spot_img
Home Blog Page 1718

ଆସନ୍ତା ୬ରେ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ମୁଖ୍ଯମନ୍ତ୍ରୀଙ୍କ ଭେଟଘାଟ

ନୂଆଦିଲ୍ଲୀ : ଆସନ୍ତା ୬ରେ ଆନ୍ଧ୍ରପ୍ରଦେଶ ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଓ ତେଲଙ୍ଗାନା ମୁଖ୍ଯମନ୍ତ୍ରୀ ରେବନ୍ତ ରେଡ୍ଡୀ ଭେଟଘାଟ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟକୁ ନେଇ ରାଜନୀତି ସରଗରମ । ତେବେ ଆନ୍ଧ୍ରପ୍ରଦେଶ ବିଭାଜନ ପରେ ଅମୀମାଂସିତ କେତେକ ପ୍ରସଙ୍ଗରେ ଆଲୋଚନା କରିବାକୁ ରେବନ୍ତଙ୍କୁ ଅନୁରୋଧ କରିଛନ୍ତି ଚନ୍ଦ୍ରବାବୁ । ଏନଡିଏର ଜଣେ ମୁଖ୍ୟମନ୍ତ୍ରୀ ଇଣ୍ଡିଆ ମେଣ୍ଟର ଜଣେ ମୁଖ୍ଯମନ୍ତ୍ରୀଙ୍କ ସହ ଆଲୋଚନାକୁ ନେଇ ଜୋର ଧରିଛି ରାଜନାତି ।

ହାଇଦ୍ରାବାଦରେ ଏହି ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି ଚନ୍ଦ୍ରବାବୁ । ଏନେଇ ଲେଖିଥିବା ପତ୍ରରେ ଚନ୍ଦ୍ରବାବୁ କହିଛନ୍ତି- ଆନ୍ଧ୍ରପ୍ରଦେଶ ବିଭାଜନ ହେବାର ୧୦ ବର୍ଷ ହୋଇଯାଇଛି । ତେବେ ପୁନର୍ଗଠନ ଆଇନ ଅନୁସାରେ ଅନେକ ପ୍ରସଙ୍ଗ ଆଲୋଚିତ ହୋଇପାରିନାହିଁ । ଦୁଇ ରାଜ୍ଯର ଉନ୍ନତି ଓ କଲ୍ଯାଣ ଲାଗି ଦ୍ବିପାକ୍ଷିକ ଆଲୋଚନା ଜରୁରୀ । ତେଲୁଗୁ ଭାଷାଭାଷୀ ଲୋକଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ଦୁଇ ରାଜ୍ଯ ମଧ୍ଯରେ ଦ୍ବିପାକ୍ଷିକ ଆଲୋଚନା ଉଚିତ ବୋଲି ଦର୍ଶାଇଛନ୍ତି ନାଇଡୁ । ଦୁଇ ନେତାଙ୍କ ମଧ୍ଯରେ ମୁହାଁମୁହିଁ ଆଲୋଚନା ଦ୍ବିପାକ୍ଷିକ ସମସ୍ଯାର ସମାଧାନ କରିପାରିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି । ଆନ୍ଧ୍ରପ୍ରଦେଶର ରାଜଧାନୀ ବର୍ତ୍ତମାନ ସୁଦ୍ଧା ସଠିକ୍ ନିରୂପିତ ହୋଇପାରିନାହିଁ । ଅମରାବତୀକୁ ରାଜଧାନୀ କରିବା ଲାଗି ନିଷ୍ପତ୍ତି ହୋଇଥିଲେ ବି ପୂର୍ବତନ ଜଗନ ମୋହନ ସରକାର ଏହି ପ୍ରକଳ୍ପକୁ ଆଗେଇ ନଥିଲେ ।

ସେପଟେ ତେଲଙ୍ଗାନାରେ ଟିଡିପିର ଭିତ୍ତି ପ୍ରତିଷ୍ଠା ଲାଗି ନାଇଡୁଙ୍କ ଏହା ଏକ ଉଦ୍ଯମ ବୋଲି ଚର୍ଚ୍ଚା ହେଉଛି । ତେଲଙ୍ଗାନାରେ ଟିଡିପିର ଭିତ୍ତିସ୍ଥାପନ ଲାଗି ଭାରତ ରାଷ୍ଟ୍ର ସମିତି ବିଶେଷ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି । ଏଠାରେ ଉଲ୍ଲେଖଯୋଗ୍ଯ ଯେ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ରେବନ୍ତ ରେଡ୍ଡୀ ଟିଡିପିରେ ଥିଲେ ଏବଂ ଚନ୍ଦ୍ରବାବୁଙ୍କ ଜଣେ ଘନିଷ୍ଠ ବନ୍ଧୁ ଥିଲେ ।

୨୦୧୫ରେ ଭୋଟ ଲାଗି ନୋଟ ସ୍କାମରେ ଛନ୍ଦି ହୋଇ ଜେଲ ଯାଇଥିଲେ ରେବନ୍ତ । ଚନ୍ଦ୍ରବାବୁଙ୍କ ପ୍ରତିନିଧି ଭାବେ ସେ ବିଧାନସଭାର ଜଣେ ମନୋନୀତ ସଦସ୍ଯଙ୍କୁ ପ୍ରଭାବିତ କରିବା ଲାଗି ୫୦ ଲକ୍ଷ ଟଙ୍କା ଯାଚିବା ଘଟଣା କ୍ଯାମେରା ସାମନାର ଧରାପଡିବା ପରେ ରେବନ୍ତ ଗିରଫ ହୋଇ ଜେଲ ଯାଇଥିଲେ । ଦଳର ସୀମା ବାହାରେ ରେବନ୍ତ ଅନ୍ଯ ଦଳର ନେତାଙ୍କ ସହ ମିଶିବା ଘଟଣା ବି ଚର୍ଚ୍ଚାରେ ରହିଛି । ନିକଟରେ ଦିଲ୍ଲୀରେ ସେ ବିଜେପିର ଜେ.ପି. ନଡ୍ଡାଙ୍କ ସହ ଆଲୋଚନା କରିଥିଲେ । ଗତ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲଙ୍ଗାନା ଗସ୍ତ କାଳରେ ସେ ତାଙ୍କୁ ବଡ ଭାଇ ବୋଲି ସମ୍ବୋଧନ କରି ଚର୍ଚ୍ଚାରେ ଥିଲେ ।

ପୁଣି ଅଶାନ୍ତ ଆଠଗଡ଼ ତିଗିରିଆ ଥାନା ଅଞ୍ଚଳର ବେଲଅଣ୍ଟା ଗାଁ

ଆଠଗଡ଼ : ପୁଣି ଥରେ ଅଶାନ୍ତ ହୋଇପଡ଼ିଛି ଆଠଗଡ଼ ତିଗିରିଆ ଥାନା ଅଞ୍ଚଳର ବେଲଅଣ୍ଟା ଗାଁ । ଗତକାଲି ରାତିରେ ପୂର୍ବ ଶତୃତାରୁ ଗାଁରେ ବୋମାମାଡ଼ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ଯରେ ବୋମାମାଡ଼ ହୋଇ ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି । ଗାଁରେ ଏବେ ପୋଲିସ ମୁତୟନ ହୋଇଥିବାବେଳେ ଚାପା ଉତ୍ତେଜନା ଲାଗିରହିଛି ।

ଅଭିଯୋଗ ଅନୁସାରେ ଗତ ହୋଲି ସମୟରେ ହୋଇଥିବା ଗଣ୍ଡଗୋଳକୁ କେନ୍ଦ୍ର କରି ପୁଣି ଥରେ ଗତକାଲି ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା । ଗୋଟିଏ ଗୋଷ୍ଠୀ ଗାଁରେ ବୋମାମାଡ଼ କରିଥିଲେ । ଏଥିରେ କାହାର କିଛି କ୍ଷତି ହୋଇନଥିବାବେଳେ ଆଠଗଡ଼ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସ୍ଥିତିକୁ ନଜରରେ ରଖି ପୋଲିସ ମୁତୟନ କରାଯାଇଛି ।

ଗତ ହୋଲି ଦିନ ଦୁଇଗୋଷ୍ଠୀ ମଧ୍ଯରେ ସଂଘର୍ଷ ଘଟି ୫ ଜଣ ଆହତ ହୋଇଥିଲେ । ଏଥିରେ ଭୋଗଡ଼ାର ସରପଞ୍ଚଙ୍କ ସ୍ବାମୀ ଓ ଦିଅର ଆହତ ହୋଇଥିଲେ । କିଛିଦିନ ପରେ ପୁଣି ଗାଁ ଅଶାନ୍ତ ହୋଇଥିବାବେଳେ ପୋଲିସ ଘଟଣା ଉପରେ ନଜର ରଖିଛି ।

ଚଳିତ ବର୍ଷର ୬ ମେଗା ବଜେଟ୍ ଫିଲ୍ମ, ରିଲିଜ ଡେଟ୍ ଅପେକ୍ଷାରେ ଫ୍ୟାନ୍ସ

ନନ୍ଦିଘୋଷ ବ୍ୟୁରୋ : ଚଳିତ ବର୍ଷ ଅନେକ ସାଉଥ୍ ଏବଂ ବଲିଉଡ୍ ଫିଲ୍ମ ସିନେମା ପ୍ରେକ୍ଷାଳୟକୁ ଆସିଛି । କିନ୍ତୁ ଅଦ୍ୟାବଧି ଏପରି କିଛି ଚଳଚ୍ଚିତ୍ର ହିଁ ରିଲଜ ହୋଇଛି । ବଡ଼ ବଡ଼ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ରିଲିଜ ପାଇଁ ସଂଘର୍ଷ କରିଛନ୍ତି , ଯେଉଁଠି କି ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’ ଫ୍ଲପ୍ ହୋଇଛି । ଏବେ ଅନେକ ଫିଲ୍ମ ଏବେ ବି ରିଲିଜ୍ ହେବା ଅପେକ୍ଷାରେ ରହିଛନ୍ତି ତ କିଛି ଫିଲ୍ମର କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏମିତିରେ ଚଳିତ ବର୍ଷର ୬ଟି ମେଗା ବଜେଟ୍ ଫିଲ୍ମ ଏବେ ରିଲିଜ୍ ଅପେକ୍ଷାରେ ଅଛନ୍ତି ।

ପ୍ରତିବର୍ଷ ଅନେକ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ହିଟ୍ ହୋଇଥାଏ | ଏଥିମଧ୍ୟରୁ କିଛି ମେଗା ବଜେଟ୍ ଚଳଚ୍ଚିତ୍ର ହୋଇଥିବାବେଳେ କେତେକ ଛୋଟ ବଜେଟ୍ ଚଳଚ୍ଚିତ୍ର ଥାଏ | କିନ୍ତୁ ଜନସାଧାରଣଙ୍କ ଭଲପାଇବା ସହିତ ଛୋଟ ଚଳଚ୍ଚିତ୍ରଗୁଡ଼ିକ ମଧୟ ବଡ଼ ସଫଳତା ହାସଲ କରିଥାଏ, ଯେତେବେଳେ କି ମେଗା ବଜେଟ୍ ଚଳଚ୍ଚିତ୍ର ବିଶେଷ ପ୍ରଶଂସା ସାଉଁଟି ପାରେ ନାହିଁ | ଚଳିତ ବର୍ଷ ଆରମ୍ଭରୁ ଏହିପରି କିଛି ଦେଖିବାକୁ ମିଳିଛି | ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଜ୍ ହୋଇଥିବା ସମସ୍ତ ଚଳଚ୍ଚିତ୍ର ମଧ୍ୟରୁ ଅଧିକାଂଶଙ୍କ ରିଲିଜ୍ ତାରିଖ ଅନେକ ଥର ସ୍ଥଗିତ ରଖାଯାଇଥିଲା। ଯେଉଁଠାରେ ଅଜୟ ଦେବଗାନଙ୍କ ‘ମଇଦାନ’ କ୍ରମାଗତ ୮ ଥର ସ୍ଥଗିତ ହେବା ପରେ ୯ମ ଥରରେ ମୁକ୍ତିଲାଭ କରିଥିଲା। ପ୍ରଭାସଙ୍କ ‘କଲକୀ 2898 AD’ ମଧ୍ୟ ବହୁ ପୂର୍ବରୁ ମୁକ୍ତିଲାଭ କରିବାକୁ ଯାଉଥିଲା, କିନ୍ତୁ ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ସ୍ଥଗିତ ରଖାଯାଇଥିଲା, ଯାହା ଏବେ ଫିଲ୍ମ ରିଲିଜ ହୋଇଛି। ପ୍ରଶଂସକମାନେ ବହୁ ବଡ଼ ଚଳଚ୍ଚିତ୍ର ପାଇଁ ଉତ୍ସାହର ସହିତ ଅପେକ୍ଷା କରିରହିଛନ୍ତି  । ଏହି ତାଲିକାରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା -୨ ଠାରୁ ଆରମ୍ଭ କରି ଅଜୟ ଦେବଗାନଙ୍କ ୩ଟି ବଡ଼ ବଜେଟ୍ ଫିଲ୍ମ ମଧ୍ୟ ଅନ୍ତର୍ଭୁକ୍ତ  ।

ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା -୨ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ତାଲିକାରେ ଶୀର୍ଷରେ ଅଛି  । ଯାହାର ପ୍ରଥମ ଭାଗ ଲୋକମାନଙ୍କ ଠାରୁ ବହୁ ପ୍ରଶଂସା ସାଉଁଟି ଥିଲା ।  ଫିଲ୍ମର ଦୁଇଟି ଗୀତ ମଧ୍ୟ ରିଲିଜ୍ ହୋଇଛି, କିନ୍ତୁ ନିକଟରେ ଏହାର ରିଲିଜ୍ ତାରିଖ ପରିବର୍ତ୍ତନ କରାଯାଇଛି  । ବର୍ତ୍ତମାନ ଏହି ଫିଲ୍ମ ଡିସେମ୍ବର ୬ରେ ପ୍ରେକ୍ଷାଳୟକୁ ଆସିବ ବୋଲି କୁହାଯାଉଛି  ।

ସେହିପରି ଅଜୟ ଦେବଗନଙ୍କ ଫିଲ୍ମ ‘ଅରୌ ମେ କାହାଁ ହେ ଦମ୍’ ବି  ରିଲିଜ୍ ଅପେକ୍ଷାରେ ରହିଛି । ଅନ୍ୟପଟେ କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍-୨’ ର ଦମଦାର ଟ୍ରେଲର ନିକଟରେ ରିଲିଜ୍ ହୋଇଛି । ଯାହାକୁ ଦେଖି ଫ୍ୟାନ୍ସ ମାନେ ଫିଲ୍ମକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ସେହିପରି ସିଘଂମ ଏଗେନ୍,  ଜୁନିଅର ଏନଟିଆରଙ୍କ ଫିଲ୍ମ ‘ଦେବରା’ , କଙ୍ଗନା ରାଣାଓ୍ୱତଙ୍କ ଫିଲ୍ମ ‘ଏମଜେନ୍ସି’ର କାମ ମଧ୍ୟ ଜାରି ରହିଛି । ଯାହା ଖୁବ୍ ଶୀଘ୍ର ରିଲିଜ ହେବ ।

 

 

