spot_img
Home Blog Page 1727

ବେଆଇନ କ୍ରିକେଟ ବେଟିଂ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସର ଚଢ଼ାଉ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଜନତା ଲେନରେ ବେଆଇନ କ୍ରିକେଟ ବେଟିଂ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସର ଚଢ଼ାଉ । ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ସେମାନଙ୍କ ନିକଟରୁ ତିନୋଟି ମୋବାଇଲ ଓ ନଗଦ ୩୨ହଜାର ଟଙ୍କା ଜବତ ହୋଇଛି। ଗିରଫ ହେଲେ ଦିଗପହଣ୍ଡି ରାଣିସାହିର କୃଷ୍ଣ ସେଠୀ ଓ ନରେନ୍ଦ୍ରପୁର ଗାଁର ଶିବ ଓରଫ କେ.ସୁବିନୟ ରେଡ୍ଡି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲକୁ ପଠାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଇଆଇସି ବାବା ଶଙ୍କର ସରାଫ।

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବାଇକ, ଜଣେ ମୃତ

ବାଲେଶ୍ବର:  ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବାଇକ, ଜଣେ ମୃତ। ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବୁଡିଆଂ ଛକରେ । ଭୋଜି ଖାଇ ବାଇକ ଯୋଗେ ଘରକୁ ଫେରୁଥିଲେ ଦୁଇ ସାଙ୍ଗ। ଅଧାବାଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବାଇକ୍। ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବାଇକ ପଛରେ ବସିଥିବା ଯୁବକ ଜଣକ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ତିନି ଦିନ ରାଜ୍ୟରେ ଅବିଶ୍ରାନ୍ତ ବର୍ଷା, ୨୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ଯର ଅଧିକାଂଶ ସ୍ଥାନରେ ଜାରି ରହିଛି ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ । ଏନେଇ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ସାରା ରାଜ୍ଯରେ ପ୍ରବଳ ବର୍ଷା ହେବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ୧୪ଟି ଜିଲ୍ଲା ଖୋର୍ଦ୍ଧା ,ପୁରୀ ,ବାଲେଶ୍ୱର ଯାଜପୁର ,କଟକ,ବଲାଙ୍ଗୀର, ନୂଆପଡା, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଗଜପତି ,ମୟୂରଭଞ୍ଜ, କେନ୍ଦୁଝର ଓ କୋରାପୁଟ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷା । ଆଗାମୀ ୩ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜିବିଙ୍କୁ ଯିବାକୁ ବାରଣ କରାଯାଇଛି। ସେପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟର କଳାହାଣ୍ଡି ଭଦ୍ରକ ସୁନ୍ଦରଗଡ ଓ ଝାରସୁଗୁଡା ୪ ଜିଲ୍ଲାରେ ଅଧିକ ନିଅଁଟିଆ ବର୍ଷା ରେକର୍ଡ ହୋଇଛି ।ଅନ୍ୟପଟେ ଗତ ୨୪ ଘଣ୍ଟାରେ ୭ ସହରରେ ପ୍ରବଳ ବର୍ଷା ସହ କୋରାପୁଟର ଜୟପୁରରେ ସର୍ବାଧିକ ୧୧୬.୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ସୋନପୁରରେ ସର୍ବାଧିକ ୩୭.୪ ଡିଗ୍ରୀ ବର୍ଷା ରେକର୍ଡ ହୋଇଛି।

ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ

ବାଲେଶ୍ୱର: ନୀଳଗିରି ଉପଖଣ୍ଡ ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା। ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ। ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟକୁ ସଫାସୁତୁରା କରାଯାଇନଥିବା ଅଭିଯୋଗ ହୋଇଛି। ଫଳରେ ବିଦ୍ୟାଳୟକୁ ପିଲାଙ୍କୁ ଛାଡ଼ିବାକୁ ଭୟ କରୁଛନ୍ତି ଅଭିଭାବକ । ବିଦ୍ୟାଳୟ ପରିସର ଜଙ୍ଗଲ ହେବା ସହ ବିଦ୍ୟାଳୟ ପରିସର ଭିତରେ  ବାଲି ଗଦା ହେବା ସହ ଖୋଲାରେ ପଡ଼ି ରହିଛି ରଡ। ଯାହାକୁ କେନ୍ଦ୍ରକରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅଫିସ ଘରେ ତାଲା ପକାଇଛନ୍ତି ଅଭିଭାବକ।

ବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଛି। ଖବର ପାଇ ଘଟଣାସ୍ଥଳରେ ସିଆରସିସି ପହଞ୍ଚି ଅବିଭାବକ ସହ ଆଲୋଚନା କରୁଛନ୍ତି।

ଆଜି T-20 ବିଶ୍ଵକପ ଫାଇନାଲ: ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ୱକପ ଫାଇନାଲରେ ଆଜି ଭାରତ ଦକ୍ଷିଣ ଆଫ୍ରିକା ଟକ୍କର। କପ୍ ହାତେଇବାକୁ ହେବ ଜୋରଦାର ଟକ୍କର। ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଉଭୟ ଟିମ ବର୍ତ୍ତମାନ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଅଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମ ସେମି ଫାଇନାଲରେ ଆଫଗାନିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିଲା। ସେହିପରି ଭାରତ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ଫାଇନାଲକୁ ଆସିଛି। ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି।

ତେବେ ମ୍ଯାଚ ଉପରେ ବର୍ଷା ସାଜିଛି ବାଧକ। ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ ଫାଇନାଲ ହୋଇ ନପାରେ। ବର୍ଷା ସାଜିପାରେ ବାଧକ। ବାର୍ବାଡସରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଠାରେ ବର୍ଷା ହେବାର ୫୦ ପ୍ରତିଶତରୁ ଅଧିକ ସମ୍ଭାବନା ରହିଛି। ମଧ୍ୟାହ୍ନ ସମୟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏପରି ସ୍ଥିତିରେ ମ୍ୟାଚ୍‌ ଆୟୋଜନ ସମ୍ଭବ ହୋଇ ନପାରେ। ଯଦି ବର୍ଷା ଯୋଗୁଁ ଶନିବାର ମ୍ୟାଚ୍‌ ନ ହେବ, ତା’ହେଲେ ରବିବାର ରିଜର୍ଭ ଡେ ରହିଛି। ଫାଇନାଲ ମ୍ୟାଚ୍‌କୁ ସାରିବା ପାଇଁ ଦୁଇ ଦିନର ସମୟ ଧାର୍ଯ୍ୟ କରାଯାଇଛି। ତଥାପି ଯଦି ମ୍ୟାଚ୍‌ ଅନୁଷ୍ଠିତ ହୋଇ ନ ପାରିବ, ତା’ହେଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଟି-୨୦ ବିଶ୍ୱକପ ବିଜେତା ଘୋଷଣା କରାଯିବ।

ବରିଷ୍ଠ ଆଇଏଫଏସ ଅଫିସର ବିକ୍ରମ ମିଶ୍ରି ହେବେ ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ: ବରିଷ୍ଠ IFS ବିକ୍ରିମ ମିଶ୍ରି ହେବେ ଦେଶର ପରବର୍ତ୍ତୀ ବୈଦେଶିକ ସଚିବ। ୧୯୮୯ ବ୍ୟାଚ୍‌ ଆଇଏଫଏସ୍ ଅଫିସର ବିକ୍ରମ ମିଶ୍ରି ହେବେ ଭାରତର ନୂଆ ବୈଦେଶିକ ସଚିବ। ନିଯୁକ୍ତି ନେଇ କ୍ୟାବିନେଟ କମିଟି ମୋହର ମାରିଛି। ଏବେ ଜାତୀୟ ସୁରକ୍ଷା ଉପ-ପରାମର୍ଶଦାତା ଥିବା ବିକ୍ରମ ମିଶ୍ରି ଆସନ୍ତା ଜୁଲାଇ ମାସ ୧୫ ତାରିଖରେ ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ନେବେ। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

