spot_img
Home Blog Page 1639

ପୁଣି ନରହନ୍ତା ଦନ୍ତା ନେଲା ଜୀବନ, ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ମୟୂରଭଞ୍ଜ: ପୁଣି ନରହନ୍ତା ଦନ୍ତା ନେଲା ଜୀବନ। ଘରେ ଶୋଇଥିବା ବେଳେ ଘରୁ ଟାଣି ନେଇ ଦଳିଦେଲା ଦନ୍ତାହାତୀ । ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବେତନଟୀ ଥାନା ବାରିପଦା ରେଞ୍ଜ ଅଧୀନ ରାଧିକାଶୋଳ ଗ୍ରାମରେ ।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ  ଦନ୍ତାଟି ମହିଳାଙ୍କୁ ଟାଣି ଆଣି ଘର ବାହାରେ କଚାଡି ମାରିଦେଇଥିଲା । ଘଟଣାସ୍ଥଳରେ  ଉତ୍ତେଜନା ଦେଖାଦେଇଥିଲା। ମୃତା ମହିଳା ଜଣକ ହେଉଛନ୍ତି ରାଧିକାଶୋଳ ଗ୍ରାମର ସୀତାରାମ ହାଁସଦାଙ୍କ ସ୍ତ୍ରୀ ମାନକା ହାଁସଦା। ଦନ୍ତା ଗାଁରେ ପଶି ୪ଟି ଘର ଭାଙ୍ଗିବା ସହ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା । ପାଖରେ ଶୋଇଥିବା ସ୍ୱାମୀ ସୀତାନାଥ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗ୍ରାମରେ ଚହଳ ପଡିଯାଇଥିଲା। ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ବନବିଭାଗର ଅପାରଗତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ସକାଳେ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏସଆଇ ସୂତାର କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି ।

ତେବେ ବାରମ୍ବାର ବନବିଭାଗର ଅବହେଳା ଏବଂ ଅପାରଗତା ପାଇଁ ହାତୀ ଜନବସତି ଭିତରେ ପଶି ଧନଜୀବନ ହାନି କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗିରହିଛି । ନରହନ୍ତା ଦନ୍ତା ଆକ୍ରମଣରେ ବିଗତ ତିନିଦିନରେ ଚାରିଜଣଙ୍କ ମୃତ୍ୟୁ ଘଟଣା ବନବିଭାଗ ପାଇଁ ମଧ୍ୟ ଅଡୁଆସ୍ଥିତି ସୃଷ୍ଟି କରିଛି ।

ରାଉରକେଲା ଗଣ ଦୁଷ୍କର୍ମ ମାମଲା: ଆଉ ଦୁଇ ଅଭିଯୁକ୍ତ ଅଟକ

ରାଉରକେଲା: ରାଉରକେଲା ଗଣ ଦୁଷ୍କର୍ମ ମାମଲାରେ ଆଉ ଦୁଇ ଅଭିଯୁକ୍ତ ଅଟକ। ରଘୁନାଥପାଲି ଥାନା ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ବୁଧବାର ମଧ୍ୟ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରିଛୁ ପୋଲିସ । ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଚଢାଉକୁ ଜୋରଦାର କରିଛି । ପୋଲିସର ୪ ଟି ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅତିରିକ୍ତ ଏସପି, ପୋଲିସ ଏସଡିପିଓଙ୍କ ନେତୃତ୍ବରେ ୪ ଟିମ ପକ୍ଷରୁ ଚଢାଉ ଜାରି ରହିଛି।

ଗତ ୨୨ ତାରିଖ ରାତିରେ ଯୁଵତୀକୁ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଥିଲା। ସାଇଣ୍ଟିଫିକ ଟିମ, ପୋଲିସ ସନ୍ଧାନୀ କୁକୁର ସହିତ ପୋଲିସ ତଦନ୍ତ କରୁଛି। ପୀଡିତା ନାବାଳିକାଙ୍କ ମେଡିକାଲ ଟେଷ୍ଟ କରାଯିବା ସହ ଵୟାନ ରେକର୍ଡ କରାଯାଇଛି। ନାବାଳିକାକୁ ଗଣଦୁଷ୍କର୍ମ ନେଇ ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଥିଲା।

ବଢୁଛି ଜଳକା ନଦୀର ଜଳସ୍ତର, ସତର୍କ ସଂକେତ ଉପରେ ଜଳକା

ବାଲେଶ୍ୱର: ବଢୁଛି ଜଳକା ନଦୀର ଜଳସ୍ତର। ଏହା ଦ୍ଵାରା ସେଇ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି। ମଥାନୀଠାରେ ବିପଦ ସଙ୍କେତ ୬ ମିଟର ଥିବା ବେଳେ ଆଜି ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପହଞ୍ଚିଛି। ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର। ଦୁଇ ଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବୃଦ୍ଧି ପାଉଛି ନଦୀର ଜଳସ୍ତର। ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକ ର ୩ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।

ଗତ ବନ୍ୟାରେ ବସ୍ତା ବ୍ଲକର ୧୦ ଟି ପଞ୍ଚାୟତ ଏକ ହଜାରରୁ ଅଧିକ ହେକ୍ଟର ଚାଷ ଜମିରେ ପାଣି ପଶି ଥିଲା । ସେଥିରେ ବହୁ ପରିମାଣରେ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଗତ ଦିନେ ଦୁଇଦିନ ହେବ ପାଣି ଛାଡିଥିବା ବେଳେ ପୁଣି ଏକ ଲଘୁଚାପ ଯୋଗୁଁ ବନ୍ୟା ହୋଇ ଚାଷ ଜମିରେ ପାଣି ପଶିଲେ ସମ୍ପୂର୍ଣ୍ଣ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଚିନ୍ତାରେ ଚାଷୀ ।

ମହାନଗରୀ ମୁମ୍ବାଇରେ ବର୍ଷା ବିତ୍ପାତ; ହଜାର ହଜାର ଲୋକ ଜଳବନ୍ଦୀ

ମୁମ୍ବାଇ: ମହାନଗରୀ ମୁମ୍ବାଇରେ ବର୍ଷା ବିତ୍ପାତ। ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି। ଅନେକ ସ୍ଥାନରେ ଜଳ ଜମିବା ଯୋଗୁ ଯୋଗାଯୋଗ ବ୍ଯବସ୍ଥା ଗୁରୁତର ପ୍ରଭାବିତ ହୋଇଛି । ସ୍ଥିତିକୁ ନଜରରେ ରଖି ମୁମ୍ବାଇରେ ଜାରି କରାଯାଇଛି ରେଡ ଆଲର୍ଟ । ଆଜି ବୃହନମୁମ୍ବାଇ ପୌର ନିଗମରେ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ବିଶେଷ କାମ ନଥିଲେ ଘରୁ ନବାହାରିବା ମୁମ୍ବାଇବାସୀଙ୍କୁ ପରାମର୍ଶ ଦେଇଛି ବିଏମସି ।

ବୁଧବାରଠାରୁ ଲାଗି ରହିଥିବା ବର୍ଷା ଛାଡିବାର ନାଁ ଧରୁନାହିଁ । ଟ୍ରେନ, ବସ୍, ଯାନବାହନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଥିବାରୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି ବୋଲି ବିଏମସି କହିଛି। ସବୁଠାରୁ ବେଶୀ ସମସ୍ଯା ସୃଷ୍ଟି ହୋଇଛି ଘଟକୋପାର ରେଳବାଇ ଷ୍ଟେସନ ଅଞ୍ଚଳରେ । ସେଠାରେ ଶହ ଶହ ଲୋକ ଅସୁବିଧାର  ସମ୍ମୁଖୀନ ହୋଇଛନ୍ତି । ବୁଧବାର ଭୋରରୁ ରାତି ସାଢେ ୮ଟା ମଧ୍ଯରେ ସହରରେ ହାରାହାରି ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା । ବୀଣାନଗରରେ ୧୦୪ ମିଲିମିଟର ବର୍ଷା ହୋଇଥିଲା । ଏହି ଅଞ୍ଚଳରେ ସହସ୍ରାଧିକ ଲୋକ ପାଣିଘେରରେ ରହିଛନ୍ତି । ମୁଲୁନ୍ଦ, ଭାନଦୁପ, ପାଓ୍ବାଲ, ଚେମ୍ବୁର, ଗୋବାନ୍ଦି ଆଦି ଅଞ୍ଚଳରେ ବି ତାଣ୍ଡବ ରଚିଛି ବର୍ଷା ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଜାରି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। କେଉଁଠି ତୁହାକୁ ତୁହା ବର୍ଷା ତ କେଉଁଠି ଘଡଘଡି ବିଜୁଳି ସହ ବର୍ଷା ଜାରି ରହିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସକ୍ରିୟ ରହିଛି। ପ୍ରଭାବରେ ଆଜି ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ସତର୍କତା ଜାରି ହୋଇଛି । କାଲିଠୁ ବର୍ଷାର ପରିମାଣ କମିଲେ ମଧ୍ୟ ବଜ୍ରପାତ ଜନିତ ବର୍ଷା ଜାରି ରହିବ।

ବିଶେଷ କରି ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ। ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ସେହିଭଳି ଜୁନ ୧ ତାରିଖରୁ ଏପର୍ଯ୍ୟନ୍ତ ସ୍ବାଭାବିକଠାରୁ ୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୨୧ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ, କେବଳ ମାଲକାନଗିରି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ୮ ଟି ଜିଲ୍ଲାରେ ଏବେ ବି ୧୯ ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ସେପଟେ ଦେଶର କିଛି ରାଜ୍ୟରୁ ଫେରୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଯାଏଁ ଫିରୋଜପୁର, ସିରସା, ଆଜମେର, ଚୁରୁ, ମାଉଣ୍ଟଆବୁ, ଦିଶା, ସୁରେନ୍ଦ୍ରନଗର ଏବଂ ଜୁନାଗଡରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି।

 

ଆଉ କାମ କରୁନି ପାରାସିଟାମଲ, ୫୩ଟି ଔଷଧ ଗୁଣାତ୍ମକ ପରୀକ୍ଷାରେ ବିଫଳ

ନୂଆଦିଲ୍ଲୀ: ଆଉ କାମ କରୁନି ପାରାସିଟାମଲ । ଡାଇବେଟିସ ଓ ହାଇବ୍ଲଡପ୍ରେସର ଔଷଧ ବି ଗୁଣାତ୍ମକ ହରାଉଛି । ଭାରତୀୟ ଔଷଧ ନିୟାମକ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ ଦ୍ବାରା ଗୁଣାତ୍ମକ ପରୀକ୍ଷଣରେ ଆସିଛି ଏଭଳି ଚିନ୍ତାଜନକ ତଥ୍ଯ । ପାରାସିଟାମଲ ସମେତ ୫୩ ଔଷଧ ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଛି । କ୍ୟାଲସିୟମ ଏବଂ ଭିଟାମିନ୍ ଡି-୩ ସପ୍ଲିମେଣ୍ଟସ୍, ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ଔଷଧ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଥିବା ଜଣାପଡିଛି। ଭାରତୀୟ ଡ୍ରଗ୍ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ପରୀକ୍ଷା ପାଇଁ ପ୍ରତି ମାସରେ କିଛି ଔଷଧ ଚୟନ କରିଥାଏ । ଚଳିତ ଥର ଭିଟାମିନ୍ ସି ଏବଂ ଡି-୩ ଟାବଲେଟ୍ ସେଲକାଲ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଭିଟାମିନ୍ ସି ସଫ୍ଟଗେଲ୍, ଆଣ୍ଟାସିଡ୍ ପାନ୍-ଡି, ପାରାସିଟାମଲ୍ ଆଇପି ୫୦୦ ମିଗ୍ରା, ମଧୁମେହ ଔଷଧ ଗ୍ଲାଇମିପିରାଇଡ୍, ଉଚ୍ଚ ରକ୍ତଚାପ ଔଷଧ ଟେଲମିସାର୍ଟାନ୍ ଭଳି ଔଷଧର ଗୁଣବତ୍ତା ପରୀକ୍ଷା କରାଯାଇଥିଲା । ଯାହାକି ବିଫଳ ହୋଇଥିବା ଜଣାପଡ଼ିଛି ।

ଏହି ଔଷଧଗୁଡିକ ହେଟେରୋ ଡ୍ରଗ୍, ଆଲକେମ୍ ଲାବୋରେଟୋରୀ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଲିମିଟେଡ୍, କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଏବଂ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍, ମେଗ୍ ଲାଇଫ ସାଇନ୍ସ,, ପ୍ୟୁର ଆଣ୍ଡ କ୍ୟୁୟର ହେଲଥକେୟାର ଭଳି ବହୁ ଅଗ୍ରଣୀ ଔଷଧ ଉତ୍ପାଦନକାରୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ଆଜିଠୁ ଦିଲ୍ଲୀ ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ଦିଲ୍ଲୀ ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ । ମୁଖ୍ଯମନ୍ତ୍ରୀ ପଦରୁ ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ସହ ନୂଆ ମୁଖ୍ଯମନ୍ତ୍ରୀ ଭାବେ ଆତିଶୀ ଦାୟିତ୍ବ ଗ୍ରହଣ କରିବା ପରେ ଏହି ଅଧିବେଶନ ବସୁଛି। ସେପଟେ ନୂଆ ମୁଖ୍ଯମନ୍ତ୍ରୀ ଆତିଶୀଙ୍କ ଲାଗି ସମସ୍ଯା ହୋଇପାରେ ଅଧିବେଶନ। ମୁଖ୍ଯମନ୍ତ୍ରୀ ହେବା ପରେ ପ୍ରଥମ ଅଧିବେଶନରେ ଆତିଶୀଙ୍କୁ ଘେରିପାରନ୍ତି ବିରୋଧୀ । ଦିଲ୍ଲୀର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଲାଗି ଅଧିବେଶନ କାଳ ଦୁଇ ଦିନ ବଦଳରେ ଅଧିକ ଦିନ କରିବା ଲାଗି ଦାବି କରିପାରେ ବିଜେପି ।

ବିଧାନସଭାରେ ବିରୋଧୀ ଦଳ ନେତା ବିଜେନ୍ଦର ଗୁପ୍ତା କହିଛନ୍ତି- ଦୁଇ ଦିନିଆ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ବିଧାୟକମାନଙ୍କୁ କୌଣସି ସୂଚନା ଦିଆଯାଇନାହିଁ । ଦିଲ୍ଲୀରେ ବସ୍ତି, ଜଳବନ୍ଦୀ ଓ ଜଳାଭାବ ସମସ୍ୟା ସମ୍ପର୍କରେ ବିରୋଧୀ ଦଳ ଗୃହରେ ପ୍ରସଙ୍ଗ ଉଠାଇବେ ବୋଲି ସୂଚନା ମିଳିଛି । ସେହିପରି ଶିକ୍ଷା, ସ୍ବାସ୍ଥ୍ୟ, ପେନସନ ଆଦି ପ୍ରସଙ୍ଗରେ ବି ହୋଇପାରେ ଆଲୋଚନା । ଦିଲ୍ଲୀରେ ଦୁର୍ନୀତି ଚାଲିଥିବା ଅଭିଯୋଗ କରି ଆତିଶୀ ସରକାର ବିରୋଧରେ ଗୃହରେ ହୋଇପାରେ ବିଶୃଙ୍ଖଳା । କିଛି ଦିନ ତଳେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ୫୦ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣି ସରକାରଙ୍କୁ ଅସୁବିଧାରେ ପକାଇପାରନ୍ତି ବିରୋଧୀ । ଗତ ଏପ୍ରିଲ ୮ରେ ଶେଷ ଥର ଲାଗି ଦିଲ୍ଲୀ ବିଧାନସଭା ଅଧିବେଶନ ବସିଥିଲା । ସମ୍ବିଧାନ ଅନୁସାରେ ୬ ମାସ ମଧ୍ଯରେ ଅଧିବେଶନ ବସିବ ।

ଦାବି ଶୁଣିଲେନି ସରକାର, ଅଟଳ ନର୍ସ: ଆଜି ବି ରାଜ୍ଯରେ ନର୍ସିଂ ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ଯରେ ଜାରି ରହିବ ନର୍ସିଂ ଆନ୍ଦୋଳନ । ଆଜି ବି କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ହେବେ ନର୍ସ । କାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି କର୍ମଚାରୀ ସଂଘ । ବୁଧବାର ଲୋକସେବା ଭବନରେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିଲା । ସରକାର ନର୍ସିଂ କର୍ମଚାରୀଙ୍କ ଦାବିକୁ ମାନି ନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ଚେତାବନୀ ସତ୍ତ୍ବେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ନିଜ ଜିଦରେ ଅଟଳ ରହିଛି। ବୁଧବାରଠୁ ଅଣଜରୁରିକାଳୀନ ସେବା ନର୍ସ ବନ୍ଦ କରିଦେଇଛନ୍ତି । ଏହି ଦୁଇଦିନରେ ଦାବି ନମାନିରେ କାଲିଠୁ ସମ୍ପୂର୍ଣ୍ଣ କାର୍ଯ୍ଯ ବନ୍ଦ କରିଦେବାକୁ ଚେତାବନୀ ଦେଇଛନ୍ତି ।

ନର୍ସିଂ କ୍ଷେତ୍ରରେ ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ, କର୍ମଚାରୀଙ୍କୁ କଣ୍ଟ୍ରାକଚ୍ୟୁଆଲରୁ ରେଗୁଲାର କରିବା ଆଦି ୧୦ ଦଫା ଦାବି ନେଇ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ସଂଘର ଦାବି ଅନୁସାରେ, ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ଛଅ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରିରେ ମିଶାଇ ପଦୋନ୍ନତି, ଆର୍ଥିକ ସହାୟତା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, CHO ପଦବୀରୁ ଫେରାଇଆଣି କ୍ୟାଡ଼ର ପୋଷ୍ଟରେ ଅବସ୍ଥାପିତ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସରଙ୍କୁ ସ୍ଥାୟୀ ନିଯୁକ୍ତି ସହ ଠିକାସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜନ ଆଦେଶକୁ ପ୍ରତ୍ଯାହାର କରିବାକୁ ଦାବି ହୋଇଛି ।

ସୁଇସାଇଡ ନୋଟରେ ହତ୍ୟାକାଣ୍ଡ ନେଇ ସବୁ କିଛି ଲେଖିଛି ମୁକ୍ତିରଞ୍ଜନ!

ଆରଡି : ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା କରି ଫ୍ରିଜରେ ଲୁଚାଇ ରଖିବା ଘଟଣା । ମୁଖ୍ଯ ଅଭିଯୁକ୍ତ ଥିବା ଭଦ୍ରକ ଧୁଷୁରୀ ଥାନା ଭୂଇଁପୁର ଗାଁର ମୁକ୍ତିରଞ୍ଜନ ରାୟ ଆତ୍ମହତ୍ୟା କରିଛି । ହତ୍ଯାକାଣ୍ଡ ପରଠୁ ମୁକ୍ତିରଞ୍ଜନ ଫେରାର ଥିବାବେଳେ ଗତକାଲି ଗାଁକୁ ଆସିଥିଲା । ଆଜି କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ଯା କରିଛି । ପୋଲିସ ଏକ ଲାପଟପ, ଡାଏରୀ ସହ ସୁଇସାଇଡ ନୋଟ୍ ଜବତ କରିଛି । ପୋଲିସର ସୂଚନା ଅନୁସାରେ ସୁଇସାଇଡ ନୋଟରେ ହତ୍ୟାକାଣ୍ଡ ନେଇ ସବୁ କିଛି ଲେଖିଛି ମୁକ୍ତିରଞ୍ଜନ । ଗତ ୩ ତାରିଖରେ ଯୁବତୀଙ୍କୁ ସେ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ଫ୍ରିଜରେ ମୃତଦେହ ରଖିଥିଲା । ୨୧ ତାରିଖରେ ବେଙ୍ଗାଳୁରୁ ପୋଲିସ ତନାଘନା କରିବା ପରେ ନିଜ ଗାଁକୁ ପଳାଇ ଆସିଥିଲା । ମୁକ୍ତିରଂଜନ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲା । ସେ ମଙ୍ଗଳବାର ରାତିରେ ନିଜ ଘରେ ପହଞ୍ଚିଥିଲେ । ରାତି ୪ଟାରେ ଏକ ସ୍କୁଟିରେ ଭଦ୍ରକ ଯିବ ବୋଲି କହି ଘରୁ ବାହାରି ଯାଇ ଆତ୍ମହତ୍ଯା କରିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଜବତ ଲ୍ଯାପଟପ ଓ ଡାଇରୀରେ ହତ୍ଯାକାଣ୍ଡ ସମ୍ପର୍କିତ ଅନେକ କଥା ଲୁଚି ରହିଥିବା ସନ୍ଦେହ କରାଯାଉଛି ।

ହଜାର ହଜାର ଆଶାୟୀ ଶିକ୍ଷକଙ୍କ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ଵର : ଲୋୟର ପିଏମଜିରେ ଗର୍ଜିଲେ ଆଶାୟୀ ଶିକ୍ଷକ । ହଜାର ହଜାର ଆଶାୟୀଙ୍କ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ। ଏହି ସଂଘ ଅଭିଯୋଗ କରିଛି, ବିଜେଡି ସରକାର  ୬ ହଜାର ଶିକ୍ଷକ ପଦବୀ ସୃଷ୍ଟି କରିଥିଲେ।। ବିଜେପି ସରକାର ଏଯାଏଁ ନିଯୁକ୍ତି କରୁନାହିଁ। ପଚାରିଲେ କହୁଛନ୍ତି ଶିକ୍ଷକ ନିଯୁକ୍ତି ପାଇଁ କିଛି ନିର୍ଦେଶ ନାହିଁ। ସେପ୍ଟେମ୍ବର 30 ତାରିଖ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଆଶାୟୀ ସଂଘ ଚେତାବନୀ ଦେଇଛି।  ସେମାନେ କହିଛନ୍ତି, ଯେ ଆମକୁ ପ୍ରତିଶୃତି ମିଳି ନାହିଁ, ଆମେ ଏଠାରୁ ହଟିବୁ ନାହିଁ। ରାଜ୍ୟରେ ୬୦ ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି।। ସରକାର କହୁଛନ୍ତି, ଶିକ୍ଷକ ପଦବୀ ପୂରଣ ହେବ। ହେଲେ ଆମର ପଦବୀ କ୍ୟାବିନେଟ ସ୍ୱୀକୃତି ପାଇଥିଲେ ମଧ୍ୟ ଏଥିରେ ଟାଳଟୁଳ ନୀତି କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।