spot_img
Home Blog Page 1680

ଭାରତ-ବାଂଲାଦେଶ ସମ୍ପର୍କରେ ପଡିପାରେ ଭଟ୍ଟା, ଭାରତ ପ୍ରତି ବଢିପାରେ ଆତଙ୍କବାଦୀ ବିପଦ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ଶାସନ ପରିବର୍ତ୍ତନ ପରେ ଭାରତ-ବାଂଲାଦେଶ ସମ୍ପର୍କରେ ପଡିପାରେ ଭଟ୍ଟା । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗାଦିଚ୍ଯୁତ ହେବା ପରେ ଭାରତ ପ୍ରତି ବଢିପାରେ ଆତଙ୍କବାଦୀ ବିପଦ । ଭାରତ ସହ ବନ୍ଧୁ ଭାବେ ଜଣାଶୁଣା ହସିନା ଆତଙ୍କବାଦୀଙ୍କୁ ଦମନ କରିବା ସହ ବହୁ ବିବାଦର ସମାଧାନ କରୁଥିଲେ । ସେପଟେ ଅନ୍ତରୀଣ ସରକାରର ମୁଖ୍ଯ ମହମ୍ମଦ ୟୁନୁସଙ୍କ ଭୂମିକା ବି ସନ୍ଦେହ ଘେରରେ ରହିଛି । ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଦିଲ୍ଲୀରେ ଥିବା ସମୟରେ କୌଣସି ରାଜନୈତିକ ମନ୍ତବ୍ଯ ଦେବାରୁ ଭାରତ ହସିନାଙ୍କୁ କ୍ଷାନ୍ତ କରୁ । ସେପଟେ ଆନ୍ଦୋଳନ ବେଳେ ଘଟିଥିବା ହତ୍ଯା ଘଟଣାର ବିଚାର ଲାଗି ହସିନାଙ୍କୁ ଫେରାଇ ଅଣାଯାଉ ବୋଲି ଦାବି ଉଠିବାରେ ଲାଗିଛି । ଅନ୍ୟପଟେ ଭାରତ ସହ ସମ୍ପର୍କିତ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ମୁକୁଳା ଯାଉଥିବାରୁ ଭାରତ ପକ୍ଷରୁ ଉଦବେଗ ପ୍ରକାଶ କରାଯାଉଛି । ତେବେ ଆଫଗାନିସ୍ତାନର ତାଲିବାନ ଶାସନ ପରି ବାଂଲାଦେଶରେ ଚାଲିଲାଣି ତାଲିବାନୀ ଶାସନ । ଅନ୍ତରୀଣ ଶାସକ ମହମ୍ମଦ ୟୁନୁସଙ୍କ ଧର୍ମନିରପେକ୍ଷ ନୀତିକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏପରିକି ଦୁର୍ଗାପୂଜା ବେଳେ ଅନେକ କଟକଣା ଜାରି କରିଛନ୍ତି ଅନ୍ତରୀଣ ସରକାର । ଆଜାନର ପାଞ୍ଚ ମିନଟ ପୂର୍ବରୁ ଓ ନମାଜ ସମୟରେ ନାଚଗୀତ, ସଂଗୀତ ବାଦନ ଆଦି ନକରିବା ଲାଗି ପରାମର୍ଶ ଦେଇଛନ୍ତି ୟୁନୁସ । ବାଂଲାଦେଶରେ ଆସନ୍ତା ଅକ୍ଟୋବର ୯ରୁ ୧୩ ଯାଏ ଦୁର୍ଗାପୂଜା ଅନୁଷ୍ଠିତ ହେବ ଏବଂ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ପେଣ୍ଡାଲ ନିର୍ମିତ ହେବ । ଗତବର୍ଷ ଦେଶରେ ୩୩ ହଜାର ୪୩୧ଟି ପୂଜା ମଣ୍ଡପ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ଯା ଅଧିକ ହେବ ବୋଲି କୁହାଯାଇଛି ।

ରାଉରକେଲାରୁ ବିଭତ୍ସ ହତ୍ଯାକାଣ୍ଡ, ଯୁବତୀଙ୍କୁ ଜାଳି ହତ୍ଯା

ରାଉରକେଲା: ଯୁବତୀଙ୍କୁ ଜାଳି ହତ୍ଯା। ରାଉରକେଲା ରେଲୱେ ଷ୍ଟେସନ ନିକଟ ଏକ ହୋଟେଲ ରୁମରୁ ମିଳିଲା ଯୁବତୀଙ୍କ ମୃତଦେହ। ମୃତ ଯୁବତୀଙ୍କ ବାପା ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ମୃତ ଯୁବତୀ ଜଣକ ଗତକାଲି ସକାଳେ କମ୍ପ୍ୟୁଟର କ୍ଲାସ କରିବା ପାଇଁ ଘରୁ ଆସିଥିଲେ। ତାପରେ କ୍ଲାସ ଯିବା ବଦଳରେ ଏକ ହୋଟେଲରେ ଅଜୟ ସା’ ନାମକ ଜଣେ ସମ୍ପର୍କୀୟ ଭାଇଙ୍କ ସହ ରହିଥିଲେ। ପରେ ହୋଟେଲ ରୁମରେ ଯୁବତୀଙ୍କୁ ନିଆଁରେ ଜଳି ପଡିଥିବା ଅବସ୍ଥାରେ ଦେଖି ହୋଟେଲ କର୍ମଚାରୀ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ଯୁ ହୋଇଥିଲା ।

ଅଜୟ ସା’ ହିଁ ଝିଅକୁ ହତ୍ଯା କରିଥିବା ମୃତ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଅଜୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ମୃତ ଯୁବତୀ ଏବଂ ଅଜୟ ସା’ ୪ ରୁ ୫ ଥର ସେହି ହୋଟେଲକୁ ଆସି ରହିଥିବା ହୋଟେଲ ମ୍ୟାନେଜର କହିଛନ୍ତି। ସାଇଣ୍ଟିଫିକ ଟିମ ଓ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ଜାମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଯବାନ ସହିଦ

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଡୋଡା ରାଲି ଗସ୍ତ ପୂର୍ବରୁ ଜମ୍ମୁକଶ୍ମୀର କିସ୍ତଓ୍ବାଡାରେ ଆସିଲା ବଡ ଦୁଃଖଦ ଖବର । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୨ଯବାନ ସହିଦ ହୋଇଛନ୍ତି । ଜମ୍ମୁ କାଶ୍ମୀରର କିସ୍ତଓ୍ବାର ଜିଲ୍ଲାରେ  ଆତଙ୍କୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଯବାନ ଆହତ ହୋଇଥିବା ବେଳେ ଅନ୍ୟ ୨ ଜଣ ସହିଦ ହୋଇଛନ୍ତି । ଶହୀଦ ହୋଇଥିବା ଯବାନ ହେଉଛନ୍ତି କନଷ୍ଟେବଳ ଅରବିନ୍ଦ ସିଂ ଏବଂ ଭିପିନ କୁମାର । ଆହତ ଯବାନଙ୍କ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁଯାୟୀ ଜମ୍ମୁ କାଶ୍ମୀରର କିସ୍ତଓ୍ବାରରେ  ୩ ଆତଙ୍କବାଦୀ ଥିବା ନେଇ ସେନାକୁ ସୂଚନା ମିଳିଥିଲା। ଘଟଣାସ୍ଥଳରେ ସୁରକ୍ଷାବଳ ପହଞ୍ଚି ଅପରେସନ୍ ଆରମ୍ଭ କରିଥିବାବେଳେ ଆତଙ୍କବାଦୀ ଓ  ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ  ହୋଇଥିଲା।  ଗୁଳିବିନିମୟ ଚାଲିଥିବାବେଳେ ଏଥିରେ ୪ ଜଣ ଯବାନ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୨ ଜଣ ସହିଦ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ଅଛନ୍ତି ।

ଅନ୍ୟପଟେ  କାଠୁଆରେ ମଧ୍ୟ ସେନା ପକ୍ଷରୁ ୨ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।  ଆତଙ୍କବାଦଙ୍କ ବିରୋଧରେ ସେନାର ନିରନ୍ତର କାର୍ଯ୍ୟ ଚାଲିଛି। ବାରାମୁଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ପୋଲିସ, ସେନା ଏବଂ CRPFର ମିଳିତ ଦଳ ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି  । ଜାମ୍ମୁ କଶ୍ମୀରରେ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେବାର ଦିନ ପାଖେଇ ଆସୁଛି ଏବଂ  ସେପ୍ଟେମ୍ବର ୧୮ରେ ୟୁନିଅନ ଟେରିଟୋରୀରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।ଏନେଇ ନିର୍ବାଚନ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ କରି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରାଯାଉଛି ।

 

ଆଜିଠୁ ପ୍ରବଳ ବର୍ଷିବ, ୨ ଜିଲ୍ଲାକୁ ରେଡ ଆଲର୍ଟ

ଭୁବନେଶ୍ବର: ଅବପାତର ରୂପ ନେଇଛି ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି। ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା । ଆଜିଠାରୁ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି। ଭୀଷଣ ବର୍ଷା ନେଇ ମୟୂରଭଞ୍ଜ ଏବଂ କେନ୍ଦୁଝରକୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ୨୦୦ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ରହିଛି । ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ବର୍ଷିବ। ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।


ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସ୍କୁଲ କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ ଏବଂ ଢେଙ୍କାନାଳକୁ ସତର୍କତା ଜାରି ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦କିଲୋମିଟର ବେଗରେ ବହିବ ପବନ। ଆଜି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମନା ରହିଛି ।

ଓଡ଼ିଶାରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ‘ଆଭା’

ଭୁବନେଶ୍ୱର: ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଆଭା । ଓଡ଼ିଶାର ୧୮ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଆଭାର ପୁରା ଟିମ୍ ସହିତ ଓଲିଉଡ଼ର ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ ସିନେ ସମୀକ୍ଷକ ଚଳଚ୍ଚିତ୍ର ଦେଖି ଭୁୟସୀ ପ୍ରଶଂସା କରିଛନ୍ତି । ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଆଭା ଜଣେ ଭିନ୍ନକ୍ଷମ ନାରୀର କାହାଣୀ । ଚଳଚ୍ଚିତ୍ରଟି କଟକ, ଭୁବନେଶ୍ୱର ସମେତ ବାଲେଶ୍ୱର, ଯାଜପୁର, ବ୍ରହ୍ମପୁରରେ ହାଉସ ଫୁଲ ହେବା ସହିତ ଦର୍ଶକଙ୍କର ଢେର ପ୍ରଶଂସା ମିଳିଛି l

ଆଭା ଏକ ନିପଟ ମଫସଲ ଗାଁ ର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅର କାହାଣୀ । ଭିନ୍ନକ୍ଷମ ହେଲେ ମଧ୍ୟ କେମିତି ଜୀବନ ଶୈଳୀରେ ବଞ୍ଚିବାକୁ ହେବ ଯାହା ସମାଜକୁ ଏକ ପ୍ରକାର ଶିକ୍ଷା ମିଳିଛି ତାହାରି ଉପରେ ଆଧାରିତ ହୋଇଛି ଚଳଚ୍ଚିତ୍ର । ସ୍ଵାତି ସିନେପ୍ଲେକ୍ସରେ ଏହି ଚଳଚ୍ଚିତ୍ରରେ ମୁଖ୍ଯ ଭୂମିକାରେ ଅଛନ୍ତି ସୋନା ମଲ୍ଲିକ । ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗ ମେଦିନିପୁରର ଜଙ୍ଗଲ ଘେରି ରହିଥିବା ଏକ ଆଦିବାସୀ ଗାଁରେ ସୁଟିଂ କରାଯାଇଛି । ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରବୀର ମହାପାତ୍ର  । କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପଲ୍ଲଵ ରୟ । ସଂଳାପ ଲେଖିଛନ୍ତି ମୋହିତ ଚକ୍ରବର୍ତ୍ତୀ । ଚିତ୍ରୋତ୍ତଳନରେ ଚିତ୍ତରଞ୍ଜନ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର l କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସତ୍ୟ ପ୍ରକାଶ ସାହୁ l କ୍ରିଏଟିଭ ହେଡ୍‌ ଦାୟିତ୍ଵରେ ଅଛନ୍ତି ପ୍ରଣୟ ଜେଠୀ । ଅନ୍ଯମାନଙ୍କ ମଧ୍ଯରେ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର, ଶ୍ଵେତା ଆଚାର୍ଯ୍ୟଙ୍କ, ଵିଶାଲ ସାହୁଙ୍କୁ ଦେଖିବାକୁ ମିଳିଛି ।

ବଦଳିଲା ପୋର୍ଟ ବ୍ଲେୟାରର ନାମ ହେଲା ଶ୍ରୀ ବିଜୟ ପୁରମ ନାମରେ ନାମିତ

ନନ୍ଦିଘୋଷ ବ୍ୟୁରୋ : ନାମ ପରିବର୍ତ୍ତନର ଆଉ ଏକ ଉଦାହରଣ। ଏଥର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର। ଏହାର ନାମ ରଖାଯାଇଛି ଶ୍ରୀ ବିଜୟ ପୁରମ। ଔପନିବେଶ କାଳରୁ ପୋର୍ଟ ବ୍ଲେୟାର ନାମ ବେଶ୍ ପରିଚିତ ଥିଲା। ଔପନିବେଶିକ ଛାପରୁ ଦେଶକୁ ମୁକ୍ତ କରିବା ଲାଗି ଏହା କରାଗଲା ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି- ସ୍ବାଧୀନତା ସଂଗ୍ରାମରେ ହାସଲ ହୋଇଥିବା ବିଜୟର ସୂଚକ ହେବ ଶ୍ରୀ ବିଜୟ ପୁରମ ନାମକରଣ। ସେ ଆହୁରି କହିଛନ୍ତି- ପୋର୍ଟ ବ୍ଲେୟାରରେ ପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତ୍ରିରଙ୍ଗା ଉଡାଇଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନିର ପୂର୍ବତନ ନୌସେନା ଅଫିସର କ୍ଯାପଟେନ ଆର୍ଚିବାଲ୍ଡ ବ୍ଲେୟାରଙ୍କ ନାମାନୁସାରେ ପୋର୍ଟ ବ୍ଲେୟାର ନାମିତ ହୋଇଥିଲା। ଗତ ୨୦୧୮ରେ ସରକାର ଆଣ୍ଡାମାନ ଓ ନିକୋବର ଅନ୍ତର୍ଗତ ରସ୍ ଆଇଲାଣ୍ଡ, ନୀଲ ଆଇଲାଣ୍ଡ ଓ ହାଭେଲକ ଆଇଲାଣ୍ଡକୁ ଯଥାକ୍ରମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପ, ସହିଦ ଦ୍ବୀପ ଓ ସ୍ବରାଜ ଦ୍ବୀପ ନାମରେ ନାମିତ କରିଥିଲେ।

ଗୁଜରାଟ ମେଶୋ ନଦୀରେ ଅଘଟଣ; ଗାଧୋଇବାବେଳେ ବୁଡିଯାଇ ପ୍ରାଣ ହରାଇଲେ ୮ ଜଣ

ନନ୍ଦିଘୋଷ ବ୍ୟୁରୋ : ଗାଧୋଇବା ବେଳେ ବୁଡିଗଲେ ୮ ଜଣ। ଗୁଜରାଟର ଗାନ୍ଧିନଗର ଜିଲ୍ଲା ଅନ୍ତର୍ଗତ ମେଶୋ ନଦୀରେ ଘଟିଛି ଅଘଟଣ। ଦେଗାମ ତାଲୁକା ଅଧୀନ ଭସନା ସୋଗଥି ଗ୍ରାମର କିଛି ଲୋକ ନଦୀରେ ଗାଧୋଇବାବେଳେ ବୁଡିଯାଇଥିଲେ ବୋଲି କହିଛନ୍ତି ସବଡିଭିଜନାଲ ମାଜିଷ୍ଟ୍ରେଟ ଏସ.ବି. ମୋଦିୟା। ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ୮ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଉ କିଛି ଲୋକଙ୍କ ମୃତ୍ଯୁ ଘଟିଥିବା ଆଶଙ୍କା ରହିଛି। ପହଁରା ନଜାଣି ଗଭୀର ନଦୀକୁ ଚାଲିଯାଇଥିବାରୁ ସେମାନଙ୍କର ମୃତ୍ଯୁ ଘଟିଥିବା କୁହାଯାଇଛି। ନଦୀରେ ଏକ ଚେକ୍ ଡ୍ଯାମ ନିର୍ମାଣ ହେଉଥିବାରୁ ଜଳ ପରିମାଣ ଅଧିକ ଥିଲା।

ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିକାଶ ନିମନ୍ତେ ଓଡ଼ିଶାରେ ଜାତୀୟ ସ୍ତରର ମୌସୁମୀ ବୈଠକ

ଭୁବନେଶ୍ୱର: ପ୍ରଥମ ଥର ପାଇଁ  ଓଡ଼ିଶାରେ ଅନୁଷ୍ଠିତ ହୋଇଛି ଜାତୀୟ ସ୍ତରର ମୌସୁମୀ ବୈଠକ । ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ବିକାଶ ନିମନ୍ତେ ଏହି ବୈଠକ ଅୟୋଜିତ ହୋଇଛି । ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ଦୁଗ୍ଧ ଉତ୍ପାଦନ ଓ ଦୁଗ୍ଧ ପ୍ରକ୍ରିୟା କରଣ ତଥା ଦୁଗ୍ଧ ବିପଣନକୁ ବ୍ୟାପକ ଭାବରେ ବୃଦ୍ଧି କରିବା । ଏହା କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ସହ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ପ୍ରଭାବୀ କାର୍ଯ୍ୟlନ୍ବୟନ ପାଇଁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବିଚାର ବିନିମୟ ହୋଇଥିଲା । ବୈଠକରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ  କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ଥିଲେ। ୧୫ଟି ରାଜ୍ୟର ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ପ୍ରମୁଖ ମନ୍ତ୍ରୀ ଓ ସଚିବମାନେ ମଧ୍ୟ ଭାଗ ନେଇଥିଲେ।

ଏହାସହ ଓମଫେଡ ପକ୍ଷରୁ ଏକ ନୂତନ ଦୁଗ୍ଧ ପ୍ୟାକେଟ ଗୋଲ୍ଡ ପ୍ଲସ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା। ଏହାସହ ଏ-ହେଲ୍ପ ଟ୍ରେନିଂ ପ୍ରୋଗ୍ରାମର ଶୁଭାରମ୍ଭ ଓଡ଼ିଶାରୁ ହୋଇଛି । ନ୍ୟାସନାଲ ଡାଏରି ଡେଭଲପମେଣ୍ଟ ବୋର୍ଡ ଏବଂ ଓମଫେଡ ମଧ୍ୟରେ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ଏହି କାର୍ଯ୍ୟକ୍ରମରେ ଓମଫେଡ ଭେଣ୍ଡିଂ ମେସିନର ଶୁଭାରମ୍ଭ କରାଯାଇଥିଲା। ୨୦ଟି ଭେଣ୍ଡିଂ ମେସିନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବସାଇବା ନେଇ ସୂଚନା ରହିଛି।

କ୍ଷମତା ଥାଉ କି ନଥାଉ; ଓଡିଶାବାସୀଙ୍କ ହିତ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ବିଜେଡି

ଭୁବନେଶ୍ୱର: ଲୋକଙ୍କ ନେତା ନବୀନ। ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ସାଥୀ ହୋଇ ରହିଛନ୍ତି ନବୀନ । କ୍ଷମତା ଥାଉ କି ନଥାଉ ସବୁବେଳେ ଓଡ଼ିଶାବାସୀଙ୍କ ବିକାଶ ପାଇଁ କାମ କରି ଆସୁଛନ୍ତି । ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ବିରୋଧୀ ଦଳ ଭାବେ ବିଜେଡି କେବେ ପଛଘୁଞ୍ଚା ଦେବନାହିଁ । ପ୍ରତ୍ୟେକ ଦିନ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ଓଡ଼ିଶାର ବିକାଶକୁ ଆଗେଇ ନେବାକୁ ସଭିଁଙ୍କ ସହଯୋଗ ଲୋଡୁଛି ଦଳ । ନବୀନଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା କାମ ଗୁଡ଼ିକ ସରିବା ଯାଏଁ ତାହାକୁ ଜଗିବ ବିଜେଡି ।

ଓଡିଶାବାସୀଙ୍କ ହିତ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ବିଜେଡି। ୧୯୯୭ରୁ ଗଠନ ହେବା ଦିନଠାରୁ ଓଡ଼ିଶାର ସ୍ବାର୍ଥ ପାଇଁ ସଂଗ୍ରାମ ଜାରି ରଖିଛି ଦଳ । ଏହାରି ଭିତରେ ନିର୍ବାଚନ ଆସିଛି ଆଉ ଯାଇଛି । ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ଯେତିକି ତତ୍ପର ଥିଲେ ବିରୋଧୀ ଦଳ ନେତା ସମୟରେ ବି ଠିକ ସେତିକି ତତ୍ପର । ପ୍ରତ୍ୟେକ ଦିନ ଓଡ଼ିଶାର ବିକାଶ ରଥକୁ କିପରି ଆଗେଇବ ନେଇହେବ ଓ  ଓଡ଼ିଶାବାସୀଙ୍କ ସମସ୍ୟା ଦୂର ହେବ ସେଦିଗରେ କାମ କରୁଛନ୍ତି । ନବୀନ ନିବାସରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ବହୁ ଉପାଦେୟ ପରାମର୍ଶ ଦେଉଛନ୍ତି । ବିରୋଧୀ ଦଳଭାବେ ବିଜେଡି କେବେ ପଛଘୁଞ୍ଚା ଦେବନି ବୋଲି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ଲୋକଙ୍କ ବିକାଶ ସବୁବେଳେ ବିଜେଡିର ମୂଳ ଏଜେଣ୍ଡା ଥିଲା ଓ ରହିବ ବୋଲି ସେ ଯୁକ୍ତି ବାଢିଛନ୍ତି । ଦଳର ଛାମୁଆ ସଂଗଠନ ବୈଠକ କରି ଜନସେବାକୁ ଜାରି ରଖିବା ପାଇଁ ନବୀନ ଗୁରୁମନ୍ତ୍ର ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି  ।

ଜନସେବା ସହ ଦଳୀୟ ସଂଗଠନ ଉପରେ ମଧ୍ୟ ଫୋକସ କରିଛନ୍ତି ବିଜେଡି ସୁପ୍ରିମୋ। ଶଙ୍ଖ ଭବନରେ ବିଭିନ୍ନ ଜିଲ୍ଲା ସଂଗଠନର ସମୀକ୍ଷା କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ମଜଭୂତ କରିବାକୁ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ପୂଜା ପରେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ସ୍ଥାନରେ ସଭା ସମିତି କରିବାକୁ ବିଜେଡି ବଡ଼ ପ୍ଲାନ କରିଛି । ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଆଗକୁ ଜୋରଦାର ଲଢେଇ କରିବାକୁ ଦଳ ସଜବାଜ ଆରମ୍ଭ କରିଛି ।

ସଶକ୍ତ ବିରୋଧୀ ଦଳ ଭାବେ ବିଜେଡ଼ି  ପୋଲାଭରମ, ମହାନଦୀ, କୋଟିଆ ଠାରୁ ଆରମ୍ଭ ରାଜ୍ୟ ସ୍ବାର୍ଥ ଥିବା ବଡ଼ବଡ଼ ପ୍ରସଙ୍ଗକୁ ମୁଦ୍ଦା କରିଛି । ଓଡ଼ିଶାର ଦାବିପୂରଣ କରିବାକୁ ବିଜେଡି ସଂଗ୍ରାମ ଜାରି ରଖିଛି ।  ଆଗକୁ ପଲ୍ଲୀରୁ ଦିଲ୍ଲୀ ଯାଏ ଲଢେଇକୁ ଜୋରଦାର କରିବାକୁ ଦଳ ଲମ୍ବା ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ।

ବିର୍ଲା ଆଇନ୍ ସ୍କୁଲରେ ପ୍ରଥମ ରାଜ୍ୟ ସ୍ତରୀୟ ମେଡିଟେସନ୍ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର: ବିର୍ଲା ଆଇନ୍ ସ୍କୁଲରେ ପ୍ରଥମ ରାଜ୍ୟ ସ୍ତରୀୟ ମେଡିଟେସନ୍ ପ୍ରତିଯୋଗିତା ଉଦଯାପିତ । ସ୍ଥାନୀୟ ବିର୍ଲା ଆଇନ୍ ସ୍କୁଲରେ ଚାଲିଥିବା ଦୁଇ ଦିନିଆ ମେଡିଟେସନ୍ ପ୍ରତିଯୋଗିତା ଆଜି ଶେଷ ହୋଇଛି । ଗୁରୁବାର ଦିନ ଏହି ପ୍ରତିଯୋଗିତାକୁ ବିର୍ଲା ଗ୍ଲୋବାଲ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର  ପି. ପି. ମାଥୁର ଉଦଘାଟନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଶ୍ଵବିଦ୍ୟାଳୟର କୁଳସଚିବ ପ୍ରଫେସର ବି. କେ. ଦାସ ମେଡିଟେସନର ଉପକାରିତା ସମ୍ପର୍କରେ ଆଲୋଚନା କରିବା ସହିତ ଏହା ଆପୋଷ ବୁଝାମଣାରେ କିପରି ସହାୟକ ହୋଇପାରିବ ସେ ବିଷୟରେ ଅଧିକ ସୂଚନା ଦେଇଥିଲେ । ଲ’ ସ୍କୁଲର ଡିନ ପ୍ରଫେସର ସୁକାନ୍ତ କୁମାର ନନ୍ଦ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ପ୍ରଥମ ଦିବସରେ ପ୍ରାଥମିକ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଜି ଦ୍ଵିତୀୟ ଦିବସରେ ସେମି ଫାଇନାଲ ଏବଂ ଫାଇନାଲ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ କଟକ ସ୍ଥିତ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ  ବିଜୟୀ ହୋଇଥିଲେ ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା ।

ବିଶ୍ଵବିଦ୍ୟାଳୟର କୁଳସଚିବ, ସରୋଦ ବନ୍ଦରର ଆରବିଟ୍ରେଟର ଅଶୋକ କୁମାର ମହାପାତ୍ର ଏବଂ ସ୍କୁଲର ଡିନ ପ୍ରଫେସର ସୁକାନ୍ତ କୁମାର ନନ୍ଦ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟାପକ ମଣ୍ଡଳୀ ଏବଂ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।