୧୯୬୪ ମସିହାରେ ଶ୍ରୀନଗରରେ ଜନ୍ମ ହୋଇଥିଲେ ବିକ୍ରମ ମିଶ୍ରି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ହିନ୍ଦୁ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ ପରେ ସେ ଏକ୍ସଏଲଆରଆଇରୁ ଏମ୍‌ବିଏ କରିଥିଲେ। ପାଠପଢ଼ା ଶେଷ କରିବା ପରେ ସେ ପ୍ରାୟ ୩ ବର୍ଷ ଆଡଭରଟାଇଜିଂ କ୍ଷେତ୍ରରେ କାମ କରିଥିଲେ। ୧୯୮୯ରେ ସେ ଆଇଏଫଏସ୍ ପାଇଥିଲେ। ୧୯୯୧ରୁ ୧୯୯୬ ମସିହା ମଧ୍ୟରେ ବିକ୍ରମ ମିଶ୍ରି ବ୍ରସେଲସ୍ ଓ ଟୁନିସରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଥିଲେ।

୧୯୯୭ରେ ସେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦର କୁମାର ଗୁଜରାଲଙ୍କ ପ୍ରାଇଭେଟ୍ ସେକ୍ରେଟେରୀ ଭାବେ ନିଯୁକ୍ତି ପାଇଥିଲେ। ଏହା ପରେ ସେ ଏକାଧିକ ଥର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରିଛନ୍ତି। ଏହା ସହିତ ବିଦେଶରେ ଭାରତର ବିଭିନ୍ନ ମିଶନରେ କାର୍ଯ୍ୟ କରିଛନ୍ତି ।

କେନ୍ଦ୍ର ବର୍ଷକୁ ନେଉଛି ୨୦ ହଜାର କୋଟିରୁ ଅଧିକ, ହେଲେ ଓଡ଼ିଶାରେ ହେଉନି ଆଖିଦୃଶିୟା ରେଳ ଉନ୍ନତିକରଣ

ଭୁବନେଶ୍ବର: ଜୁଲାଇରେ ରେଳ ବଜେଟ୍ । ଓଡ଼ିଶାରେ ରେଳ ବିକାଶ ନେଇ ପୂର୍ଣ୍ଣାଙ୍ଗ ବଜେଟରେ କ’ଣ ଆସିବ ? କ’ଣ ଚାହୁଁଛନ୍ତି ଲୋକେ ? ଓଡ଼ିଶାରୁ ବାର୍ଷିକ ରେଳ ବିଭାଗ ରୋଜଗାର କରୁଛି ପ୍ରାୟ ୨୦ ହଜାର କୋଟିରୁ ଅଧିକ । ଲଗାତର ୩ ବର୍ଷ ଧରି ଓଡ଼ିଶା ପାଇଁ ୧୦ ହଜାର କୋଟି ବ୍ୟୟ ବରାଦ ହେଉଥିଲେ ବି ରାଜ୍ୟରେ ସେପରି ଆଖିଦୃଶିଆ ବିକାଶ ହୋଇପାରିନି । ଏବେ ବି ରାଜ୍ୟର ୬ ଜିଲ୍ଲାରେ ରେଳ ସଂଯୋଗୀକରଣ ହୋଇପାରିନି । ସୁରକ୍ଷିତ ରେଳ ଯାତ୍ରା, ଅଧପନ୍ତରିଆ ପ୍ରକଳ୍ପ ଓ ମଡେଲ ରେଳ ଷ୍ଟେସନ୍ ନିର୍ମାଣ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ।

ଅନ୍ୟ ରାଜ୍ୟରେ ଯେପରି ରେଳ ବିକାଶ ହୋଇଛି ସେପରି ବିକାଶ ଓଡ଼ିଶାରେ ହୋଇନି । ଲଗାତାର ଦ୍ବିତୀୟ ଥର ପାଇଁ ରେଳମନ୍ତ୍ରୀ ହୋଇଛନ୍ତି ଅଶ୍ବିନୀ ବୈଷ୍ଣବ । ଆସନ୍ତା ମାସରେ ଆସିବ ରେଳ ବଜେଟ୍ । ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଅଶ୍ବିନୀଙ୍କ ଉପରେ ଏଥରକ ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟବାସୀଙ୍କର ରହିଛି ଅନେକ ଆଶା ।

