spot_img
Home Blog Page 174

ଜଗତସିଂହପୁର ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା; ସଭାକାର୍ଯ୍ୟରୁ ଉଠି ଚାଲିଗଲେ ବିଧାୟକ ଅମରେନ୍ଦ୍ର ଦାସ

ନନ୍ଦିଘୋଷ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା । ସଭାକାର୍ଯ୍ୟ ବହୁ ବିଳମ୍ବରେ ଆରମ୍ଭ ହେବାରୁ ସଭାକାର୍ଯ୍ୟରୁ ଉଠି ଚାଲିଗଲେ ବିଧାୟକ ଅମରେନ୍ଦ୍ର ଦାସ । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖସ୍ଥ ପଡିଆରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଅନୁଷ୍ଠିତ ହେବାର ଥିଲା । ଏଥିରେ ଯୋଗ ଦେଇଥିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ହେଲେ ସଭାକାର୍ଯ୍ୟର ଉଦଘାଟନ ସମୟ  ଓ ସଭାକାର୍ଯ୍ୟ ବହୁ ବିଳମ୍ବ ହେବାରୁ ବିରକ୍ତି ପ୍ରକାଶ କରିଥିଲେ ବିଧାୟକ । ଦୀର୍ଘ ସମୟଧରି ଉପସ୍ଥିତ ରହିଥିବା ବିଧାୟକ ଅମରେନ୍ଦ୍ର ଦାସ ମଞ୍ଚରୁ ଓଲ୍ହାଇ ଚାଲିଯାଇଥିଲେ । ବିଭାଗୀୟ ଅଧିକାରୀମାନେ ଯେତେ ଅଟକେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଟକି ନଥିଲେ । ଏହି ଘଟଣା ଜଗତସିଂହପୁରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭଦ୍ରକର ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳ ଗିରଫ ; ୧୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ୧୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକର ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳ ଗିରଫ  । ରାମ ନାରାୟଣ ପୂର୍ବରୁ ଏସବିଆଇ କ୍ୟାପ ସିକ୍ୟୁରିଟି ସଂସ୍ଥାରେ ସେଲ୍ସ ମ୍ୟାନେଜର ଭାବେ କାମ କରୁଥିବା ବେଳେ ତାଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗ ଆସିଥିଲା  । ପାଖାପାଖି ୯ ଜଣ ଗ୍ରାହକଙ୍କ ଠାରୁ ନକଲି କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ହେରଫେର କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଏସବିଆଇ ଡିଜିଏମଙ୍କ ଦସ୍ତଖତ ନକଲ କରି ସାଧାରଣ ଲୋକଙ୍କ ନାମରେ ଠକେଇ କରିଥିବା ଜଣାପଡିଥିଲା।  ଏନେଇ ଗତ ୨୦ ତାରିଖରେ ଭୁବନେଶ୍ବର ନିଳାଦ୍ରିବିହାର, ଭଦ୍ରକର ପୁରୁଣା ବଜାର ସ୍ଥିତ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ଚଢାଉ ବେଳେ ୧୦ଟି ଦାମୀ ଗାଡି, ଏକାଧିକ ଡିଜେ ଗାଡି,  ୧୪୪ ଦାମୀ ମୋବାଇଲ ଜବତ କରାଯାଇଛି । ସମସ୍ତ ପ୍ରମାଣ ପାଇବା ପରେ ଇଓଡବ୍ଲ୍ୟୁ  ରାମ ନାରାୟଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏପରିକି ତଦନ୍ତ ବେଳେ ତାଙ୍କ ନାଁରେ ତାଳଚେର, ଭଦ୍ରକ ଓ ବୈଶିଙ୍ଗା ଥାନାରେ ୪ଟି ଅପରାଧିକ ମାମଲା ଥିବା ଜଣାପଡ଼ିଛି।