ଭାରତୀୟ ଖେଳାଳିଙ୍କୁ ଆଣିବାକୁ ସ୍ବତନ୍ତ୍ର ବ୍ଯବସ୍ଥା କରୁଛି ବିସିସିଆଇ

ନୂଆଦିଲ୍ଲୀ : ବିଶ୍ୱବିଜୟୀ ଟିମ୍ ଇଣ୍ଡିଆ ସଦସ୍ୟଙ୍କ ବାଟ ଓଗାଳିଛି ସାମୁଦ୍ରିକ ଝଡ଼। ୱେଷ୍ଟଇଣ୍ଡିଜର ବାର୍ବାଡସରେ ଫସିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି । ଘୂର୍ଣ୍ଣିଝଡ଼ ବରେଲି ପ୍ରଭାବରେ ଖେଳାଳିମାନେ ଫସିରହିଛନ୍ତି । ସେମାନଙ୍କୁ ଭାରତ ଆଣିବା ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରିଛି ବିସିସିଆଇ । ଖେଳାଳିଙ୍କୁ ଆଣିବାକୁ ଆଜି ବାର୍ବାଡସ ଯିବ ସ୍ବତନ୍ତ୍ର ଚାର୍ଟାର୍ଡ୍ ଫ୍ଲାଇଟ୍ । ଫଳରେ ଆସନ୍ତାକାଲି ସନ୍ଧ୍ଯା ସୁଦ୍ଧା ଖେଳାଳିମାନେ ଫେରିପାରନ୍ତି ବୋଲି ଆଶା କରାଯାଉଛି ।

ସେପଟେ ଭାରତୀୟ ଖେଳାଳିଙ୍କୁ ସୁରକ୍ଷିତ ଭାବେ ଭାରତ ଆସିବା ପାଇଁ ସମସ୍ତ ବ୍ଯବସ୍ଥା କରାଯାଉଥିବା ବାର୍ବାଡସ ପ୍ରଧାନମନ୍ତ୍ରୀ କହିଛନ୍ତି । ଗତକାଲି ରାତି ୮ଟା୩୦ରେ ସେମାନଙ୍କ ଫ୍ଲାଇଟ୍ ଉଡ଼ାଣ ଭରିବ ବୋଲି ସ୍ଥିର ହୋଇଥିଲା। ମାତ୍ର ସାମୁଦ୍ରିକ ଝଡ଼ର ଉଗ୍ର ରୂପକୁ ଦେଖି ବିମାନସେବା ବାତିଲ ହୋଇଥିଲା । ଟିମ୍ ଇଣ୍ଡିଆ ସଦସ୍ୟ ‘ଦ ହିଲଟନ’ ହୋଟେଲରେ ରହୁଥିବା ବେଳେ ତାହା ସମୁଦ୍ର ନିକଟରେ ଅବସ୍ଥିତ। ଉଡ଼ାଣ ପାଇଁ ପାଗ ଅନୁକୁଳ ନ ଥିବାରୁ ବିଶ୍ୱବିଜୟୀ ଟିମ୍ ଭାରତ ଫେରିବାରେ ବିଳମ୍ବ ହେଉଛି ।

ରାହୁଲଙ୍କ ଲୋକସଭା ଭାଷଣରେ ଚାଲିଲା କଂଇଚି, ହଟିଲା ବିବାଦୀୟ ଅଂଶ

ନୂଆଦିଲ୍ଲୀ : ସଂସଦ ଅଧିବେଶନର ଷଷ୍ଠ ଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଭିଭାଷଣକୁ ନେଇ ବଡ଼ ହଙ୍ଗାମା ସୃଷ୍ଟି ହୋଇଛି । ରାହୁଲଙ୍କ ଅଢେଇ ଘଣ୍ଟାର ଭାଷଣରେ ସେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ସଂସଦରେ ତୁମ୍ଭି ତୋଫାନ ଆରମ୍ଭ ହୋଇଯାଇଥିଲା । ଏହି ବିବାଦୀୟ ମନ୍ତବ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲା ବିଜେପି । ସେପଟେ ରାହୁଲଙ୍କ ଭାଷଣରୁ ଏହି ବିବାଦୀୟ ବୟାନକୁ ଗୃହ ପ୍ରକ୍ରିୟାରୁ ହଟାଇ ଦିଆଯାଇଛି । ଏପରି କରିବାକୁ ନିଜେ ବାଚସ୍ପତି ଓମ୍ ବିର୍ଲା ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ରାହୁଲଙ୍କ ଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ଆସନରୁ ଦୁଇଥର ଉଠି ଉତ୍ତର ମଧ୍ୟ ଦେବାକୁ ପଡିଥିଲା।

ସୋମବାର ସଂସଦ ଅଧିବେଶନରେ ସାଂସଦ ରାହୁଲ ଗାନ୍ଧୀ ଲୋକସଭାରେ ନିଜର ମତ ଉପସ୍ଥାପନ କରିଥିଲେ।  ଏହି ସମୟରେ ସେ ଏପରି ଅନେକ କଥା କହିଥିଲେ ଯେଉଁଥିରେ ଶାସକ ଦଳ ବିଶେଷ କରି ବିଜେପି ଦୃଢ ବିରୋଧ କରିଥିଲେ । ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିବା ରାହୁଲଙ୍କ ଭାଷଣକୁ ଏନଡିଏ ନେତାମାନେ ମଧ୍ୟ ବିରୋଧ କରିଥିଲେ। ବାଚସ୍ପତି ଓମ ବିର୍ଲା ନିଜେ ତାଙ୍କୁ ଭଲଭାବେ କହିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏବେ ସଂସଦରୁ ହିନ୍ଦୁମାନଙ୍କ ବିଷୟରେ ତାଙ୍କ ବିବୃତ୍ତି ସମେତ ଭାଷଣର କିଛି ଅଂଶ ବର୍ତ୍ତମାନ ଗୃହ ପ୍ରକ୍ରିୟାରୁ ହଟାଇ ଦିଆଯାଇଛି।

ରାହୁଲ ଗାନ୍ଧୀଙ୍କ ବିବାଦୀୟ ଭାଷଣକୁ ନେଇ କିଛି ବିଜେପି ନେତାମାନେ ତାଙ୍କୁ କ୍ଷମା ମାଗିବାକୁ କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଜେପି ନାଡ୍ଡା, ଅଶ୍ୱିନୀ ବୈଷ୍ଣବ ଏବଂ ଏନଡିଏ ନେତା ଚିରାଗ ପାସୱାନଙ୍କ ସମେତ ଶାସକ ଦଳର ବହୁ ସାଂସଦ ରାହୁଲଙ୍କୁ କ୍ଷମା ମାଗିବାକୁ କହିଛନ୍ତି। ରାହୁଲଙ୍କ ଭାଷଣ ସମୟରେ ଅନେକ ଥର ରାଜନାଥ ସିଂ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଆସନରୁ ଉଠି ରାହୁଲଙ୍କ କଥାକୁ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା।

ରାଜଧାନୀରେ ପୁଣି ଲଜ୍ଜା, ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀରେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏୟାରଫିଲଡ୍ ଥାନା ପାଞ୍ଚ ଗାଁର ଗୋଠ ସାହିରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ସେହି ଗାଁର ଜଣେ ଯୁବକ ଏଭଳି କୁକର୍ମ କରିଥିବା ନେଇ ଏୟାରଫିଲଡ୍ ଥାନାରେ ଅଭିଯୋଗ ହୋଇଛି । ପୀଡିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୀଡିତାଙ୍କ ସ୍ବାସ୍ଥ୍ଯବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ମାମଲାରେ ଅଭିଯୁକ୍ତର ଭାଇ ଓ ଭିଣୋଇକୁ ପୋଲିସ ପଚରାଉଚରା କରୁଛି ।

ନୂଆ ଆୟକରକୁ ବିରୋଧ କରି କେନିଆରେ ବିଦ୍ରୋହ; ୩୯ ମୃତ, ୩୬୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ : କେନିଆରେ ନୂଆ ଆୟକରକୁ ବିରୋଧ କରି ବିଦ୍ରୋହ ଘଟଣା । ସରକାରୀ ବିରୋଧୀ ଆନ୍ଦୋଳନରେ ୩୯ ଜଣଙ୍କର ମୃତ୍ଯୁ ହୋଇଛି । ୩୬୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି । ୩୨ଟି ମାମଲାରେ ୬୨୭ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି । ଏନେଇ କେନିଆ ନ୍ଯାସନାଲ କମିଶନ ଅନ ହ୍ଯୁମାନ ରାଇଟ୍ସଙ୍କ ତରଫରୁ ସୂଚନା ଦିଆଯାଇଛି । ଦେଶରେ ବ୍ଯାପକ ସଙ୍କଟ ଜାରି ରହିଥିବାବେଳେ କେନିଆ ସରକାର ଏକ ବିବାଦୀୟ ଫାଇନାନ୍ସ ବିଲକୁ ଅନୁମୋଦନ କରିଥିଲେ । ଏହା କାର୍ଯ୍ୟକାରୀ ହେଲେ ଦେଶରେ ଟିକସ ବୃଦ୍ଧି ପାଇବ । ଯାହାକୁ ସାରା ଦେଶରେ ବିରୋଧ କରାଯାଉଛି ।

କୋଭିଡ ଓ ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶରେ ଅର୍ଥନୈତିକ ସ୍ଥିତି ଅତ୍ଯନ୍ତ ଘନୀଭୂତ ହୋଇଛି। ଏହି ଟିକସ ଜରିଆରେ ସରକାର ଅତିରିକ୍ତ ୨.୭ ବିଲିୟନ ଡଲାର ସଂଗ୍ରହ କରିବାକୁ ଚାହୁଁଥିଲେ । ଗୋଟିଏ ପଟେ ମରୁଡି ସ୍ଥିତି ଥିବାବେଳେ ଅନ୍ଯ ପଟେ ରନ୍ଧନ ତେଲ, ପାଉଁରୁଟି, କାର ଆଦି ଉପରେ ଅଧିକ କର ପ୍ରସ୍ତାବ ରହିଥିଲା । ଯାହାକୁ ବିରୋଧ କରି ଆନ୍ଦୋଳନକୁ ଜୋରଦାର କରିବା ସହ ହିଂସାତ୍ମକ ପନ୍ଥା ଆପଣାଇଥିଲେ ଲୋକେ । ଏପରିକି ଲୋକମାନେ ପାର୍ଲାମେଣ୍ଟ ମଧ୍ଯ ଜାଳିଦେଇଥିଲେ । ଟିକସ ବୃଦ୍ଧି ବିଲକୁ ନେଇ ଜୋରଦାର ବିକ୍ଷୋଭ ଓ ହିଂସାକାଣ୍ଡ ପରେ କେନିୟା ସରକାର ଏହାକୁ ପ୍ରତ୍ଯାହାର କରିବା ପାଇଁ ଘୋଷଣା କରିଛନ୍ତି ।

ଆଜି ବସିବ ଶେଷ ରଥ ସମନ୍ୱୟ କମିଟି ବୈଠକ

ପୁରୀ : ଆଜି ବସିବ ଶେଷ ରଥ ସମନ୍ୱୟ କମିଟି ବୈଠକ  । ଦିନ ୧୧ ଟା ୧୫ ମିନିଟରେ ପୁରୀ ଟାଉନ ହଲ ପରିସରରେ ବୈଠକ ବସିବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ଯକ୍ଷତା କରିବେ । ଘୋଷଯାତ୍ରା ପୂର୍ବରୁ ରାସ୍ତା ଘାଟ, ପାନୀୟ ଜଳ, ପରିମଳ,ଗମନାଗମନ, ଭିଡ଼ ନିୟନ୍ତ୍ରଣ,ଆଇନ ଶୃଙ୍ଖଳା, ସ୍ବାସ୍ଥ୍ଯ ସେବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ  ।

ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ସେନେଇ ସମସ୍ତଙ୍କ ସହଯୋଗ ଲୋଡିବେ ମୋହନ  । ସବୁ ବିଭାଗର ଅଧିକାରୀମାନେ ସେମାନଙ୍କ ପ୍ରସ୍ତୁତିର ରିପୋର୍ଟ ଉପସ୍ଥାପନ କରିବେ  । ରଥଯାତ୍ରା ପାଇଁ କେଉଁ ବିଭାଗ କେତେ ପ୍ରସ୍ତୁତ ଅଛି ତାହାର ସମୀକ୍ଷା କରାଯିବ । ବୈଠକରେ ବିଭାଗୀୟ ମନ୍ତ୍ରୀ, ବିଧାୟକ, ମୁଖ୍ଯ ଶାସନ ସଚିବଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ।

ଆଜି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ଲଘୁଚାପ ଦୁର୍ବଳ ହେବା ପରେ ବି ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ପଶ୍ଚିମ ଆସାମରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରପ ଲାଇନ୍ ପ୍ରଭାବରେ ବର୍ଷା ଜାରି ରହିଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଟ୍ରପଲାଇନ ସହ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ନିମ୍ନ ଚାପରେଖା । ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ପ୍ରବଳ ବର୍ଷା ନେଇ ଝାରସୁଗୁଡ଼ା, ସୁନ୍ଦରଗଡ଼,ରାୟଗଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼ ଜିଲ୍ଲାକୁ ୟଲୋ ୱାର୍ଣିଙ୍ଗ ଜାରି କରାଯାଇଛି । ସେପଟେ ଏବେବି ନିଅଣ୍ଟିଆ ବର୍ଷା ଚିନ୍ତା ବଢ଼ାଇଛି । ଏଯାଏଁ ୧୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ମୟୁରଭଂଜରେ ସର୍ବାଧିକ ୬୪ % ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧୬୪ ମିଲିମିଟର ବର୍ଷା ହୋଇଛି । ୧୩ଟି ଜିଲ୍ଲାରେ ଚଳିତମାସ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ କେବଳ ମାଲକାନଗିରିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।

ମଧ୍ଯପ୍ରଦେଶରେ ଚାଞ୍ଚଲ୍ଯ : ଗୋଟିଏ ଘରୁ ୫ ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ମଧ୍ଯପ୍ରଦେଶରେ ଚାଞ୍ଚଲ୍ଯ । ଗୋଟିଏ ଘରୁ ୫ ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମଧ୍ଯପ୍ରଦେଶ ଅଲ୍ଲିରାଜପୁର ରାଉଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ପରିବାରର ୫ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ବାପାମାଆଙ୍କ ସମେତ ୩ ନାବାଳକ ପିଲା । ମୃତକ ହେଲେ ସ୍ବାମୀ ରାକେଶ ଦୋଦ୍ବା, ସ୍ତ୍ରୀ ଲଳିତା ଦୋଦ୍ବା ଏବଂ ୯ ବର୍ଷୀୟା ଝିଅ ଲକ୍ଷ୍ମୀ, ୭ ବର୍ଷୀୟ ପୁଅ ପ୍ରକାଶ ଓ ୫ ବର୍ଷୀୟ ଅକ୍ଷୟ ।

ଗତକାଲି ସକାଳେ ରାକେଶଙ୍କର ଜଣେ ସମ୍ପର୍କୀୟ ଘରକୁ ଆସିଥିବାବେଳେ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ସେ ଗାଁ ଲୋକ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତ ରାକେଶର ପରିବାରର ଆର୍ଥିକ ଅବସ୍ଥା କେମିତି ଥିଲା ଓ ଅନ୍ଯାନ୍ଯ ଦିଗ ସମ୍ପର୍କରେ ପୋଲିସ ତଦନ୍ତ କରୁଛି । ଏହା ଆତ୍ମହତ୍ଯା ନା ହତ୍ଯା ସେନେଇ ସ୍ପଷ୍ଟ ହୋଇନଥିବାବେଳେ ସମ୍ପର୍କୀୟ ଓ ପଡ଼ୋଶୀଙ୍କୁ ପୋଲିସ ପଚରାଉଚରା କରୁଛି ।