ଏବେ ବି ରାଜ୍ୟର ମାଲକାନଗିରି, କନ୍ଧମାଳ, ବୌଦ୍ଧ, ଦେବଗଡ଼ ଓ ସୁବର୍ଣ୍ଣପୁରର ଅଧିକାଂଶ ଅଞ୍ଚଳକୁ ରେଳ ସଂଯୋଗ ହୋଇପାରିନି । ସେହିପରି ପୁରୀ, ଭୁବନେଶ୍ବର, କଟକ ରେଳ ଷ୍ଟେସନକୁ ଅତ୍ୟାଧୁନିକ ମଡେଲ୍ ଷ୍ଟେସନରେ ପରିଣତ କରିବା କାମ ସମ୍ପୂର୍ଣ୍ଣ ହୋଇପାରିନି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ୩୦୧ କିଲୋମିଟର ରେଳ ଲାଇନ୍ ଓ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ରାଜ୍ୟବାସୀ ଦିନ ଗଣୁଛନ୍ତି । ନିର୍ବାଚନ ପୂର୍ବରୁ ଗତ ଫେବ୍ରୁଆରୀରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ରେଳ ବଜେଟରେ ଦେଇଥିଲେ ୧୦ ହଜାର ୫୩୬ କୋଟି ଟଙ୍କା । ଯାହାକି ଗତବର୍ଷ ତୁଳନାରେ ୫୨୪ କୋଟି ଅଧିକ । ୨୦୨୩-୨୪ରେ ରାଜ୍ୟ ପାଇଁ ରେଳ ବଜେଟ୍ ଆକାର ଥିଲା ୧୦ ହଜାର ୧୨ କୋଟି ।

ରେଳବାଇର ସ୍ଲୋଗାନ୍ ସେଫ୍ଟି, ସିକ୍ୟୁରିଟି ଓ ପଞ୍ଚୁଆଲିଟି । ହେଲେ ଗତ କିଛିବର୍ଷ ଧରି ଘଟୁଥିବା ରେଳ ଦୁର୍ଘଟଣା ଯୋଗୁଁ ସୁରକ୍ଷିତ ରେଳ ଯାତ୍ରା ନେଇ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି । ଅଟୋମେଟିକ ସିଗନାଲ ଫେଲ କଲେ ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଏଡ଼ାଇବାକୁ କବଚ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ପୂରା ହୋଇପାରିନି । ଯାତ୍ରୀଙ୍କ ଧନଜୀବନ ସୁରକ୍ଷା ପାଇଁ କବଚ ବ୍ୟବସ୍ଥା ସବୁ ଟ୍ରାକରେ ଲଗାଇବାକୁ ଦାବି ହେଉଛି । ଏହାସହିତ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଥିବା ଟ୍ରାକ୍ଗୁଡ଼ିକର ଉନ୍ନତିକରଣ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବି ଉଠିଛି ଦାବି । ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ସମେତ ଜନଜାତି ଅଞ୍ଚଳରେ ରେଳ ଲାଇନ୍ ବିଛା କାମ କିପରି ତ୍ବାରାନ୍ବିତ ହେବ ସେ ନେଇ ବଜେଟରେ ପର୍ଯ୍ୟାପ୍ତ ବ୍ୟୟ ବରାଦ ହେବା ଦରକାର ।

ରାଜ୍ୟରେ ନୂଆ ଲାଇନ୍, ଡବଲିଂ ଓ ବିଶେଷ କରି କେବିକେ ଜିଲ୍ଲାରେ ୧୩ଟି ଷ୍ଟେସନ୍କୁ ଉନ୍ନତିକରଣ କରିବାକୁ ଗତ ବଜେଟରେ ବ୍ୟୟବରାଦ ହୋଇଥିଲେ ବି ଏ ପର୍ଯ୍ୟନ୍ତ କାମ ତ୍ବରାନ୍ବିତ ହୋଇପାରିନି । ବଜେଟ୍ ଆକାର ବଢୁଛି ସତ, କିନ୍ତୁ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରା ନଗଲେ ବାସ୍ତବ ବିକାଶ ଏକ ପ୍ରକାର କାଗଜ କଲମରେ ସୀମିତ ରହିଯିବ ।

ଓଡ଼ିଶା ବିକାଶ ପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂଘକୁ ରାଜ୍ୟ ସରକାର ଅନୁରୋଧ

