spot_img
Home Blog Page 1747

ବିଷାକ୍ତ ମଦ ପିଇ ୨୫ ମୃତ, ୬୦ ରୁ ଅଧିକ ଗୁରୁତର

ତାମିଲନାଡୁ: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ବିଷାକ୍ତ ମଦ ପିଇ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ୬୦ରୁ ଅଧିର ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ପୋଲିସର ତଦନ୍ତ ଜାରି ରହିଛି ।

ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ନିଜ କର୍ତ୍ତ୍ୟବରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଏହି ଘଟଣାର ଖବର ପାଇବା ପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ପୀଡିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବେଆଇନ ଭାବେ ମଦ ବିକ୍ରି କରୁଥିବା କେ. କନ୍ନୁକୁଟ୍ଟିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ତାଙ୍କ ନିକଟରୁ ୨ଶହ ଲିଟର ମଦ ଜବତ ହୋଇଥିବା ବେଳେ ତାହାକୁ ପରୀକ୍ଷା ନିମନ୍ତେ ଲ୍ୟାବକୁ ପଠାଯାଇଥିଲା। ଏହାପରେ ସେଥିରେ ବିଷାକ୍ତ ମିଥାଇଲ ନାମକ ପଦାର୍ଥ ଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କରିବେ ପ୍ରାକ୍ ବଜେଟ ବୈଠକ

ନୂଆଦିଲ୍ଲୀ:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କରିବେ ପ୍ରାକ୍ ବଜେଟ ବୈଠକ । ବୈଠକରେ ଶିଳ୍ପ, ଚାଷୀ ସଂଗଠନ, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ନିର୍ମଳା । ଆସନ୍ତା ଜୁଲାଇ ଶେଷ ଭାଗରେ ଆସିପାରେ ୨୦୨୪-୨୫ କେନ୍ଦ୍ର ବଜେଟ । ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ଶେଷ ସପ୍ତାହରେ ଆଗତ କରିପାରନ୍ତି ବଜେଟ । ବଜେଟ ପୂର୍ବବର୍ତ୍ତୀ ବିଚାରବିମର୍ଷ ଲାଗି ଅର୍ଥମନ୍ତ୍ରୀ ଶିଳ୍ପ ସମୁଦାୟ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ଯ ତଥା ଆସନ୍ତା ଦିନରେ ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରାଯିବ।

ଭାରତୀୟ ରିଜର୍ଭ ବ୍ଯାଙ୍କର ଆକଳନ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୭.୨ ପ୍ରତିଶତ ଲକ୍ଷ୍ଯ ରଖାଯାଇଛି । ଏକାଦିକ୍ରମେ ନିର୍ମଳା ସୀତାରମଣ ସପ୍ତମ ଥର ଲାଗି ବଜେଟ ଆଗତ କରିବେ। ଏହା ସହ ସେ ମୋରାରଜୀ ଦେଶାଇଙ୍କ ରେକର୍ଡ ବି ଚଳିତ ଥର ଭଙ୍ଗ କରିବେ । ଛଅ ଦଶନ୍ଧି ତଳେ ମୋରାରଜୀ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ଛଅ ଥର ବଜେଟ ଆଗତ କରିଥିଲେ । ନିର୍ମଳା ବି ହେଉଛନ୍ତି ଏକମାତ୍ର ମହିଳା ଯିଏକି ଲଗାତାର ଦୁଇଥର ଅର୍ଥମନ୍ତ୍ରୀ ହୋଇଛନ୍ତି । ୨୦୨୪ ଅନ୍ତରୀଣ ବଜେଟରେ କ୍ଯାପିଟାଲ ଏକ୍ସପେଣ୍ଡିଚର ପରିମାଣ ୧୧.୧ ପ୍ରତିଶତ ଅର୍ଥାତ ୧୧ ଦଶମିକ ୧୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ପ୍ରେମିକା ସହ ଝଗଡା ଲାଗି ନିଜକୁ ନିଜେ ଛୁରୀ ଭୁସିଲେ ପ୍ରେମିକ

ଗଞ୍ଜାମ: ପ୍ରେମିକା ସହ ଝଗଡା ଲାଗି ନିଜକୁ ନିଜେ ଛୁରୀ ଭୁସିଲେ ପ୍ରେମିକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମୁଣ୍ଡଳ ଗାଁରେ । ସୂଚନା ଅନୁଯାୟୀ, ପାଟପୁର ଥାନା କଂସାମାରି ଗାଁର ସୁନୀଲ କୁମାର ସାହୁ ସୁମଣ୍ଡଳ ଗାଁର ଜଣେ ଯୁବତୀକୁ ଭଲ ପାଉଥିଲେ। ସୁନୀଲ ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିବାବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁନୀଲ ଜୀବନ ହାରିବା ଉଦ୍ଦେଶ୍ୟରେ ନିଜ ପେଟକୁ ନିଜେ ଛୁରୀ ଭୁସିଥିଲେ । ପେଟର ଦୁଇଟି ସ୍ଥାନରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ମେଡିକାଲରେ ପହଞ୍ଚି ଆହତ ପ୍ରେମିକକୁ ପଚରାଉଚରା କରିଛନ୍ତି ।

 

ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ

ଭୁବନେଶ୍ୱର: ଭୁବନେଶ୍ବରରେ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ୨ ଘଣ୍ଟା ପରେ ଆୟତ୍ତ ହେଲା ନିଆଁ । ୭ଟି ଫାୟାର ୟୁନିଟ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି । ସକାଳ ସାଢେ ୬ଟାରେ ପଟିଆ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା । ଆପାର୍ଟମେଣ୍ଟର ଅଷ୍ଟମ ମହଲା ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା । ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ।

୭ଟି ଦମକଳବାହିନୀର ଗାଡ଼ି ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା । ଅଘଟଣରେ କେହି ମୃତାହତ ହୋଇନଥିବାବେଳେ କ୍ଷୟକ୍ଷତିର ସୂଚନା ମିଳିପାରିନି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ୟୁଜିସି ନେଟ ପରୀକ୍ଷା ରଦ୍ଦ

ନନ୍ଦିଘୋଷ ବ୍ୟୁରୋ: ୟୁଜିସି ନେଟ ପରୀକ୍ଷା ରଦ୍ଦ। ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପଦକ୍ଷେପ। ବିଭିନ୍ନ ସହରରେ ହୋଇଥିଲା ୟୁଜିସି ନେଟ ପରୀକ୍ଷା। ପୁଣି ଥରେ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରାଳୟ ନେଇଛି ନିଷ୍ପତ୍ତି। ପରୀକ୍ଷାରେ ସ୍ବଚ୍ଛତା ନେଇ ସନ୍ଦେହ ପରେ ପରୀକ୍ଷା ରଦ୍ଦ ଲାଗି ନିଆଯାଇଛି ନିଷ୍ପତ୍ତି। ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ପରୀକ୍ଷାର ସ୍ବଚ୍ଛତା ଉପରେ ସରକାର ସର୍ବଦା ଗୁରୁତ୍ବ ପ୍ରଦାନ କରୁଛନ୍ତି। ଇଣ୍ଡିଆନ ସାଇବର କ୍ରାଇମ କୋଅର୍ଡିନେସନ ସେଣ୍ଟରର ତଥ୍ଯ ଅନୁସାରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ସେଣ୍ଟର କେନ୍ଦ୍ର ଗୃହ ବ୍ଯାପାର ମନ୍ତ୍ରାଳୟ ଅଧୀନରେ ରହିଥିବାବେଳେ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗରେ କିଛି ସୂଚନା ଦେଇଥିଲା।

ହାଇକମାଣ୍ଡ ସ୍ଥିର କରିବେ ଓଡ଼ିଶା କଂଗ୍ରେସ ବିଧାୟକ ଦଳର ନେତା

ନନ୍ଦିଘୋଷ ବ୍ୟୁରୋ: ହାଇକମାଣ୍ଡ ସ୍ଥିର କରିବେ ଓଡ଼ିଶା କଂଗ୍ରେସ ବିଧାୟକ ଦଳର ନେତା । କଂଗ୍ରେସର ବୈଠକ ପରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଦଳୀୟ ବିଧାୟକଙ୍କ ଉପସ୍ଥିତିରେ ବସିଥିବା ବୈଠକ ପରେ ଶରତ କହିଛନ୍ତି, ବିଧାନସଭାରେ ଲୋକଙ୍କ ସ୍ବର ହୋଇ ସରକାରଙ୍କୁ ଅଡୁଆରେ ପକାଇବ କଂଗ୍ରେସ । ରାଜ୍ଯର ବିକାଶକୁ ସାମନାରେ ରଖି ଦଳ ଆଗକୁ ବଢିବ । ଲୋକଙ୍କ ସମସ୍ଯା ଉଠାଇବା ସହ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ବୈଠକରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଓ ରାମଚନ୍ଦ୍ର କାଡାମ, ସିଏସ ରାଜନ ଏକାଙ୍କ ସହ ଅନ୍ଯ ବିଧାୟକ ମଧ୍ଯ ଉପସ୍ଥିତ ଥିଲେ ।

ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ବାଲିନାଳି ପେଟ୍ରୋଲ ପମ୍ପ ନିକଟରୁ ବାଘ ଛାଲ ବିକ୍ରି ସମୟରେ ମାଡି ବସିଲା ବନବିଭାଗ। ଏକ କଲରା ପତରିଆ ବାଘ ଛାଲ ଜବତ କରିବା ସହିତ   ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି  ଛେଣ୍ଡିପଦା  ବନବିଭାଗ  । ଗିରଫ ୨ଜଣ  ଛେଣ୍ଡିପଦା ଥାନା ହାଣ୍ତିଗୋଡା ଗାଁର ଟିକନ୍ ଗୋଛୟତ ଓ ଧଉରାଖମଣ ଗାଁର ସମିତି ସଭ୍ୟ ଯୁଗଳ ନାଏକ ବୋଲି ଜଣାପଡିଛି । ବାଘ କୁ କେଉଁ ଜଙ୍ଗଲ ରୁ ଶୀକାର କରିଛନ୍ତି କେତେ ଦିନ ହେଲାଣି କେଉଁଠି କି ବିକ୍ରୀ ହେଉଥଲା ତା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ବନ ବିଭାଗ ତଦନ୍ତ ଚଳାଇଛି । ତଦନ୍ତ ପରେ ବାଘ ଛାଲ କେଉଁଠାରୁ ଆସିଲା ସେ ନେଇ ସବିଶେଷ ତଥ୍ୟ ଜଣା ପଡିବ।

ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ଯ

ନନ୍ଦିଘୋଷ ବ୍ୟୁରୋ: ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ଯ। ୧୪ଟି ଖରିଫ ଫସଲ ଲାଗି ବଢିଛି ଏମଏସପି। କେନ୍ଦ୍ର କ୍ଯାବିନେଟ ବୈଠକରେ ଧାନର ଏମଏସପି ୧୧୭ ଟଙ୍କା ବଢାଯାଇ କରାଯାଇଛି ୨୩ଶହ ଟଙ୍କା। ୨୦୧୩-୧୪ରେ ଧାନର ଏମଏସପି ଥିଲା ୧୩୧୦ ଟଙ୍କା। କପାର ଏମଏସପି ବଢାଯାଇଛି ୫୦୧ ଟଙ୍କା। ସେହିପରି ରାଗି, ବାଜରା, ମକାର ଏମଏସପି ମଧ୍ଯ ବୃଦ୍ଧି କରାଯାଇଛି। ଦେଶରେ କେନ୍ଦ୍ର ସରକାର ପ୍ରତିଷ୍ଠା କରିବେ ୨ ଲକ୍ଷ ଗୋଦାମ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ମହାରାଷ୍ଟ୍ରରେ ବଧାବନ ପୋର୍ଟ ପ୍ରୋଜେକ୍ଟ ଲାଗି ମଞ୍ଜୁର ହୋଇଛି ୭୦ ହଜାର କୋଟି ଟଙ୍କା। ଏମଏସପିକୁ ଆଇନଗତ ଗ୍ଯାରେଣ୍ଟି ପ୍ରଦାନ ଲାଗି ବିଭିନ୍ନ ଚାଷୀ ସଂଗଠନର ଦୀର୍ଘ ଦିନର ଦାବି ରହିଛି। ସେପରଟେ ହରିଆଣା, ମହାରାଷ୍ଟ୍ର, ଝାଡଖଣ୍ଡରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଏମଏସପି ଘୋଷଣା କରାଯାଇଥିବା କୁହାଯାଉଛି।

ଦୁଷ୍କର୍ମ ପରେ ମା ଓ ଝିଅକୁ ହତ୍ୟା !

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଇମଣୀ ଛକ ନିକଟରେ ଅଭାବନୀୟ ଘଟଣା।  ମାଆକୁ ଦୁଷ୍କର୍ମ ପରେ ହତ୍ୟା ସହିତ  ଝିଅକୁ  ପଥରରେ ଚେଛି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।  ସୂଚନା ଅନୁଯାୟୀ ଜଳଙ୍ଗା ଅଞ୍ଚଳ ର ସୁକାନ୍ତି ମୁଣ୍ଡା , ସ୍ୱାମୀ ରାଜୁ ମୁଣ୍ଡା ଓ 6 ବର୍ଷୀୟ ଝିଅ ରାଇମଣିରେ ରହି ମଜୁରିଆ କାମ କରୁଥିଲେ। ବୁଧବାର ସକାଳୁ ମାଆ ଓ ଝିଅ ମେଡିକାଲ ଯାଇଥିଲେ। ପରେ ସ୍ଥାନୀୟ ଲୋକେ ମାଆ ସୁକାନ୍ତି ମୁଣ୍ଡାର ମୃତଦେହ ଦେଖିଥିଲେ। ସେହି ସ୍ଥାନରୁ ନାବାଳକ କୁ ଦେଖି ସନ୍ଦେହ ହେବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ। ତେବେ କିଛି ସମୟ ପରେ ମୃତ ମହିଳାଙ୍କ ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ  ମିଳିଥିଲା। ତେବେ ସ୍ଥାନୀୟ ଲୋକେ ନାବାଳକକୁ  ଧରି ଗ୍ରାମାଞ୍ଚଳ ପୁଲିସକୁ ଦେଇଥିଲେ। ତେବେ ମୃତକଙ୍କ ସ୍ୱାମୀ ଙ୍କ ଅଭିଯୋଗ ଅନୁଯାୟୀ ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଓ ଝିଅ ଦେଖିଦେବାରୁ ଝିଅକୁ ପଥରରେ ଚେଛି ହତ୍ୟା କରାଯାଇଥିବା କହିଛନ୍ତି । ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି

୮ ତାରିଖରେ ଖୋଲିବ ନାହିଁ ରତ୍ନଭଣ୍ଡାର

ଭୁବନେଶ୍ୱର :ଆସନ୍ତା ୮ ତାରିଖରେ ଖୋଲିବନି ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏବେ ରତ୍ନଭଣ୍ଡାର ଖୋଲିବନି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ରାଜ୍ଯ ସରକାର । ଛତିଶା ନିଯୋଗ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନି । ବିଶୃଙ୍ଖଳିତ ଭାବରେ ଜଣେ ଏଏସଆଇ ଅଧିକାରୀ ଏପରି ମନ୍ତବ୍ଯ ଦେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସଂପୃକ୍ତ ଏଏସଆଇ ଅଧିକାରୀଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ରତ୍ନଭଣ୍ଡାର ଖୋଲିବା ଉପରେ ସରକାର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଛନ୍ତି । ସରକାର ହିଁ ଏ ବାବଦରେ ନିଷ୍ପତ୍ତି ନେବେ ବୋଲି ପୃଥ୍ବୀରାଜ କହିଛନ୍ତି ।

ମଧ୍ଯାହ୍ନରେ ପରିଚାଳନା କମିଟି ବୈଠକ ପରେ ଗଣମାଧ୍ଯମକୁ ରତ୍ନଭଣ୍ଡାର ଖୋଲିବା ନେଇ ସୂଚନା ଦେଇଥିଲେ ଏଏସଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ । ଏଏସଆଇ ଅଧୀକ୍ଷକ କହିଥିଲେ ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରତିଶୃତି ମିଳିଛି । ଏହାଛଡ଼ା ରତ୍ନଭଣ୍ଡାର ଖୋଲିବା ପରେ ମରାମତି ପ୍ରସଙ୍ଗରେ ବି କହିଥିଲେ ଏଏସଆଇ ଅଧୀକ୍ଷକ । ହେଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଏନେଇ କୌଣସି ସ୍ପଷ୍ଟୋକ୍ତି ଦେଇନଥିଲେ । ରତ୍ନଭଣ୍ଡାର କମିଟିର ସୁପାରିସ ଆଧାରରେ ହିଁ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ଯ ସରକାର ନିଷ୍ପତ୍ତି ନେବେ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ଯପ୍ରଶାସକ ଭିଭି ଯାଦବ । ଏବେ ଖୋଦ୍ ଆଇନ ମନ୍ତ୍ରୀ ସଂପୃକ୍ତ ଏଏସଆଇଙ୍କ ମନ୍ତବ୍ଯକୁ ଖଣ୍ଡନ କରିବା ସହ ଏବେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ହୋଇନି ବୋଲି ସ୍ପଷ୍ଟ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି, କାହିଁକି ଏଭଳି ଖାମଖିଆଲି ମନ୍ତବ୍ଯ ଦେଲେ ଏଏସଆଇ ଅଧିକାରୀ ? କାହା ନିର୍ଦ୍ଦେଶରେ ଏଏସଆଇ ଅଧିକାରୀ ଦେଇଥିଲେ ମନ୍ତବ୍ଯ ? ସରକାର ନିଷ୍ପତ୍ତି ନେଇନଥିବାବେଳେ ଏଏସଆଇ ଅଧିକାରୀ କାହିଁକି ଦେଲେ ଏଭଳି ମନ୍ତବ୍ଯ ?