spot_img
Home Blog Page 1752

୫୫ ବର୍ଷ ମଧ୍ୟରେ ଏଠାରେ ହୋଇନି ରେଳ ଦୁର୍ଘଟଣା, କାହିଁକି ଏତେ ସୁରକ୍ଷିତ ?

ନନ୍ଦିଘୋଷ ବ୍ୟୁରୋ: ସୋମବାର ସକାଳେ ପଶ୍ଚିମବଙ୍ଗରେ ଏକ ମାଲବାହୀ ଟ୍ରେନ୍ ଓ କାଞ୍ଚନଜଙ୍ଗା ଏକ୍ସପ୍ରେସ (13174) ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୬୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଦେଶରେ ବାରମ୍ବାର ରେଳ ଦୁର୍ଘଟଣା ରେଳ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ଯଦି ଆମେ ଦୁନିଆର ସୁରକ୍ଷିତ ଟ୍ରେନ୍ ବିଷୟରେ କହିବା ତେବେ ଜାପାନ ନାଁ ପ୍ରଥମେ ଆସିଥାଏ  ।

ଜାପାନରେ ଯାତ୍ରା କରିବା ପାଇଁ ଟ୍ରେନ୍ ଏକ ଲୋକପ୍ରିୟ ବିକଳ୍ପ  । ଜାପାନିଜ୍ ଟ୍ରେନ୍ କେବଳ ସୁରକ୍ଷିତ ନୁହେଁ ବରଂ ଆରାମଦାୟକ, ପରିଷ୍କାର ଏବଂ ବିଳମ୍ବ ନକରି ଠିକ୍ ସମୟରେ ଚାଲିଥାଏ । ଦୁନିଆର ସର୍ବୋଚ୍ଚ ସ୍ପିଡ୍ ଟ୍ରେନ୍ ଜାପାନରେ ଚାଲିବା ସତ୍ତ୍ବେ ଦୁଇଟି ଟ୍ରେନ୍ ପରସ୍ପର ସହ ମୁହାଁମୁହିଁ ହେବା ଘଟଣା ଏଠାରେ ସାମନାକୁ ଆସିନାହିଁ  ।

 

ଜାପାନ ରେଳ

ଜାପାନରେ ପ୍ରଥମେ ରେଳ ସେବା ୧୮୭୨ରେ ଆରମ୍ଭ ହୋଇଥିଲା ​​ । ଏଥି ସହିତ ଜାପାନର ବିଶ୍ୱ ପ୍ରସିଦ୍ଧ ବୁଲେଟ୍ ଟ୍ରେନ୍ (ଶିଙ୍କାନସେନ୍) ଭାବରେ ଜଣାଶୁଣା ପ୍ରଥମେ ୧୯୬୪ ମସିହାରେ ଆରମ୍ଭ ହୋଇଥିଲା  । ବୁଲେଟ୍ ଟ୍ରେନ୍ ଆଜି ଜାପାନ ସମାଜର ଏକ ଅଂଶ ହୋଇପାରିଛି, ଯେଉଁଥିପାଇଁ ପ୍ରତ୍ୟେକ ନାଗରିକ ଗର୍ବିତ  । ଜାପାନରେ ବୁଲେଟ୍ ଟ୍ରେନ୍ ଚାଲିବା ଆରମ୍ଭ ହେବାର ୫୦ ବର୍ଷ ବିତିଗଲାଣି  । ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଚାଲିବା ସତ୍ତ୍ବେ ଜାପାନ ଟ୍ରେନ୍ ଗୁଡିକ ଅବିଶ୍ୱସନୀୟ ଭାବରେ ସୁରକ୍ଷିତ  ।

 

ଜାପାନରେ ପ୍ରଥମ ସାଂଘାତିକ ରେଳ ଦୁର୍ଘଟଣା ୧୮୭୭ ମସିହାରେ ରେଳ ସେବା ଆରମ୍ଭର ପାଞ୍ଚ ବର୍ଷ ପରେ ଘଟିଥିଲା ​ । କିନ୍ତୁ ଯେତେବେଳେ ବି ଜାପାନରେ ରେଳ ଦୁର୍ଘଟଣା ଘଟିଛି ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ନୂତନ ସୁରକ୍ଷା ବ୍ୟବସ୍ଥା ପ୍ରଣୟନ କରାଯାଇଛି  ।

  • ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ ସମସ୍ତ ସୂଚନା ସାଧାରଣ ନିୟନ୍ତ୍ରଣ କେନ୍ଦ୍ରରେ ପରିଚାଳିତ ହୋଇଥାଏ ।  ଏହି ତଥ୍ୟ ଉପରେ ଆଧାର କରି ଅପରେସନ୍ କମାଣ୍ଡର ଟ୍ରେନ୍ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରେ । ଯାହା ଦ୍ବାରା ସୁରକ୍ଷା କାର୍ଯ୍ୟକୁପ ତଦାରଖ କରିହୁଏ  ।
  •  ଟ୍ରାକରେ କୌଣସି ଜିନିଷ ନ ପଡ଼ିବା ଏବଂ ଲୋକ କି ଯାନବାହାନକୁ ସେହି ଅଞ୍ଚଳରେ ପ୍ରବେଶ ନକରିବା ପାଇଁ ସୁବିଧା ରହିଛି  । ଏହି କ୍ଷେତ୍ରକୁ ନିରନ୍ତର ତଦାରଖ କରାଯାଏ  । ଯଦି କୌଣସି ବସ୍ତୁ କିମ୍ବା ବ୍ୟକ୍ତି ଟ୍ରାକରେ ଯାଉଥିବାର ଦେଖାଯାଏ, ସୁରକ୍ଷା ନିଶ୍ଚିତ କରିବାକୁ ଟ୍ରେନ୍କୁ ତୁରନ୍ତ ବନ୍ଦ କରାଯାଏ  । ଏହା ବ୍ୟତୀତ ରେଳ ଟ୍ରାକରେ ଥିବା ସେନ୍ସର ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସାହାଯ୍ୟରେ ବର୍ଷା, ତୁଷାରପାତ, ପବନର ବେଗ, ନଦୀ ସ୍ତର ଏବଂ ଅନ୍ୟାନ୍ୟ ଦିଗ ଉପରେ ନଜର ରଖାଯାଏ  । ପରିସ୍ଥିତିକୁ ଭିତ୍ତି କରି ଯାତ୍ରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଟ୍ରେନର ଗତି ନିୟନ୍ତ୍ରଣ କରାଯାଏ କିମ୍ବା କାର୍ଯ୍ୟ ବନ୍ଦ କରାଯାଏ  ।
  • ଜାପାନରେ ବର୍ଷକୁ ଅନେକ ଥର ଭୂକମ୍ପ ହୁଏ । ଏହାର ମୁକାବିଲା ପାଇଁ ଏଭଳି ଟେକ୍ନୋଲୋଜିକୁ ଏଠାରେ ଥିବା ଟ୍ରେନରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ଭୂମିକମ୍ପ ପୂର୍ବରୁ ପରିସ୍ଥିତିକୁ ବୁଝିବାରେ ସହାୟକ ହୋଇଥାଏ  । ରେଳ ଲାଇନର ବିଭିନ୍ନ ସ୍ଥାନରେ ସେସମୋଗ୍ରାଫ୍ ସିଷ୍ଟମ ଲଗାଯାଇଛି। ଜାପାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ଏହି ସିଷ୍ଟମ ଭୂକମ୍ପ କେନ୍ଦ୍ରସ୍ଥଳର ଆନୁମାନିକ ସ୍ଥାନ ଖୋଜି ବାହାର କରିଛି। ସେହି ଆଧାରରେ ସ୍ବତଃପ୍ରବୃତ୍ତ ଟ୍ରେନ୍ ଅଟକିଯାଏ ଏବଂ କ୍ଷୟକ୍ଷତି ହେବାର ଆଶଙ୍କା କମିଯାଏ  ।
  • ଜାପାନରେ ରେଳ ବିଭାଗର ରକ୍ଷଣାବେକ୍ଷଣ ସମ୍ବନ୍ଧରେ କଠୋରତା ନିଆଯାଏ । ନିୟମିତ ରକ୍ଷଣାବେକ୍ଷଣ ସ୍ତର ଯାଞ୍ଚ କରାଯାଏ । ଏହି ସମୟରେ ରେଳ ବିଭାଗର ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ମାନୁଆଲ୍ ସହିତ ତୁଳନା କରାଯାଏ  । ଜାପାନର ରେଳ ଯାତ୍ରାକୁ ନିରାପଦ ଏବଂ ନିର୍ଭରଯୋଗ୍ୟ କରିବାରେ ନିରନ୍ତର ରକ୍ଷଣାବେକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହୋଇଛି  ।

