spot_img
Home Blog Page 1697

ଜଗନ୍ନାଥ ଭଜନ ଗାଉ ଗାଉ ଚାଲିଗଲା ଜିଲ୍ଲାପାଳଙ୍କ ଜୀବନ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଗଜପତି : ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିରେନ୍ଦ୍ର କୁମାର ଦାସଙ୍କ ହୃଦଘାତରେ ପରଲୋକ । ତାଙ୍କର ବିୟୋଗରେ ସମସ୍ତ ଜିଲ୍ଲା ପ୍ରଶାସନରେ ଶୋକର ଛାୟା ଖେଳିଯାଇଛି । ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ସମାପନକୁ ନେଇ ଗତକାଲି ସନ୍ଧ୍ୟାରେ ପାରଳାଖେମୁଣ୍ଡି ବୃନ୍ଦାବନ ପ୍ୟାଲେସ ପରିସରରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର  ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଠାରେ ଯୋଗଦେଇ ମଞ୍ଚରେ ଜଗନ୍ନାଥଙ୍କ ଏକ ଭଜନ ଗାଇବାକୁ ପ୍ରସ୍ତୁତ ହେବା ସମୟରେ ହୃଦଘାତର ଶୀକାର ହୋଇଥିଲେ । ତୁରନ୍ତ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି।

ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସ୍ଵର୍ଗତ ଦାସ ଜଣେ ନିଷ୍ଠାପର, ଦାୟିତ୍ଵ ସମ୍ପନ୍ନ ଅଧିକାରୀ ଭାବେ  ଜନସାଧାରଣଙ୍କ ହିତ ପାଇଁ ସର୍ବଦା କର୍ମରତ ଥିଲେ। ଉଚ୍ଚକୋଟୀର ପ୍ରଶାସନିକ ଦକ୍ଷତା ପାଇଁ ସେ ସବୁମହଲରେ ପ୍ରଶଂସିତ ଥିଲେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ମୁମ୍ବାଇ ହିଟ୍ ଆଣ୍ଡ ରନ ମାମଲା : ଜୁଲାଇ ୧୬ ଯାଏଁ ପୋଲିସ ହେପାଜତକୁ ଗଲା ଅଭିଯୁକ୍ତ ମିହିର

ନୂଆଦିଲ୍ଲୀ : ମୁମ୍ବାଇ ହିଟ୍ ଆଣ୍ଡ ରନ ମାମଲା। ଆସନ୍ତା ଜୁଲାଇ ୧୬ ଯାଏଁ ପୋଲିସ ହେପାଜତକୁ ଗଲା ଅଭିଯୁକ୍ତ ମିହିର ଶାହ। ଗତ ମଙ୍ଗଳବାରୁ ତାକୁ ଗିରଫ କରିଥିଲା ପୋଲିସ। ଦୁର୍ଘଟଣା ପରେ ମିହିର ନିଜ ପରିଚୟ ଲୁଚାଇବା ଲାଗି କାର ଭିତରେ ନିଜର କେଶ କାଟିବା ସହ ଦାଢି ସଫା କରିଥିବା କହିଛି ପୋଲିସ। ତେଣେ ଦୁର୍ଘଟଣା ପରେ ଅଭିଯୁକ୍ତ ଜଣକ ନିଜର ଗର୍ଲଫ୍ରେଣ୍ଡଙ୍କୁ ୪୦ ଥର ଫୋନ କରିଥିବା ସୂଚନା ମିଳିଛି। ସେହି ଗର୍ଲଫ୍ରେଣ୍ଡକୁ ପୋଲିସ ଜେରା କରିପାରେ।

ଗତକାଲି ଜୁହୁସ୍ଥିତ ବାରକୁ ଭାଙ୍ଗିଥିଲା ପ୍ରଶାସନ। ସେହି ବାରରେ ୨୪ ବର୍ଷ ବୟସ୍କ ଅଭିଯୁକ୍ତ ମିହିର ଶାହ ଆଲକୋହଲ ନେଇଥିବା ସୂଚନା ମିଳିଥିଲା। ପରେ ଅବକାରୀ ବିଭାଗର ରିପୋର୍ଟ ଆଧାରରେ ବାରକୁ ଭାଙ୍ଗିଦିଆଯାଇଛି। ମଦ୍ଯପାନ କରିବାର ଆଇନଯୋଗ୍ଯ ବୟସ ୨୫ ବର୍ଷ ଥିବାବେଳେ ଏହାଠାରୁ କମ୍ ବୟସର ପିଲାଙ୍କୁ ମଦ ଦେଇଥିବା ଅଭିଯୋଗ କ୍ରମେ ଭାଇସ ଗ୍ଲୋବାଲ ତାପସ ବାର୍ ଉପରେ ରେଡ କରାଯାଇଛି। ଏହି ବାରକୁ ବେଆଇନ ଭାବେ ନିର୍ମାଣ କରାଯାଇଥିବାବେଳେ କମ୍ ବୟସର ପିଲାଙ୍କୁ ମଦ ବିକିବା ନେଇ ଅଭିଯୋଗ ହୋଇଥିଲା।

ମହାରାଷ୍ଟ୍ର ରାଜନୀତିଜ୍ଞ ତଥା ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହଯୋଗୀ ରାଜେଶ ଶାହଙ୍କ ପୁଅ ଥିଲା ମିହିର। ତାକୁ ଗତ ୯ ଜୁଲାଇରେ ବିରାରସ୍ଥିତ ଆପାର୍ଟମେଣ୍ଟରୁ ଗିରଫ କାରଯାଇଥିଲା। ସେହିପରି ପୁଅକୁ ସହାୟତା କରିବା ଅଭିଯୋଗରେ ଶାହପୁରରୁ ଗିରଫ ହୋଇଥିଲେ ମିହିରର ମା ଓ ଭଉଣୀ। ବାପା ରାଜେଶ ଓ ଡ୍ରାଇଭର ରାଜର୍ଷି ବିଦାୱତକୁ ଗତ ୭ ଜୁଲାଇରେ ଗିରଫ କରିଥିଲା ପୋଲିସ। ସେହି ବାରରେ ମିହିର ତାର ୪ ସାଙ୍ଗଙ୍କ ସହ ୧୮ ହଜାର ୭୩୦ ଟଙ୍କା ଖର୍ଚ୍ଚ କରିଥିବା ଜଣାଯାଇଛି। ବିଏମଡବ୍ଲୁ କ୍ରାସରେ ସ୍ବାମୀ ପ୍ରଦୀପ ନଖୱା ଆହତ ହୋଇଥିବାବେଳେ ୪୫ ବର୍ଷ ବୟସ୍କା ପତ୍ନୀ କାବେରୀ ପ୍ରାଣ ହରାଇଥିଲେ।

ସିସିଟିଭି ଫୁଟେଜ ଅନୁସାରେ ବାଇକକୁ ବିଏମଡବ୍ଲୁ କାର ପ୍ରାୟ ଦେଢ କିଲୋମିଟର ଘୋଷାଡି ନେଇଥିଲା। ଦୁର୍ଘଟଣା ପରେ କାର ତଳୁ ମହିଳାଙ୍କ ଶବକୁ ମିହିର ବାହାର କରିଥିବାବେଳେ ଡ୍ରାଇଭର ବିଦାୱତକୁ ଗାଡି ଚାଳନା କରିବା ଲାଗି କହିଥିଲା। ସେପଟେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାକୁ ଭେଟିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ଆଦିତ୍ଯ ଠାକରେ। ତେଣେ ମିହିରଙ୍କ ବାପା ରାଜେଶଙ୍କୁ ସମସ୍ତ ଦଳୀୟ ପଦପଦବିରୁ ଅନ୍ତର କରାଯାଇଛି।

ଭାରତର ହସ୍ତକ୍ଷେପ ପରେ ଆସିବ ଶାନ୍ତି !

ନୂଆଦିଲ୍ଲୀ : ଭାରତର ହସ୍ତକ୍ଷେପ ପରେ ସମାଧାନ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ! ନିଜର ଦୁଇ ରାଷ୍ଟ୍ର ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଅଷ୍ଟ୍ରିଆର ଚାନସେଲର କାର୍ଲ ନେହାମ୍ମରଙ୍କ ସହ ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା କରିଛନ୍ତି। ବିଶେଷ କରି ୟୁକ୍ରେନ ସମସ୍ଯା ଓ ପଶ୍ଚିମ ଏସିଆରେ ଶାନ୍ତି ଫେରାଇବା ଲାଗି ଭାରତ ଗୁରୁତ୍ବ ଦେଇଥିବା ସୂଚନା ମିଳିଛି।

ମୋଦି କହିଛନ୍ତି, ବର୍ତ୍ତମାନ ଏହା ଯୁଦ୍ଧର ସମୟ ନୁହେଁ। ଯୁଦ୍ଧ କ୍ଷେତ୍ରରେ ଏହାର ସମାଧାନ ହୋଇପାରିବ ନାହିଁ। ଯୁଦ୍ଧ ଯୋଗୁ ଅକାରଣରେ ଅନେକ ଲୋକଙ୍କ ଜୀବନ ଯାଉଛି। ଏହା ଗ୍ରହଣୀୟ ନୁହେଁ। ଅଷ୍ଟ୍ରିଆ ଗସ୍ତରେ ଦୁଇ ନେତାଙ୍କ ମଧ୍ଯରେ ୟୁରୋପରେ ଶାନ୍ତି ଓ ସ୍ଥିରତା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ୟୁରୋପୀୟ ୟୁନିଅନରେ ଅଷ୍ଟ୍ରିଆ ଥିଲେ ବି ବର୍ତ୍ତମାନ ସୁଦ୍ଧା ସେହି ରାଷ୍ଟ୍ର ନାଟୋର ସଦସଯ୍ ହୋଇପାରିନାହିଁ। ସେପଟେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ରୁଷିଆ ସହ ଭାରତର କୌଣସି ମତପାର୍ଥକ୍ଯ ନଥିବା କହିଛି ଭାରତ।

ନିଟ-ୟୁଜି ମାମଲାରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ଯପାଠ ଦାଖଲ

ନୂଆଦିଲ୍ଲୀ : ନିଟ-ୟୁଜି ମାମଲାରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ଯପାଠ ଦାଖଲ। ଆସନ୍ତା ଜୁଲାଇ ତୃତୀୟ ସପ୍ତାହରୁ କାଉନସେଲିଂ ଲାଗି ସରକାର ଚାହୁଁଥିବା ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି। ଏଥିରେ ଦର୍ଶାଯାଇଛି ନିଟ-ୟୁଜି ପରିଚାଳନାରେ ସେପରି କୌଣସି ବ୍ଯାପକ ଅନିୟମିତତା ହୋଇନାହିଁ କିମ୍ବା ବହୁତ ଛାତ୍ର ଉପକୃତ ହୋଇନାହାନ୍ତି। ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷାର ରିଟେଷ୍ଟ ଲାଗି ସରକାର ଚାହୁଁନାହାନ୍ତି। ଏହା ଦ୍ବାରା ପୁଣି ଥରେ ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୁଅନ୍ତୁ- ଏହା ସରକାର ଚାହାନ୍ତି ନାହିଁ।

ଗତ ମେ ୫ ତାରିଖରେ ଏହି ପରୀକ୍ଷା ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହା ଉପରୁ ବିବାଦର ପିଛା ଛାଡୁନି। ପରନ୍ତୁ ସରକାର କହିଛନ୍ତି, ନିଟ-ୟୁଜି ଲାଗି ସରକାର କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ସରକାର ଚାହୁଁଛନ୍ତି। ଯଦି କୌଣସି ପ୍ରାର୍ଥୀ ଅନିୟମିତତାର ଆଶ୍ରା କରିଥିବାର ପ୍ରମାଣ ମିଳେ ତେବେ ତାଙ୍କୁ କାଉନସେଲିଂ ପ୍ରକ୍ରିୟାରୁ ବାଦ୍ ଦିଆଯିବ। ସେପଟେ ଆଇଆଇଟି ମାଡ୍ରାସର ବିଶେଷଜ୍ଞମାନେ ସେପରି କୌଣସି ଅନିୟମିତତା ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସରକାର।

ପିସିଏସ୍ ଜ୍ୟୋତି ମୋର୍ଯ୍ୟ ମାମଲା ରିପିଟ୍; ସରକାରୀ ଚାକିରି ପରେ ସ୍ୱାମୀକୁ ଛାଡିଲା ସ୍ତ୍ରୀ

ନୂଆଦିଲ୍ଲୀ : ଝାନସୀରେ ପୁଣି ବହୁଚର୍ଚ୍ଚିତ ପିସିଏସ୍ ଜ୍ୟୋତି ମୋର୍ଯ୍ୟ ମାମଲା ରିପିଟ୍ । ସରକାରୀ ଚାକିରି ପରେ ସ୍ୱାମୀକୁ ଛାଡିଲା ସ୍ତ୍ରୀ । ଏପରି ଘଟଣା ଝାନସୀ ସହରର କେତବାଲି ଅନ୍ତର୍ଗତ ଅଞ୍ଚଳରେ ଦେଖିବାକୁ ମିଳିଛି । ଏକାଠାର ବାସିନ୍ଦା ନୀରଜ ବିଶ୍ୱକର୍ମା ଏବେ ନିଜ ସ୍ତ୍ରୀକୁ ଫେରାଇ ଆଣିବାକୁ ପୋଲିସ ଓ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ତ ହୋଇଛନ୍ତି । ସ୍ୱାମୀଙ୍କ କହିବା ଅନୁଯାୟୀ ସେ ୫ ବର୍ଷ ପୂର୍ବେ ରିଚାଙ୍କ ସହ ପ୍ରେମ ବିବାହ କରିଥିଲେ । ନିଜ ପତ୍ନୀଙ୍କୁ ଉଚ୍ଚଶିକ୍ଷା ଦେବା ପାଇଁ ସେ ଦିନ ରାତି କଠିନ ପରିଶ୍ରମ କରୁଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ସରକାରୀ ଚାକିରି ପାଇବା ପରେ, ସେ ତାଙ୍କୁ ଛାଡି ଚାଲି ଯାଇଛନ୍ତି ।

ସୂଚନା ଅନୁଯାୟୀ ବୁଧବାର ଯେତେବେଳେ ତାଙ୍କ ସ୍ତ୍ରୀଙ୍କୁ ଆକାଉଣ୍ଟାଣ୍ଟ ପଦ ପାଇଁ ନିଯୁକ୍ତି ପତ୍ର ମିଳିଥିଲା, ତାହା ପରଠୁ ସେ ଆଉ ଘରକୁ ଫେରି ନାହାନ୍ତି । ଏପଟେ ତାଙ୍କ ସ୍ୱାମୀ ତାଙ୍କୁ ଖୋଜି ଖୋଜି ନୟାନ୍ତ ହେଲେଣି । ସ୍ୱାମୀ ବିଶ୍ୱକର୍ମାଙ୍କ କହିବା ଅନୁଯାୟୀ, ସେ ୫ବର୍ଷ ପୂର୍ବେ ଝାନସୀର ସତ୍ୟମ କଲୋନୀର ବାସିନ୍ଦା ରିଚା ସୋନୀଙ୍କୁ ପ୍ରେମ ବିବାହ କରିଥିଲେ । ଯାହା ପରେ ହସଖୁସିରେ ତାଙ୍କ ସଂସାର ଚାଲିଥିଲା । ରିଚା ନିଜ କ୍ୟାରିୟରରେ ଆଗକୁ ବଢିବାକୁ ଚାହିୁଁଥିବାରୁ ବିଶ୍ୱକର୍ମା ତାଙ୍କୁ ଆଗକୁ ପଢିବାକୁ ସମସ୍ତ ପ୍ରକାର ସହଯୋଗ କରିବା ସହ ଦିନ ରାତି ମଜଦୁରୀ କରୁଥିଲେ । ପେଶାରେ ସେ ଜଣେ ବଢେଇ ଥିଲେ କିନ୍ତୁ ନିଜ ସ୍ତ୍ରୀର ସ୍ୱପ୍ନ ସାକାର କରିବାକୁ ଦିନ ରାତି ଏକ କରି ଦେଇଥିଲେ  । ହେଲେ ପରିଶେଷରେ ରିଚା ସରକାରୀ ଚାକିରି ପାଇବା ପରେ ତାଙ୍କୁ  ଛାଡି ଚାଲିଯାଇଛନ୍ତି । ନିଜ ପତ୍ନୀଙ୍କୁ ଫେରାଇ ଆଣିବାକୁ ଯୁବକ ଜଣକ ପୋଲିସ ପାଖରେ ଗୁହାରୀ କରିଛନ୍ତି ।

 

ଲୁଚକାଳି ଖେଳୁଛି ମୌସୁମୀ; ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ନାହିଁ

ଭୁବନେଶ୍ୱର : ଲୁଚକାଳି ଖେଳୁଛି ମୌସୁମୀ । ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ନାହିଁ । ୧୩ ତାରିଖ ବେଳକୁ ଗୋଟିଏ ଟ୍ରପ ଲାଇନ କିମ୍ବା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ବଢିବ ବର୍ଷାର ପରିମାଣ । ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ ନବରଙ୍ଗପୁରରେ ସର୍ବାଧିକ ୬୦ ମିଲିମିଟର ବର୍ଷା ହେଇଛି ।

ରାଜ୍ୟରେ ଏବେ ସୁଦ୍ଧା ୨୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ପାଣିପାଗ ବିଭାଗ ଆକଳନ ଅନୁସାରେ ବର୍ତ୍ତମାନ ସୁଦ୍ଧା ୩୦୪ ଦଶମିକ ୨ ମିଲିମିଟର ବର୍ଷା ହେବା କଥା କିନ୍ତୁ ୨୧୯ ଦଶମିକ ୯ ମିଲିମିଟର ବର୍ଷା ହୋଇଛି । ୧୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୩ଟି ଜିଲ୍ଲାରେ ସ୍ଵାଭାବିକ ବର୍ଷା ହୋଇଛି ।

ଶ୍ରୀକ୍ଷେତ୍ରରେ ଆଜି ହେରାପଞ୍ଚମୀ ନୀତି, ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ଲକ୍ଷ୍ମୀ ସାଆନ୍ତାଣି

ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରା ପଞ୍ଚମୀ ନୀତି । ମହାପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କୁ ଧରି ଜନ୍ମ ବେଦିକୁ ଆସିଥିବାବେଳେ ସାଙ୍ଗରେ ଲକ୍ଷ୍ମୀ ସାଆନ୍ତଣିକୁ ଆଣିନାହାନ୍ତି  । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ। ଏହାକୁ ନେଇ ସେ ବିବ୍ରତ ହୋଇପଡିଛନ୍ତି । ଘୋଷଯାତ୍ରାରେ ମା ଲକ୍ଷ୍ମୀ ସାଆନ୍ତାଣିକୁ ମହାପ୍ରଭୁ ସାଙ୍ଗରେ ଆଣିନଥିବାରୁ ସେ ଅଭିମାନ କରିଛନ୍ତି। ଏଥିପାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସେ ଗୁଣ୍ଡିଚା ମନ୍ଦିର ଆସିବେ। ବିଧି ପରମ୍ପରା ପୂର୍ବକ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବେ। ମହାପ୍ରଭୁଙ୍କୁ ଦର୍ଶନ କରି ଶ୍ରୀମନ୍ଦିରକୁ ଫେରିବା ବେଳେ ଅଭିମାନରେ ନନ୍ଦିଘୋଷ ରଥକୁ ଭାଙ୍ଗିବେ ମହାଲକ୍ଷ୍ମୀ। ହେରା ପଞ୍ଚମୀ ନୀତି ପାଇଁ ଭକ୍ତମାନଙ୍କ ଯଥେଷ୍ଟ ସମାଗମ ହୋଇପାରେ।

ନବୀନଙ୍କୁ ଭେଟିଲେ ନେତା ଓ ଜନତା

ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଭିନ୍ନ ନିର୍ବାଚନ ମଣ୍ଡଳୀର ଜନସାଧାରଣ। ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି, ଉପସଭାପତି ଓ ଜିଲ୍ଲା ପରିଷଦ ସଭ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି। ସେହିପରି ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସହ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରପୂର୍ବତନ ବିଧାୟକ ଓ ଜନତା ନବୀନଙ୍କୁ ଭେଟିଛନ୍ତି। ଦଳୀୟ ସଙ୍ଗଠନକୁ କିପରି ସୁଦୃଢ଼ କରାଯିବ ଓ ଦଳ କିପରି ଆଗକୁ ଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ଜନତା।

ଚେନ୍ ଲୁଟେରାଙ୍କୁ ବାନ୍ଧିଲା ବାଲେଶ୍ଵର ପୋଲିସ୍

ନନ୍ଦିଘୋଷ ବ୍ୟୁରୋ: ଚେନ୍ ଲୁଟେରାଙ୍କୁ ବାନ୍ଧିଲା ବାଲେଶ୍ଵର ପୋଲିସ୍। ଗତ ୭ ତାରିଖ ମେଗଡମପୁରରେ ଏକ ଚେନ ଛିନ୍ତାଇ ଘଟଣାରେ ଆଜି ବାଲେଶ୍ବର ପୋଲିସ ୨ ଜଣ ଲୁଟେରାଙ୍କ ସହ ଅନ୍ୟ ୫ ଜଣ ସହଯୋଗୀଙ୍କୁ ମିଶାଇ ମୋଟ୍ ୭ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଗତ ୭ ତାରିଖ ଚେନ ଛିନ୍ତାଇ ପାଇଁ ବାଲେଶ୍ଵର ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସେହି ଘଟଣାକୁ ନେଇ ବାଲେଶ୍ଵର ସଦର ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାର ତନାଘନା କରିଥିଲା। ପରେ ଏହି ୭ ଜଣକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅନ୍ୟ କିଏ ସଂପୃକ୍ତ ଅଛନ୍ତି ସେ ବିଷୟରେ ମଧ୍ୟ ତଦନ୍ତ କରୁଛି। ଗିରଫ ହୋଇଥିବା ୭ ଜଣ ବ୍ୟକ୍ତିଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ୨୯ ଗ୍ରାମର ତରଳ ସୁନା ଓ ୯ ଗ୍ରାମର ଏକ ସୁନା ଚେନ ସହ ୩ଟି ଚୋରା ଗାଡ଼ିକୁ ଜବତ କରିଛି ପୋଲିସ।

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ

ନନ୍ଦିଘୋଷ ବ୍ୟୁରୋ: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ। ୯ ଜଣ ବରିଷ୍ଠ ଆଇଏଏସଙ୍କ ବିଭାଗ ଅଦଳ ବଦଳ ହୋଇଛି। ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ବ। ଜି. ମାଥିଭାଥନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ପ୍ରଶିକ୍ଷଣ ସଂଯୋଜକ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି। ହେମନ୍ତ ଶର୍ମାଙ୍କୁ ଇପିକଲର ଅଧ୍ୟକ୍ଷ ସହିତ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ଶାଶ୍ବତ ମିଶ୍ରଙ୍କୁ ଅର୍ଥ ବିଭାଗ ସହ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ଉଷା ପାଢ଼ୀଙ୍କୁ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ବିଶାଲ ଦେବଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ଭାସ୍କର ଜ୍ୟୋତି ଶର୍ମାଙ୍କୁ କ୍ରୀଡ଼ା ବିଭୋଗର ସଚିବ ଓ ଭିନୀଲ କ୍ରୀଷ୍ଣାଙ୍କୁ ଲ୍ୟାଣ୍ଡ ରେକର୍ଡ ଓ ସେଟେଲମେଣ୍ଟ ବିଭାଗର କମିଶନର ଭାବେ ଦାୟିତ୍ବ ଦିଆଯାଇଛି।