spot_img
Home Blog Page 171

ଆସନ୍ତାକାଲି ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି

ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ବିଜେଡି ପାଳନ କରିବ ୨୯ତମ ପ୍ରତିଷ୍ଠା ଦିବସ। ନବୀନ ପଟ୍ଟନାୟକଙ୍କ ଶାସନରେ ଏସବୁ ପାଳନ କରିଛି ବିଜୁ ଜନତା ଦଳ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା କରାଯାଇଛି। ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ, ଅଭାବୀରୁ ପ୍ରଭାବୀ ଓଡ଼ିଶାର ସଂଗ୍ରାମ, ଆର୍ଥିକସ୍ତରରେ ସଶକ୍ତ କରିବାର ସଂଗ୍ରାମରେ ବିଜେଡି ସଫଳତା ପାଇଛି।

ଆଜି ବିରୋଧୀ ଦଳ ଭାବେ ସରକାରୀ ଅବିଚାର ବିରୋଧରେ ସଂଗ୍ରାମ, ମହାନଦୀ ପୋଲାଭରମ ପାଇଁ ସଂଗ୍ରାମ, ଆଦିବାସୀ ସ୍ୱାର୍ଥ ପାଇଁ ସଂଗ୍ରାମ, ଚାଷୀ, ପଛୁଆ ବର୍ଗଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରଖିଛି ବିଜେଡି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା ବିରୋଧରେ ଲୋକଙ୍କ ସମସ୍ୟା ପାଇଁ ବିଜେଡି ଆନ୍ଦୋଳନ କରୁଛି। ଦରଦାମ ବୃଦ୍ଧି ବିରୋଧରେ ଯେଉଁ ବିଶାଳ ସମାବେଶ ହୋଇଥିଲା, ସେଥିରେ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ୨୯ ବର୍ଷରେ ସେହି ସଂକଳ୍ପକୁ ପୁଣି ଆଗକୁ ନିଆଯିବ।

ଆସନ୍ତାକାଲି ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ନବୀନ ପଟ୍ଟନାୟକ ଯୋଗ ଦେବେ। ସକାଳ ୧୦ଟା ରେ ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀରୁ ରାଲି ଆସି ଶଙ୍ଖ ଭବନରେ ପହଂଚିବ। ବିମାନ ବନ୍ଦର ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଆଗାମୀ ଦିନରେ ବିଜେଡି ପୁଣି ଜନକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବ। ୧୮ ମାସରେ ଓଡ଼ିଶାକୁ ବିପର୍ଯୟ ଆଡ଼କୁ ବିଜେପି ସରକାର ଠେଲି ଦେଲାଣି। ଲୋକେ ଏହାର ଜବାବ ମାଗିବେ।

ପୁଣି ମହାପ୍ରଭୁଙ୍କୁ ଅପମାନ: ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ର କୂଳରେ ଭାସିଵାର ଦୃଶ୍ୟ ଭାଇରାଲ

ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ର କୂଳରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଵାରେ ଲାଗିଛି । ଏହି ଦୃଶ୍ୟ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି । ଏହା ପୁରୀ ବେଳାଭୂମିର ଦୃଶ୍ୟ ବୋଲି ଅନୁମାନ କରାଯାଉଛି । ତେବେ କିଏ ଓ କାହିଁକି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ବେଳାଭୂମିରେ ଭସେଇଛି ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ବେଳାଭୂମିରେ ମହାପ୍ରଭୁଙ୍କ ମୂର୍ତ୍ତି ଭାସୁଥିବାର ଦେଖି କିଛି ପର୍ଯ୍ୟଟକ ମୂର୍ତ୍ତିକୁ ପାଣି ଭିତରୁ ଆଣୁଥିବା ବେଳେ ଆଉ କିଛି ପର୍ଯ୍ୟଟକ ମାନେ ସେଲଫି ନେଉଛନ୍ତି ।

ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ଗଣେଶ ନିହତ: ଗଣେଶ ନାଁରେ ରହିଥିଲା ୧ କୋଟି ୨୦ ଲକ୍ଷର ପୁରସ୍କାର ରାଶି

ଯବାନଙ୍କ ଗୁଳିରେ ୫ ମାଓବାଦୀ ମୃତ । ମାଓ ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ଉଇକେ ମୃତ । ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ଗଣେଶ ନାଁରେ ଥିବା ୧ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଫୁଲବାଣୀ ଏନକାଉଣ୍ଟରରେ ଗଣେଶ ନିହତ ହୋଇଥିବା ସୂଚନା ମିଳିଛି । ଗଣେଶ ସମେତ ୪ ଜଣ ସହଯୋଗୀ ନିହତ ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟ ଚାରି ଜଣ ହେଲେ ରୁପା, ରାଜେଶ ତିୱାର, ଚାମ୍ରୁ ଓ ପାକ୍କା ହନୁମାନ୍ତୁ । ଗୁଇନ୍ଦା ଖବର ପାଇ ଅପରେସନ କରାଯାଇଥିଲା । ନରଙ୍ଗିଝୋଲା ଜଙ୍ଗଲରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଥିଲେ ।

ଇଣ୍ଡିଗୋ ସଙ୍କଟ ପରେ ୩ଟି ନୂଆ ଏୟାରଲାଇନ୍ସକୁ କେନ୍ଦ୍ରର ଅନୁମତି

ଇଣ୍ଡିଗୋ ସଙ୍କଟ ପରେ ୩ଟି ନୂଆ ଏୟାରଲାଇନ୍ସକୁ କେନ୍ଦ୍ରର ଅନୁମତି। ଶଙ୍ଖ ଏୟାର, ଅଲ ହିନ୍ଦ ଏୟାର ଓ ଫ୍ଲାଇଏକ୍ସପ୍ରେସକୁ ଅନୁମତି ଦେଇଛନ୍ତି ସରକାର। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଠାରୁ ଏହି ୩ଟି ଏୟାରଲାଇନ୍ସ ନୋ ଅବଜେକସନ ସାର୍ଟିଫିକେଟ ପାଇଛନ୍ତି। ଇଣ୍ଡିଗୋ ସମେତ ମୃଷ୍ଟିମେୟ ବିମାନ ଚଳାଚଳ ସଂସ୍ଥା ଉପରେ ନିର୍ଭର କରିବା ବଦଳରେ ଅନ୍ୟ ସଂସ୍ଥାକୁ ଏହି କ୍ଷେତ୍ରକୁ ପ୍ରବେଶ କରିବା ଲାଗି ଅନୁମତି ଦେଇଛନ୍ତି ସରକାର। ଦେଶର ବିମାନ ଚଳାଚଳ କ୍ଷେତ୍ରର ଆଖିଦୃଶିଆ ବୃଦ୍ଧି ଘଟୁଥିବାବେଳେ ମୁଷ୍ଟିମେୟ ବିମାନ ଚଳାଚଳ ସଂସ୍ଥା ଉପରେ ସରକାର ନିର୍ଭରଶୀଳ ଅଛନ୍ତି। କିଛି ଦିନ ତଳେ ଇଣ୍ଡିଗୋ ଏୟାରଲାଇନ୍ସରେ ବିଭିନ୍ନ ସଙ୍କଟ ଦେଖାଦେଇଥିବାରୁ ଲକ୍ଷ ଲକ୍ଷ ଯାତ୍ରୀ ସମସ୍ୟାର ମ୍ମୁଖୀନ ହୋଇଥିଲେ। ଏଥିଲାଗି କେନ୍ଦ୍ର ସରକାର ଅଡୁଆରେ ପଡିଥିଲେ। ଅଲ ହିନ୍ଦ ଏୟାର କେରଳର ଅଲହିନ୍ଦ ଗ୍ରୁପର ଥିବାବେଳେ ଫ୍ଲାଇ ଏକ୍ସପ୍ରେସ ହେଉଛି ଏକ ପ୍ରସ୍ତାବିତ ଏୟାରଲାଇନ। ଆସନ୍ତା ବର୍ଷ ଶଙ୍ଖ ଏୟାର ବିମାନ ଉଡାଣ ଭରିବ। ବ୍ୟାବସାୟିକ ସେବା ଆରମ୍ଭ ପୂର୍ବରୁ ଏହି ୩ଟି ଯାକ ଏୟାରଲାଇନ୍ସ ସମସ୍ତ ନୀତି, ନିୟମ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦେଶରେ ଇଣ୍ଡିଗୋ, ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ଆଲାଏନ୍ସ ଏୟାର, ଆକାଶ ଏୟାର, ସ୍ପାଇସଜେଟ, ଷ୍ଟାର ଏୟାର, ଫ୍ଲାଏ-୯୧ ଓ ଇଣ୍ଡିଆ ୱାନ ଏୟାର କାର୍ଯ୍ୟକ୍ଷମ ରହିଛନ୍ତି।

ଜଣାଶୁଣା କମେଡ଼ିଆନ ଗୁଲୁଆଙ୍କୁ ବ୍ଲାକମେଲିଂ କରାଯାଉଥିବା ନେଇ ଅଭିଯୋଗ

ଓଡ଼ିଶାର ଜଣାଶୁଣା YOU TUBER ତଥା କମେଡିଆନ ଆଶିଷ କୁମାର ଦାସ ନିଜ ଜୀବନ ପ୍ରତି ବିପଦ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କୁ ବ୍ଲାକମେଲିଂ କରାଯାଉଥିବାର ସେ ଅଭିଯୋଗ କରିଛନ୍ତି। ଏ ନେଇ ଗୁଲୁଆ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି। ତାଙ୍କୁ କେହି କୋଟିଏ ଟଙ୍କା ମାଗୁଥିବା ସଂପର୍କରେ ଏକ ଭିଡିଓ ମାଧ୍ୟମରେ ସେ କହିଛନ୍ତି।

ଭୁଲ ଇଂଜେକସନ ଯୋଗୁ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ପୁତ୍ର ସନ୍ତାନ ଜନ୍ମ ପରେ ଚାଲିଗଲା ମା’ର ଜୀବନ । ଭୁଲ ଇଂଜେକସନ ଯୋଗୁ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବରୀ ରତ୍ନଗିରି ଅଞ୍ଚଳର ସସ୍ମିତା ଜେନା ନାମକ ଗର୍ଭବତୀ ଘରେଇ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ । ଅସ୍ତ୍ରୋପ୍ରଚାର ପରେ ଶିଶୁ ପୁତ୍ର ଜନ୍ମ ହେଲେ ମଧ୍ୟ ମା’ର ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଛି । ଭୁଲ ଇଂଜେକସନ ଓ ତ୍ରୁଟିପୂର୍ଣ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଉତ୍ତେଜନା ଯୋଗୁ ଚିକିତ୍ସାଳୟ ମାଲିକ ବାହାର ଗୁଣ୍ଡା ଲଗାଇ ଠେଲାପେଲା ଓ ଧକ୍କା ମାରି ବାହାର କରିଦେବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଗୁଣ୍ଡା ମାନେ କିଏ ତାଙ୍କ ଫଟୋ ସିସି ଫୁଟେଜରୁ ପୋଲିସ ଚିହ୍ନଟ କରୁ ବୋଲି ଦାବି କରିଛନ୍ତି ପରିବାର ଲୋକ। ଏହାସହ ଘରୋଇ ନର୍ସିଂହୋମରେ ସରକାରୀ ଡାକ୍ତରଙ୍କୁ ଘେରି ରହିଛନ୍ତି ସମ୍ପର୍କୀୟ। ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କଲେ ମୃତକଙ୍କ ପରିବାର।ଘଟଣାସ୍ଥଳରେ ଯାଜପୁର ଟାଉନ ପୁଲିସ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛି ।

ରାଜ୍ୟ କ୍ରୀଡ଼ା ଭବିଷ୍ୟତଙ୍କ କଦର୍ଯ୍ୟ ଟ୍ରେନ୍ ଯାତ୍ରା: ପ୍ରତିକ୍ରିୟା ରଖିଲେ ଗଣଶିକ୍ଷାମନ୍ତ୍ରୀ

ରାଜ୍ୟ କ୍ରୀଡ଼ା ଭବିଷ୍ୟତଙ୍କ କଦର୍ଯ୍ୟ ଟ୍ରେନ୍ ଯାତ୍ରା । ସ୍କୁଲ ଗେମ ଖେଳିବା ପାଇଁ ଓଡ଼ିଶାରୁ ଉତ୍ତରପ୍ରଦେଶ ଯାତ୍ରା କରିବା ବେଳେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଖେଳାଳି । ଟିକେଟ କନଫର୍ମ ହୋଇ ନଥିବାରୁ ଟ୍ରେନ୍ ଟଏଲେଟ୍ ପାଖରେ ବସି କରିଥିଲେ ଯାତ୍ରା । ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ସେହି ସମୟର ଭିଡ଼ିଓ । ଉତ୍ତରପ୍ରଦେଶରେ ଆୟୋଜିତ ହୋଇଥିଲା ଜାତୀୟ କୁସ୍ତି ଚାମ୍ପିଅନସିପ୍ । ଏଥିରେ ଭାବ ନେବାକୁ ଓଡ଼ିଶା ସ୍କୁଲ କୁସ୍ତିଯୋଦ୍ଧା ଟ୍ରେନରେ ଯାତ୍ରା କରିଥିଲେ । ହେଲେ ଟିକେଟ୍ କନଫର୍ମ ନହେବାରୁ ଟ୍ରେନ ଟଏଲେଟ୍ ନିକଟରେ ବସି ଯାତ୍ରା କରିଥିଲେ ଖେଳାଳି । ଏପରିକି ସେହିଭଳି ଅବସ୍ଥାରେ ମଧ୍ୟ ୟୁପିରୁ ଫେରିଥିଲେ । ଏହି ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ଗଣଶିକ୍ଷାମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଭିଡ଼ିଓର ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ଏହି ଭିଡିଓ କ୍ଲିପକୁ ସୋସିଆଲ ମିଡ଼ିଆରେ ଦେଖିବା ପରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ କରି ବିସ୍ତୃତ ରିପୋର୍ଟ ଦେବାକୁ ଅତିରିକ୍ତ ଗଣଶିକ୍ଷା ସଚିବ ଚିଠି କରିଛନ୍ତି । ଆସନ୍ତାକାଲି ସୁଦ୍ଧା ଗଣଶିକ୍ଷା ସଚିବଙ୍କ ପାଖରେ ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୧୭ ବର୍ଷର ଆତ୍ମନିର୍ବାସନ ପରେ ବାଂଲାଦେଶ ଫେରିଲେ ତାରିକ ରେହମାନ

୧୭ ବର୍ଷର ଆତ୍ମନିର୍ବାସନ ପରେ ବାଂଲାଦେଶ ଫେରିଲେ ତାରିକ ରେହମାନ। ବାଂଲାଦେଶ ଜାତୀୟତାବାଦୀ ପାର୍ଟି ବା ବିଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ଲାଗି ଢାକାରେ ସମବେତ ହୋଇଛନ୍ତି ଲକ୍ଷାଧିକ ସମର୍ଥକ। ବିଭିନ୍ନ କାରଣରୁ ସେ ପ୍ରାୟ ୧୭ ବର୍ଷ ଧରି ଲଣ୍ଡନରେ ଆତ୍ମନିର୍ବାସିତ ଜୀବନ କଟାଉଥିଲେ। ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ପୁଅ। ଆସନ୍ତା ବର୍ଷ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ବିଏନପି ଯୋଗ ଦେବାକୁ ଯାଉଥିବାରୁ କ୍ଷେତ୍ର ପ୍ରସ୍ତୁତ ଲାଗି ତାରିକ ବାଂଲାଦେଶ ଫେରିଛନ୍ତି। ସେ ବିମାନ ବାଂଲାଦେଶ ଏୟାରଲାଇନ୍ସର ଏକ ବିମାନରେ ଲଣ୍ଡନରୁ ଫେରିଛନ୍ତି। ଭାରତ ସପକ୍ଷବାଦୀ ଆୱାମି ଲିଗକୁ ବାଂଲାଦେଶ ସାଧାରଣ ନିର୍ବାଚନ ଲଢିବା ଲାଗି ବାରଣ କରାଯାଇଥିବା ବେଳେ ତାରିକଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଗୁରୁତ୍ବପୂର୍ଣ୍ଣ ହୋଇଛି। ସେପଟେ ତାରିକଙ୍କ ମା ବେଗମ ଖାଲେଦା ଜିଆ ବି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଆସନ୍ତା ଫେବୃଆରୀ ୧୨ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ତା ପୂର୍ବରୁ ସେ ସ୍ବଦେଶ ଫେରିଛନ୍ତି। ଆୱାମି ଲିଗ୍ ଶାସନ କାଳରେ ତାରିକଙ୍କ ବିରୋଧରେ ଆଇନଗତ ପ୍ରତିବନ୍ଧକ ଲାଗିଥିବାରୁ ସେ ଫେରିପାରୁ ନଥିଲେ। ବିଭିନ୍ନ ହାଇପ୍ରୋଫାଇଲ ମାମଲାରୁ ସେ ଖଲାସ ହେବା ପରେ ତାରିକ ଢାକା ଫେରିଛନ୍ତି। ତାରିକ ଆଜି ଯାଏ କୌଣସି ନିର୍ବାଚନ ଲଢିନାହାନ୍ତି। ୨୦୦୮ରୁ ସେ ଲଣ୍ଡନରେ ବାସ କରିଆସୁଥିଲେ। ସେବଠାରୁ ସେ ଲଣ୍ଡନରୁ ବିଏନପିକୁ ପରିଚାଳନା କରୁଥିଲେ। ୨୦୦୧ରୁ ୨୦୦୬ ଯାଏ ବିଏନପିର ବିବାଦୀୟ ମୁଖ୍ୟ କାର୍ଯ୍ଯାଳୟ ଥିଲା ହାୱା ଭବନ। ସେହି ସମୟରେ ତାରିକ ଦଳର ସବୁ କଥା ବୁଝୁଥିଲେ। ତେବେ ହାୱା ଭବନ ଥିଲା ଅନେକ ଦୁର୍ନୀତି, ରାଜନୈତିକ ହିଂସାର ପ୍ରମୁଖ କେନ୍ଦ୍ର।

ଧାନ କିଣାକୁ ନେଇ ଥମୁନି ବିବାଦ, ଯୋଗାଣ ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ବିରୋଧୀଙ୍କ ତୁମ୍ବିତୋଫାନ

ଧାନ କିଣାକୁ ନେଇ ଥମୁନି ବିବାଦ, ଯୋଗାଣ ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ବିରୋଧୀଙ୍କ ତୁମ୍ବିତୋଫାନ

ନନ୍ଦିଘୋଷ ବ୍ୟୁରୋ:  ଧାନକିଣା ଡବଲ ସ୍ପିଡରେ ଚାଲିଛି । ଚଳିତବର୍ଷ ସରକାର ୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ରାସ୍ତାରେ ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଆନ୍ଦୋଳନଜୀବୀ । ଯୋଗାଣ ମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିବାବେଳେ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ମିଛ କହି ଭୋଟ ନେଲା ପରେ ଚାଷୀଙ୍କୁ ଯୋଗାଣ ମନ୍ତ୍ରୀ ଆନ୍ଦୋଳନଜୀବୀ କହିବା ନିହାତି ଅଶୋଭନୀୟ ବୋଲି ବିଜେଡି କହିଛି । କଂଗ୍ରେସ ମଧ୍ୟ ସରକାରଙ୍କୁ କଠୋର ଭାଷାରେ ଟାର୍ଗେଟ କରିଛି ।

ଟୋକନ ପାଇଁ ସମ୍ବଲପୁର ବନ୍ଦ ।  ଧାନ ଉଠୁ ନଥିବାରୁ ବଲାଙ୍ଗୀରରେ ଚାଷୀଙ୍କ ଜିଲ୍ଲାପାଳ ଅଫିସ ଘେରାଉ । କଳାହାଣ୍ଡି, ବରଗଡ ସବୁଠି ଧାନ କିଣାରେ ଅବ୍ୟବସ୍ଥା । ଟୋକନ ସମସ୍ୟା ଓ ଧାନ ଉଠାଣକୁ ନେଇ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ସରକାର କିନ୍ତୁ ବେଫିକର । ଧାନ କିଣାକୁ ନେଇ ପୂରା ରାଜ୍ୟରେ ଚାଷୀ ଅସନ୍ତୋଷ ଥିବା ବେଳେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଛନ୍ତି ବିବାଦୀୟ ବୟାନ । ରାସ୍ତାରେ ଆନ୍ଦୋଳନ କରୁଥିବା ଚାଷୀ ହେଉଛନ୍ତି ଆନ୍ଦୋଳନଜୀବୀ । ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । କିନ୍ତୁ ସୁରୁଖୁରୁରେ ଚାଲିଛି ଧାନ ସଂଗ୍ରହ । ଚଳିତବର୍ଷ ଧାନକିଣା ଡବଲ ସ୍ପିଡରେ ହେଉଥିବା ମନ୍ତ୍ରୀ ଯୁକ୍ତି ବାଢିଛନ୍ତି । ଚଳିତବର୍ଷ ୧୯ ଲକ୍ଷ ୬୮ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୪୧ ହଜାର ଟୋକନ ଇସ୍ୟୁ ହେବା ସହ ୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ଲକ୍ଷେ ଚାଷୀ ଧାନ ବିକି ସାରିଲେଣି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ ବରଗଡ଼ରେ ୧ ଲକ୍ଷ ୮୦ ହଜାର ୭୮୫ ମେଟ୍ରିକ ଟନ ଧାନ ସଂଗ୍ରହ ସରିଲାଣି । ସମ୍ବଲପୁରରେ ୧ ଲକ୍ଷ ୩୪ ହଜାର ୭୧୮ମେଟ୍ରିକ ଟନ ଧାନ ଉଠି ସାରିଲାଣି । କଳାହାଣ୍ଡି ୯୦ ହଜାର, ନୂଆପଡା ୫୭ ହଜାର ମେଟ୍ରିକ ଟନ ଧାନ ଉଠିଲାଣି ।

ସେପଟେ ଚାଷୀଙ୍କୁ ଯୋଗାଣମନ୍ତ୍ରୀ ଆନ୍ଦୋଳନଜୀବୀ କହିବାକୁ ନେଇ କଡା ଜବାବ ଦେଇଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଭୋଟ ନେଇସାରିଲା ପରେ ଚାଷୀଙ୍କୁ ବିଜେପି ସରକାର ଆନ୍ଦୋଳନଜୀବୀ କହୁଛି । ଧାନ କିଣାରେ ସମ୍ପୃକ୍ତ ୩ ବିଭାଗ ମଧ୍ୟରେ ସାମଞ୍ଜସ୍ୟ ନାହିଁ । ସରକାର ଧାନ କିଣିବାକୁ ଅକ୍ଷମ । ଚାଷୀଙ୍କୁ ସାହାଯ୍ୟ କରିବାକୁ ଅକ୍ଷମ । ସେ କଥା ସରାକର ଘୋଷଣା କରି ଦିଅନ୍ତୁ ବୋଲି କହିଛି ବିଜେଡି । ଆମେ ମିଛ କଥା କହି ସରକାରକୁ ଆସିଥିଲୁ । ଆମେ ତୁମ କଥା ପୂରଣ କରି ପାରିବୁ ନାହିଁ । ତା’ହେଲେ ଚାଷୀ ତାଙ୍କ ଅନ୍ୟବାଟ ଖୋଜିବେ । ଚାଷୀଙ୍କୁ ମିଛ ପ୍ରତିଶୃତି ଦେବାରୁ ସରକାର ଖ୍ୟାନ୍ତ ହେବା ଦରକାର ବୋଲି ବିଜେଡି । କଂଗ୍ରେସ ମଧ୍ୟ ଚାଷୀ ସମସ୍ୟାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ।

ଚଳିତବର୍ଷ ମାସେ ବିଳମ୍ବରେ ଧାନ କିଣା ଆରମ୍ଭ କରିଛନ୍ତି ସରକାର । ମଣ୍ଡିରେ ଚାଷୀ ନାନା ସମସ୍ୟା ଭୋଗୁଥିବା ବେଳେ ଚାଷୀଙ୍କୁ ଟୋକନ ମିଳୁନଥିବାରୁ ପଶ୍ଚିମ ଓଡିଶାରେ ଚାଷୀ ହନ୍ତସନ୍ତ ହେଉଛନ୍ତି । ଏତେ ସବୁ ପରେ ମଧ୍ୟ ସରକାର କହୁଛନ୍ତି ସୁରୁଖୁରୁରେ ଚାଲିଛି ଧାନ କିଣା ।

ଚାପ ପରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି ଫେବୃଆରୀ ପହିଲା ଯାଏଁ ଘୁଞ୍ଚାଇଛନ୍ତି ସରକାର

ଚାପ ପରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି ଫେବୃଆରୀ ପହିଲା ଯାଏଁ ଘୁଞ୍ଚାଇଛନ୍ତି ସରକାର

ନନ୍ଦିଘୋଷ ବ୍ୟୁରୋ: ଜାନୁଆରୀରୁ ପ୍ରଦୂଷଣ ପ୍ରମାଣପତ୍ର ଧରପଗଡ଼ ଖବର ପ୍ରସାରଣ ପରେ ସାଧାରଣ ଲୋକଙ୍କ ଭିତରେ ଅସ୍ଥିରତା ଦେଖାଦେଇଛି । ସରକାରଙ୍କ ବୈଠକ ପରେ ପରେ ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ଲମ୍ବା ଲାଇନ ଦେଖିବାକୁ ମିଳୁଥିଲା । ସରକାରଙ୍କ ଏଭଳି ତରବରିଆ ନିଷ୍ପତ୍ତିକୁ ବିରୋଧ ଆରମ୍ଭ କରିଥିଲେ ଜନସାଧାରଣ । ତେବେ ବିଭିନ୍ନ ମହଲରୁ ଚାପ ପରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି ଫେବୃଆରୀ ପହିଲା ଯାଏଁ ଘୁଞ୍ଚାଇଛନ୍ତି ସରକାର । ତେବେ ଦଣ୍ଡବିଧାନ ନେଇ ଚାଲିଥିବା ଗୁଜବଠାରୁ ଦୂରରେ ରହିବାକୁ ପରିବହନ ବିଭାଗ ଅନୁରୋଧ କରିଛି ।

ଶେଷରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଅବଧି ବୃଦ୍ଧି କରିବାକୁ ବାଧ୍ୟ ହେଲେ ସରକାର । ଦୁଇ ଦିନ ହେବ ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ଟେଷ୍ଟିଂ ସେଣ୍ଟର ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳୁଥିଲା । ଦିନର ଖରା ହେଉ କି ରାତିର ଜାଡ଼, ସବୁ କଷ୍ଟ ସହି ଲୋକେ ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ଲାଇନ ଲଗାଉଛନ୍ତି । ସରକାରଙ୍କ ବୈଠକ ପରେ ହଠାତ ଜାଣିବାକୁ ମିଳିଥିଲା ଯେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା । ଏଥିସହ ୧୦ ହଜାର ଟଙ୍କାର ଜରିମାନା ରହିଛି । ଏନେଇ ସବୁ ଗାଡି ମାଲିକ ବ୍ୟସ୍ତ ବିବ୍ରତ ହୋଇ ଟେଷ୍ଟିଂ ସେଣ୍ଟର ଧାଇଁଲେ । ବର୍ତ୍ତମାନ ଲୋକଙ୍କୁ ଆଉ ଏକ ସୁଯୋଗ ମିଳିଛି । ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ଲାଗୁ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଏହାକୁ ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବୃଆାରୀ ପହିଲାକୁ ଘୁଞ୍ଚାଯାଇଛି । ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନଥିବା ଯାନମାନେ ପ୍ରଦୂଷଣ ଯାଞ୍ଚ କରାଇ ନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଫେବ୍ରୁଆରୀ ପହିଲା ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ । ଏହି ସମୟରେ ପ୍ରଦୂଷଣ ସାର୍ଟିଫିକେଟ ସଂକ୍ରାନ୍ତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି ।

ସମୟ ସୀମା ବୃଦ୍ଧି ଖବର ପାଇବା ପରେ ବି ଲୋକଙ୍କ ଲାଇନ କମିନି । ଯେଉଁଥି ପାଇଁ ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଇନ୍ଧନ ମନା ପ୍ରସଙ୍ଗରେ କୌଣସି ଗୁଜବର ଶିକାର ହୋଇ ବିବ୍ରତ ନହେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛି ପରିବହନ ବିଭାଗ । ନିୟମର ଅନୁପାଳନ କରୁଥିବା ମୋଟରଯାନ ବ୍ୟବହାରକାରୀଙ୍କ ପାଇଁ କିଛି ବି ଚିନ୍ତା କରିବା ଆବଶ୍ୟକ ନାହିଁ । ଏହା କେବଳ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ପରିବହନ ସେବା ସମ୍ବନ୍ଧୀୟ କୌଣସି ସୂଚନା ପାଇଁ ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର- ୧୮୦୦୩୪୫୧୦୭୩ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛି ପରିବହନ ବିଭାଗ । ପରିବେଶ ସୁରକ୍ଷା ଭଳି ମହତ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ମୋଟର ଯାନ ଆଇନ ଆଧାରରେ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ।