍ୟାଚ ଖେଳି ୫୧.୫୦ ହାରରେ ୩୦୯ ରନ୍ କରିଛନ୍ତି । ଏଥିରେ ୩ଟି ଅର୍ଦ୍ଧଶତକ ରହିଛି । ଦ୍ବିତୀୟ ନମ୍ବରରେ ଶ୍ରୀଲଙ୍କା ଓପ୍ନର ପାଥୁମ ନିସଙ୍କ ରହିଛନ୍ତି । ସେ ୬ଟି ମ୍ୟାଚ୍ ଖେଳି ୪୩.୫୦ ହାରରେ ୨୬୧ ରନ୍ କରିଛନ୍ତି । ସେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ଲଗାଇଛନ୍ତି । ଏହାକୁ ଦେଖିଲେ ଅଭିଶେକଙ୍କୁ ବେଷ୍ଟ ବ୍ୟାଟର ପୁରସ୍କାର ମିଳିବା ଏକପ୍ରକାର ନିଶ୍ଚିତ । ଏହାସହ ଅଭିଶେକ ପ୍ଲେୟାର ଅଫ୍ ନି ଟୁର୍ଣ୍ଣାମେଣ୍ଟ ବି ହୋଇପାରନ୍ତି । ଏହାକୁ ଦେଖିଲେ ଫାଇନାଲ ମ୍ୟାଚରେ ସେ ପ୍ରାୟ ୭୫ ଲକ୍ଷ ଟଙ୍କାର ପୁରସ୍କାର ପାଇପାରନ୍ତି ।

କୁଲଦୀପ ଓ ଅଭିଶେକଙ୍କ ମଧ୍ୟରେ ଟକ୍କର

କୁଲଦୀପ ଯାଦବ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପାଇଁ ଅଭିଶେକଙ୍କୁ କଡା ଟକ୍କର ଦେଉଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ କୁଲଦୀପ ୬ଟି ମ୍ୟାଚରୁ ୧୩ଟି ଓ୍ବିକେଟ ନେଇଛନ୍ତି । ଏହାକୁ ଦେଖିଲେ କୁଲଦୀପ ବେଷ୍ଟ ବୋଲର ହୋଇପାରନ୍ତି । କୁଲଦୀପଙ୍କ ପଛକୁ ୟୁଏଇ ବୋଲର ଜୁନେଦ ସିଦ୍ଦକୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେ ୯ଟି ଓ୍ବିକେଟ ନେଇଚନ୍ତି । ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ସେ ୬ଟି ମ୍ୟାଚ୍ ଖେଳି ୯ ଓ୍ବିକେଟ୍ ନେଇଛନ୍ତି । ତାଲିକାର ଦ୍ବିତୀୟ ସ୍ଥାନକୁ ଆସିବାକୁ ତାଙ୍କ ପାଖରେ ଏକ ସୁଯୋଗ ରହିଛି ।