ଭୁବନେଶ୍ବର:  ଓଡ଼ିଶାର ବିକାଶ ପାଇଁ କିଛି ପ୍ରମୁଖ ପ୍ରସ୍ତାବ ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଟାର୍ଡ ଆକାଉଣ୍ଟାଣ୍ଟ ସଂଘକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ଅନୁଷ୍ଠାନ କଟକ ଶାଖା ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସହଯୋଗ ଲୋଡିଛନ୍ତି । ଚାଟାର୍ଡ ଆକାଉଣ୍ଟାଣ୍ଟ ସଂଘ ମଧ୍ୟ ଏ ପ୍ରସ୍ତାବକୁ ଗ୍ରହଣ କରିବା ସହ ରାଜ୍ୟର ବିକାଶ ସମ୍ପର୍କିତ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେବ ବୋଲି କହିଛି ।

ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଓ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟାପକ ସୁଯୋଗ ଥିବାରୁ ରାଜ୍ୟର ବିକାଶ ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ରିସର୍ଚ୍ଚ କରି ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବେ । ଏଥିସହିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଆୟକର ଆଇନ, ଜିଏସଟି, କମ୍ପାନୀ ଆଇନ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଆଇନ, ଅଡିଟର ନୂତନ ପ୍ରଣାଳୀ, କୃତ୍ରିମ ବୁଦ୍ଧିମତାର ଉପଯୋଗ ଆଦି ସମ୍ପର୍କରେ ଆଲୋଚନା କରାଯିବ । ସମ୍ମିଳନୀରେ ଓଡିଶା ସମେତ ଦେଶର ପ୍ରମୁଖ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ଯୋଗ ଦେଇଛନ୍ତି ।

ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ସମସ୍ତଙ୍କୁ ସାକ୍ଷାତ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରିଛନ୍ତୀ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ।

ପରେ କେନ୍ଦ୍ର ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ସାକ୍ଷାତ କରିଛନ୍ତି । ଏହା ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖାୱତ, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ବିଜେପି ସଧାରଣ ସମ୍ପାଦକ ବି.ଏଲ. ସନ୍ତୋଷଙ୍କୁ ଭେଟି ରାଜ୍ୟ ବିକାଶ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଭେଟି ରେଳ ବିକାଶର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଛନ୍ତି । ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ।

ଗତକାଲି ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସଡ଼କ ପରିବହନ ମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏହି ଗସ୍ତରେ ଓଡ଼ିଶାର ଅନେକ ଗୁଡ଼ିଏ ପ୍ରସଙ୍ଗରେ ଆଲୋଚନା ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ବି ସିଂଦେଓ । ସମସ୍ତଙ୍କୁ ଭେଟି ଓଡ଼ିଶାର ବିକାଶ ନେଇ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି । ଏହାସହ ଶ୍ରୀଜିଉଙ୍କ ଘୋଷଯାତ୍ରାକୁ ସମସ୍ତଙ୍କୁ ଅମାନ୍ତ୍ରଣ କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

କଲମା ବ୍ୟାରେଜର ଗେଟ୍ ଫୁଟେ ଖୋଲିଛି ଛତିଶଗଡ଼, ଛାଡୁନି ପାଣି

ଭୁବନେଶ୍ବର: ଛତିଶଗଡ଼ର ଚାଲାକି । କଲମା ବ୍ଯାରେଜର ୨୦ଟି ଗେଟ୍ ଖୋଲିଛି ସିନା, କିନ୍ତୁ ପୂରା ଖୋଲି ନାହିଁ । ଗେଟକୁ ମାତ୍ର ଗୋଟିଏ ଫୁଟ୍ ଉପରକୁ ଉଠାଯାଇଛି । ଅର୍ଥାତ ଗୋଟିଏ ଗେଟରେ ଯେତେ ପାଣି ଆସିବା କଥା, ସେତିକି ଆସୁ ନାହିଁ । ଯେତେ ପାଣି ଛତିଶଗଡ଼ ଛାଡ଼ିବା କଥା ସେତିକି ଛାଡୁ ନଥିବାରୁ ଶୁଖିଲା ପଡ଼ିଛି ଓଡ଼ିଶାର ଜୀବନ ରେଖା ମହାନଦୀ ଓ ହୀରାକୁଦ ଡ୍ଯାମ । ତେଣୁ ଛତିଶଗଡ଼ ସହିତ ଜଳ ବିବାଦର ସ୍ଥାୟୀ ସମାଧାନ ଦାବି କରାଯାଇଛି ।

