spot_img
Home Blog Page 1671

ଏକ କୋଟି ଲୋକଙ୍କୁ ଖୁସି ଖବର ଦେଲେ ସୀତାରମଣ, ମିଳିବ ମାଗଣା ବିଜୁଳି

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ବଜେଟରେ ଖୁସି ଖବର ଦେଇଛନ୍ତି ଅର୍ଥମନ୍ତ୍ରୀ  । ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏକ କୋଟି ଲୋକଙ୍କୁ ମାଗଣାରେ ବିଜୁଳି ପ୍ରଦାନ କରାଯିବ  । ଏକ କୋଟି ଘରକୁ ମାଗଣାରେ ବିଜୁଳି ପ୍ରଦାନ କରିବା ଘୋଷଣା ପରେ ସାଧାରଣ ଲୋକଙ୍କୁ ବଡ ଫାଇଦା ଓ ଆଶ୍ବସ୍ତି ମିଳିଛି  ।  
ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ ନେଇ ଦେଶବାସୀଙ୍କ ଭଲ ପ୍ରତିକ୍ରିୟା ମିଳିଛି  । ଏହି ସ୍କିମରେ ବର୍ତ୍ତମାନ ସୁଦ୍ଧା ୧.୮ କୋଟି ଲୋକେ ପଞ୍ଜୀକରଣ କରିସାରିଛନ୍ତି  ।ଗତ ଅନ୍ତରୀଣ ବଜେଟରେ ଏହି ଯୋଜନା ବିଷୟରେ ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ।  
ଏହି ଯୋଜନା ଅନୁସାରେ ଛାତରେ ସୋଲାର ପ୍ଲାଣ୍ଟ ଲଗାଯିବ  । ଏକ କୋଟି ଘର ଛାତ ଉପରେ ସୋଲାର ପ୍ଲାଣ୍ଟ ଲାଗିବ  । ଯାହା ଫଳରେ ପ୍ରତି ମାସରେ ୩୦ କିଲୋୱାଟ ପର୍ଯ୍ୟନ୍ତ ମାଗଣା ବିଜୁଳିର ଫାଇଦା ଉଠାଇ ପାରିବେ ହିତାଧିକାରୀ  । ଏହି ସ୍କିମରେ ବର୍ତ୍ତମାନ ସୁଦ୍ଧା ୧.୨୮ ହିତାଧିକାରୀ ରେଜିଷ୍ଟ୍ରେସନ କରିଥିବାବେଳେ ୧୪ ଲକ୍ଷ ଆବେଦନକାରୀଙ୍କ ଆବେଦନ ପେଣ୍ଡିଂରେ ଅଛି  ।

ନୂଆ ଚାକିରିଆଙ୍କ ପାଇଁ ଖୁସି ଖବର, ତିନୋଟି କିସ୍ତିରେ ମିଳିବ ୧୫ ହଜାର

ନୂଆଦିଲ୍ଲୀ: ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  । ଚାକିରିଆଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଘୋଷଣା  । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମାଧାରୀଙ୍କ ଆକାଉଣ୍ଟରେ ସର୍ବାଧିକ ୧୫ ହଜାର ଟଙ୍କା ଟ୍ରାନ୍ସଫର ହେବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ  । ଏହି ଇନସେନଟିଭ୍‌ ତିନୋଟି କିସ୍ତିରେ ମିଳିବ  । ପ୍ରଥମ ଥର ଚାକିରି କରୁଥିବା ଯୁବପିଢିଏଥିଯୋଗୁଁ ସିଧାସଳଖ ଲାଭବାନ ହେବେ  । ପାଖାପାଖି ୨ ଲକ୍ଷରୁ ଊର୍ଦ୍ଧ୍ବ ଯୁବପୀଢୀ ଏଥିଯୋଗୁଁ ଉପକୃତ ହେବେ  ।

ଏହା ଛଡା ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରରେ ଚାକିରି କରୁଥିବା ଓ ଦେଉଥିବା ବ୍ୟକ୍ତିଙ୍କୁ ଇପିଏଫଓ ଯୋଗଦାନରେ ଫାଇଦା ମିଳିବ  । ଏଥିଯୋଗୁଁ ଉପକୃତ ହେବେ ୩୦ ଲକ୍ଷ ଯୁବପିଢି ।

ସେହିପରି ଏକ ଲକ୍ଷ ଟଙ୍କାରେ ଚାକିରି ଦେଉଥିବା ସଂସ୍ଥା ପାଇଁ ମଧ୍ୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ  । ପ୍ରତି ମାସରେ ସଂସ୍ଥାକୁ ତିନି ହଜାର ଟଙ୍କା ସହାୟତା କରାଯିବ  । ଯାହାକି କର୍ମଚାରୀଙ୍କ ଇପିଏଫଓ ଯୋଗଦାନରେ ସାମିଲ ହେବ  ।

ଦ୍ବିତୀୟ ଦିନରେ ବି ବିଧାନସଭାରେ ଓଡ଼ିଆ ଅସ୍ମିତା ତାତି, ଗୃହ ମୁଲତବୀ

ଭୁବନେଶ୍ବର: ବଜେଟ ଅଧିବେଶର ଦ୍ବିତୀୟ ଦିନରେ ବି ବିଧାନସଭାରେ ଓଡ଼ିଆ ଅସ୍ମିତା ତାତି । ଏଏସଓଙ୍କୁ ରାଜ୍ଯପାଳଙ୍କ ପୁଅଙ୍କ ମାଡ଼ ପ୍ରସଙ୍ଗରେ ଗୃହ ଅଚଳ । ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କଲେ ବିରୋଧୀ । ରାଜ୍ଯପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି ।

ରାଜ୍ଯପାଳଙ୍କ ପୁଅଙ୍କୁ ଗିରଫ କରିବାକୁ ଗୃହରେ ଦାବି ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ । ଗୃହର ମଧ୍ଯ ଭାଗରେ ବିରୋଧୀ ବିଜେଡି ସଦସ୍ଯ ପ୍ରତିବାଦ କରିଛନ୍ତି । ପ୍ରମିଳା ଅଭିଯୋଗ କରିଛନ୍ତି, ଗତ ୭ ତାରିଖରେ ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ଼ ମାରିଲେ । ହେଲେ ତଦନ୍ତ କରାଗଲାନି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ASOଙ୍କ ସହ କଣ ଆଲୋଚନା କଲେ ତାହା ଜଣାପଡିଲାନି । ଓଲଟି ASOଙ୍କ ବଦଳି କରିଦିଆଗଲା ।

ଏଏସଓଙ୍କୁ ମାଡମାରିବା ପରେ ବି ନ୍ଯାୟ ମିଳୁନି । ଘଟଣାରେ ଆଇନମନ୍ତ୍ରୀ ଦାୟିତ୍ବହୀନ ମନ୍ତବ୍ଯ ଦେଉଛନ୍ତି । ଆଇନ ମନ୍ତ୍ରୀ କହୁଛନ୍ତି, ଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍ତି । କେଉଁଠି ଫୌଜଦାରୀ ମାମଲା ଜିଲ୍ଲାପାଳ ତଦନ୍ତ କରନ୍ତି କି ବୋଲି ପ୍ରଶ୍ନ କରିଛ୍ତି ପ୍ରମିଳା । ଯଦି ଜିଲ୍ଲାପାଳ ତଦନ୍ତ କରୁଛନ୍ତି ତାହେଲେ SP, IIC କୁଆଡେ ଗଲେ ? ଏଏସଓଙ୍କୁ କି ପ୍ରକାର ସୁରକ୍ଷା ଓ ନ୍ଯାୟ ଦିଆଯାଇଛି ମୁଖ୍ଯମନ୍ତ୍ରୀ ସେ ସମ୍ପର୍କରେ ଗୃହରେ ବିବୃତି ରଖନ୍ତୁ । ଓଡ଼ିଆ ଅସ୍ମିତାର କଥା କହି ଆସିଥିବା ସରକାର କେମିତି ଓଡ଼ିଆଙ୍କୁ ସୁରକ୍ଷା ଦେଉଛି ତାହା ଜଳଜଳ ହୋଇଦିଶୁଛି । ସରକାର ରାଜ୍ଯପାଳଙ୍କ ପୁଅକୁ ଘଣ୍ଟ ଘୋଡ଼ାଉଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ଯ ।

କେମିତି ପ୍ରସ୍ତୁତ ହୁଏ ବଜେଟ୍, କେତେ ମାସ ଆଗରୁ ଆରମ୍ଭ ହୁଏ ପ୍ରସ୍ତୁତି ?

ନନ୍ଦିଘୋଷ ବ୍ୟୁରୋ: ଆଜି ଆସିବ ୨୦୨୪-୨୫ ସାଧାରଣ ବଜେଟ  । କିନ୍ତୁ ଆପଣ ଜାଣନ୍ତି କି ୬ ମାସ ପୂର୍ବରୁ ବଜେଟ ପ୍ରସ୍ତୁତି ଚାଲିଥାଏ  । କେମିତି ତିଆରି ହୁଏ ବଜେଟ ? ଏଥିପାଇଁ କେତୋଟି ସଂସ୍ଥା ଓ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥାନ୍ତି  ? ବଜେଟ ଜଡିତ ସୂଚନା କିଭଳି ଲିକ୍‌ ନହେବ ସେଥିପାଇଁ କଣ ପଦକ୍ଷେପ ନିଆଯାଇଥାଏ ?

ଦେଶର ସାଧାରଣ ବଜେଟ ପ୍ରତିବର୍ଷ ୫ଟି ପର୍ଯ୍ୟାୟରେ ପ୍ରସ୍ତୁତ କରାଯାଏ  । ଅର୍ଥ ମନ୍ତ୍ରାଳୟ ପ୍ରତି ବର୍ଷ କେନ୍ଦ୍ରୀୟ ବଜେଟ ପ୍ରସ୍ତୁତ କରିଥାଏ  । ଅନେକ ବିଭାଗ ସହ ବିଚାର ବିମର୍ଶ କରିବା ପରେ ବଜେଟ ପ୍ରସ୍ତୁତ ହୋଇଥାଏ  । ଏଥିରେ ନୀତି ଆୟୋଗ ଓ ସରକାରଙ୍କ ଅନ୍ୟ ବିଭାଗ ସାମିଲ ହୋଇଥାନ୍ତି  ।

 

ପାଖାପାଖି ୬ ମାସ ପୂରପ୍ବରୁ ବଜେଟ ପ୍ରସ୍ତୁତ ହୁଏ । ଅର୍ଥ ମନ୍ତ୍ରାଳୟ ଏ ସମ୍ବନ୍ଧିତ ମନ୍ତ୍ରାଳୟ ଓ ବିଭାଗକୁ ବଜେଟ ସର୍କୁଲାର ପଠାଇଥାଏ  । ଆସନ୍ତା ଆର୍ଥିକ ବର୍ଷରେ ଖର୍ଚ୍ଚର ଅନୁମାନ କରି ଜରୁରୀ ଫଣ୍ଡ ବିଷୟରେ ସୂଚନା ଦେବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଥାଏ  । ଏହା ଛଡା ବିଭିନ୍ନ ଉଦ୍ୟୋଗ ସଙ୍ଘ, ବାଣିଜ୍ୟ ମଣ୍ଡଳ,କୃଷକ ସଙ୍ଘ, ଟ୍ରେଡ ୟୁନିଅନ ଓ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରି ବଜେଟ ପ୍ରସ୍ତୁତ କରାଯାଇଥାଏ  ।

 

ବିଭିନ୍ନ ମନ୍ତ୍ରାଳୟର ଅଧିକାରୀଙ୍କ ଠୁ ମିଳିଥିବା ତଥ୍ୟ ଓ ଅନୁମାନକୁ ସମ୍ବନ୍ଧିତ ବିଭାଗର ଶୀର୍ଷ ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯାଇଥାଏ  । ଆବଶ୍ୟକ ପଡିଲେ ଅନୁମୋଦିତ ବା ସଂଶୋଧିତ ହେବା ପରେ ଏହି ଡାଟା ଯାଞ୍ଚ ପାଇଁ ସମ୍ବନ୍ଧିତ ମନ୍ତ୍ରାଳୟକୁ ପଠାଯାଇଥାଏ  । ଏହାପରେ ତଥ୍ୟ ଅର୍ଥ ମନ୍ତ୍ରାଳୟରେ ପହଞ୍ଚିଥାଏ  ।

 

ବିଭିନ୍ନ ମନ୍ତ୍ରାଳୟରୁ ମିଳିଥିବା ଡାଟା ଓ ହିତାଧିକାରୀଙ୍କ ଠୁ ମିଳିଥିବା ରାୟ ପରେ ଅର୍ଥ ମନ୍ତ୍ରାଳୟ ବିଭିନ୍ନ ପ୍ରଶାସନିକ ମନ୍ତ୍ରାଳୟକୁ ରାଜସ୍ବ ଆବଣ୍ଟନ କରିଥାଏ  । ଏହା ସହ ଲୋକ କଲ୍ୟାଣ ଯୋଜନା ବିକଶିତ କରିଥାଏ  । ଅର୍ଥ ମନ୍ତ୍ରାଳୟ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବା ପ୍ରଧାନମନ୍ତ୍ରୀଙ୍କ ଠୁ ପରାମର୍ଶ ମାଗିଥାଏ  । ଏହି ନିର୍ଣ୍ଣୟକୁ ଅନ୍ତିମ ଦର୍ଶାଯାଇଥାଏ  ।

ତୃତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହେବା ପରେ ଏହି ପ୍ରକ୍ରିୟା ଏକ ପାରମ୍ପରିକ ସମାରୋହ ହଲୱା ସେରେମନୀ ସହ ଆରମ୍ଭ ହୋଇଥଆଏ  । ଏହି ସମାରୋହରେ ଅର୍ଥ ମନ୍ତ୍ରୀ ଓ ବଜେଟ ପ୍ରକ୍ରିୟାରେ ସାମିଲ ଅନ୍ୟ ଅଧିକାରୀ ଓ କର୍ମଚାରୀ ହାଲୁଆ ଖାଇଥାନ୍ତି  । ଏହି ସମାରୋହ ପରେ କେନ୍ଦ୍ରୀୟ ବଜେଟ ଛାପିବା ଆରମ୍ଭ ହୋଇଥାଏ  । ବଜେଟ ଦସ୍ତାବିଜ ଏତେ ଗୋପନୀୟ ରଖାଯାଏ ଯେ ପ୍ରିଟିଂରେ ସାମିଲ ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସରେ ରହିବାକୁ ପଡିଥାଏ  । ଏହି ସମୟରେ ସେମାନଙ୍କୁ ପରିବାର ସହ କଥା ହେବାକୁ ବି ଅନୁମତି ଦିଆଯାଇନଥାଏ  ।

 

ପଞ୍ଚମ ପର୍ଯାୟରେ ଅର୍ଥ ମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନା କରିଥାନ୍ତି  । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ନେବାକୁ ପଡେ  । ଏହାପରେ ବଜେଟକୁ କ୍ୟାବିନେଟ ସାମନାରେ ରଖିବା ପରେ ସଂସଦରେ ଉପସ୍ଥାପନ ହୋଇଥାଏ ବଜେଟ  ।

 

 

 

 

ମାଲକାନଗିରିର ତଳିଆ ଅଞ୍ଚଳ ପାଇଁ ବଢୁଛି ବିପଦ, ନଜର ରଖିଛନ୍ତି ଜିଲ୍ଲାପାଳ

ମାଲକାନଗିରି: ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ବର୍ଷା ଜାରି ରହିଛି । କାଙ୍କୁରୁକୋଣ୍ଡା ପୋଲ ଉପରେ ପାଣି ପ୍ରବାହିତ ହେଉଛ । ଫଳରେ ମାଲକାନଗିରି ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଥିବା ସୂଚନା ଦେଇଛନ୍ତି । ମୋଟୁରେ ମଧ୍ୟ ବନ୍ୟା ଆଶଙ୍କା ରହିଛି । କାରଣ ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ବନ୍ୟା ଆସିଛି ।

ପୋଲାଭରମ ପ୍ରକଳ୍ପର ପଛୁଆ ପାଣି ଏବେ ମୋଟୁ ଆଡକୁ ଠେଲି ହେଉଛି । ଆନ୍ଧ୍ର ପ୍ରଦେଶ ଜଳ ସେଚନ ବିଭାଗର ଯନ୍ତ୍ରୀଙ୍କ ସହ ମାଲକାନଗିରି ପ୍ରଶାସନ ଯୋଗାଯୋଗ ରଖିଛନ୍ତି । ପରିସ୍ଥିତି ଉପରେ ନଜର ରଖିଛନ୍ତି ନିଜେ ଜିଲ୍ଲାପାଳ । ସେପଟେ ତଳିଆ ଅଞ୍ଚଳର 153 ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ବନ୍ୟାରେ ଜିଲ୍ଲାର ଅନେକ ରାସ୍ତା ଓ ପୋଲ ନଷ୍ଟ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ବନ୍ୟାରେ ବର୍ତ୍ତମାନ ସୁଦ୍ଧା 95 ଟି ଘର ଭାଙ୍ଗିଥିବା ବେଳେ କେତେ ଚାଷ ଜମି ନଷ୍ଟ ହୋଇଛି ତାହା ପାଣି କମିବା ପରେ ଜଣା ପଡିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସପ୍ତମ ଥର ଲାଗି ଆଜି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ଆସିବ ୨୦୨୪-୨୫ ବଜେଟ। ସପ୍ତମ ଥର ଲାଗି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ଣ୍ଣାଙ୍ଗ ବଜେଟର ରୂପରେଖ କଣ ରହିବ ତାହା ଉପରେ ରହିଛି ଦେଶବାସୀଙ୍କ ନଜର। ଦେଶରେ ଅର୍ଥନୈତିକ ଅଭିବୃଦ୍ଧି, ନୂଆ ଯୋଜନା, ନୂଆ ଆର୍ଥିକ ନୀତି ଆଦି ଉପରେ ଫୋକସ କରିବେ ନିର୍ମଳା।

ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟର ଆକାର ୪୭.୬୬ ଲକ୍ଷ କୋଟି ଟଙ୍କା ହେବା ଆଶା ରହିଛି। ସାଧାରଣ, ମଧ୍ଯବିତ୍ତ ବର୍ଗଙ୍କ ପାଇଁ ଏଥରର ବଜେଟରେ ଗୁରୁତ୍ବ ମିଳିବା ଆଶା ରହିଛି। ଆୟକର ଓ GSTରେ ସରଳୀକରଣ ସମ୍ଭାବନା କମ୍ ଥିବାବେଳେ କମ୍ ଆୟ ବର୍ଗଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦେଇପାରନ୍ତି ସରକାର। ଭାରତୀୟ GDPର ୭.୩ ପ୍ରତିଶତ ଯୋଗଦାନ ରିଏଲ ଇଷ୍ଟେଟର ରହିଥିବାରୁ ଏହା ଉପରେ ନିର୍ମଳା ଗୁରୁତ୍ବ ଦେବା ଆଶା ରହିଛି।

ପୁରୀ ଗ୍ରୀନଫିଲ୍ଡ ଏୟାର ପୋର୍ଟ କାମ ଆରମ୍ଭ ପାଇଁ ଡିପିଆର ରିପୋର୍ଟ ଦାଖଲ କର: କେନ୍ଦ୍ର

ନୂଆଦିଲ୍ଲୀ: ପୁରୀରେ ଗ୍ରୀନଫିଲ୍ଡ ଏୟାର ପୋର୍ଟ କାମ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ଡିପିଆର ବା ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦାଖଲ କରିବାକୁ ପଡିବ । ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଏହା କହିଛନ୍ତି ।

୨୦୨୩ ସେପ୍ଟେମ୍ବର ୨୨ରେ କେନ୍ଦ୍ର ସରକାର ପୁରୀରେ ଗ୍ରୀନଫିଲ୍ଡ ଏୟାରପୋର୍ଟ ପାଇଁ ସାଇଟ୍ କ୍ଲିୟରାନ୍ସ ଦେଇଥିଲେ । ୨୦୦୮ ଗ୍ରୀନଫିଲ୍ଡ ଏୟାରପୋର୍ଟ ନୀତି ଅନୁଯାୟୀ ରାଜ୍ୟମାନଙ୍କୁ ଏଥିପାଇଁ ନିଜସ୍ବ ବ୍ୟୟ ବରାଦ କରିବାକୁ ପଡିବ । ଏଥିସହିତ ରାଜ୍ୟମାନେ ଜମି ଅଧିଗ୍ରହଣ ଓ ଥଇଥାନ କାର୍ଯ୍ୟ କରିବେ । ତେଣୁ ପୁରୀରେ ଗ୍ରୀନଫିଲ୍ଡ ଏୟାରପୋର୍ଟ ପାଇଁ ଇନପ୍ରିନ୍ସିପିଲ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ସହ ପ୍ରକଳ୍ପ ଖର୍ଚ୍ଚ, ପ୍ରକଳ୍ପ ସାରିବାକୁ ସମୟ ସୀମା, ଆନୁମାନିକ ବିମାନ ଟ୍ରାଫିକ ସମ୍ପର୍କରେ କେନ୍ଦ୍ରକୁ ବିଦ୍ଧିବଧ ଭାବେ ଅବଗତ କରିବା ଆବଶ୍ୟକ । ଡିପିଆର ମିଳିବା ପରେ ହିଁ କେନ୍ଦ୍ର ସରକାର ଇନପ୍ରିନ୍ସିପୁଲ ଅନୁମୋଦନ ପ୍ରଦାନ କରିବେ ।

କୋଇଲା ରୟାଲଟି ବଢ଼ାଇବାକୁ କେନ୍ଦ୍ରର ‘ନା’

ନୂଆଦିଲ୍ଲୀ: ବଢିବ ନାହିଁ କୋଇଲା ରୟାଲଟି । ସ୍ପଷ୍ଟ କଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କ୍ରିଷ୍ଣା ରେଡ୍ଡୀ । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଓଡିଶା ପରି କୋଇଲା ଉତ୍ପାଦନକାରୀ ରାଜ୍ୟମାନେ ରୟାଲଟି ହାର ୧୪ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି । ସେପଟେ କୋଇଲା ଉପରେ ନିର୍ଭରଶୀଳ ରାଜ୍ୟମାନେ ରୟାଲଟି ହାର ୧୪ ପ୍ରତିଶତରୁ ୪ରୁ ୫ ପ୍ରତିଶତକୁ କମାଇବାକୁ ଦାବି କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ୨୦୧୪ ଜୁଲାଇ ୨୧ ତାରିଖରେ କେନ୍ଦ୍ର ସରକାର ଏକ ଏକ୍ସପର୍ଟ କମିଟି ଗଠନ କରିଥିଲେ । କମିଟି ବିଭିନ୍ନ ଦିଗକୁ ବିଚାର କରି ରୟାଲଟି ବୃଦ୍ଧି ନକରିବାକୁ ରିପୋର୍ଟ ଦେଇଥିଲା । କମିଟି ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମଏଫରୁ ରୟାଲିଟିର ୩୦ ପ୍ରତିଶତ ଏବଂ ନ୍ୟାସନାଲ ମିନେରାଲ ଟ୍ରଷ୍ଟ ଜରିଆରେ ଦୁଇ ପ୍ରତିଶତ ରୟାଲଟି ଦେଉଛନ୍ତି । ଏମିତି ରାଜ୍ୟମାନେ ପାଖାପାଖି ୧୯ ପ୍ରତିଶତ ରୟାଲଟି ପାଉଛନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ଆଉ ରୟାଲଟି ବୃଦ୍ଧି ନକରିବାକୁ ଏକ୍ସପର୍ଟ କମିଟିର ରିପୋର୍ଟକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ଲିକ୍ଷିତ ଉତ୍ତର ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । କେନ୍ଦ୍ର ସରକାର ରୟାଲଟି ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଥିବାରୁ କୋଇଲାରୁ ଆଦାୟ ହେଉଥିବା ସେସରୁ ଓଡିଶାକୁ ତାର ଭାଗ ମିଳିବା ଉଚିତ ବୋଲି ଦାବି କରିଛନ୍ତି ।

ପାଣ୍ଡିଆନଙ୍କ ସମ୍ପର୍କୀତ ଖବର ପ୍ରକାଶ ଉପରେ କ୍ଷମା ମାଗିଲା ଜାତୀୟ ଗଣମାଧ୍ୟମ

ଭୁବନେଶ୍ବର: କାର୍ତ୍ତିକ ପାଣ୍ଡିଆନକୁ ନେଇ ପ୍ରକାଶିତ ଖବର ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସିବା ପରେ ସମ୍ପୃକ୍ତ ଖବରକାଗଜ ପକ୍ଷରୁ ଭୁଲ ସ୍ବୀକାର କରାଯାଇଛି । ଏନେଇ ସମ୍ପୃକ୍ତ ଗଣମାଧ୍ୟମ ନିଃସର୍ତ୍ତ  କ୍ଷମା ପ୍ରାର୍ଥନା କରିଛି ।

ଖବର ପ୍ରକାଶ କରିଥିବା ଉକ୍ତ ଖବର କାଗଜର ସାମ୍ବାଦିକ ତାଙ୍କ ସୋସିଆଲ ମିଡିଆ ସାଇଡ Xରେ ଲେଖିଛନ୍ତି- ଜଣେ ବିଶ୍ବସ୍ତ ସୂତ୍ରର ତଥ୍ଯକୁ ବିଶ୍ବାସ କରି ଏହି ଖବର ଲେଖା ଯାଇଥିଲା । ଏ ସମ୍ପର୍କରେ ଆମେ ନବୀନ ପଟ୍ଟନାୟକଙ୍କ ମତାମତ ନେଇ ନଥିଲୁ । ନବୀନ ଏଭଳି ଖବରକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ । ଏହା ବି ଆମେ ଜାଣିବାକୁ ପାଇଛୁ ଯେ, କୌଣସି କେନ୍ଦ୍ରମନ୍ତ୍ରୀ ପାଣ୍ଡିଆନଙ୍କୁ ଭେଟି ନାହାନ୍ତି କିମ୍ବା ତାଙ୍କ ସହିତ କଥା ହୋଇ ନାହାନ୍ତି । ଏହା ପରେ ଆମେ ତ୍ରୁଟି ସଂଶୋଧନ କରୁଛୁ ଏବଂ କ୍ଷମା ପ୍ରାର୍ଥନା କରୁଛୁ ।

କାର୍ତ୍ତିକ ପାଣ୍ଡିଆନଙ୍କ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ Xରେ ଲେଖିଥିଲେ- ଜାତୀୟ ଗଣମାଧ୍ୟମର ଏହି ଖବର ସଂପୂର୍ଣ୍ଣ ମିଛ, ଉଦ୍ଦେଶ୍ୟମୂଳକ, ଭିତ୍ତିହୀନ ଓ କପୋଳକଳ୍ପିତ । କାର୍ତ୍ତିକ ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ବହୁତ କାମ କରିଛନ୍ତି । ସେଥିପାଇଁ ସେ ଜଣାଶୁଣା । ଖାଲି ସେତିକି ନୁହେଁ, ପାଣ୍ଡିଆନ ଉତ୍ସର୍ଗୀକୃତ ଭାବେ ଦଳ ଓ ରାଜ୍ୟ ପାଇଁ କାମ କରିଛନ୍ତି । ଏଭଳି ଦକ୍ଷତା ଓ ସ୍ବଚ୍ଛତା ପାଇଁ ପାଣ୍ଡିଆନ ବେଶ ଜଣାଶୁଣା ଓ ସମ୍ମାନନୀୟ । ଏହାପରେ ସଂପୃକ୍ତ ସାମ୍ବାଦିକ ଓ ଗଣମାଧ୍ଯମ କ୍ଷମା ମାଗିଛନ୍ତି ।

କାଲି ବଜେଟ: ନିର୍ମଳାଙ୍କ ମୁଣିରୁ ବାହାରିବ କ’ଣ ?

ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ । ସପ୍ତମ ଥର ପାଇଁ ବଜେଟ ଆଣି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରଚିବାକୁ ଯାଉଛନ୍ତି ଇତିହାସ । ହେଲେ ଏଥର ତାଙ୍କ ପାଇଁ ରହିବ ବଡ଼ ଆହ୍ବାନ । ଭିତ୍ତିଭୂମି, ନିଯୁକ୍ତି, ଗ୍ରୀନ ଏନର୍ଜି ଆଦି କ୍ଷେତ୍ରକୁ ଗୁରୁତ୍ବ ଦେବା ସମ୍ଭାବନା ଥିବାବେଳେ ଦରଦାମ ନିୟନ୍ତ୍ରଣ ପାଇଁ ଅର୍ଥମନ୍ତ୍ରୀଙ୍କୁ କସରତ କରିବାକୁ ପଡ଼ିବ । ଭିନ୍ନ ଭିନ୍ନ ବର୍ଗର ବଜେଟରୁ ଭିନ୍ନ ଆଶା ରହିଥିବା ବେଳେ ଶିଳ୍ପ ଜଗତ ବି ଅନାଇ ବସିଛି ପୂର୍ଣ୍ଣାଙ୍ଗ ବଜେଟକୁ । ବିଶେଷ କରି ଅଧିକ ନିଯୁକ୍ତି ସୃଷ୍ଟି କରିବାର ଦକ୍ଷତା ରଖିଥିବା ଏମଏସଏମଇ ସେକ୍ଟରକୁ ଅଧିକ ପ୍ରୋତ୍ସାହନ ପାଇଁ ଆଶା ରଖିଛି ଲଘୁ ଉଦ୍ୟୋଗ ସଂଘ । ଏମଏସଏମଇର  ସରଳୀକରଣ ବ୍ୟବସ୍ଥା ସାଙ୍ଗକୁ ଜମି ଓ ବିଜୁଳିରେ ରିହାତି ବ୍ୟବସ୍ଥା ସପକ୍ଷରେ ମତ ରଖିଛନ୍ତି ବିଶେଷଜ୍ଞ ।

ନିର୍ମଳାଙ୍କ ବଜେଟ ମୁଣିରୁ ଏଥର ବାହାରିବ କ’ଣ ? ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପରେ ସମସ୍ତଙ୍କ ନଜର । ଏଥର ବଜେଟରେ କାହାକୁ ଖୁସି କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ? କେଉଁ କ୍ଷେତ୍ରକୁ ଦେବେ ଅଧିକ ପ୍ରାଥମିକତା ? ଏସବୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଶିଳ୍ପ ଜଗତର ବି ନଜର ରହିଛି ନିର୍ମଳାଙ୍କ ପେଡ଼ି ଉପରେ । ଚାଷୀ, ଯୁବକ, ମହିଳାଙ୍କ ପାଇଁ ଆସିପାରେ ଖୁସି ଖବର । ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ବି ମିଳିପାରେ ଗୁରୁତ୍ବ । ନିଯୁକ୍ତି ଉପରେ ଅଧିକ ଗୁରୁତ୍ବ ଦେଉଥିବାରୁ ଭିତ୍ତିଭୂମି, ଗ୍ରୀନ ଏନର୍ଜି ପାଇଁ ଅଧିକ ବ୍ୟୟବରାଦ ସମ୍ଭାବନା ରହିଛି । ହେଲେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଅନେକ ଭରସା ରହିଛି ବଜେଟ ଉପରେ । ଏମଏସଏମଇ କ୍ଷେତ୍ରକୁ ସହଜ ଋଣ ବ୍ୟବସ୍ଥା ସରକାର କହୁଥିଲେ ମଧ୍ୟ ବ୍ୟାଙ୍କ ଗୁଡ଼ିକ ସହଯୋଗ କରୁନାହାନ୍ତି । କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଋଣରେ ସରଳୀକରଣ ସହ ଜମି ଓ ବିଜୁଳି ପାଇଁ ପ୍ରୋତ୍ସାହନ ଦେଲେ ଏ କ୍ଷେତ୍ର ଆଗକୁ ଯାଇପାରିବ ବୋଲି ଲଘୁ ଉଦ୍ୟୋଗ ସଂଘ କହିଛି ।

ବୃହତ ଶିଳ୍ପ ତୁଳନାରେ ୧୫ ଗୁଣା ଅଧିକ ନିଯୁକ୍ତି ଦେବାର କ୍ଷମତା ରହିଛି ଏମଏସଏମଇ ଉଦ୍ୟୋଗ ପାଖରେ । ରାଜ୍ୟରେ ମେଗା ଫୁଡ଼ ପାର୍କ, ଆଲୁମିନିୟମ ପାର୍କ, ଟେକ୍ସଟାଇଲ ପାର୍କ, ପ୍ଲାଷ୍ଟିକ ପାର୍କ ମଧ୍ୟ ଗଢି ଉଠିଛି । ଏହାସହ ମେଟାଲ ସେକ୍ଟରରେ ଡାଉନଷ୍ଟ୍ରିମ ଇଣ୍ଟଷ୍ଟ୍ରି ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଏହାସହ ଷ୍ଟାର୍ଟଅପ୍ କ୍ଷେତ୍ର ଏକ ଗ୍ଲୋବାଲ ବ୍ରାଣ୍ଡ ଭାବେ ଉଭା ହେଉଛି । ଏହି ସେକ୍ଟରକୁ ଉପରକୁ ଉଠାଇବାକୁ ହେଲେ ଆର୍ଥିକ ପ୍ରୋତ୍ସାହନ ସାଙ୍ଗକୁ ଶିଳ୍ପ ନୀତି ଅନୁସାରେ ଆନୁଷଙ୍ଗିକ ସୁବିଧା ଉପରେ ଗୁରୁତ୍ବ ଦେଇଛନ୍ତି ବିଶେଷଜ୍ଞ ।

ନିର୍ବାଚନୀ ପ୍ରତିଶୃତି ପୂରଣ ସାଙ୍ଗକୁ ବିଭିନ୍ନ ବର୍ଗଙ୍କୁ ଖୁସି କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ବଜେଟରେ କେଉଁ କ୍ଷେତ୍ରକୁ କେତେ ଗୁରୁତ୍ବ ଦେଉଛନ୍ତି ତା ଉପରେ ଦେଶବାସୀଙ୍କ ନଜର ରହିଛି ।