spot_img
Home Blog Page 1758

ଆଜି ରଜ ସଂକ୍ରାନ୍ତି, ଚାଲିଛି ଦୋଳି ଖେଳ

ଭୁବନେଶ୍ବର: ଆଜି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ଉଠୁଛି ପଡୁଛି ଗାଁ ଦାଣ୍ଡ । ଦୋଳି ଖେଳରେ ମସଗୁଲ ଝିଅ, ବୋହୂ  । ସବୁଠି ଉତ୍ସାହର ମାହୋଲ  । ଆଦ୍ୟ ଆଷାଢର ପହିଲି ପୁଲକରେ ପୁଲ୍ଲକିତ ଧରା । ରଜପର୍ବର ମୁଖ୍ୟ ଆକର୍ଷଣ କୁହାଯାଉଥିବା ଦୋଳି ଘରେ ଘରେ ବନ୍ଧା ହେବା ସହ ବିଭିନ୍ନ ସ୍ଥାନରେ ଦୋଳିର ଆୟୋଜନ କରାଯାଇଛି। ଦୋଳିଖେଳିବାକୁ ପିଲାଠାରୁ କିଶୋରୀଙ୍କ ପର୍ଯ୍ୟନ୍ତ ଭିଡ଼ ଦେଖିବାକୁ ମିଳୁଛି। ପ୍ରତି ଗାଁ ଗାଁରେ ଆୟୋଜନ ହୋଇଛି ଦୋଳି ଖେଳ ପ୍ରତିଯୋଗିତା  । ରଜପାନ ଖିଆ, ଦୋଳିରେ ଝୁଲିବା, ଲୁଡୁ, ତାସ୍ ଖେଳ ଓ ବନ୍ଧୁଶଙ୍ଖୁଳା ମଧ୍ୟରେ ଉତ୍ସବମୁଖର ହୋଇଉଠେ ପରିବେଶ।

ରାଜଧାନୀ  ବି ହୋଇ ଉଠିଛି ଉତ୍ସବମୁଖର । ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ରଜ ମହୋତ୍ସବ । କେତେକ ସ୍ଥାନରେ କବାଡ଼ି ପ୍ରତିଯୋଗିତା ହେଉଛି । କୁମାରୀ ଝିଅମାନେ ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ନେଉଛନ୍ତି ରଜ ଦୋଳିର ମଜା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି ।

ଆଗକୁ ଅଗ୍ରସର ହେଉଛି ମୌସୁମୀ, ୧୭ ତାରିଖରୁ ବଡ଼ ବର୍ଷା !

ଭୁବନେଶ୍ବର: ଆସନ୍ତା ୧୭ ତାରିଖରୁ ରାଜ୍ଯରେ ହେବ ବଡ଼ ବର୍ଷା । ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଖୁବ୍ ଶୀଘ୍ର ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ । ଏଥିପାଇଁ ଅନୁକୂଳ ହେଉଛି ପାଗ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ୧୭ ତାରିଖରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, ନୟାଗଡ଼ ରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ୧୮ ରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୭ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ଏବଂ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ । କାଳବୈଶାଖୀ ବର୍ଷା ହେଲେ ମଧ୍ୟ ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ହଟ୍ ଆଣ୍ଡ ହ୍ୟୁମିଡ ପାଣିପାଗ ସ୍ଥିତି ଦେଖାଦେବ। ଚଳିତ ବର୍ଷ ଜୁନ ୮ ତାରିଖ ସ୍ୱାଭାବିକ ସମୟର ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିଥିଲା ଓଡ଼ିଶା । ହେଲେ ନିଷ୍କ୍ରିୟ ହୋଇ ମାଲକାନଗିରି ଜିଲ୍ଲାରେ ରହିଥିଲା । ପରେ କୋରାପୁଟ ଜିଲ୍ଲାକୁ ଚୁଇଁଥିବାବେଳେ ପ୍ରାୟ ୭ ଦିନ ପରେ ପୁଣି ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ହୋଇଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ମଣିପୁରର ଜିରିବାନ ଜିଲ୍ଲାରେ ଆଶ୍ରୟ ନେବାରେ ଲାଗିଛନ୍ତି ଶହ ଶହ ବିପନ୍ନ

ନନ୍ଦଘୋଷ ବ୍ୟୁରୋ : ସରୁନି ମଣିପୁରବାସୀଙ୍କ ଦୁର୍ଦ୍ଦଶା। ଦିନକୁ ଦିନ ବଢୁଛି ଶରଣାର୍ଥୀଙ୍କ ସଂଖ୍ଯା। ଜିରିବାନ ଜିଲ୍ଲା ସମେତ ଅନ୍ଯାନ୍ଯ ସ୍ଥାନରେ ଆଶ୍ରୟ ନେବାରେ ଲାଗିଛନ୍ତି ଶହ ଶହ ଶରଣାର୍ଥୀ। ଗତ ବର୍ଷ ମେ ମାସରୁ ମେଇତେଇ ଓ କୁକୀ ସମ୍ପ୍ରଦାୟ ମଧ୍ଯରେ ସଂଘାତ ଆଭ୍ଯନ୍ତରୀଣ ଭାବେ ଜାରି ରହିଥିବା ସୂଚନା ମିଳିଛି। କିଛି ଦିନ ତଳେ ଜଣେ ମେଇତେଇ ନାଗରିକଙ୍କ ମୃତଦେହ ମିଳିବାକୁ ନେଇ ଶାନ୍ତି ପ୍ରତିଷ୍ଠା ସମ୍ପର୍କରେ ଆସିଛି ସସପେନସ।

