spot_img
Home Blog Page 1759

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ମନମୁଖୀ ନିଷ୍ପତି ପାଇଁ ଯାତ୍ରୀଙ୍କ ହଙ୍ଗାମା

ଭୁବନେଶ୍ୱର : ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ମନମୁଖୀ ନିଷ୍ପତି ପାଇଁ ଯାତ୍ରୀ କଲେ ହଙ୍ଗାମା। ଭୁବନେଶ୍ୱରରେ ଯାତ୍ରୀଙ୍କୁ ଛାଡ଼ିବା ବଦଳରେ କଲିକତାରେ ଅବତରଣ କଲା ବିମାନ । ସେଠାରୁ ଯାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଭୁବନେଶ୍ବର ଯିବାକୁ କହିବାରୁ ଅସନ୍ତୋଷ ବ୍ୟକ୍ତ କରି ହୋହାଲ୍ଲା କରିଥିଲେ ଯାତ୍ରୀ।

ଗତକାଲି ଦିଲ୍ଲୀରୁ ଭୁବନେଶ୍ବରକୁ ଉଡ଼ିଥିଲା ଏୟାରଇଣ୍ଡିଆ ଏକ୍ସପ୍ରେସ ବିମାନ। ହେଲେ ରାତି ସମୟରେ ପାଗ ଖରାପ ହେବା ଯୋଗୁଁ ଭୁବନେଶ୍ଵର ବିମାନ ବନ୍ଦରରେ ଅବତରଣ କରି ନପାରି କଲିକତାରେ କରିଥିଲା ଅବତରଣ। ସେଠାରୁ ନିଜ ଖଚରେ ଭୁବନେଶ୍ବର ଯିବା ପାଇଁ କହିଥିଲେ ବିମାନ କର୍ତୃପକ୍ଷ । ଏନେଇ ବିମାନ ବନ୍ଦରରେ ଆରମ୍ଭ ହୋଇଥିଲା ହଙ୍ଗାମା।ଉଚ୍ଚ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଆଜି ସକାଳୁ ସମସ୍ତ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଅଭିମୁଖେ ଉଡ଼ିଛି ବିମାନ।

ଭାରତରେ ପହଞ୍ଚିଥିଲା କୁଏତ ମୃତ ବ୍ୟକ୍ତିଙ୍କ ମୃତଦେହ

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲା କୁଏତ ଅଘଟଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମୃତଦେହ । କୋଚିରେ ଅବତରଣ କଲା ବାୟୁସେନାର ସ୍ଵତନ୍ତ୍ର ବିମାନ C -17 । ଏଠାରୁ ପୁଣି ନିଜ ନିଜ ଜନ୍ମମାଟି ଅଭିମୁଖେ ଯିବା ମୃତଦେହ ।

କୁଏତ ଅଗ୍ନିକାଣ୍ଡ ଘଟଣାରେ ମୋଟ ୪୯ ମୃତକଙ୍କ ମଧ୍ଯରୁ ୪୫ ଜଣ ହେଉଛନ୍ତି ଭାରତୀୟ। କେରଳର ୨୪ଜଣ ମୃତକ ରହିଛନ୍ତି। ଅଘଟଣ ତଦନ୍ତ ଓ ମୃତଦେହ ସ୍ବଦେଶ ଫେରାଇ ଆଣିବାକୁ ସମସ୍ତ ବ୍ୟବସ୍ଥା କରିଥିଲେ କେନ୍ଦ୍ର ସରକାର ।

ଏନେଇ କୁଏତ ଯାଇଥିଲେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ। ଯେଉଁଠି ଆହତଙ୍କୁ ଚିକିତ୍ସା କରାଯାଉଛି, ସେହି ହସପିଟାଲକୁ ଯାଇ ଆହତଙ୍କୁ ଭେଟିଥିଲେ କୀର୍ତ୍ତି ବର୍ଦ୍ଧନ ସିଂହ । ଲୋକେ ଶୋଇଥିବା ବେଳେ ବିଲଡିଂରେ ନିଆଁ ଲାଗିଥିଲା। ତେଣୁ ସେମାନେ ବାହାରକୁ ବାହାରିବା ଆଗରୁ ନିଆଁର ଆଁରେ ପୋଡ଼ି ଯାଇଥିଲେ।

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ପୁରୁଣାଡିହ ସାହିରେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା। ମୃତ ଯୁବକ ଜଣଙ୍କ ପୁରୁଣାଡିହ ଯୋଗୀ ସାହିର ଅଚ୍ୟୁତାନନ୍ଦ ନାଥ। ଅଚ୍ୟୁତାନନ୍ଦ ଗାଧୋଇବାକୁ ଯାଇ ଘରକୁ ଫେରୁଥିବାବେଳେ ଜମିବାଡ଼ିକୁ କେନ୍ଦ୍ରକରି ତାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ଯୁ ହୋଇଥିଲା।

ଖବର ପାଇ ପରଜଙ୍ଗ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବରୁ ଜମିବାଡି଼କୁ ନେଇ ବିବାଦ ଥିବା ଅଚ୍ୟୁତାନନ୍ଦଙ୍କ ଭାଇ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଗତ କିଛି ବର୍ଷ ହେବ ଦୁଇଟି ପରିବାର ମଧ୍ୟରେ ତିକ୍ତତା ବଢିଥିଲା। ତାହା ଆଜି ରକ୍ତପାତର ରୂପ ନେଇଛି। ଏ ନେଇ ପରଜଙ୍ଗ ପୋଲିସ ଛାନଭିନ ଆରମ୍ଭ କରି ଦେଇଛି।

ଚା’ ଦୋକାନ ନିକଟରେ ଲୋକଙ୍କୁ ଧକ୍କା ଦେଲା ଟ୍ରକ; ଜଣେ ମୃତ, ପାଞ୍ଚ ଗୁରୁତର

ଆସିକା : ଟ୍ରକ ଧକ୍କାରେ ଜଣେ ମୃତ, ପାଞ୍ଚ ଗୁରୁତର । ସମସ୍ତେ ମେଡିକାଲରେ ଭର୍ତ୍ତି । ଧରାକୋଟ ଥାନା ବାହାଡା ଗୁଡା ଛକରେ ଘଟିଛି ଏହି ଅଘଟଣ । ଏକ ଚା ଦୋକାନ ନିକଟରେ ଥିବା ମଣ୍ଡପ ଉପରେ ୫ ଜଣ ବସିଥିବା ବେଳେ ଧକ୍କା ଦେଇଥିଲା ଟ୍ରକ । ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ପାଞ୍ଚ ଜଣ ଗୁରତର ହୋଇଛନ୍ତି  । ମୃତକ ହେଲେ ମହେନ୍ଦ୍ର ବିଷୋୟୀ । ଆହତ ମାନେ ହେଲେ କାମେଶ୍ୱର ସେଠି, ଲକ୍ଷ୍ମଣ ଗୌଡ଼, ବୃନ୍ଦା ସ୍ବାଇଁ , କାଳୁ ଚରଣ ପ୍ରଧାନ ଓ ମୁରଲୀ ଗୌଡ଼ । ଘଟଣା ସ୍ଥଳରେ ପୋଲିସ ପଂହଁଚି ତଦନ୍ତ ଜାରି ରଖିଛି l ସେଥି ମଧ୍ୟରୁ ଦୁଇ ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସକାଳୁ ସକାଳୁ ଚା ଦୋକାନରେ ଚାହା ପିଇବାକୁ ଅପେକ୍ଷା କରିଥିବା ବେଳେ ଘଟିଛି ଅଘଟଣ ।

ପହିଲି ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ପହିଲି ରଜରେ ପ୍ରଥମେ ଟ୍ବିଟର ଜରିଆରେ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା । ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଟ୍ବିଟ୍ କରି କହିଛନ୍ତି, ପହିଲି ରଜ ଉପଲକ୍ଷେ ଓଡ଼ିଶା ବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ସାଦର ଅଭିନନ୍ଦନ  । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଅନନ୍ୟ ଗଣ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।

ଚଳିତବର୍ଷ ରଜ ଖୁବ୍ ଆନନ୍ଦ ଉଲ୍ଲାସ ସହିତ ପୁରପଲ୍ଲୀରେ ପାଳନ କରାଯାଉଛି । ଗାଁର କୁଆଁରୀମାନେ ସାହି ପଡିଶା ବୁଲି, ନାନା ସଜବାଜ ହୋଇ ଦୋଳି ଖେଳୁଛନ୍ତି । ପାରମ୍ପରିକ ପିଠା ,ପାନ ଖାଇ ରଜକୁ ସବୁଠି ବେଶ ଉତ୍ସାହର ସହ ପାଳନ କରାଯାଉଛି ।

ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ

ଭୁବନେଶ୍ୱର : ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ । ତଥାପି ତାତିବ ପଶ୍ଚିମ ଓଡ଼ିଶା । ଆଜି ଗ୍ରୀଷ୍ମପ୍ରବାହ ନେଇ ୮ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ୧୪ ରୁ ୧୭ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ସତର୍କ କରାଇଲା ପାଣିପାଗ କେନ୍ଦ୍ର । ୩ ରୁ ୪ ଦିନ ମଧ୍ୟରେ ଆଗକୁ ବଢିବ ମୌସୁମୀ । ମୌସୁମୀ ସକ୍ରିୟ ହେଲେ ନିଅଣ୍ଟିଆ ଭରଣା କରିବା ଆଶା କରାଯାଇଛି । ୪ ଦିନ ପର୍ଯ୍ୟନ୍ତ ଗରମ ଗୁଳୁଗୁଳିରି ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର. ବରଗଡ, ସୋନପୁର ଏବଂ ବୌଦ୍ଧକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଉତ୍ତର ଏବଂ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲେ ମଧ୍ୟ ଆଗକୁ ବଢିବାକୁ ବଳ ପାଉନି । ଏବେ ଦୁଇଟି ଜିଲ୍ଲା କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅଟକି ଯାଇଛି ମୌସୁମୀ । ଆସନ୍ତା ୪ ଦିନ ମଧ୍ୟରେ କାଳବୈଶାଖୀ ବର୍ଷା ବଢିବା ସହ ମୌସୁମୀ ଆଗକୁ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଓଲଟିଲା ପିକଅପ୍ ଭ୍ଯାନ, ୨ ମୃତ ଓ ୮ଜଣ ଗୁରୁତର

କୋଣାର୍କ : ଓଲଟିଲା ପିକଅପ୍ ଭ୍ଯାନ। ଦୁର୍ଘଟଣାରେ ୨ ମୃତ, ୮ଜଣ ଗୁରୁତର ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ୨୦ରୁ ଅଧିକ ପାନ ବ୍ୟବସାୟୀ ପାନ ବିକ୍ରି କରିବାକୁ ନୟାହାଟ ଓ ପିପିଲି ପାନ ମାର୍କେଟକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଥିବା ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ କାକଟପୁର ଥାନା ନିକଟସ୍ଥ ଜଗନ୍ନାଥପୁର ଛକ ନିକଟ ମୁଖ୍ୟରାସ୍ତା ଉପରେ ଓଲଟିପଡିଥିଲା।

ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୧୦ରୁ ଅଧିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୮ ଜଣଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ କାକଟପୁର ପୋଲିସ ଟିମ। ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲେ।

ଆଜି ପହିଲି ରଜ, ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର : ଆଜି ପହିଲି ରଜ । ମାଟି ଓ ଆକାଶର ମିଳନର ପର୍ବ । କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସିଛି ରଜ ପର୍ବ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୋଇଛି ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଛି । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ରଜ ପର୍ବର ପୂର୍ବରୁ ଗତକାଲି ଯାଇଛି ସଜବାଜ । କୁମାରୀମାନେ ଅଳତା, କୁଙ୍କୁମ ନାଇ ରଜ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ।

ଆଜି ପହିଲି ରଜ ଥିବାବେଳେ ଆସନ୍ତାକାଲି ରଜ ସଂକ୍ରାନ୍ତି । ଭୂମି ଦହନ ପରେ ବସୁମତି ସ୍ନାନ କରାଯିବ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜର ମହତ୍ତ୍ବ ଅନନ୍ୟ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୩ ଦିନ ସେମାନ କୋଣସି କାମ କରିବାକୁ ବାରଣ କରାଯାଇଛି । ଏପରିକି ଫୁଙ୍ଗୁଳା ପାଦ ଧରିତ୍ରୀ ଉପରେ ରଖିବା ବି ମନା । ଏଥିପାଇଁ ଝିଅମାନେ ପାଦରେ ବାନ୍ଧିଥାନ୍ତି କଦଳି ପାଟୁକା । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ । ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକୁଛି ପରିବେଶ । ସଜେଇ ହୋଇ ଫୁଲ ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସୁଛନ୍ତି ଭଉଣୀ ।

ଦିଲ୍ଲୀ ଜଳ ସଙ୍କଟ : ପାଣି ଦେବାକୁ ମନା କଲା ହିମାଚଳ ପ୍ରଦେଶ

ନୂଆଦିଲ୍ଲୀ : ଦିଲ୍ଲୀରେ ପିଇବା ପାଣିକୁ ନେଇ ହାହାକାର। ପାଣି ଦେବାକୁ ମନା କଲା ହିମାଚଳ ପ୍ରଦେଶ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ଦିଲ୍ଲୀକୁ ଦେବାକୁ ବଳକା ପାଣି ନାହିଁ ବୋଲି କହିଛି ହିମାଚଳପ୍ରଦେଶ। ପୂର୍ବରୁ ପାଣି ଦେବାକୁ ରାଜି ହୋଇଥିବା ହିମାଚଳପ୍ରଦେଶ ୟୁଟର୍ଣ୍ଣ ମାରିଛି। ହିମାଚଳ ପ୍ରଦେଶ ମନା କରିବା ପରେ ଅପର ଯମୁନା ରିଭର ବୋର୍ଡ ନିକଟକୁ ଦିଲ୍ଲୀ ସରକାରଙ୍କୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ମାମଲାରେ ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ହିମାଚଳ ପ୍ରଦେଶକୁ ୧୩୬ କ୍ୟୁସେକ ପାଣି ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ସେପଟେ ଦିଲ୍ଲୀରେ ପାଣି ସମସ୍ୟାକୁ ନେଇ ଆରମ୍ଭ ହୋଇଯାଇଛି ପରସ୍ପରକୁ ଦୋଷାରୋପ। ଦିଲ୍ଲୀରେ ପାଣି ସମସ୍ୟା ଆମ ଆଦମୀ ପାର୍ଟି ସୃଷ୍ଟି କରୁଛି ବୋଲି କହିଛି ବିଜେପି। ସେପଟେ କେନ୍ଦ୍ରକୁ ଦୋଷ ଦେଇଛି ଆମ ଆଦମୀ ପାର୍ଟି। ହରିୟାଣାରେ ପାଣି ଚୋରି ହେଉଥିବା କହିଛି ଆପ ସରକାର। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି।

କୁଏତ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ମଧ୍ୟରେ ଦୁଇ ଓଡ଼ିଆ

ନୂଆଦିଲ୍ଲୀ : କୁଏତ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ମଧ୍ୟରେ ଦୁଇ ଓଡ଼ିଆ । ଘଟଣାରେ ମୋଟ ୪୯ ମୃତକଙ୍କ ମଧ୍ଯରୁ ୪୫ ଜଣ ହେଉଛନ୍ତି ଭାରତୀୟ। ସେ ମଧ୍ୟରୁ ଦୁଇ ଓଡ଼ିଆ ରହିଛନ୍ତି । ଦୁଇ ଓଡ଼ିଆଙ୍କ ମଧ୍ୟରୁ ଜଣେ ଆଠଗଡ ତିଗିରିଆ ଅଞ୍ଚଳର ମହମ୍ମଦ ଜହୁର ବୋଲି ସୂଚନା ରହିଛି । ସେହିଭଳି ଅନ୍ୟ ଜଣେ ଗଂଞ୍ଜାମ ଜିଲ୍ଲାର ସନ୍ତୋଷ ଗୌଡ ବୋଲି ସୂଚନା ରହିଛି । କେରଳରୁ ୨୪ଜଣ ମୃତକ ରହିଛନ୍ତି।

ଅନ୍ୟପଟେ ଆଜି କୁଏତରୁ ଭାରତୀୟଙ୍କ ମୃତଦେହ ଆସିପାରେ । ଅଘଟଣ ତଦନ୍ତ ଓ ମୃତଦେହ ସ୍ବଦେଶ ଫରାଇ ଆଣିବାକୁ ସମସ୍ତ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଏନେଇ କୁଏତ ଯାଇଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ। ଯେଉଁଠି ଆହତଙ୍କୁ ଚିକିତ୍ସା କରାଯାଉଛି, ସେହି ହସପିଟାଲକୁ ଯାଇ ଆହତଙ୍କୁ ଭେଟିଛନ୍ତି କୀର୍ତ୍ତି ବର୍ଦ୍ଧନ ସିଂହ । କେରଳର ଅଧିକାଂଶ ମୃତକ ହୋଇଥିବାରୁ ଆଜି କୁଏତ ଯାଇ ପାରନ୍ତି କେରଳର ସ୍ବାସ୍ଥ୍ଯମନ୍ତ୍ରୀ ଓ ସ୍ବାସ୍ଥ୍ଯ ମିଶନ ନିର୍ଦ୍ଦେଶକ ।

ଲୋକେ ଶୋଇଥିବା ବେଳେ ବିଲଡିଂରେ ନିଆଁ ଲାଗିଥିଲା। ତେଣୁ ସେମାନେ ବାହାରକୁ ବାହାରିବା ଆଗରୁ ନିଆଁର ଆଁରେ ପଡ଼ି ଯାଇଥିଲେ। ମୃତକ ଭାରତୀୟଙ୍କୁ ଚିହ୍ନଟ କରାଯାଇଛି। ବାୟୁସେନାର ସ୍ଵତନ୍ତ୍ର ବିମାନ C -17 ରେ ଏହି ସବୁ ଡେଡ୍ ବଡିକୁ ଦେଶକୁ ଅଣାଯିବ। ଆହତ ଓ ମୃତକଙ୍କ ସୂଚନା ପ୍ରଦାନ ପାଇଁ କୁଏତରେ ଏକ ହେଲପ ଡେସ୍କ କରାଯାଇଛି।