ଘରେ ଶୋଇଥିବା ବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳି ମାରିଦେଲେ ହାତୀପଲ

ବରଗଡ଼: ଝାରବନ୍ଧ ବ୍ଲକ ସାଲଡିହି ଗାଁରେ ଅଭାବନୀୟ ଘଟଣା। ଘରେ ଶୋଇଥିବା ବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳି ମାରିଦେଲେ ହାତୀପଲ। ମୃତକ ହେଲେ ସାଲଡିହି ଗାଁର ବିପିନ ବରିହାଙ୍କ ପତ୍ନୀ ବନ ବରିହା, ୩ ବର୍ଷୀୟ ପୁଅ ଆଦିତ୍ୟ ବରିହା ଓ ୧୦ ବର୍ଷୀୟ ଝିଅ।

ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡାଇବାକୁ ପ୍ରୟାସ ଜାରି ରଖିଛି। ଏହାସହ ସତର୍କ ରହିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ସୂଚନା ଦେଇଛି ବନ ବିଭାଗ।

ସୁଇଜରଲ୍ଯାଣ୍ଡ ଶାନ୍ତି ସମ୍ମିଳନୀ ଘୋଷଣାନାମାରେ ସ୍ବାକ୍ଷର କଲେନି ଭାରତ ଓ ଅନ୍ଯ ୬ ରାଷ୍ଟ୍ର

ବର୍ଗେନଷ୍ଟକ: ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ଲାଗି ସୁଇଜରଲ୍ଯାଣ୍ଡ ପକ୍ଷରୁ କରାଯାଇଥିବା ଶାନ୍ତି ସମ୍ମିଳନୀରେ ଅନିଶ୍ଚିତତା । ଏହି ମିଳିତ ଘୋଷଣାନାମାରେ ସ୍ବାକ୍ଷର ଲାଗି ଅଗ୍ରାହ୍ୟ ପ୍ରକାଶ କରିଛନ୍ତିି ଭାରତ ଓ ଅନ୍ଯ ୬ ରାଷ୍ଟ୍ର । ଶାନ୍ତି ପ୍ରତିଷ୍ଠା ଲାଗି ସମସ୍ତ ଅଂଶୀଦାର ଏଥିରେ ସାମିଲ ହୁଅନ୍ତୁ ବୋଲି କୁହାଯାଇଛି । ସୁଇଜରଲ୍ଯାଣ୍ଡର ବୁର୍ଗନେଷ୍ଟକରେ ଆୟୋଜିତ ସମ୍ମିଳନୀରେ ୮୦ରୁ ଅଧିକ ରାଷ୍ଟ୍ର ଯୋଗଦେଇଥିବାବେଳେ ଅନ୍ଯ ବହୁ ରାଷ୍ଟ୍ର ଏଥିରେ ସାମିଲ ହୋଇନାହାନ୍ତି ।

ଭାରତ ପକ୍ଷରୁ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ସଚିବ ପବନ କପୁର । ସେ କହିଛନ୍ତି- ସମସ୍ତ ଅଂଶୀଦାର ଯଦି ଏହି ଉଦ୍ଯମରେ ସାମିଲ ହେବେ ନାହିଁ ତେବେ ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ । ଏହି ସମ୍ମିଳନୀରେ ସମସ୍ତ ପକ୍ଷ ଉପସ୍ଥିତ ନରହିବାରୁ ମିଳିତ ଘୋଷଣାନାମାରେ ଭାରତ ସ୍ବାକ୍ଷର ପ୍ରଦାନ କରୁନାହିଁ । ୟୁକ୍ରେନର ସୀମାଗତ ସଂହତି ପ୍ରତିଷ୍ଠା ଜରୁରୀ ବୋଲି ୮୦ଟି ରାଷ୍ଟ୍ର ପକ୍ଷରୁ ଘୋଷଣାନାମା ଜାରି ହୋଇଥିଲା । ଏହି ପଦକ୍ଷେପକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସ୍ବାଗତ କରିଛନ୍ତି । ଏହି ରାଜିନାମାରେ ସାଉଦିଆରବ, ସାଉଥ ଆଫ୍ରିକା, ୟୁଏଇ, ବ୍ରାଜିଲ ପ୍ରଭୃତି ରାଷ୍ଟ୍ର ସ୍ବାକ୍ଷର କରିନାହାନ୍ତି । ଏହି ସମ୍ମିଳନୀକୁ ରୁଷିଆକୁ ଆମନ୍ତ୍ରଣ କରାଯାଇ ନଥିବାବେଳେ ଚୀନ ଯୋଗଦେଇ ନଥିଲା ।