ଆଷାଢ଼ ମାସରେ ଶୁଖିଲା ପଡ଼ିଛି ମହାନଦୀ । ଉଭୟ ଉପର ମୁଣ୍ଡରେ ଓ ତଳ ମୁଣ୍ଡରେ ଶୁଖି ଯାଇଛି ଓଡ଼ିଶାର ସବୁଠୁ ବଡ଼ ନଦୀ । ଏହା ହେଉଛି ସମ୍ବଲପୁରରେ ମହାନଦୀର ଦୃଶ୍ଯ । କେବଳ ଯେ, ମହାନଦୀରେ ପାଣି କମ୍ ଅଛି ତାହା ନୁହେଁ, ହୀରାକୁଦ ଡ୍ଯାମରେ ମଧ୍ଯ ପାଣି କମ୍ । ଡ୍ଯାମର ମୁଖ୍ଯ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ହୀରାକୁଦର ଜଳସ୍ତର ଏବେ ରହିଛି ୬୦୦.୦୨ ଫୁଟ୍ । କିନ୍ତୁ ଏହି ସମୟରେ ଗତ ବର୍ଷ ହୀରାକୁଦର ଜଳସ୍ତର ଥିଲା ୬୦୭.୫୨ ଫୁଟ । ଅର୍ଥାତ ଗତବର୍ଷଠାରୁ ଏ ବର୍ଷ ପ୍ରାୟ ୭ ଫୁଟ କମ୍ ପାଣି ଅଛି ହୀରାକୁଦ ଡ୍ଯାମରେ । ଏହାର ମୁଖ୍ଯ କାରଣ ହେଉଛି ଛତିଶଗଡ଼ ଯେତେ ପାଣି ଛାଡ଼ିବା କଥା ସେତେ ପାଣି ଛାଡୁ ନାହିଁ । କଲମା ଡ୍ଯାମର ଗେଟ୍ ଖୋଲିଛି ସିନା, ତାହା ନାମକୁ ମାତ୍ର । ପୂରା ଗେଟ୍ ନ ଖୋଲି ଆଂଶିକ ଭାବେ ଉପରକୁ ମାତ୍ର ଏକ ଫୁଟ୍ ଖୋଲିଥିବାରୁ ହୀରାକୁଦକୁ ଯଥେଷ୍ଟ ପାଣି ଆସି ପାରୁନାହିଁ ।

ବେଶ କିଛି ବର୍ଷ ହେଲା ମହାନଦୀ ଜଳକୁ ନେଇ ଓଡି଼ଶା ଏବଂ ଛତିଶଗଡ଼ ମଧ୍ଯରେ ଲାଗି ରହିଛି ବିବାଦ । ଟ୍ରିବ୍ଯୁନାଲ ବି ଗଠନ ହୋଇଛି, କିନ୍ତୁ ସମାଧାନ ବାହାରି ପାରିନାହିଁ । ବର୍ଷା ସତ୍ତ୍ବେ ମୌସୁମୀ ସମୟରେ ବ୍ୟାରେଜରୁ ଛତିଶଗଡ଼ ଯେତେ ପାଣି ଛାଡ଼ିବା କଥା ଛାଡିଥିବା ଅଭିଯୋଗ ହୋଇଛି । ଓଡି଼ଶାକୁ ଭୁଆଁ ବୁଲାଇ କଲମା ବ୍ଯାରେଜର ଗେଟ୍ ଆଂଶିକ ଭାବେ ଖୋଲିଛି । ଏହାଦ୍ଵାରା ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ବିବାଦର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ସମ୍ବଲପୁରବାସୀ ।

ମହାନଦୀ ହେଉଛି ଓଡି଼ଶାର ଜୀବନ ରେଖା । ଛତିଶଗଡ଼ରୁ ବାହାରିଥିଲେ ମଧ୍ଯ ଓଡି଼ଶାରେ ଅନେକ ଜିଲ୍ଲା ଦେଇ ଏହା ପ୍ରବାହିତ ହୋଇ ଲୋକଙ୍କ ଜୀବନ ଜୀବିକା ସହିତ ଜଡ଼ିତ । ହେଲେ ଛତିଶଗଡ଼ର ଦାଦାଗିରି ପାଇଁ ଏବେ ମହାନଦୀ ଅବବାହିକାରେ ରହୁଥିବା ଓଡ଼ିଶାବାସୀ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଲାଣି ।