ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ୍ ଲଢ଼ିବ ୪୩ ସିଟରେ, କଂଗ୍ରେସକୁ ୩୦ଟି ସିଟ୍ ମିଳିଥିବା ବେଳେ ଆରଜେଡି ଭାଗରେ ପଡ଼ିଛି ୬ଟି ସିଟ୍ । ବାମ ମେଣ୍ଟ ଲଢ଼ିବ ୩ଟି ସିଟରେ। ଇଣ୍ଡିଆ ମେଣ୍ଟ ଭିତରେ ଏପରି ଭାଗବଣ୍ଟା ହୋଇଛି। ସେମାନଙ୍କ ମଧ୍ୟରେ ଚୂଡ଼ାନ୍ତ ହୋଇଛି ସିଟ୍ ଆସନ ଅଙ୍କ। ତେବେ ୩ଟି ସିଟରେ ସହମତି ହୋଇନପାରିବାରୁ ସେଠାରେ ବନ୍ଧୁତ୍ଵପୂର୍ଣ୍ଣ ଲଢ଼େଇ ହେବ ବୋଲି କୁହାଯାଇଛି। ସେହି ୩ଟି ସିଟରେ ହେବ ଛତରପୁର, ବିଶ୍ରମପୁର ଓ ଧନୱରରେ। ୮୨ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ୨ଟି ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ଵର ୧୩ ଓ ୨୦ରେ ହେବ ଭୋଟ । ଗଣତି ହେବ ନଭେମ୍ବର ୨୩ ତାରିଖରେ।
‘ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଗିରଫ କରାଯାଉ’
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଖାଇ ୨ ମହିଳାଙ୍କ ମୃତ୍ୟୁ ଘଟଣା। ଶନିବାର ଉକ୍ତ ଗାଁକୁ ଗସ୍ତ କରି ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଆମ୍ବ ଟାକୁଆ ଖାଇ ମୃତ୍ୟୁ ସାଧାରଣ ଘଟଣା ନୁହେଁ। ଏହା ସରକାରଙ୍କ ଦ୍ୱାରା ରଚିତ ବିପର୍ଯ୍ୟୟ। ଘଟଣାରେ ମୁଖ୍ୟମନ୍ତ୍ରୀ, ଯୋଗାଣମନ୍ତ୍ରୀ, ଜିଲ୍ଲାପାଳଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଗିରଫ କରିବା ଦରକାର ବୋଲି ଶ୍ରୀକାନ୍ତ ଜେନା କହିଛନ୍ତି।
ମନ୍ତ୍ରୀଙ୍କ ଆମ୍ଵ ଟାକୁଆ ଖାଇବା କଥାକୁ ସମାଲୋଚନା କରିଛନ୍ତି ଶ୍ରୀକାନ୍ତ ଜେନା । ଆହୁରି ମଧ୍ୟ କହିଛନ୍ତି, ଆମେ ଦେଖିଲୁ ଦେଢ଼ ମାସ ବିଳମ୍ବରେ ଶନିବାରେ ଅକ୍ଟୋବର ମାସର ଚାଉଳ ବଣ୍ଟାଯାଉଥିଲା । ଚାଉଳ ମିଳିବାରେ ବିଳମ୍ଵ ହେବାରୁ ଲୋକଙ୍କ ପାଖରେ ଖାଦ୍ୟାଭାବ ଦେଖାଦେଇଥିଲା । ବାଧ୍ୟହୋଇ ସେମାନେ ଆମ୍ବ ଟାକୁଆ ଖାଇଥିବା କହିଛନ୍ତି ଶ୍ରୀକାନ୍ତ ଜେନା । ଯୋଗାଣମନ୍ତ୍ରୀ ସେଠାକୁ ଯାଇ ଦେଖନ୍ତୁ ବଣ୍ଟନ ବ୍ୟବସ୍ଥା କିପରି ଚାଲିଛି । ୩୫ କିଲୋ ଚାଉଳ ଦେଉନାହାନ୍ତି । ତା ବଦଳରେ ପାଞ୍ଚ କିଲୋ ଚାଉଳ ବି ଠିକ୍ ସମୟରେ ଦିଆଯାଉନାହିଁ । ଉକ୍ତ ଅଞ୍ଚଳରେ ବିକାଶ ବହୁ ଦୂରରେ। ଏ ଯାଏଁ ମୁଖ୍ୟମନ୍ତ୍ରୀ କି ଜିଲ୍ଲାପାଳଙ୍କ ପାଖରେ ସମୟ ନାହିଁ ସେହି ଗାଁକୁ ଯିବାକୁ । ସଂରକ୍ଷିତ ଅଞ୍ଚଳ ବିକାଶ ଦାୟିତ୍ୱ ରାଜ୍ୟପାଳଙ୍କର। ହେଲେ ନିର୍ବାଚନ ପାଇଁ ଝାଡ଼ଖଣ୍ଡ ଯାଇଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା।
ସେପଟେ ଆମ୍ଵଟାକୁଆ ଖାଇ ମହିଳାଙ୍କ ମୃତ୍ୟୁ ଘଟଣାରେ ସମାନ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଏହା ଗଣତନ୍ତ୍ର ପାଇଁ କ୍ଷତିକାରକ। କେବେ ଭାଷଣ ମାରି ସରକାରକୁ ଆସିଲେ, ହେଲେ ଲୋକ ଆମ୍ବ ଟାକୁଆ ଖାଉଛନ୍ତି ବୋଲି ସମାଲୋଚନା କରିଛନ୍ତି ତାରା ବାହିନୀପତି।
ମହାମଦୀ ପ୍ରସଙ୍ଗ: ବିଜେଡିର ଦାବି, ସାର୍ବଜନୀନ ହେଉ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର: ମହାମଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ଏ ସମ୍ପର୍କରେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ। କେନ୍ଦ୍ର ସହଯୋଗ ନମିଳିବାରୁ ବଞ୍ଚିତ ହେଉଛି ଓଡ଼ିଶା। ରାଜ୍ୟ ପ୍ରତି ଅନ୍ୟାୟ କରିଚାଲିଛି ଛତିଶଗଡ଼। ଓଡ଼ିଶା ସ୍ବାର୍ଥ ପାଇଁ ବିଜେଡି ଲଢ଼େଇ କରିଆସୁଛି। ହେଲେ ମହାନଦୀ ସମସ୍ୟାର ସମାଧାନ କରିବାକୁ ଚାହୁଁନି ଛତିଶଗଡ଼। ଏବେ ଉଭୟ କେନ୍ଦ୍ର, ଛତିଶଗଡ଼ ଓ ରାଜ୍ୟରେ ବିଜେପି ସରକାର ଅଛନ୍ତି। ତେଣୁ ମହାନଦୀ ପ୍ରସଙ୍ଗରେ ଯେଉଁ ଦୁଇ ଥର ଆଲୋଚନା ହୋଇଛି ବୋଲି କହୁଛନ୍ତି ମୁଖ୍ୟମନ୍ତ୍ରୀ, ତାହାକୁ ସାର୍ବଜନୀନ କରାଯାଉ ବୋଲି ଦାବି କରିଛନ୍ତି ପ୍ରଶାନ୍ତ ମୁଦୁଲି।
ସେପଟେ ମହାନଦୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସବିଧାୟକ ତାରା ବାହିନୀପତି । ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାର ଅଛି । ଯଦି ଟ୍ରିପଲ ଇଞ୍ଜିନ ସରକାରରେ ମହାନଦୀ ପ୍ରସଙ୍ଗ ସମାଧାନ ହେବନି, ତାହାଲେ ସେ ବିଫଳ । ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ଏହି ପ୍ରସଙ୍ଗରେ ଦୁଇଥର କଥା ହୋଇଛନ୍ତି, ତାହା ସ୍ପଷ୍ଟ କରନ୍ତୁ କଣ ଆଲୋଚନା ହୋଇଛି ? ଲୋକ ଜାଣିବା ଦରକାର ବୋଲି କହିଛନ୍ତି ତାରା ବାହିନୀପତି ।
ନିଜ ମାଟିରେ ପ୍ରଥମ ଥର ହ୍ଵାଇଟ୍ ୱାସ ହେଲା ଭାରତ
ମୁମ୍ବାଇ: ଭାରତୀୟ କ୍ରିକେଟ ଇତିହାସରେ ସବୁଠୁ ବଡ଼ ଲଜ୍ଜା। ପ୍ରଥମ ଥର ପାଇଁ ନିଜ ମାଟିରେ ୩-୦ ରେ ଟେଷ୍ଟ ସିିରିଜ ହ୍ଵାଇଟ୍ ୱାସ ହୋଇଛି ଟିମ୍ ଇଣ୍ଡିଆ। ଭାରତ ଟେଷ୍ଟ ମ୍ୟାଚ ୧୯୩୩-୩୪ରେ ଟେଷ୍ଟ ମ୍ୟାଚ ଖେଳିବା ଦିନରୁ କେବେ ବି ଏପରି ହୋଇନଥିଲା। ନ୍ୟୁଜିଲାଣ୍ଡ ବି ପ୍ରଥମ ଥର ପାଇଁ ଭାରତକୁ ଭାରତ ମାଟିରେ ୩-୦ରେ ଟେଷ୍ଟ ସିରିଜରେ ପରାସ୍ତ କରିଛି।
ମୁମ୍ବାଇର ୱାନଖେଡ ଷ୍ଟାଡିୟମରେ ତୃତୀୟ ଟେଷ୍ଟରେ ହାରିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ୨୫ ରନରେ ଜିତିଛି।
ଭାରତ ଦ୍ଵିତୀୟ ଇନିଂସରେ ୧୨୧ ରନ୍ ରେ ଅଲଆଉଟ୍ ହୋଇଛି । ଟିମ୍ ଇଣ୍ଡିଆ ଟାର୍ଗେଟରେ ଥିଲା ୧୪୭ ରନ୍ । କେବଳ ପନ୍ତ ଭଲ ସ୍କୋର କରିଥିବା ବେଳେ ୮ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତ ନିଜ ମାଟିରେ ପ୍ରଥମ ଥର ହ୍ଵାଇଟ୍ ୱାସ ହୋଇଛି।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୫ ରନ୍ କରିଥିଲା । ଏବଂ ଦ୍ଵିତୀୟ ଇନିଂସ ୧୭୪ ରନ୍ କରିଛି । ଭାରତ ପ୍ରଥମ ଇନିଂସ ୨୬୩ ରନ୍ କରିଥିବା ବେଳେ ଦ୍ଵିତୀୟ ଇନିଂସ ୧୨୧ ରନ୍ କରିଛି । ଆଗରୁ ବେଙ୍ଗଲୁରୁ ଓ ପୁଣେ ଟେଷ୍ଟ ହାରିଥିଲା ଭାରତ । ନ୍ୟୁଜିଲାଣ୍ଡ ୩-୦ରେ ସିରିଜ ଜିତିଲା । ଭାରତ ଟେଷ୍ଟ ଚାମ୍ପିୟନ ଫାଇନାଲ ଖେଳିବା ଆଶା କ୍ଷୀଣ ।
ଆମ୍ୱଟାକୁଆ ଟ୍ରାଜେଡି ଘଟଣା: ‘ରାଜ୍ୟ ସରକାରଙ୍କ ଅବହେଳାରୁ ଲୋକଙ୍କ ମୃତ୍ୟୁ ହୋଇଥିବା କହିଲେ ମୁନା ଖାଁ
କନ୍ଧମାଳ: ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ଟାକୁଆ ଟ୍ରାଜେଡି ଘଟଣା। ଆମ୍ବ ଟାକୁଆ ଖାଇ ମୃତ୍ଯୁ ପ୍ରସଙ୍ଗରେ ବିଜେଡି ସାଂସଦ ମୁନା ଖାଁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ୨୪ ବର୍ଷ ତଳେ ଶୁଣିବାକୁ ପାଉଥିଲୁ ଲୋକ ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଖାଉଥିଲେ ଓ ଜୀବନ ଯାଉଥିଲା। ହେଲେ ନବୀନ ସରକାର ସମୟରେ ଏହା ହେଉ ନଥିଲା। ଲୋକେ ଠିକ ଭାବେ ଚାଉଳ ପାଉଥିଲେ, ନବୀନ ପଟ୍ଟନାୟକ କୌଣସି ଅଭାବ ରଖି ନଥିଲେ ବୋଲି କହିଛନ୍ତି ମୁନା ଖାଁ।
ଆହୁରୀ ମଧ୍ୟ କହିଛନ୍ତି, ୨୪ ବର୍ଷ ପରେ ଏବେ ଅନାହାରରେ ମୃତ୍ୟୁ ହେଉଥିବା ଶୁଣିବାକୁ ମିଳୁଛି। ଚାଉଳ ଦେବାରେ ଅବହେଳା କରିଛନ୍ତି ରାଜ୍ୟ ସରକାର। ଯେଉଁଥି ପାଇଁ ଆମ୍ବ ଟାକୁଆ ଖାଇକି ଲୋକଙ୍କ ଜୀବନ ଗଲା ବୋଲି କହିଛନ୍ତି ସାଂସଦ ମୁନା ଖାଁ।