ସେପଟେ ଜିରିବାମର ଶହ ଶହ ଲୋକ ପଡୋଶୀ ଆସାମର କାଚାରକୁ ଚାଲିଯାଇଥିବା ଦେଖାଯାଇଛି। କ୍ଯାବିନେଟ ବୈଠକରେ ମୁଖ୍ଯମନ୍ତ୍ରୀ ଏନ. ବୀରେନ ସିଂ ସ୍ଥିତି ସମୀକ୍ଷା କରିବା ସହ ପୁନଃ ଥଇଥାନ ଲାଗି କ୍ଯାବିନେଟ ସବକମିଟି ଗଠନ ଲାଗି କହିଥିଲେ। ହେଲେ ରାଜ୍ଯରେ ସ୍ଥିତି ସୁଧୁରୁନାହିଁ। ଗତ ୬ ତାରିଖରେ ମୃତଦେହ ମିଳିବା ପରେ କିଛି ସ୍ଥାନରେ ପୁଣି ଦୁଇ ସମ୍ପ୍ରଦାୟ ମଧ୍ଯରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସେପଟେ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ବିଭିନ୍ନ ମେଇତେଇ ସଂଗଠନ। ଗତ ବୁଧବାର ପୂର୍ବ ଇମ୍ଫାଲ ଓ କାଙ୍ଗପୋକେପି ଜିଲ୍ଲା ସୀମାରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

OSRTC ବସ୍ ଦୁର୍ଘଟଣା, ୧୦ ଯାତ୍ରୀ ଆହତ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନିକଟରେ ବସ୍ ଦୁର୍ଘଟଣା । ବାଣତୁମ୍ଭ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା OSRTC ବସ୍ l ଡ୍ରାଇଭରଙ୍କ ସମେତ ୧୦ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି l ଆହତଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ଦ୍ୱାରା ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି l ବସଟି ଭୁବନେଶ୍ୱରରୁ ଭଞ୍ଜନଗର ଦେଇ ବାଲିଗୁଡା ଆସୁଥିବା ବେଳେ ବାଣତୁମ୍ଭ ଠାରେ ଘଟିଛି ଦୁର୍ଘଟଣା l ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି l.

କଂଗ୍ରେସ ନେତାଙ୍କୁ ତାରାଙ୍କ ଅନୁରୋଧ, ଦିଲ୍ଲୀ ଯିବା ଛାଡ଼

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ହେବ ଢାଞ୍ଚାଗତ ପରିବର୍ତ୍ତନ । ଦଳରେ ରହିବ ନାହିଁ ଗୋଷ୍ଠୀ ବିବାଦ କି ଭାଗ ଭାଗ ହେବାକୁ ଦିଆଯିବ ନାହିଁ । ୨୦୨୯ରେ କଂଗ୍ରେସ ଓଡିଶାରେ ନମ୍ବର ଓ୍ବାନ ଦଳ ଭାବେ ଛିଡ଼ା କରିବାକୁ ଏବେ ଠାରୁ ରଣନୀତି ପ୍ରସ୍ତୁତ ହୋଇଛି । ତେଣୁ କଂଗ୍ରେସ ନେତାମାନେ ଦିଲ୍ଲୀ ଯିବା ବନ୍ଦ କରି ସଂଗଠନ ସଜାଡ଼ିବାକୁ ହାତଯୋଡି ଅନୁରୋଧ କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଗଣମାଧ୍ୟମ ଆଗରେ ତାରା ତାଙ୍କ ମନ କଥା କହିବା ପରେ ରାଜ୍ୟ କଂଗ୍ରେସ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

୨୦୨୪ ନିର୍ବାଚନ ଫଳାଫଳ ସଙ୍କେତ ଦେଇଛି ୨୦୨୯ରେ କଂଗ୍ରେସ ରାଜ୍ୟରେ ଏକ ନମ୍ବର ଦଳ ହେବ । ତେଣୁ କଂଗ୍ରେସ ନେତାମାନେ ଏକାଠି ହୋଇ କାମ କରିବାକୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କଂଗ୍ରେସର ୧୪ ଜଣ ବିଧାୟକ ଏଥର ବିଧାନସଭାକୁ ନିର୍ବାଚିତ ହୋଇଯାଇଛନ୍ତି । ସମସ୍ତେ ଏକ ହୋଇ ଓଡ଼ିଶାର ଦୁର୍ନୀତି, ଭଷ୍ଟ୍ରାଚାର ବିରୋଧରେ ଦୃଢ ସ୍ବର ଉଠାଇବା ସହ ଲୋକଙ୍କ ସମସ୍ୟା ଦୂର କରିବାକୁ ପ୍ରସ୍ତୁତ ରହିବାକୁ ବିଧାୟକମାନଙ୍କୁ କହିଛନ୍ତି । ବିଧାନସଭାରେ ଦଳ ପକ୍ଷରୁ ତାଙ୍କୁ ବିଧାୟକ ଦଳ ନେତା କରାଯାଉ କି ନଯାଉ ତାଙ୍କ ଶାଣିତ ସ୍ବର ବିଧାନସଭାରେ ପ୍ରକମ୍ପିତ ହେବ । ନିକଟରେ ବିଧାୟକ ତାରା କିଛି ବିଧାୟକଙ୍କ ସହ ଦିଲ୍ଲୀ ଯାଇ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି  । ଏହାସହ କାହିଁକି ୨୦୨୪ରେ ଦଳର ନୈରାଶ୍ୟଜନକ ପରାଜୟ ହୋଇଛି ତାହାର କାରଣ ନେଇ ମଧ୍ୟ ହାଇକମାଣ୍ଡଙ୍କୁ ଅବଗତ କରିଛନ୍ତି ।

୨୦୨୪ରେ କଂଗ୍ରେସର ଆସନ ସଂଖ୍ୟା ବୃଦ୍ଧି ହୋଇଥିଲେ ମଧ୍ୟ ଦଳର ଭୋଟ ହାର କମିଛି । ୨୦୧୯ ନିର୍ବାଚନ ପରେ କଂଗ୍ରେସର ଲଗାତର ଭାବେ ଭୋଟ ପ୍ରତିଶତ ହାର କମିବା ସହ ତୃଣମୂଳସ୍ତରେ କଂଗ୍ରେସ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ତେଣୁ ଦଳର ବରିଷ୍ଠ ନେତାମାନେ ଏକାଠି ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଜଣକ ପରେ ଜଣେ ନେତା ସଂଗଠନକୁ ନେଇ ମୁହଁ ଖୋଲିବା ରାଜ୍ୟ କଂଗ୍ରେସ ରାଜନୀତିରେ ହଲଚଲ ସୃଷ୍ଟି କରିଛି ।

ଚବିଶ ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ରାଜନୀତିରେ ସରଗରମ ହେବାରେ ଲାଗିଛି  । ୨୦୨୯ ପାଇଁ ଯେ କଂଗ୍ରେସ ରୋଡମ୍ଯାପ ପ୍ରସ୍ତୁତ କରୁଛି ତାହା ଜଳଜଳ ହୋଇ ଦିଶୁଛି । ତାର ସଂକେତ ହେଲା ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତ ଦାସଙ୍କ ଇସ୍ତଫା ଓ ବହୁ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।

ରାଜ୍ୟରେ ବିଜେପି ସରକାର ଗଠନକୁ ୪୮ଘଣ୍ଟା ବିତିଲାଣି, ଏଯାଏଁ ମନ୍ତ୍ରୀଙ୍କୁ ମିଳିନି ବିଭାଗ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ବିଜେପି ସରକାର ଗଠନକୁ ୪୮ଘଣ୍ଟା ବିତିଲାଣି। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ଓ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇସାରିଲେଣି। ପ୍ରଥମ ମନ୍ତ୍ରିପରିଷଦ ବୈଠକ ବସି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଗଲାଣି। ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମରେ ଯୋଗଦେବା ସହ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ବି କଲେଣି । ହେଲେ ଏବେ ସୁଦ୍ଧା ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇପାରୁନାହିଁ। କାହାକୁ କେଉଁ ବିଭାଗ ମିଳିବ, ତାକୁ ନେଇ ରାଜ୍ୟବାସୀଙ୍କ ଉତ୍କଣ୍ଠା ବଢିଚାଲୁଥିବା ବେଳେ ବିଭାଗ ବଣ୍ଟନକୁ ନେଇ ହୋଇପାରୁନାହିଁ ସହମତି । ସେପଟେ ମୁଖ୍ଯମନ୍ତ୍ରୀ କହିଛନ୍ତି, ସଠିକ୍ ସମୟରେ ସଠିକ ପଦକ୍ଷେପ ନିଆଯିବ ।

ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନକୁ ନେଇ ଉତ୍ସାହିତ ବିଜେପି ଶିବିର। ଦୁଇ ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ, ୫ ରାଷ୍ଟମନ୍ତ୍ରୀ ଭବ୍ୟ ସମାରୋହରେ ଶପଥ ନେଇଛନ୍ତି। ଶପଥ ନେବାର ୪୮ଘଣ୍ଟା ପରେ ବି ମନ୍ତ୍ରୀମାନଙ୍କୁ ମିଳିପାରିନି ବିଭାଗ। ବିଭାଗ ବଣ୍ଟନରେ କାହିଁକି ହେଉଛି ବିଳମ୍ବ, ତାକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା। ନୂଆ ସରକାର ଗଠନ ପରେ ମନ୍ତ୍ରୀ ପରିଷଦ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି।

ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ବି କଲେଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହେଲେ ମନ୍ତ୍ରୀମାନଙ୍କ ବିଭାଗ ଅଡ଼ୁଆ ତୁଟୁନାହିଁ। ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇଚ୍ଚ୍ଛୁକ ଥିବା ଜଣାପଡ଼ିଥିବା ବେଳେ ସେ ବି ଅପେକ୍ଷା କରିଛନ୍ତି ବିଭାଗ ପାଇଁ। ରାଜ୍ୟିାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଥିବା ବେଳେ ବିଭାଗ ନେଇ ମୁହଁ ଖୋଲିନାହାନ୍ତି।

ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଓଜନିଆ ବିଭାଗ ଅପେକ୍ଷାରେ ଅଛନ୍ତି। କ୍ୟାବିନେଟରେ ସ୍ଥାନ ପାଇଥିବା ଭେଟେରାନ ନେତା ସୁରେଶ ପୂଜାରୀ ବି ଗୁରୁତ୍ବପୂର୍ଣ୍ଣ ବିଭାଗ ନଜରରେ। କେବଳ କନକ ବର୍ଦ୍ଧନଙ୍କୁ ଛାଡ଼ିଲେ ନୂଆ ମନ୍ତ୍ରୀମଣ୍ଡଳରେ କାହାର ମନ୍ତ୍ରୀତ୍ବର ଅଭିଜ୍ଞତା ନାହିଁ। ତେଣୁ କାହାର କେଉଁ ବିଭାଗରେ ଦକ୍ଷତା ରହିଛି, ତାହା ଜାଣିବାକୁ ସମୟ ଲାଗୁଛି। ଅପରପକ୍ଷରେ ବିଜେପିର କାମ କରୁଥିବା ବିଭିନ୍ନ ଗୋଷ୍ଠୀ ମଧ୍ୟ ନିଜ ଲୋକଙ୍କୁ ଭଲ ବିଭାଗ ଦେବା ପାଇଁ ଚାପ ପ୍ରୟାଗ କରୁଥିବା ଆଲାଚନା ହେଉଛି।

ପୃଥ୍ବୀରାଜ ହରିଚନ୍ଦନ, କୃଷ୍ଣଚନ୍ଦ୍ର ମହାପାତ୍ର, ମୁକେଶ ମହାଲିଙ୍ଗ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, ବିଭୂତି ଯେନା, କୃଷ୍ଣଚନ୍ଦ୍ର ପାତ୍ରଙ୍କ ଭଳି ୮ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ କାହାକୁ ଅର୍ଥ, ରାଜସ୍ବ, ଜଳସେଚନ, କୃଷି ଭଳି ବିଭାଗ ମିଳିବ ତା ଉପରେ ବି ନଜର ରହିଛି। ସେହିପରି ୫ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ମନ୍ତ୍ରୀ ଭାବେ ଶପଥ ନେଇଥିବା ସମ୍ପଦ ସ୍ବାଇଁ, ସୂର୍ଯ୍ୟବଂଶୀ ସୁରଜ, ଗୋକୁଳାନନ୍ଦ ମଲ୍ଲିକ, ପ୍ରଦୀପ ବଳ ସାମନ୍ତ, ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ମଧ୍ୟରୁ ଶିଳ୍ପ, ଶକ୍ତି, କ୍ରୀଡ଼ା ଯୁବ ବ୍ୟାପାର, ଖାଦ୍ୟ ଯୋଗାଣ ବିଭାଗ କାହା ଭାଗ୍ୟରେ ରହିଛି, ତାକୁ ନେଇ ସମସ୍ତେ ସନ୍ଦୀହାନ।

ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ମୁଖ୍ୟମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଇଚ୍ଛାଧୀନ ବ୍ୟାପାର। ହେଲେ ଏହା ବିଳମ୍ବ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନିଜ ଇଚ୍ଛାରେ ଦାୟିତ୍ବ ଦେଉଛନ୍ତି ନା ଦଳର ଭିନ୍ନ ଭିନ୍ନ ଲବିକୁ ଗୁରୁତ୍ବ ଦେଉଛନ୍ତି ନା କେନ୍ଦ୍ରୀୟ ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛନ୍ତି, ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି।

ରାତି ପାହିଲେ ବଜାର ଦେଖାଉଛି ନାଲି ଆଖି, ଖାଉଟି ମୁଣ୍ଡରେ ଚଡ଼କ

ନନ୍ଦିଘୋଷ ବ୍ୟୁରୋ: ଖାଉଟି ମୁଣ୍ଡରେ ଚଡ଼କ । ବାଧୁଛି ଦରଦାମ ବୃଦ୍ଧି । ତୁରନ୍ତ କିଛି ନ କଲେ ଲୋକଙ୍କ ଅବସ୍ଥା ବେହାଲ ହୋଇଯିବ । ଦରଦାମ ବୃଦ୍ଧିରେ ଲଗାମ କଷିବାକୁ ଅଣ୍ଟା ଭିଡିଲା ରାଜ୍ୟ ବ୍ୟବସାୟୀ ମହାସଂଘ । ଦର ନିୟନ୍ତ୍ରଣ ପାଇଁ ତୁରନ୍ତ ରାଜ୍ୟର ନୂଆ ସରକାର ତୁରନ୍ତ ମହାସଂଘ ସହ ଆଲୋଚନା କରନ୍ତୁ ବୋଲି ନିବେଦନ କରିଛନ୍ତି ବ୍ୟବସାୟୀ ମହାସଂଘର ମହାସଚିବ । ସେପଟେ ବ୍ୟବସାୟୀ ମହାସଂଘର ନିବେଦନକୁ ସ୍ବାଗତ କରିଛନ୍ତି ବିରୋଧୀ ।

ରାତି ପାହିଲେ ବଜାର ଦେଖାଉଛି ନାଲି ଆଖି । ରଜ ମଉଜକୁ ଫିକା କରିଛି ଦରଦାମ ବୃଦ୍ଧି  । ଆଳୁ ୩୦, ପିଆଜ ୪୦ ପାର୍ । ୫୦ ତଳେ ନାହିଁ କୌଣସି ପନିପରିବା । ହୁ ହୁ ହୋଇ ବଢୁଛି ଚାଉଳ ଦର । ଡାଲି, ତେଲ ଅଟାରେ ବ୍ରେକ୍ ଲାଗୁନି । ଅବସ୍ଥା ଦେଖି ଅଣ୍ଟା ଭିଡ଼ିଲା ରାଜ୍ୟ ବ୍ୟବସାୟୀ ମହାସଂଘ । ସରକାରଙ୍କୁ ସିଧା ଅନୁରୋଧ । ଦରଦାମ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ତୁରନ୍ତ ବ୍ୟବସାୟୀ ମହାସଂଘ ସହ ଆଲୋଚନା କରନ୍ତୁ । ନ ହେଲେ ରାଜ୍ୟରେ ସ୍ଥିତି ଅଣାୟତ୍ତ ହେବ । ଏମିତି ଅବସ୍ଥା ହେଲାଣି ପାଇକରୀ ଦର ଯଦି ୧ ଟଙ୍କା ବଢୁଛି ସେଇ ସାମଗ୍ରୀ ଉପରେ ଖଚୁରା ବଜାରରେ ୫ରୁ ୧୦ ଟଙ୍କା ବୃଦ୍ଧିର ଶିକାର ହେଉଛନ୍ତି ଖାଉଟି । ଖାଉଟି ମୁଣ୍ଡରେ ଚଡ଼କ । ଲୋକେ କଣ କରିବେ ଜାଣି ପାରୁନାହାନ୍ତି । କାରଣ ରାତି ପାହିଲେ ବଜାର ଦର ହୁ ହୁ ହୋଇ ବଢିଚାଲିଛି ।

ରାଜ୍ୟ ବ୍ୟବସାୟୀ ମହାସଂଘ ଯେଉଁ ନିବେଦନ କରିଛି ତାକୁ ସ୍ବାଗତ କରିଛନ୍ତି ବିରୋଧୀ । ଓଡ଼ିଶା କୃଷି ପ୍ରଧାନ ରାଜ୍ୟ । ଖରାଦିନେ ଅମଳ କମ୍ ହେଉଥିବାରୁ ରାଜ୍ୟରେ କୃଷି ଉତ୍ପାଦନ କମ୍ ହୋଇଥାଏ । କିନ୍ତୁ ଏବର୍ଷ ଯେପରି ସବୁ ଖାଦ୍ୟ ସାମଗ୍ରୀ ଦର ବଢୁଛି ତାହା ଆଗରୁ କେବେ ଦେଖାଯାଇ ନଥିଲା । ଏବେ ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ ପାଇଁ ଆଗେଇ ଆସିବାକୁ ସବୁ ମହଲରୁ ଦାବି ହେଉଛି ।

ଭାରତ ସରକାରଙ୍କ ପରିସଂଖ୍ୟାନ ବିଭାଗ କହୁଛି ଖାଉଟି ସୂଚକାଙ୍କ ଗତ ମାସରେ କମି ୪.୭୫ ପ୍ରତିଶତ ହୋଇଛି । ହେଲେ ବଜାର ସ୍ଥିତି କହୁଛି ଓଲଟା । ସୂଚକାଙ୍କର ଗଣିତରେ ସାଧାରଣ ଖାଉଟିର ପେଟ ପୂରିବନି । ସବୁ ବର୍ଗର ଖାଉଟିଙ୍କୁ ସୁହାଇଲାଭଳି ଖୁଚୁରା ବଜାରରେ କିପରି ସୁଲଭ ଦରରେ ଜିନିଷ ପତ୍ର ମିଳିବ ତାକୁ ଦେଖିବା ସରକାରଙ୍କ ଦାୟିତ୍ବ ।

ଜୁଲାଇ ପହିଲାରୁ ଦେଶର ଦଣ୍ଡବିଧାନ ବ୍ଯବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ

ନୂଆଦିଲ୍ଲୀ: ଏବେ ହେବ ନ୍ଯାୟ । ଲାଗୁ ହେବ ଭାରତୀୟ ନ୍ଯାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା । ହଟିବ ୧୫୦ ବର୍ଷର ବ୍ରିଟିଶ ଅମଳର ଆଇପିସି ଓ ସିଆରପିସି । ତଦନ୍ତରେ ବ୍ଯବହାର ହେବ ଟେକ୍ନୋଲଜି, ମାନବାଧିକାରର ସୁରକ୍ଷାକୁ ଦିଆଯିବ ଗୁରୁତ୍ବ । ନୂଆ କ୍ରିମିନାଲ ଲ’ କାର୍ଯ୍ଯକାରୀ ନେଇ ସବୁ ରାଜ୍ଯର ଡିଜିପି, ଗୃହ ସଚିବ, ମୁଖ୍ଯ ଶାସନ ସଚିବଙ୍କ ସହିତ କେନ୍ଦ୍ର ଗୃହ ସଚିବଙ୍କ ଆଲୋଚନା । ରାଜ୍ଯର ପୋଲିସ ଅଧିକାରୀଙ୍କୁ ମଧ୍ଯ ଦିଆଯାଇଛି ଟ୍ରେନିଂ । ଜୁଲାଇରୁ ନୂଆ ଧାରାରେ ରୁଜୁ ହେବ ମାମଲା ।

ଜୁଲାଇ ପହିଲାରୁ ଦେଶର ଦଣ୍ଡବିଧାନ ବ୍ଯବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ । ଆଉ ରହିବ ନାହିଁ ୧୫୦ ବର୍ଷର ବ୍ରିଟିଶ ନିୟମ । ଉଠିଯିବ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟ । ଇଣ୍ଡିଆନ୍ ପେନାଲ୍ କୋଡ୍ ବଦଳରେ ଆସିବ ଭାରତୀୟ ନ୍ୟାୟ ସଂହିତା । କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର ବଦଳରେ ଲାଗୁ ହେବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ । ସେହିପରି ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ ପରିବର୍ତ୍ତେ କାର୍ଯ୍ଯକାରୀ ହେବ ‘ଭାରତୀୟ ସାକ୍ଷ୍ୟ ଅଧିନିୟମ’ । ପୂର୍ବରୁ ୫୧୧ଟି ସେକ୍ସନ୍ ଥିବା ବେଳେ ଏବେ ୩୫୮ଟି ସେକ୍ସନ୍ ରହିବ ଓ ୧୭୫ଟି ସେକସନ୍ ସଂଶୋଧନ କରାଯିବ । ଜୁଲାଇରୁ ନୂଆ ଧାରାରେ ରୁଜୁ ହେବ ମାମଲା ।

ଆଇପିସି, ସିଆରପିସି, ଏଭିଡେନ୍ସ ଆକ୍ଟକୁ ହଟାଇବାକୁ କେନ୍ଦ୍ର ସରକାର ୨୦୨୩ ଡିସେମ୍ବରରେ ସଂଶୋଧନ ପ୍ରସ୍ତାବ ଆଣିଥିଲେ । ଡିସେମ୍ବରରେ ସଂସଦରେ ସଂଶୋଧନ ହେବା ପରେ ଫେବୃଆରିରେ ବାହାରିଥିଲା ନୋଟିଫିକେସନ । କୁହାଯାଉଛି, ଆଗରୁ ଅପରାଧକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଏବେ ଫୋକସରେ ରହିବ ନ୍ୟାୟ । ନୂଆ ନିୟମ କାର୍ଯ୍ଯକାରୀ କରିବା ପାଇଁ କେନ୍ଦ୍ର ଗୃହ ସଚିବ ଏକ ବୈଠକ କରିଥିଲେ । ଯେଉଁଥିରେ ଯୋଗ ଦେଇଥିଲେ ମୁଖ୍ଯ ଶାସନ ସଚିବ, ଡିଜି ଓ ଗୃହ ସଚିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ପୋଲିସ ଅଫିସରଙ୍କୁ ଦିଆଯାଇଛି ଟ୍ରେନିଂ। ନୂଆ ନିୟମ କାର୍ଯ୍ଯକାରୀ କରିବାକୁ ଅତିରିକ୍ତ ଡିଜି କ୍ରାଇମଙ୍କ ଅଧ୍ଯକ୍ଷତାରେ ଏକ କମିଟି କରାଯାଇଥିବା ବେଳେ ଗୃହ ବିଭାଗ ଆଡିସିନାଲ ଚିଫ୍ ସେକ୍ରେଟାରୀଙ୍କ ଏକ ଷ୍ଟିଅରିଂ କମିଟି କରାଯାଇଛି ।

ନୂଆ ଆଇନରେ ମାନବାଧିକାର ସୁରକ୍ଷା, ତଦନ୍ତରେ ଟେକ୍ନୋଲଜିର ବ୍ଯବହାରକୁ ଦିଆଯାଇଛି ଗୁରୁତ୍ବ । ଜୁଲାଇ ୧ ମଧ୍ୟରେ ଯେତିକି କେସ ରୁଜୁ ହୋଇଥିବ ତାହା ପୁରୁଣା ସିଆରପିସିରେ ବିଚାର କରାଯିବ । ତା’ପରର ମାମଲା ଭାରତୀୟ ନ୍ୟାୟ ସଂହିତା ଅନୁସାରେ ହେବ ।

ପ୍ରେମିକା କଥାରେ ପଡ଼ି ହତ୍ୟା କଲେ କନ୍ନଡ଼ ସୁପରଷ୍ଟାର

ନନ୍ଦିଘୋଷ ବ୍ୟୁରୋ: ଗାର୍ଲଫ୍ରେଣ୍ଡ କଥାରେ ପଡ଼ି ଜଘନ୍ୟ ମର୍ଡର। ଅଭିଯୁକ୍ତ ପୁଣି ଏମିତି ସେମିତି ସାଧାରଣ ଲୋକ ନୁହନ୍ତି, କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍ ଦର୍ଶନ ଥୁଗୁଦୀପା । ପୁରା ଘଟଣାର ପର୍ଦ୍ଦାଫାସ ହେବା ପରେ ଦର୍ଶନ, ତାଙ୍କ ଗାର୍ଲଫ୍ରେଣ୍ଡ ପବିତ୍ରା ଗୌଡ଼ା ଓ ଅନ୍ୟ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ । ମୃତକ ହେଲେ ରେଣୁକା ସ୍ବାମୀ। ଦର୍ଶନ ତାଙ୍କୁ ମର୍ଡର କରିବା ପରେ ଏକ ନାଳରେ ଫିଙ୍ଗି ଦେଇଥିଲେ। ରେଣୁକାଙ୍କ ଡେଡ୍ ବଡିର ଅଧା ଖାଇ ଦେଇଥିଲେ ବୁଲା କୁକୁର। ଜଣେ ଫୁଡ୍ ଡେଲିଭରି ବୟ ଏହା ଦେଖି ପୋଲିସକୁ ଜଣାଇବା ପରେ ତନାଘନା ହୋଇଥିଲା।

ସାମାନ୍ୟ ଏକ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଗାର୍ଲଫ୍ରେଣ୍ଡ କଥାରେ ପଡ଼ି ମର୍ଡର କରିବାକୁ ପଛାଇ ନାହାନ୍ତି କନ୍ନଡ ଇଣ୍ଡଷ୍ଟ୍ରିର ଷ୍ଟାର୍ ଦର୍ଶନ। ମୃତକଙ୍କ ନାଁ ହେଲା ରେଣୁକା ସ୍ବାମୀ। ସେ କୁଆଡ଼େ ଦର୍ଶନଙ୍କ ଗାର୍ଲଫ୍ରେଣ୍ଡ ପବିତ୍ରାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କିଛି ବିବାଦୀୟ କମେଣ୍ଟ କରିଥିଲେ। ଏଥିରେ ପବିତ୍ରା ଏତେ ଉତକ୍ଷିପ୍ତ ହୋଇ ପଡ଼ିଥିଲେ ଯେ, ରେଣୁକାଙ୍କୁ ଭଲ କରି ପାନେ ଦେବାକୁ ବୟଫ୍ରେଣ୍ଡ ଦର୍ଶନଙ୍କୁ କହିଥିଲେ। ଏହା ପରେ ରଚା ହୋଇଥିଲା ଷଡ଼ଯନ୍ତ୍ର। ରେଣୁକା ସ୍ବାମୀଙ୍କ ଘର ଚିତ୍ରଦୁର୍ଗା ଜିଲ୍ଲାରେ। ନିଜର ଫ୍ଯାନ କ୍ଲବଙ୍କ ଜରିଆରେ ରେଣୁକାଙ୍କ ସଂପର୍କରେ ସବୁ ତଥ୍ୟ ସଂଗ୍ରହ କରିଥିଲେ ଦର୍ଶନ ।

ଜଣେ ଟ୍ୟାକ୍ସି ଡ୍ରାଇଭର- ଯିଏ କି ଦର୍ଶନଙ୍କ ବଡ଼ ଫ୍ଯାନ- ତାଙ୍କ ଜରିଆରେ ଚିତାଦୁର୍ଗାରୁ ରେଣୁକା ସ୍ବାମୀଙ୍କୁ ବେଙ୍ଗଳୁରୁ ଅଣାଯାଇଥିଲା ଗତ ୮ ତାରିଖରେ। ବେଙ୍ଗଲୁରୁର ଦର୍ଶନ, ତାଙ୍କ ଗର୍ଲଫ୍ରେଣ୍ଡ ପବିତ୍ରା ଓ ଅନ୍ଯ ସହଯୋଗୀ ରେଣୁକାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବାରମ୍ବାର କଚାଡ଼ିବାରୁ ଦେହର ଅନେକ ହାଡ଼ ଭାଙ୍ଗି ଯାଇଥିଲା । ପିଟି ପିଟି ରେଣୁକାଙ୍କୁ ମାରି ଦେଇଥିଲେ ଦର୍ଶନ ଓ ତାଙ୍କ ସହଯୋଗୀ  ଏବଂ ଡ୍ରେନରେ ଡେଡ ବଡିକୁ ଫିଙ୍ଗି ଦେଇଥିଲେ। ଘରକୁ ଫେରିବା ପରେ ସେହି ଟ୍ଯାକ୍ସି ଡ୍ରାଇଭର ଏହି ଘଟଣା ସଂପର୍କରେ ନିଜ ସାଙ୍ଗମାନଙ୍କୁ କହିଥିଲା।

ଆତ୍ମସମର୍ପଣ କରିବାକୁ ସେମାନେ ଦେଇଥିଲେ ପରାମର୍ଶ । ପୋଲିସ ପାଖରେ ସେହି ଡ୍ରାଇଭର ଆତ୍ମସମର୍ପଣ କରି ସବୁ କଥା କହିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଛି। ଦର୍ଶନଙ୍କ ପରି ଲୋକପ୍ରିୟ ଫିଲ୍ମ ଷ୍ଟାର ଏପରି କରିଥିବେ, କେହି ବିଶ୍ଵାସ କରିପାରୁ ନାହାନ୍ତି। ପୁରା କର୍ଣ୍ଣାଟକରେ ଏହି ମର୍ଡର ଚାଞ୍ଚଲ୍ଯ ଖେଳାଇ ଦେଇଛି ।

ନିଟ୍ ବିବାଦ: ହାଇକୋର୍ଟ ପଡି ରହିଥିବା ମାମଲା ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିଟ୍ ବିବାଦକୁ ନେଇ ହୋଇଥିବା ମାମଲା ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ତିଷ୍ପତ୍ତି । ବିଭିନ୍ନ ହାଇକୋର୍ଟରେ ପଡିରହିଥିବା ମାମଲାଗୁଡିକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମଙ୍କ ନିର୍ଦ୍ଦେଶ । ନ୍ଯାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏର ଆବେଦନ ପ୍ରସଙ୍ଗରେ ବିଭିନ୍ନ ଘରୋଇ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ଆଇନଗତ ବିବାଦଗୁଡ଼ିକୁ ଷ୍ଟ୍ରିମଲାଇନ କରିବା ଲାଗି ଏହି ଆବେଦନ ହୋଇଥିଲା । ନିଟ-ୟୁଜି ବିବାଦର ସମାଧାନ ଦିଗରେ ପଦକ୍ଷେପ ନେବା ଲାଗି ସମସ୍ତ ଆବେଦନଗୁଡିକୁ ବିଚାରକୁ ନେବା ଲାଗି ପଦକ୍ଷେପ ନିଆଯାଇଛି । ମାମଲାର ଶୁଣାଣି କରୁଛନ୍ତି ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ । ଆସନ୍ତା ଜୁଲାଇ ୮ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

ସେପଟେ ଗତ ମେ’ ୫ରେ ଲସ୍ ଅଫ ଟାଇମ କାରଣରୁ ୧୫୬୩ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିବା ଗ୍ରେସ ମାର୍କ ସମ୍ପର୍କିତ ୩ଟି ପିଟିସନକୁ ହାଇକୋର୍ଟରୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ଲାଗି ଚାହିଁଛି ଏନଟିଏ । ଗତକାଲି ମାମଲାର ଶୁଣାଣି ବେଳେ ୧୫୬୩ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଗ୍ରେସମାର୍କ ପ୍ରତ୍ଯାହାର କରିନିଆଯାଇଛି ବୋଲି ସୁପ୍ରିମକୋର୍ଟ ନିକଟରେ କହିଥିଲେ ଏନଟିଓ ଓ କେନ୍ଦ୍ର ସରକାର । ଗତ ମେ’ ୫ ତାରିଖରେ ଦେଶର ୪,୭୫୦ କେନ୍ଦ୍ରରେ ନିଟ୍ ପରୀକ୍ଷା ହୋଇଥିଲା । ୨୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଦେଶର ବିଭିନ୍ନ ଭାଗରେ ପ୍ରତିବାଦ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ୭୨୦ ମାର୍କରୁ ୬୭ ପରୀକ୍ଷାର୍ଥୀ ୭୨୦ ରଖିଥିବାକୁ ନେଇ ବିବାଦ ବଢିଥିଲା ।