spot_img
Home Blog Page 1676

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ

ଭୁବନେଶ୍ବର: ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଗୃହ ସୁରୁଖୁରରେ ଚଲାଇବା ପାଇଁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ ।

ବାଚସ୍ପତି ସୁରମା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେବ ଉପସ୍ଥିତ ଅଛନ୍ତି । ସେହିପରି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଅଛନ୍ତି । ସେହିପରି ବିଜେଡି ପକ୍ଷରୁ ବିରାଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ଉପସ୍ଥିତ ଅଛନ୍ତି । ଅନ୍ୟପକ୍ଷରେ ବୈଠକରେ କଂଗ୍ରେସର କୌଣସି ବିଧାୟକ ଯୋଗଦେଇ ନଥିଲେ ।

ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ ବାଚସ୍ପତି । ଏହା ପୂର୍ବରୁ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସର୍ବଦଳୀୟ ବୈଠକ ସହ ସମସ୍ତ ଅଧିବେଶନରେ ଯୋଗ ଦେବାକୁ ନବୀନଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ବିକାଶ ପାଇଁ ନବୀନ ପଟ୍ଟନାୟକ ଯାହା ଗଠନ ମୂଳକ ପ୍ରସ୍ତାବ ଦେବେ, ତାହା ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ

ଜୟପୁର: ରାଷ୍ଟ୍ରିୟ ମର୍ଯ୍ୟାଦାର ସହ ସମ୍ପର୍ଣ୍ଣ ହେଲା ପଦ୍ମଶ୍ରୀ କମଳା ପୂଜାରୀଙ୍କ ଅନ୍ତିମ ସଂସ୍କାର । ଶୋଭାଯାତ୍ରାରେ କମଳା ପୂଜାରୀଙ୍କ ମରଶରୀରକୁ ନିଆଯାଇଥିଲା । ପରେ ଗାଁ ଶ୍ମଶାନରେ ଦିଆଯାଇଥିଲା ଗାର୍ଡ ଅଫ ଅନର ।

କମଳା ପୂଜାରୀଙ୍କ ବିୟୋଗରେ ପରିବାର ତଥା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହେଇଥିଲା । ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ପରେ ତାଙ୍କର ଚିକିତ୍ସା ଚାଲିଥିଲା । କିଡନୀ ଜନିତ ସମସ୍ୟା ସହ ଜ୍ବରରେ ଆକ୍ରାନ୍ତ ହୋଇଥିଲେ କମଳା । ଏସସିବି ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ ।

କୋରାପୁଟ ଜିଲ୍ଲା ପାଇଁ ଗୌରବ ଆଣିଥିଲେ କମଳା ପୂଜାରୀ । ପ୍ରଥମ ଆଦିବାସୀ ମହିଳା ଭାବେ କୋରାପୁଟ ଜିଲ୍ଲାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ପୁରୁଣା ଧାନ ବିହନକୁ ବିଭିନ୍ନ ଉପାୟରେ ସାଇତି ରଖିବା ପାଇଁ ୨୦୧୯ ମାର୍ଚ୍ଚ ୧୬ ତାରିଖରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ପ୍ରାୟ ୧୦୦ରୁ ଅଧିକ ଦେଶୀ ବିହନ ସଂରକ୍ଷଣ କରି ଜାତୀୟ ସ୍ତରରେ ଚର୍ଚ୍ଚା ସୃଷ୍ଟି କରିଥିଲେ । ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଉପାଧି ଗ୍ରହଣ କାରି କୋରାପୁଟ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିଲେ । ପ୍ରଥମ ଆଦିବାସୀ ମହିଳା ଭାବେ ରାଜ୍ୟ ଯୋଜନା ବୋର୍ଡର ମଧ୍ୟ ସଦସ୍ୟ ଥିଲେ କମଳା ପୂଜାରୀ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପାତ୍ରପୁଟ ଗ୍ରାମରେ ପଦ୍ମଶ୍ରୀ କମଳା ପୂଜାରୀ ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ବଦଳିବନି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳା ଯିବାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ପଷ୍ଟିକରର । କହିଲେ, ‘ବଦଳିବ ନାହିଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ । ମୋ ସରକାର ବରପୁତ୍ରମାନଙ୍କୁ ସମ୍ମାନ ଦିଏ ।’

ଆଗକୁ ସେ କହିଛନ୍ତି, ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ କଥା ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି । ବିଜୁ ବାବୁଙ୍କ ନାଁରେ ଏହି ପୁରସ୍କାର ଦୀର୍ଘଦିନରୁ ନିଆଯାଉଛି । ଏହାର ନାମ ପରିବର୍ତ୍ତନ ନେଇ କୌଣସି ବିଦ୍ଧିବଧ ନିଷ୍ପତ୍ତି ନିଆଯାଇନାହିଁ କି ମୋ ପାଖରେ କିଛି ଖବର ନାହିଁ । ବିଜୁ ବାବୁ ତାଙ୍କ ରାଜନୈତିକ ଓ ସାମାଜିକ ଜୀବନରେ ଦେଇଥିବା ଅବଦାନ ରାଜ୍ୟ ତଥା ଦେଶ ପାଇଁ ସ୍ମରଣୀୟ ହୋଇ ରହିବ । ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବ ପରି ଚାଲୁ ରହିବ । ସେଥିରେ କୌଣସି ପ୍ରକାର ପରିବର୍ତ୍ତନ ହେବାର ଯୋଜନା ନାହିଁ ।’

ଦୋକାନ ବାହାରେ ଧର୍ମ ଆଧାରରେ ନେମ୍ ପ୍ଲେଟ୍ ଲଗାଇବା ବିବାଦ, ସୋନୁ ସୁଦଙ୍କୁ କଙ୍ଗନାଙ୍କ ଉତ୍ତର

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପ୍ରଦେଶରେ ବୋଲବମ୍ ଭକ୍ତ ଯାଉଥିବା ରାସ୍ତାରେ ଦୋକାନୀମାନେ ନେମ୍ ପ୍ଲେଟ୍ ଲଗାଇବା ଆଦେଶ ପରେ ବିବାଦ ଲାଗି ରହିଛି । ଏାକୁ ନେଇ ନେତାଙ୍କ ମଧ୍ୟରେ ବୟାନବାଜି ଚାଲିଥିବା ବେଳେ ଏଥିରେ ଏବେ ଏଣ୍ଟ୍ରି ମାରିଛନ୍ତି ବଲିଉଡ଼ ସେଲିବ୍ରିଟି । ନେମ୍ ପ୍ଲେଟକୁ ନେଇ ସେନୁ ସୁଦଙ୍କ ସୋସିଆଲ ମିଡିଆରେ ଏହାକୁ ନେଇ ପୋଷ୍ଟ କରିବା ପରେ ତାଙ୍କୁ ଅଭିନେତ୍ରୀ ତଥା ରାଜନେତା କଙ୍ଗନା ରଣାଓ୍ବତ ଜବାବ ଦେଇଛନ୍ତି ।

ସୋନୁଙ୍କ ମାନବତା ପୋଷ୍ଟରେ କଙ୍ଗନାଙ୍କ ଜବାବ

ତିନି ଦିନ ହେଲା ନେମ୍ ପ୍ଲେଟ୍ ବିବାଦ ଲାଗି ରହିଥିବା ବେଳେ ଅଭିନେତା ସୋନୁ ସୁଦ ଏଥିରେ ଏଣ୍ଟ୍ରି ମାରିଛନ୍ତି । ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ସୋନୁ ଲେଖିଥିଲେ, ପ୍ରତି ଦୋକାନରେ ଗୋଟିଏ ପ୍ରକାର ନେମ୍ ପ୍ଲେଟ ରହିବା ଦରକାର ଓ ଏହା ମାନବତା ବୋଲି ଉଲ୍ଲେଖ ରହିବା ଦରକାର । ଏହାପରେ ସୋନୁଙ୍କ ପୋଷ୍ଟରେ କଙ୍ଗନାଙ୍କ ଏଣ୍ଟ୍ରି ହୋଇଥିଲା । ଏଥିରେ ସେ କମେଣ୍ଟ କରି ଲେଖିଥିଲେ ହଲାଲକୁ ମାନବତାରେ ରିପ୍ଲେସ କରି ଦିଆଯିବା ଦରକାର ।

ସୋସିଆଲ ମିଡିଆରେ ଉଭୟଙ୍କ ବାକଯୁଦ୍ଧରେ ଅନ୍ୟ ୟୁଜର୍ସ ବି ଏଣ୍ଟ୍ରି ମାରିବା ସହ ସୋନୁ ସୁଦଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ଜଣେ ୟୁଜର୍ସ ସୋନୁଙ୍କୁ ଟ୍ୟାଗ କରି ଲେଖିଛନ୍ତି, ‘ଛେପ ଲଗା ରୁଟି ସୋନୁ ସୁଦଙ୍କ ପାଖକୁ ପାର୍ସଲ କରାଯାଉ, କାରଣ ଭାଇଚାର କାଏମ ରହିବା ଦରକାର ।’ ଏହି ୟୁଜର୍ସଙ୍କ କମେଣ୍ଟର ଉତ୍ତର ଦେବାକୁ ଯାଇ ସୋନୁ ଲେଖିଥିଲେ, ‘ଶ୍ରୀମରା ବି ଶବରୀର ଅଇଁଣ୍ଠା ଖାଇଥିଲେ । ମୁଁ କାହିଁକି ଖାଇ ପାରିବିନ । ହିଂସାକୁ ଅହିଂସା ଦ୍ବାରା ହରାଇ ହେବ ଭାଇ । କେବଳ ମାନବିକତା ରହିବା ଦରକାର ।’

ଏହି ପୋଷ୍ଟ ଉପରେ ଉପରେ କଙ୍ଗନା ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ । ସେ ଉଲ୍ଲେଖ କରିଥିଲେ, ‘ଏବେ ସୋନୁ ଜୀ ଭଗବାନ ଏବଂ ଧର୍ମକୁ ନେଇ ନିଜ ସିର୍ଦ୍ଧାନ୍ତ ଅନୁସାରେ ରାମାୟଣର ନିର୍ଦ୍ଦେଶନର କରିବେ । ଭଲ କଥା, ବଲିଉଡ଼ରୁ ଆଉ ଏକ ରାମାୟଣ ଆସିବାକୁ ଯାଉଛି ।’

ସୋନୁଙ୍କ ୟୁଟର୍ଣ୍ଣ

ଏହି ତୁ ତୁ ମେଁ ମେଁ ଭିତର ସୋନୁ ସୁଦ ହୁଏତ ଜାଣିଗଲେ ଛେପ ପକା ପୋଷ୍ଟକୁ ନେଇ ବିବାଦ ବଢ଼ିପାରେ । ତେଣୁ ସେ ଆଉ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି, ‘ଖାଇବାରେ ଛେପ ପକାଇବାକୁ ମୁଁ ଠିକ୍ ବୋଲି କେବେ କହିନାହିଁ । ଏହା ସେମାନଙ୍କ ଚରିତ୍ର, ଯାହା କେବେ ବଦଳିବନି । ଏଥିପାଇଁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବି ନିଆଯାଉ । ହେଲେ ମାନବିକତାକୁ ମାନବିକତା ହୋଇ ରହିବାକୁ ଦିଆଯାଉ । ୟୁପି ସରକାରଙ୍କ କାମର ମୁଁ ସବୁଠାରୁ ବଡ଼ ପ୍ରଶଂସକ । ୟୁପି, ବିହାରର ପ୍ରତି ଘର ମୋ ପରିବାର ।’

ସଂସଦ ବଜେଟ ଅଧିବେଶନ ପାଇଁ କେନ୍ଦ୍ର ଡାକିଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି । ଏହି କ୍ରମରେ ଆଜି ସର୍ବଦଳୀୟ ବୈଠକ ଡାକିଛି କେନ୍ଦ୍ର ସରକାର । ଗୃହକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଏହି ବୈଠକରେ ଗୁରୁତ୍ବ ଦିଆଯାଇପାରେ ।

ଗୃହରେ ହଙ୍ଗାମା ନକରି ସବୁ ପ୍ରସଙ୍ଗରେ କିଭଳି ଆଲୋଚନା ହୋଇପାରିବ, ବିଲ୍ ପାସ୍ ହୋଇପାରିବ, ସେ ନେଇ ବିରୋଧୀଙ୍କ ସହଯୋଗ ଲୋଡ଼ି ପାରନ୍ତି କେନ୍ଦ୍ର ସରକାର।

୨୩ ତାରିଖରେ ଲୋକସଭାରେ ବଜେଟ ମଧ୍ଯ ଆସିବାର ଅଛି । ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ । ନିର୍ବାଚନ ପରେ ଦେଶବାସୀଙ୍କୁ ସେ କ’ଣ ଦେଉଛନ୍ତି, ତା’ ଉପରେ ରହିଛି ସମସ୍ତଙ୍କ ନଜର ।

ମୋଦି ସରକାର ତୃତୀୟ ପାଳିର ପ୍ରଥମ ବଜେଟ ବସିବାକୁ ଯାଉଛି । ଏଥିରୁ ଜଣାପଡ଼ିବ ଆସନ୍ତା ୫ ବର୍ଷ ଯାଏଁ ସରକାରଙ୍କ ଏଜେଣ୍ଡାରେ କ’ଣ ରହିଛି । ଅଧିବେଶନରେ ୬ଟି  ନୂଆ ବିଲ୍ ମଧ୍ଯ ଉପସ୍ଥାପନ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । ତେଣୁ ସୁରୁଖୁରୁରେ ଗୃହ ଚଳାଇବାକୁ ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ସହଯୋଗ ଲୋଡ଼ି ପାରନ୍ତି କେନ୍ଦ୍ର ସରକାର ।

ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ । ଏଥିପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ଦିନ ୧୧ଟାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ଯକ୍ଷତାରେ ବୈଠକ ବସିବ । ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସମସ୍ତଙ୍କର ସହଯୋଗ ଲୋଡ଼ିବେ ବାଚସ୍ପତି ।

ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ । ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ପଦବୀ କାହାକୁ ମିଳୁଛି ତାହା ଉପରେ ନଜର ରହିଛି । ଅନ୍ଯପଟେ ଆସନ୍ତା ୨୩ ତାରିଖରେ ଉପବାଚସ୍ପତି ପଦ ଲାଗି ନାମାଙ୍କନ ଦାଖଲ ହେବ । ସେହିଦିନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ସହ ୨୪ ତାରିଖରେ ଫଳାଫଳ ଘୋଷଣା କରାଯିବ ।

ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ୨୦ ବର୍ଷ କାରାଦଣ୍ଡ

ନନ୍ଦିଘୋଷ ବ୍ୟୁରୋ: ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ୨୦ ବର୍ଷ କାରାଦଣ୍ଡ । ଦଣ୍ଡାଦେଶ ଦେଲେ ଯାଜପୁର ଜିଲ୍ଲା ଦୌରାଜଜ ଓ ସ୍ପେଶାଲ ପୋସ୍କୋ କୋର୍ଟ । ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅଞ୍ଚଳର ନାବାଳିକା ଜଣକ ନିଜର ବନ୍ଧୁଙ୍କ ସହ କଳରିଙ୍ଗ ହାଟ ନିକଟସ୍ଥ ବଜାରରୁ ଖାଇସାରି ନିଜ ବାନ୍ଧବୀ ଟାଟା ମାଇନସ କଲୋନୀକୁ ଫେରୁଥିବାବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ । ସେହି ଅଂଚଲକର ୪ ଜଣ ଯୁବକ  ସତ୍ୟବ୍ରତ ବେହେରା, ରବି ନାୟକ, ସନ୍ତୋଷ ପୃଷ୍ଟି ଓ ଉମେଶ ମହନ୍ତ ମାଡମାରି ନାବାଳିକା କଲେଜ ଛାତ୍ରୀକୁ ଗଣ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କାରୀଙ୍କ କବଳରୁ ପିଡିତା ଖସି ଯାଇ ସ୍ଥାନୀୟ ଜଣେ ବାସୀନ୍ଦାଙ୍କୁ କହିବା ପରେ ସ୍ଥାନୀୟ ଲୋକ କାଳିଆପାଣି ଥାନାକୁ ଖବର ଦେଇଥିଲେ । ମାମଲାର ବିଚାର କରି ୨୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଓ ସ୍ପେଶାଲ ପୋସ୍କୋ କୋର୍ଟ ୪ଜଣ ଦୁଷ୍କର୍ମକାରୀଙ୍କୁ  ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଜଳିଗଲା ଚଳନ୍ତା କାର

ନନ୍ଦିଘୋଷ ବ୍ୟୁରୋ: ଚଳନ୍ତା ଗାଡିରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ପାଞ୍ଚ ଯାତ୍ରୀ। କୋରାପୁଟ ଜିଲ୍ଲା ସୁନାବେଢା ଯିବା ରାସ୍ତାରେ ଡୁମୁରିପୁଟ ଠାରେ କାରଟି ଚାଲୁଥିବା ସମୟରେ ଲାଗିଥିଲା ନିଆଁ। ହୁତୁହୁତୁ ହୋଇ ଜଳୁଥିଲା ସ୍ବିଫ୍ଟ ଦିଜାଇଆର କାର।  ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମବାହିନି ପହଞ୍ଚି ନିଆଁକୁ ଆୟତ କରିଥିଲେ। କାରରେ ସୁନାବେଢାର ଗୋଟିଏ ପରିବାର ବରଗଡ ଯିବା ପାଇଁ କୋରାପୁଟ ରେଳଷ୍ଟସନକୁ ଯାଉଥିଲେ। କିନ୍ତୁ ଗାଡ଼ିଟି ଅଧା ବାଟରେ ନିଆ ଲାଗିଗଲା। ନିଆଁ ଲାଗିବାର କାରଣ ଅସଷ୍ଟ।ଗାଡିଟି ପୋଡି ପାଉଁଶ ହୋଇଯାଇଛି।

ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ । ଘଟଣା ପଛରେ ଟଙ୍କା କାରବାର ସୂଚନା ରହିଛି  । ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ପନ୍ଦାଡୋ ଅଞ୍ଚଳରେ ଏହି ଘଟଣା ଘଟିଛି ।  ପନ୍ଦାଡୋ ଗାଁର ନରେନ୍ଦ୍ର ନାୟକ ପୁଅ ସନାତନ ସହ ଆଜି ହାଟଡିହି କୋର୍ଟକୁ ଏକ ମାମଲାରେ ହାଜିରା ପାଇଁ ଯାଇଥିଲେ । ସୁକୁମାର ପଳତା ନାମକ ବ୍ଯକ୍ତିଙ୍କ ଅଭିଯୋଗରେ ଏକ ଆର୍ଥିକ କାରବାର ପୂର୍ବରୁ ସନାତନ ଜେଲରେ ତିନିମାସ ରହି ବେଲରେ ଆସିଥିଲେ ।  ଆଜି ଥିଲା ଉକ୍ତ କେସ୍ ର ତାରିଖ ।  କୋର୍ଟରେ ତାରିଖ ସାରି ଉଭୟ ବାପ ପୁଅ ଘରକୁ ଫେରୁଥିବା ସମୟରେ ହାଟଡିହି ବ୍ଲକ୍ ନାହାଳିଆ ପୋଲ ନିକଟରେ ଜଗି ରହିଥିବା କିଛି ଦୃବୁତ୍ତ ଉଭୟ ବାପ ପୁଅଙ୍କୁ ମାଡ ମାରି ବାପା ନରେନ୍ଦ୍ରଙ୍କୁ ଅଚେତ ଅବସ୍ଥାରେ ପକାଇଦେଇ ପୁଅକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ତେବେ ସୁକୁମାର ପଳାତଙ୍କ ଇଙ୍ଗିତରେ ଏଭଳି କାଣ୍ଡ ହୋଇଥିବା ପୋଲିସ୍ ନିକଟରେ ଅଭିଯୋଗ ହୋଇଛି । ଅପହରଣ ପରେ ଘରଲୋକ ଙ୍କୁ ଫୋନ୍ କରି ୫ଲକ୍ଷ ଟଙ୍କା ଦାବି କରିଛନ୍ତି ଅପହରଣକାରୀ । ଅନ୍ଯପଟେ ଗୁରୁତର ଅବସ୍ଥାରେ ବାପା ନରେନ୍ଦ୍ରଙ୍କୁ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି ।  ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି  ।

 

କ୍ରାଉଡଷ୍ଟ୍ରାଇକର ଆଉଟେଜ ପରେ ମାଇକ୍ରୋସଫ୍ଟରେ ଫେରୁଛି ସ୍ବାଭାବିକ ସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ମାଇକ୍ରୋସଫ୍ଟ ସର୍ଭର ସମସ୍ୟା ଯୋଗୁ ସାରା ବିଶ୍ୱରେ ଜରୁରିକାଳୀନ ସେବା ଦୀର୍ଘ ସମୟ ଧରି ପ୍ରଭାବିତ ହୋଇଛି। ଏପରିକି ଏ ଯାଏ ମଧ୍ୟ ସମ୍ପୂର୍ଣ୍ଣ ସ୍ଥିତି ସ୍ୱାଭାବିକ ହୋଇ ନଥିବା କୁହାଯାଉଛି। କିନ୍ତୁ ମାଇକ୍ରୋସଫ୍ଟ ଇଞ୍ଜିନିୟରମାନେ ଲଗାତର ପରିଶ୍ରମ କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି। ସେପଟେ ସର୍ଭର ସମସ୍ୟା ଯୋଗୁ ବ୍ୟାଙ୍କିଙ୍ଗ କ୍ଷେତ୍ର ଠାରୁ ଆରମ୍ଭ କରି ବିମାନବନ୍ଦର, ଷ୍ଟକ ଏକ୍ସଚେଞ୍ଜ ଆଦିରେ ବ୍ୟାପକ ସମସ୍ୟା ହେବା ଯୋଗୁ ବିଭିନ୍ନ ବର୍ଗର ଲୋକେ ସମସ୍ୟା ଭୋଗୁଛନ୍ତି। ତେଣୁ ପ୍ରକୃତରେ ଏସବୁ ବିଷୟରେ ଜାଣିବାକୁ ଲୋକେ ଚାହିଁବା ସହ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ପାଇଁ ଅପେକ୍ଷା କରିଛନ୍ତି।

ମାଇକ୍ରୋସଫ୍ଟ ସର୍ଭର । ସମସ୍ୟା ସୃଷ୍ଟି ପରେ ଛିଡା କରିଛି ଅସୁମାରୀ ପ୍ରଶ୍ନ । କ’ଣ ଏହି ମାଇକ୍ରୋସଫ୍ଟ ? କେମିତି କାର୍ଯ୍ୟ କରେ ଏହାର ସର୍ଭର । କାମ ନକଲେ କିଭଳି ଠପ ହୋଇ ଯାଉଛି ବିଶ୍ବର ପ୍ରମୁଖ ସେବା ? ଗତକାଲି ଦେଖା ଦେଇଥିବା ମାଇକ୍ରୋସଫ୍ଟ ସର୍ଭର ପ୍ରୋବ୍ଲେମ ପରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଛି । ଏସବୁକୁ ନେଇ ଆଇଟି ଏକ୍ସପର୍ଟ ମାନେ ସବିଶେଷ ସୂଚନା ଦେଇଛନ୍ତି । ସର୍ଭର ଏକ ସୁପର କମ୍ପ୍ୟୁଟର ଭଳି ଯେଉଁଥିରେ ବିଲିୟନ ଟ୍ରିଲିଆନ ଡାଟା ରହିଥାଏ । ସର୍ଭର ଯେଉଁଠି ଥାଏ ତାକୁ ଡାଟା ସେଣ୍ଟର ବୋଲି କୁହାଯାଏ । ଏହି ସ୍ଥାନରେ କେବେ ବିଦ୍ୟୁତ କିମ୍ବା ଇଣ୍ଟରନେଟ ଯାଏ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସମୁଦ୍ର ତଳେ ସ୍ୱତନ୍ତ୍ର କଣ୍ଟେନରଗୁଡିକରେ ଏହା ରହୁଛି। ତିନୋଟି ସଂସ୍ଥା କ୍ଲାଉଡ ସର୍ଭିସ ଦେଉଛନ୍ତି। ଆମାଜନ ୱେବ ସର୍ଭିସେସ, ମାଇକ୍ରୋସଫ୍ଟ ଆଜିୟୋରେ, ଗୁଗୁଲ କ୍ଳାଉଡ ସର୍ଭିସେସ ଏହି ସେବା ଦେଉଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ପ୍ରମୁଖ ସେବା ଦିଆଯାଉଛି। ବିଶେଷ କରି ସର୍ଭରରେ ବଗ ହେଲେ କିମ୍ବା ଅଧିକ ୟୁଜର ହେଲେ ଏହା ଡାଉନ ହୁଏ। କ୍ଲାଉଡ ପ୍ରୋଭାଇଡର ମାନଙ୍କର ବିଭିନ୍ନ ରିଜିଅନ ଥାଏ । ସର୍ଭର ଡାଉନ ଅଲଗା ରିଜିଅନକୁ ଟ୍ରାନସ୍ଫର କରିବା କଥା। ଏସବୁ ଉଦ୍ୟମ ମାଇକ୍ରୋସଫ୍ଟ କରିଛି କିନ୍ତୁ ସମ୍ପୂର୍ଣ୍ଣ ସମାଧାନ ପାଇଁ ସମୟ ଲାଗୁଥିବା ଆଇଟି ଏକ୍ସପର୍ଟ ଚନ୍ଦ୍ରଶେଖର ବିଶ୍ୱାଳ କହିଛନ୍ତି। ଗତକାଲି ମାଇକ୍ରୋସଫ୍ଟ ସର୍ଭର ଡାଉନ ପରେ ବ୍ୟାଙ୍କିଙ୍ଗ କ୍ଷେତ୍ର ଠାରୁ ଆରମ୍ଭ କରି ବିମାନବନ୍ଦର, ଷ୍ଟକ ଏକ୍ସଚେଞ୍ଜ ଆଦିରେ ବ୍ୟାପକ ସମସ୍ୟା ଦେଖିବାକୁ ମିଳିଥିଲା ।

ଯେଉଁ କ୍ରାଉଡଷ୍ଟ୍ରାଇକ ସମସ୍ୟା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ତାହା ଏକ ଥାର୍ଡ ପାର୍ଟି ଆପ୍ଲିକେସନ ବୋଲି କହିଛନ୍ତି କିଛି ବିଶେଷଜ୍ଞ । ଯେଉଁ ସିଷ୍ଟମରେ ଏହି ସମସ୍ୟା ହୋଇଛି ତାକୁ ସମାଧାନ କରାଯାଇପାରୁଛି। କିନ୍ତୁ ସାରା ବିଶ୍ୱରେ ଏଭଳି ବଡ଼ ଧରଣର ସମସ୍ୟା ହୋଇଥିବାରୁ ଏହାର ସମାଧାନ ପାଇଁ ବିଳମ୍ବ ହେଉଛି। ମୋବାଇଲ ଫୋନ କିମ୍ବା ଲାପଟପରେ ବିଭିନ୍ନ ସମୟରେ ଅପଡେଟ ଆସେ ଓ ଏହାକୁ ଅପଡେଟ କରାଯାଏ। ଯେଉଁମାନେ ଏହି ଅପଡେଟକୁ ଇନଷ୍ଟଲ କରିଛନ୍ତି ସେମାନଙ୍କର ସମସ୍ୟା ହୋଇଛି। ମାଇକ୍ରୋସଫ୍ଟ ଅପଡେଟକୁ ଭାଲିଡେଟ କରି ଲୋକଙ୍କୁ ଦେବାର ଥିଲା। କ୍ରାଉଡଷ୍ଟ୍ରାଇକ ଟିମ ନୋଟିଫିକେସନ ଦେଇଛନ୍ତି ଓ ମାଇକ୍ରୋସଫ୍ଟ ଟିମ ସମ୍ପୂର୍ଣ୍ଣ ସମାଧାନ ଦିଗ ଉପରେ କାମ କରୁଛନ୍ତି ବୋଲି କହିଛନ୍ତି ଆଇଟି ବିଶେଷଜ୍ଞ ଦୀପକ ନାଥ। ମାଇକ୍ରୋସଫ୍ଟ ବହୁଳ ଭାବେ ବ୍ୟବହାର ହେଉଥିବାବେଳେ ପ୍ରମୁଖ ସେବା ଏହି ମାଧ୍ୟମରେ ହେଉଛି। ତେଣୁ ଖୁବ ଶୀଘ୍ର ସବୁକିଛି ସ୍ୱାଭାବିକ ହେବ ବୋଲି କୁହାଯାଇଛି।