ପୁଣି ବଢିଲା ସୁନା ଦର ; ୨୨ କ୍ୟାରେଟ ସୁନା ୧୦ ଗ୍ରାମ ଲକ୍ଷେ ୨୭ ହଜାର ଛୁଇଁଛି

ନନ୍ଦିଘୋଷ ବ୍ୟୁରୋ : କିଛି ଦିନ ସ୍ଥିର ରହିବା ପରେ ପୁଣି ବଢ଼ିଛି ସୁନା ଦର । ଏଥରକ ସବୁ ରେକର୍ଡ଼ ଭାଙ୍ଗିଛି ଦର । ଆଜି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା କାରବାର ଆରମ୍ଭ ହେଲାବେଳକୁ ଦର ରକେଟ ଭଳି ବଢ଼ିଚାଲିଲା । କାରବାର ଆରମ୍ଭ ହେବାର ମାତ୍ର କେଇ ଘଣ୍ଟା ଭିତରେ ସୁନାଦର ୩୦ ଗ୍ରାମ ପିଛା ୪ ହଜାର ୫୧୨ ଡଲାରରେ ପହଞ୍ଚିଛି । ସେହିପରି ସ୍ଥାନୀୟ ବଜାରରେ ସୁନା ମୂଲ୍ୟ ବୃଦ୍ଧି ଘଟିଛି । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୧ ଲକ୍ଷ ୪୦ ହଜାର ୯୦୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ବଢ଼ି ହୋଇଛି ୧ ଲକ୍ଷ ୨୭ ହଜାର ଟଙ୍କା । ସୁନାଦର ଅନ୍ତରାଷ୍ଟ୍ରୀୟ ବଜାରରେ ବଢ଼ିବାରୁ ଡଲାର ତୁଳନାରେ ଟଙ୍କାର ବିନିମୂଲ୍ୟ ଆଶାତୀତ ଭାବେ ହ୍ରାସ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଗତକାଲି ଟଙ୍କା ମୂଲ୍ୟରେ କିଛିଟା ସୁଧାର ଆସିଥିଲା । ଆଜି ସୁନାଦର ବଢ଼ିବାରୁ ଟଙ୍କା ବିନିମୂଲ୍ୟ ହ୍ରାସ ଘଟି ୧ ଲକ୍ଷ ପାର କରିବା ନେଇ ସମୀକ୍ଷକ ଆକଳନ କରିଛନ୍ତି । ଏପରିକି କେତେକ ଅର୍ଥନୀତି ବିଶେଷଜ୍ଞଙ୍କ ଅନୁମାନ ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ରେକର୍ଡ଼ ସ୍ତରରେ ହ୍ରାସ ଘଟିବ । ଏପରିକି ଡଲାର ତୁଳନାରେ ଟଙ୍କା ହ୍ରାସ ଘଟି ୧ ଲକ୍ଷ ୫୦ ହଜାର ଟଙ୍କା ହୋଇପାରେ । ଏହାର ଅର୍ଥ ଗୋଟିଏ ଆମେରିକୀୟ ଡଲାର କିଣିବାକୁ ହେଲା ଭାରତୀୟ ମୁଦ୍ରାରେ ୧ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ।

ଆତ୍ମସମର୍ପଣ କଲେ ୨୨ ମାଓବାଦୀ ; ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ସହ ଆତ୍ମସମର୍ପଣ

ନନ୍ଦିଘୋଷ ବ୍ୟୁରୋ : ଆତ୍ମସମର୍ପଣ କଲେ ୨୨ ମାଓବାଦୀ । ମାଲକାନଗିରି ଜିଲ୍ଲା ପୋଲିସ ନିକଟରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଦେଖିବାକୁ ମିଳିଛି । ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓସାମଗ୍ରୀ ସହ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୨ଜଣ ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ କମିଟିର ସଦସ୍ୟ ହୋଇଥିବା ବେଳେ ୨୦ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ କୁଖ୍ୟାତ ମାଓ ନେତା ଡିସିଏମ ଲିଙ୍ଗେ ମଧ୍ୟ ସାମିଲ ଅଛି । ବହୁ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିଲେ । ଏହି ଆତ୍ମସମର୍ପଣକାରୀଙ୍କ ନାମରେ ୨କୋଟି ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ପୁରଷ୍କାର ଥିଲା ।

ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ସମ୍ମୁଖରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି । ଅନ୍ୟ ମାଓବାଦୀମାନେ ଆତ୍ମସମର୍ପଣ କରିବାକୁ ଆହ୍ବାନ କରିଛନ୍ତି ପୋଲିସ ଡିଜି । ହିଂସାର ପଥ ଛାଡି ଆତ୍ମସମର୍ପଣ କଲେ ସରକାରୀ ସ୍ତରରେ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ସହ ଥଇଥାନ କରାଯିବ ବୋଲି ପୋଲିସ ଡିଜି ପ୍ରକାଶ କହିଛନ୍ତି ।  ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରୀ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ କହିଛି ।

ଦ୍ବିତୀୟ ଦିନରେ ପହଞ୍ଚିଲା ମିଳିତ ଚାଷୀ ମହାସଂଘର ରାସ୍ତାରୋକ ; ଦାବି ହାସଲ ପାଇଁ ଉଜାଗର ରହିଲେ ଅନ୍ନ ଦାତା

ନନ୍ଦିଘୋଷ ବ୍ୟୁରୋ : ଦ୍ବିତୀୟ ଦିନରେ ପହଞ୍ଚିଲା ମିଳିତ ଚାଷୀ ମହାସଂଘର ରାସ୍ତାରୋକ । ନବରଙ୍ଗପୁର ଜିଲ୍ଲାର ଉମରକୋଟ,ରାଇଘର, ଝରିଗାଁ ଏହି  ତିନିଟି ବ୍ଳକରେ ମକା ଏବଂ ଧାନ ଅଭାବୀ ବିକ୍ରିକୁ ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗତକାଲି ଚାଷୀମାନେ ରାସ୍ତାରେ ଧାନ ମକା ପକେଇବା ସହ ଟ୍ରାକ୍ଟର ରଖି ଆନ୍ଦୋଳନ କରିଥିଲେ । ଦାବି ପୁରଣ ନହେଲେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତିନିଟି ବ୍ଳକରେ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀଙ୍କ ସହ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଥିଲେ । ଗତକାଲି ରାତିରେ ଚାଷୀମାନେ ରାତି ଅନିଦ୍ରା ହୋଇ ପ୍ରତିବାଦ କରିଥିଲେ । ସେହିଭଳି ଝରିଗାଁ ଠାରେ ଆନ୍ଦୋଳନକାରୀ ଚାଷୀଙ୍କ ଏକ ଅଭିନବ ଆନ୍ଦୋଳନ ଦେଖିବାକୁ ମିଳିଛି । ଏକ ଆଦିବାସୀ ନାଟକର ବ୍ୟବସ୍ଥା କରି ସମସ୍ତ ଚାଷୀ ରାତ୍ରି ଅନିଦ୍ରା ହୋଇ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।

ଜାତୀୟ କୃଷକ ଦିବସ ଅବସରରେ କୃଷକ ଭାଇଭଉଣୀଙ୍କୁ ନବୀନଙ୍କ ଶୁଭେଚ୍ଛା

ନନ୍ଦିଘୋଷ ବ୍ୟୁରୋ : ଜାତୀୟ କୃଷକ ଦିବସ ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କୃଷକ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜ୍ଞାପନ। କହିଛନ୍ତି, କୃଷକ ହେଉଛନ୍ତି ଅନ୍ନଦାତା, ସମୃଦ୍ଧିର ଆଧାର। ଜାତୀୟ କୃଷକ ଦିବସ ଅବସରରେ ସମସ୍ତ କୃଷକ ଭାଇଭଉଣୀମାନଙ୍କୁ ମୋର ସମ୍ମାନ ଓ ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି ନବୀନ। ବିଜୁ ଜନତା ଦଳର ସରକାରରେ କୃଷକଙ୍କ ସମୃଦ୍ଧିର ନୂଆ ଧାରା ଆରମ୍ଭ ହୋଇଥିଲା। ଏହାକୁ ସଂକଳ୍ପ ଭାବେ ଗ୍ରହଣ କରି କୃଷକଙ୍କ ହକ୍ ଓ ଅଧିକାର ପାଇଁ ଆମେ ଦୃଢ଼ତାର ସହ ଆଗକୁ ବଢ଼ୁଛୁ ବୋଲି କହିଛନ୍ତି ନବୀନ ।