ଡିଭାଇଡରକୁ ପିଟିଲା ଦ୍ରୁତଗାମୀ ଥାର ; ୫ ଜଣଙ୍କ ମୃତ୍ୟୁ

0

ନନ୍ଦିଘୋଷ ବ୍ୟୁରୋ: ଥାର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ। ହରିୟାଣା ଗୁରୁଗ୍ରାମରେ ଦ୍ରୁତଗାମୀ ଥାର ଡିଭାଇଡରକୁ ଧକ୍କା ଦେବାପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଭୋର ସକାଳ ସାଢେ ୪ଟାରେ ଘଟିଥିଲା ଏ ଦୁର୍ଘଟଣା। ଜାତୀୟ ରାଜପଥ ୪୮ର ଏକଜିଟ୍ ୯ରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁଗ୍ରାମର ରାଜୀବ ଚୌକ ଅଭିମୁଖେ ଯାଉଥିବାବେଳେ ଏକ ଡିଭାଇଡରକୁ ଧକ୍କା ଦେଇଥିଲା। ମୃତକମାନେ ଉତ୍ତରପ୍ରଦେଶ ବାସିନ୍ଦା । କାମ ପାଇଁ ସେମାନେ ଗୁରୁଗ୍ରାମ ଆସିଥିଲେ। ମୃତକଙ୍କ ମଧ୍ୟରେ ତିନି ଜଣ ଯୁବତୀ ଏବଂ ଦୁଇ ଜଣ ଯୁବକ ଅଛନ୍ତି। ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ପରିଚୟ ମିଳିଥିବା ଛାତ୍ର ଜଣକ ୨୪ ବର୍ଷୀୟ ମହିଳା ଯିଏକି ଆଇନ ଛାତ୍ରୀ ଥିଲେ ବୋଲି କୁହାଯାଉଛି । ଦୁର୍ଘଟଣାର କାରଣ ହେଲା ଅତ୍ୟଧିକ ଦ୍ରୁତ ଗତି ବୋଲି ପୋଲିସ କହିଛି । ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଥାର ଡିଭାଇଡରରେ ଧକ୍କା ଦେଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଏବଂ ମୃତକଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ମେଡିକାଲରେ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ରାଜପଥରେ ଅଧିକ ସଂଖ୍ୟକ ଗତି ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉଚିତ। ଏହାର ପାଳନ ନକଲେ ଗୁରୁତର ଦୁର୍ଘଟଣା ଘଟିପାରେ ବୋଲି ଲୋକେ କହିଛନ୍ତି।ଗୁରୁଗ୍ରାମରେ ଦ୍ରୁତ ଗତିରେ ଗାଡି ଚଲାଇବା ଯୋଗୁଁ ଦୁର୍ଘଟଣା ଘଟାଇବାର ଏହା ପ୍ରଥମ ଘଟଣା ନୁହେଁ। କିଛି ମାସ ପୂର୍ବେ ସାଇବର ସିଟି ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଦ୍ରୁତ ଗତିରେ ଯାଉଥିବା କାର ଏକ ମହିନ୍ଦ୍ରା ଥର ସହିତ ଧକ୍କା ହୋଇଥିଲା।ଦୁର୍ଘଟଣା ଧକ୍କା ଏତେ ଜୋରରେ ଥିଲା ଯେ ଥାର ଏକ ବିଦ୍ୟୁତ୍ ଖୁଣ୍ଟରେ ଫସି ଯାଇଥିଲା। ଗାଡ଼ି ଚଲାଉଥିବା ଯୁବତୀ ମଧ୍ୟ ନିୟନ୍ତ୍ରଣ ହରାଇଥିଲେ ଏବଂ ଗାଡ଼ିଟି ପୋଲ ଉପରେ ପଡ଼ିଗଲା।

ଫୁଲୁଛି ମହାନଦୀ କିନ୍ତୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । କହିଲେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ । ଗତକାଲି ୪୯ ବ୍ଲକ ହେଡ଼କ୍ୟାରର୍ଟରରେ ୫୦ ଏମଏମ ଓ କାଲିମେଳା ବ୍ଲକରେ ୧୦୦ ଏମଏମ ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି ଓ ପଶ୍ଚିମରେ କଳାହାଣ୍ଡିରେ ରେଡ ଓ୍ବାର୍ଣ୍ଣିଂ ଥିଲା । ବର୍ଷା ଯୋଗୁଁ ଜଳସ୍ତର ବଢୁଛି ହେଲେ ବିପଦ ସଂକେତ ଉପରେ ନାହିଁ । ଯେହେତୁ ଜଳସ୍ତର ବଢୁଛି, ମହାନଦୀର ଶାଖା କାଠଯୋଡ଼ି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା, ଚିତ୍ରଟପଳା ପାଇଁ ସତର୍କତା ରହିଛି ।

ସେହିଭଳି ବଂଶଧରା ଓ ଋଷିକୂଲ୍ୟାରେ ଜଳସ୍ତର ବଢୁଛି, ହେଲେ ବିପଦ ସଂକେତ ତଳେ ଅଛି । ହୀରାକୁଦର ସର୍ବୋଚ୍ଚ ସ୍ତର ୬୩୦ ଫୁଟ ରହିଛି ଏବେ ୬୨୭. ୮୫ ଫୁଟ ପାଣି ଅଛି । ୧୬ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ତାଳମୁଣ୍ଡ ସ୍ଥିତି ଦେଖି ନିଷ୍ପତ୍ତି ନିଆଯାଇଛି ଆଉ ୬ଟି ଗେଟ ବନ୍ଦ ହେବ । ମୁଣ୍ଡଳୀରେ ୫ .୯୬ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସୁକ୍ତେଲ, ଜିରା ନଦୀରେ ବର୍ଷା ଯୋଗୁଁ ଖଇରମାଲ ଓ ମୁଣ୍ଡଳୀରେ ଜଳ ବୃଦ୍ଧି ହେବ । ତେଲ ନଦୀରୁ ଅଧିକ ପାଣି ଆସିବ ହେଲେ ଏହା ୬ ଲକ୍ଷ କ୍ୟୁସେକ ତଳେ ରହିବ । ନଦୀରୁ ପାଣି କମିଲେ ତଳିଆ ଅଞ୍ଚଳରେ ପାଣି କମିଯିବ । ରେଙ୍ଗାଲିରେ ବ୍ରାହଣୀ ନଦୀ ପାଇଁ ଗୋଟେ ଗେଟ ବନ୍ଦ ହୋଇଛି । ଜଳସ୍ତର ୧୨୩.୩୫ ମିଟର ଅଛି । IMDର ପୂର୍ବାନୁମାନରେ ଆଗାମୀ ଦିନରେ ବର୍ଷା ସମ୍ଭାବନା ନାହିଁ ।