ନନ୍ଦିଘୋଷ ବ୍ୟୁରୋ: ଆମେରିକା ଇତିହାସରେ ପ୍ରଥମ ଥର ଲାଗି ଜଣେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବିଭିନ୍ନ ଅପରାଧିକ ମାମଲାରେ ହୋଇଛନ୍ତି ଦୋଷୀ ସାବ୍ଯସ୍ତ। ୨୦୧୬ ନିର୍ବାଚନ କାଳରେ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲସଙ୍କୁ ଚୁପ୍ କରିବା ଲାଗି ଯେଉଁ ବେଆଇନ ଅର୍ଥ ପ୍ରଦାନ କରିଥିଲେ ସେହି ମାମଲାରେ ତାଙ୍କୁ ଦୋଷୀ ସାବ୍ଯସ୍ତ କରିଛନ୍ତି ନ୍ୟୁୟର୍କ କୋର୍ଟ। କ୍ରମାଗତ ଦୁଇ ଦିନ ଧରି ଚାଲିଥିବା ଶୁଣାଣି ପ୍ରକ୍ରିୟାର ଅବସାନ ଘଟାଇ ୧୨ ଜଣିଆ ବିଚାରପତି ମଣ୍ଡଳୀ ଟ୍ରମ୍ପଙ୍କୁ ୩୪ଟି ମାମଲାରେ ଦୋଷୀ ସାବ୍ଯସ୍ତ କରିଛନ୍ତି। ଆସନ୍ତା ଜୁଲାଇ ୧୧ରେ ଟ୍ରମ୍ପଙ୍କ ବିରୋଧରେ ଦଣ୍ଡ ଧାର୍ଯ୍ୟ କରିବାକୁ ଘୋଷଣା କରିଛନ୍ତି ବିଚାରପତି। ତେବେ ଜୁଲାଇ ୧୫ରେ ରିପବ୍ଲିକାନ ନ୍ଯାସନାଲ କନଭେନସନ ହେବାକୁ ଯାଉଥିବାବେଳେ କୋର୍ଟଙ୍କ ଏହି ନିର୍ଦ୍ଦେଶ ଟ୍ରମ୍ପଙ୍କ ଲାଗି ସମସ୍ୟା ଠିଆ କରିବ ବୋଲି ସୂଚନା ମିଳିଛି। ଆସନ୍ତା ନଭେମ୍ବର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାବେଳେ ଟ୍ରମ୍ପଙ୍କୁ ଦୋଷୀ ସାବ୍ଯସ୍ତ କରାଯିବା ଘଟଣା ଜାତୀୟ ରାଜନୀତିର ହଟଚମଟ ସୃଷ୍ଟି କରିଛି। ଏହି ମାମଲା ଅନୁସାରେ ଟ୍ରମ୍ପଙ୍କୁ ୪ ବର୍ଷ ଜେଲଦଣ୍ଡ ମିଳିବା ସମ୍ଭାବନା ରହିଛି। ତେବେ ସେ ଜେଲଦଣ୍ଡ ଭୋଗିଲେ ବି ନିର୍ବାଚନ ପ୍ରଚାର କରିପାରିବେ ଏବଂ ଏପରିକି ଯଦି ବିଜୟୀ ହୁଅନ୍ତି ତେବେ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହୋଇପାରିବେ। ସେପଟେ ଟ୍ରମ୍ପ କହିଛନ୍ତି ସେ କିଛି ଭୁଲ କରିନାହାନ୍ତି ଏବଂ କୋର୍ଟ ରାୟ ବିରୋଧରେ ଅପିଲ କରିବେ। ଷ୍ଟର୍ମି ଡାନିଏଲସଙ୍କୁ ଟଙ୍କା ଦେବା ଲାଗି ଟ୍ରମ୍ପ ଅନେକ ଜାଲ୍ ପନ୍ଥା ଅବଲମ୍ବନ କରି ନଥି ପ୍ରସ୍ତୁତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।
କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ପ୍ରଚାର ସମୟ ସରିବା ପରେ ମଧ୍ୟ ପ୍ରଚାର କରୁଥିବା ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ । ନିର୍ବାଚନ ପ୍ରଚାର ଅବଧି ସରିବା ପରେ ପ୍ରଚାର ଅଭିଯୋଗ। କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ପ୍ରଚାର ସମୟ ସରିବା ପରେ ପ୍ରଚାର କରୁଛନ୍ତି। ଶେଷ ପର୍ଯ୍ଯାୟ ନିର୍ବାଚନ ପାଇଁ ଗତକାଲି ସଂଧ୍ଯାରୁ ପ୍ରଚାର ସରିଛି। କିନ୍ତୁ ଆଜି କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳିର ବନ୍ତ ବ୍ଲକ ସହରାଗଡ଼ିଆ ଅଞ୍ଚଳରେ ପ୍ରଚାର କରିଛନ୍ତି ନିରଞ୍ଜନ ପଟ୍ଟନାୟକ। ନିଜ ସମର୍ଥକଙ୍କୁ ଧରି ନିରଞ୍ଜନ ପଟ୍ଟନାୟକ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ପୂର୍ବତନ ପିସିସି ସଭାପତି ତଥା ଭଣ୍ଡାରିପୋଖରୀ ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ନିୟମ ନମାନିବା ନେଇ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଇଲେଣ୍ଟ ଡେ’ରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନିରଞ୍ଜନ ପଟ୍ଟନାୟକ।
ବନ୍ଦ ଘରୁ ରକ୍ତାକ୍ତ ଅବସ୍ଥାରେ ବାର ଡାନ୍ସରଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ବର: ରାଜଧାନୀରେ ବାର ଡାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରେ ରକ୍ତାକ୍ତ ଅବସ୍ଥାରେ ପଡିଛି ମୃତଦେହ । ପାହାଳ ଥାନା ଶିବଶକ୍ତି ନଗରରେ ଅଘଟଣ ଘଟିଛି । ମୃତ ଯୁବତୀଙ୍କ ଛଦ୍ମନାମ ଚାରୁ ଓ ତାଙ୍କ ଘର ଚଣ୍ଡିଗଡ଼ ବୋଲି ଜଣାପଡିଛି ।
କଟକ ରୋଡର ଏକ ଡ୍ୟାନ୍ସ ବାରରେ ସେ କାମ କରୁଥିଲେ । ବିଲ୍ଡିଂ ଭିତରେ ୨୫ ଜଣ ଯୁବତୀ ରହୁଛନ୍ତି । ପାହାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପୋଲିସ ଏକ ଆତ୍ମହତ୍ୟା ମାମଲା ରୁଜୁ କରିଛି । ଯୁବତୀଙ୍କ ଟେଲିଫୋନ, ସୋସିଆଲ ମିଡିଆ ମେସେଜ ଯାଞ୍ଚ କରୁଛି ପୋଲିସ ।
କାଲି ରାଜ୍ଯରେ ଶେଷ ପର୍ଯ୍ୟାୟ ମତଦାନ, ମୁତୟନ ହେବେ ୩୬ ହଜାର ପୋଲିସ ଫୋର୍ସ
ଭୁବନେଶ୍ବର: କାଲି ରାଜ୍ଯରେ ଅନୁଷ୍ଠିତ ହେବ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ଯାୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ ହେବ। ଶାନ୍ତି ଶୃଙ୍ଖଳାରେ ଭୋଟ ପାଇଁ ସବୁ ପ୍ରକାର ବ୍ଯବସ୍ଥା କରାଯାଇଥିବା ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି। ଡିଜିପି କହିଛନ୍ତି- ୧୦ ହଜାର ୮୮୨ ଟି ବୁଥ ମଧ୍ଯରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ବୁଥ୍ । ୩୬ ହଜାର ପୋଲିସ ଫୋର୍ସ ମୁତୟନ ହେବେ।
୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ, ୮୬ ପ୍ଲାଟୁନ ଓଡିଶା ଆର୍ମଡ଼ ପୋଲିସ ରହିବେ। ୮୪୩ ଟି ମୋବାଇଲ ପାଟ୍ରୋଲିଂ ଟିମ୍ ନିୟୋଜିତ ହୋଇଛନ୍ତି। ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମରୁ ମନିଟରିଂ କରାଯିବ ବୋଲି ଡିଜିପି କହିଛନ୍ତି । … ଅରୁଣ ଷଡ଼ଙ୍ଗୀ କହିଛନ୍ତି- ପ୍ରତ୍ଯେକ ବିଧାନସଭା ଆସନ ପାଇଁ ଆଇନ ଶୃଙ୍ଖଳା ଦାୟିତ୍ଵରେ ରହିବେ ଏସଡିପିଓ ଏବଂ ଡିଏସପି । ଜିଲ୍ଲା ସୀମାରେ ଥିବା ୨୧ ଟି ବର୍ଡର ଚେକ ପୋଷ୍ଟ ରେ କଡାକଡି ଚେକିଂ ଚାଲିଛି। ବୁଲୁଛି ୨୫୫ ଟି ଫ୍ଲାଇଂ ସ୍କ୍ୱାର୍ଡ । ୨୫୫ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ବି ଅଛି।
ଏଥର ୧୩ ଟି ସ୍ଥାନରେ ଇଭିଏମ ଷ୍ଟ୍ରଙ୍ଗ ରୁମ କରାଯାଇଛି। ସେଠାରେ ମଧ୍ୟ ଇନର କାର୍ଡନ ଦାୟିତ୍ୱ ରେ ଅର୍ଦ୍ଧ ସାମରିକ ବାହିନୀ କାମ କରିବ । ଆଉଟର କର୍ଡନ ଦାୟିତ୍ୱରେ ଓଡିଶା ପୋଲିସ ରହିବ ।
ଖରା ବିରୋଧରେ ଲଢିବାକୁ ରାଜ୍ଯ ସରକାରଙ୍କ ଯୁଦ୍ଧଂଦେହୀ ଡାକରା
ଭୁବନେଶ୍ବର: ୫ ଜିଲ୍ଲାରେ ୫ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ନେଇ ସ୍ପଷ୍ଟ କଲେ ରାଜ୍ଯ ସରକାର । ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଏବଂ ଝାରସୁଗୁଡା ଜିଲ୍ଲାରୁ ଅଂଶୁଘାତରେ ମୃତ୍ଯୁ ନେଇ ଅଭିଯୋଗ ହୋଇଛି । ଯାହାର ତଦନ୍ତ କରୁଛନ୍ତି ରାଜ୍ଯ ସରକାର । ଏମାନଙ୍କର ଶବ ବ୍ଯବେଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ଯୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସଆରସି ସତ୍ଯବ୍ରତ ସାହୁ ।
ତେବେ ବାଲେଶ୍ବର, ଢେଙ୍କାନାଳ, ମୟୂରଭଞ୍ଜ, ସୋନପୁର ଏବଂ ବଲାଙ୍ଗୀରରେ ଜଣେ ଲେଖାଏଁ ବ୍ଯକ୍ତିଙ୍କର ମୃତ୍ଯୁ ହୋଇଥିବାନେଇ ସ୍ପଷ୍ଟ କରିଛନ୍ତି ଏସଆରସି । ତେବେ ରାଜ୍ଯର ପଶ୍ଚିମାଞ୍ଚଳ ଓ ମଧ୍ଯ ଓଡ଼ିଶାରେ ହିଟ ୱେଭ ସ୍ଥିତି ଆହୁରି ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବ । ଏହି ଅଞ୍ଚଳର ୧୯ ଷ୍ଟେସନରେ ୪୦ ଡିଗ୍ରୀ ଉପରେ ଏବଂ ୧୨ ଷ୍ଟେସନରେ ୪୪ ଡିଗ୍ରୀ ଉପରେ ତାତି ରହୁଛି । ଏଥିପାଇଁ ସତର୍କ ରହିବାକୁ ନିବେଦନ କରିବା ସହ ଲୋକଙ୍କ ସହଯୋଗ ଲୋଡିଛନ୍ତି ଏସଆରସି ।
ପିକ ଆୱାର ଦିନ ୧୧ଟାରୁ ୩ଟାଯାଏଁ ଦରକାର ନପଡିଲେ ବାହାରକୁ ନବାହାରିବା ପାଇଁ ସେ ନିବେଦନ କରିଛନ୍ତି । ଏହାକୁ ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଆରସି । ସେହିପରି ଅତି ଜରୁରୀ ପରିସ୍ଥିତିରେ ବାହାରକୁ ବାହାରିବାର ଥିଲେ ସଂପୂର୍ଣ୍ଣ ସୁରକ୍ଷାରେ ବାହାରକୁ ଯିବାକୁ କହଛନ୍ତି । ହାଲୁକା ସୂତା ବସ୍ତ୍ର ପିନ୍ଧିବା ସହ ଛତା, ଜୋତା, ପାଣି ବୋତଲ, ଓଆରଏସ ସାଙ୍ଗରେ ନେବେ । ବୃଦ୍ଧବୃଦ୍ଧା, ଗର୍ଭବତୀ, ଶିଶୁଙ୍କୁ ବେଶୀ ସତର୍କ ରହିବାକୁ ନିବେଦନ କରାଯାଇଛି । ସୁନ୍ଦରଗଡ ଓ ଝାରସୁଗୁଡାରୁ ଆସିଥିବା ଅଭିଯୋଗ ଗୁଡିକରେ ଅଧିକାଂଶ ଶ୍ରମିକ ଅଛନ୍ତି । ଯେଉଁମାନେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବାର ପ୍ରାରମ୍ଭିକ ସୂଚନା ମିଳିଛି । ଏହାର ତଦନ୍ତ କରିବା ଲାଗି ଗତକାଲି ସନ୍ଧ୍ୟାରେ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ଘଟଣାସ୍ଥଳକୁ ଯାଉଛନ୍ତି । ରିପୋର୍ଟ ଆସିବା ପରେ ଜଣାପଡିବ ମୃତ୍ୟୁର ପ୍ରକୃତ କାରଣ । ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଆଦି ଜିଲ୍ଲାକୁ ହିଟ ୱେଭ ନେଇ ବାରମ୍ବାର ଅବଗତ କରାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ, କଲେଜ ବନ୍ଦ ରହିଛି । ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଅତି ଜରୁରୀ କାର୍ଯ୍ୟକୁ ସକାଳେ ବା ଅପରାହ୍ନରେ କରିହେବ । ଶ୍ରମିକମାନଙ୍କ ଲାଗି ସମାନ ଗାଇଡ଼ଲାଇନ ଶ୍ରମ ବିଭାଗ ପକ୍ଷରୁ ହୋଇଛି । ବସ ଯାତ୍ରୀଙ୍କ ଲାଗି ପରିବହନ ବିଭାଗ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚାର ଓ ଜନସାଧାରଣଙ୍କ ସଚେତନତା ଲାଗି ପଦକ୍ଷେପ ନେବେ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ହେବ । ଏଥିରୁ କିଛି ଜିଲ୍ଲାରେ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଅଲଗା ଗାଇଡ଼ଲାଇନ ଜାରୀ ହୋଇଛି । ସରକାର ଆଇଏମଡି ସହିତ ବରାବର ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ଏସଆରସି ।
ହିଟଷ୍ଟ୍ରୋକ ପିଡିତଙ୍କୁ କେମିତି କରିବେ ସାହାଯ୍ୟ ? ଜାଣନ୍ତୁ ଲକ୍ଷଣ ଓ ଚିକିତ୍ସା
ଯଦି ଆପଣ କିମ୍ବା ଆପଣଙ୍କ ନିକଟସ୍ଥଙ୍କୁ ହଠାତ୍ ଅତ୍ୟଧିକ ଝାଳ ବାହାରି ଜ୍ବର ହେଉଛି ଏହା ହିଟଷ୍ଟ୍ରୋକର ଲକ୍ଷଣ । ତତଲା କଡେଇରେ ଭାଜି ହେଉଛି ଦେଶର ଅଧିକାଂଶ ରାଜ୍ୟ । ଏଥିଯୋଗୁଁ ଅସହ୍ୟ ତାତି ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଅଧିକାଂଶ ଲୋକ ହିଟଷ୍ଟ୍ରୋକର ଲକ୍ଷଣ ନ ଜାଣି ପାରି ଅସୁସ୍ଥତା ପରେ ମୃତ୍ୟୁମୁଖରେ ପଡୁଛନ୍ତି । ହିଟ୍ ଷ୍ଟ୍ରୋକ କାହିଁକି ହୁଏ ଏବଂ ଏହାର ଲକ୍ଷଣ କ’ଣ ପ୍ରଥମେ ଜାଣନ୍ତୁ ।
୧୦୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଜ୍ୱର
ଅତ୍ୟଧିକ ଝାଳ ବୋହିବା
ଝାଡାବାନ୍ତି
ଦ୍ରୁତ ନିଶ୍ୱାସ
ମୁଣ୍ଡବିନ୍ଧା
ଚେତାଶୂନ୍ୟ
କେମିତି କରିବେ ଚିକିତ୍ସା
ଯଦି ଜଣେ ବ୍ୟକ୍ତି ହଠାତ୍ ବାନ୍ତି କରେ ଏବଂ ଶରୀରର ତାପମାତ୍ରା ୧୦୪ ଡିଗ୍ରୀ ଅତିକ୍ରମ କରେ ତେବେ ସର୍ବପ୍ରଥମେ, ବ୍ୟକ୍ତିଙ୍କ ମୁଣ୍ଡରେ ଥଣ୍ଡା ପାଣି ଛିଞ୍ଚନ୍ତୁ ।
ତାଙ୍କୁ ଫ୍ୟାନ୍ ତଳେ ବସାନ୍ତୁ । ଏହି ସମୟରେ ପିଡିତ ବ୍ୟକ୍ତିଙ୍କୁ ସୂର୍ଯ୍ୟକିରଣରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ ।
ବେକ, ବାହୁ ଏବଂ ଅଣ୍ଟାରେ ଏକ ବରଫ ପ୍ୟାକ୍ କିମ୍ବା ଥଣ୍ଡା ଏବଂ ଓଦା ଟାୱେଲ୍ କିମ୍ବା କପଡା ରଖନ୍ତୁ ।
ଯଦି ବ୍ୟକ୍ତି ଅଚେତ ନାହାନ୍ତି ତାଙ୍କୁ ପିଇବା ପାଇଁ ପାଣି ଦିଅନ୍ତୁ । ଯଦି ପାଣି ନଥାଏ, ତେବେ ଆପଣ ନଡ଼ିଆ ପାଣି କିମ୍ବା ଘୋଳଦହି ମଧ୍ୟ ଦେଇପାରିବେ ।
ଯଦି ବ୍ୟକ୍ତି ଚେତାଶୂନ୍ୟ ହୋଇଯାଇଛନ୍ତି ତେବେ ଥରେ କିମ୍ବା ଦୁଇଥର ଡାକନ୍ତୁ । ହାତ ନାଡିକୁ ମଧ୍ୟ ଯାଞ୍ଚ କରନ୍ତୁ । ଯଦି ପ୍ରତିକ୍ରିୟା ମିଳେ ତେବେ ବ୍ୟକ୍ତି ବିପଦମୁକ୍ତ ।
ଯଦି କୌଣସି ପ୍ରତିକ୍ରିୟା ମିଳୁ ନାହିଁ ତେବେ ତୁରନ୍ତ CPR ଦିଅନ୍ତୁ । ଏହି ସମୟ ମଧ୍ୟରେ ଆମ୍ବୁଲାନ୍ସକୁ ମଧ୍ୟ ଡାକନ୍ତୁ ।
ମେ ମାସର ଶେଷ ଦିନରେ କମିଲା ପେଟ୍ରୋଲ ଓ ଡିଜେଲ ଦର