ବ୍ରହ୍ମପୁର ନିମଖଣ୍ଡି ବୋରିଗାଁରେ ବିସ୍ଫୋରଣ ; ସିଲିଣ୍ଡର ଫାଟି ଜଣେ ଗୁରୁତର ଆହତ

ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ବନ୍ଧ ସାହିରେ ଫାଟିଲା ଗ୍ୟାସ ସିଲିଣ୍ଡର। ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର ହୋଇଛନ୍ତି। ଚାରୋଟି ଘରର ଭାଙ୍ଗିଲା କାନ୍ଥ। ବଡବନ୍ଧ ସାହିର ପ୍ରଫୁଲ୍ଲ ରାଉତ ଘରେ ଏକୁଟିଆ ଥିବା ସମୟରେ ଗ୍ୟାସରେ ଡାଲି ଗରମ କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଗ୍ୟାସ ସିଲିଣ୍ଡର ଫାଟିବା ଫଳରେ ଗୁରୁତର ଭାବେ ଆହତ ହୋଇଥିଲେ ପ୍ରଫୁଲ୍ଲ। ପ୍ରଫୁଲ୍ଲଙ୍କ ହାତ, ଗୋଡ଼ ସହ ଶରୀରର ବିଭିନ୍ନ ଅଙ୍ଗରେ କ୍ଷତ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ପ୍ରଫୁଲ୍ଲଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଫୁଲ୍ଲଙ୍କ ଘରର ବହୁ ଆସବାବପତ୍ର ନଷ୍ଟ ହୋଇଯାଇଛି। ପ୍ରଫୁଲ୍ଲଙ୍କ ଘର ସମେତ ଚାରିଟି ଘରର କାନ୍ଥ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅଗ୍ନିଶମ ବିଭାଗ, ନିମଖଣ୍ଡି ଥାନା ପୋଲିସ ଓ ସ୍ଥାନୀୟ ବାସିନ୍ଦା ପ୍ରଫୁଲ୍ଲଙ୍କୁ ଉଦ୍ଧାର କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟିଥିଲା।

ଗୋଠଛଡା ଦନ୍ତାର ଉତ୍ପାତ ; ସ୍କୁଲ ପାଚେରୀ ଭାଙ୍ଗିବା ସହ ଗାଁରେ ଆତଙ୍କ ସୃଷ୍ଟି

ନନ୍ଦିଘୋଷ ବ୍ୟୁରୋ : ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଗୁନେଇବିଲି ଗାଁରେ ଗୋଠଛଡା ଦନ୍ତାର ଉତ୍ପାତ l ସ୍କୁଲ ପାଚେରୀ ଭାଙ୍ଗିବା ସହ ଗାଁରେ ଆତଙ୍କ ସୃଷ୍ଟି କରିଛି ଦନ୍ତା l ଦୁଇଦିନ ହେବ  ଗୁନେଇବିଲି, ରାଙ୍କିଆ, ଭଏରପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛି l ଦନ୍ତାଟି ନିକଟସ୍ଥ ଭାଲୁଖିଆ ପାହାଡ଼ରେ ରହୁଥିବାବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରେ ପଶି ବ୍ୟାପକ କ୍ଷତି କରୁଛି l ସକାଳୁ ହାଇସ୍କୁଲ ଫାଟକ ନିକଟରେ ବୁଲିବା ସହ ସ୍କୁଲ ପାଚେରୀକୁ ଭାଙ୍ଗିଦେଇଛି l ସେହିଭଳି ରାଙ୍କିଆ ମାଇନର ସ୍କୁଲର ପାଚେରୀ ମଧ୍ୟ ଭାଙ୍ଗିଦେଇଥିବା ଜଣାପଡ଼ିଛି। ଗାଁରେ ହାତୀ ବୁଲୁଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲେକେ। ।ବନବିଭାଗ ତୁରନ୍ତ ଗୋଠଛଡା ଦନ୍ତାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l ତେବେ ଏହି ଗୋଠଛଡା ଦନ୍ତାଟି ଝାଡ଼ଖଣ୍ଡୀ ହାତୀ ହୋଇଥିବା ନେଇ ଜଣାପଡିଛି l

ବଲାଙ୍ଗୀରର ଏକ ଘରୋଇ ନର୍ସିଂ କଲେଜରେ ଲଜ୍ଜା ; ଦରମା ବଢାଇବା ପ୍ରଲୋଭନ ଦେଖାଇ ଦୁଷ୍କର୍ମ !

ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀରର ଏକ ଘରୋଇ ନର୍ସିଂ କଲେଜରେ ଲଜ୍ଜା I ହଷ୍ଟେଲର ଜଣେ କର୍ମଚାରୀଙ୍କୁ ଦରମା ବଢାଇବା ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି। ଘଟଣାରେ ନର୍ସିଂ କଲେଜ ମାଲିକଙ୍କ ପୁଅ ନାରାୟଣ ମିଶ୍ରଙ୍କୁ ଗିରଫ କରିଛି ସଦର ଥାନା ପୋଲିସ । ଗତ ୧୯ ତାରିଖ ଅପରାହ୍ନରେ ଘଟିଛି ଘଟଣା। ମହିଳା କର୍ମଚାରୀ ହଷ୍ଟେଲକୁ ଯାଉଥିବା ବେଳେ ନର୍ସିଂ କଲେଜ ସମ୍ପାଦକ ତାଙ୍କୁ ତାଙ୍କ କ୍ୱାର୍ଟରକୁ ଡାକି ଅସଦାଚରଣ କରିଥିଲେ। ଟଙ୍କାର ପ୍ରଲୋଭନ ଦେଖାଇଥିଲେ। ଧମକ ଚମକ ଦେଇଥିଲେ। କୌଶଳ କ୍ରମେ ସେଠାରୁ ଖସି ଆସିଥିଲେ ମହିଳା ଜଣଙ୍କ। ଘଟଣା ସମ୍ପର୍କରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଜଣାଇଥିଲେ ସେ ମଧ୍ୟ ଚୁପ୍ ରହିବାରୁ ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଭିତରକନିକାରେ କୁମ୍ଭୀର ଗଣନା ଲାଗି ତାରିଖ ସ୍ଥିର ; ଆସନ୍ତା ୮ରୁ ୧୦ ତାରିଖ ମଧ୍ୟରେ ହେବ ଗଣନା

ନନ୍ଦିଘୋଷ ବ୍ୟୁରୋ : ଭିତରକନିକାରେ ସ୍ଥିର ହେଲା କୁମ୍ଭୀର ଗଣନା ତାରିଖ। ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ଅନୁଷ୍ଠିତ ହେବ କୁମ୍ଭୀର ଗଣନା କାର୍ଯ୍ୟ। କୁମ୍ଭୀର ଗଣନା ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା। ଗତକାଲି ଅନିଶ୍ଚିତତା ଭିତରେ କୁମ୍ଭୀର ଗଣନା ନେଇ ନନ୍ଦିଘୋଷ ଟିଭିରେ ହୋଇଥିଲା ଖବର ପ୍ରସାରଣ।୧୦ ଦିନ ପରିବର୍ତ୍ତେ କିପରି ୩ ଦିନରେ ସଠିକ କୁମ୍ଭୀର ଗଣନା କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ।ଭିତରକନିକା ଅଂଚଳର ନଦୀ ଓ ନାଳରେ 1976 ମସିହାରୁ କୁମ୍ଭୀର ଗଣନା ହୋଇ ଆସୁଥିବା ବେଳେ ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ କୁମ୍ଭୀର ଗଣନା କରାଯାଇଥାଏ। କୁମ୍ଭୀର ଗଣନା ପାଇଁ 10 ଦିନ ଭିତରକନିକା ବନ୍ଦ ରହିଥାଏ । ମାତ୍ର ଚଳିତ ବର୍ଷ 10 ଦିନ ପରିବର୍ତ୍ତେ 3 ଦିନରେ କୁମ୍ଭୀର ଗଣନା କରାଯିବାକୁ ନିଷ୍ପତି ନିଆଯାଇଛି।  କିପରି 3 ଦିନରେ ସଠିକ କୁମ୍ଭୀର ଗଣନା କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ।