spot_img
Home Blog Page 1620

ଭଦ୍ରକ ଲେଖିକା ସଂସଦର ବର୍ଷା ଆସର ଓ ପୁସ୍ତକ ଲୋକାର୍ପଣ

ଭଦ୍ରକ: ଭଦ୍ରକ ଲେଖିକା ସଂସଦ ତରଫରୁ ଆୟୋଜିତ ବର୍ଷା ଆସର ‘ ଟୁପଟୁପ ବର୍ଷା ଓ ପୁସ୍ତକ ଲୋକାର୍ପଣ ଗତକାଲି ମହେନ୍ଦ୍ର ଭବନ ପରିସରରେ ସଭାନେତ୍ରୀ ଝରଣା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହାର ପ୍ରଥମ ପ୍ରସ୍ଥରେ ବର୍ଷା କବିତାର ସଂଚାଳିକା ଭାବରେ ଅଧ୍ୟାପିକା ଉଷାରାଣୀ ଜେନା ଓ ଡ.ମମତା ସାହୁ ଯୋଗ ଦେଇଥିଲେ । ପଚାଶରୁ ଉର୍ଦ୍ଧ୍ବ କବି,କବୟିତ୍ରୀ ସେମାନଙ୍କର କବିତା ପାଠ କରିଥିଲେ । ଦ୍ୱିତୀୟ ପ୍ରସ୍ଥରେ ଶ୍ରୀମତୀ ଜାନକୀ ପାଢ଼ୀ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ପରେ ଅତିଥିମାନଙ୍କ ଦ୍ଵାରା ପ୍ରଥମେ ପ୍ରଦୀପ ପ୍ରଜ୍ଵଳନ କରା ଯିବା ସମୟରେ କବି ଓ କଳାକାର ବିଜୟ ବହଳୀ ବେଦପାଠ କଲାପରେ ଶ୍ରୀମତୀ ମନୋରମା ରାୟ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଭଦ୍ରକ ଲେଖିକା ସଂସଦର ସମ୍ପାଦିକା ଡ.ସୋମା ଚାନ୍ଦ ଅତିଥିମାନଙ୍କୁ ସ୍ଵାଗତ କରିବାପରେ ଶ୍ରୀମତୀ ଗୀତାରାଣୀ ଆଇଚ ଅତିଥି ପରିଚୟ ରଖିଥିଲେ । ଏହି ଅବସରରେ ଡ.ସୋମା ଚାନ୍ଦଙ୍କର ଦୁଇଟି ପୁସ୍ତକ ‘ କାଚଘର ‘ ଓ ସମୟ ପୃଷ୍ଠାରେ ନାରୀ ‘ଉନ୍ମୋଚିତ ହୋଇଥିଲା । ଡ.ରାଧାରାଣୀ ମହାପାତ୍ର ଏହି ଅବସରରେ ଡ. ଶଶଧର ଦାସଙ୍କୁ ତାଙ୍କରଜନ୍ମଦିନ ଅବସର ରେ ସଂସଦ ତରଫ ରୁ ଶୁଭେଛା ଜଣାଇଥିଲେ। ଆଜିର ସମ୍ମାନିତ ଅତିଥି ଅଞ୍ଜୁମନ୍ ଆରା ପ୍ରଥମଥର ପାଇଁ ଭଦ୍ରକ ଆସିଥିବାରୁ ଖୁସି ବ୍ୟକ୍ତ କରିବା ସହିତ ସାହିତ୍ୟ ଓ ସାହିତ୍ୟିକମାନଙ୍କ ଭୂମିକା ଓ ଭବିଷ୍ୟତ ସମ୍ପର୍କରେ କହିଥିଲେ ।ମୁଖ୍ୟବକ୍ତା ଶ୍ରୀଯୁକ୍ତ ନିରାକାର ଦାସ କବିତା ଦୁର୍ଲଭ ଓ କବିର ଭାଵନା ସର୍ବଶ୍ରେଷ୍ଠ ବୋଲି କହିଥିଲେ । ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ ବର୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ବିଶିଷ୍ଠ ଗାଳ୍ପିକା ତଥା ସାରସ୍ବତ ସାଧିକା ଡ.ବାସନ୍ତୀ ମହାନ୍ତି ସାହିତ୍ୟ ସମାଜର ପ୍ରତିଛବି ବୋଲି ବକ୍ତବ୍ୟ ରଖିଥିଲେ । ଲେଖିକା ସଂସଦକୁ ଭଲ ପାଉଥିବା ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଏହି ଆସରରେ ଯୋଗ ଦେଇଥିଲେ । ଶ୍ରୀମତୀ ଚୈତାଳୀ ଖିଲାର ଧନ୍ୟବାଦ ଦେଇଥିଲେ ।

ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବ : ଆଦାନୀ ଗ୍ରୁପ ସେୟାରରେ ୭ ପ୍ରତିଶତ ହ୍ରାସ, ନିବେଶକଙ୍କର ଡୁବିଲା ୫୩ ହଜାର କୋଟି ଟଙ୍କା

ମୁମ୍ବାଇ : ଦଲାଲ ଷ୍ଟ୍ରିଟରେ ସୋମବାର ଦିନ ଆଦାନୀ ଗ୍ରୁପର ସେୟାର ଚିତପଟାଙ୍ଗ ମାରିଛି । ହିଣ୍ଡେନବର୍ଗର ରିପୋର୍ଟ ପ୍ରଭାବରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନିର ସେୟାର ମୂଲ୍ୟରେ ୭ ପ୍ରତିଶତ ହ୍ରାସ ଆସିଛି । ଫଳରେ ନିବେଶକ ୫୩ ହଜାର କୋଟି ଟଙ୍କା ହରାଇଛନ୍ତି । ସୋମବାର ଦିନ ବଜାର ଖୋଲିବା ସହିତ ସୂଚକାଙ୍କର ହାଲୁକା ହ୍ରାସ ପରିଲକ୍ଷିତ ହୋଇଥିଲା । ସେନସେକ୍ସ ୪୨୫ ପଏଣ୍ଟ ହ୍ରାସ ସହିତ ୭୯ ହଜାର ୩୩୦ରେ ଖୋଲିଥିଲା । ସେହିଭଳି ନିଫ୍ଟି ସୂଚକାଙ୍କ ୪୭ ପଏଣ୍ଟ ହ୍ରାସ ସହିତ ୨୪ ହଜାର ୩୨୦ରେ ଖୋଲିଥିଲା । ତେବେ ରିପୋର୍ଟ ଲେଖଯିବା ବେଳକୁ ସୂଚକାଙ୍କ ୨୪ ହଜାର ୪୦୨ ଥିଲା ।

ନିବେଶକ ହରାଇଲେ ୫୩ ହଜାର କୋଟି ଟଙ୍କା

ଆଦାନୀ ବନାମ ହିଣ୍ଡନବର୍ଗ ମାମଲାରେ ସେବି ମୁଖ୍ୟ ମାଧବୀ ବୁଚଙ୍କ ନାମ ଆସିବା ପରେ ନିବେଶକ ସୁରକ୍ଷିତ ରହିବାକୁ ପସନ୍ଦ କରିଥିଲେ । ଯାହାଫଳରେ ସୋମବାର ସକାଳେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟରେ ୭ ପ୍ରତିଶତ ହ୍ରାସ ହୋଇଥିଲା । ନିବେଶକ ମୋଟ ୫୩ ହଜାର କୋଟି ଟଙ୍କା ହରାଇଥିବା ଅନୁମାନ କରାଯାଉଛି । ୧୦ ଆଦାନୀ ସେୟାରର ମିଶ୍ରିତ ବଜାର ପୁଞ୍ଜିକରଣ ୧୬.୭ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିଲା ।

ଆଦାନୀ ଷ୍ଟକରେ ୭ ପ୍ରତିଶତ ହ୍ରାସ

ଆଦାନୀ ଗ୍ରୀନ ଏନର୍ଜି ସେୟାରେ ସବୁଠାରୁ ଅଧିକ କ୍ଷତି ହୋଇଥିଲା । କାରଣ ବିଏସଇରେ ଏହା ୭ ପ୍ରତିଶତ ହ୍ରାସ ପାଇ ଏହା ୧୬୫୬ ଟଙ୍କାର ଇଣ୍ଟ୍ରାଡେ ଲୋ’ ସ୍ତରକୁ ଛୁଇଁଥିଲା । ତେବେ ପରେ ଏଥିରେ କିଛିଟା ରିକଭରି ହୋଇଥିଲା । ସେହିଭଳି ଆଦାନୀ ପାୱାରରେ ୪ ପ୍ରତିଶତ ହ୍ରାସ ହୋଇଥିଲା । ଆଦାନୀ ୱିଲମର,ଆଦାନୀ ଏନର୍ଜି ସଲ୍ୟୁସନ ଓ ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ମୂଲ୍ୟରେ ମଧ୍ୟ ପ୍ରାୟ ୩ ପ୍ରତିଶତର ହ୍ରାସ ଆସିଥିଲା ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ଆମେରିକା ସର୍ଟ୍ ସେଲର ହିଣ୍ଟନବର୍ଗ ଆଦାନୀ ଗ୍ରୁପ ଉପରେ ଏକ ନୂଆ ରିପୋର୍ଟ ଜାରି କରିଥିଲା । ଦେଢ ବର୍ଷ ପରେ ଆଦାନୀ ଉପରେ ଜାରି ରିପୋର୍ଟ ପରେ ଏହି ରିପୋର୍ଟ ଆସିଥିଲା । ନୂଆ ରିପୋର୍ଟରେ ଆଦନୀ ଗ୍ରୁପରେ ସେବି ମୁଖ୍ୟ ମାଧବୀ ବୁଚଙ୍କ ପତି ଧବଲ ବୁଚଙ୍କର ଅଂଶଧନ ଥିବା ଦାବି କରାଯାଇଥିଲା । ଯାହାକୁ ମାଧବୀ ଓ ତାଙ୍କ ସ୍ୱାମୀ ଖଣ୍ଡନ କରିଥିଲେ । ମାଧବୀଙ୍କ ଅଭିଯୋଗ ଥିଲା ଯେ,ହିଣ୍ଡନବର୍ଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାରୁ ଏଭଳି ମିଥ୍ୟ ରିପୋର୍ଟ ଜାରି କରିଛି । ଅନ୍ୟପକ୍ଷରେ ହିଣ୍ଡନବର୍ଗର ରିପୋର୍ଟକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଛି । ବିରୋଧୀ ଦଳ ମାଧବୀଙ୍କ ଇସ୍ତଫା ଦାବି କରିବା ସହିତ ହିଣ୍ଡନବର୍ଗ ରିପୋର୍ଟ ଉପରେ ଜେପିସି ତଦନ୍ତ ଦାରି କରୁଛନ୍ତି ।

ସିଦ୍ଧେଶ୍ୱରନାଥ ମନ୍ଦିରରେ କେମିତି ହୋଇଥିଲା ଦଳାଚକଟା ?

ବିହାର:  ବିହାରର ଜେହାନାବାଦରେ ଅବସ୍ଥିତ ସିଦ୍ଧେଶ୍ୱରନାଥ ମନ୍ଦିରରେ ୭ଜଣଙ୍କ ମୃତ୍ୟୁ ହେବାର ପ୍ରକୃତ କାରଣ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ମନ୍ଦିର ଭିତରେ ଜଳଲାଗି କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ନୁହେଁ ବରଂ ଫୁଲ ବିକ୍ରେତାମାନଙ୍କ ଦ୍ୱାରା ଭକ୍ତଙ୍କ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଘଟିଥିଲା ​​| ବଡ କଥା ହେଉଛି ଶ୍ରାବଣର ଚତୁର୍ଥ ସୋମବାରରେ ହେବାକୁ ଥିବା ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ପୋଲିସ ନିୟୋଜିତ ହୋଇଥିଲେ ମଧ୍ୟ ପୋଲିସ ଏବଂ ପ୍ରଶାସନର କୌଣସି ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ନଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ମନ୍ଦିରରେ ଜଳ ଅର୍ପଣ କରିବାକୁ ଯଦି ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥାଆନ୍ତେ, ବୋଧହୁଏ ଏହି ଘଟଣା ଏତେ ବଡ଼ ହୋଇ ନଥାନ୍ତା | ସୋମବାର ଦିନ ବହୁ ସଂଖ୍ୟାରେ ଭକ୍ତ ମନ୍ଦିରରେ ମହାଦେବଙ୍କୁ ଦର୍ଶନ କରିବାକୁ ପହଞ୍ଚିଥିଲେ । ଲୋକମାନେ ଶାନ୍ତିଶୃଙ୍ଖଳରେ ଭୋଲେନାଥଙ୍କ ଶିବଲିଙ୍ଗରେ ଜଳାଭିଷେକ କରୁଥିଲେ | ଏହି ସମୟରେ ଫୁଲ ବିକ୍ରୟ ପାଇଁ ମନ୍ଦିର ବାହାରେ ବସିଥିବା ଦୋକାନୀମାନଙ୍କର କିଛି ଭକ୍ତଙ୍କ ସହ ଝଗଡା ହୋଇଯାଇଥିଲା । କିଛିସମୟ ଘଟଣାସ୍ଥଳରେ ସମସ୍ତ ଦୋକାନୀମାନେ ଏକତ୍ରିତ ହେଇଯାଇଥିଲେ । | ଏଭଳି ପରିସ୍ଥିତିରେ ମନ୍ଦିରର ମୁଖ୍ୟ ଫାଟକରେ ଉତ୍ତେଜନା ଦେଖାଦେଇଥିଲା।

ମନ୍ଦିରରେ ପୂର୍ବରୁ ଭିଡର ଆଶା କରାଯାଇଥିଲା

ଲୋକମାନେ ଏହି ଗଣ୍ଡଗୋଳରୁ ନିଜକୁ ରକ୍ଷା କରିବା ପାଇଁ ଏପଟ ସେପଟ ଦୌଡାଦୌଡି ଆରମ୍ଭ କରିବାବେଳେ ଦଳାଚକଟା ହୋଇଥିଲା । | ମନୋଜଙ୍କ ଅନୁଯାୟୀ ଏହି ଦୁର୍ଘଟଣାରେ ଅତି କମରେ ୫୦ରୁ ୬୦ ଲୋକ ଆହତ ହୋଇଛନ୍ତି । ଡିଏମ୍‌ଙ୍କ PRO ପ୍ରକାଶିତ ପ୍ରେସ ନୋଟରେ ସୋମବାର ମନ୍ଦିରରେ ବହୁ ସଂଖ୍ୟାରେ ଜନସମାଗମ ଆଶା କରାଯାଉଥିଲା। ତେଣୁ ବହୁ ସଂଖ୍ୟକ ପ୍ରଶାସନିକ ଅଧିକାରୀ ନିୟୋଜିତ ହୋଇଥିଲେ।

 

ପୋଲିସର ସିଦ୍ଧାନ୍ତ ପଛଘୁଞ୍ଚା ଦେଇଛି

PRO ଅନୁଯାୟୀ, ମନ୍ଦିରରେ ଫୁଲ ବିକ୍ରେତାଙ୍କ ମଧ୍ୟରେ ଝଗଡା ହେତୁ ଏହି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ଏହାପୂର୍ବରୁ ପୋଲିସ ଦାବି କରିଥିଲା ​​ଯେ ଭକ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ହେତୁ ମନ୍ଦିର ଭିତରେ ଦଳାଚକଟା ଘଟିଥିଲା ​​। ତେବେ ନୂଆ ତଥ୍ୟ ଆସିବା ପରେ ପୋଲିସର ସମ୍ପୂର୍ଣ୍ଣ ସିଦ୍ଧାନ୍ତ ବଦଳି ଯାଇଛି। ଏହି ମନ୍ଦିର ଏକ ପାହାଡ ଉପରେ ଅଛି | ଏହି ମନ୍ଦିରଟି ଛୋଟ ହେଇଥିବା ବେଳେ ନିମ୍ନରୁ ମନ୍ଦିରକୁ ପହଞ୍ଚିବା ପାଇଁ ପ୍ରବେଶ ରାସ୍ତା ମଧ୍ୟ ସଂକୀର୍ଣ୍ଣ |

 

ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ

ଡିଏମଙ୍କ PRO ଅନୁଯାୟୀ, ପରିସ୍ଥିତି ଅନୁଯାୟୀ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ସେ କହିଛନ୍ତି ଯେ ଦୁର୍ଘଟଣା ପରେ ସିଏମ ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ଆହତଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୫୦୦୦୦ଟଙ୍କା ଦେବାକୁ ଘୋଷଣା କରାଯାଇଛି। ଏହା ବ୍ୟତୀତ ସମସ୍ତ ଆହତଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ବାଂଲାଦେଶୀ, ବିଏସଏଫ ନେଲା ଏଭଳି ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ଭାରତର ପଡୋଶୀ ଦେଶ ବାଂଲାଦେଶରେ ହିଂସା ଏବଂ ଅଶାନ୍ତି ଦେଖାଦେଇଛି, ଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ପରେ ସେଠାରେ ଆଇନ ବ୍ୟବସ୍ଥା ନଷ୍ଟ ହୋଇଯାଇଛି । ଯାହା ପରେ ଭାରତୀୟ ସୀମାରେ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶ ବୃଦ୍ଧି ପାଇଛି। ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ମେଘାଳୟର ସୀମା ଦେଇ ବାଂଲାଦେଶୀମାନେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ଦେଶ ଛାଡିବା ପରେ ପରିସ୍ଥିତିକି କାବୁ କରିବା ପାଇଁ ଅନ୍ତରୀମ ସରକାର ଗଠନ କରାଯାଇଛି । ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ହିଂସା ମଧ୍ୟରେ କାମଚଳା ସରକାର ଶପଥ ନେଇଛି । ଏହି ସରକାରରେ ନୋବେଲ୍‌ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ଭାବେ ଦ଼୍ବାୟିତ଼୍ବ ଗ୍ରହଣ କରିଛନ୍ତି ।

ବାଂଲାଦେଶରେ ବିଗୁଡିଥିବା ସ୍ଥିତକୁ ଦେଖି ବାଂଲାଦେଶ ନାଗରିକମାନେ ଭାରତକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ମେଘାଳୟ ସୀମାରୁ ଅନୁପ୍ରବେଶକାରୀଙ୍କୁ ଧରାଯାଇଛି । ଭାରତ ୧୫ତାରିଖରେ ସ୍ବାଧୀନତା ଦିବସ ମନେଇବାକୁ ଯାଉଛି । ଏହି ପରିସ୍ଥିତିରେ ଭାରତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କିନ୍ତୁ ପଡୋଶୀ ଦେଶର ଅସ୍ଥିରତା ପାଇଁ ଅନୁପ୍ରବେଶକାରୀମାନେ ସଂଖ୍ୟା ବଢିଯାଇଛି । ନିକଟରେ ୧୧ବାଂଲାଦେଶୀ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ବିଏସଏଫ ହାତରେ ଧରାପଡିଥିଲେ  । ଏହାକୁ ଦୃଷ୍ଟିରେ ରଖି ଅବୈଧ ଭାବେ ଭାବରେ ପ୍ରବେଶ କରୁଥିବା ଅନୁପ୍ରବେଶକାରୀଙ୍କ ଉପରେ କଡା ନଜର ରଖାଯାଇଛି ।

ବିଏସଏଫଙ୍କ ଅନୁଯାୟୀ ୧୧ବାଂଲାଦେଶୀ ମଧ୍ୟରୁ ୨ଜଣ ପଶ୍ଚିମବଙ୍ଗ ସୀମାରେ ଧରାହେଇଥିବା ବେଳେ ୨ଜଣ ତ୍ରିପୁରା ଏବଂ ଅନ୍ୟ ୭ଜଣ ମେଘାଳୟରୁ ଧରାପଡିଥିଲେ । ଏମାନଙ୍କୁ ପଚରାଉଚରା କରିବା ପରେ ଅନ୍ୟାନ୍ୟ ଯାଞ୍ଚ ପାଇଁ ପୋଲିସ ହେପାଜତରେ ଦିଆଯାଇଛି ।ଏହାପୂର୍ବରୁ ଉତ୍ତରାଖଣ୍ଡର ରୁଡୁକୀ ସହରରେ ଜଣେ ଅନୁପ୍ରବେଶକାରୀକୁ ଧରାଯାଇଥିଲା । ସେ ବାଂଲାଦେଶର ଖୁଲନା ଜିଲ୍ଲାର ବାସିନ୍ଦା ଥିଲେ ଏବଂ ତାଙ୍କ ନାମ ରହୀମୂଲ  । ପୋଲିସ ଅନୁଯାୟୀ ବ୍ୟକ୍ତି ଜଣକ ଶନିବାର ଦିନ ସନ୍ଦିଗ୍ଧ ଅବସ୍ଥାରେ ରୁଡୁକୀ ସିଭିଲ ଲାଇନ୍ସର ଢଣ୍ଡେରା ଅଂଚଳରୁ ଗିରଫ କରାଯାଇଥିଲା  । ରହିମୂଲ ଭାରତରେ ୩ମାସ ପୂର୍ବରୁ ପ୍ରବେଶ କରିଥିଲେ  । ତାଙ୍କୁ ଅନୁପ୍ରବେଶର କାଣଣ ପଚାରାଯିବାରୁ ସେ ଭାରତକୁ ଟଙ୍କା କମେଇବାକୁ ଆସିଥିଲେ ବୋଲି କହିଲେ ।ଯେଉଁ ସମୟରେ ରହିମୂଲ ଉପରେ ପୋଲିସର ନଜର ପଡିଥିଲା ସେତେବେଳେ ସେ ଭାରତରେ ରହିବାକୁ ହୋଟେଲ ଖୋଜୁଥିଲେ । ତେବେ  ତାଙ୍କୁ ଅବୈଧ ଭାବରେ ଭାରତରେ ପ୍ରବେଶ କରିଥିବା ମାମଲାରେ ଗିରଫ କରାଯାଇଥିଲା ।

ଆସନ୍ତା ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି, ଅନ୍ତର୍ଜାତୀୟ ସୀମାରେ ସୁରକ୍ଷାକୁ ମଜବୁତ କରିବା ପାଇଁ ବିଏସଏଫ ଇଷ୍ଟର୍ନ କମାଣ୍ଡ୍ ଏଡିଜିଙ୍କ ଅଧ୍ୟକ୍ଷତାରେ ଫୋର୍ସର କୋଲକାତା କାର୍ଯ୍ୟାଳୟରେ ଏକ ଅପରେସନ୍ ସମ୍ମିଳନୀ ଆୟୋଜିତ ହୋଇଥିଲା ।ଏହି ସମ୍ମିଳନୀରେ ସୀମା ନିୟନ୍ତ୍ରଣ ଏବଂ ସୁରକ୍ଷା ବୃଦ୍ଧି ପାଇଁ ଆଲୋଚନା ହୋଇଥିଲା। ବାଂଲାଦେଶ ଆର୍ମି ସୀମା ସୁରକ୍ଷା ବାଂଲାଦେଶ (ବିଜିବି) ସହିତ ସହଯୋଗ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଯେତେବେଳେ ସ୍ୱାଧୀନତା ଦିବସ ପାଖେଇ ଆସୁଛି ଏବଂ ଅନୁପ୍ରବେଶ ମାମଲା ମଧ୍ୟ ବଢୁଛି ଏଭଳି ପରିସ୍ଥିତିରେ ସୀମା ସୁରକ୍ଷାକୁ ବୃଦ୍ଧି କରିବା, ସୁରକ୍ଷା ବାହିନୀ ଏବଂ ପୋଲିସ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ଏବଂ ରଣନୀତି ପ୍ରସ୍ତୁତ କରାଯାଇଥିଲା।

ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପୂର୍ବତନ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ଵର, କଟକ ଓ ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ। ଚଢାଉରେ ୪୦ରୁ ଅଧିକ ଅଧିକାରୀ ସାମିଲ ହୋଇଛନ୍ତି। ୧୨ ଡିଏସପି, ୧୨ ଇନ୍ସପେକ୍ଟର ଓ ୧୬ ଜଣ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଚାଲିଛି ବିଭିନ୍ନ ସ୍ଥାନରେ ରେଡ୍। ଭୁବନେଶ୍ଵର ନୟାପଲ୍ଲୀ ଅର୍ପଣ ଆପାର୍ଟମେଣ୍ଟରେ ଥିବା ବାସଭବନରେ ଚାଲିଛି ରେଡ। ଏହାସହ ଭୁବନେଶ୍ଵର କସମୋପଲିସରେ ଥିବା ଦୁଇଟି ଫ୍ଲାଟ, ଝାରସୁଗୁଡ଼ାରେ ଥିବା ଆଶିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ ଏବଂ କଟକ ଆଠଗଡରେ ଥିବା ପୈତୃକ ଘର ଏବଂ ଜଣେ ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ।ଭୁବନେଶ୍ଵର ନୟାପଲ୍ଲୀ ନୀଳକଣ୍ଠନଗରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ କରୁଛି। ବର୍ତ୍ତମାନ ଏହି ଚଢାଉ ଜାରି ରହିଛି। କେତେ ସମ୍ପତ୍ତି ଠାବ ହୋଇଛି ଏହାର ସବିଶେଷ ରିପୋର୍ଟ ହସ୍ତଗତ ହୋଇନାହିଁ। ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ରେଡ୍ କରିବାକୁ ଭିଜିଲାନ୍ସ ସ୍ଵତନ୍ତ୍ର ଅଦାଲତ ୱାରେଣ୍ଟ ଜାରି କରିଥିଲେ।

IAS,IPSଙ୍କ ଫ୍ୟାକ୍ଟ୍ରି ହେଉଛି ଉତ୍ତରପ୍ରଦେଶର ଏହି ଗାଁ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ମାଧୋପଟ୍ଟି ଗ୍ରାମକୁ ୟୁପିଏସସିର କାରଖାନା କୁହାଯାଏ କାରଣ ଏଠାରୁ ବହୁସଂଖ୍ୟାରେ  ଆଇଏଏସ- ଆଇପିଏସ ଓ ପିସିଏସ ଅଧିକାରୀ ବାହାରିଛନ୍ତି । ୪ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଆଁରୁ ୪୦ରୁ ଅଧିକ ଅଧିକାରୀ ବଡ ବଡ ପଦରେ ନିଯୁକ୍ତି ପାଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ମଧ୍ୟ ଅଛନ୍ତି ।

ୟୁନିଅନ ଜନସେବା ଆୟୋଗ ବା UPSCର ପରୀକ୍ଷା ଦୁନିଆର ସବୁଠାରୁ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ । ଏହି ପରୀକ୍ଷାରେ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାଆନ୍ତି କିନ୍ତୁ ତାଙ୍କ ମଧ୍ୟରୁ ୧୦୦୦ରୁ ୧୨୦୦ଜଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇପାରନ୍ତି । ସେଥିମଧ୍ୟରୁ କିଛି IAS ଅଧିକାରୀ ହେଇଥାଆନ୍ତି ତ ଅନ୍ୟକିଛି IPS ବା IFS ହେଇଥାଆନ୍ତି ।

କିନ୍ତୁ ଆଜି ଆମେ ଯେଉଁ ଗାଁ ବିଷୟରେ କହିବାକୁ ଯାଉଛୁ ସେହି ଗାଁକୁ UPSCକାରଖାନା କୁହାଯାଏ । ବାସ୍ତବରେ ଏହି ଗାଆଁରୁ ଏତେ ମାତ୍ରାରେ ଆଇଏଏସ ଓ ଆଇପିଏସ ବାହାରିଛନ୍ତି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି । ଏହି ଗାଆଁର ନାମ ମାଧୋପଟ୍ଟି ଯାହା ଉତ୍ତରପ୍ରଦେଶର ଜୌନପୁରରେ ଅବସ୍ଥିତ । ଏହି ଗାଁ ଜୌନପୁରରୁ ପାଖାପାଖି ୭କିଲୋମିଟର ଦୂରତାରେ ଅବସ୍ଥିତ  । ଗଣମାଧ୍ୟମର ରିପୋର୍ଟସ ଅନୁଯାୟୀ ଏହି ଗାଁରେ ବର୍ତମାନ ସୁଦ୍ଧା ୪୦ରୁ ଅଧିକ IAS, IPS ଅଧିକାରୀ ବାହାରିଛନ୍ତି  । ସେମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ବଡ ବଡ ପଦବୀରେ କାର୍ଯ୍ୟରତ ଅଛନ୍ତି । ଏହି ପଦ ଅଧିକାର କରି ଏମାନେ କେବଳ ନିଜ ପରିବାରକୁ ନୁହଁ ସଂପୂର୍ଣ୍ଣ ଗାଁକୁ ଗୌରାବନ୍ବିତ କରିଛନ୍ତି ।

ଗାଁର ଜନସଂଖ୍ୟା କେତେ ?

ଖବର ଅନୁଯାୟୀ ଗାଁର ଜନସଂଖ୍ୟା ପ୍ରାୟ ୪୦୦୦ ହେଇଥିବା ବେଳେ ଗାଁରେ ପାଖାପାଖି ୭୫ ପରିବାର ବାସ କରନ୍ତି । ଆଶ୍ଚର୍ଯ୍ୟର କଥା ହେଉଛିକି ଏହି ଗାଁରେ କେବଳ ପୁଅମାନେ ନୁହେଁ ଝିଅ ବୋହୂମାନେ ମଧ୍ୟ ଅଫିସର ବନିଛନ୍ତି । କୁହାଯାଏକି ଏହି ଗାଁର ଯୁବପୀଢି କଲେଜ ଯିବାମାତ୍ରେ ହିଁ ୟୁପିଏସସି ପ୍ରସ୍ତୁତରେ ଲାଗିପଡନ୍ତି ।

ଅଧିକାରୀ ବନିବାର ପରମ୍ପରା କେବେଠୁ ଆରମ୍ଭ ହେଇଥିଲା ?

ଦେଶ ସ୍ବାଧୀନ ହେବା ପରଠାରୁ ହିଁ ଗାଁ ଯୁବକମାନଙ୍କ ମଧ୍ୟରେ ୟୁପିଏସସି ପ୍ରତି କ୍ରେଜ ବଢିଯାଇଥିଲା । ୧୯୫୨ମସିହାରେ ଇନ୍ଦୁ ପ୍ରକାଶ ସିଂ ଆଇଏଫଏସ ଅଧିକାରୀ ହେଇଥିବାବେଳେ ୧୯୫୫ମସିହାରେ ବିନୟ କୁମାର ସିଂ ଆଇଏଏସ୍ ହେଇଥିଲେ ଯିଏ ପରବର୍ତ୍ତୀ କାଳରେ ବିହାରର ରାଜ୍ୟ ମୁଖ୍ୟ ସଚିବ ବନିଥିଲେ । ଏହି ଗାଁର ଏମିତି ୪ଭାଇଭଉଣୀ ଅଛନ୍ତି ଯିଏକି ୟୁପିଏସସି ପରୀକ୍ଷାରେ ସଫଳ ହେଇ ବଡ ବଡ ଅଧିକାରୀ ବନିଛନ୍ତି । କେବଳ ଏତିକି ନୁହଁ ଏହି ଗାଁର ଅନ୍ୟାନ୍ୟ ଯୁବକଯୁବତୀ ଭାଭା ପରମାଣୁ ଅନୁସନ୍ଧାନ କେନ୍ଦ୍ର ଏବଂ ଓ୍ବାର୍ଲ୍ଡ ବ୍ୟାଙ୍କରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।

ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ଯା ଘଟଣା, ସାରା ଦେଶରେ କାର୍ଯ୍ଯବନ୍ଦ ଆନ୍ଦୋଳନ କରିବେ ଆବାସିକ ଡାକ୍ତର ସଂଘ

କୋଲକାତା : କୋଲକାତାର ଆରଜି କର ମେଡିକାଲ କଲେଜରେ ପିଜି ଛାତ୍ରୀଙ୍କୁ ହତ୍ଯା ଘଟଣା। ପ୍ରତିବାଦରେ ଆଜି ସାରା ଦେଶରେ କାର୍ଯ୍ଯବନ୍ଦ ଆନ୍ଦୋଳନ କରିବେ ଆବାସିକ ଡାକ୍ତର ସଂଘ ବା ଫୋର୍ଡା। ଗତ ଅଗଷ୍ଟ ୯ ତାରିଖରେ କଲେଜରେ ୩୧ ବର୍ଷ ବୟସ୍କା ଜଣେ ପୋଷ୍ଟଗ୍ରାଜୁଏଟ ଡାକ୍ତରଙ୍କ ମୃତଦେହ ମିଳିଥିଲା। ସେହିପରି କେରଳର ସମସ୍ତ ସରକାରୀ ମେଡିକାଲ କଲେଜରେ ପ୍ରତିବାଦ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି। ସରକାରୀ ମେଡିକାଲ କଲେଜ ଶିକ୍ଷକ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରିବାକୁ ଘୋଷଣା କରାଯାଇଛି। ରାତ୍ରୀକାଳୀନ ଡ୍ଯୁଟିରେ ମହିଳା ଡାକ୍ତରଙ୍କ ସୁରକ୍ଷା ଲାଗି ସେମାନେ ଦାବି କରିଛିନ୍ତି। ଏହା ସହ ମେଡିକାଲ କଲେଜ ପରିସରରେ ଅଧିକ ସିସିଟିଭି ଲଗାଇବା ଲାଗି ଦାବି କରିଛନ୍ତି ଆବାସିକ ଡାକ୍ତର ସଂଘ। ସେପଟେ ମେଡିକାଲ କଲେଜର ଅଧ୍ଯକ୍ଷ ଡାକ୍ତର ସଞ୍ଜୟ ବଶିଷ୍ଠଙ୍କୁ ପଦଚ୍ଯୁତ କରିଛନ୍ତି ପଶ୍ଚିମବଙ୍ଗ ସ୍ବାସ୍ଥ୍ଯ ବିଭାଗ। ତାଙ୍କ ସ୍ଥାନରେ ବୁଲବୁଲ ମୁଖୋପାଧ୍ଯାୟଙ୍କୁ ନିଯୁକ୍ତି ଦିଆଯାଇଛି। ସାରା ଦେଶରେ ଏହି ହତ୍ଯାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପରେ ପଦକ୍ଷେପ ନେଇଛନ୍ତି କର୍ତ୍ତୃପକ୍ଷ। ତେଣେ ଏହି ଘଟଣାର ତ୍ବରିତ ତଦନ୍ତ ଲାଗି ଚେତାବନୀ ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ। ଅଭିଯୁକ୍ତ ସଞ୍ଜୟ ରୟ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ ଓ ଧାରା ୧୦୩ ଅନୁସାରେ ମାମଲା ରୁଜୁ କରାଯାଇଛି। ତେଣେ ଅଭିଯୁକ୍ତ ସଞ୍ଜୟ ପୂର୍ବରୁ ୪ ଥର ବିବାହ କରିଥିବାବେଳେ ତନ୍ମଧ୍ଯରୁ ୩ ଜଣ ସଞ୍ଜୟକୁ ଛାଡି ଚାଲିଯାଇଥିବା ସୂଚନା ମିଳିଛି।

ଏବେବି ନିଖୋଜ ଡାକ୍ତର ସ୍ବାଧୀନ ପଣ୍ଡା

ନନ୍ଦିଘୋଷ ବ୍ୟୁରୋ: ୱାୟନାଡ଼ ଭୂସ୍ଖଳରେ ଏବେ ବି ନିଖୋଜ ଡାକ୍ତର ସ୍ବାଧୀନ ପଣ୍ଡା । DNA ଟେଷ୍ଟ ପାଇଁ ସ୍ବାଧୀନଙ୍କ ବାପାମାଆଙ୍କ ନମୁନା ଲୋଡ଼ିଛି ୱାୟନାଡ଼ ପୋଲିସ । ଡିଏନଏ ମ୍ଯାଚିଂ ଜରିଆରେ ଅଜଣା ମୃତଦେହକୁ ଚିହ୍ନଟ ପାଇଁ ଉଦ୍ଯମ କରାଯିବ । ପୂର୍ବରୁ ସ୍ବାଧୀନଙ୍କ ବଡ଼ ଭଉଣୀ DNA ଟେଷ୍ଟ ପାଇଁ ସାମ୍ପୁଲ ଦେଇଥିଲେ । ମାତ୍ର ଏଫଏସଏଲ ଯଥେଷ୍ଟ ନୁହେଁ ବୋଲି ୱାୟନାଡ଼ ପୋଲିସ ସୂଚନା ଦେଇଛି । କେରଳର ୱାୟାନାଡ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନରେ 3 ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଛନ୍ତି ଓଡ଼ିଆ ଡାକ୍ତର ସ୍ୱାଧୀନ ପଣ୍ଡା । ସ୍ୱାଧୀନଙ୍କୁ ଖୋଜିବା ଲାଗି ବ୍ୟବହାର ହୋଇଥିବା ସେନା ରାଡାର ବିଫଳ ହୋଇଥିଲା ।

ଆଜି ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନର ଶୁଣାଣି

ଦିଲ୍ଲୀ: ଦିଲ୍ଲୀ ମଦନୀତି ମାମଲା। ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ। କବିତାଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ ନିମନ୍ତେ ଅଗ୍ରାଦ୍ୟ କରିବା ପରେ ସେ ଯାଇଥିଲେ ସର୍ବୋଚ୍ଚ ଅଦାଲତ। ଗତ ଜୁଲାଇ ୧ ତାରିଖରେ ଦିଲ୍ଲୀ ହାଇକୋର୍ଟ କବିତାଙ୍କ ଜାମିନ ଆବେଦନ ଅଗ୍ରାହ୍ଯ କରିଥିଲେ। କୋର୍ଟ କହିଥିଲେ- ୨୦୨୧-୨୨ରେ ଦିଲ୍ଲୀ ମଦନୀତି ମାମଲାରେ ହୋଇଥିବା ଅପରାଧିକ ଷଡ଼ଯନ୍ତ୍ରରେ କବିତା ଅନ୍ଯତମ ଅଭିଯୁକ୍ତ ଥିଲେ। ଆଜି ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ. ଭି. ବିଶ୍ବନାଥ କବିତାଙ୍କ ପିଟିସନର ଶୁଣାଣି କରିବେ। ହାଇକୋର୍ଟ କହିଥିଲେ- କବିତାଙ୍କୁ ନିୟମିତ ଜାମିନ ପ୍ରଦାନ ସମ୍ଭବ ନୁହେଁ। କବିତା ଜଣେ ଉଚ୍ଚଶିକ୍ଷିତା ଓ ପୂର୍ବତନ ସାଂସଦ ହୋଇଥିଲେ ବି ତାଙ୍କୁ ଜଣେ ଦୁର୍ବଳ ମହିଳାଙ୍କ ସହ ତୁଳନା କରାଯାଇପାରିବ ନାହିଁ ଏବଂ ତାଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗକୁ ଏଡାଇ ଦିଆଯାଇପାରିବ ନାହିଁ। ଗତ ମାର୍ଚ୍ଚ ୧୫ରେ ହାଇଦ୍ରାବାଦ ବାସଭବନରୁ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗିରଫ ପରେ ତାଙ୍କୁ ବର୍ତ୍ତମାନ ତିହାଡ ଜେଲରେ ରଖାଯାଇଛି।

ଆଜି ଶ୍ରାବଣ ଚତୁର୍ଥ ସୋମବାର, ଶୈବ ମନ୍ଦିରରେ ପ୍ରବଳ ଭିଡ

ନନ୍ଦିଘୋଷ ବ୍ୟୁରୋ: ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର । ଚଳଚଞ୍ଚଳ ସମସ୍ତ ଶୈବପୀଠ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ସକାଳୁ ସକାଳୁ ଶୈବପୀଠରେ ମନସ୍କାମନା ପୂରଣ ଲାଗି ଜଳାଭିଷେକ କରୁଛନ୍ତି ଶ୍ରଦ୍ଧାଳୁ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାଶ ମନ୍ଦିର ସମେତ ଅନ୍ଯାନ୍ଯ ଶୈବପୀଠରେ ଶ୍ରଦ୍ଧାଳୁ ପାଣି ଢାଳୁଛନ୍ତି । ଚଳିତବର୍ଷ ମୋଟ ୫ ପାଳିରେ କାଉଡ଼ିଆ ବ୍ରତ ପାଳନ କରିବେ । ଶୃଙ୍ଖଳିତ ଜଳଲାଗି ପାଇଁ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି ।