spot_img
Home Blog Page 1620

ଗଞ୍ଜେଇ ବେପାର ପଛରେ ଏସଟିଏଫ ଅଧିକାରୀ, ଭାଇରାଲ ହେଉଛି ଅଡିଓ

ଭୁବନେଶ୍ବର: ବାଡ ଯଦି ଫସଲ ଖାଏ ତେବେ ଗୁହାରୀ କରିବା କାହାକୁ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରିଆମାଳ ଅଞ୍ଚଳରେ । ଏସଟିଏଫ୍ ଅଧିକାରୀ ଗୋଦାମରେ ଚଢ଼ାଉ କରି ଗଞ୍ଜେଇ ଜବତ କଲେ । ହେଲେ ସବୁ ଗଞ୍ଜେଇ ନଦେଖାଇ କିଛି ଦେଖାଇଲେ । ବାକି ଗଞ୍ଜେଇକୁ ପୋଲିସ ସୁରକ୍ଷା ମଧ୍ୟରେ ଚାଲାଣ କରିବା ଭଳି ସତ ପଦାକୁ ଆସିଛି । ନିଜେ ଏସଟିଏଫ ଅଧିକାରୀ ଗଞ୍ଜେଇ ଚାଲାଣ କରିବା ସହ ଗଞ୍ଜେଇ ମାଫିଆଙ୍କଠାରୁ ୩ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଏଭଳି ଏକ ଘଟଣା ସମ୍ପର୍କରେ ଜଣେ ଗଞ୍ଜେଇ ବେପାରୀ ଓ ଜଣେ ପୋଲିସ ଅଧିକାରୀଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଛି ।

ସୂଚନାଯୋଗ୍ୟ, ଭୁବନେଶ୍ଵର ଏସଟିଏଫର ଏକ ସ୍ଵତନ୍ତ୍ର ଟିମ୍ ଦେବଗଡ ବଞ୍ଜାରି ଗାଁର ଜଣେ ଗଞ୍ଜେଇ ବ୍ୟବସାୟୀଙ୍କ ଏକ ଗୋଦାମ ଘରେ ୬ ତାରିଖରେ ଚଢ଼ାଉ କରିଥିଲେ । ଏହି ଚଢାଉରେ ଏକ ଟନରୁ ଊର୍ଦ୍ଧ୍ଵ ବେଆଇନ ଗଞ୍ଜେଇ ଜବତ କରିଥିଲେ । ଏଥିସହ ଗୋଟିଏ ଆଇଚର ଟ୍ରକ, ଗୋଟିଏ ହାଇୱା ଓ ଗୋଟିଏ ଟାଟା ପିକଅପ ଭ୍ୟାନ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ରେଢ଼ାଖୋଲ ଥାନା ବିଶ୍ୱନାଥପୁରର ଆଶିଷ କୁମାର ବାରିକ, ବରଗଡ଼ କେଶବ ନଗରର ସୁବାଷ ସିକଦାର, ଅନୁଗୋଳ ହଣ୍ଡପାର ରତନ କିଶୋର ସାହୁ ଏବଂ ଛେଣ୍ଡିପଦା ତେଲିବଣୀର ସମିତ ନାୟକ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ଭାବୁଥିବେ କଇା ସରିଗଲା ବୋଲି । ହେଲେ ପ୍ରକୃତ ଘଟଣା ଏଇଠୁ ଆରମ୍ଭ ହୋଇଛି । ଆଜ୍ଞା ହଁ ଚଢ଼ାଉ ବେଳେ ସମ୍ପୂର୍ଣ୍ଣ ଗଞ୍ଜେଇ ଜବତ କରାଯାଇ ନଥିଲା । ୨ କ୍ବିଣ୍ଟାଲ ଗଞ୍ଜେଇକୁ ନିଜେ ଅଧିକାରୀ କୋଲକାତା ଚାଲାଣ କରିଦେଇଥିଲେ । ପୋଲିସ ଅଧିକାରୀ କିଛି ଗଞ୍ଜେଇ ରଖିଥିବା ବେଳେ, ପୋଲିସକୁ ଖବର ଦେଉଥିବା ଲୋକ ପାଖରେ କିଛି ଗଞ୍ଜେଇ ବିକ୍ରି ପାଇଁ ରହିଥିଲା । ପ୍ରାୟ ୭ କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ ପାଇଁ STFର ଡିଏସପି ଗଞ୍ଜେଇ ମାଫିଆଙ୍କଠାରୁ ୩ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଭାଇରାଲ ଅଡିଓରେ ସ୍ପଷ୍ଟ ହୋଇଛି । କେମିତି ଥିଲା ଚଢାଉ ? କାହା ଭାଗରେ କେତେ ଟଙ୍କା ଆଉ ଗଞ୍ଜେଇ ପଡିଲା ଭାଇରାଲ ଅଡିଓରେ ଏହି ସମସ୍ତ ତଥ୍ୟ ରହିଛି । ଏହି ଅଡିଓରେ ପୋଲିସକୁ ଖବର ଦେଉଥିବା ଜଣେ ବ୍ୟକ୍ତିଙ୍କ ସହ ଚଢାଉ ସମୟରେ ଥିବା ଜଣେ ପୋଲିସ ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତା ରହିଛି ।

ଏସଟିଏଫ ଡିଏସପି ସଚ୍ଚିଦାନନ୍ଦ ରଥଙ୍କ ତଦାରଖରେ ଭୁବନେଶ୍ୱର ଏସଟିଏଫର ଡିଏସପି ଦେବାଶିଷ ଜେନା ଏହି ଚଢାଉ କରିଥିଲେ । ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳର ବିଭାଗୀୟ ଖବରଦାତାଙ୍କ ସହ ଘଟଣା ସ୍ଥଳରେ ଆସି ଚଢାଉକୁ କାର୍ଯ୍ୟକାରୀ କରିଥିଲେ ।  ଏସଟିଏଫ ଏଭଳି ଚଢ଼ାଉ ଓ ସଫଳତା ପରେ ନିଜ ପିଠିକୁ ନିଜେ ଥାପୁଡେଇ ଥିଲା । ଆଉ ଏବେ ବଞ୍ଜାରି ଚଢ଼ାଉରେ ସାମିଲ ଥିବା ଏସଟିଏଫ ଟିମର ଅଧିକାରୀଙ୍କ କଳାକାରନାମା ପଦାକୁ ଆସିଛି । ଘଟଣାର ମୁଖ୍ୟ ଇନଫର୍ମରଙ୍କ ସହ ଅନ୍ୟ ଜଣେ ପୋଲିସ ଅଧିକାରୀଙ୍କ କଥାବାର୍ତ୍ତାର ଅଡିଓ ବିଭିନ୍ନ ମୋବାଇଲରେ ଭାଇରଲ ହୋଇଛି ।

ବଞ୍ଜାରି ଘଟଣାରେ ଏସଟିଏଫ ଟିମ ଚଢାଉ ମାଧ୍ୟମରେ ନିଜେ ଗଞ୍ଜେଇ ଚାଲାଣ କରିଥିବା ସତ ଏବେ ପଦାକୁ ଆସିଛି । ଏହି କଥାବାର୍ତ୍ତାର ଅଡିଓ ଶୁଣିବା ପରେ ଏସଟିଏଫ ଟିମର ଅଧିକାରୀ ଓ କର୍ମଚାରୀଙ୍କ କାରନାମା ବିଭାଗକୁ ଲଜ୍ଜିତ କରିବ ନିଶ୍ଚୟ । ହେଲେ ଏହି ଅଧିକାରୀଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ଦେବଗଡ ଏସପି କହିଛନ୍ତି ମାମଲାଟି ଏସଟିଏଫର ଥିବାରୁ ସେମାନଙ୍କ ବରିଷ୍ଠ ଅଧିକାରୀ ମାମଲାର ତଦନ୍ତ କରିବା କଥା ।

ଭାଇରାଲ ହେଉଛି ବିଜେପି ନେତାଙ୍କ ଗାଡି ଭଙ୍ଗା ଭିଡିଓ, ପଦାରେ ପଡିଲା ଗୋଷ୍ଠୀ କନ୍ଦଳ

ରାଉରକେଲା: ରାଉରକେଲା ବିଜେପିରେ ଫାଟ୍ । ଦୁଇ ଯୁବ ନେତାଙ୍କ ମଧ୍ୟରେ ମାରପିଟ୍ । ଗଣ୍ଡଗୋଳ ଓ ମାରପିଟ ବେଳର ଭିଡିଓ ହେଉଛି ଭାଇରାଲ । ଯାହା ରାଉରକେଲା ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି ।

ଭିଡିଓରୁ ଦେଖିବାକୁ ମିଳୁଛି, ସେକ୍ଟର ୭ ଅଞ୍ଚଳର ଜଣେ ବିଜେପି ଯୁବନେତାଙ୍କ ଘରେ ପଶି ଆଉ ଜଣେ ବିଜେପି ନେତା ଓ ତାଙ୍କର ସମର୍ଥକମାନେ ହଙ୍ଗାମା କରିଛନ୍ତି । ସେମାନେ ଗୋଟିଏ ଦୁଇ ଚକିଆ ଗାଡ଼ି ସହ ଘର ଭିତରେ ବ୍ୟାପକ ଭଙ୍ଗାରୁଜା କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ପରେ ଦୁଇ ପକ୍ଷ ସେକ୍ଟର ୭ ଥାନାରେ ପହଞ୍ଚି ଥିଲେ । ତେବେ ସେଠାରେ ବି ଉଭୟ ନେତା ଓ ସେମାନଙ୍କ ସମର୍ଥକ ପରସ୍ପରକୁ ଦୋଷାରୋପ କରିବା ସହ ପାଟିତୁଣ୍ଡ କରିଥିଲେ । ଦଳର ବରିଷ୍ଠ ନେତାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ଦୁଇ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ଘଟଣାକୁ ନେଇ ଉଭୟ ପକ୍ଷ ଅଭିଯୋଗ ନକରି ଥାନାରୁ ଫେରି ଆସିଥିଲେ ବୋଲି ଶୁଣିବାକୁ ମିଳୁଛି ।

ମୁଖ୍ୟମନ୍ତ୍ରୀ ଦେଖା ନକରିବାରୁ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ

ରାଉରକେଲା: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ବିଜେପି କର୍ମୀଙ୍କ ଅସନ୍ତୋଷ । ରାଉରକେଲା ବିମାନ ବନ୍ଦରରେ କିଛି ବିଜେପି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନ ଭେଟିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଯାହାକୁ ନେଇ ସେମାନେ ପାଟିତୁଣ୍ଡ କରିଥିଲେ, ଆଉ କହିଥିଲେ ସମୟ ବଡ଼ ବଳବାନ ।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡକୁ ନିର୍ବାଚନ ପ୍ରଚାରରେ ଯିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିଛି ସମୟ ପାଇଁ ରାଉରକେଲା ବିମାନ ବନ୍ଦରରେ ଅଟକି ଥିଲେ । ମୁଖ୍ୟମନ୍ତ୍ରୀ ଆସୁଥିବା ଜାଣି ତାଙ୍କୁ ଭେଟିବାକୁ ସେଠାରେ ଅନେକ ବିଜେପି ନେତା ଓ କର୍ମୀ ସକାଳୁ ଅପେକ୍ଷା କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀ କିଛି ବିଜେପି ନେତା ଓ କର୍ମୀଙ୍କୁ ଭେଟିଥିବା ବେଳେ ଆଉ କିଛି ନେତା ଓ କର୍ମୀଙ୍କୁ ଭେଟି ନଥିଲେ । ଏହାକୁ ନେଇ ଦେଖା ଦେଇଥିଲା ଅସନ୍ତୋଷ । ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରି ନଥିଲେ, ସେମାନେ ଖୋଲାଖୋଲି ଭାବେ କ୍ଷୋଭ ପ୍ରକାଶ କରିଥିଲେ ।

ଏନେଇ ସେମାନେ ପାନପୋଷ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନିକଟରେ ନିଜ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଅସନ୍ତୁଷ୍ଟ ନେତାମାନେ କହିଛନ୍ତି, ବିଜେପି ନେତା ଓ କର୍ମୀଙ୍କ ଇଜ୍ଜତ ବୋଲି କିଛି ନାହିଁ, ଖାଲି କାମ ବେଳେ ଫୋନ କରନ୍ତି ।

ଶୀଘ୍ର ହେଲା ଶ୍ରୀମନ୍ଦିର ବାନା ବନ୍ଧା ନୀତି

ପୁରୀ: କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସାଧାରଣ ଦିନ ଅପେକ୍ଷା କାର୍ତ୍ତିକ ମାସରେ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଆଉ ଅପରାହ୍ନରେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଆସିଲେ ଜଣେ ଶ୍ରଦ୍ଧାଳୁ ନିଶ୍ଚିତ ବାନା ବନ୍ଧା ନୀତି ଦର୍ଶନ କରିବାକୁ ଚାହିଁବ । ଏମିତି ସ୍ଥିତିରେ ବାନା ବନ୍ଧା ନୀତି ବେଳେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଶ୍ରୀମନ୍ଦିରରେ ଶୀଘ୍ର ବାନା ବନ୍ଧା ନୀତି ଆରମ୍ଭ ହୋଇଛି ।

ଆଜି ପରି ଅପରାହ୍ନ ସାଢ଼େ ୩ଟାରୁ ଶ୍ରୀମନ୍ଦିରରେ ବାନା ବନ୍ଧା ନୀତି ସମ୍ପାଦନ ହେବ । ଚୁନର ସେବକମାନେ ଏହି ବାନା ପରିବର୍ତ୍ତନ କରିଥାନ୍ତି । କାର୍ତ୍ତିକ ମାସ ଭିଡ଼କୁ ଦୃଷ୍ଟିରେ ରଖି ସାଢେ ୩ଟାରୁ ବାନା ବନ୍ଧା ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲା ।

ପୋଲିସ ଡ୍ରେସ ପିନ୍ଧି ଲୁଟ କରିବା ବେଳେ ମାଡ଼ି ବସିଲେ ଗ୍ରାମବାସୀ

କଳାହାଣ୍ଡି: ପୋଲିସ ଡ୍ରେସ ପିନ୍ଧି ଆସିଥିଲେ ଲୁଟ କରିବାକୁ । ଭାବିଥିଲେ, ଖାକି ଦେଖି ଭୟଭିତ ହୋଇଯିବେ ଲୋକେ । ହେଲେ ଫସର ଫାଟିଗଲା ଯୋଜନା । ଲୁଟ କରି ଫେରାର ହେଉଥିବା ପୋଲିସ ଡ୍ରେସ ପିନ୍ଧା ୩ ଲୁଟେରାଙ୍କୁ ମାଡ଼ି ବସିଲେ ଗ୍ରାମବାସୀ । ଧରିବା ପରେ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଇଛନ୍ତି ଗାଁ ଲୋକେ । ତେବେ ଘଟଣା ସ୍ଥଳରୁ ଅନ୍ୟ ୪ ଜଣ ଲୁଟେରା ଫେରାର ହୋଇଯିବାକୁ ସକ୍ଷମ ହୋଇଛନ୍ତି । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ବ୍ଳକର ଦେଢ଼ସୁଲି ପଞ୍ଚାୟତ ରୁବେନ ଗାଁରେ ।

ଅଭିଯୋଗ ଅନୁସାରେ ଗାଁର ରୀପା ମାଝୀଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଥିଲେ । ସମସ୍ତେ ପୋଲିସ ଡ୍ରେସରେ ଆସିଥିଲେ । ରୀପାଙ୍କ ଘରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ଡକାୟତ କରି ନେଇଥିବା ମୋହନଗିରି ଫାଣ୍ଡିରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଏକ ବୋଲେରୋ ଗାଡ଼ିରେ ୭ ଜଣ ଲୁଟେରା ପୋଲିସ ଡ୍ରେସ ପିନ୍ଧି ଆସିଥିବା ବେଳେ ୩ ଜଣଙ୍କୁ କାବୁ କରିଥିଲେ ଗାଁ ଲୋକେ । ଉକ୍ତ ବୋଲେରୋ ଗାଡ଼ିକୁ ଗାଁ ଲୋକେ ଭଙ୍ଗାରୁଜା ମଧ୍ୟ କରିଥିବା ଜଣାପଡିଛି । ଅଟକ ୩ ଜଣ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ୨୮ ବର୍ଷୀୟ ପିଣ୍ଟୁ ସେଠୀ, ୨୮ ବର୍ଷୀୟ ଆଶିଷ ଦିଗାଲ ଓ ଅନ୍ୟ ଜଣେ ପକାରି ଗାଁର ୩୨ ବର୍ଷୀୟ ସୁଧାକର ବଳିୟାରସିଂ । ଅଟକ ୩ଜଣଙ୍କୁ ଏମ୍. ରାମପୁର ଥାନାକୁ ଆଣି ପୋଲିସ ଅଧିକ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ପଦକ୍ଷେପ ନେଉଛି ।

ଅଶାନ୍ତ ମହର୍ଷି କଲେଜ: ଲାଇବ୍ରେରୀ ଆସିଷ୍ଟାଣ୍ଟଙ୍କ ମୁଣ୍ଡରେ ବିୟର ବୋତଲ ପିଟିଲେ ଛାତ୍ର

ଭୁବନେଶ୍ବର: ଅଶାନ୍ତ ରାଜଧାନୀ ଭୁବନେଶ୍ବରର ମହର୍ଷି କଲେଜ । ଭାଙ୍ଗିଲା ବିୟର ବୋତଲ । ଲାଇପ୍ରେରୀ ଆସିଷ୍ଟାଣ୍ଟଙ୍କୁ ଛାତ୍ରଙ୍କ ମାଡ଼ । କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କଲେ କର୍ତ୍ତୃପକ୍ଷ ।

ସୂଚନାଯୋଗ୍ୟ, ଆଜି ମହର୍ଷି କଲେଜରେ ଅସନ୍ତୋଷ ଦେଖା ଦେଇଛି । କିଛି ଛାତ୍ର ଲାଇବ୍ରେରୀ ଆସିଷ୍ଟାଣ୍ଟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ବିୟର ବୋତଲରେ ଲାଇବ୍ରେରୀ ଆସିଷ୍ଟାଣ୍ଟଙ୍କୁ ଆକ୍ରମଣ କରାଯାଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଯାହାକୁ ନେଇ କଲେଜ ପରିସରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା ।

ଖବର ପାଇବା ପରେ ପୋଲିସ କଲେଜରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି କଲେଜ କର୍ତ୍ତୃପକ୍ଷ ।

ଅଙ୍ଗନବାଡି ଘର ନାହିଁ, ରାସ୍ତାରେ ବସି ପଢୁଛନ୍ତି କୁନି କୁନି ପିଲା

ଚାନ୍ଦବାଲି: ଅଙ୍ଗନବାଡି ଘର ନଥିବାରୁ ରାସ୍ତା ଉପରେ ପାଠ ପଢୁଛନ୍ତି କୁନି କୁନି ପିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଜଳେଶ୍ବରପୁର ପଞ୍ଚାୟତ ଚଡକମରା ସାହିରେ ।

କିଛି ଦିନ ହେବ ଅଙ୍ଗନବାଡି କେନ୍ଦ୍ରଟି ପାତ୍ରସାହିର ଏକ କ୍ଲବ ଘରେ ଚାଲୁଥିଲା । ଦୁଇଦିନ ତଳେ କୌଣସି କାରଣ ପାଇଁ ଜଣେ ଯୁବକ ଅଙ୍ଗନବାଡି କର୍ମୀ ମାଳତୀ ମହାଳିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଉକ୍ତ ମାମଲାଟି ଥାନାରେ ପହଞ୍ଚିବା ପରେ କ୍ଲବ ପିଲା କ୍ଲବ ଘର ଚାବି ଦେବାକୁ ମନା କରିଦେଇଥିଲେ । ଫଳରେ କୁନି କୁନି ପିଲାଙ୍କୁ ରାସ୍ତା ମଝିରେ ବସାଇ ପାଠ ପଢାଇବା ସହ ଖାଇବାକୁ ଦେଉଛନ୍ତି ଅଙ୍ଗନବାଡି କର୍ମୀ ।

ଏମିତି ଅବ୍ୟବସ୍ଥାରେ ପିଲାଙ୍କୁ ଛାଡିବାକୁ ନାରାଜ ହେଉଛନ୍ତି ଗ୍ରାମବାସୀ । ଅଙ୍ଗନବାଡି ଘର ପାଇଁ ବାରମ୍ବାର ଦାବି ହେଉଥିଲେ ବି ପ୍ରଶାସନ ଶୁଣୁ ନଥିବା ଅଭିଯୋଗ କରିଛନ୍ତି  ଗ୍ରାମବାସୀ ।

ଜଗନ୍ନାଥ ମନ୍ଦିରରୁ ଖସିଲା ପଥର, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହରରେ ଥିବା ଓଡ଼ିଶାର ଦ୍ବିତୀୟ ବୃହତ୍ତମ ଜଗନ୍ନାଥ ମନ୍ଦିରରୁ ଖସିଲା ପଥର । ତିନି ଶହ ବର୍ଷ ପୁରୁଣା ଏହି ଜଗନ୍ନାଥ ମନ୍ଦିରରୁ ପଥର ଖସିବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ମନ୍ଦିରରୁ ପଥର ଖସିଛି । ଏମିତି ସ୍ଥିତିରେ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଦୁଇ ବର୍ଷ ତଳେ ସିଂହଦ୍ୱାର ଗୁମୁଟରୁ ସାତ କିଲୋ ଓଜନର ଏକ ପଥର ଖସିଥିଲା  । ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ମହଲରୁ ଦାବି ହେବା ପରେ ତତ୍କାଳୀନ ବିଜେଡି ସରକାରଙ୍କ ବହୁ ମନ୍ତ୍ରୀ, ପ୍ରଶାସକ ଓ ଏପରିକି ପୁରୀ ଗଜପତି ଦିବ୍ୟସିଂହ ଦେବ, ଏବେର ବିଜେପି ସରକାରଙ୍କ କେନ୍ଦ୍ରମନ୍ତ୍ରୀ, ବହୁ ମନ୍ତ୍ରୀ ଓ ବିଧାୟକମାନେ ପରିଦର୍ଶନ କରି ଫେରିଥିଲେ । ତେବେ ମୁଖ୍ୟ ମନ୍ଦିରର ଅଁଳାଶ୍ରୀ କେବଳ ମରାମତି ହୋଇଥିବା ବେଳେ କିଛି ଦିନ ପରେ ବନ୍ଧl ଯାଇଥିବା ବାଉଁଶ କାଢି ଦିଆଯାଇଥିଲା ।

ଦିନକୁ ଦିନ ମନ୍ଦିରର ଭାସ୍କର୍ଯ୍ୟ ସବୁ ନଷ୍ଟ ହେବାରେ ଲାଗିଛି । ରାଜ୍ୟ କିମ୍ବା କେନ୍ଦ୍ର ସରକାର ଦୃଷ୍ଟି ନ ଦେବା ଫଳରେ ମର୍ଦ୍ଦରାଜ ବଂଶର ଏହି ଅକ୍ଷୟ କୀର୍ତ୍ତି ଜରାଜୀର୍ଣ୍ଣ ହୋଇପଡୁଛି । ତୁରନ୍ତ ମନ୍ଦିରର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଆଜି ଭିସ୍ତାରା ବିମାନ ଭରିବ ଶେଷ ଉଡ଼ାଣ

ନୂଆଦିଲ୍ଲୀ: ଆଜି ଭିସ୍ତାରା ବିମାନରେ ଶେଷ ଦିନ । ଆଜି ଶେଷ ଉଡାଣ ଭରିବ ଭିସ୍ତାରା ବିମାନ । ଆସନ୍ତାକାଲି ମଙ୍ଗଳବାରଠାରୁ ଏହାର କମାଣ ସମ୍ଭାଳିବ ଏୟାର ଇଣ୍ଡିଆ ।

ଏୟାର ଇଣ୍ଡିଆ ସହିତ ମିଶ୍ରଣ ହେବାକୁ ଯାଉଛି ଭିସ୍ତାରା । ଏହାପରେ, ପ୍ରଥମ ମାସରେ ଭିସ୍ତାରା ଏୟାର ଟିକେଟରେ ୧ ଲକ୍ଷ ୧୫ ହଜାରରୁ ଅଧିକ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବେ ।

ଟାଟା ଗ୍ରୁପ୍ ଓ ସିଙ୍ଗାପୁର ଏୟାରଲାଇନ୍ସର ମାଲିକାନା କମ୍ପାନୀ ଭିସ୍ତାରା ଆଜି ଏହାର ଶେଷ ବିମାନ ଉଡ଼ାଣ କରିବ । ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସ ମିଳିତ ଉଦ୍ୟମରେ ନୂଆ ଇଣ୍ଟିଗ୍ରେଟେଡ୍ ଏୟାରଲାଇନ୍ସରେ ୨୫.୧ ପ୍ରତିଶତ ଅଂଶଧନ ପାଇବ । ଯାତ୍ରୀମାନେ ଏୟାର ଇଣ୍ଡିଆରେ ଭିସ୍ତାରା ଭଳି ଅନୁଭୂତି ପାଇବେ ବୋଲି କମ୍ପାନୀ କହିଛି ।

ଦୁଷ୍କର୍ମ ମାମଲା: ପୂର୍ବତନ ବିଜେପି ସାଂସଦ ପ୍ରଜ୍ଵଲ ରେବନ୍ନାଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ପ୍ରଜ୍ଵଳା ରେବନ୍ନାଙ୍କୁ ସୁପ୍ରିମକୋର୍ଟରୁ ଝଟକା । ଦୁଷ୍କର୍ମ ମାମଲାରେ କରିଥିବା ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏକାଧିକ ମହିଳାଙ୍କ ସହ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ସାଂସଦ ପ୍ରଜ୍ଵଲ ରେବନ୍ନାଙ୍କ ନାଁରେ ମାମଲା ଚାଲିଛି ।

ଚଳିତବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ଦ୍ଵିତୀୟ ପର୍ଯ୍ୟାୟ ମତଦାନର ଠିକ ପୂର୍ବରୁ ଗତ ଏପ୍ରିଲ୍ ମାସ ଆରମ୍ଭରେ ଏକ ଭିଡିଓ ଲିକ୍ ହୋଇଥିଲା । ଏହାପରେ ପ୍ରଜ୍ଵଲ ରେଭନ୍ନାଙ୍କର ନାମରେ ଯୌନ ନିର୍ଯାତନା ମାମଲା ସାମନାକୁ ଆସିଥିଲା । ରେବନ୍ନାଙ୍କର ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଡଭୋକେଟ୍ ମୁକୁଲ ରୋହତଗୀ ଯୁକ୍ତି ବାଢ଼ିଛନ୍ତି ଯେ ଅଭିଯୋଗରେ ସିଧାସଳଖ ଧାରା ୩୭୬ ଦୁଷ୍କର୍ମ ଉଲ୍ଲେଖ କରାଯାଇ ନାହିଁ । କିନ୍ତୁ ଜଷ୍ଟିସ୍ ବେଲା ଏମ. ତ୍ରିବେଦୀ ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଦର୍ଶାଇ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।