ସେପଟେ ମେଡିକାଲ କାରଣକୁ ନେଇ ଯଦି ଡାକ୍ତରମାନେ ପରାମର୍ଶ ଦିଅନ୍ତି ତେବେ ସେ ରାଷ୍ଟ୍ରପତି ନିର୍ବାଚନରୁ ଓହରିବେ ବୋଲି କହିଛନ୍ତି ବାଇଡେନ। କୋଭିଡରେ ସଂକ୍ରମିତ ହେବା ପରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବାଧା ସୃଷ୍ଟି ହେବା ଆଶଙ୍କା କରିଛନ୍ତି ବାଇଡେନ। ପୂର୍ବରୁ ସେ ମାନସିକ ସୁସ୍ଥ ଅଛନ୍ତି ଏବଂ ଦ୍ବିତୀୟ ଥର ଲାଗି ରାଷ୍ଟ୍ରପତି ହେବା ଲାଗି ସେ ଯୋଗ୍ଯ ବ୍ଯକ୍ତି ବୋଲି ଦର୍ଶାଇ ଆସୁଥିଲେ ବାଇଡେନ।
ଗୁଜରାଟରେ ମାତିଲା ଚାନ୍ଦିପୁରା ଭାଇରସ
ନନ୍ଦିଘୋଷ ବ୍ୟୁରୋ : ଗୁଜରାଟରେ ମାତିଲା ଚାନ୍ଦିପୁରା ଭାଇରସ। ପୁଣି ଜଣେ ସାଢେ ଚାରିବର୍ଷର ଶିଶୁର ଜୀବନ ନେଲା କିଲର ଭାଇରସ। ଭାଇରସ ଜନିତ ମୃତ୍ଯୁ ନେଇ ସ୍ପଷ୍ଟ କଲା ନ୍ଯାସନାଲ ଇନଷ୍ଟିଚ୍ଯୁଟ ଅଫ ଭିରୋଲୋଜି ବା ଏନଆଇଭି। ବର୍ତ୍ତମାନ ସୁଦ୍ଧା ଗୁଜରାଟରେ ୧୪ ଜଣ ଏହି ଭାଇରସରେ ସଂକ୍ରମିତ ହେଲେଣି। ସେମାନଙ୍କ ମଧ୍ଯରୁ ୮ ଜଣ ପ୍ରାଣ ହରାଇଛନ୍ତି। ସମସ୍ତଙ୍କ ନମୁନା ପୁଣେ ସ୍ଥିତ ଏନଆଇଭିକୁ ପଠାଯାଇଛି।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ସାବରକନ୍ଥ, ଆରାବଳୀ, ମହିସାନଗର, ଖେଡା, ମେହସାନା, ରାଜକୋଟ ଆଦି ଜିଲ୍ଲାରେ ଚାନ୍ଦିପୁରା ଭାଇରସ ଆତଙ୍କ ଖେଳାଇଛି। ରାଜସ୍ଥାନ ଓ ମଧ୍ଯପ୍ରଦେଶର ୩ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ୨୬ଟି ଆବାସିକ ଜୋନରୁ ୪୪ ହଜାର ଲୋକଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରାଯାଇଛି। ଏହି ଭାଇରସ ଭେସିକୁଲାର ଭାଇରସ ଜେନସ ଶ୍ରେଣୀର ଅନ୍ତର୍ଗତ। ଏହା ମୁଖ୍ଯତଃ ଫ୍ଲେବୋଟୋମାଇନ କୀଟ ବା ବାଲୁମକ୍ଷିକା ଦ୍ବାରା ସଂକ୍ରମିତ ହୋଇଥାଏ। ଏହା ସହ ଅନ୍ଯାନ୍ଯ କୀଟ ଓ ମଶା ଦ୍ବାରା ମଧ୍ଯ ସଂକ୍ରମିତ ହୋଇଥାଏ। ଏହି ଭାଇରସ ମୁଖ୍ଯତଃ ପିଲାଙ୍କ ପ୍ରତି ବିପଦ ସାବ୍ଯସ୍ତ ହୋଇଥାଏ।
ସୂଚନାଯୋଗ୍ୟ, ୧୯୬୫ରେ ପ୍ରଥମେ ଏହାକୁ ମହାରାଷ୍ଟ୍ରର ଚାନ୍ଦିପୁରା ଗ୍ରାମରୁ ଠାବ ହୋଇଥିବାରୁ ଏହାକୁ ଚାନ୍ଦିପୁରା ଭାଇରସ କୁହାଯାଇଥାଏ। ଚାନ୍ଦିପୁରା ଭାଇରସ ଯୋଗୁ ପ୍ରବଳ ଜ୍ବର, ଡାଇରିଆ, ବାନ୍ତି, କାଶ, ମସ୍ତିଷ୍କ ପ୍ରଦାହ ହୋଇଥାଏ। ୨୪ରୁ ୭୨ ଘଣ୍ଟା ମଧ୍ଯରେ ରୋଗୀ ପ୍ରାଣ ହରାଇଥାନ୍ତି। ବର୍ତ୍ତମାନ ସୁଦ୍ଧା ଚାନ୍ଦିପୁରା ଭାଇରସର ଚିକିତ୍ସା ବ୍ଯବସ୍ଥା ଓ ଟିକା ବାହାର କରାଯାଇପାରିନାହିଁ।
ଆଜି ତୃତୀୟ କ୍ଯାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ
ଭୁବନେଶ୍ୱର: ଆଜି ବସିବ ରାଜ୍ଯ ସରକାରଙ୍କ ତୃତୀୟ କ୍ଯାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ। ବୈଠକରେ ପ୍ରାୟ ୨ ଦଶମିକ ୯ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତାବ ଉପରେ ଅନୁମୋଦନ ଦିଆଯିବ। ଏହା ସହିତ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ସମ୍ପର୍କରେ ଆଲୋଚନା ହେବ।
ବୈଠକରେ ଏମଏସପି ବୃଦ୍ଧି, ସେପ୍ଟେମ୍ବରରୁ ସୁଭଦ୍ରା ଯୋଜନା ପ୍ରଚଳନ ଆଦି ସମ୍ପର୍କରେ ଆଲୋଚନା କରାଯିବ। ଦ୍ବିତୀୟ କ୍ଯାବିନେଟରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ସେଥିରୁ ପୂର୍ବ ସରକାର ସମୟରେ ଗ୍ରହଣ କରାଯାଇଥିବା ମଜୁରୀ ବୃଦ୍ଧି, ଶିକ୍ଷକ ନିଯୁକ୍ତି ଆଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା।
ଆସୁଛି ଦୁଇ ଦୁଇଟି ଲଘୁଚାପ: ସକ୍ରିୟ ରହିଛି କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ
ଭୁବନେଶ୍ୱର: ଆସୁଛି ଦୁଇ ଦୁଇଟି ଲଘୁଚାପ । ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ୫ରୁ ୭ ଦିନ ଯାଏଁ ସାରା ରାଜ୍ୟରେ ବର୍ଷା ଲାଗି ରହିବ।
ଆଜି ଗଞ୍ଜାମ,ଗଜପତି, ରାୟଗଡ଼ା,କନ୍ଧମାଳ,କଳାହାଣ୍ଡି,କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୯ ଓ ୨୦ ତାରିଖ ବେଳକୁ ବର୍ଷା ପରିମାଣ ବଢିବା ସହ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଜୁନ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୮୦.୦୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି ।
ଏସସିବିରେ ହାଉସ ସର୍ଜନ ଓ ସେବିକା ସଂଘ ବିବାଦ ତୁଟିଲା
କଟକ: ଏସସିବିରେ ହାଉସ ସର୍ଜନ ଓ ସେବିକା ସଂଘ ମଧ୍ୟରେ ଦେଖା ଦେଇଥିବା ବିବାଦ ତୁଟିଛି । ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇଛି । ସିଏମସି କମିଶନର ବିଜୟ ଶଙ୍କର ଦାଶଙ୍କ ଅଧ୍ୟକ୍ଷତାରେ ଏସସିବିରେ ଜରୁରୀ ବୈଠକ ଡକାଯାଇଥିଲା । ଏଥିରେ ହାଉସ ସର୍ଜନ ସଂଘ ସହିତ ସେବିକା ସଂଘର ନେତୃମଣ୍ଡଳୀ ଯୋଗ ଦେଇଥିଲେ । ରେସିଡେଣ୍ଟ ଡାକ୍ତର ସଂଘ, ଜୁନିୟର ଡାକ୍ତର ସଂଘ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।
ଡିନ୍ ଡାକ୍ତର ପ୍ରସନ୍ନଜିତ ମହାନ୍ତି, ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପ୍ରଶାସକ ଡାକ୍ତର ଅବିନାଶ ରାଉତ, ଡାକ୍ତର ଜୟନ୍ତ ପଣ୍ଡା, ଡାକ୍ତର ସାରଦା ସ୍ୱାଇଁ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ସମସ୍ତ ବାଦ ବିବାଦ ଭୁଲି ରୋଗୀ ଚିକିତ୍ସାକୁ ଗୁରୁତ୍ବ ଦେବାକୁ ଉଭୟ ସଂଘକୁ ପରାମର୍ଶ ଦିଆଯାଇଛି । ପରାମର୍ଶକୁ ଗ୍ରହଣ କରି ଆନ୍ଦୋଳନରୁ ଓହରିବା ସହିତ ସବୁ କାର୍ଯ୍ୟରେ ଯୋଗ ଦେବାକୁ ସଂଘ କହିଥିବା ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି । ତେବେ ଉଭୟ ସଂଘ ଏନେଇ କୌଣସି ଲିଖିତ ସୂଚନା ଦେଇନାହାନ୍ତି ।
ଛତିଶଗଡ଼ ସୀମାନ୍ତରେ ୧୨ ମାଓବାଦୀ ନିହତ
ମାଲକାନଗିରି: ଛତିଶଗଡ଼ ମହାରାଷ୍ଟ୍ର ସୀମାନ୍ତରେପୋଲିସକୁ ବଡ଼ ସଫଳତା । ଏନକାଉଣ୍ଟରରେ ଟଳିଲେ ୧୨ ମାଓବାଦୀ । ଛତିଶଗଡ଼ ସୀମାନ୍ତ ଓ୍ୱାଣ୍ଡୋଲିରେ ଗୁଳି ବିନିମୟ ହୋଇଥିବା ସୂଚନା ।
ମିଳିଥିବା ଖବର ଅନୁସାରେ, ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ୬ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଏଥିରେ ୧୨ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ପରେ ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଗୁଳି ବିନିମୟ ପରେ ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ କରିଥିଲେ । ଏହି ସମୟରେ ମାଓବାଦୀମାନେ ବ୍ୟବହାର ପାଇଁ ରଖିଥିବା ବିପୁଳ ପରିମାଣର ଅସ୍ତଶସ୍ତ୍ର ଜବତ କରାଯାଇଛି । ଗୁଳି ବିନିମୟ ପରେ ପୋଲିସ ସମସ୍ତ ମୃତ ମାଓବାଦୀଙ୍କ ଶବ ଜବତ କରିଛି ।
ଗୁଳି ବିନିମୟରେ କିଛି ଯବାନ ଆହତ ହୋଇଥିବା ଜଣାପଡିଛି । ଆମ୍ବୁଲାନ୍ସରେ ସେମାନଙ୍କୁ ଅଣାଯିବା ପରେ ବାୟୁସେନାର ହେଲିକପ୍ଟରରେ ମେଡିକାଲ ପଠାଯାଇଛି ।

