spot_img
Home Blog Page 1685

ବୋରଓ୍ବେଲରୁ ଉଦ୍ଧାର ହୋଇ ନୂଆ ଜୀବନ ପାଇଥିବା ବିଜୟିନୀର ଅନ୍ନପ୍ରାସନ

ନନ୍ଦିଘୋଷ ବ୍ୟୁରୋ: ବିଜୟିନୀକୁ ପୂରିଛି ୭ ମାସ l ସରିଛି ଅନ୍ନପ୍ରାସନ। ସମ୍ବଲପୁର ରେଙ୍ଗାଲିର ଲାରିପାଲିର ଏକ ପରିତ୍ୟକ୍ତ ବୋରୱେଲ୍ରୁ ମୃତ୍ୟୁକୁ ଜୟ କରି ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା ବିଜୟିନୀ । ରୁକ୍ମୁଣୀ ଲାଲ ବାଳକେତନରେ ଅନ୍ନପ୍ରାସନ୍ନ ରୀତି ନୀତି ଅନୁସାରେ ପାଳନ ହୋଇଯାଇଛି l

ଜୀବନ ବିଜୟୀ ବିଜୟିନୀ । ମିଟି ମିଟି ଚାହୁଁଛି । ଖିଲି ଖିଲି ହସୁଛି । ଦିନେ ଜନ୍ମକଲା ମାଆ ତାକୁ ପର କରିଥିଲା । ବୋରଓ୍ବେଲରେ ଫିଙ୍ଗି ଦେଇଥିଲା । ହେଲେ କାଳକୁ ଜୟକରି ଆଜି ଜୀବନ ଜିଉଁଛି । ଆଜି ଅନେକ ଯଶୋଦା ମାଆକୁ ନିଜ ପାଖରେ ପାଇଛି ବିଜୟିନୀ । ଆଜି ତାକୁ ୭ ମାସ ପୂରିଛି । ଧୁମଧାମରେ ସରିଛି ତାର ଅନ୍ନପ୍ରାସନ୍ନ । ଗତ ବର୍ଷ ଡିସେମ୍ବର 12ତାରିଖ ସନ୍ଧ୍ୟାରେ ବୋରୱେଲରୁ ଉଦ୍ଧାର ହୋଇଥିଲା ବିଜୟିନୀ । ପ୍ରାୟ ଗୋଟେ ମାସ ବୁର୍ଲା ମେଡିକାଲରେ ଚିକିତ୍ସିତ ହେବାପରେ  ସମ୍ବଲପୁର ମାନେଶ୍ୱର ବ୍ଲକର ଛଚାନପାଲିର ରୁକ୍ମିଣୀ ଲାଠ ବାଳ ନିକେତନକୁ ଆସିଥିଲା l  ଏବେ ସେଠାରେ ତାର  ବେଶ୍ ଉତ୍ସାହର ଅନ୍ନପ୍ରସନ୍ କାର୍ଯ୍ୟକ୍ରମ କରାଯାଉଛି।

ଦିନେ ପର ପାଲଟିଥିବା କୁନି ଶିଶୁଟି ଆଜି  ଅନାଥ ଆଶ୍ରମର ସବୁଠୁ ଛୋଟ ଗେହ୍ଲାଝିଅ ପାଲଟିଛି । ସବୁ ଅନ୍ତେବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି  l ବିଜୟିନୀ ଆଜି ହସୁଛି, ଖେଳୁଛି । ଆ କୋଳରୁ ତା କୋଳକୁ ଯାଉଛି । ଏ ଦୃଶ୍ୟ ଆଜି ସମସ୍ତଙ୍କ ମନକୁ ଆନନ୍ଦିତ କରୁଥିବା ବେଳେ ଅନାଥ ଆଶ୍ରମରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

 

ସହାୟତା ଅପେକ୍ଷାରେ ଆନନ୍ଦ

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀର ମୃତ୍ୟୁ ପରେ ମାଡିବସିଲା ପକ୍ଷାଘାତ ରୋଗ। କଳାହାଣ୍ଡି କଲମପୁର ବ୍ଲକ ପଣ୍ଡି ଗାଁର ଆନନ୍ଦ ମାଝି। ହଠାତ୍ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ଚିନ୍ତା ଦୁଇ ଗୁଣ ବଢିଯାଇଛି । ବଡ଼ ପୁଅ କୋଶଳେଶ୍ୱର ଦଶମ ପାସ୍ କରି ଆଗକୁ ପଢ଼ିବାକୁ ଇଛା ରଖିଥିଲେ ମଧ୍ୟ ବାପା ଓ ଭାଇକୁ ପୋଷିବା ଚିନ୍ତା । ସରକାରଙ୍କ ପକ୍ଷରୁ ଘରଡିହ ଖଣ୍ଡିକ ମିଳିଥିଲେ ସୁଦ୍ଧା ଆବାସ ଯୋଜନାରେ ସାମିଲ ହୋଇପାରି ନାହିଁ ।

କଥାରେ ଅଛି ଦୁଃଖ ଯେତେବେଳେ ଆସିଥାଏ ଭାଇ ବନ୍ଧୁକୁ ସାଥିରେ ନେଇ ଆସିଥାଏ। ସ୍ତ୍ରୀର ମୃତ୍ୟୁ ପରେ ଦୁଇ ପୁଅଙ୍କୁ କିପରି ମଣିଷ କରିବେ ସେଇ ଚିନ୍ତାରେ କଳାହାଣ୍ଡି କଲମପୁର ପଣ୍ଡି ଗାଁର ଆନନ୍ଦ ମାଝି। ହଠାତ୍ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ଚିନ୍ତା ଦୁଇ ଗୁଣ ବଢିଯାଇଛି। ବଡ଼ ପୁଅ କୋଶଳେଶ୍ୱର ଦଶମ ପାସ୍ କରି ଆଗକୁ ପଢ଼ିବାକୁ ଇଛା ଥିଲେ ମଧ୍ୟ ବାପା ଓ ଭାଇକୁ ପୋଷିବା ଚିନ୍ତା।

କୋଶଳେଶ୍ୱର ଅନ୍ୟଘରେ ମୂଲ ଲାଗି ଛୋଟ ଭାଇ ପଢାଖର୍ଚ୍ଚ ସହ ବାପାଙ୍କ ଚିକିତ୍ସା ଖର୍ଚ୍ଚ ଉଠାଉଛନ୍ତି। ବାପା ଆନନ୍ଦ ମାଝିଙ୍କର କୌଣସି ସ୍ଥାବର ଅବସ୍ଥାର ସମ୍ପତ୍ତି ନଥିବାରୁ ଦୀର୍ଘ ଦିନ ହେବ ଗାଁର ଜଣେ ବ୍ଯକ୍ତିଙ୍କ ପୋଖରୀ ହୁଡ଼ାରେ ଥିବା କୁଡ଼ିଆ ଘରେ ରହୁଛନ୍ତି ପୁରା ପରିବାର। ସରକାରଙ୍କ ପକ୍ଷରୁ ଘରଡିହ ଖଣ୍ଡିକ ମିଳିଥିଲେ ସୁଦ୍ଧା ଆବାସ ଯୋଜନାରେ ସାମିଲ ହୋଇପାରି ନାହିଁ। ତୁରନ୍ତ ସମସ୍ଯା ସମାଧାନର ପ୍ରତିଶୃତି ଦେଇଛନ୍ତି ବିଡିଓ।

 

ଦେହରେ କଲେଜ ୟୁନିଫର୍ମ ହାତରେ ଦାଆ, କୋଦାଳ

ନନ୍ଦିଘୋଷ ବ୍ୟୁରୋ: ଚାଷ କାମ ଯାହାର କେତେ ଖୁସି ତାହାର। ଏକଥା ଆପଣ ମାନେ ଶୁଣିଥିବେ । ହେଲେ ଏଠି ଫଳ ଓ ପନିପରିବା ଚାଷ କରୁଛନ୍ତି ଉଚ୍ଚ ଶିକ୍ଷିତ ଯୁବକ ଓ ଯୁବତୀ । ପାଠପଢା ସହ କରୁଛନ୍ତି ଚାଷ କାମ। ବଲାଙ୍ଗୀର ସେଂଚୁରିୟନ ଜେଆଇଟିଏମ କଲେଜ ପରିଷରରେ ତିଆରି ହୋଇଛି ଚାଷ ଜମି। ପାଠପଢା ସହ ଚାଷ କାମ କରି ଆତ୍ମନିର୍ଭରଶୀଳ ହେବାକୁ ଦିଆଯାଉଛି ପ୍ରଶିକ୍ଷଣ ।

ହାତରେ ଅଛି କୋଦାଳ ଓ ଦାଆ । ମାଟି ଖୋଳି ଚାଷ କାମ କରୁଛନ୍ତି ଯୁବକ ଓ ଯୁବତୀ । ହେଲେ ତାଙ୍କ ବେଶ ପୋଷାକକୁ ଦେଖନ୍ତୁ । ଦେହରେ କଲେଜ ୟୁନିଫର୍ମ ଓ ବେକରେ ପଡିଛି ଆଇକାର୍ଡ । ଏମାନେ ଫାର୍ମାଶି, ନର୍ସିଂ, ଡିଏମଏଲଟି, ଜୁଲୋଜି ଓ ଏମ୍କମ୍ର ଛାତ୍ରଛତ୍ରୀ । ହେଲେ ନିଶା ପାଲଟିଛି ଚାଷ କାମ । ଆମ୍ବ, ଶାମୁକା, ସପେଟା, ଆପଲ, ଛତୁ, ସହ ମାଛ ଚାଷ କରାଯାଉଛି। ସେପଟେ କ୍ୟାମ୍ପସ ଭିତରେ ବି ଶାଗ, କୋବି, ବ୍ରୋକୋଲି ଓ ଟମାଟୋ ଚାରା ଲଗାଯାଇଛି। ଏଥିପାଇଁ ବ୍ୟବହାର ହେଉଛି ଆଧୁନିକ ଉପକରଣ। କ୍ଲାସରୁମର ପାଠପଢା ପରେ ଚାଷରେ ନିୟୋଜିତ ହେଉଛନ୍ତି ଛାତ୍ରଛାତ୍ରୀ। କଲେଜ କ୍ୟାମ୍ପସରେ ତିଆରି ହୋଇଛି ମେଡିକାଲ ଫାର୍ମ, ନର୍ସରୀ, ଆକ୍ୱାରିୟମ ଫାର୍ମିଂ ଭଳି ବିଭିନ୍ନ କିସମର ଚାଷ ଜମି ।

