କଳାହାଣ୍ଡି : ମାଆ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ। ନୂଆଁଖାଇ କଳାହାଣ୍ଡି ଜିଲ୍ଲାର ଭିନ୍ନ ଏକ ପରମ୍ପରା । ସବୁଠି ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ ଏଠାରେ ପ୍ରତିପଦ ଠାରୁ ଆରମ୍ଭ କରି ଦାଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ ନୂଆଁଖାଇ । ତେବେ ଆଜି ସମଗ୍ର ଗଡ଼ଜାତ ଅଞ୍ଚଳରେ ପାଳିତ ହେଉଛି ନୂଆଁଖାଇ। ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ତିଥିରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ନିକଟରେ ସକାଳ ୮.୪୦ ମିନିଟରେ ନବାନ୍ନ ଲାଗି ହୋଇସାରିଛି। ଦିନ ୯ ଘଟିକାରୁ ମାଆଙ୍କ ମନ୍ଦିର ଦ୍ଵାରା ଖୋଲା ହେବା ପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ମାଆଙ୍କ ଠାରେ ଲାଗି ହୋଇଥିବା ନୂଆଁ ଚୂଡା, ଧାନ, ଗୁଡକୁ ନେଇ ଘରେ ନିଜ ଇଷ୍ଟଦେବତାଙ୍କୁ ପୂଜାର୍ଚ୍ଚନା ପରେ ସକାଳ ୧୦ଟା ୩ ମିନିଟ ରୁ ୧୨ ଘଣ୍ଟା ୩୬ ମିନିଟ ମଧ୍ୟରେ ନୂଆଁଖାଇବାର ସମୟ ରହିଛି। ନୂଆଁଖାଇ ପାଇଁ ଉତ୍ସବ ମୁଖର ହୋଇଛି ଗଡ଼ଜାତ ଅଞ୍ଚଳ। ଘରେ ଘରେ ପିଠାପଣାର ମହକ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଦକ୍ଷିଣ ପୂର୍ବ ବାଂଲାଦେଶ ଆଖପାଖରେ ଏହା କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବ । ପ୍ରଭାବରେ ଆଜିଠାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର, ରାୟଗଡା ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ସତର୍କ କରାଯାଇଛି । କାଲିଠାରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧିପାଇବ । କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୩ଟି ଜିଲ୍ଲା କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡକୁ ସତର୍କତା ଜାରି ହୋଇଛି । ଏହି ୩ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପ୍ରବଳ ବର୍ଷା ନେଇ ଝାରସୁଗୁଡା, ସମ୍ବଲପୁର, ଦେବଗଡ, କୋରାପୁଟ, ନବରଙ୍ଗପୁର, ଯାଜପୁର, ବରଗଡ, ରାୟଗଡା, କଳାହାଣ୍ଡି ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ । ସମୁଦ୍ର ଅଶାନ୍ତ ରହୁଥିବାରୁ ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ଯଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।
ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ
ଭୁବନେଶ୍ୱର : ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ । ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ କଲା CTGST ବିଭାଗ । ୨୦ କେଜି ସୁନାରୁ ୧୬କେଜି ସୁନାର ହିସାବ ଠିକ ଥିବାବେଳେ ୪ କେଜି ସୁନାର ହିସାବ ମେଳ ଖାଉନାହିଁ । ଇନଭଏସ, ଡେଲିଭରି ସାର୍ଟିଫିକେଟ ଠିକ ନଥିବା ସୂଚନା ମିଳିଛି । ଫଳରେ ସୁନା ଜବତ ରଖି ୧୭ ବ୍ୟବସାୟୀଙ୍କୁ ପଚରାଉଚୁରା କରୁଛି CTGST । ଭୁବନେଶ୍ୱରର ୫ ବ୍ୟବସାୟୀଙ୍କ ସମେତ କଳାହାଣ୍ଡି, ଅନୁଗୁଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ସୁନା ଯାଉଥିଲା । ଯାହାକି ରାଜସ୍ଥାନରୁ ଆସିଥିଲା । ଗତ ୨୬ ତାରିଖରେ ମଧ୍ୟ ଏପରି ୩୦କେଜି ସୁନା, ୨୦୦କେଜି ରୂପା CTGST ଧରିଥିଲା । ଯାଞ୍ଚ ପରେ କିଛି ବ୍ୟବସାୟୀଙ୍କୁ ନୋଟିସ କରାଯାଇଥିଲା । ଯାହାର ତଦନ୍ତ ଏବେବି ଜାରିରହିଛି । ପାର୍ବଣ ଋତୁ ଥିବାରୁ ବ୍ୟବସାୟୀ ଅଧିକ ସୁନା ବ୍ୟବସାୟ ପାଇଁ ଆଣୁଛନ୍ତି ।
ଷ୍ଟ୍ରେଚରରେ ଅସହାୟ ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଲେ ବିଡ଼ିଓ
ନବରଙ୍ଗପୁର : ମାନବିକତା ଦେଖାଇଲେ ବିଡ଼ିଓ । ଷ୍ଟ୍ରେଚରରେ ଅସହାୟ ବୃଦ୍ଧାଙ୍କୁ ବୋହି ଆଣିଲେ ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ଗତ କିଛିଦିନ ଧରି ଜଣଏ ଅଜଣା ଅସହାୟ ବୃଦ୍ଧ ମାଳିଗୁଡା ଗ୍ରାମର ନଦୀ ତଟରେ ଭୋକିଲା ଅବସ୍ଥାରେ ପଡିରହିଥିଲେ । ଗ୍ରାମର ଯୁବକମାନେ ଏନେଇ ବିଡ଼ିଓଙ୍କୁ ଅବଗତ କରାଇଥିଲେ । ଉଦ୍ଧାର ପାଇଁ ଆମ୍ବୁଲାନ୍ସ ଡାକିଥିଲେ । କିନ୍ତୁ ଆଗରେ କାଦୁଅ ଭର୍ତ୍ତି ରାସ୍ତା ଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇପାରି ନଥିଲା । ବିଡ଼ିଓ ପହଞ୍ଚି ଗ୍ରାମର କିଛି ଯୁବକ ଓ ସହକାରୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର କହଁରଙ୍କ ସହ ମିଶି ନିଜେ ଷ୍ଟ୍ରେଚରରେ ନଦୀ ପଠାରୁ ବୃଦ୍ଧଙ୍କୁ ବୋହି ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ବୃଦ୍ଧଙ୍କୁ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ବୃଦ୍ଧ ଜଣକ ସୁସ୍ଥ ହେବା ପରେ ତାଙ୍କ ପରିବାର ସହିତ ଯୋଗାଯୋଗ କରାଯିବ ବୋଲି କହିଛନ୍ତି ବିଡ଼ିଓ ।
ଥମୁନି ମଣିଷଖିଆ ଗଧିଆ ଆତଙ୍କ, ଘରେ ପଶି ମହିଳାଙ୍କୁ କଲା ଲହୁଲୁହାଣ
ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶର ଥମୁନି ମଣିଷଖିଆ ଗଧିଆ ଆତଙ୍କ । ବାହାରିଚରେ ପୁଣି ଜଣେ ମହିଳାଙ୍କୁ ଆକ୍ରମଣ କଲା ଗଧିଆ । ଘର ଭିତରେ ପଶି ମହିଳାଙ୍କୁ କଲା ଲହୁଲୁହାଣ । ୨୩ ବର୍ଷୀୟ ଜଣେ ମହିଳା ଘରେ ଥିବାବେଳେ ଗଧିଆ ଆକ୍ରମଣ କରିଥିଲା । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ଗତ ୩ ଦିନରେ ଗଧିଆଟି ଜଣେ ଶିଶୁ ସମେତ ୩ ଜଣଙ୍କୁ ଆକ୍ରମଣ କଲାଣି । ୨ ମାସରେ ଗଧିଆ ଆକ୍ରମଣରେ ୯ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପୂର୍ବରେ ବରେଲି ଅଞ୍ଚଳରେ ମଧ୍ଯ ମଣିଷଖିଆ ଗଧିଆ ଉତ୍ପାତ ରଚିଥିଲା । ଲୋକମାନେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଥିବାବେଲେ ରାତିସାରା ଉଜାଗର ରହି ଗଧିଆକୁ ଜଗୁଛନ୍ତି । ବନ ବିଭାଗ ମଧ୍ଯ ଗଧିଆ ଉପରେ ନଜର ରଖିଛି ।
ଦ୍ବିତୀୟ ପର୍ଯ୍ଯାୟ ପ୍ରେସିଡେନସିଆଲ ଡିବେଟରେ ଭାଗ ନେବେନି ଟ୍ରମ୍ପ
ନନ୍ଦଘୋଷ ବ୍ୟୁରୋ : ଆମେରିକା ନିର୍ବାଚନ ପ୍ରସଙ୍ଗ । ଦ୍ବିତୀୟ ପର୍ଯ୍ଯାୟ ପ୍ରେସିଡେନସିଆଲ ଡିବେଟରେ ଭାଗନେବେନି ରିପ୍ଲବିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ । ଡେମୋକ୍ରାଟ ପ୍ରାର୍ଥୀ କମଳା ହାରିସଙ୍କ ସହ ଆଉ ଡିବେଟ କରିବିନି ବୋଲି ବୋଲି କହିଛନ୍ତି ଟ୍ରମ୍ପ । ବିତର୍କ ନକରିବାର କାରଣ ଜଣାଇ ଟ୍ରମ୍ପ କହିଛନ୍ତି, ଯେତେବେଳେ ଜଣେ ଯୋଦ୍ଧା ଆଉ ଥରେ ଖେଳିବାକୁ କହେ ତାହାର ଅର୍ଥ ହେଉଛି ମୁଁ ଜିତିବି । ଏଣୁ ପୁଣିଥରେ ବିତର୍କର ଆବଶ୍ଯକତା ନାହିଁ ବୋଲି ଟ୍ରମ୍ପ କହିଛନ୍ତି । ପୂର୍ବରୁ ପ୍ରଥମ ଡିବେଟରେ ବହୁ ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ କମଳା ହାରିସ ଓ ଡୋନାଲଡ ଟ୍ରମ୍ପ । ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସେନ ସେଣ୍ଟରରେ ଦୁଇ ପ୍ରାର୍ଥୀଙ୍କ ମଧ୍ଯରେ ହୋଇଥିଲା ବାକ୍ ଯୁଦ୍ଧ । ଟ୍ରମ୍ପ ପୁନର୍ବାର ରାଷ୍ଟ୍ରପତି ହେଲେ ରୁଷ- ୟୁକ୍ରେନ୍ ଯୁଦ୍ଧ ୨୪ ଘଣ୍ଟା ଭିତରେ ଶେଷ କରିଦେବେ ବୋଲି ଦୃଢୋକ୍ତି ଦେଖାଇଥିଲେ । ୟୁକ୍ରେନ ପଛରେ ଆମେରିକାର ହାତ ରହିଛି ଖୋଲାଖୋଲି କହିବା ପରେ କମଳା ହାରିସ ଏହାର ତୀବ୍ର ବିରୋଧ କରିଥିଲେ । ଟ୍ରମ୍ପଙ୍କ ବିଦେଶ ନୀତି ସବୁଠୁ ଦୁର୍ବଳ ବୋଲି କମଳା କହିଥିଲେ । ଅନ୍ଯାନ୍ଯ ପ୍ରସଙ୍ଗରେ ମଧ୍ଯ ଉଭୟଙ୍କ ମଧ୍ଯରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଅନୁପ୍ରବେଶ ନୀତି, ଅର୍ଥନୀତି ଓ ସମ୍ବିଧାନ ପ୍ରସଙ୍ଗରେ ଉଭୟ ବିତର୍କ କରିଥିଲେ । ନଭେମ୍ବର ୫ ତାରିଖରେ ଆମେରିକା ଭୋଟ ହେବ।
୯ ବର୍ଷ ପରେ ଫିଲ୍ମକୁ ଫେରିବେ ଇମ୍ରାନ ଖାନ
ନନ୍ଦିଘୋଷ ବ୍ୟୁରୋ : ଦୀର୍ଘ ଦିନ ଧରି ତାଙ୍କୁ ଅପେକ୍ଷା କରିଥିବା ଇମ୍ରାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇମ୍ରାନ ଖାନ ପ୍ରାୟ ୯ ବର୍ଷ ପରେ ଚଳଚ୍ଚିତ୍ର ଜଗତକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ‘ଦିଲ୍ଲୀ ବେଲି’ ଏବଂ ‘ଆଇ ହେଟ୍ ଲଭ ଷ୍ଟୋରୀ’ର ଅଭିନେତା ଇମ୍ରାନ ଖାନଙ୍କ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଇମ୍ରାନ ଖାନ ଦୀର୍ଘ ସମୟ ଧରି ପରଦାରୁ ନିଖୋଜ ଥିଲେ । ଗତ ବର୍ଷ ସେପ୍ଟେମ୍ବରରୁ ଇମ୍ରାନ ଖାନ ତାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ସୂଚନା ଦେଉଥିଲେ, ଯାହା ବର୍ତ୍ତମାନ ନିଶ୍ଚିତ ହୋଇଛି । ପ୍ରାୟ ୯ବର୍ଷ ପରେ ଇମ୍ରାନ ଖାନ ଅଭିନୟ କରିବାକୁ ଯାଉଛନ୍ତି । କୁହାଯାଉଛି ଯେ, ସେ ଦୀର୍ଘ ଦିନ ଧରି ଫେରିବା ପାଇଁ ଏକ ଉପଯୁକ୍ତ ସ୍କ୍ରିପ୍ଟ ଖୋଜୁଥିଲେ, ଯାହା ବର୍ତ୍ତମାନ ଶେଷ ହୋଇଛି ।
ଏକ ରିପୋର୍ଟ ଅନୁଯାୟୀ, ଆମୀର ଖାନ ପ୍ରଡକ୍ସନ୍ସର ପ୍ରଥମ ଓଟିଟି ଚଳଚ୍ଚିତ୍ରରେ ଇମ୍ରାନ ଖାନ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଡାନିସ ଅସଲମଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ । ଫିଲ୍ମର ସ୍କ୍ରିପ୍ଟ ବିଷୟରେ କୌଣସି ସୂଚନା ଗ୍ରହଣ କରାଯାଇ ନାହିଁ, କିନ୍ତୁ କୁହାଯାଉଛି ଯେ ଇମ୍ରାନ ଖାନଙ୍କୁ ସେହି ଭୂମିକାରେ ଦେଖିବାକୁ ମିଳିବ ଯେଉଁଥିରେ ଦର୍ଶକ ତାଙ୍କୁ ଏପର୍ଯ୍ୟନ୍ତ ପସନ୍ଦ କରିଛନ୍ତି । ଏହା ମଧ୍ୟ ଏକ ରୋମାଣ୍ଟିକ୍ କମେଡି ହେବ ବୋଲି କୁହାଯାଉଛି । ଫିଲ୍ମର ସୁଟିଂ କିଛି ମାସ ପରେ ଆରମ୍ଭ ହେବ ।
୨୦୧୫ ରେ ଇମ୍ରାନ ଖାନ ତାଙ୍କର ଶେଷ ଚଳଚ୍ଚିତ୍ର ‘କଟ୍ଟି-ବଟ୍ଟି’ କରିଥିଲେ । ଯଦିଓ ସେ ଦୀର୍ଘ ସମୟ ଧରି ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ ନିଜ ଇଚ୍ଛା ଅନୁଯାୟୀ ସ୍କ୍ରିପ୍ଟ ପାଇନଥିଲେ । ଆମୀର ଖାନ ହେଉଛନ୍ତି ଇମ୍ରାନ ଖାନଙ୍କ ମାମୁଁ, ସେ ହିଁ ଇମ୍ରାନ ଖାନଙ୍କୁ ଲଞ୍ଚ କରିଥିଲେ । ବର୍ତ୍ତମାନ ୯ବର୍ଷ ପରେ ତାଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ସେମାନଙ୍କ ସହିତ ଘଟୁଛି । ଏହି ଚଳଚ୍ଚିତ୍ର ପାଇଁ ଆମୀର ଖାନ ପ୍ରଡକ୍ସନ୍ସ ଓପନ୍ ଏୟାର ଫିଲ୍ମ ସହ ସହଭାଗୀତା କରୁଛନ୍ତି । ଇମ୍ରାନ ଖାନ ୧୯୮୮ ମସିହାରେ ଶିଶୁ କଳାକାର ଭାବରେ ‘କାୟାମାଟ ସେ କାୟାମାଟ ତକ’ ସହିତ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ, ଯାହା ପରେ ତାଙ୍କୁ ୧୯୯୨ ରେ ‘ଜୋ ଜୀତା ୱୋହି ସିକନ୍ଦର’ରେ ମଧ୍ୟ ଦେଖିବାକୁ ମିଳିଥିଲା। ତାଙ୍କର ସବୁଠାରୁ ହିଟ୍ ଫିଲ୍ମ ଥିଲା ‘ଦିଲ୍ଲୀ ବେଲି’, ଯାହା ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା । ‘ଦିଲ୍ଲୀ ବେଲି’ ପାଇଁ ଇମ୍ରାନଙ୍କୁ ବହୁତ ପ୍ରଶଂସା କରାଯାଇଥିଲା। ଜଣେ ମୁଖ୍ୟ ଅଭିନେତା ଭାବରେ ସେ ପୁନର୍ବାର ଆମୀର ଖାନଙ୍କ ଦ୍ବାରା ଲଞ୍ଚ ହୋଇଥିଲେ, ଇମ୍ରାନଙ୍କ ପ୍ରଥମ ଚଳଚ୍ଚିତ୍ର ଜେନେଲିଆ ଦେଶମୁଖଙ୍କ ସହ ୨୦୦୮ ରେ ‘ଜାନେ ତୁ ୟା ଜାନେ ନା’ ସହିତ ନଜର ଆସିଥିଲେ ।
ଗଡ଼ଜାତ ଅଞ୍ଚଳରେ ପାଳିତ ହେବ ନୂଆଁଖାଇ
କଳାହାଣ୍ଡି : ଆଜି ଗଡ଼ଜାତ ଅଞ୍ଚଳରେ ପାଳିତ ହେବ ନୂଆଁଖାଇ। ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପରେ ନୂଆଁଖାଇବେ ଗଡ଼ଜାତ ଅଞ୍ଚଳବାସୀ । ଏନେଇ ଭୋରରୁ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି । ସବୁଠଇ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ ଏଠାରେ ପ୍ରତିପଦ ଠାରୁ ଆରମ୍ଭ କରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ ନୂଆଁଖାଇ । ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ନିକଟରେ ସକାଳ ୮.୨୫ ମିନିଟରୁ ୯.୧୫ ମଧ୍ୟରେ ନବାନ୍ନ ଲାଗି ହେବ । ପରେ ଦିନ ୯ ଟାରୁ ସର୍ବସାଧାରଣ ମାଁ ଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲା ଯିବ । ସକାଳ ୧୦ ଘଣ୍ଟା ୩ ମିନିଟ ରୁ ୧୨ ଘଣ୍ଟା ୩୬ ମିନିଟ ମଧ୍ୟରେ ନୂଆଁଖାଇବେ ଗଡ଼ଜାତ ଅଞ୍ଚଳବାସୀ ।କଳାହାଣ୍ଡି ଜିଲ୍ଲାର ଗ୍ରାମ ଗୁଡିର ପ୍ରତି ଘରେ ଘେରେ ପରିବାର ସଦସ୍ୟ ଏକାଠି ବସି ନୂଆଁଖାଇଥାନ୍ତି । ଏହାପରେ ଆରମ୍ଭ ହୋଇଥଏ ଜୁହାର ଭେଟ ପର୍ବ । ସାନମାନେ ମୁଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେବେ । ଏହାପରେ ଜମେ ନାଚଗୀତର ଆସର । ଢୋଲ, ନିଶାନ ତାସା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମ୍ ଘୁମ୍ ଶବ୍ଦରେ ଦୁଲୁକି ଉଠିବ ଗାଁଠୁ ସହର ।
ସୁଭଦ୍ରା ଫର୍ମ ଡିଜିଟାଇଜେସନ ପାଇଁ ଟଙ୍କା ଆଦାୟ ଘଟଣାରେ ଜଣେ ଗିରଫ
ସୁନ୍ଦରଗଡ : ସୁଭଦ୍ରା ଫର୍ମ ଡିଜିଟାଇଜେସନ ପାଇଁ ଟଙ୍କା ଆଦାୟ ଘଟଣାରେ ଜଣେ ଗିରଫ । ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଫର୍ମ ସମ୍ପୂର୍ଣ୍ଣ ଦେୟ ମୁକ୍ତ ରହିଛି । ଜନ ସେବା କେନ୍ଦ୍ର, ମୋ ସେବା କେନ୍ଦ୍ରମାନେ ଫର୍ମ ପାଇଁ କୌଣସି ହିତାଧିକାରୀମାନଙ୍କ ଠାରୁ ଟଙ୍କା ଆଦାୟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଏହି ନିର୍ଦ୍ଦେଶର ଉଲଂଘନ ଅଭିଯୋଗରେ ହେମଗିର ବ୍ଲକର ଅଙ୍କେଲବିରାର ଜନ ସେବା କେନ୍ଦ୍ରକୁ ବ୍ଲକ ପ୍ରଶାସନ ଦ୍ବାରା ସିଲ କରାଯିବା ସହ କମ୍ପ୍ୟୁଟର ଜବତ କରାଯାଇଛି । ବିଡିଓଙ୍କ ଏତଲା ଆଧାରରେ ସଂପୃକ୍ତ ଜନ ସେବା କେନ୍ଦ୍ରର ଭି.ଏଲ୍. ଇ ଜଗ ମୋହନ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ।
ଆସୁଛି ବଡ ବର୍ଷା, ୧୬ରୁ ପ୍ରବଳ ଛେଚିବ !
ଭୁବନେଶ୍ବର : ପୁଣି ଆସୁଛି ବଡ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ନେବ ଲଘୁଚାପର ରୂପ । ପ୍ରଭାବରେ ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ ନିର୍ଧୁମ୍ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ପୂର୍ବ ବାଂଲାଦେଶ ଉପକୂଳ ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆଜି ଆହୁରି ଘନୀଭୁତ ହୋଇ ଲଘୁଚାପରେ ପରିଣତ ହେବ । ପରେ ଏହା ଧିରେ ଧିରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦୁଇ ଦିନ ମଧ୍ୟରେ ପଶ୍ଚିମବଙ୍ଗର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଅବପାତରେ ପରିଣତ ହେବ । ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ । ଆଜି ପ୍ରବଳ ବର୍ଷା ନେଇ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କୋରାପୁଟ, ମାଲକାନଗିରି,ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର, ରାୟଗଡା ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୪ ତାରିଖରେ ବଢିବ ବର୍ଷାର ପରିମାଣ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ । ସମୁଦ୍ର ଅଶାନ୍ତ ରହିବା କାରଣରୁ ଆସନ୍ତା କାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି ।