ଭୁବନେଶ୍ବର: ମେ ମାସ ଶେଷ ଦିନରେ ଭୁବନେଶ୍ୱରରେ କ୍ରମାଗତ ଦ୍ୱିତୀୟ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇଛି। ଶୁକ୍ରବାର ଦିନ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦.୮୯ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୨.୪୭ ଟଙ୍କା ରେକର୍ଡ କରାଯାଇଛି।
ଆଜି କଟକରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୧୮ ଟଙ୍କା ଏବଂ ଡିଜେଲ ମୂଲ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଲିଟର ପିଛା ୯୨.୭୬ ଟଙ୍କା ରେକର୍ଡ କରାଯାଇଛି।
ଭାରତର ପ୍ରମୁଖ ସହରଗୁଡିକର ପେଟ୍ରୋଲ ମୂଲ୍ୟ ନିମ୍ନଲିଖିତ ଭାବରେ ରେକର୍ଡ କରାଯାଇଛି । ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କା, କୋଲକାତାରେ ଲିଟର ପିଛା ୧୦୩.୯୪ ତେଲ ଦର ରହିଛି । ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ୧୦୪.୨୧ ଓ ଚେନ୍ନାଇରେ ଲିଟର ପିଛା ୧୦୦.୮୫ ଟଙ୍କା ରହିଛି ।
ଭାରତର ପ୍ରମୁଖ ସହରଗୁଡ଼ିକରେ ଡିଜେଲ ମୂଲ୍ୟ ରେକର୍ଡ କରାଯାଇଛି । ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୭.୬୨ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୦.୭୬ଟଙ୍କା ରହିଛି। ମୁମ୍ବାଇରେ ଲିଟର ପିଛା ୯୨.୧୫ ଏବଂ ଚେନ୍ନାଇରେ ଲିଟର ପିଛା ୯୨.୪୩ ଟଙ୍କା ଦର ରହିଛି ।
ଡୋନାଲ୍ଡ ଟ୍ରମ୍ପ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ, ଲଢିପାରିବେ କି ରାଷ୍ଟ୍ରପତି ନିର୍ବାଚନ
ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆମେରିକା ଇତିହାସରେ ସେ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯିଏ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାମଲା ଆରମ୍ଭରୁ ଡୋନାଲ୍ଡ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ କହିବା ସହ ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି କହିଛନ୍ତି।
ନଭେମ୍ବରରେ ଆମେରିକାରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନା ନାହିଁ ? ତାଙ୍କୁ କେତେ ବର୍ଷ ଦଣ୍ଡିତ କରାଯାଇପାରିବ ଏବଂ ଯଦି ଟ୍ରମ୍ପ ଜେଲରେ ଅଛନ୍ତି, ତେବେ ନିର୍ବାଚନ ପ୍ରଚାର ଉପରେ ଏହାର କ’ଣ ପ୍ରଭାବ ପଡ଼ିବ?
କୋର୍ଟ ଟ୍ରମ୍ପଙ୍କୁ ଦୋଷୀ ଘୋଷଣା କରିଛନ୍ତି, କିନ୍ତୁ ତାଙ୍କ ଦଣ୍ଡ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଜୁଲାଇ ୧୧ରେ ଏହି ଦଣ୍ଡ ଘୋଷଣା କରାଯିବ। ଆଇନ ଅନୁଯାୟୀ ତାଙ୍କୁ ସର୍ବାଧିକ ଚାରି ବର୍ଷ ଦଣ୍ଡିତ କରାଯାଇପାରେ। ରିପବ୍ଲିକାନ୍ ପାର୍ଟି ସମ୍ମିଳନୀ ପୂର୍ବରୁ ଏହି ଦଣ୍ଡ ଘୋଷଣା କରାଯିବ।
ଆମେରିକାର ନିୟମ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଏହି ରାୟ ପରେ ତୁରନ୍ତ ଟ୍ରମ୍ପଙ୍କ ପ୍ରଚାର ଦଳ ପାଣ୍ଠି ସଂଗ୍ରହ ପାଇଁ ଆବେଦନ କରିଛନ୍ତି । ଆମେରିକାର ସମ୍ବିଧାନ ଅନୁଯାୟୀ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ସମ୍ବିଧାନରେ ଜଣେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ୩୫ ବର୍ଷ ବୟସ ଏବଂ ଜଣେ ଜନ୍ମିତ ଆମେରିକୀୟ ନାଗରିକ ହେବା ଆବଶ୍ୟକ । ଏହାର ଅର୍ଥ ଟ୍ରମ୍ପ ଜେଲରୁ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ।
ଟଙ୍କା ପାଇଁ ଶିକ୍ଷୟିତ୍ରୀ ବୋହୂକୁ ପିଟିପିଟି ମାରିଦେଲେ ଶାଶୂଘର ଲୋକ
ନୟାଗଡ: ଟଙ୍କା ପାଇଁ ଶିକ୍ଷୟିତ୍ରୀ ବୋହୂକୁ ପିଟିପିଟି ମାରିଦେଲେ ଶାଶୂଘର ଲୋକ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତ୍ତିପୁର ଗାଁରୁ ଏହି ଅଭିଯୋଗ ଆସିଛି। ଘଟଣାକୁ ନେଇ ଅଞ୍ଚଳରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ । ମୃତକ ହେଲେ ପଦ୍ମିନୀ ପ୍ରଧାନ ।
ସେ ଶିକ୍ଷୟିତ୍ରୀ ଭାବେ ଓଡ଼ଗାଁ ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ । ଟଙ୍କା କାରବାରକୁ ନେଇ ପତ୍ନୀଙ୍କୁ ସ୍ୱାମୀ, ଦିଅର ଏବଂ ଶାଶୂଘର ଲୋକ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୀର୍ଘଦିନ ଧରି ପାରିବାରିକ କଳହ ଲାଗି ରହିଥିଲା । ହେଲେ ବିଳମ୍ବିତ ରାତିରେ ସ୍ୱାମୀ ତପନ ସ୍ୱାଇଁଙ୍କ ସମେତ ଶାଶୂଘର ଲୋକ ତାଙ୍କୁ ପିଟିପିଟି ହତ୍ୟା କରି ଘରେ ପକାଇ ଦେଇଥିବା ପଦ୍ମିନୀଙ୍କ ବାପଘର ଲୋକ ଇଟାମାଟି ଥାନାରେ ଅଭିଯୋଗ କରିଛନ୍ତି ।
ସ୍ୱାମୀକୁ ଅଟକ ରଖି ପୋଲିସ ତଦନ୍ତ କରୁଛି । ଶାଶୂଘରର ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ କରାଯିବ ବୋଲି ପୋଲିସ କହିଛି ।
ରାଜ୍ଯରେ ହିଟ୍ଓ୍ୱେଭ ନେଇ ୯ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି SRC
ଭୁବନେଶ୍ବର: ରାଜ୍ଯରେ ହିଟ୍ଓ୍ୱେଭ ନେଇ ୯ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି SRC । ହିଟ୍ଓ୍ୱେଭ ଆଡଭାଇଜରି କଡ଼ାକଡ଼ି ଜାରି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ୯ଜିଲ୍ଲା ହେଲା ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର, ମାଲକାନଗିରି, ସୁନ୍ଦରଗଡ଼, ନୂଆପଡ଼ା, କନ୍ଧମାଳ । ପିକ୍ ଆଓ୍ୱାରରେ ଖରାରେ କାମ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ଟା ଯାଏ ବାହାର କାମ ବନ୍ଦ ରହିବ ।
ଖରାରେ କ’ଣ କରିବା ନ କରିବା ନେଇ ଲୋକଙ୍କୁ ସଚେତନ କରାଇବ ଜିଲ୍ଲା ପ୍ରଶାସନ । ନିର୍ଦ୍ଦେଶନାମା ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରହିବାକୁ ଡାକ୍ତର ମଧ୍ଯ ପରାମର୍ଶ ଦେଇଛନ୍ତି ।

