ନନ୍ଦିଘୋଷ ବ୍ୟୁରୋ: ଆଦିବାସୀ ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଫାଣ୍ଡିରେ ଘଟିଛି ଏହି ଘଟଣା |ଟ୍ରାକ୍ଟର ବ୍ଯାଟେରୀ ଚୋରି ଅଭିଯୋଗରେ ସାହାଜ ବାହାଲ ଗ୍ରାମର ରାଜେଶ ମିର୍ଦ୍ଧାକୁ ଚିପିଲିମା ଫାଣ୍ଡିକୁ ଉଠାଇ ନେଇଥିଲା ପୋଲିସ । ସେଠାରେ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ଓ ସାଥି କର୍ମଚାରୀ ରାଜେଶଙ୍କୁ ନିର୍ଧୁମ ମାଡ ମାରି ରକ୍ତାକ୍ତ କରି ସାଦା କାଗଜରେ ଦସ୍ତଖତ ନେଇଥିଲେ | ଏହା ପରେ ଛାଡି ଦେଇଥିଲେ | ଫଳରେ ରାଜେଶଙ୍କ ମାଁ ସୁବାଷିନି ମିର୍ଦ୍ଧା ପୁଅର ଅବସ୍ଥା ଦେଖି ମେଡିକାଲରେ ଭର୍ତ୍ତି କରିଥିଲେ | ଏହା ପରେ ସୁବାଷିନି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି।
‘ରତ୍ନଭଣ୍ଡାର ଖୋଲିବା ନେଇ ଧାର୍ଯ୍ୟ ହୋଇନି ତାରିଖ’
ପୁରୀ: ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହୋଇନି ନିଷ୍ପତ୍ତି । ପରବର୍ତ୍ତୀ ବୈଠକ ଆସନ୍ତା ୯ ତାରିଖରେ ବସିବ। ସେଦିନ ଟ୍ରେଜେରୀରେ ଥିବା ଡୁପ୍ଲିକେଟ ଚାବିକୁ ଯାଞ୍ଚ କମିଟି ଆଗରେ ପ୍ରଡ୍ଯୁସ କରାଯିବ । ସେହିଦିନ ହିଁ କେବେ ରତ୍ନଭଣ୍ଡାର ଖୋଲିବ ସେ ନେଇ ନିଆଯିବ ନିଷ୍ପତ୍ତି । ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ଶେଷ ପରେ ଗଣମାଧ୍ଯମକୁ ଏହି ସୂଚନା ଦେଇଛନ୍ତି ଯାଞ୍ଚ କମିଟି ଅଧ୍ଯକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ।
ତେବେ ବହୁଦିନରୁ ସେ ଚାବି ଓ ତାଲା ଥିବାରୁ ଖୋଲିବ କି ନାହିଁ ସେ ନେଇ ସନ୍ଦେହ ରହୁଛି । ଆବଶ୍ଯକ ପଡିଲେ ରତ୍ନଭଣ୍ଡାର ଘର ତାଲାକୁ ଭଙ୍ଗାଯିବ । ଏଥିପାଇଁ ଏକ ଏସଓପି ଆସିବ । ଏସଓପି ଅନୁସାରେ ତାଲା ଭଙ୍ଗା ପ୍ରକ୍ରିୟା କରାଯିବ। ତାଲା ଭଙ୍ଗାପରେ ଯାଞ୍ଚ କମିଟି କେବଳ ଅଳଙ୍କାର ଗଣତି ଓ ମଣତି ତଦାରଖ କରିବ । ଗଣତି ମଣତିରେ କିଏ ରହିବେ କମିଟି ପ୍ରସ୍ତାବ ଦେବ । ଯେଉଁଠି ମରାମତି ଦରକାର ଥିବ ସେ କାମ ମଧ୍ଯ କରାଯିବ । ମରାମତି ସମ୍ପର୍କରେ ମଧ୍ଯ ଏକ ସ୍ୱତନ୍ତ୍ର ଏସଓପି କରାଯିବ । ତେବେ ଜୁଲାଇ ୧୯ତାରିଖ ଭିତରେ ରତ୍ନଭଣ୍ଡାର ଖୋଲିବା ନେଇ ଆଶା ରହିଛି ବୋଲି କହିଛନ୍ତି ଜଷ୍ଟିସ ରଥ ।
କଲେଜ ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ହଳଦିଆ କଲେଜର ଛାତ୍ରଛାତ୍ରୀ । କଲେଜ ଅଧ୍ୟକ୍ଷଙ୍କୁ କାର୍ଯ୍ୟାଳୟରେ ପଶି ଆକ୍ରମଣ ଘଟଣାରେ ପ୍ରତିବାଦ କରିଛନ୍ତି। ଗତ ୩ ତାରିଖରେ କଲେଜ ଅଧ୍ୟକ୍ଷ ଉମାକାନ୍ତ ପାତ୍ରଙ୍କୁ କାର୍ଯ୍ୟାଳୟରେ ପଶି ଆକ୍ରମଣ କରିଥିଲେ କିଛି ଅସାମାଜିକ ବ୍ୟକ୍ତି। କଲେଜ ଅଧ୍ୟାପକ, ପରିଚାଳନା ବୋର୍ଡ ସଭାପତି ମଧ୍ୟ ଏଥିରେ ସଂପୃକ୍ତ ଥିଲେ। ଏ ସଂପର୍କରେ ଥାନାରେ ଆକ୍ରମଣକାରୀଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଘଟଣାର ୪ଦିନ ବିତିଯାଇଥିଲେ ସୁଦ୍ଧା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଜାରି ।
ଘୁଞ୍ଚିଲା ନିଟ୍ ୟୁଜି ନାମଲେଖା କାଉନସେଲିଂ
ନନ୍ଦିଘୋଷ ବ୍ୟୁରୋ: ସ୍ଥଗିତ ରଖାଯାଇଛି ନିଟ୍ କାଉନସେଲିଂ। ଆଜିଠାରୁ ଏହି କାଉନସେଲିଂ ହେବାର ଥିଲା। କିନ୍ତୁ ତାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ଯନ୍ତ ଏହି କାଉନସେଲିଂକୁ ଘୁଞ୍ଚାଇ ଦିଆଯାଇଥିବା ଏନଟିଏ ତରଫରୁ ସୂଚନା ମିଳିଛି। ଗତ ମେ’ ୫ ତାରିଖରେ ହୋଇଥିଲା ମେଡିକାଲ ଏଣ୍ଟ୍ରାନ୍ସ ନିଟ୍ । ପ୍ରଶ୍ନପତ୍ର ଲିକ୍, ଅନିୟମିତତା ଅଭିଯୋଗ ଓ ଗ୍ରେସ୍ ମାର୍କ ବିବାଦ ପରେ ଜୁନ୍ ୨୩ରେ ୧୫୬୩ ପିଲାଙ୍କୁ ପୁଣି ଥରେ ପରୀକ୍ଷା ଦେବାର ସୁଯୋଗ ଦିଆଯାଇଥିଲା। ତାର ରେଜଲ୍ଟ ବାହାରିଥିଲା ଜୁଲାଇ ୧ରେ । ଏହା ପରେ ଆଜି କାଉନସେଲିଂ ହେବାର ଥିଲା। କିନ୍ତୁ ତାକୁ ଏବେ ଘୁଞ୍ଚାଇ ଦିଆଯାଇଛି। ଏହା ଦ୍ବାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପୁଣି ଅନିଶ୍ଚିତତାରେ ରହିଛନ୍ତି।

