ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହେଲା ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ। ଆର୍ଥିକ ବର୍ଷ ୨୦୨୫ ଲାଗି ଅଭିବୃଦ୍ଧି ଲକ୍ଷ୍ଯ ରହିଛି ୬.୫ରୁ ୭ ପ୍ରତିଶତ। ଆର୍ଥିକ ବର୍ଷ ୨୦୨୪ ଲାଗି ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ଯ ରହିଛି ୮.୨ ପ୍ରତିଶତ। ଆର୍ଥିକ ବର୍ଷ ୨୦୨୫ରେ ରିଜର୍ଭ ବ୍ଯାଙ୍କ ୪.୫ ପ୍ରତିଶତ ମୁଦ୍ରାସ୍ଫୀତି ଆକଳନ କରିଥିବା କହିଛନ୍ତି ନିର୍ମଳା ସୀତାରମଣ। ବର୍ତ୍ତମାନ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିଛି ବୋଲି ସେ କହିଛନ୍ତି। ସରକାର ସ୍ବୀକାର କରୁଛନ୍ତି ଯେ ବର୍ତ୍ତମାନ କେତେକ ଖାଦ୍ଯପଦାର୍ଥର ଦର ମୁଦ୍ରାସ୍ଫୀତି ହାର ବଢିଛି।
ଭିଜାଲାନ୍ସ ଜାଲରେ ମତ୍ସ୍ଯ ସମ୍ପଦ ବିକାଶ ବିଭାଗର ଡେପୁଟି ଡାଇରେକ୍ଟର
କଟକ : ଭିଜିଲାନ୍ସ ଜାଲରେ କଟକ ମତ୍ସ୍ଯ ସମ୍ପଦ ବିଭାଗ ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ । ସରକାରୀ ଅର୍ଥ ଆତ୍ମସାତ ମାମଲାରେ ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପ୍ରାୟ ୧କୋଟି ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି । ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସଙ୍କ ପୁରୁଣା ଭୁବନେଶ୍ୱର ସ୍ଥିତ ଭଡାଘର, ପୁରୀ ତୋଟା ମହାବୀର ଲେନ ସ୍ଥିତ ଘର, ପୁରୀ ଜିଲ୍ଲା ଗୋରୁଳା ନିକଟ ଫାର୍ମହାଉସ , ଭଦ୍ରକ ଗୋବିନ୍ଦପୁର ସ୍ଥିତ ପୈତୃକ ଘର, କଟକ ସ୍ଥିତ ଅଫିସରେ ଚଢାଉ ଚାଲିଛି । ସରକାରୀ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ନେଇ ଭିଜିଲାନ୍ସ ନିକଟରେ ପୂର୍ବରୁ ଥିଲା ଅଭିଯୋଗ । ଅଭିଯୋଗ ଆଧାରରେ ଚଢ଼ାଉ କରିଛି ଭିଜିଲାନ୍ସ ।
ସାନଭାଇ ପରିବାରର ୫ଜଣଙ୍କୁ ନିର୍ମମ ଭାବେ ହତ୍ୟାକଲା ବଡ଼ଭାଇ
ଚଣ୍ଡିଗଡ଼ : ଭାଇ ହନ୍ତା ସାଜିଲା ଭାଇ । ହରିୟାଣାର ଅମ୍ୱାଲା ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା । ନିଜ ସାନଭାଇର ପରିବାରର ୫ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛି ବଡ଼ ଭାଇ । ନାରାୟଣଗଡ଼ ଥାନା ଅନ୍ତର୍ଗତ ରତୋ ଗାଁର ଅବସରପ୍ରାପ୍ତ ସେନାଅଧିକାରୀ ଏପରି ନୃଶଂସ କାଣ୍ଡ କରିଛି । ସୂଚନା ଅନୁଯାୟୀ, ରବିବାର ରାତିରେ ହିଁ ସେ ଏହି ହତ୍ୟା କରିବା ପରେ ଶବଗୁଡିକୁ ଜଳାଇବାକୁ ଚେଷ୍ଟା କରିଥିଲା । ସୂଚନା ପାଇ ସ୍ଥାନୀୟ ଏସପି ରାତି ୩ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ୨ଜଣ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପୋଲିସ ସୂଚନା ଅନୁଯାୟୀ, ରିଟାୟର୍ଡ ସେନାଧିକାରୀ ଭୁଷଣ ନିଜ ସାନଭାଇ, ଭାଉଜ, ୬ମାସର ଭଣଜା, ୫ବର୍ଷୀୟ ଭାଣିଜି ଏବଂ ନିଜ ମାଆଙ୍କୁ ଅତି ନୃଶଂସ ଭାବେ ହତ୍ୟାକରିଛି । ହତ୍ୟା ପରେ ସମସ୍ତଙ୍କୁ ନିଆଁ ଲଗାଇ ଜଳାଇବାକୁ ଚଷ୍ଟା କରିବା ସମୟରେ ବାପା ଓମ୍ ପ୍ରକାଶ ତାଙ୍କୁ ବିରୋଧ କରିଥିଲେ । କିନ୍ତୁ ସେ ବାପାଙ୍କୁ ମାରପିଟ୍ କରି ବେହୋସ କରିଦେଇଥିଲା । ଏହା ପରେ ହତ୍ୟାକାରୀ ଭାଇ ସେଠାରୁ ଫେରାର ହୋଇଯାଇଥିଲା ।
ଆହତ ବାପା ଓମ୍ ପ୍ରକାଶଙ୍କୁ ନାରାୟଣଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ଆଉ ଜଣେ ଆହତ ଝିଅକୁ ଚଣ୍ଡିଗଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ମାନଙ୍କୁ ପୋଷ୍ଟମୋଟମ ପାଇଁ ମେଡିକାଲ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ରଜୌରୀ ସେନା କ୍ଯାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ରଜୌରୀ ସେନା କ୍ଯାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ଉଦ୍ଯମ । ସେନା କ୍ଯାମ୍ପରେ ବଡ଼ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ । ଭୋର ପ୍ରାୟ ୪ଟା ସମୟରେ ସିକ୍ଯୁରିଟି ପୋଷ୍ଟ ଉପରକୁ ଗୁଳି ଚଳାଇଥିଲେ । ଭାରତୀୟ ସେନାର ଦୃଢ ଜବାବରେ ଆତଙ୍କବାଦୀଙ୍କ ବଡ଼ ଆକ୍ରମଣ ଯୋଜନା ବିଫଳ ହୋଇଛି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ଯରେ ଗୁଳିବିନିମୟ ଜାରି ରହିଥିବାବେଳେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଯବାନମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।
ବହୁଚର୍ଚ୍ଚିତ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ ; ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଇଲେକ୍ଟୋରାଲ ବଣ୍ଡ ସ୍କାମର ଏସଆଇଟି ତଦନ୍ତ ପ୍ରସଙ୍ଗ । ଆଜି ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ବିଭିନ୍ନ ରାଜନୈତିକ ଦଳଙ୍କୁ କର୍ପୋରେଟ ହାଉସ ଦେଇଥିବା ଚାନ୍ଦା କ୍ଷେତ୍ରରେ ଅନିୟମିତତା ଅଭିଯୋଗ କ୍ରମେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା କେତେକ ମାମଲା । ଇଲେକ୍ଟୋରାଲ ବଣ୍ଡ କ୍ଷେତ୍ରରେ ହୋଇଥିବା ଜାଲିଆତିର ବିଚାର ବିଭାଗ ସୁପରଭିଜନରେ ତଦନ୍ତ ଲାଗି କୋର୍ଟରେ ହୋଇଥିଲା ଆବେଦନ ।
ଏହି ବ୍ଯବସ୍ଥା ସମ୍ପୂର୍ଣ୍ଣ ଅସ୍ବଚ୍ଛ ହୋଇଥିବା ସହ ଏହା ଅସାମ୍ବିଧାନିକ ବୋଲି ଦର୍ଶାଇ ଗତ ଫେବ୍ରୁଆରୀ ୧୫ରେ ଏହାକୁ ହଟାଇଦେଇଥିଲେ ସୁପ୍ରିମକୋର୍ଟ । ସିଜେଆଇ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ମାମଲାର ଶୁଣାଣି କରିବେ । ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ପିଟିସନର କମନ କଜ ଓ ସେଣ୍ଟର ଫର ପବ୍ଲିକ ଇଣ୍ଟେରେଷ୍ଟ ଲିଟିଗେସନ ବା ସିପିଆଇଏଲ ପକ୍ଷରୁ ଲଢୁଛନ୍ତି ଆଇନଜୀବୀ ପ୍ରଶାନ୍ତ ଭୂଷଣ । ପିଟିସନରକାରୀ ଦର୍ଶାଇଥିଲେ ଯେ ୨୦୧୮ରୁ ଚାଲିଆସିଥିବା ଏହି ବ୍ଯବସ୍ଥାରୁ ସ୍ପଷ୍ଟ ହେଉଛି ଯେ ରାଜନୈତିକ ଦଳ, କର୍ପୋରେଟ ହାଉସ, ସରକାରୀ କର୍ମଚାରୀ, ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ମଧ୍ଯରେ ଡୋନେସନ ପରି ଏକ ସାଲିସଯୁକ୍ତ ବ୍ଯବସ୍ଥା ଚାଲିଛି ଯାହାକି ସମ୍ବିଧାନର ଧାରା ୧୪ଓ ଧାରା ୨୧ରୁ ଉଲ୍ଲଂଘନ କରୁଛି ।
ଏହା ସହ ତଦନ୍ତକାରୀ ସଂସ୍ଥା କବଳରୁ ରକ୍ଷା ପାଇବା ତଥା ଅନ୍ଯାନ୍ଯ ସୁବିଧା ଲାଗି ବିଭିନ୍ନ ଘରୋଇ କମ୍ପାନି ପ୍ରୋଟେକ୍ସନ ମନି ବାବେ ରାଜନୈତିକ ଦଳକୁ ଚାନ୍ଦା ଦେବାର ନଜିର ରହିଛି ବୋଲି ପିଟିସନରେ ଦର୍ଶାଯାଇଥିଲା । ଏପରିକି ତିନି ବର୍ଷରେ ପ୍ରାୟ ୨୦ଟି କମ୍ପାନି ବିଭିନ୍ନ ରାଜନୈତିକ ଦଳଙ୍କୁ ୧୦୦ କୋଟି ଟଙ୍କା ଦେଇଛନ୍ତି । ଏହା ସହ ଏହି ଦୁର୍ନୀତି ପ୍ରକ୍ରିୟାରେ ଇଡି, ସିବିଆଇ, ଆଇଟିର ପରୋକ୍ଷ ଭୂମିକା ରହିଛି ବୋଲି ପିଟିସନରକାରୀ ଦର୍ଶାଇଥିଲେ । ଇଲେକ୍ଟୋରାଲ ବଣ୍ଡ ବ୍ଯବସ୍ଥାରେ ଷ୍ଟେଟବ୍ଯାଙ୍କ ଶାଖାରୁ ୧ ହଜାର, ୧୦ ହଜାର, ୧ ଲକ୍ଷ, ୧ କୋଟି ଟଙ୍କାର ବଣ୍ଡ କ୍ରୟ ବ୍ଯବସ୍ଥା ରହିଥିଲା । ବଣ୍ଡର କୌଣସି ଲିମିଟ ନଥିଲା । ଏହି ବ୍ଯବସ୍ଥାରେ ବିଦେଶୀ କମ୍ପାନିଗୁଡିକ ବି ବଣ୍ଡ କ୍ରୟ କରିପାରୁଥିଲେ ।
ମାତ୍ର ଗତ ଫେବ୍ରୁଆରୀ ୧୫ରେ ୫ ଜଣିଆ ଖଣ୍ଡପୀଠ ଏହାକୁ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଥିଲେ । ୧୨ ଏପ୍ରିଲ ୨୦୧୯ରୁ କ୍ରୟ କରାଯାଇଥିବା ବଣ୍ଡକୁ ମାର୍ଚ୍ଚ ୬ ସୁଦ୍ଧା ଇସିଙ୍କ ନିକଟରେ ଦାଖଲ କରିବାକୁ ଷ୍ଟେଟବ୍ଯାଙ୍କକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ସବୁଠାରୁ ଅଧିକ ୧୩୬୫ କୋଟି ଟଙ୍କା ଚାନ୍ଦା ଦେଇଥିଲା ତାମିଲନାଡୁର ଫ୍ଯୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସ । ଦ୍ବିତୀୟରେ ଥିଲା ହାଇଦ୍ରାବାଦର ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର । ଏହି ସଂସ୍ଥା କେବଳ ବିଜେପିକୁ ଦେଇଥିଲା ୯୬୬ କୋଟି । ତୃତୀୟରେ ଥିଲା ଠାଣେର କ୍ବିକ ସପ୍ଲାଏ ଚେନ ।