ବର୍ଷେ ପରେ ବି ମଣିପୁରରେ ସୁଧୁରୁନି ଶରଣାର୍ଥୀ ସମସ୍ୟା

ଇମ୍ପାଲ: ବର୍ଷେ ପରେ ବି ସୁଧୁରୁନି ମଣିପୁର ସମସ୍ଯା। ସବୁଠି ବଢୁଛି ଶରଣାର୍ଥୀ ସମସ୍ୟା। ଏନେଇ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପୂର୍ବରୁ ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ରାଜ୍ଯପାଳ ଅନସୂୟା ଉଇକେ। ଏହି ବୈଠକରେ ରାଜ୍ଯରେ ନିରାପତ୍ତା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରାଯାଇଥିଲା। ଏନଡିଏ ସରକାର ଆସିବା ପରେ ପ୍ରଥମ ଥର ଲାଗି ଜାମ୍ମୁ ଓ କାଶ୍ମୀର ପରେ ମଣିପୁର ସ୍ଥିତିର ସମୀକ୍ଷା କରାଯାଇଛି।

ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା, ଗୁଇନ୍ଦା ବ୍ଯୁରୋ ମୁଖ୍ଯ ତପନ ଡେକା, ନୂଆ ସେନାମୁଖ୍ଯ ଉପେନ୍ଦ୍ର ଦ୍ବିବେଦୀ, ନିରାପତ୍ତା ପରାମର୍ଶଦାତା କୁଲଦୀପ ସିଂ, ମଣିପୁର ମୁଖ୍ଯ ଶାସନ ସଚିବ ବିନୀତ ଯୋଶୀ, ଡିଜିପି ରାଜୀବ ସିଂ, ଆସାମ ରାଇଫଲସ ଡିଜି ପ୍ରଦୀପ ଚନ୍ଦ୍ରନ ନାୟାର ପ୍ରମୁଖ ଯୋଗଦେଇଥିଲେ। ମଣିପୁରରେ ପୁଣି ହିଂସା ବ୍ଯାପିବା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ତୁରନ୍ତ ଏହି ବୈଠକ କରିଛି। ଗତବର୍ଷ ମେ ୩ ତାରିଖରେ ମଣିପୁରରେ ହିଂସା ବ୍ଯାପିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୨୫ ଲୋକଙ୍କ ମୃତ୍ଯୁ ଘଟିଛି ଏବଂ ୫୦ ହଜାର ଲୋକ ବାସଚ୍ଯୁତ ହୋଇଛନ୍ତି।

ଗତ ସପ୍ତାହରେ ସଶସ୍ତ୍ର ଆତଙ୍କବାଦୀ ମୁଖ୍ଯମନ୍ତ୍ରୀ ବୀରେନ ସିଂଙ୍କ କନଭୟ ଉପରେ ହମଲା କରିଥିଲେ। ସେପଟେ ମଣିପୁରର ଫାଇତୋଲ ଅଞ୍ଚଳରେ ଟ୍ରକ ଚଳାଚଳ ସ୍ବାଭାବିକ କରିବା ଲାଗି ପଦକ୍ଷେପ ନିଆଯାଇଛି। ଜିରିବାନ ଜିଲ୍ଲା ସମେତ ଅନ୍ଯାନ୍ଯ ସ୍ଥାନରେ ଆଶ୍ରୟ ନେବାରେ ଲାଗିଛନ୍ତି ଶହ ଶହ ଶରଣାର୍ଥୀ। ଗତ ବର୍ଷ ମେ ମାସରୁ ମେଇତେଇ ଓ କୁକୀ ସମ୍ପ୍ରଦାୟ ମଧ୍ଯରେ ସଂଘର୍ଷ ଏବେ ବି ଜାରି ରହିଛି।

ବଢୁଛି ଆଣବିକ ପ୍ରତିଯୋଗିତା, ନିଜର ଆଣବିକ ଅସ୍ତ୍ର ସଂଖ୍ଯା ଦୁଇଗୁଣ କରିଛି ଚୀନ

ନୂଆଦିଲ୍ଲୀ: ବଢୁଛି ଆଣବିକ ପ୍ରତିଯୋଗିତା। ଚୀନ ନିଜର ଆଣବିକ ଅସ୍ତ୍ର ସଂଖ୍ଯା ଦୁଇଗୁଣ କରିଥିବାବେଳେ ପାକିସ୍ତାନଠାରୁ ଅଧିକ ଆଣବିକ ଅସ୍ତ୍ର ରଖିଛି ଭାରତ। ବଡ଼କଥା ହେଉଛି ଗତ ୨୦୨୩ ଜାନୁଆରୀରେ ଚୀନ ନିକଟରେ ୪୧୦ ଆଣବିକ ଅସ୍ତ୍ର ରହିଥିବାବେଳେ ୨୦୨୪ ଜାନୁଆରୀରେ ଏହି ସଂଖ୍ଯା ହୋଇଛି ୫୦୦।

ଷ୍ଟକହୋମ ଇଣ୍ଟରନ୍ଯାସନାଲ ପିସ୍ ରିସର୍ଚ୍ଚ ସେଣ୍ଟର ବା ସିପ୍ରି ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି ଭାରତ, ପାକିସ୍ତାନ, ଚୀନ ସମେତ ୯ଟି ଆଣବିକ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ରାଷ୍ଟ୍ରରେ ଆଣବିକ ଅସ୍ତ୍ର ପ୍ରତିଯୋଗିତା ବୃଦ୍ଧି ପାଇଛି। ଏହା ସହ ସେମାନେ ନିଜର ଆଣବିକ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରିବାରେ ଲାଗିଛନ୍ତି। ଅନ୍ଯ ଯେଉଁ ରାଷ୍ଟ୍ରମାନେ ପ୍ରତିଯୋଗିତାରେ ଲିପ୍ତ ରହିଛନ୍ତି ସେମାନେ ହେଲେ ଆମେରିକା, ବ୍ରିଟେନ, ରୁଷିଆ, ଫ୍ରାନ୍ସ, ଉତ୍ତରକୋରିଆ ଓ ଇସ୍ରାଏଲ।

ସିପ୍ରିର ରିପୋର୍ଟ ଅନୁସାରେ ବିଶ୍ବରେ ଯେତେ ପରିମାଣର ଆଣବିକ ଅସ୍ତ୍ରଶସ୍ତ୍ର ରହିଛି ତାହାର ୯୦ ଭାଗ କେବଳ ରହିଛି ଆମେରିକା ଓ ରୁଷିଆ ନିକଟରେ। ସେମାନଙ୍କ ମଧ୍ଯରୁ ଅଧିକାଂଶ ରାଷ୍ଟ୍ର ନୂଆ ଆଣବିକ ସାମର୍ଥ୍ଯସମ୍ପନ୍ନ ଅସ୍ତ୍ରଶସ୍ତ୍ର ବି ମୁତୟନ କରିଛନ୍ତି। ଆମେରିକା ଓ ରୁଷିଆର ପ୍ରାୟ ୨୧ ଶହ ଆଣବିକ ଅସ୍ତ୍ରଶସ୍ତ୍ର ହାଇ ଅପରେସନାଲ ଆଲର୍ଟରେ ରହିଥିବା ସୂଚନା ଦିଆଯାଇଛି। ଚୀନ ମଧ୍ଯ ପ୍ରଥମ ଥର ଲାଗି ଏହି ମୋଡରେ ରହିଛି। ୨୦୨୪ ଜାନୁଆରୀରେ ଭାରତ ନିକଟରେ ୧୭୨ଟି ଆଣବିକ ଅସ୍ତ୍ର ରହିଛି। ତେବେ ପାକିସ୍ତାନଠାରୁ ଏହି ସଂଖ୍ଯା ମାତ୍ର ୨ ଅଧିକ।

ଗତ ୨୦୨୩ରୁ ଦୁଇ ରାଷ୍ଟ୍ର ବି ନ୍ଯୁକ୍ଳିୟର ଡେଲିଭରୀ ସିଷ୍ଟମର ବିକାଶ କରୁଥିବା ସୂଚନା ମିଳିଛି। ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମ ଉପରେ ଭାରତ ନଜର ରଖିଛି। ଏପରିକି ଭାରତ କେତେକ ଦୂରଗାମୀ କ୍ଷେପଣାସ୍ତ୍ର ହାସଲ କରିଛି ଯାହାକି ଚୀନର ଯେ କୌଣସି ସ୍ଥାନକୁ ବି ଟାର୍ଗେଟ କରିପାରିବ। ଭାରତ, ପାକିସ୍ତାନ ଓ ନର୍ଥକୋରିଆ ରାଷ୍ଟ୍ର ରୁଷିଆର ପଦାଙ୍କ ଅନୁସରଣ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।

ଆଜିଠୁ ଶପଥ ନେବେ ନବ ନିର୍ବାଚିତ ବିଧାୟକ, ଶପଥ ପାଠ କରାଇବେ କାମଚଳା ବାଚସ୍ପତି

ଭୁବନେଶ୍ବର: ଆଜିଠୁ ଶପଥ ନେବେ ନବ ନିର୍ବାଚିତ ବିଧାୟକ । ଆଜି ଓ କାଲି ଦୁଇ ଦିନ ଧରି ଚାଲିବ ଶପଥ ଗ୍ରହଣ ଉତ୍ସବ। ବିଧାନସଭାରେ ପ୍ରୋ-ଟେମ ସ୍ପିକର ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହାପରେ ଆସନ୍ତା ୨୦ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।

ଏଥର ସର୍ବାଧିକ ନୂଆ ବିଧାୟକ ନିର୍ବାଚିତ ହୋଇଥିବାରୁ ବିଧାନସଭାରେ ବିରୋଧୀ ଓ ଶାସକ ଦଳର ପ୍ରଦର୍ଶନକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ପ୍ରଥମ ଥର ବିଜେଡି ୫୧ ଜଣ ବିଧାୟକଙ୍କୁ ନେଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିବ । ରାଜ୍ୟସ୍ବାର୍ଥ ସମ୍ପର୍କିତ ବହୁ ପ୍ରସଙ୍ଗରେ ଦଳ ଶାଣିତ ସ୍ବର ଉଠାଇବା ସହ ୨୪ ବର୍ଷର ବିଜେଡି ଶାସନରେ ଯେଉଁ ବିକାଶ ହୋଇଛି ତାହାକୁ ନୂଆ ସରକାର କିପରି ଆଗେଇ ନେବେ ତାହା ଉପରେ ଦଳ ଫୋକସ କରିବ ।

୧୯ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସିବ । ଶଙ୍ଖ ଭବନରେ ଅପରାହ୍ନରେ ବସିବାକୁ ଥିବା ବୈଠକରେ ବିଜେଡି ବିଧାୟକ ଦଳ ନେତା ବଛାଯିବ ସହ ଆଗାମୀ ଦିନର ରାଜନୈତିକ ଏଜେଣ୍ତା ପ୍ରସ୍ତୁତ କରାଯିବ । କଂଗ୍ରେସ ମଧ୍ୟ ଏଥର ବିଧାନସଭାରେ ଶାଣିତ ସ୍ବର ଉଠାଇବ । କଂଗ୍ରେସର ୧୪ ଜଣ ବିଧାୟକ ଏକଜୁଟ ହୋଇ ଗୃହରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବା ସହ ଲୋକଙ୍କ ସମସ୍ୟା ପାଇଁ ଲଢେଇ କରିବ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାହାକୁ ଆମେ ସାମ୍ନା କରିବୁ ବୋଲି ଶାସକ ବିଜେପି କହିଛି ।

ଆଜି ଅଧିକାଂଶ ଜିଲ୍ଲାରେ ସକାଳୁଆ ସ୍କୁଲ, ତିନି ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ବର: ସରିଲା ଖରାଛୁଟି, ରାଜ୍ଯରେ ଖୋଲିଲା ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ଅଧିକାଂଶ ଜିଲ୍ଲାରେ ସକାଳୁଆ ସ୍କୁଲ ହେଉଛି । ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ କ୍ଲାସ ଚାଲିଛି । କେନ୍ଦୁଝର, ଦେବଗଡ଼, ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଯାଜପୁର, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଆଦି ଜିଲ୍ଲାରେ ସକାଳୁଆ ସ୍କୁଲ ହେଉଛି ।

ତେବେ କିଛି ଜିଲ୍ଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସ୍କୁଲ ୨୦ ତାରିଖ ଯାଏଁ ଛୁଟି ରହିଛି । ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଆଜି ସ୍କୁଲ ଛୁଟି ରହିଛି । କାଲିଠୁ ଏହି ଜିଲ୍ଲାରେ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ନୟାଗଡ଼ରେ ଆଜି ଓ କାଲି ସ୍କୁଲ ଛୁଟି ରହିଥିବାବେଳେ ୨୦ରୁ ୨୨ ତାରିଖ ଯାଏଁ ସକାଳୁଆ ସ୍କୁଲ ହେବ ।

ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ସମ୍ପର୍କରେ ଜିଲ୍ଲାସ୍ତରରେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ଦେଖି ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଉଛନ୍ତି । ଏହି ନିର୍ଦେଶ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଆଜି ରାତି ୧୨ଟା ପର୍ଯ୍ୟନ୍ତ ବାଲେଶ୍ବରରେ କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ବାଲେଶ୍ବର ପୌରପାଳିକାରେ କର୍ଫ୍ୟୁ ଜାରି । ଏହାସହ ସହରକୁ ସଂଯୋଗ କରୁଥିବା ଉଭୟ ପାର୍ଶ୍ବ ରାସ୍ତାରେ ମଧ୍ୟ ବଳବତ୍ତର ରହିବ କର୍ଫ୍ୟୁ । ଆଜି ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏହାସହ ଟି ରୋଡର ସମସ୍ତ ପ୍ରବେଶ ପଥ ସିଲ୍ ହୋଇଛି। କୌଣସି ଜନସାଧାରଣ ଘରୁ ବାହାରକୁ ବାହାରି ପାରିବେ ନାହିଁ।

ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାରେ ଚାଲି ଚାଲି ଯିବା କିମ୍ବା ଯାନ ବାହନରେ ବୁଲିବା କିମ୍ବା ଠିଆ ହୋଇ ପାରିବେ ନାହିଁ । କର୍ଫ୍ୟୁ ସମୟରେ କୌଣଷି ବ୍ୟାବସାୟିକ ପ୍ରତିଷ୍ଠାନ କିମ୍ବା ଦୋକାନ ବଜାର ଖୋଲାଯିବ ନାହିଁ। କେବଳ ପୌରପାଳିକା କର୍ମଚାରୀ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପୋଲିସ କର୍ମଚାରୀ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ୍, ପିଏଚଡି ଓ ସରକାରୀ ଯାନ୍ତ୍ରିକ ବିଭାଗ ଅଧିକାରୀଙ୍କ ପାଇଁ କଟକଣା କୋହଳ ହୋଇଛି।

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହାକୁ ନେଇ କର୍ଫ୍ୟୁ ଜାରି କରାଯାଇଛି।

ସିକିମରେ ଲଗାଣ ବର୍ଷାରେ ଫସିରହିଥିବା ୧୨ଶହ ପର୍ଯ୍ୟଟଙ୍କ ମଧ୍ୟରୁ ୫୦ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ସିକିମରେ ଲଗାଣ ବର୍ଷାରେ ଫସିରହିଥିବା ୧୨ଶହ ପର୍ଯ୍ୟଟଙ୍କ ମଧ୍ୟରୁ ଆଜି ୫୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶର କାଲିମ୍ପଙ୍ଗ ଜିଲ୍ଲାର କିଛି ଅଂଶରେ ଲଗାଣ ବର୍ଷା ଯୋଗୁଁ ସେଠାରେ ଭୁସ୍କଳନ ହୋଇଥିଲା। ଭୁସ୍କଳନରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଶହରୁ ଉଦ୍ଧ୍ବ ପର୍ଯ୍ୟଟକ ସେଠାରେ ଫସି ରହିଥିଲେ।ପୂର୍ବରୁ ୩୦୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଥିବାବେଳେ ଆଜି ଆଉ ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିବାକୁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଥିଲା। ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବ୍ୟକ୍ତି ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ। ଅଧିକ କ୍ଷୟକ୍ଷତି ହେତୁ ଚିନ୍ତାରେ ଅଞ୍ଚଳବାସୀ। ବର୍ତ୍ତମାନ ସୁଦ୍ଧା ଟିଷ୍ଟା ନଦୀ କାଲିମ୍ପଙ୍ଗର ଧୋବିଖୋଲ ଅଞ୍ଚଳର ଜାତୀୟ ରାଜପଥ ବନ୍ଦ ରହିଛି। ୧୨ଶହ ପର୍ଯ୍ୟଟକଙ୍କ ମଧ୍ୟରୁ ୩୫୦ ଉଦ୍ଧାର ହୋଇଥିବାବେଳେ ଅନ୍ୟ ସମସ୍ତଙ୍କୁ ଯଥାଶିଘ୍ର ଉଦ୍ଧାର କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

ରାଜ୍ୟ ବଜେଟ ପାଇଁ ଏବେଠୁ କସରତ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ନୂଆ ସରକାର ଆସିବା ପରେ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି।  ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କୁ ବଜେଟ ପ୍ରସ୍ତୁତିର ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଯାଇଛି। ଖୁବ ଶୀଘ୍ର ସମସ୍ତ ବିଭାଗ ନିଜ ବଜେଟର ରୂପରେଖ ସମ୍ପର୍କରେ ଆଲୋଚନା କରିବା ସହ ଅବଗତ କରିବେ । ତା ପରେ ବଜେଟ ପ୍ରସ୍ତୁତ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ଥିବା ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି।

ରାଜ୍ୟ ବଜେଟ ପାଇଁ ଏବେଠୁ କସରତ । ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ ବିଭିନ୍ନ ବିଭାଗ । ନୂଆ ସରକାରରେ ଚାଷୀଙ୍କୁ ଫୋକସ। ନିଜ ଅଧିନରେ ଥିବା ଚାରି ବିଭାଗର ସମୀକ୍ଷା କଲେ ମୋହନ ଚରଣ ମାଝୀ । ରାଜ୍ୟରେ ବିଜେପି ଆସିବା ପରେ ପ୍ରଥମ ଥର ପାଇଁ ବଜେଟ ପ୍ରସ୍ତୁତ କରିବେ ନୂଆ ସରକାର । ସେଥିପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଜେଟର ରୂପରେଖ ସମ୍ପର୍କରେ ଅବଗତ କରାଯାଇଛି ।

ବଜେଟ କେମିତି ପ୍ରସ୍ତୁତ ହୁଏ, କ’ଣ ରହିଛି ପ୍ରକ୍ରିୟା, କେତେଦିନ ସମୟ ଲାଗେ, କାହାର ପରାମର୍ଶ ଲୋଡ଼ାଯାଏ,  ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ। ସେପଟେ ବିଜେପି ପକ୍ଷରୁ ଦିଆଯାଇଥିବା ଇସ୍ତାହାରରେ ପ୍ରତିଶ୍ରୁତି ଗୁଡିକୁ  ଅନୁଧ୍ୟାନ କରାଯାଇଛି । ଏନେଇ ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରି ବଜେଟ ସମ୍ପର୍କରେ ଅବଗତ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁତ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ନିଜ ଅଧୀନରେ ଥିବା ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହ, ଅର୍ଥ, ଜଳସମ୍ପଦ ସହ ଯୋଜନା ଓ ସଂଯୋଜନ ବିଭାଗର ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ବିଭିନ୍ନ ବିଭାଗର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗୀୟ ଅଧିକାରୀମାନେ ଅବଗତ କରାଇଛନ୍ତି। ନୂଆ ସରକାର ଚାଷୀଙ୍କୁ ଫୋକସ କରୁଥିବାରୁ ଚାଷ ଜମିକୁ ପାଣି ଯୋଗାଇବା ଏବଂ ମୌସୁମୀକୁ ଆଖି ଆଗରେ ରଖି ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ବିଭିନ୍ନ ଯୋଜନାରେ ଲୋକେ କିଭଳି ଉପକୃତ ହେବେ ଓ ଭଲ ବଜେଟର ପ୍ଲାନିଂ କରିବା ଉପରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ତୃଣମୂଳ ସ୍ତରରେ ଲୋକଙ୍କ ନିକଟତର ହେବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବିଭିନ୍ନ ଯୋଜନାଗୁଡିକୁ ଲୋକାଭିମୁଖୀ କରିବା ସହ ଲୋକଙ୍କ ନିକଟରେ ଶୀଘ୍ର ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।