ନନ୍ଦିଘୋଷ ବ୍ୟୁରୋ: ବଦଳିବ ଲକ୍ଷ୍ମୀ ବସର ନାଁ । ନାଁ ବଦଳି ହେବ ମୁଖ୍ଯମନ୍ତ୍ରୀ ବସ ସେବା । ଆଗକୁ ଏହି ନୂଆ ନାଁରେ ଲକ୍ଷ୍ମୀ ବସ ଚାଲିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ୨୦୨୩ ମସିହା ଅକ୍ଟୋବର ୧୨ରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଥିଲେ ବିଜେଡି ସରକାର । ଜନସାଧାରଣଙ୍କ ପ୍ରସ୍ତାବ ଅନୁସାରେ ପ୍ରତି ପଞ୍ଚାୟତରେ ବସ ସେବା ସୁନିଶ୍ଚିତ କରିବାକୁ ଏହି ଯୋଜନା ଆପଣାଯାଇଥିଲା । ପ୍ରତି ପଞ୍ଚାୟତରୁ ବ୍ଲକକୁ ଲକ୍ଷ୍ମୀ ବସ ଚଳାଚଳର ସୁବିଧା ହୋଇଥିଲା । ମହିଳା, ଛାତ୍ର ଓ ଦିବ୍ଯାଙ୍ଗମାନେ ପଞ୍ଚାୟତରୁ ବ୍ଲକକୁ ମାତ୍ର ୫ ଟଙ୍କାରେ ଯାତାୟାତ ସୁବିଧା ପାଉଥିବାବେଳେ ମିଶନ ଶକ୍ତି ମହିଳାଙ୍କୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଥିଲା । ସାରା ରାଜ୍ଯର ୯୦ ପ୍ରତିଶତ ପଞ୍ଚାୟତରେ ପ୍ରାୟ ୧ହଜାର ଲକ୍ଷ୍ମୀ ବସ ସେବା ଯୋଗାଉଥିଲା । ରାଜ୍ଯରେ ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ ଚଳାଚଳକୁ ନେଇ ଅନେକ ଆଶଙ୍କା ପ୍ରକାଶ ପାଇଥିଲା । ତେବେ ବସ ନୂଆ ନାଁରେ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।
ଧୀରେଧୀରେ ସ୍ବାଭାବିକ ହେଉଛି ବାଲେଶ୍ବର
ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବରରେ ବଢିଲା କର୍ଫ୍ୟୁ କୋହଳ ସମୟ । ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଢିଲା କର୍ଫ୍ୟୁ କୋହଳ ସମୟ । ଶାନ୍ତି କମିଟି ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ଅଶାନ୍ତ ଥିବା ବାଲେଶ୍ବରରେ ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରତାପ ଷଢଙ୍ଗୀ, ବିଧାୟକ ମାନସ ଦତ୍ତ, ଜିଲ୍ଲାପରିଷଦ ସଭାପତି ନାରାୟଣ ପ୍ରଧାନ, ପୌରାଧ୍ୟକ୍ଷା ସବିତା ସାହୁ, ଏସପି ସାଗରିକା ନାଥଙ୍କ ସମେତ ବାଲେଶ୍ବର ସହରର ବିଭିନ୍ନ ବର୍ଗ ଓ ସଂମ୍ପ୍ରଦାୟର ପ୍ରତିନିଧିମାନେ ଯୋଗଦେଇଥିଲେ । ଗୋଷ୍ଠୀ ସଂଘର୍ଷର କାରଣ, ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗକୁ ଯେମିତି ଘଟଣାର ପୁନରାବୃତ୍ତି ନଘଟେ ସେନେଇ ସ୍ଥାନୀୟ ଲୋକେ ସଚେତନ ହେବା ସହିତ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରଖିବାକୁ ସର୍ବସମ୍ମତ୍ତିରେ ପ୍ରସ୍ତାବ ଗ୍ରହଣ କରାଯାଇଛି ।
୮ ବର୍ଷର ନାବାଳକକୁ ଟାଣିନେଲା କୁମ୍ଭୀର
ନନ୍ଦିଘୋଷ ବ୍ୟୁରୋ: ୮ ବର୍ଷର ନାବାଳକକୁ ଟାଣିନେଇ ମାରିଦେଲା କୁମ୍ଭୀର । ଅନୁଗୁଳ ସାତକୋଶିଆ ଗଣ୍ଡ ନିକଟ ଟିକରପଡା ଗାଁରେ ଘଟିଛି ଅଘଟଣ । ମୃତକ ଟିକରପଡା ଘାଟସାହିର ୮ ବର୍ଷର ସମୀର ନାଏକ । ମଧ୍ଯାହ୍ନରେ ମହାନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ସମୀରକୁ କୁମ୍ଭୀର ଟାଣି ନେଇଥିଲା । ପରେ ସ୍ଥାନୀୟ ଲୋକ ମୃତ ଅବସ୍ଥାରେ ତାକୁ ଉଦ୍ଧାର କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତଦେହକୁ ଟିକରପଡା ରେଞ୍ଜ ଅଫିସ ଆଗରେ ରଖି ଗ୍ରାମବାସୀ ଧାରଣାରେ ବସିଛନ୍ତି ।
ନିଟ୍ ପ୍ରଶ୍ନ ପତ୍ର ଲିକ ଘଟଣା: ଗର୍ଜିଲା SFI ଛାତ୍ର ସଙ୍ଗଠନ
ଭୁବନେଶ୍ୱର: ନିଟ୍ ପରୀକ୍ଷାରେ ହୋଇଥିବା ପ୍ରଶ୍ନ ପତ୍ର ଲିକ ଘଟଣାକୁ କେନ୍ଦ୍ର କରି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛି SFI ଛାତ୍ର ସଙ୍ଗଠନ। ଭୁବନେଶ୍ୱରରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ନିଟ୍ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ ଘଟଣାରେ ସିବିଆଇ ବଦଳରେ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ କରି ଯାଞ୍ଚ କରିବାକୁ ଦାବି ହୋଇଛି।
ନିଟ୍ ପ୍ରବେଶିକା ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଜାଲିଆତି କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ବିଫଳତା। ଏହାଦ୍ବାରା ହଜାର ହଜାର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଏସଏଫଆଇ।
ସରିଲା ଶ୍ରଦ୍ଧାଳୁଙ୍କ ଅପେକ୍ଷା ଆଜିଠୁ ଆରମ୍ଭ ବାବା ଅମରନାଥଙ୍କ ର୍ତୀଥଯାତ୍ରା
ନନ୍ଦିଘୋଷ ବ୍ୟୁରୋ: ସରିଲା ଶ୍ରଦ୍ଧାଳୁଙ୍କ ଅପେକ୍ଷା ଆଜିଠାରୁ ଆରମ୍ଭ ହେଲା ବାବା ଅମରନାଥଙ୍କ ର୍ତୀଥଯାତ୍ରା। ଜାମ୍ମୁକାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥିତ ଅମରନାଥ ଗୁମ୍ଫା ମନ୍ଦିରକୁ ଏହି ବାର୍ଷିକ ତୀର୍ଥଯାତ୍ରା ଅଗଷ୍ଟ ୧୯ ପର୍ଯ୍ଯନ୍ତ ଚାଲିବ । ଶ୍ରୀନଗର ଠାରୁ ୧୪୧ କିଲୋମିଟର ଦୂରରେ ଥିବା ଏହି ମନ୍ଦିରକୁ ବାଲ୍ଟାଲ ଏବଂ ପହଲଗାମ ଦୁଇଟି ମାର୍ଗ ଦେଇ ଯାଇପାରିବେ ଶ୍ରଦ୍ଧାଳୁ । ଏହି ଯାତ୍ରା ଜାମ୍ମୁ କାଶ୍ମୀର ସରକାର ଏବଂ ଶ୍ରୀ ଅମରନାଥ ଜୀ ଶ୍ରୀକ୍ଷେତ୍ର ବୋର୍ଡଅମରନାଥ ମନ୍ଦିର ହିନ୍ଦୁମାନଙ୍କର ଅନ୍ୟତମ ପବିତ୍ର ମନ୍ଦିର ଭାବରେ ଜଣାଯାଏ।
ଏହି ମନ୍ଦିରରେ ୫୧ଟି ଶକ୍ତିପୀଠ ରହିଛି । ଏହି ସ୍ଥାନରେ ଭଗବାନ ଶିବ ଦେବୀ ପାର୍ବତୀଙ୍କୁ ଜୀବନ ଏବଂ ଅନନ୍ତତାର ରହସ୍ୟ କହିଥିଲେ ବୋଲି କିମ୍ବଦନ୍ତୀରେ ବର୍ଣ୍ଣନା କରାଯାଇଛି। ଏହି ମନ୍ଦିର ଅଧିକାଂଶ ବର୍ଷ ବରଫରେ ଆଚ୍ଛାଦିତ ହୋଇ ରହିଥାଏ ଏବଂ ପଡୁଥିବା ଟୋପା ଟୋପା ପାଣିବୁନ୍ଦାରୁ ଶିବଲିଙ୍ଗ ସୃଷ୍ଟି ହୁଏ। ଗ୍ରୀଷ୍ମ ଋତୁରେ ମନ୍ଦିରଟି ଖୁବ୍ କମ୍ ସମୟ ପାଇଁ ଖୋଲା ଯାଇଥାଏ । ୪୦ ମିଟର ଉଚ୍ଚତାରେ ଥିବା ଶିବଲିଙ୍ଗକୁ ଦେଖିବା ପାଇଁ ଭକ୍ତଙ୍କୁ ୩୫ରୁ ୪୮ କିଲୋମିଟର ଯିବାକୁ ପଡିଥାଏ, ଯେଉଁଥି ପାଇଁ ଯାତ୍ରାର ପ୍ରଥମ ଦିନରୁ ହିଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ।
ଗରିବଙ୍କ ପାଇଁ ସଞ୍ଜିବନୀ ସାଜିଛି BSKY କାର୍ଡ
ଖୋର୍ଦ୍ଧା: ଗରିବଙ୍କ ପାଇଁ ସଞ୍ଜିବନୀ ସାଜିଛି BSKY କାର୍ଡ। ରାଜ୍ୟରେ ଅର୍ଥ ଅଭାବରୁ ଚିକିତ୍ସା ହୋଇ ନ ପାରି ଅନେକ ଗରିବ ଗ୍ରାମାଞ୍ଚଳ ରୋଗୀ ଅନେକ ସମସ୍ୟା ଭୋଗୁଥିଲେ। କିନ୍ତୁ ପୂର୍ବରୁ ନବୀନ ସରକାର ପ୍ରଚଳନ କରିଥିବା BSKY କାର୍ଡରେ ମିଳୁଛି ଉନ୍ନତମାନର ସେବା। ଘରୋଇ ମେଡିକାଲରେ ମାଗଣାରେ ପାଇପାରୁଛନ୍ତି ଚିକିତ୍ସା।
ବିଶେଷ କରି ଗ୍ରାମାଞ୍ଚଳ ରୋଗୀ ମାନେ ଏହି BSKY କାର୍ଡକୁ ବ୍ୟବହାର କରି ହୃଦ୍ ରୋଗ ପରି ଜଟିଳ ବ୍ୟୟବହୁଳ ରୋଗର ଚିକିତ୍ସା ପାଇପାରୁଛନ୍ତି। BSKY କାର୍ଡକୁ ବ୍ୟବହାର ଭୁବନେଶ୍ୱରରେ ଥିବା ସନ୍ ସାଇନ୍ ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରିବାକୁ ହୃଦରୋଗ ବିଶେଷଜ୍ଞ ମାନେ ପରାମର୍ଶ ଦେଇଥିଲେ। ରାଜ୍ୟରେ ହୃଦରୋଗରେ ଆକ୍ରାନ୍ତ ହେଉଥିବା ରୋଗୀ ମାନେ ଏହି କାର୍ଡର ସଦୁପଯୋଗ କରିବାକୁ ଡାକ୍ତର ମାନେ ସାମ୍ବାଦିକ ସମ୍ମିଳନୀରେ ମତ ଦେଇଥିଲେ।