ସେପଟେ କୋରାପୁଟରୁ ରାଣୀ ମହୁ ମାଛି ଓ ମେସିନ ଆଣି ଏଠାରେ ମହୁଚାଷ ବି କରାଯାଉଛି । କୋଭିଡ ସମୟରେ ଏଠାରୁ ଉତ୍ପାଦିତ ଫଳ ଗୁଡିକୁ ମେଡକିାଲରେ ବଂଟା ଯାଇଥିଲା। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଭିତରେ ବଂଟା ଯାଉଛି । ଆଗକୁ ପ୍ରୋସେସିଂ ୟୁନିଟ କରି ବଜାରରେ ବିକ୍ରି ପାଇଁ ଯୋଜନା ରହିଛି । କଲେଜର ପ୍ରାୟ ହଜାରେ ଛାତ୍ରଛାତ୍ରୀ ଏହି ଚାଷ କାମରେ ନିୟୋଜିତ ହୋଇଛନ୍ତି । ସଏଲ ଟେଷ୍ଟିଂ କରି ଛାତ୍ରଛାତ୍ରାଙ୍କୁ ଦିଆଯାଉଛି ପ୍ରଶିକ୍ଷଣ।

 

ବଙ୍ଗୋପସାଗରରେ ସୃଷ୍ଟି ହେବ ୨ଟି ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା

ନନ୍ଦିଘୋଷ ବ୍ୟୁରୋ: ଆସୁଛି ସିରିଜ୍ ଲଘୁଚାପ। ୮ ଦିନ ଭିତରେ ୨ଟି ଲଘୁଚାପ ହେବାର ସମ୍ଭାବନା। ବଙ୍ଗୋପସାଗରରେ ସୃଷ୍ଟି ହେବ ୨ଟି ଲଘୁଚାପ । ଭରଣା ହେବ ନିଅଣ୍ଟିଆ ବର୍ଷା। ଚାଷୀ ପାଇଁ ଖୁସି ଖବର। ସାରା ରାଜ୍ୟରେ ଜାରି ରହିଛି ମୌସୁମୀଜନିତ ବର୍ଷା । କେଉଁଠି ଅଳ୍ପ ବର୍ଷା ହେଉଛି ତ ଆଉ କେଉଁଠି ପ୍ରବଳ ବର୍ଷା ଦେଖିବାକୁ ମିଳୁଛି । ଏହାରି ଭିତରେ ପାଣିପାଗକୁ ନେଇ ଆସିଛି ଆଉ ଏକ ବଡ଼ ଅପଡେଟ୍ । ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିଛି । ଏହା ସହ ପଛକୁ ପଛ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ସାରା ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ।

ସେହିପରି ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇ ୧୯ ତାରିଖରେ ଲଘୁଚାପ‌ରେ ପରିଣତ ହୋଇପାରେ । ଏହା ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା କରାଇବ। ଏହି ଦୁଇଟି ଯାକ ସିଷ୍ଟମ ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ କିମ୍ବା ୨୫ ତାରିଖରେ ଲଘୁଚାପ ରୂପ ନେଇପାରେ। ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ଜାରି ରହିଥିବା ନିଅଣ୍ଟିଆ ବର୍ଷା ଦୂର ହୋଇପାରେ। ଅନ୍ୟପଟେ ବର୍ତ୍ତମାନ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଥିବା ବେଳେ ଆସନ୍ତା ୫ରୁ ୭ ଦିନ ଯାଏଁ ସାରା ରାଜ୍ୟରେ ବର୍ଷା ଲାଗିରହିବ।ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ଅର୍ଥାତ୍ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଥିବାରୁ ନବରଙ୍ଗପୁର, କୋରାପୁଟ,ରାୟଗଡ଼ା, କଳାହାଣ୍ଡି,ନୂଆପଡ଼ା, ମାଲକାନାଗିରି ପାଇଁ ଜାରି ହୋଇଛି ୟେଲୋ ୱାର୍ଣୀଙ୍ଗ।ସେହିପରି ଆସନ୍ତାକାଲି ପାଇଁ ଗଞ୍ଜାମ,ଗଜପତି,ରାୟଗଡ଼ା,କନ୍ଧମାଳ,କଳାହାଣ୍ଡି,କୋରାପୁଟ ରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣୀଙ୍ଗ ଜାରି କରାଯାଇଛି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ। ଏବଂ ୧୯ ତାରିଖ ବେଳକୁ ବଢିବ ବର୍ଷା ।

୧ ଜୁନରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୭୨.୬ ମୀମୀ ବର୍ଷା ରେକର୍ଡ ହୋଇଥିବା ବେଳେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ନିଅଣ୍ଟିଆ ବର୍ଷା କୁ ନେଇ ବାଲେଶ୍ଵର ରେ ସ୍ଥିତି ଉତ୍କଟ ଥିବା ବେଳେ ୧୩ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି ।ତେବେ ଯାହା ଆକଳନ କରାଯାଉଛି ଯଦି ଏହି ସିରିଜ ଲଘୁଚାପ ସକ୍ରିୟ ହେଉଛି ତେବେ ରାଜ୍ୟରେ ସ୍ଵାଭାବିକ ଠାରୁ ଭଲ ବର୍ଷା ହେବା ସହ ଭରଣା ହେବ ନିଅଣ୍ଟିଆ ବର୍ଷା ବୋଲି ଆକଳନ କରାଯାଇଛି।

 

ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେବାରେ ବିଫଳ ହେଉଛି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର

ନନ୍ଦିଘୋଷ ବ୍ୟୁରୋ: ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେବାରେ ବିଫଳ ହେଉଛି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର। ନିୟମିତ ଡାକ୍ତର ନଥିବାରୁ ଅଚଳ ହୋଇ ପଡିରହିଛି ବୌଦ୍ଧ ହରଭଙ୍ଗା ବ୍ଲକର ଦୁଇ ଦୁଇଟି ହୋମିଓପ୍ୟାଥିକ ଡାକ୍ତରଖାନା। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୫୦ଖଣ୍ଡ ଗାଁର ରୋଗୀ। ଅନ୍ୟପଟେ ଡାକ୍ତରଖାନାକୁ ଡାକ୍ତର ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

କୋଠାରେ ଲାଗିଛି ନୂତନ ରଙ୍ଗ । ଆଉ ବଡ ବଡ ଅକ୍ଷରରେ ଲେଖାଯାଇଛି ସରକାରୀ ହୋମିଓପ୍ଯାଥିକ ଚିକିତ୍ସାଳୟ। ଏହିଭଳି ପ୍ରତିବର୍ଷ ଚିକିତ୍ସାକେନ୍ଦ୍ରରେ ନୂତନ ରଙ୍ଗ ହୁଏ ନାମ ବି ଲେଖାଯାଏ। ଆଉ ବିଲ କରି ଠିକାଦାର ମାଲେମାଲ ହୁଏ । କିନ୍ତୁ ବର୍ଷ ବର୍ଷ ଧରି ଚିକିତ୍ସାକେନ୍ଦ୍ରରେ ଡାକ୍ତରଙ୍କ ଦେଖାମିଳେନି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ରର ଦୃଶ୍ୟ। ସେହିଭଳି ବୌଦ୍ଧ ହରଭଙ୍ଗା କୁସଙ୍ଗ ଗାଁର ଆଉ ଏକ ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ର। ସେଠି ବି ସେଇ ସମାନ ଅବସ୍ଥା। ସ୍ୱାସ୍ଥ୍ୟକେନ୍ଦ୍ରରେ ନା ଡାକ୍ତର ଅଛନ୍ତି ନା ହସ୍ପିଟାଲ ମରାମତି ହେଉଛି। ଏଠି ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ହୋମିଓପ୍ୟାଥିକ ଔଷଧ । ଫଳରେ ରୋଗୀମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି।

୧୯୭୧ ମସିହାରେ ମାଧପୁର ଓ ୧୯୯୨ ମସିହାରେ କୁସଙ୍ଗ ଠାରେ ରାଜ୍ୟ ସରକାର ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ର ସ୍ଥାପନ କରିଥିଲେ । ପ୍ରଥମେ କିଛି ବର୍ଷ ତ ଲୋକେ ଉତ୍ତମ ଚିକିତ୍ସାସେବା ପାଇବା ସହ ଡାକ୍ତର ମଧ୍ୟ ନିୟମିତ ଆସି ଚିକିତ୍ସା କରୁଥିଲେ। କିନ୍ତୁ କିଛି ବର୍ଷ ପରେ ଦୁଇଟି ଯାକ ଡାକ୍ତରଖାନା ଭୁତ କୋଠି ପାଲଟିଗଲା। ବହୁବାର ଜିଲ୍ଲାପାଳଙ୍କ ଜନଶୁଣାଣିରେ ଗ୍ରାମବସୀ ଏନେଇ ଅଭିଯୋଗ କରିଥିଲେ। କିନ୍ତୁ ଫଳ ଶୂନ । ଯାହା ଏବେ ଜନସାଧାରଣଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି।

 

ଏତେ ଘଡ଼ଘଡ଼ି ଏବଂ ବିଜୁଳି ମାରୁଛି କାହିଁକି ?

ନନ୍ଦିଘୋଷ ବ୍ୟୁରୋ: ଜୀବନ ନେଉଛି ବଜ୍ରାପାତ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଢୁଛି ଘଡ଼ଘଡ଼ି ଓ ବଜ୍ରପାତ ସଂଖ୍ୟା । ଚଳିତବର୍ଷ ଓଡ଼ିଶାରେ ବଜ୍ରପାତ ନେଲାଣି ଏକାଧିକ ଲୋକଙ୍କ ଜୀବନ। ତତଲା ଭୂପୃଷ୍ଠ ଓ ଆର୍ଦ୍ରତା ଯୋଗୁ ସୃଷ୍ଟି ହୋଇଛି କନଭେକ୍ଟିଭ ବାଦଲ । ଯାହାକି ବଜ୍ରପାତ ଜନିତ ବର୍ଷାର କାରଣ । ଓଡ଼ିଶାର ଖଣି ଖାଦାନ ଅଞ୍ଚଳରେ ଗଛ କାଟି ଦିଆଯିବାରୁ ବଜ୍ରପାତ ସଂଖ୍ୟା ବଢିଛି । ଆଗକୁ ବନୀକରଣକୁ ଗୁରୁତ୍ବ ନ ଦେଲେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ଆହୁରି ବଢିବ । ଦିନବେଳା ଟାଣ ଖରା ଗରମ । ଆକାଶରେ ତୁଳାଭଳି ସ୍ଥିର ବାଦଲ । ଗୋଟିଏ ଅଞ୍ଚଳରେ ଠୁଳ ହେଉଛି । ସ୍ଥିର ଅଛି । ଏହାର ଅର୍ଥ, କିଛି ସମୟ ଭିତରେ ବଜ୍ରପାତ ସହ ଘଡ଼ଘଡ଼ି ବର୍ଷା । ବଡ଼ ବଡ଼ ଟୋପାରେ ଛେଚିବ। ଏହା ହେଉଛି ପରିଚଳନ ବର୍ଷା ବା କନ୍ଭେକ୍ଟିଭ ରେନ୍ ।

ଓଡ଼ିଶାରେ ଏପରି ବଜ୍ରପାତ ସହ ବର୍ଷା ପରିମାଣ ଦିନକୁ ଦିନ ବଢୁଛି । ଏପରି ହେବାର କାରଣ । ଭୂପୃଷ୍ଠର ତାପମାତ୍ରା ବଢିବା ସହ ଆର୍ଦ୍ରତା ମିଶି ପରିଚଳନ ଗତି ସୃଷ୍ଟି କରିଥାଏ । ଉଚ୍ଚତାପମାତ୍ରା ଓ ଜଳୀବାଷ୍ପ ଆକାଶକୁ ଉଠି କନଭେକ୍ଟିଭ ଇଫେକ୍ଟ ସୃଷ୍ଟି କରିଥାଏ । ଫଳରେ ତୁଳା ଭଳି ବାଦଲ ସୃଷ୍ଟି ହୁଏ । ଏଭଳି ବାଦଲ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ସୃଷ୍ଟି ହୋଇ କିଛି ମାତ୍ରା କଳା ପଡ଼ିବା ପରେ ବଡ଼ ବଡ଼ ଟୋପା ସହ ସେହି ନିର୍ଦ୍ଧିଷ୍ଟ ସ୍ଥାନରେ କାଚିଥାଏ ।

ଏହି ବର୍ଷା ସମୟରେ ପ୍ରବଳ ଘଡ଼ଘଡ଼ି ହେବା ସହ ବଜ୍ରପାତ ଯୋଗୁ ଧନଜୀବନ ହାନି ହୋଇଥାଏ । ଯେତେବେଳେ ଲୋକେ ଏପରି ବାଦଲ ଏକାଠି ସ୍ଥିର ଭାବେ ଠୁଳ ହେବା ଦେଖୁଛନ୍ତି । ତାହେଲେ ଜାଣି ନିଅନ୍ତୁ କମ୍ ସମୟ ଭିତରେ ବଜ୍ରପାତ ସହ ବର୍ଷା ହେବ । ଜୀବନକୁ ସୁରକ୍ଷା ଦେବା ପାଇଁ କୌଣସି ସୁରକ୍ଷିତ ସ୍ଥାନକୁ ଚାଲିଯିବା ଦରକାର । ଗଛପାଖ, କିମ୍ବା ବିଦ୍ୟୁତ ଖୁଣ୍ଟ ପାଖରେ ରହିବା ଆଦୌ ଉଚିତ ନୁହେଁ ବୋଲି ବିଶିଷ୍ଠ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ପରାମର୍ଶ ଦେଇଛନ୍ତି ।

ପରିବେଶ ବିଜ୍ଞାନୀଙ୍କ ମତରେ ଓଡ଼ିଶାରେ ଏହି ବଜ୍ରପାତ ଜନିତ ବର୍ଷା ଏବେ ଅଧିକ ହେଉଛି । ବଜ୍ରପାତ ଯୋଗୁ ମଣିଷ ଓ ଜୀବଜନ୍ତୁଙ୍କ ଜୀବନ ଯାଉଛି । ଓଡ଼ିଶାରେ ଖଣି ଖାଦାନ ଅଞ୍ଚଳରେ ବ୍ୟାପକ ଗଛକଟା ଯୋଗୁ ଏପରି ଦଶା ହେଉଛି । ଖଣିରେ ଥିବା ତମ୍ବା, ଲୁହା ଓ ଧାତବ ପଦାର୍ଥ ବିଦ୍ୟୁତ ସୁପର କଣ୍ଡକ୍ଟର୍ ଭାବେ କାର୍ଯ୍ୟ କରିଥାଏ । ଯାହାଯୋଗୁ ବାଦଲ ଓ ବାଦଲ ମଧ୍ୟରେ ତୀବ୍ର ଘର୍ଷଣ ଯୋଗୁ ବଜ୍ରପାତ ସୃଷ୍ଟି ହୋଇ ଭୂପୃଷ୍ଟକୁ ଆସିଥାଏ । ଯଦି ଗଛ ରହିବ, ତାହେଲେ ସେ କରେଣ୍ଟ୍ ଗଛ ଦେଇ ଭୂପୃଷ୍ଠକୁ ଚାଲିଯିବ।

ପୁରୁଣା କାଳରେ ଫସଲ ବିଲ ଚାରିପଟେ ସେଥିପାଇଁ ଲମ୍ବାଲମ୍ବା ତାଳଗଛ ଲଗାଯାଉଥିଲା । ଏବେ ସମାନ ପ୍ରକ୍ରିୟା ସରକାର ଆରମ୍ଭ କରିଛନ୍ତି । ବିଶ୍ବ ତାପାୟନ ଓ ଜୈବିକ ଇନ୍ଧନ ଦ୍ବାରା ଗାଡ଼ି ଚଳାଚଳ ବଢୁଥିବାରୁ ବାୟୁମଣ୍ଡଳରେ ତାପମାତ୍ରା ବଢିବାରେ ଲାଗିଛି । ଓଡ଼ିଶାରେ ଆଗାମୀ ଦିନରେ ଘଡ଼ଘଡ଼ି ଜନିତ ବର୍ଷା ପରିମାଣ ଆହୁରି ବଢିବ । ଦିନକୁ ଦିନ ବଢୁଛି ଅଦିନିଆ ବର୍ଷା । ବାୟୁମଣ୍ଡଳ ଆର୍ଦ୍ରତା ବୃଦ୍ଧି ଅଧିକରୁ ଅଧିକ ପରିଚଳନ ଜନିତ ବାଦଲ ସୃଷ୍ଟି କରୁଛି । ଯାହାକି ମଣିଷ ସମାଜ ପାଇଁ ବଡ଼ ଚାଲେଞ୍ଜ୍ ସୃଷ୍ଟି କରୁଛି ।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ନନ୍ଦିଘୋଷ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷରେ ଭାରତ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିବାକୁ ଯାଉଛି । ତେବେ ହାର୍ଦ୍ଦିକ ଟି-୨୦ରେ ଅଧିନାୟକ ପଦ ସମ୍ଭାଳିବାକୁ ଥିବାବେଳେ ସେ ଦିନିକିଆ ସିରିଜ ଖେଳିବେ ନାହିଁ ବୋଲି ଜଣାପଡ଼ିଛି । ତେବେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଖେଳିବେ ନାହିଁ ବୋଲି କହିଛନ୍ତି । ୨୭ ଜୁଲାଇରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବ । ପ୍ରଥମେ ୩ଟି ଟି-୨୦ ଖେଳିବ ଏବଂ ପରେ ଦିନିକିଆ ସିରିଜ ଖେଳାଯିବ । ୨୦୨୩ ମସିହାରେ ହାର୍ଦ୍ଦିକ ଶେଷ ଦିନିକିଆ ମ୍ୟାଚ ବାଲାଂଦେଶ ବିପକ୍ଷରେ ଖେଳିଥିଲେ । ଦୀର୍ଘଦିନ ଧରି ଦିନିକିଆ ମ୍ୟାଚରୁ ଦୂରେଇ ରହିଥିବାବେଳେ ପାଣ୍ଡ୍ୟାଙ୍କ ପାଇଁ ସୁଯୋଗ ରହିଥିବାବେଳେ ସେ ବିସିସିଆଇକୁ ବ୍ୟକ୍ତିଗଥ କାରଣ ଦର୍ଶାଇ ଖେଳିବେ ନାହିଁ କହିଛନ୍ତି । ତେବେ ପାଣ୍ଡ୍ୟାଙ୍କ ଏହି କାରଣ ପଛରେ ପତ୍ନୀ ନତାଶା କିଛି ମାମଲା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

୧୦ ଦିନ ବିତିଲା ହେଲେ କାର୍ଯ୍ୟାନୁଷ୍ଠାନ ଶୂନ : ବିଜେଡି

ଭୁବନେଶ୍ୱର : ୧୦ ଦିନ ବିତିଲା ହେଲେ କାର୍ଯ୍ୟାନୁଷ୍ଠାନ ଶୂନ । ଗରିବ ଓ ପ୍ରଭାବଶାଳୀଙ୍କ ପାଇଁ କଣ ଭିନ୍ନ ଆଇନ ? ଏଏସଓଙ୍କୁ ମାଡ ମାରିବା ଘଟଣାରେ ରାଜ୍ଯ ସରକାରଙ୍କୁ ଘେରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ  କହିଛନ୍ତି ଯେ, ଦେଶର ବିଶାଳ ଗଣତନ୍ତ୍ର ଓ ଲୋକଙ୍କ ସୁରକ୍ଷା ପାଇଁ ସମ୍ବିଧାନ ରହିଛି । ଯେତେ କ୍ଷମତାଶାଳୀ ଲୋକ ହେଲେ ଵି ଆଇନରୁ ଛାଡ଼ ନାହିଁ । ହେଲେ ଗତ ୭ ତାରିଖରେ ଯେବେ ରାଷ୍ଟ୍ରପତି ପୁରୀରେ ଥିଲେ, ସେଠି ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଯିଏ ଅଣଓଡ଼ିଆ ଝାଡ଼ଖଣ୍ଡବାସୀ, ସିଏ ଓଡ଼ିଶା ସରକାରଙ୍କ ASOଙ୍କୁ ସାଙ୍ଗମାନଙ୍କ ସହ ମାଡ଼ ମାରିବା, ଅସମ୍ମାନ କରିବା, ଚପଲରେ ଛେପ ପକେଇ ଚଟେଇବା, ନିର୍ଯାତନା ଦେଇଥିଲେ ।

ASO ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଜିଲ୍ଲପାଳ, ଡିଜିଙ୍କ ପାଖରେ ଗୁହାରୀ କରିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହେଲାନି । ତାଙ୍କୁ ନ୍ୟାୟ ନ ମିଳିବା ଦୁଃଖଦାୟକ, ହୃଦୟବିଦାରକ କଥା । ଏହାଦ୍ବାରା ବିଜେପିର ଓଡ଼ିଆ ଅସ୍ମିତାର ମିଛ ନାଟକର ମୁଖା ଖୋଲିଛି । ଅସ୍ମିତା କଥା କହୁଥିବା ମୁଖ୍ଯମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟାନୁଷ୍ଠାନ ନେଇ ଥାନ୍ତେ । ଏହି ଘଟଣା ଓଡ଼ିଶାକୁ ନିନ୍ଦିତ ଓ ଲଜ୍ଜିତ କରୁଛି । ହେଲେ ରାଜ୍ୟ ସରକାର ନିରବ ରହିବା କ୍ଷମତା ଲୋଭକୁ ଦର୍ଶାଉଛି । ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ମୋହନ ସରକାର ଓଡ଼ିଆ ଅସ୍ମିତା ରହିବେ ନା ଅଣ ଓଡ଼ିଆ ଜରିଆରେ ଓଡ଼ିଆଙ୍କୁ ଦଳି ଚକଟି ମାରିବେ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

ନବୀନ ପଟ୍ଟନାୟକ ସରକାର ଦୋଷୀ ବିରୋଧରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ସରୋଜ ମେହେର, ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ଏହାର ଉଦାହରଣ । ନ୍ୟାୟ ଦେବା ବଦଳରେ ASOଙ୍କୁ ବଦଳି କରାଯାଇଥିବା ବେଳେ ରାଜ୍ୟପାଳଙ୍କ ପୁଅ କଲାର ଟେକି ବୁଲୁଛନ୍ତି । ରାଜ୍ୟପାଳଙ୍କ ପୁଅ ପାଇଁ କଣ ସାତ ଖୁନ ମାଫ ? ASOଙ୍କ ଜୀବନ ପ୍ରତି ବିପଦ ଥିବା ତାଙ୍କ ପତ୍ନୀ କହିଛନ୍ତି । ମୁଖ୍ଯମନ୍ତ୍ରୀ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ଜଣେ ସାଧାରଣ ଲୋକ ଏପରି କରିଥିଲେ ଗିରଫ ହୋଇଥାନ୍ତା ନା ନାହିଁ ? ଆଇନ ସମସ୍ତଙ୍କ ପାଇଁ ଗୋଟିଏ । ଗିରଫ ନ ହେଲେ ଆଗାମୀ ଦିନରେ ବିଜେଡି ରାଜଭବନ ଆଗରେ ଆନ୍ଦୋଳନ କରି ଓଡ଼ିଆ ଅସ୍ମିତା ପାଇଁ ଲଢ଼ିବ ବୋଲି ଚେତାବନୀ ଦେଇଛନ୍ତି ଲେଖାଶ୍ରୀ ।

ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା କଂଗ୍ରେସ,

ଭୁବନେଶ୍ୱର : ଚାରି ଦ୍ବାର ଖୋଲିଲା ହେଲେ ଶ୍ରଦ୍ଧାଳୁ ଠିକ ସେ ଦର୍ଶନ କରିପାରୁନାହାଁନ୍ତି । ରତ୍ନ ଭଣ୍ଡାରର ଶୀଘ୍ର ଗଣତି ମଣତି ହେଉ । ଏଏସଓଙ୍କୁ ମାଡ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନି ? ଏପରି ଏକାଧିକ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ଘେରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା କଥା ଉଠାଇ କହିଛନ୍ତି ଯେ, ଚାରି ଦ୍ବାର ଖୋଲିଲା ହେଲେ ଲୋକେ ହଇରାଣ ହରକତ ହେଉଛନ୍ତି । ଦର୍ଶନ ଶୃଙ୍ଖଳିତ ହେଇପାରୁନି ।

ସେହିପରି ଶୀଘ୍ର ଗଣତି ମଣତି ପାଇଁ ଶରତ ଦାବି କରିଛନ୍ତି । ଆଡପ ପହଣ୍ଡି ବେଳେ ବଳଭଦ୍ର ମୁହଁମାଡି ପଡିଯିବା ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଶାସନକୁ ଏଥିପାଇଁ ଦାୟୀ କରିଛନ୍ତି । ଘଟଣାର ଅବସର ପ୍ରାପ୍ତ ଜଜଙ୍କ ଦ୍ୱାରା ତଦନ୍ତ କରି ରିପୋର୍ଟ ମଗାଯାଉ ବୋଲି ଶରତ ଦାବି କରିଛନ୍ତି । ଅନ୍ଯ ଏକ ପ୍ରସଙ୍ଗରେ ମାଡ ଖାଇଥିବା ଏଏସଓଙ୍କୁ ବଦଳିର ଦୃଢ ପ୍ରତିବାଦ କରିଛନ୍ତି ଶରତ । ଜଣେ ମାଡ଼ ଖାଇବ ଆଉ ସେ ହିଁ ଦଣ୍ଡ ପାଇବ ? ଓଡ଼ିଆ ଅସ୍ମିତା କଥା ମୁଖ୍ଯମନ୍ତ୍ରୀ କହୁଛନ୍ତି । ଏବେ ବାହାର ଲୋକ ଆସି ଓଡ଼ିଆଙ୍କୁ ବାଡେ଼ଇଲେଣି । କାହିଁକି ସରକାର ଚୁପ ? ଶୀଘ୍ର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଶରତଙ୍କ ସମେତ ଦଳର ଅନ୍ଯ ପ୍ରମୁଖ ନେତାମାନେ ଦାବି କରିଛନ୍ତି ।

ଓଡ଼ିଶା ସଚିବାଳୟ ସେବାର କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ବଦଳି

ଭୁବନେଶ୍ୱର : ଓଡ଼ିଶା ସଚିବାଳୟ ସେବାର କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ବଦଳି। ତାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି। ଗଭର୍ଣ୍ଣସ ସେକ୍ରେଟାରିଏଟରେ ସଂସଦୀୟ ବ୍ଯାପାର ବିଭାଗ ପକ୍ଷରୁ ସେ ଏଏସଓ ଭାବେ ନିଯୁକ୍ତ ଥିଲେ। ତେବେ ରାଜ୍ୟପାଳଙ୍କ ପୁଅଙ୍କ ଦ୍ବାରା ମାଡମରା ଘଟଣା ପରେ ତାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି। ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ବୈକୁଣ୍ଠ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଗତ ଜୁଲାଇ ୮ତାରିଖରେ ମୌଖିକ ଅବଗତ କରି ନ୍ୟାୟ ପାଇଁ ଗୁହାରି କରାଯାଇଥିଲା। ସେ ଗତ ଜୁଲାଇ ୧୦ରେ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁସାରେ, ପୁରୀ ରାଜଭବନରେ ଜୁଲାଇ ୭ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ଅନ୍ୟ ୫ଜଣ ସହଯୋଗୀ ମିଳିତ ଭାବେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୁଲାଇ ୭ ଓ ୮ ତାରିଖ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ତାଙ୍କର ରାଜଭବନ ରହଣୀର ପ୍ରସ୍ତୁତି ତଦାରଖ ପାଇଁ ସେ ୫ତାରିଖରୁ ପୁରୀରେ ରହିଥିଲେ । ୭ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପାଦନ ହୋଇଥିଲା । କିନ୍ତୁ ସେହି ରାତି ପ୍ରାୟ ୧୧ଟା ୪୫ମିନିଟରେ ସେ ରାଜଭବନସ୍ଥିତ ଅଫିସ ରୁମରେ ବସିଥିବାବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ । ରାଜଭବନର ସୁଇଟ ନମ୍ବର-୪ରେ ରହୁଥିବା ଲଳିତଙ୍କୁ ଭେଟିବାକୁ ସେ ଯାଇଥିଲେ କିନ୍ତୁ ତାଙ୍କୁ ଦେଖୁଦେଖୁ ଲଳିତ ଉତକ୍ଷିପ୍ତ ହୋଇ ଅତ୍ୟନ୍ତ ଅଶାଳୀନ ଭାଷାରେ ବଡ଼ ପାଟିରେ ଗାଳିଗୁଲଜ କରିଥିଲେ । ତାଙ୍କର ଏଭଳି ଆଚରଣକୁ ପ୍ରତିବାଦ କରିବାରୁ ଲଳିତ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଲଳିତ ତାଙ୍କୁ ମାଡମାରିବା ସହ ହତ୍ୟା ଧମକ ଦେଇଥିବା କହିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣା ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ ହୋଇଛି।